ଉପସ୍ଥାପନା: ନିରଞ୍ଜନ ସାହୁ
~ ମୁଁ ଓଡ଼ିଆ ଜାତିକୁ ଭଲପାଏ ~
ଡ. ମାୟାଧର ମାନସିଂହ କେବଳ ଜଣେ ସଫଳ କାବ୍ୟ ସ୍ରଷ୍ଟା ନୁହନ୍ତି । ଓଡ଼ିଆ ସାହିତ୍ୟରେ ବିବିଧ ବିଭାଗରେ ଲେଖନୀ ଚାଳନା କରି ସାର୍ଥକତା ଲାଭ କରିଥିବା ଜଣେ ସୁପରିଚିତ ଓ ସୁପ୍ରତିଷ୍ଟିତ ଲେଖକ ଆମର ସର୍ବପୂଜ୍ୟ ଭାବରେ ବିଦିତ ଡ. ମାୟାଧର ମାନସିଂହ । ଜଣେ ସଫଳ ପ୍ରାବନ୍ଧିକ, ଗାଳ୍ପିକ, ସମାଲୋଚକ, ଐତିହାସିକ, ନାଟ୍ୟକାର ଓ ବକ୍ତା ଭାବେ ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି ଡ. ମାନସିଂହ । ୧୯୪୪ ମସିହାରେ କଲିକତା ଠାରେ ଅନୁଷ୍ଠିତ ପ୍ରବାସୀ ଉତ୍କଳ-ସାହିତ୍ୟ-ସମ୍ମିଳନୀରେ ବରେଣ୍ୟ ସଭାପତି ଭାବେ ଯୋଗଦେଇ ତାଙ୍କର ଅଭିଭାଷଣ ପ୍ରଦାନ କରି ଓଡ଼ିଆ ଜାତିର ବୈଶିଷ୍ଟ୍ୟ ଶିରୋନାମାରେ “ମୁଁ ଓଡି଼ଶାକୁ କାହିଁକି ଭଲପାଏ”, ଏକ ସ୍ବତନ୍ତ୍ର ଚିନ୍ତନ। (ଉପସ୍ଥାପନା, ମାନସିଂହ ଗ୍ରନ୍ଥାବଳୀ)
“ସମାଗତ ବନ୍ଧୁଗଣ,
ଏହି ସମ୍ମିଳନୀରେ ମତେ ପୁରୋଧା ରୂପେ ବରଣ କରି ମତେ ଅଡ଼ୁଆରେ ପକାଇବା ସଙ୍ଗେ ସଙ୍ଗେ ଆପଣମାନଙ୍କର ଆୟୋଜନ ପ୍ରତି ଆପଣମାନେ ଅନ୍ୟାୟ କରିଛନ୍ତି ବୋଲି ମୋର ଧାରଣା । ଏକେ ଅର୍ବାଚୀନ ମୁଁ, ତା’ପରେ ଅବ୍ରାହ୍ମଣ କୃଷକ କୁଳରେ ଜନ୍ମ ହେତୁ, ମନ୍ତ୍ର ପାଠ କରି ଅନୁଷ୍ଠାନ ଆରମ୍ଭ ଓ ସାଙ୍ଗ କରିବାର ସ୍ଵାଭାବିକ ଅଭ୍ୟାସ ମୋର କାହିଁ ? ଆପଣମାନେ ମୋ’ଠୁ କ’ଣ ଆଶା କରି ମତେ ନିମନ୍ତ୍ରଣ କରି ଆଣିଛନ୍ତି ? ହୁଏତ ମୁଁ ଆପଣମାନଙ୍କୁ ନିରାଶ କରିବି । ତେବେ ଗ୍ରାମ୍ୟ ପୁରୋହିତ ‘ତଣ୍ଡୁଳାୟ ସ୍ଵାହା’, ‘ନଡ଼ିଆୟ ସ୍ଵାହା’ କରି ମୂର୍ଖ କୃଷକ ଓ ତାର ପରଲୋକଗତ ପୂର୍ବପୁରୁଷ ସମସ୍ତଙ୍କୁ ଯେପରି ସନ୍ତୁଷ୍ଟ କରି ଚାଉଳ-ନଡ଼ିଆତକ ଗାମୁଛାରେ ବାନ୍ଧି ଘରକୁ ଫେରେ, ତା ମୁଁ ଦେଖିଛି । ସେୟା କରି ଏ ଯଜମାନିରୁ ଉଦ୍ଧାର ପାଇଯିବି ବୋଲି ମୁଁ ଆଶା ପାଞ୍ଚିଛି । ଆପଣମାନଙ୍କୁ ନୈରାଶ୍ୟ ଦେଲେ ମୁଁ ଆପଣମାନଙ୍କ ଅପେକ୍ଷା ଅବଶ୍ୟ ବେଶୀ ଦୁଃଖିତ ହେବି; କିନ୍ତୁ ଆପଣମାନେ ମୋତେ କ୍ଷମା କରିବେ ବୋଲି ମୋର ବିଶ୍ବାସ ।
× × ×
ଆପଣମାନଙ୍କୁ ଜଣେଇଦେବା ଏ ସ୍ଥଳରେ ଅପ୍ରସାଙ୍ଗିକ ହେବ ନାହିଁ ଯେ Nationalism ବା ଜାତୀୟତା ବା ରାଷ୍ଟ୍ରୀୟତା ପ୍ରତି ମୋର ଆକର୍ଷଣ ବଡ଼ କମ୍ । ୟୁରୋପରୁ ଏ ବିଷ ଉଦଗୀର୍ଣ୍ଣ ହୋଇ ସାରା ପୂଥିବୀକି ଏପରି ରୁଗଣ କରିପକାଇଛି ଯେ, ବିଶ୍ଵମାନବକୁ ନିକରୁ ନିକଟତର କରିବା ପାଇଁ ବିଜ୍ଞାନ ଆମ ହାତରେ ଯେତେ ସୁବିଧା ଦେଲେ ହେଁ ମାନବଜାତି ଆଜି ଏପରି ଭାବରେ ଛିନ୍ନ ଭିନ୍ନ ହୋଇ ପଡ଼ିଛି, ଯାହା ଇତିହାସରେ କେଭେଁ ଘଟିନଥିଲା । ମନୁଷ୍ୟକୁ ମନୁଷ୍ୟ ଠାରୁ ଯାହା ଦୂରରେ ରଖେ, ଯାହା ମନୁଷ୍ୟକୁ ତାର ପ୍ରତିବେଶୀକୁ ଘୃଣା, ବିଦ୍ୱେଷ, ଅବିଶ୍ବାସ କରିବାକୁ ଶିଖାଏ, ତାହା ଘୃଣାର ବିଷୟ । ୟୁରୋପୀୟ ନାସନାଲିଜିମ୍ ପ୍ରତ୍ୟେକ ଜାତି ଭିତରେ ବୃଥା ଅହଂକାର ପୂରେଇ ଜଗତର ବାର୍ତ୍ତମାନିକ ସକଳ ଅନିଷ୍ଟର କାରଣ ହୋଇଅଛି ।