ଲେଖା: ଦେଵ ତ୍ରିପାଠୀ
“ଉଠ, ଉଠ, ଉଠ !
ପରିହରି ମୋହ ନିଦ୍ରା ଆସ କରି ରଣ
ଉତ୍କଳ ତିମିର ସଙ୍ଗେ ହୋଇ ସ୍ଥିର ମନ ।”
ଏ ଥିଲା ଏକ ବଜ୍ରନିର୍ଘୋଷ ଜଣେ ୧୯- ବର୍ଷୀୟ ତରୁଣର !
ଅନ୍ୟାୟ ବିରୁଦ୍ଧରେ!
ଅସତ୍ୟ ବିରୁଦ୍ଧରେ !
ଅତ୍ୟାଚାରୀ ବ୍ରିଟିଶ ସରକାର ବିରୁଦ୍ଧରେ !
ଭ୍ରଷ୍ଟାଚାରୀ ସରକାରୀ କଳ ବିରୁଦ୍ଧରେ !
ଓଡ଼ିଆ ଭାଷାମାରଣ ନୀତି ବିରୁଦ୍ଧରେ!
ଓଡ଼ିଆ ଭାଷା ବିଲୋପ ପାଇଁ ସଦାଚେଷ୍ଟିତ ଧୂର୍ତ୍ତ, ହୀନମନା ବଙ୍ଗାଳୀଙ୍କ ବିରୁଦ୍ଧରେ !
୧୮୭୦ ମସିହାରେ ସ୍ବପ୍ରତିଷ୍ଠିତ ହାତଲେଖା ପାକ୍ଷିକ ପତ୍ରିକା #ଉତ୍କଳପୁତ୍ର ପୃଷ୍ଠାରେ ତରୁଣର ଏଇ ଜାଗରଣର ବାର୍ତ୍ତା ବିହ୍ଵଳିତ, ସ୍ତମ୍ଭୀଭୂତ କରିଦେଇଥିଲା #ଉତ୍କଳପ୍ରାଣ #ଗୌରୀଶଙ୍କର_ରାୟଙ୍କ ସମେତ କଟକର ସହସ୍ରାଧିକ ବୁଦ୍ଧିଜୀବୀଙ୍କୁ !
ଅସାଧାରଣ ବ୍ୟକ୍ତିତ୍ଵର ଅଧିକାରୀ ତରୁଣ ଜଣକର ଭାଷା ଥିଲା ଶାଣିତ, ତୀବ୍ର, ସତ୍ୟ ଉପରେ ଆଧାରିତ । ସମାଜର ହିତାର୍ଥେ ଉତ୍କଳପୁତ୍ର ଥିଲା #ଜାତୀୟ_ଜାଗରଣର_ବାର୍ତ୍ତାବହ, ଜାତିସ୍ଵାର୍ଥର ଜାଗ୍ରତ ପ୍ରହରୀ, କେବଳ କଟକ ପାଇଁ ପ୍ରତିବାଦ ନୁହେଁ, ବରଂ ଓଡ଼ିଆ ଜାତି ପାଇଁ #ନବଜାଗରଣର_ପ୍ରଥମ_ଓଁକାର ।
ଜାତି ପାଇଁ ସ୍ଵାର୍ଥତ୍ୟାଗ, ସମାଜର ଉନ୍ନତି ପାଇଁ ଆଶା, ଦୁସ୍ଥ ପାଇଁ ସମବେଦନା, ଅସତ୍ୟ ବିରୁଦ୍ଧରେ ସଂଗ୍ରାମର ସଂକଳ୍ପ ନେଇ ଆଗେଇ ଚାଲିଥିଲା ତରୁଣ ! ବ୍ରିଟିଶ ସରକାର ଅଧୀନରେ ଚାକିରୀ କରିବ ନାହିଁ ବୋଲି ଦିନେ ପାଦରେ ଆଡ଼େଇ ଦେଲା ଡେପୁଟି ମାଜିଷ୍ଟ୍ରେଟ ପଦବୀ !
ଜୀବନର ଲକ୍ଷ୍ୟ ଥିଲା ଅଲଗା !
