ଛିଣ୍ଡା ଛିଣ୍ଡା ମେଘର ପଲଟଣରେ ଭୋଦୁଅ ଆକାଶ ଭରି ରହିଛି I ଏଇ ଝରିବ ଝରିବ ହୋଇ ଭାସିଯାଏ ବଉଦର ବୋଇତ — ଆଉ କେଉଁ ମୁଲକରେ ତା’ର ବରଷଣ ମୂଲଚାଲ କରିବ I ତେବେ ଆମ ମୁଲକରେ ସିଏ ଫୁଟାଇଛି କାଶତଣ୍ଡୀ, ଗାଡ଼ିଆରେ ନୀଳକଇଁ, ଅରଣ୍ୟରେ ଶ୍ୟାମଳ ଢେଉ, ପବନରେ ଦେଇଛି ଭରି ଶେଫାଳିର ସ୍ନିଗ୍ଧ ସୁରଭି I ମାତୃତ୍ୱ ରସରେ ଏବେ ସାରା ବସୁଧା ଭରପୁର, ମହୁମାଛିଙ୍କ ଭୋକର ଦିନ ସରି ଆସିଛି I ପ୍ରଜାପତିରୁ ପକ୍ଷୀଯାଏଁ ଶାବକମନସ୍କ ସଭିଏଁ I ଏଇ ବେଳାରେ ମା’ଟିଏ ତା’ର ସନ୍ତାନ ପାଇଁ ଶୁଭ ମନାସେ ବୁଧେଇ ଓଷା ପାଳି I ପବିତ୍ର ଗୋମୟରେ ଲିପା ହୋଇ, ପଂଚବର୍ଣ୍ଣ ମୁରୁଜ (ଧଳା, ଗୈରିକ, ହଳଦିଆ, ସବୁଜ ଓ ଲାଲ)ରେ ଗାଁ ଦାଣ୍ଡରେ କୋଠି କଟାହୁଏ, ପଞ୍ଚରଙ୍ଗ ପୁଷ୍ପ, ପାଞ୍ଚପ୍ରକାର ଫଳର ନୈବେଦ୍ୟ ବାଢି ପାଂଚ ପାଳି ଧରି ସଧବାମାନେ ବୁଧିବାମନ ପୂଜନ୍ତି I ପଞ୍ଚଘିଅ ଦୀପରେ ବନ୍ଦାପନା, ବରକୋଳି ପତ୍ରରେ ପାଞ୍ଚଦୁବ ଓ ପାଞ୍ଚ ଅକ୍ଷତ ଦେଇ ବ୍ରତ ଧାରଣ କରିବା ଏଇ ବୁଧେଇ ଓଷାର ଅନ୍ୟତମ ବୈଶିଷ୍ଟ୍ୟ I
ବୁଧେଇ ହେଉଛନ୍ତି ବିମଳାଙ୍କ ଶକ୍ତି-ସମ୍ଭୁତା ଏକ ଉପଦେବୀ I ଶ୍ରୀମନ୍ଦିର ବାହାରେ ବିମଳାଙ୍କ ପୂଜାର୍ଚ୍ଚନା ନ ଥାଏ I ସେ ତନ୍ତ୍ରର ଦେବୀ, ମହାଷ୍ଟମୀ ତିଥିରେ ଅର୍ଦ୍ଧରାତ୍ରରେ ତାଙ୍କ ନିକଟରେ ଛାଗବଳି ପଡ଼େ ଏବଂ ଶ୍ରୀଜଗନ୍ନାଥଙ୍କ ପ୍ରସାଦ ମା’ ବିମଳାଙ୍କୁ ଅର୍ପଣ ହେଲାପରେ ପାଲଟେ ମହାପ୍ରସାଦ I ବୌଦ୍ଧତନ୍ତ୍ରରେ ବର୍ଣ୍ଣିତ ଅଛି,
“ବିମଳା ଭୈରବୀ ଯତ୍ର ଜଗନ୍ନାଥସ୍ତୁ ଭୈରବଃ” I
ସମ୍ଭବତଃ ବିମଳାଙ୍କୁ ବୁଧେଇ ଓ ଶ୍ରାଜଗନ୍ନାଥଙ୍କୁ ବୁଧିବାମନ ରୂପେ ଆରାଧନା କରିବା ପ୍ରଥା ବହୁ ପୂର୍ବରୁ ପ୍ରଚଳିତ I ଶ୍ରୀଜଗନ୍ନାଥ ହିଁ ବୁଧିବାମନ ଏବଂ ‘ବୁଧେଇ ଓଷା’ ଓ ‘ବୁଧିବାମନ ଓଷା’ ନାମରେ ଦୁଇ ପ୍ରକାରର ଓଷା ପ୍ରଚଳିତ I
ଚିତ୍ର: ସାମାଜିକ ଗଣମାଧ୍ୟମ