ନବକୃଷ୍ଣ ଚୋୖଧୁରୀ

ଲେଖା: ବିଶ୍ୱଜିତ ରାଉତରାୟ

ବିଂଶ ଶତାବ୍ଦୀର ଆରମ୍ଭରେ ଓଡ଼ିଶା ମାଟିରେ ଜଣେ ଯୁଗପୁରୁଷଙ୍କର ଜୀବନଯାତ୍ରା ଆରମ୍ଭ ହୋଇଥିଲା। ସାଲ ଥିଲା ୧୯୦୧ । ଜଗତସିଂହପୁରର ଏକ ଅଜଣା ପଲ୍ଲୀରେ ଜନ୍ମଲାଭ କରିଥିଲେ ସେ । ପିଲାଟି ଦିନରୁ ପାଠରେ ସେ ଭାରି ଆଗୁଆ । ସେହି କାଳରେ ଯେଉଁ ବୟସର ପିଲାମାନେ ଅବଧାନଠାରେ ଖଡିଛୁଆଁ ଆରମ୍ଭନ୍ତି ସେ ବୟସରେ ହାଇସ୍କୁଲରେ ପଢିଲେଣି !

୧୫ ବର୍ଷ ପୁରୁଣୁ ପୁଅ ମାଟ୍ରିକ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେଇସାରିଲାଣି । ପିତାଙ୍କର ଇଛା ସାନପୁଅ ଆହୁରି ପଢୁ ଓ ତାଙ୍କ ପରି ଆଇନ ପେସାରେ ଯାଉ, ବାରିଷ୍ଟର ହେଉ । ତେଣୁ ରେଭେନ୍ସା କଲେଜରେ ନାଁ ଲେଖାହେଲା ।

ପ୍ରଥମ କେହି ମାସ ଆଶାନୁରୂପ ନିୟମବଦ୍ଧ ହିସାବରେ ସବୁ ଚାଲିଲା । ହେଲେ ସମୟର ଇଛା ଥିଲା ଆନ ପ୍ରକାରର । ଏତେବେଳକୁ ଦେଶରେ ସ୍ୱାଧୀନତା ସଂଗ୍ରାମର କ୍ରାନ୍ତି ଚରମ ଅବସ୍ଥାରେ । ବଡ଼ଭାଇ ଗୋପ, କମ୍ପାନୀ ସରକାରଙ୍କର ଚାକିରୀକୁ ଛି କରିସାରିଲେଣି । ସାନଭାଇ ବି ସେଇ ଗୋଟାଏ ଚାଉଳର ଭାତ । ସ୍ବାଭିମାନ ଓ ଦେଶପ୍ରେମର ନିଆଁ ଅନ୍ତର ଭିତରେ କୁହୁଳିଲାଣି । ସେ ଆଉ ନିଜ ଭିତର କ୍ରାନ୍ତିର ନିଆଁକୁ ବେଶୀ ଦିନ ଚାପି ରଖି ପାରିଲେନି । କିଛି ସମ-ଚିନ୍ତାଧାରା ସହପାଠୀଙ୍କୁ ସାଥିରେ ଧରି କଲେଜ ଛାଡି ଶେଷରେ ଆନ୍ଦୋଳନ ପଥର ପଥିକ ହେଇଗଲେ । ଗାନ୍ଧୀ ମହାତ୍ମାଙ୍କର ଅସହଯୋଗ ଆନ୍ଦୋଳନରେ ଯୋଗଦେଲେ ।

ଏହିଠାରୁ ଓଡ଼ିଶାର ଭବିଷ୍ୟତ ସଜାଡି଼ବାର ଏକ ଅଭିଯାନର ଆରମ୍ଭ ହେଇଗଲା । ଆଉ ଏହାର ନାୟକ ହେଲେ ଯୁଗପୁରୁଷ ନବକୃଷ୍ଣ ଚୋୖଧୁରୀ ।


ଅଭିଯାନର ପ୍ରଥମ ପାହାଚ ସାବରମତୀ ଆଶ୍ରମ ଯାତ୍ରା ଓ ଦ୍ୱିତୀୟରେ ଶାନ୍ତି ନିକେତନ ଯାତ୍ରା । ପ୍ରଥମରେ ଜାତିର ପିତାଙ୍କ ସହିତ ଭେଟ ଦ୍ୱିତୀୟରେ ନିଜ ଧର୍ମପତ୍ନୀ ମାଳତୀଙ୍କର ସହିତ ଭେଟ ।