#ବକ୍ସିବଜାରର କୃପାନିଧି ସାହୁଙ୍କର ଏକ ପାଠଶାଳା । ଅସୀମ ଧୈର୍ଯ୍ୟ ଓ ମନୋବଳ ନେଇ ପହଞ୍ଚିଲା ସେଠାରେ ସେଇ ଯୁବକ । ଏହି ପାଠଶାଳାକୁ ସୁନ୍ଦର ଓ ବଡ଼ କରିବାକୁ ହେବ । ଯୋଜନା ପ୍ରସ୍ତୁତ ହୋଇସାରିଥିଲା, ଏବେ କାର୍ଯ୍ୟ ଆରମ୍ଭ ହେଲା। ଶିକ୍ଷାଦାନ ହେଲା ସମ୍ପୂର୍ଣ୍ଣ ରୂପେ ଭିନ୍ନ । ଆକର୍ଷିତ ହେଲେ ବହୁ ଅଭିଭାବକ । ସେ ଯୁବକ ହେଲେ ପ୍ରଧାନଶିକ୍ଷକ, #ପଣ୍ଡିତ_ଗୋବିନ୍ଦ_ରଥ (ଓଡ଼ିଶାର ସ୍ଵନାମଧନ୍ୟ କବି, ଲେଖକ, ପ୍ରକାଶକ, ସଂଗ୍ରାମୀ ଓ ଦେଶପ୍ରେମୀ) ହେଲେ ସହକାରୀ ଶିକ୍ଷକ ।
୧୮୭୫ରେ ସେଇ ପାଠଶାଳା ଉନ୍ନୀତ ହେଲା ମଧ୍ୟ ଇଂରାଜୀ ବିଦ୍ୟାଳୟକୁ, ୧୮୭୯ରେ ହାଇସ୍କୁଲ, ନାମିତ ହେଲା #କଟକ #ଏକାଡେମୀ ଭାବେ । ଭାରତବର୍ଷର ବିଶିଷ୍ଟ ବିପ୍ଳବୀ, ଶିକ୍ଷାବିତ୍, ସଂଗ୍ରାମୀ #ବିପିନଚନ୍ଦ୍ର_ପାଲ୍ ( ଲାଲ୍-ବାଲ୍-ପାଲ୍ ) ଯୋଗ ଦେଲେ ସ୍ଵେଛାରେ ପ୍ରଧାନଶିକ୍ଷକ ଭାବେ ।
ଏହି ୨୮ ବର୍ଷୀୟ ଯୁବକର ଖ୍ୟାତି ସେତେବେଳେ କ’ଣ ଭାରତବର୍ଷରେ ! ବିପିନଚନ୍ଦ୍ର ପାଲ୍’ଙ୍କ ପରି ଜନନାୟକ ଏହି ଯୁବକର ପ୍ରତିଷ୍ଠିତ ସ୍କୁଲରେ ଶିକ୍ଷକ !
ପାଠଶାଳାଟିକୁ ଚଳାଇବା ପାଇଁ କେତେ କଷ୍ଟ ନ ସହିଛି ସେଇ ୨୮ ବର୍ଷର ଯୁବକଟି !
ଛାତ୍ରଦତ୍ତ ପଇସାରେ ବିଦ୍ୟାଳୟ ଚଳେଇବା କଷ୍ଟକର ହେଲା । ଏପଟେ ଷଡ଼ଯନ୍ତ୍ର ଓ ଅର୍ଥାଭାବରୁ ଉତ୍କଳପୁତ୍ର ବନ୍ଦ ହେବା ପାଇଁ ବସୁଥିଲା । ତେଣୁ ବିଦ୍ୟାଳୟ ଚଳେଇବାକୁ ସେଇ ଯୁବକ ଚାକିରୀ ଆରମ୍ଭ କଲା #ଡମପଡ଼ା ରାଜାଙ୍କ ପାଖରେ ମାସିକ ପଚାଶ ଟଙ୍କା ବେତନରେ । ସେହି ଉପାର୍ଜିତ ଦରମା ବିଦ୍ୟାଳୟ ପାଇଁ ପ୍ରତି ମାସରେ ଖର୍ଚ୍ଚ ହେଉଥିଲା ।
ଡମପଡ଼ା ରାଜା #ରଘୁନାଥ_ମାନସିଂହ ଥିଲେ ଗୁଣଗ୍ରାହୀ । ପ୍ରଥମ ପୃଷ୍ଠପୋଷକ ହୋଇଗଲେ ସେ, କଟକ ଏକାଡେମୀର । ବିଦ୍ୟାଳୟର ସୁନାମ ବ୍ୟାପିଲା । ଅଧିକରୁ ଅଧିକ ଜନସମର୍ଥନ ମିଳିଲା ସହ ଛାତ୍ରସଂଖ୍ୟା ବୃଦ୍ଧି ପାଇଲା । ଏଠାକାର ଶିକ୍ଷାଦାନ ଆକୃଷ୍ଟ କଲା ବହୁ ସଂଖ୍ୟାରେ ଛାତ୍ରଙ୍କୁ ।
କେତେ ତ୍ୟାଗ ଓ ବଳିଦାନରେ ପୁଷ୍ଟ କଟକ ଏକାଡେମୀ ସେଇ ପ୍ରଜ୍ଞାପୁରୁଷ ପ୍ୟାରୀମୋହନ ଆଚାର୍ଯ୍ୟଙ୍କ ନାମରେ ନାମିତ ହେଲା ! ପ୍ୟାରୀମୋହନ ଏକାଡେମୀ ଭାବେ !