ମିଷ୍ଟର ରୁଜଭେଲଟ୍ ଡିମୋକ୍ରାସି ପାଇଁ ନିଦରେ ଶୋଉନାହାନ୍ତି; କିନ୍ତୁ ଶ୍ୱେତାଙ୍ଗ ୟାଙ୍କି, କୃଷ୍ଣାଙ୍ଗ ନିଗ୍ରୋ ପ୍ରତି କି ବ୍ୟବହାର କରେ ତାହା ଆମେ ଭୁଲିଯିବାନାହିଁ । ଏହି ଅସତ୍ୟ ମନୋବୃତ୍ତିର କୁତ୍ସିତ ଓ ହାସ୍ୟକର ଫଳ ଆଜି ଆମେ ଜର୍ମାନୀ ଓ ଜାପାନରେ ଦେଖୁଁ — କାରଣ ଏ ଦୁଇଟି ଦେଶର ଅଧିବାସୀ ମନେ କରନ୍ତି ଯେ, ସେମାନେ ଜଗତରେ ଶ୍ରେଷ୍ଠ ଜାତି ଓ ସାରା ପୃଥିବୀ ଶାସନ କରିବାକୁ ଜଗନ୍ନିୟନ୍ତା ପରମେଶ୍ବରଙ୍କର ସେମାନଙ୍କ ପ୍ରତି ସ୍ଵତନ୍ତ୍ର ଗୁପ୍ତ ନିର୍ଦ୍ଦେଶ ଅଛି । ପଶୁବଳିର ଦର୍ପ ଛଡ଼ା ଏ ଧାରଣାକୁ ସମର୍ଥନ କରିବାକୁ ଆଉ କିଛି ନାହିଁ । ପ୍ରକୃତ ସତ୍ୟ ଏହି ଯେ, କୌଣସି ଅନ୍ୟ ମଣିଷ ଉପରେ କର୍ତ୍ତୃତ୍ଵ କରିବାର ନୈସର୍ଗିକ ଅଧିକାର ନାହିଁ ଏବଂ ଜାତୀୟତାର ଅର୍ଥ ଏହା ନୁହେଁ ଯେ, ଗୋଟିଏ ଜାତି ଅନ୍ୟ ଜାତି ଠାରୁ ନିଜକୁ ମହତ୍ତର ମନେକରି ତାକୁ ଅବଜ୍ଞା କରିବ ।
ଆମ୍ଭମାନଙ୍କ ନିକଟରେ ଜାତୀୟତାର ଅର୍ଥ ଏହା ହେବା ଉଚିତ ଯେ, ଯେହେତୁ ସମଗ୍ର ମାନବ ଜାତିର ସେବା କରିବାର ଶକ୍ତି ଓ ସୁଯୋଗ ବିଧାତା ଆମ୍ଭମାନଙ୍କୁ ଦେଇ ନାହାନ୍ତି, ତେଣୁ ଗୋଟିଏ ଛୋଟ ଅଂଶକୁ ଆମର ସେବା ଦାନ କରି ଆମ ହୃଦୟର ସେବାତୃଷ୍ଣା ଆମେ ମେଣ୍ଟାଇବା । ଯେଉଁ ଦେଶରେ ମୋର ଜନ୍ମ ଏବଂ ଯେଉଁମାନେ ମୋର ଭାଷା ବୁଝିପାରନ୍ତି, ସେମାନଙ୍କ ପ୍ରତି ମୋର ପ୍ରତିବେଶୀ-ଭାବ ହିଁ ମୋର ଜାତୀୟତା। ଏହି ଦୃଷ୍ଟିକୋଣରୁ ମୁଁ ପ୍ରତ୍ୟେକ ମନୁଷ୍ୟକୁ ସର୍ବପ୍ରଥମେ ମନୁଷ୍ୟ ଭାବରେ ବିଚାର କରିବି । ସେ ଯଦି ଭଲ ମନୁଷ୍ୟ ନୁହେ, ସେ ଓଡ଼ିଆ ହୋଇଥିଲେ ମଧ୍ୟ ତାକୁ ଘୃଣା କରିବି । ଆମ ଆଖିରେ ଆମ ଦେଶ ମଧ୍ୟ ଅନ୍ୟାୟ କରିବାର ଦେଖିଲେ, ଆମ ଦେଶ ବିରୁଦ୍ଧରେ ଠିଆ ହେବା ।
କିନ୍ତୁ ଓଡ଼ିଆ ଜାତି ଓ ଦେଶକୁ ମୁଁ ଆପଣଙ୍କ ପରି ଭଲପାଏ ବୋଲି ମୁଁ ଦୃଢ଼ ଭାବରେ ଦାବି କରିପାରେ । ବନ୍ଧୁଗଣ ! କିନ୍ତୁ ମୋ ଭଲ ପାଇବାରେ କୌଣସି ଅହମିକାର ଆସ୍ଫାଳନ ନାହିଁ । ମୋର ଜାତି ପ୍ରତି ସ୍ନେହ ଅନ୍ୟ କୌଣସି ଜାତିପ୍ରତି ମୋର ଶ୍ରଦ୍ଧା ଭାବକୁ ଅବରୋଧ କରେନାହିଁ । ତିନୋଟି କାରଣରୁ ମୁଁ ଓଡ଼ିଆ ଜାତିକୁ ଭଲପାଏ । ସେ କାରଣଗୁଡ଼ିବ ଏହିପରି — ପ୍ରଥମ କାରଣ ଅବଶ୍ୟ ଏହି ଯେ, ମୋର ଜନନୀ ମତେ ଯେଉଁ ଭାଷା ଶିଖାଇଥିଲେ, ଓଡ଼ିଆ ଜାତି ସେହି ଭାଷା କହେ । ଏହି ଭାଷା ମୋର ରକ୍ତରେ ମିଶିଯାଇଛି । ଅନ୍ୟ ଯେତେ ଲୋକଙ୍କ ରକ୍ତରେ ଏ ଭାଷା ମିଶିଛି, ସେମାନଙ୍କ ପ୍ରତି ମୋର ଆକର୍ଷଣ ହେବା ସ୍ବାଭାବିକ । ସେହିମାନେ ହିଁ ଓଡ଼ିଆ ଜାତି । ମୁଁ ଓଡ଼ିଆ ଜାତିକୁ ଭଲପାଏ !
