ବାରବାଟୀ

ଲେଖା: ଦେଵ ତ୍ରିପାଠୀ
୧୮୦୩ ମସିହା, ସେପ୍ଟେମ୍ବର ୮ ତାରିଖ ।
ଗଞ୍ଜାମ ମାଟିରୁ ଏକ ବିଶାଳ ସୈନ୍ୟବାହିନୀ ପ୍ରସ୍ତୁତ ହେଉଥିଲେ ଏକ ବହୁପ୍ରତୀକ୍ଷିତ ଯୁଦ୍ଧାଭିଯାନ ପାଇଁ ! ବ୍ରିଟିଶ ସେନାର #କର୍ଣ୍ଣେଲ_ହାରକୋଟ୍ ଙ୍କ ନେତୃତ୍ବରେ ! 
ଆଜି କର୍ଣ୍ଣେଲଙ୍କ ମନ ଉଚ୍ଚାଟ ! ଦୀର୍ଘ ଦିନର ଇପ୍ସିତ ଏ ଯାତ୍ରା ! ଏ ଅଭିଯାନ ! ଏ ସମରାଭିଯାନ ଗୋଟିଏ ବିଶାଳ ଜାତିର #ସ୍ବାଭିମାନର_ହତ୍ୟା ପାଇଁ ! #ଆତ୍ମିକ_ଦହନ ପାଇଁ !
ମନେ ମନେ କୁରୁଳି ଉଠୁଥିଲେ କର୍ଣ୍ଣେଲ ! ଉତ୍କଳ ଭୂଖଣ୍ଡର ଭାଗ୍ୟଶ୍ରୀକୁ ହରଣ କରିବେ ସେ !
ସେ ଜିଣିବେ ଓଡ଼ିଆ ଜାତିର ପ୍ରଧାନ ରଙ୍ଗସ୍ଥଳୀକୁ !
ସେଇ ରଙ୍ଗସ୍ଥଳୀ – ଯାହାରି କୋଳରେ ଆଶ୍ରିତ ପ୍ରତିପାଳିତ ହୋଇ ଏ ଜାତିର ଟେକ ରଖିଛନ୍ତି କେତେ କେତେ ନରପତି !
ଉତ୍କଳକୁ ବହିଃଶତ୍ରୁ ଆକ୍ରମଣରୁ ସୁରକ୍ଷା ଦେଇଆସିଛି, ଦୀର୍ଘ କାଳ ଧରି !
ଭାରତବର୍ଷର ଅନ୍ୟାନ୍ୟ ଭୂଖଣ୍ଡ ଆଫଗାନ/ମୋଗଲଙ୍କ ଅତ୍ୟାଚାରରେ ତ୍ରାହି ତ୍ରାହି ଡାକୁଥିଲା ବେଳେ, ଉତ୍କଳ ଭୂଖଣ୍ଡରେ ସ୍ବାଧୀନତାର ଗୌରବଧ୍ୱଜା ଉଡ଼ାଇ ଚାଲିଥିଲା ଯେଉଁ ସ୍ଥଳୀ !
ଉତ୍କଳ ଆକାଶର ଯିଏ ଥିଲା ଧ୍ରୂବତାରା !
ଉତ୍କଳୀୟ ନରପତିମାନଙ୍କର ଅମୂଲ୍ୟ ସମ୍ପଦ, ପରମ ଶାନ୍ତିସ୍ଥଳ, ସର୍ପମଣି ତୂଲ୍ୟ ! ସ୍ବର୍ଗର ପାରିଜାତସମ !
ବୀରଯୋଦ୍ଧୃମାନଙ୍କର ପରମ ଆବେଗମୟ ପୀଠ ! ଯାହାକୁ ମାନସଚକ୍ଷୁରେ ରଖି, ଯାହାକୁ ଦେବତୂଲ୍ୟ ମଣି ଉତ୍କଳୀୟ ଯୋଦ୍ଧାଗଣ ଲଙ୍ଘୁଥିଲେ ସମରସାଗର !