ବିବାହ ପରେ ବେଶ୍ କିଛି ବର୍ଷ ଯାଏଁ ପୈତୃକ ଗ୍ରାମକୁ କର୍ମକ୍ଷେତ୍ର ଭାବେ ବାଛିନେଲେ ନବକୃଷ୍ଣ ଚୋୖଧୁରୀ । କୃଷିକୁ ପେସା ଓ ସମାଜସେବାକୁ ନିଶା ଭାବେ ବାଛିନେଲେ ସେ । ତାଙ୍କରି ପ୍ରଚେଷ୍ଟାରେ ଯେଉଁ ସ୍କୁଲଶିକ୍ଷା କେବଳ ବଡ଼ବଡୁଆଙ୍କର ଅଧିକାର ଥିଲା ତାହା ଗଣଶିକ୍ଷାରେ ପରିବର୍ତ୍ତନ ହେଲା । ନାରୀମାନଙ୍କ ଠାରୁ ଆରମ୍ଭ କରି ବୃଦ୍ଧ ବୟସ୍କ ପର୍ଯ୍ୟନ୍ତ ସଭିଏଁ ବିଦ୍ୟାଳୟର ଚଉହଦୀକୁ ଆଦରିବାକୁ ଲାଗିଲେ, ଏହା କେବଳ ଗାଁ ପୁଅ ନବର ପ୍ରଚେଷ୍ଟା ଦ୍ଵାରା ସମ୍ଭବ ହୋଇପାରିଲା ।

ଏହା ଭିତରେ ସ୍ୱାଧୀନତା ସଂଗ୍ରାମର ଆନ୍ଦୋଳନ ପୁଣିଥରେ ପ୍ରବଳ ହେଉଥାଏ । ଏଥର ଲବଣ ସତ୍ୟାଗ୍ରହ । କମ୍ପାନୀ ସରକାର ବିରୁଦ୍ଧରେ ନିର୍ଣ୍ଣାୟକ ଯୁଦ୍ଧର ଡାକରା ଦିଆଗଲା, ଯାହାର ଛାମୁଆ ସାଜିଲେ ନବକୃଷ୍ଣ ଚୋୖଧୁରୀ । ସେ ଜାଣିଥିଲେ ଏହାର ପରିଣତି ଭୟାବହ । ହେଲେ ସ୍ବାଭିମାନୀ ଓଡ଼ିଆ ପରା ସେ, ପଛଘୁଞ୍ଚା ଜାତକରେ ନାହିଁ । କରିବା ବା ମରିବା ପଣ ନେଇ ସପରିବାରେ ଆନ୍ଦୋଳନର ନିଆଁ ତେଜିଚାଲିଲେ । ଶେଷରେ ସପରିବାରେ ଗିରଫ ହୋଇ କାରାବରଣ ଲଭିଲେ ।

ବେଶ୍ କିଛି ମାସ ଜେଲରେ କାଟିବା ପରେ ମୁକ୍ତି ମିଳିଲା ପରେ ଅଧୁରା କାର୍ଯ୍ୟରେ ପୁଣିଥରେ ଆହୁରି ବଳବାନ ହେଇ ଲାଗିପଡିଲେ ନବକୃଷ୍ଣ ଚୋୖଧୁରୀ । ‘ସାରଥି’ ନାମରେ ପତ୍ରିକା ଓ ‘ଉତ୍କଳ କଂଗ୍ରେସ ସମାଜବାଦୀ ସଂଘ’ ନାମରେ ରାଜନୈତିକ ଦଳ ପ୍ରତିଷ୍ଠା କରି ବିରୋଧର ସ୍ବରକୁ ଆହୁରି ବ୍ୟାପକ କରିଚାଲିଲେ । ଏହା ଦ୍ବାରା କୃଷକଙ୍କ ଠାରୁ ଆରମ୍ଭ କରି ଶିକ୍ଷିତ ପ୍ରଗତିଶୀଳ ସମାଜ ପର୍ଯ୍ୟନ୍ତ ସଭିଙ୍କୁ ମେଳି କରିବାରେ ସଫଳ ହୋଇପାରିଲେ । ନେତୃତ୍ୱ ନେବା ଓ ଜନସାଧାରଣଙ୍କୁ ପ୍ରଭାବିତ କରିବା ନବକୃଷ୍ଣଙ୍କ ପାଇଁ କିଛି ବଡ଼ କଥା ନୁହେଁ । ଏହି ଗୁଣ ଭବିଷ୍ୟତରେ ତାଙ୍କୁ ଓଡ଼ିଶାର ସବୁଠୁ ସଫଳ ମୁଖ୍ୟମନ୍ତ୍ରୀ ଭାବେ ସୁଯୋଗ ଦେଲା ।