କିନ୍ତୁ ଏ ଆକର୍ଷଣ ଆକସ୍ମିକ । ମୁଁ ଯଦି ବଙ୍ଗାଳୀ ବା ନିଗ୍ରୋ ପରିବାରରେ ଜନ୍ମ ହୋଇଥାନ୍ତି, ତାହେଲେ ମୋର ଆକର୍ଷଣ ଅନ୍ୟ ପ୍ରକାର ଧରିଥାନ୍ତା ଏବଂ ହୁଏତ ମୁଁ ଓଡ଼ିଆ ଜାତିକୁ ଘୃଣା କରିଥାନ୍ତି ବା ହୁଏତ ମୁଁ ଏ ଜାତି ସମ୍ବନ୍ଧରେ ସମ୍ପୂର୍ଣ୍ଣ ଅଜ୍ଞ ଥା’ନ୍ତି ।
ମୁଁ ଓଡ଼ିଆ ଜାତିକୁ ଭଲପାଏ !
ପ୍ରଥମ କାରଣ ଠାରୁ ଆଉ ଟିକିଏ ବଳବତ୍ତର କାରଣ, ଅର୍ଥାତ ଓଡ଼ିଆ ଜାତି ପ୍ରତି ମୋର ଆକର୍ଷଣର ଦ୍ଵିତୀୟ କାରଣ, ଗୋଟିଏ ସ୍ଵଛନ୍ଦ, ଉନ୍ନତ ସଭ୍ୟଜାତିର ଅଧଃପତନ । ଗ୍ରୀକ୍ ଓ ସେକସପେରୀୟ ଟ୍ରାଜେଡ଼ି ପ୍ରତି ପାଠକ ଓ ଦର୍ଶକମାନଙ୍କର ଯେଉଁ ଆକର୍ଷଣ, ଏ ଆକର୍ଷଣ ତାର ଅନୁରୂପ । ମୋର ଘର ଚିଲିକା କୂଳସ୍ଥ ଗୋଟିଏ ଛୋଟ ପଲ୍ଲୀରେ । ୩୦/୪୦ଟି ପରିବାର ମାତ୍ର ସେଇଠି ବାସ କରନ୍ତି । ସେମାନେ ସମସ୍ତେ ଖଣ୍ଡାୟତ; କିନ୍ତୁ ଖଣ୍ଡାୟତର ଗୌରବମୟ ଇତିହାସ ସେମାନେ କିଛି ହେଲେ ଜାଣନ୍ତି ନାହିଁ । କିନ୍ତୁ ପ୍ରାଚୀନ ପ୍ରଥାନୁସାରେ ଦଶହରାକୁ ସେମାନେ କୌଳିକ ସନ୍ତକ ଖଣ୍ଡାଟିମାନଙ୍କୁ ପୂଜା କରନ୍ତି । ଆମରି ଘରେ ସେ ପୂଜା ବସେ । ବିଜୟାଦଶମୀର ବିମଳ ଜ୍ୟୋତ୍ସାରେ ଧରଣୀ ଆଲୋକିତ ହୋଇ ଉଠିଲେ, ଗ୍ରାମ ଦାଣ୍ଡରେ ବାଦକର ଗମ୍ଭୀର ଢୋଲଧ୍ଵନି ଛୋଟ ଗ୍ରାମରେ ସମସ୍ତଙ୍କ ପ୍ରାଣକୁ ଚଞ୍ଚଳ କରିପକାଏ । ଗ୍ରାମ୍ୟ ପୁରୋହିତ ପୂଜା ଶେଷ କରନ୍ତେ ଗ୍ରାମର ଟୋକା ଓ ବୁଢ଼ାମାନେ କାଳକଳଙ୍କିତ ଓ ଅବ୍ୟବହୃତ ମୌନଖଣ୍ଡା, ତରବାରି, ଢାଲ ଓ ପଟାବାଡ଼ି ସବୁ ଧରି ବାହାରି ପଡ଼ନ୍ତି ଗ୍ରାମ ଦାଣ୍ଡକୁ ଶ୍ରେଣୀବଦ୍ଧ ଭାବରେ । ଗ୍ରାମଶେଷରେ ଗ୍ରାମଦେବତୀଙ୍କ ମନ୍ଦିର । ଶ୍ରେଣୀବଦ୍ଧ ପାଇକେ ସେଠାକୁ ଯାଇ ଦେବତାଙ୍କୁ ନମସ୍କାର କରି ଫେରି ଆସିଲାବେଳେ ଢୋଲବାଦ୍ୟରେ ତାଙ୍କ ପାଦସବୁ ବୀରଦର୍ପରେ ଆପେ ଆପେ ନାଚିଯାଏ । ଗ୍ରାମର ମଝିଦାଣ୍ଡକୁ ଆସିଲେ ତାଙ୍କୁ ଆଉ ରଖେ କିଏ ? ଜଣ ଜଣ ହୋଇ ଢାଲ ତରବାରି ଧରି ଖପାଖପ ଡେଇଁ ପଡ଼ନ୍ତି ଓ ନୃତ୍ୟମୟ ପାହୁଲରେ ପରସ୍ପର ମଧ୍ୟରେ ଦ୍ଵନ୍ଦଯୁଦ୍ଧ ଆରମ୍ଭ କରିଦିଅନ୍ତି । ବନ୍ଧୁଗଣ, ଆପଣମାନେ ବିଶ୍ୱାସ କରନ୍ତୁ ବା ନ କରନ୍ତୁ, ମୁଁ ଯେତେ ଥର ସେଠାରେ ଉପସ୍ଥିତ ହୋଇଛି , ଗ୍ରାମବାସୀଙ୍କର ସେଇ ମୁହୂର୍ତ୍ତକର ରଣନୃତ୍ୟ ଦେଖି ସେତେଥର ମୋର ଆଖି ଲୋତକଯୁକ୍ତ ହୋଇ ଉଠିଛି । ଅବଶ୍ୟ କାଳେ କିଏ ଦେଖିବ ବୋଲି, ମୁଁ ଜନତାର ଅନ୍ତରାଳରେ ମୋର ଭାବାବେଶକୁ ରୁଦ୍ଧ କରି