ଓଡ଼ିଶା ଇତିହାସର ଅସୁମାରୀ ସମ୍ପଦ, ବିପଦ, ସନ୍ଧିବିଗ୍ରହର ଜୀବନ୍ତ ସାକ୍ଷୀପ୍ରାୟ ଦଣ୍ଡାୟମାନ ସେଇ ଭବ୍ୟ, ସୁବିଶାଳ, ସୁଶୋଭିତ, #ବୀରରକ୍ତସିକ୍ତ #ବାରବାଟୀ ! “ଭୂକାନ୍ତ କଟକମ୍ କଟକ ନଗରୀମ୍”ର ବକ୍ଷଦେଶରେ !
ଦିନ ଥିଲା, ସେଇ ବାରବାଟୀ ଦୁର୍ଗର ବିଭବ ବେଳାରେ, ଅଦମ୍ୟ ଶକ୍ତି ଲୋକୋତ୍ତର ଗୁଣସମ୍ବଳିତ ଓଡ଼ିଆ ଗଜପତିମାନଙ୍କ ଶାସନ କାଳରେ, ଏ ଭୂଖଣ୍ଡର ପୁର, ପଲ୍ଲୀ, ପର୍ବତ, ପ୍ରାନ୍ତର ଅବା ଅରଣ୍ୟ ତେଜସ୍ଵୀ ସେନା ଓ ସୁଦୃଢ଼ ଦୁର୍ଗମାଳାରେ ପରିପୂର୍ଣ୍ଣ ଥିଲା !
#ଗଜପତି ଯେପରି #ନବକୋଟି_କର୍ଣ୍ଣାଟ_କଳବର୍ଗ ର ଅଧୀଶ୍ଵର ଥିଲେ, ଏଇ ବାରବାଟୀ ସେପରି #ଅସଂଖ୍ୟ_ଦୁର୍ଗର_ଶିରୋଭୂଷଣ ଥିଲା ! ସେ ସମସ୍ତ ଦୁର୍ଗରୁ ବାରବାଟୀର ସ୍ବାଧୀନତା ଶକ୍ତି ବିକୀର୍ଣ୍ଣ ହେଉଥିଲା, ଗଙ୍ଗାଠାରୁ କୁମାରୀକା ପର୍ଯ୍ୟନ୍ତ ସମୁଦାୟ ଭୂଖଣ୍ଡ ଯୁଦ୍ଧପ୍ରିୟ ଓଡ଼ିଆ ବୀରଙ୍କ କ୍ରୀଡ଼ାସ୍ଥଳୀ ଥିଲା ଏବଂ ପ୍ରାୟ ସମଗ୍ର ଭାରତବର୍ଷ ଅନୁଭବ କରୁଥିଲେ ଓଡ଼ିଆଙ୍କ ଶକ୍ତି ଓ ସାମର୍ଥ୍ୟ !
ସେଇ ଅଭେଦ୍ୟ ବାରବାଟୀ ହିଁ ଉତ୍କଳ, #ଉତ୍କଳ_ହିଁ_ବାରବାଟୀ, ଏକଥା ହୃଦୟଙ୍ଗମ କରିଥିଲେ କର୍ଣ୍ଣେଲ ! ଚିଲିକା ଓ ସମୁଦ୍ରପଥରେ ମାଣିକପାଟଣା, ନରସିଂହପାଟଣା ଦେଇ ପୁରୀରେ ପହଞ୍ଚିଥିଲେ ହାରକୋଟ୍ ବାହିନୀ ! ବ୍ରିଟିଶବାହିନୀ ପରି ମରାଠାମାନେ ଯେ ବାରବାଟୀ ପ୍ରତି ମୋହାସକ୍ତ ଏକଥାକୁ ବିଚକ୍ଷଣ କର୍ଣ୍ଣେଲ ଧ୍ୟାନ ଦେଇ ପ୍ରସ୍ତୁତ ହୋଇଥିଲେ ! ଅକ୍ଟୋବର ୪ ତାରିଖରେ ମୁଷ୍ଟିମେୟ ମରାଠାସୈନ୍ୟଙ୍କୁ ପରାଜିତ କରି ଆଗେଇ ଚାଲିଲେ ସେ !