ଜନସାଧାରଣଙ୍କ ସେବା, ଜାତିର ଉନ୍ନତି, ସ୍ଵାର୍ଥରକ୍ଷା, #ଭାଷାସୁରକ୍ଷା, ଭାଷା ଭିତ୍ତିକ ସ୍ବତନ୍ତ୍ର ଓଡ଼ିଶା ଗଠନ, ଓଡ଼ିଶାର ଶିକ୍ଷାନୁଷ୍ଠାନ ଗୁଡିକରେ ଓଡ଼ିଆ ପ୍ରଚଳନ, ଅସତ୍ୟ ବିରୁଦ୍ଧରେ ସଂଗ୍ରାମ, ଶିଥିଳ ଓଡ଼ିଆ ପ୍ରାଣରେ ସଞ୍ଜିବନୀ ସିଞ୍ଚନ, ଅନ୍ୟାୟ ପୁରୋଭାଗରେ ସ୍ଫୁଲିଙ୍ଗ, ଉତ୍କଳ ତାମସ ଗଗନେ ଉଲକାସମ ପ୍ରତୀୟମାନ, ଶାଶ୍ଵତ ମଙ୍ଗଳ ପ୍ରଶାନ୍ତ ବ୍ୟକ୍ତିତ୍ଵ #ପ୍ୟାରୀମୋହନ_ଆଚାର୍ଯ୍ୟ ଥିଲେ ଏ ଜାତିର ଦୁର୍ଗପ୍ରାଚୀର । ସେଇଥିପାଇଁ ତ
“ତେଣୁ ଆଜି ଶତବର୍ଷ ପରେ
ସତ୍ୟର ସନ୍ଧାନୀ ଦେଶଭକ୍ତ ସେହି,
ଅଗ୍ରଦୂତ ବିପ୍ଳବୀର ପଦେ
ପ୍ରଣତି ମୋ ଢାଳେ ଭକ୍ତି ଭରେ ।”
ସମଗ୍ର ଓଡ଼ିଶାରେ ବାସ ଚହଟାଇବା ସହ ଜାତିର ଇତିହାସ ଲେଖିବା ପାଇଁ ଯେମିତି ସେ ଥିଲେ ଇଶ୍ଵରପ୍ରେରିତ । ମାତ୍ର ୩୦ ବର୍ଷର ଅଭିନୟ ସାରି ପୁଣି ଫେରିଗଲେ ସବୁ ମଣିଷର ଶେଷ ଗନ୍ତବ୍ୟକୁ ୧୮୮୧ ମସିହା ଡିସେମ୍ବର ମାସ ୨୮ ତାରିଖ ଗୁରୁବାର ଦିନ! ରହିଗଲେ କିନ୍ତୁ ଅମର ପ୍ରତି ଓଡ଼ିଆର ହୃଦୟରେ ଆଲୋକର ଶିଖା ହୋଇ !
ଆଜି ପ୍ୟାରୀମୋହନ ନାହାଁନ୍ତି ସତ, କିନ୍ତୁ ତାଙ୍କ ହାତଗଢ଼ା ପ୍ୟାରୀମୋହନ ଏକାଡେମୀ ବିଦ୍ୟାଳୟ କଟକର ଛାତି ଉପରେ ସଗର୍ବେ ଦଣ୍ଡାୟମାନ, ଦୀର୍ଘ ୧୫୦ ବର୍ଷ ଧରି ! ପ୍ରଜ୍ଞା ଓ ଜ୍ଞାନର ଆଲୋକ ବିଚ୍ଛୁରିତ କରିଚାଲିଛି ନିରବଚ୍ଛିନ୍ନ ଭାବେ !
ଉଭୟ ଯୁଗପୁରୁଷ ପ୍ୟାରୀମୋହନ ତଥା ସ୍ମାରକୀ ପ୍ୟାରୀମୋହନ ଏକାଡେମୀ ବିଦ୍ୟାଳୟ ପ୍ରତି ଅନ୍ତରଙ୍ଗ କଳିଙ୍ଗର କୋଟି କୋଟି ନମନ ।
ତଥ୍ୟ: ୧. ଓଡ଼ିଶାର ଇତିହାସ ମୁଖବନ୍ଧ
୨. କବିବର ରାଧାନାଥ ଗ୍ରନ୍ଥାବଳୀ,
୩. ଫକୀରମୋହନ ଆତ୍ମଚରିତ,
୪. ଉତ୍କଳ ଦୀପିକା
୫. ଅନ୍ୟାନ୍ୟ ପତ୍ରପତ୍ରିକା