ପକାଏ; ସେ ଦୃଶ୍ୟର କରୁଣ ମାଧୁରୀ ମୋର ଜାତୀୟତାର ଏକ ପ୍ରଧାନ ଉପାଦାନ ହୋଇ ରହିଛି । ମୋର ସେ ଗ୍ରାମବାସୀ, ଉତ୍କଳର ପ୍ରାଚୀନ ଯୋଦ୍ଧୃବର୍ଗଙ୍କର ଅଧଃପତିତ ବଂଶଧରଗଣ ଆଜି ଭୋକ-ଉପାସରେ କାହିଁ ରେଙ୍ଗୁନ୍, କଲିକତା, ଆସାମରେ ମାଟିକାମ କରିବାକୁ ବାଧ୍ୟ ହେଉଛନ୍ତି । ସେମାନେ ଏତକ ବିଶ୍ୱାସ କରିବେ ନାହିଁ ଯେ, ତାଙ୍କରି ପୂର୍ବପୁରୁଷ କାଞ୍ଚି, ଵାରାଙ୍ଗଳ ପ୍ରଭୃତି ଦୂର ଦେଶରେ ଯୁଦ୍ଧ କରି ଜୟମାଲ୍ୟ ନେଇ ଫେରିଥିଲେ।ମହତ୍ ର ପତନରେ ଯେଉଁ କରୁଣା ଉଦ୍ରେକ ହୁଏ, ନୀଚର ପତନରେ ତାହା ହୁଏନାହିଁ । ଓଡ଼ିଆ ଜାତିର ଆଧୁନିକ ଦୁଃଖ, ଦାରିଦ୍ର୍ୟ, ଅଜ୍ଞତା ମତେ ଏ ଜାତି ପ୍ରତି କରୁଣାମୟ କରି ରଖେ । ନରନାରାୟଣଙ୍କର ସେବା କରିବାରେ ଯଦି ମୋ ଜୀବନର ସାର୍ଥକତା, ତେବେ ମୁଁ ଆଉ କୁଆଡ଼େ ଯିବି ? ଏହି ଓଡ଼ିଶା ଦେଶ ତ ତା’ର ପ୍ରକୃତକ୍ଷେତ୍ର । ଏହି ଅଧଃପତିତ ଓଡ଼ିଆ ଜାତି ପ୍ରତି ଦୁଇଟୋପା ଲୁହ ଅନ୍ତତଃ ଢାଳିଥିଲେ ମୋର ମନୁଷ୍ୟତ୍ଵ ବ୍ୟର୍ଥ ହୋଇନାହିଁ ବୋଲି ମୁଁ ମନେ କରିବି ।
କିନ୍ତୁ ଏ ଦ୍ଵିତୀୟ କାରଣ ମଧ୍ୟ ଆକସ୍ମିକ — କାରଣ ଦୁଃଖ ଦୁର୍ଦ୍ଦଶା ସବୁ ଦେଶରେ ଅଛି । ସମୃଦ୍ଧ ଇଂଲଣ୍ଡରେ ମୁଁ ଦାରିଦ୍ର୍ୟର ଜଘନ୍ୟତମ ଚିତ୍ର ଦେଖି ଆସିଛି; ସେଥିଲାଗି ଦରିଦ୍ର ଇଂରେଜ ପ୍ରତି ମଧ୍ୟ ମୋର କରୁଣା ଆସିଛି, ଯେପରି କରୁଣା ମୁଁ ଅନୁଭବ କରିଛି ମୋର ଦରିଦ୍ର ଗ୍ରାମବାସୀ ପ୍ରତି । ତେଣୁ ଓଡ଼ିଆ ଜାତିକି ମୁଁ ଭଲ ପାଇବାର ତୃତୀୟ ଓ ଶ୍ରେଷ୍ଠ କାରଣ ଏହି ଯେ, ଓଡ଼ିଆ ଜାତି ଏକ ସ୍ରଷ୍ଟାର ଜାତି । ଓଡ଼ିଆର ସ୍ଵପ୍ନ ଅଛି ଏବଂ ସେ ତା’ର ସ୍ଵପ୍ନକୁ ଏପରି ଭାବରେ ରୂପ ଦେଇପାରିଛି, ଯାହା କେବଳ ସଭ୍ୟତମ ମାନବ ହିଁ କରିପାରେ । ମୁଁ ବାଲ୍ୟକାଳରୁ ଓଡ଼ିଶାର ଗୌରବସୂଚକ କବିତା ଓ ଗୀତ ଶୁଣି ଆସୁଛି । ଟିକିଏ ବଡ଼ ହେଲା ପରେ, ଓଡ଼ିଶାର ଇତିହାସ ବାରମ୍ବାର ପାଠ କରି; ଏବେ ବି ବେଳେବେଳେ ପଢ଼େ । ଖାରବେଳ, କପିଳେନ୍ଦ୍ର, ପୁରୁଷୋତ୍ତମଙ୍କର ବିଜୟବାହିନୀ କିପରି ଉତ୍କଳର ସୀମା ଛାଡ଼ି ସହସ୍ର ସହସ୍ର କ୍ରୋଶ ଦୂର ପର୍ଯ୍ୟନ୍ତ ମାଡ଼ି ଯାଇଥିଲେ, ସେ କାହାଣୀସବୁ ମୁଁ ବାରମ୍ବାର ପଢ଼ିଛି। କିନ୍ତୁ ମୁଁ ସେଥିରେ ବିଶେଷ ମୁଗ୍ଧ ହୋଇ ପାରିଲିନାହିଁ; କାରଣ ଏସବୁ ବ୍ୟାପାର ପ୍ରତ୍ୟେକ ଦେଶର ଇତିହାସରେ କିଛି ନା କିଛି ଘଟିଛି । ତା’ ପରେ, ଯେଉଁ ଗୌରବ ମନୁଷ୍ୟର ରକ୍ତରେ ଅଭିଷିକ୍ତ ଏବଂ ଯେଉଁ ଆନନ୍ଦ ଅନ୍ୟ ମନୁଷ୍ୟର ଦୁଃଖରୁ ଜାତ, ତାହା ଘୃଣ୍ୟ । ଯେ ଖୁବ୍ ହଣାହଣି କରିପାରେ, ସେ ଗୋଟିଏ ସିପାହୀ; ସେ ବୀର ନୁହେଁ । ବୀର ବୃଥା ନାଶ କରେ ନାହିଁ; ବରଂ ନିଜେ ନଷ୍ଟ ହୋଇଯାଏ, ମାନବର ମଙ୍ଗଳ ପାଇଁ । ରାବଣକୁ ମାରି ରାମଚନ୍ଦ୍ର ବୀର ହୋଇ ନାହାଁନ୍ତି । ସତ୍ୟ ଓ ଧର୍ମର ଜୟ ଓ ନାରୀର ସମ୍ମାନ ରକ୍ଷା ପାଇଁ ସେହି ରାଜକୁମାର ସାରା ଜୀବନ ଯେଉଁ ଦୁଃଖ କ୍ଳେଶ ଭୋଗକଲେ ତାହାହିଁ ରାମାୟଣ; ସେହି ଆଦର୍ଶ ହିଁ ତାଙ୍କ ବୀରତ୍ବର ଶ୍ରେଷ୍ଠ ଉପାଦାନ । ଦୁଃଖ କ୍ଳେଶ ସହି ରାମଚନ୍ଦ୍ର ଜଗତକୁ ଏକ ମହାନ ଆଦର୍ଶର ସ୍ମୃତି ଦେଇ ଯାଇଛନ୍ତି, ତେଣୁ ସେ ବୀର, ସେ ନରୋତ୍ତମ। ମନୁଷ୍ୟର ଶ୍ରେଷ୍ଠତ୍ଵ ଭାଙ୍ଗିବାରେ, ହାଣିବାରେ, କଷ୍ଟ ଦେବାରେ ନୁହେଁ — ତାର ଶ୍ରେଷ୍ଠତ୍ଵର ବିକାଶ ହୁଏ ଗଢି଼ବାରେ; ଯେଉଁଠି କିଛି ନଥିଲା ସେଠି କିଛି ଛାଡ଼ିଯିବାରେ, ଯାହା କ୍ଳେଶଦାୟକ ଥିଲା ତାକୁ ସୁନ୍ଦର ଓ ସୁଖଦାୟକ କରିବାରେ । ଓଡ଼ିଶା ଇତିହାସର ବିଜୟ ଅଭିଯାନ ମାନଙ୍କର ଏ ମାନବିକ ଦାନର ଚିହ୍ନ ମୁଁ ଦେଖିଲି ନାହିଁ। ତେଣୁ ଓଡ଼ିଆମାନେ ଅତୀତକୁ ନେଇ ଯେଉଁ ଗର୍ବ କରନ୍ତି, ସେ ଗର୍ବ ମୁଁ ଅନୁଭବ କରି ପାରେନାହିଁ ।
କିନ୍ତୁ ମୁଁ ପୁରୀ ଗଲି, ଭୁବନେଶ୍ୱର ଗଲି; ଗଲି ଶେଷରେ କୋଣାର୍କ । ସେଇଠି ଦେଖିଲି ଓଡ଼ିଆ ଜାତିର ଗର୍ବ ଓ ଗୌରବ । ଅନ୍ୟ ଜାତିର ଇତିହାସ ବହିରେ ଲେଖାଅଛି ସିନା, ଓଡ଼ିଆ ତାର ଇତିହାସ ଲେଖିଛି ପଥରରେ । ଏ ଇତିହାସରେ ସନ ନାହିଁ, ତାରିଖ ନାହିଁ, କେଉଁ ରାଜା କେବେ ସେ ସବୁ ଗଢ଼ିଥିଲେ, ସେ ସବୁର କିମ୍ବଦନ୍ତୀ ମାତ୍ର ଦେଶରେ ଅଛି । ଯେଉଁ ଶିଳ୍ପୀ ଓ ମିସ୍ତ୍ରୀ ପ୍ରାଣର ସ୍ଵପ୍ନ ଓ ଦେହର ରକ୍ତ ଦେଇ ସେସବୁ ଯୁଗ-ଯୁଗ ଧରି ଗଢ଼ିଥିଲେ ତାଙ୍କର ନାମଗନ୍ଧ ନାହିଁ । ବରଂ କିମ୍ବଦନ୍ତୀ ଏହି ଯେ, ପୁରୀ ମନ୍ଦିର ସମ୍ପୂର୍ଣ୍ଣ କରି ନିର୍ମାତା ଇନ୍ଦ୍ରଦ୍ୟୁମ୍ନ ଦେବତାଙ୍କୁ ଏହି ବର ମାଗିଲେ ଯେ, ଦେଉଳର ନିର୍ମାଣ ନେଇ ଅହଙ୍କାର କରିବାକୁ ତାଙ୍କ ବଂଶରେ ଯେପରି କେହି ନ ରହେ । ଉତ୍କଳର ଶିଳ୍ପ ଇତିହାସରେ ଏହି ମହାନ ଆଦର୍ଶ ଯେପରି ଅକ୍ଷରେ ଅକ୍ଷରେ ପାଳିତ ହୋଇଅଛି । ଯେଉଁ କୋଣାର୍କରେ ଗୋଟିଏ ଗୋଟିଏ ମୂର୍ତ୍ତିର ସ୍ରଷ୍ଟା ହେବାକୁ ବିଶ୍ଵର ଶ୍ରେଷ୍ଠ ଶିଳ୍ପୀଗଣ ଜୀବନର ଶ୍ରେଷ୍ଠ ସିଦ୍ଧି ବୋଲି ମନେ କରନ୍ତେ, ତାକୁ ଯେଉଁ ପ୍ରସ୍ତର-କବିଗଣ ଲେଖି ଯାଇଛନ୍ତି, ତାଙ୍କର