ମରାଠାମାନେ ଯେ ସହଜରେ ହଟିବେ ନାହିଁ ସେ ଆଶଙ୍କା ଥିଲା ବ୍ରିଟିଶ ବାହିନୀର । ମାତ୍ର କାଠଯୋଡ଼ିର ଅପର ପାର୍ଶ୍ଵରେ ହାରକୋଟ୍’ଙ୍କର ବିଶାଳ ସେନାପଟୁଆର ଦେଖି #ଲାଲବାଗ_କୋଠି ର ମରହଟ୍ଟା କର୍ମଚାରୀ ଆତ୍ମଗୋପନ କଲେ ବାରବାଟୀ ଦୁର୍ଗରେ ! କଟକର ସାଧାରଣ ଜନତା ଭୀତତ୍ରସ୍ତ ହେଲାବେଳକୁ ଧନୀକ, ସାମନ୍ତଶ୍ରେଣୀୟ ଲୋକେ ସହର ଛାଡ଼ି ଟାଙ୍ଗୀ ଚୌଦ୍ବାର ଆଡ଼କୁ ପଳାୟନ କଲେ !
ଅକ୍ଟୋବର ୮ ତାରିଖ । ମରାଠାମାନଙ୍କୁ ଦୁର୍ବଳ ଭାବି ନ ଥିଲା ବ୍ରିଟିଶବାହିନୀ ! ଉତ୍କଳ ମାଟିର #ବୀରତ୍ୱ_ତଥା_ପ୍ରଶାସନିକ_ଶକ୍ତିର_ପ୍ରତୀକ ବାରବାଟୀକୁ ଅକ୍ତିଆର କରିଥିବା ଜାତିର ସମ୍ମୁଖ ଯୁଦ୍ଧ ପାଇଁ ପ୍ରସ୍ତୁତ ହେଲେ କର୍ଣ୍ଣେଲ ଓ ତାଙ୍କର ବିଶାଳବାହିନୀ ! ବିପୁଳ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର, ତୋପଗୋଳା ଇତ୍ୟାଦିରେ ସଜିଲ ହେଲେ ସେନା ! ବିଚକ୍ଷଣ କର୍ଣ୍ଣେଲ ଅବଶ୍ୟ ପରଖି ନେଇଥିଲେ ବାରବାଟୀର ବିଶାଳତାକୁ ! ୨୦ରୁ ୩୦ ପାହୁଣ୍ଡ ପ୍ରସ୍ଥର ବିଶାଳ ପ୍ରସ୍ତରପ୍ରାକାର ବେଷ୍ଟିତ ଆଠଗୋଟି ସୁଉଚ୍ଚ ଅଟ୍ଟାଳିକା ଦ୍ଵାରା ସୁରକ୍ଷିତ ବାରବାଟୀ ! ସେଇ ବାରବାଟୀକୁ କବଳିତ କରିବାର ଅଭୀପ୍ସାରେ କର୍ଣ୍ଣେଲଙ୍କ ଯୁଦ୍ଧ ପ୍ରସ୍ତୁତି ଥିଲା ଦୀର୍ଘ ସାତ ଦିନର !
ଅକ୍ଟୋବର ୧୪ ତାରିଖ । ବ୍ରିଟିଶବାହିନୀର ସାମରିକ ଶକ୍ତି ଅବଲୋକନରେ ମାନସିକ ସ୍ତରରେ ହାରିସାରିଥିଲେ ମରାଠାସୈନ୍ୟ ! ସକାଳ ୧୦ ଘଣ୍ଟା ସମୟ ବେଳକୁ ମରାଠା ଅବରୋଧକାରୀଗଣ ଲୁଚି ରହିଥିବା ଗହ୍ୱରଗୁଡ଼ିକ ମଧ୍ୟ ଦେଇ ଅଚିରେ ଦୁର୍ଗ ଭିତରକୁ ପ୍ରବେଶ କଲେ ହାରକୋଟ୍’ଙ୍କ ସେନା ! ଆତ୍ମସମର୍ପଣର ସୁଯୋଗ ପାଇ ନ ଥିଲେ ମରାଠାସୈନ୍ୟ ! ପ୍ରାଚୀର ଉପରୁ ଲମ୍ଫ ଦେଇ ଅବା ଅନ୍ୟ ବାଟରେ ପଳାୟନ କଲାବେଳକୁ ପଶ୍ଚାତଧାବନ ପୂର୍ବକ ସେମାନଙ୍କୁ ହତ୍ୟା କରି ଚାଲିଥିଲେ ବ୍ରିଟିଶ ସେନା ! କୁହାଯାଏ ଆତ୍ମରକ୍ଷାର ତିଳେମାତ୍ର ସୁଯୋଗ ନ ପାଇ ହତ ହୋଇଥିବା ୩୦୦ରୁ ଉର୍ଦ୍ଧ୍ବ ମୃତଦେହ ବଳଦଗାଡ଼ିରେ ଲଦା ହୋଇ ବନ୍ୟଜୀବଙ୍କ ଆହାର ନିମନ୍ତେ ନଦୀ ମଧ୍ୟରେ ନିକ୍ଷିପ୍ତ ହେଇଥିଲା !