ସେତେବେଳକୁ ଓଡ଼ିଶା ସ୍ଵତନ୍ତ୍ର ପ୍ରଦେଶର ମାନ୍ୟତା ପାଇସାରିଲାଣି । ନବବାବୁ ସକ୍ରିୟ ରାଜନୀତିରେ ସବୁଠୁ ଲୋକପ୍ରିୟ ନେତା । ଅତି ସହଜରେ ଲୋକଙ୍କର ଶ୍ରଦ୍ଧାଭାଜନ ହୋଇ ବିଧାୟକ ଭାବେ ନିର୍ବାଚିତ ହେଲେ । ତାଙ୍କର କାର୍ଯ୍ୟକାଳରେ ଚାଷୀ ମୂଲିଆଙ୍କର ସ୍ୱାର୍ଥ ସର୍ବାଧିକ ପ୍ରାଧାନ୍ୟ ନେଲା । ‘କୃଷକ’ ନାମରେ ଏକ ପତ୍ରିକା ସଂକଳନ କରି ଇଂରେଜ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବାରେ ଚେଷ୍ଟା ଜାରି ରଖିଲେ ।


ଏହା ଭିତରେ ପ୍ରଜାମଣ୍ଡଳ ଆନ୍ଦୋଳନ ପରେ ଭାରତଛାଡ ଆନ୍ଦୋଳନ ସବୁଥିରେ ନବବାବୁ ଓଡ଼ିଶା ମାଟିରେ ସେନାପତି ସାଜିଥାନ୍ତି । ଅଂହିସାକୁ ବ୍ରତ କରି ଇଂରେଜ ସରକାରଙ୍କ ବିରୋଧରେ ଯୁଦ୍ଧ ଘୋଷଣା କରିଚାଲିଥାନ୍ତି । ଆକ୍ରୋଶର ଶିକାର ହେବା ତ ନିଶ୍ଚିତ । ଜେଲ୍ ଯେମିତି ନବବାବୁଙ୍କ ପାଇଁ ଦ୍ୱିତୀୟ ଗୃହ ପାଲଟିଗଲା । କେତେବେଳେ ବିହାରର ଜେଲ୍ ତ କେତେବେଳେ ପୁରୀ ଜେଲ୍ ପୁଣି କେତେବେଳେ ବରହମପୁର ଜେଲ୍ । ଯେତେ ଥର ମୁକୁଳିଲେ ସେତେଥର ବିଦ୍ରୋହର ସ୍ୱର ପ୍ରଚଣ୍ଡ କଲେ । ଗାନ୍ଧୀ ନେହେରୁଙ୍କ ଠାରୁ ଆରମ୍ଭ କରି ଜୟପ୍ରକାଶ ନାରାୟଣ, ମହତାବ ଭଳି ନେତା ନବବାବୁଙ୍କର ପ୍ରଶଂସା ସବୁରି ମୁଖରେ । ଉତ୍କଳମାତାର ସବୁଠୁ ସୁଯୋଗ୍ୟ ସନ୍ତାନ ଥିଲେ ସେ ।

ସମୟର ଚକ ନୂଆ ପଥରେ ଦିନେ ଗଡି଼ବାର ହିଁ ଥିଲା । ପରାଧିନତାର କଳା ବଉଦ ହଟିବାର ଥିଲା । ଶେଷରେ ସ୍ୱାଧୀନତା ମିଳିଲା ! ସ୍ୱାଧୀନତାର ଉତ୍କଳ ଆକାଶରେ ଯେଉଁ ଉଜ୍ଜ୍ୱଳମାନ ନକ୍ଷତ୍ର ଉଇଁଥିଲା ସେ ଥିଲେ ମହାପୁରୁଷ ନବକୃଷ୍ଣ ଚୌଧୁରୀ ନାମକ ନକ୍ଷତ୍ର । ଜଣେ ସେବକ ଜଣେ ରାଜନୈତିକ ଓ ଜଣେ ମାଟିର ପୁଅ ଭାବରେ ଆଧୁନିକ ଓଡ଼ିଶାର ନିର୍ମାତା ହୋଇଗଲେ ସେ ।

ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ନେହେରୁଙ୍କର ଅତି ପ୍ରିୟ ନବବାବୁ ନେହେରୁଙ୍କର ଅନୁରୋଧକ୍ରମେ ସ୍ୱାଧୀନ ଓଡ଼ିଶାରେ ସକ୍ରିୟ ରାଜନୀତିରେ ନିର୍ବାଚନରେ ଲଢି ପ୍ରଥମ ମନ୍ତ୍ରୀମଣ୍ଡଳରେ କ୍ୟାବିନେଟ ମନ୍ତ୍ରୀ ଓ ଦ୍ୱିତୀୟରେ ମୁଖ୍ୟମନ୍ତ୍ରୀ ଭାବେ ପଦଗ୍ରହଣ କରି ଓଡ଼ିଶା ନିର୍ମାଣରେ ନିଜକୁ ସମର୍ପିତ କରିଦେଲେ ।

‘ଅଞ୍ଚଳ ଶାସନ ବ୍ୟବସ୍ଥା’ ବା କ୍ଷମତାର ବିକେନ୍ଦ୍ରୀକରଣ କରି ପ୍ରଜାତନ୍ତ୍ରର ପ୍ରକୃତ ସ୍ଥାପନା ନବବାବୁ ହିଁ ଆରମ୍ଭ କରିଲେ । ଜମିଦାରୀ ବ୍ୟବସ୍ଥାର ଉଚ୍ଛେଦ କରି ଖଟିଖିଆ ଚାଷୀ ମୁଲିଆଙ୍କୁ ଜମିର ଅଧିକାର ଦେବା ତାଙ୍କର ଆଉ ଏକ ଯୁଗାନ୍ତକାରୀ ପଦକ୍ଷେପ । ହୀରାକୁଦ ବନ୍ଧ ତାଙ୍କରି ଶାସନ କାଳରେ ମୁଣ୍ଡି ମରିଲା । ସେ ସମୟରେ କୃଷି ମହାବିଦ୍ୟାଳୟ ପ୍ରାଣୀ ଚିକିତ୍ସା ମହାବିଦ୍ୟାଳୟ ଭଳି ପ୍ରଗତିଶୀଳ ଚିନ୍ତାଧାରାର ଅନୁଷ୍ଠାନ ପ୍ରତିଷ୍ଠା କରିବା ଛୋଟ କଥା ନୁହେଁ, ଯାହା ସ୍ଵାଧୀନତାର ପ୍ରଥମ ଦଶନ୍ଧିରେ କରିପାରିଥିଲେ !

ଭବିଷ୍ୟଦ୍ରଷ୍ଟା ନେତାଟିଏ ଥିଲେ ନବକୃଷ୍ଣ ଚୋୖଧୁରୀ । ଓଡ଼ିଶାକୁ ସବୁଠୁ ବେଶୀ ଭଲ ପାଉଥିବା ମୁଖ୍ୟମନ୍ତ୍ରୀ ଥିଲେ ସେ । ସାଧାରଣ ଲୋକର ଦରଦୀ ବନ୍ଧୁ ଥିଲେ ସେ । ଉତ୍କଳମାତାର ଯୋଗ୍ୟ ସନ୍ତାନ ଥିଲେ ସେ । 

1 thought on “ନବକୃଷ୍ଣ ଚୋୖଧୁରୀ”

  1. Niranjan Sahu

    ସର୍ବତ୍ୟାଗୀ ନବକୃଷ୍ଣ ଚୌଧୁରୀ — ଏଭଳି ପୁଅ କେବଳ ଉତ୍କଳ ମାତାଙ୍କୁ ମିଳିଥିଲା , ନିଜର କିଛି ସୁକର୍ମ ସକାଶେ ?

Leave a Comment

Your email address will not be published. Required fields are marked *

Scroll to Top