ନାମ ଧାମ କାଳଦେହରେ ବିଲୀନ । ତାଜମହଲ ଯେଉଁମାନେ ଗଢ଼ିଥିଲେ, ସେମାନଙ୍କ ନାମ ଧାମ ଓ ଦରମାର ତାଲିକା ଆମେ ପାଉଛୁ । କିନ୍ତୁ ଓଡ଼ିଆ ଶିଳ୍ପୀ ନିଜ ସୃଷ୍ଟିରେ ହିଁ ନିଜକୁ ମିଶେଇ ଦେଇ ଯାଇଛି । ବୀଜ ନିଜକୁ ନଷ୍ଟ କରି ବୃକ୍ଷରେ ପରିଣତ ହେଲା ପରି, ଓଡ଼ିଆ ଶିଳ୍ପୀ କଳାରେ ନିଜର ସମଗ୍ର ଅସ୍ତିତ୍ଵକୁ ସମର୍ପଣ କରି ଯାଇଛି । କଳାସୃଷ୍ଟିର ଇତିହାସରେ ଏ ଅବଦାନ ଅତୁଳନୀୟ । ମୁଁ ତେଣୁ ଓଡ଼ିଆ ଶିଳ୍ପୀକୁ ବାରମ୍ବାର ନମସ୍କାର କରେ ଏବଂ ସେହି ସୂତ୍ରରେ ମୁଁ ଓଡ଼ିଆ ଜାତିକୁ ଭଲପାଏ ।
ପୁଣି କି ଶିଳ୍ପ ! ଆପଣମାନେ କୋଣାର୍କ କେବେ ଯାଇଛନ୍ତି ତ ? ପ୍ରତ୍ୟେକ ଓଡ଼ିଆର ଜୀବନରେ ଥରେ କୋଣାର୍କ ଦେଖି ଆସିବା ଉଚିତ । ହଣ୍ଟର ସାହେବ ଓଡ଼ିଶାର ଇତିହାସ ଲେଖିବସି ପ୍ରଥମେ କହିଛନ୍ତି ଯେ, ଓଡ଼ିଆ ଜାତିର ବିଶ୍ଵ ସଭ୍ୟତାକୁ ଦାନ କରିବାର କିଛି ନାହିଁ । ହଣ୍ଟରଙ୍କ ସମୟରେ କୋଣାର୍କ ଭଗ୍ନସ୍ତୁପ ହୋଇ ରହିଥିଲା; ନଚେତ ସେ ଅନ୍ୟ କଥା କିଛି ଲେଖିଥାନ୍ତେ । କେଉଁ ସାହେବ କ’ଣ କହିଲା ବା ନ କହିଲା, ସେଥିକି ଆମର ଖାତିର କରିବା ଦରକାର ମଧ୍ୟ ନାହିଁ । ଆପଣମାନେ ଥରେ ଯାଇ ଆଖିରେ ଦେଖି ଆସନ୍ତୁ ଓ ବୁଝନ୍ତୁ, ଓଡ଼ିଆ ଜାତି କିପରି ବୀର ଥିଲା ଓ କିପରି ସ୍ରଷ୍ଟା ଥିଲା । ନଦୀଗଣ୍ଡକୁ ଓଡ଼ିଆ ପୋତି ପକେଇଛି; ଶତ ଶତ ମାଇଲ ଦୂରରେ ଥିବା ପର୍ବତକୁ ଓଡ଼ିଆ ଚୂନା କରି ପକେଇ, ସାରା ପାହାଡ଼କୁ ଶତ ଶତ ମାଇଲ ବାଟ ଘୋଷାରି ଆଣିଛି, ଆଉ ଯେଉଁଠି କିଛି ନ ଥିଲା ସେଠି ଢିମାପଥର ଦେହରେ ଏକ ବିରାଟ ମନୋଜ୍ଞ ଚିତ୍ରଶାଳା ଠିଆ କରିଛି — ଯାହାର ବିପୁଳତା ଯେପରି ବିସ୍ମୟକର, କଳାର ସୂକ୍ଷ୍ମତା ଓ ଜୀବନ୍ତ ଭାବ ସେହିପରି ଅସାଧାରଣ । କୋଣାର୍କର ସୈକତ ପ୍ରାଙ୍ଗଣରେ ଠିଆ ହୋଇ ବିସ୍ମୟ ଓ ବିନୟରେ ମଥାନତ କରି ମୁଁ ତେଣୁ ଓଡ଼ିଆକୁ ବାରମ୍ବାର ନମସ୍କାର କରିଛି — କାରଣ ଓଡ଼ିଆ ସ୍ରଷ୍ଟା ଏବଂ ସେହି ସୂତ୍ରରେ ମୁଁ ଓଡ଼ିଆ ଜାତିକୁ ଭଲପାଏ ।
କେବଳ ଓଡ଼ିଆ ଜାତି ନୁହେଁ, ସ୍ରଷ୍ଟା ଭାବରେ ମୁଁ ସବୁ ଦେଶକୁ ଓ ସବୁ ଦେଶର ଲୋକଙ୍କୁ ନମସ୍କାର କରେ । ସାଧୁ — ସେ ଯେଉଁ ଜାତିର ହେଉ ନା କାହିଁକି, ମୋର ନମସ୍କରଣୀୟ । ମନୁଷ୍ୟର ଶ୍ରେଷ୍ଠତ୍ଵ କେବଳ ଯେ ସୃଷ୍ଟିରେ, ଏକଥା ଆମେ ବରାବର ଭୁଲିଯାଉ । ମନୁଷ୍ୟ ଓ ଇତର ପ୍ରାଣୀମାନଙ୍କ ମଧ୍ୟରେ ଏହିଠାରେ ହିଁ ପାର୍ଥକ୍ୟ । ଆମର ଯେମିତି ତଥାକଥିତ ‘ଲିଡର’ ବା ‘ପାର୍ଟି’ ଦଳ ଓ ନେତା ଅଛନ୍ତି; ହାତୀ, ହରିଣ ପ୍ରଭୃତିଙ୍କର ମଧ୍ୟ ସେମିତି ଅଛନ୍ତି ଏବଂ ଆମ ଲିଡର ଓ ପାର୍ଟିମାନଙ୍କର ସଂଘର୍ଷ ବନ୍ୟପଶୁମାନଙ୍କର ସଂଘର୍ଷ ଠାରୁ ବିଶେଷ କିଛି ପୃଥକ ନୁହେଁ । କିନ୍ତୁ ହାତୀ ବା ହରିଣଙ୍କର ଶିଳ୍ପୀ, ବୈଜ୍ଞାନିକ, କବି, ଗାୟକ, ବାଦକ କାହାନ୍ତି ? ବିଧାତା ନିଜର ସୃଜନଶକ୍ତିର କଣିକାଏ ମନୁଷ୍ୟ ଭିତରେ ପୂରେଇଦେଇ ଥିବାରୁ ତାହା ଏତେ ବିଚିତ୍ର ରୂପରେ ପ୍ରକାଶ ପାଇ ଆମର ଏହି ବିଚିତ୍ର ମାନବିକ ସଭ୍ୟତା ଗଢି଼ପାରିଅଛି । ମାନବ ସଭ୍ୟତାର ମୂଳରେ ଏହି ସୃଜନଶକ୍ତି । ଇତର ପ୍ରାଣୀମାନେ ପୁରୁଷକୁ ପୁରୁଷ ମରନ୍ତି — ପଛରେ ତାଙ୍କର କିଛି ରହେ ନାହିଁ । କିନ୍ତୁ ଏହି ସୃଜନଶକ୍ତି ବଳରେ ମନୁଷ୍ୟ ଜୀବନର ଯାହା କ୍ଷଣିକ, ତାହା ଚିରନ୍ତନ ହୋଇ ପାରୁଛି । ପ୍ରତ୍ୟେକ ବ୍ୟକ୍ତି ଓ ଜାତିର ଏହାହିଁ ଶ୍ରେଷ୍ଠ ସମ୍ପଦ । ଯେଉଁ ଜାତି ଏତକ ହରାଏ ବା ଯାହାର ଏତକ ନାହିଁ, ସେ ପ୍ରାଣୀ ଗୋଷ୍ଠୀ ସଙ୍ଗେ ସମାନ । ଆମେ ଓଡ଼ିଆ ଆମ ଇତିହାସର ଗର୍ବ କରୁ । କାହାନ୍ତି ସେ ବୀର ସମ୍ରାଟଗଣ ? କାହିଁ ତାଙ୍କର ସାମ୍ରାଜ୍ୟ ? କାହିଁ ତାଙ୍କର ଧନଧାନ୍ୟ, ଗର୍ବ ଅହଙ୍କାର ? ସେସବୁ କାଳର ଶ୍ମଶାନ ହୋଇ ଉଡ଼ିଯାଇଛି । କିନ୍ତୁ ଆମ ଜାତିର ଦରିଦ୍ର କବି ଓ ମହାରଣା ମାନେ ଯାହା ଥୋଇ ଯାଇଛନ୍ତି, ସେହି ଆଜି ଆମକୁ ଚିହ୍ନେଇ ଦେଉଛି — ତାଙ୍କ ଯୋଗୁଁ ଆମେ ମଣିଷରେ ଗଣା ହେଉଛୁ ।
× × ×
ଜର୍ମାନ ପର୍ଯ୍ୟଟକ ଆସି ଭୁବନେଶ୍ବରରୁ ତାଳପତ୍ର ପୋଥି କିଣିବାର ଆପଣମାନେ ଶୁଣିଛନ୍ତି ତ ? ଉନ୍ନତ ଜର୍ମାନ ଜାତି ଆମଠୁ ବି ଉପାଦାନ ସଂଗ୍ରହ କରିବାକୁ ଉତ୍ସୁକ ଥିଲା ବେଳେ ପ୍ରତିବେଶୀ ଜାତିମାନଙ୍କ ଠାରୁ ଆମର ଗୁଣ ଗ୍ରହଣ ପାଇଁ ଅନିଚ୍ଛା ଓ ନିଶ୍ଚେଷ୍ଟତା ନୀଚତାର ପରିଚାୟକ ଓ ଲଜ୍ଜାର ବିଷୟ ସିନା ! ଓଡ଼ିଶାର ଗଞ୍ଜାମ ଓ କୋରାପୁଟ ଅଞ୍ଚଳ ଏକପ୍ରକାର ଦ୍ଵି-ଭାଷୀ ପ୍ରଦେଶ; ଅର୍ଥାତ୍ ସେଠି ପ୍ରାୟ ପ୍ରତ୍ୟେକ ଶିକ୍ଷିତ ଓଡ଼ିଆ ତେଲୁଗୁ ଜାଣନ୍ତି, କିନ୍ତୁ ଆମେ ଓଡ଼ିଆଏ ତେଲୁଗୁ ଭାଷା ଓ ସାହିତ୍ୟ ସମ୍ବନ୍ଧରେ କ’ଣ ଜାଣୁ ? ସହସ୍ର ସହସ୍ର ଓଡ଼ିଆ ଆସାମ ଓ ବର୍ମାରେ କାମ କରନ୍ତି; କିନ୍ତୁ ସେ ଦେଶର ରୀତିନୀତି ସମ୍ବନ୍ଧରେ ଆମର ଖଣ୍ଡିଏ ହେଲେ ବହି ଅଛି କି ? ଚାରିଆଡ଼ୁ କବାଟ କିଳି ଆମେ ତ ଘରେ ବସିରହିଲୁଁ; ଆମେ ଯେ ଅନ୍ଧକାରରେ ରହିଛୁଁ, ଦୋଷଟା ତେବେ କାହାର ?