ଉତ୍କଳର ‘ପୂର୍ବକୀର୍ତ୍ତିସ୍ମୃତି-ପୂତ-ବାରବାଟୀ’ର ଗୌରବାବହ ଗାଥା ତଥା ଐତିହାସିକମାନଙ୍କ ବିବରଣୀରେ ପଢ଼ିଥିଲେ ହାରକୋଟ୍ ! ମନେ ପକାଉଥିଲେ #ବ୍ରୁଟନ ଙ୍କ ସେଇ କଥାପଦିକ, So Large in Extent and so Magnificent in Structure . . ! ସେତୁର ସାହାଯ୍ୟ ନ ନେଇ ଦୁର୍ଗକୁ ପ୍ରବେଶ କରିବା ଥିଲା ଅସମ୍ଭବ ! ସମ୍ପୂର୍ଣ୍ଣ ଦୁର୍ଗକୁ ଅକ୍ତିଆର କରିବା ପୂର୍ବରୁ ତିନୋଟି ବିଶାଳ ଫାଟକ ଅତିକ୍ରମ କରିବାକୁ ପଡ଼ିଥିଲା ବ୍ରିଟିଶ ସେନାକୁ ! ଓସାରିଆ ଓ ଗଭୀର ଗଡ଼ଖାଇରୁ ଶତାଧିକ କୁମ୍ଭୀରଙ୍କୁ ମାରି ଦିଆଗଲା କିମ୍ବା ମହାନଦୀରେ ଛାଡ଼ି ଦିଆଗଲା !
ମରାଠାମାନଙ୍କ ହାତରୁ ଅଚିରେ ଛଡ଼ାଇ ନେଇଥିଲେ ମଧ୍ୟ ସମ୍ପୂର୍ଣ୍ଣ ଦୁର୍ଗକୁ ଆୟତ୍ତ କରିବାକୁ ପାଞ୍ଚଦିନ ସମୟ ଲାଗିଗଲା ବ୍ରିଟିଶ ସେନାକୁ ! ଶେଷକୁ ଗଡ଼ ଜିତିଲେ କର୍ଣ୍ଣେଲ ହାରକୋଟ୍ ! ଅକ୍ଟୋବର ୧୯ ତାରିଖରେ ସେଇ କଳଙ୍କିତ ସନ୍ଧ୍ୟାରେ ୧୩୦୦ ବର୍ଗ ମାଇଲ୍ କ୍ଷେତ୍ରବିଶିଷ୍ଟ ତଥା ୩୦ ଲକ୍ଷ ଲୋକାଧିବାସ ପ୍ରସିଦ୍ଧ ଉତ୍କଳଭୂମି ଅନ୍ତର୍ଭୁକ୍ତ ହେଲା ବ୍ରିଟିଶ ରାଜତ୍ଵର !
ଧନ୍ୟ ତୁମେ ହାରକୋଟ୍ ! ଏ ମାଟିର ଯେଉଁ ସର୍ବଶ୍ରେଷ୍ଠ ଅମୂଲ୍ୟ ସମ୍ପଦ ପ୍ରବଳ ପ୍ରତାପୀ ମୋଗଲମାନଙ୍କୁ ସ୍ତମ୍ଭିତ କରିଥିଲା, ଯାହା ପ୍ରଭାବରେ ଉତ୍କଳ ହୋଇପାରିଥିଲା #ଭାରତବର୍ଷର_ଅଦ୍ୱିତୀୟ_ପ୍ରଦେଶ; ସେଇ ପାରିଜାତସମ ସମ୍ପଦକୁ ହାତେଇପାରିଲ ତୁମେ !
କାହିଁକି ତୁମେ ଚୂର୍ଣ୍ଣ କଲ ଏ #ବୀରମାଟି ବାରବାଟୀର ଦର୍ପ ?
