Physical Address
Sai Samarpanam, Satya Vihar, Bhubaneswar
Physical Address
Sai Samarpanam, Satya Vihar, Bhubaneswar
ଲେଖା: ଶିଶିର ସାହୁ ମନୋଜ
ଓଡ଼ିଆ ଭାଷାରେ ପେନସିଲ୍ ପାଇଁ ଅନେକ ଶବ୍ଦ ରହିଛି । କଟକ ଓ ଢେଙ୍କାନାଳର ଗ୍ରାମାଞ୍ଚଳରେ ଆମେ ପେନସିଲ୍ ପାଇଁ ଓଢ଼ଣ ଶବ୍ଦ ଚଳୁଥିଵା ଦେଖିଵାକୁ ପାଆନ୍ତି । ଏ ଶବ୍ଦର ମୂଳକୁ ନେଇ କେତେକ ମତ ରହିଛି ! ଯଥା:
✓କିଛି ଭାଷାଵିତଙ୍କ ମତରେ ଏହା ଇଂରାଜୀ wooden ଶବ୍ଦର ଅପଭ୍ରଂଶ ମାତ୍ର । ଇଂରାଜୀରେ ପେନସିଲ୍ କୁ ଵେଳେଵେଳେ wooden pencil କୁହାଯାଏ । ତେଵେ ଓଡ଼ିଆ ଭାଷାରେ ଇଂରାଜୀ wooden ଶବ୍ଦ ସେତେ ଚଳୁନଥିଵାରୁ ଏଵଂ ସାଧାରଣତଃ କାଠ ଶବ୍ଦ ହିଁ ବହୁପ୍ରଚଳିତ ଥିଵାରୁ ଏ ମତ ସେତେ ବଳିଷ୍ଠ ହୋଇପାରିନାହିଁ ।
✓ଆଉ କେତେକଙ୍କ ମତରେ ଗ୍ରାଫାଇଟ୍ ଦଣ୍ଡ ଉପରେ କାଠ ଓଢ଼ଣା ଯାଇଥିଵାରୁ ଏହାକୁ ଓଢ଼ଣ କୁହାଯାଏ । ଓଡ଼ିଆ ଭାଷାରେ ଓଢ଼ଣ ଶବ୍ଦର ଏକ ଅର୍ଥ ଘୋଡା଼ଇଵା ଯାହା ହିନ୍ଦୀର ଓଢ଼ନା ଶବ୍ଦ ସହିତ ସମାର୍ଥକ ଓ ସମଦ୍ଧୃତ ଅଟେ ।
✓କେତେକଙ୍କ ମତରେ ସଂସ୍କୃତ ଅଙ୍କନୀ ଶବ୍ଦର ଅର୍ଥ ଓଢ଼ଣ ଅଟେ ଏଵଂ ସମ୍ଭଵତଃ ଏ ଶବ୍ଦ ସ୍ଥାନୀୟ କଥିତ ଶୈଳୀରେ ପରିଵୃତ୍ତ ହୋଇ ଓଢ଼ଣରେ ପରିଵର୍ତ୍ତିତ ହୋଇଅଛି ।
ସେହିପରି ଦକ୍ଷିଣ ଓ ଦକ୍ଷିଣ ପଶ୍ଚିମ ଓଡ଼ିଶାର କଥିତ ଭାଷାରେ ପେନସିଲ୍ କୁ ଶିଶା/ଶିଂଶା/ଶିଁଶା ଵା ସିସା କୁହାଯାଉଥିଵା ଵିଭିନ୍ନ ଶବ୍ଦକୋଷରେ ଉଲ୍ଲେଖ ମିଳେ । Lead pencil ନାମରୁ ଏହି ଶବ୍ଦର ଵ୍ଯଵହାର ଆରମ୍ଭ ହୋଇଥିଵା ଅନୁମାନ କରାଯାଏ । ଲେଡ୍ କୁ ସାଧାରଣତଃ ଶିଶା କୁହାଯାଏ ଏଵଂ ଏଥିଯୋଗୁଁ ଏହାର ଏଭଳି ନାମକରଣ ହୋଇଅଛି । ତେଵେ ଢେଙ୍କାନାଳର କଥିତ ଭାଷାରେ କଲମର ରିଫିଲ୍ କୁ ଶିଶା କୁହାଯାଇଥାଏ ।
ଆମ ଭାଷାରେ କଲମ ଅବା ପେନସିଲ୍ ରେ ଅନିର୍ଦ୍ଦିଷ୍ଟ ଭାଵେ ଗାର ଟାଣିଵାକୁ ଗାରେଇଵା କୁହାଯାଉଥିଲାଵେଳେ ପେନସିଲ୍ କୁ ଗୋଜିଆ କରିଵା ପାଇଁ କଟାଯିଵା କ୍ରିୟାକୁ ବାରେଇଵା କୁହନ୍ତି ।
ପେନସିଲ୍ ପାଇଁ ଅନେକ ଶାସ୍ତ୍ରୀୟ ଶବ୍ଦ ରହିଛି ତେଵେ ତନ୍ମଧ୍ୟରେ ଅଙ୍କନୀ, ଶଳାକା, କୁର୍ଚ୍ଚିକା, ମଶିମଣି ଓ ମଶିପ୍ରସୂ ଆଦି ସର୍ଵାଧିକ ଜନାଦୃତ ହୋଇଅଛି । ନିମ୍ନରେ ସେଇଭଳି କିଛି ଶବ୍ଦର ସୂଚୀ ଦିଆଗଲା;
୧. ଅଙ୍କନୀ
୨. ଶଳକା/ଶଳାକା
୩. ଲେଖନ
୪. ଆଲେଖନୀ
୫. କୂଚୀ
୬. କୁଚିକା
୭. କୁର୍ଚ୍ଚିକା
୮. ତୂଳ
୯. ତୂଳିକା
୧୦. ଆଲେଖନୀ
୧୧. ଵର୍ଣ୍ଣଵର୍ତ୍ତି
୧୨. ଵର୍ଣ୍ଣମାତୃ
୧୩. ଵର୍ଣ୍ଣଵର୍ତ୍ତିକା
୧୪. ଵର୍ଣ୍ଣତୂଳି
୧୫. ଵର୍ଣ୍ଣତୁଳୀ
୧୬. ଵର୍ଣ୍ଣତୁଳିକା
୧୭. ଵର୍ଣ୍ଣଲେଖନୀ
୧୮. ମଶିପ୍ରସୂ
୧୯. ମଶିମଣି
ଆପଣଙ୍କ ଅଞ୍ଚଳରେ ପେନସିଲ୍ କୁ କ’ଣ କୁହନ୍ତି ? ଯଦି ଆପଣଙ୍କ ଅଞ୍ଚଳରେ ଏ ଶବ୍ଦ ପାଇଁ କୌଣସି ନିଆରା ଦେଶଜ ଶବ୍ଦ ଚଳୁଥାଏ ତେଵେ ଏଠାରେ ଜଣାଇଵାକୁ ଵିନୀତ ଅନୁରୋଧ ରହିଲା ।
© ଶବ୍ଦଭେଦ