ଅନେକ କହିବାର ଶୁଣାଯାଏ, “ବହି ଲେଖିଲେ କିଣିବ କିଏ, ପଢ଼ିବ କିଏ ?” ଅନେକଙ୍କର ଏହି ଧାରଣା ଯେ, ଓଡ଼ିଆ ମାନେ ବହି ପଢ଼ନ୍ତି ନାହିଁ । ସେ ଧାରଣା ଏକାବେଳକେ ଅମୂଳକ । ଆପଣମାନେ ଜାଣନ୍ତି ପୁରାଣ, ଯାତ୍ରା, ପ୍ରାଚୀନ କାବ୍ୟ କବିତା ପ୍ରଭୃତିର କିମିତି କାଟତି ହୁଏ ଓଡ଼ିଶାର ମଫସଲରେ । ଗୋଟିଏ ଗୋଟିଏ ପ୍ରକାଶକ ଏସବୁ ପୁସ୍ତକରୁ ସହସ୍ର ସହସ୍ର ଟଙ୍କା ଉପାର୍ଜନ କରି ବଡ଼ଲୋକ ହେଉଛନ୍ତି । ତେବେ ନିରାଶା ଓ ଅଭିମାନ କରିବା କାହା ଉପରେ ଓ କାହା ପାଇଁ ? ପଣ୍ଡିତ କୁଳମଣି ଦାସଙ୍କ ସମ୍ପାଦିତ କବିସୂର୍ଯ୍ୟ ଗ୍ରନ୍ଥାବଳୀ ଉଚ୍ଚ ଦାମ୍ ସତ୍ତ୍ୱେ ଅଳ୍ପକାଳ ମଧ୍ୟରେ ଏକାଧିକ ସଂସ୍କରଣ ଲାଭ କଲା; କିନ୍ତୁ ହୁଏତ ଚାର’ଣା ଦାମର ଖଣ୍ଡେ ଆଧୁନିକ କବିତା ବହି ଆଦୌ କଟିଲା ନାହିଁ । ଏହାର କାରଣ, ଏହା ନୁହେଁ ଯେ, ଆମ ଲୋକେ ପଇସା ଦେଇ ବହି ପଢ଼ିବା ପାଇଁ ଅନିଚ୍ଛୁକ । ତାର ଅନେକ ଅନ୍ୟ କାରଣ ଥାଇପାରେ । ହୁଏତ ବହିଟିର ନିଜର ଗୁଣ ନାହିଁ, ହୁଏତ ବହିଟି ଭଲ ପ୍ରକାଶନ ବା ବିଜ୍ଞାପନ ପାଇଲା ନାହିଁ । ହୁଏତ ବହିଟି ଲୋକପ୍ରିୟ ଭାବରେ ଲେଖା ହୋଇନାହିଁ ବା ହୁଏତ ବହିଟି ଆଧୁନିକ ଲୋକରୀତିର ବହୁ ଉପରେ । ଏସବୁର ଅନୁସନ୍ଧାନ କରିବାକୁ ହେବ । ଭଲ ଭଲ ବହିର ବିକ୍ରି ଯେପରି ହେବ, ତାର ଭାର ମୋର ପ୍ରସ୍ତାବଟି କୃଷ୍ଟିସଂଘ ନିର୍ବିକାର ଭାବରେ ନିଜ କାନ୍ଧକୁ ନେଇପାରେ ।
କିନ୍ତୁ ଏହା ଆମକୁ ସ୍ଵୀକାର କରିବାକୁ ହେବ ଯେ, ବର୍ତ୍ତମାନର ଓଡ଼ିଆ ସାହିତ୍ୟ, ଆମ ପ୍ରାଚୀନ ସାହିତ୍ୟ ଓ ଓଡ଼ିଆ ଭାଷାର ସ୍ଵତନ୍ତ୍ର ରୀତି ଠାରୁ ଏତେ ଅଲଗା ଯେ, ଆମର ‘ମାସ୍’ ତାକୁ ନିର୍ବିକାର ଭାବରେ ଗଳାଧଃକରଣ କରିବାର ଆଶା କରିବା ଆମର ଉଚିତ ନୁହେଁ । ହୁଏତ ଆମର ‘ମାସ୍’ ସମଗ୍ର ଭାବରେ ନୂତନ ରୀତିରେ ଶିକ୍ଷା ପ୍ରାପ୍ତ ହେଲା ପର୍ଯ୍ୟନ୍ତ ଆମକୁ ଅପେକ୍ଷା କରିବାକୁ ପଡ଼ିବ, ନଚେତ ଆମର କବି ଓ ଲେଖକମାନଙ୍କୁ ମାସ୍ ଗ୍ରହଣ କଲା ଭଳି ରୀତିରେ ନୂତନ ଭାବରାଜିକୁ ପରଖିବାକୁ ହେବ । ପ୍ରାଚୀନ ବଙ୍ଗଭାଷାର ମୌଳିକ ରୀତି ସବୁକୁ ବାହନ କରି ରବୀନ୍ଦ୍ରନାଥ ଯେପରି ଭାବରେ ବଙ୍ଗଭାଷାକୁ ନୂତନ ସୌନ୍ଦର୍ଯ୍ୟରେ ବିଭୂଷିତ କରିଛନ୍ତି, ତାହା ଓଡ଼ିଆ ଲେଖକମାନଙ୍କର ଆଦର୍ଶ ହେବା ଉଚିତ । ଓଡ଼ିଆ ଲୋକମାନେ ନିଜର ପୁରୁଣା ମାଟି ଉପରେ ଠିଆହୋଇ ସୃଷ୍ଟି କଲେ ତାଙ୍କ ସୃଷ୍ଟି ଜାତିର ମାଟିରେ ଚେର ଧରିବାର ବେଶି ଆଶା । ଆମ ସମସ୍ତଙ୍କ ମନେ ରଖିବା ଉଚିତ ଯେ , ସାହିତ୍ୟ ଏକ ବିଳାସ ନୁହେଁ — ଏହା ଏକ ସାଧନା । ମାନବ ସମାଜର ସେବା ଲାଗି ବିଧାତା କବି ହସ୍ତରେ ଭାଷାର ଯେଉଁ ବ୍ୟାପକ ଅସ୍ତ୍ର ଦେଇଛି, କବି ତାହାର ସଦବ୍ୟବହାର କରିବା ଉଚିତ । ବାଲ୍ମିକୀ, କାଳିଦାସ, ରବୀନ୍ଦ୍ରନାଥ, ତୁଳସୀ ଦାସ, କବୀର ପ୍ରଭୃତି ଭାରତର ଶ୍ରେଷ୍ଠ କବିଗଣ ଆମ ଆଗରେ ଏକ ମହାନ୍ ଆଦର୍ଶ ଥୋଇ ଯାଇଛନ୍ତି । ଆମ ଓଡ଼ିଆ ଭାଷାରେ ଜଗନ୍ନାଥ ଦାସ ଏହି ଆଦର୍ଶରେ ଅନୁପ୍ରାଣିତ ହୋଇ ଜାତିର କି କଲ୍ୟାଣ ସାଧନ କରିଛନ୍ତି, ତାହା ବୁଝେଇବାକୁ ହେବ ନାହିଁ । ବର୍ତ୍ତମାନର ଓଡ଼ିଆ ଲେଖକ ମାନଙ୍କୁ ମୋର ଅନୁରୋଧ, ସେମାନେ ସୁନ୍ଦରର ସୃଷ୍ଟି କଲାବେଳେ ସତ୍ୟ ଓ ଶିବକୁ ଯେପରି ନ ଭୁଲନ୍ତି ଏବଂ ସାହିତ୍ୟକୁ ଜାତିର କଲ୍ୟାଣ ପାଇଁ ଅସ୍ତ୍ର ରୂପେ ବ୍ୟବହାର କରନ୍ତି।