ଲେଖା: ଦେଵ ତ୍ରିପାଠୀ
ଆମ ରାଜ୍ୟର ସେ ଏପରି ଜଣେ ବରପୁତ୍ର, ଯିଏ ଭାରତୀୟ ପାର୍ଲ୍ୟାମେଣ୍ଟର ପିତା ରୂପେ ସମ୍ମାନିତ; ଦକ୍ଷ ଇଞ୍ଜିନିୟର ଭାବେ ସେ ଏକଦା ଥିଲେ ବ୍ରିଟିଶ ସରକାର ତଥା ନେହେରୁ ସରକାରଙ୍କ ଏକକ ବୈଷୟିକ ପରାମର୍ଶଦାତା; ଦେଶରକ୍ଷା ବିଭାଗର ପରାମର୍ଶଦାତା ଭାବେ ସେ ଆଣିପାରିଥିଲେ ଅଦ୍ଭୁତପୂର୍ବ ପରିବର୍ତ୍ତନ ।
ଇଲେକ୍ଟ୍ରିକାଲ ଇଞ୍ଜିନିୟରିଂରେ ସେ ଥିଲେ ତତ୍କାଳୀନ ଭାରତର ୩ଜଣ ପ୍ରସିଦ୍ଧ ଇଞ୍ଜିନିୟରଙ୍କ ମଧ୍ୟରୁ ଜଣେ । ସ୍ବାଧୀନ ଭାରତର ପ୍ରଗତି ଲକ୍ଷ୍ୟରେ ସେ ଆଙ୍କିଥିଲେ ଏକ ସୁଚିନ୍ତିତ ପ୍ରୋଗ୍ରେସିଭ ଇଞ୍ଜିନିୟରିଂ ପ୍ଲାନ୍ । ଦେଶରେ ବୈଦୁତିକ ସରବରାହ ଦିଗରେ ତାଙ୍କର ଥିଲା ଚିରସ୍ମରଣୀୟ ଅବଦାନ ।
ଲଣ୍ଡନ ଟ୍ରାମ୍’ରେ ବରିଷ୍ଠ ଯନ୍ତ୍ରୀର ଅଭିଜ୍ଞତାକୁ ନେଇ ସେ ମଧ୍ୟ ଆଣିଥିଲେ ପରିବର୍ତ୍ତନ ବମ୍ବେ ଟ୍ରାମ୍’ରେ । ସେ ଥିଲେ ଟାଟା ଏବଂ ବିରଳା ପରି ଶିଳ୍ପସଂସ୍ଥାଦ୍ଵୟର ବୈଷୟିକ ପରାମର୍ଶଦାତା ।
ସମ୍ବଲପୁର ଓ ପୁରୀ ସମେତ ବମ୍ବେ, ରାଜକୋଟ ଓ ଦେଶର କେତେ କେତେ ନଗରୀ ପାଇଁ ବିଦ୍ୟୁତଯୋଗାଣ ଯୋଜନା ଥିଲା ତାଙ୍କରି ଅବଦାନ । ସେ ମଧ୍ୟ ଥିଲେ ଆମ ମାଟିର ପ୍ରଥମ ବିଲାତପଢୁଆ ଇଞ୍ଜିନିୟର ।
ସେ ଇଞ୍ଜିନିୟର ଭୁବନାନନ୍ଦ ଦାସ । ବିଚକ୍ଷଣ ଓ ଆଦର୍ଶ ରାଜନୀତିଜ୍ଞ ଭାବରେ ଦୀର୍ଘ ୩୫ ବର୍ଷ କାଳ ଧରି ପାର୍ଲ୍ୟାମେଣ୍ଟରେ ଓଡିଶାରୁ ସଦସ୍ୟ ଥିଲେ ଏବଂ ବିଭିନ୍ନ କମିଟିର ଅଧ୍ୟକ୍ଷ ଥିଲେ । ସେ ମଧ୍ୟ ପାଇଥିଲେ ଲୋକସଭାର ପ୍ରଥମ ଓଡ଼ିଆ ବାଚସ୍ପତି ପଦ ଅଳଙ୍କୃତ କରିବାର ବିରଳ ସୁଯୋଗ ।
ସ୍ବତନ୍ତ୍ର ଉତ୍କଳ ପ୍ରଦେଶ ଗଠନ ତଥା ସୀମା ସଂକ୍ରାନ୍ତ ବ୍ୟାପାରରେ ତାଙ୍କର ଥିଲା ଗୁରୁତ୍ୱପୂର୍ଣ୍ଣ ଭୂମିକା ।
ଓଡ଼ିଆ ଓ ଇଂରାଜୀ ଭାଷାରେ ପାଣ୍ଡିତ୍ୟ ହାସଲ କରିଥିବା ଏହି ମହାନ ସମାଜସେବୀ ଭୁବନାନନ୍ଦ ଦାସ ସାପ୍ତାହିକ ଇଂରାଜୀ ପତ୍ରିକା ‘ୟଙ୍ଗ୍ ଉତ୍କଳ’ର ପ୍ରକାଶନ କରାଇଥିଲେ, ଏବଂ ଜନଜାଗରଣ କ୍ଷେତ୍ରରେ ଏ ପତ୍ରିକା ଗ୍ରହଣ କରିଥିଲା ଗୁରୁତ୍ୱପୂର୍ଣ୍ଣ ଭୂମିକା ।
ଦୁଃଖର କଥା ଯେ ପୁରୀ ଜିଲ୍ଲାର ଅଖ୍ୟାତପଲ୍ଲୀ କୁରୁଞ୍ଜିପୁର ଶାସନରୁ ଯାଇ ଜାତୀୟସ୍ତରରେ ଖ୍ୟାତିମାନ ହୋଇପାରିଥିବା ଏଇ ସାଧକଜଣଙ୍କୁ ନା ମିଳିଛି ସମ୍ବଲପୁର ଓ ପୁରୀବାସୀଙ୍କ ତରଫରୁ ସମ୍ମାନ ନା ପୁଞ୍ଜିପତି ଟାଟା ବିରଳା ଶିଳ୍ପଗୋଷ୍ଠୀ ତରଫରୁ କିଛି ଆଦର ! ତେବେ ବମ୍ବେ ନଗରୀର ମୁଖ୍ୟ ପ୍ରଶାସନିକ ଦପ୍ତରରେ ଦୀର୍ଘ ସମୟ ଧରି ରଙ୍ଗହୀନ ତୈଳଚିତ୍ରଟିଏ ସ୍ଥାନ ପାଇଆସୁଥିଲା, ଧୂଳିଧୂସରିତ ହୋଇ ।
ତାଙ୍କ ସମ୍ମାନାର୍ଥେ କଟକ ମହାନଗରରେ Bhubanannda Odisha School of Engineering (BOSE) ନାମରେ ବୈଷୟିକ ଶିକ୍ଷାନୁଷ୍ଠାନଟିଏ ସ୍ଥାପନ ହୋଇଛି ଅବଶ୍ୟ ।
ଏ ଜାତି ତାଙ୍କୁ ସମ୍ମାନୀତ କରିବାରେ ସେତେଟା କରି ନାହିଁ , ଯେତିକି ସମ୍ମାନ ସେ ପାଇବା କଥା । ବୋଷ ( BOSE ) ନାଁ ଟି ଦେଇ ଆମେ ଚୁପ୍ ଚାପ୍ ବସିଗଲେ ?