କାହିଁକି ସୁପ୍ତ ସିଂହର ଦ୍ୱାରଦେଶରେ ଗର୍ଜି ଉଠିଲା ତୁମ ତୋପର କ୍ରୋଧ ?
କେତେ ଦିନର କ୍ରୋଧ ଥିଲା ତୁମ ବ୍ରିଟିଶ ଜାତିର, ଏ ଓଡ଼ିଆ ଜାତି ଉପରେ ? ଓଡ଼ିଆଙ୍କ #ନୌବାଣିଜ୍ୟ ଦିନର ?
ବେପାର ଦସ୍ୟୁମାନଙ୍କୁ ପରାଜିତ କରିଥିବା #ଅନଙ୍ଗଭୀମ_ଦେବଙ୍କ ପରାକ୍ରମର ପ୍ରତିବାଦ ଓ ପ୍ରତିଶୋଧ ନେଲ ତୁମେ ? ଏତେ ଶତାବ୍ଦୀ ପରେ ?
ଦୀର୍ଘ ଦୁଇ ଦଶନ୍ଧିର ଅଭିଜ୍ଞତା ତଥା ଐତିହାସିକ ବିବରଣୀ ଆଦିରୁ ବ୍ରିଟିଶ ସରକାର ଠଉରାଇ ନେଇଥିଲେ – ପ୍ରାଚୀନ ବାରବାଟୀ ଦୁର୍ଗର ପ୍ରାଚୀନତା ଯେ ଓଡ଼ିଆ ଜାତିର ଭବିଷ୍ୟତରେ ଆଦର୍ଶ ହୋଇ ପାରେ; ସେଇ ଆଦର୍ଶକୁ ପରମ ସମ୍ବଳ ମନେ କରି ଜାତୀୟ ହୃଦୟରେ ଆକାଙ୍କ୍ଷା ଜନ୍ମିପାରେ ! ସେଇ ସ୍ମୃତିବିଜଡ଼ିତ ଦୁର୍ଗର ପଥରଖଣ୍ଡଗୁଡ଼ିକ ଓଡ଼ିଆ ଜାତୀୟ ଜୀବନପ୍ରାସାଦର ଭିତ୍ତି ହୋଇପାରେ !
ତାକୁ ଯଦି ଓଡ଼ିଆ ଜାତିର ପାଦଦଳନର ସାମଗ୍ରୀ କରିଦିଆଯାଏ ?
ଓଡ଼ିଆ ଜାତି ଯେ ଡାକ୍ତରଖାନା ବିନା ରୋଗରେ ପ୍ରାଣ ତ୍ୟାଗିପାରେ ! ରାସ୍ତା ବିହୁନେ ପଥକ୍ଳେଶ ସହିପାରେ ! ମାତ୍ର‌ ପ୍ରତ୍ନସ୍ମୃତି ଓ ପରମ୍ପରାର ଉଦବୋଧନ ବିନା ହତହେବ ତା’ର ଜାତୀୟ ଜୀବନ !
ଓଡ଼ିଆଙ୍କ ଜାତୀୟ ଜୀବନକୁ ତିଳ ତିଳ କରି ହତ୍ୟା କରିଚାଲିଲେ ବ୍ରିଟିଶ ସରକାର ! ବାରବାଟୀ ଦୁର୍ଗର ପଥରଗୁଡ଼ିକୁ ସହରର ରାସ୍ତା ନିର୍ମାଣ, କାଠଯୋଡ଼ି ବନ୍ଧ ମରାମତି ଅବା ଡାକ୍ତରଖାନା ନିର୍ମାଣରେ ଲଗାଇ ! ସେ ହତ୍ୟାକାଣ୍ଡର ଯୋଜନାରେ ଜଡ଼ିତ ଥିଲେ କଟକର ତତ୍କାଳୀନ କମିଶନର Thomas Packenham ତଥା G. Becher, J.A.Sulej, Captain Harris, Er. John Macmillan, Er. G. Stockwell, Col. H. Gladwin ପ୍ରମୁଖ !
ଚିତ୍ର: Deba Prasad Swain, Prashant Sahu, livehistoryindia.com, Deepak Kumar Nayak, Cuttack Heritage Walks Divyadarshini Panda,

Leave a Comment

Your email address will not be published. Required fields are marked *

Scroll to Top