ସୌରଭିତ ସୃଷ୍ଟି: ଜାତୀୟ କବି ବୀରକିଶୋର ଦାସ
ଭାରତବର୍ଷରେ ମୁକ୍ତି ସଂଗ୍ରାମର କାହାଣୀ ଯେପରି ଅଶ୍ରୁଳ ଓ ବେଦନାଦାୟକ, ସେହିପରି ରୋମାଞ୍ଚକର ଓ ପ୍ରେରଣାପ୍ରଦ । ସ୍ବାଧୀନତା ପ୍ରାପ୍ତିର କେଇ ଦଶନ୍ଧି ମଧ୍ୟରେ ସେ ସଂଗ୍ରାମ ଓ ତ୍ୟାଗର ଇତିହାସ ଆଜି ବିସ୍ମୃତ । କିନ୍ତୁ ଦିନେ ଦେଶର ମୁକ୍ତି ପାଇଁ ବହୁ ଉଚ୍ଚଶିକ୍ଷିତ ନିଜ ପରିବାରକୁ ଦାରିଦ୍ର୍ୟ, ପୀଡ଼ନ ଓ ଅସହାୟତା ମଧ୍ୟରେ ନିଃସଙ୍ଗ କରିଦେଇ ଅହିଂସ୍ର ସମରରେ ଝାସ ଦେଇଥିଲେ ଏବଂ ନିତ୍ୟ ନୂତନ ମୌଳିକ ଧାରାରେ ସଂଗ୍ରାମର ଖସଡ଼ା ତିଆରି କରୁଥିଲେ – ତା’ର ଇତିହାସ ତ ଲିପିବଦ୍ଧ ନୁହେଁ; ସେସବୁ ତ୍ୟାଗପୂତ ବ୍ୟକ୍ତିତ୍ଵଙ୍କୁ ମନେ ରଖିବାକୁ ଆମେ ମଧ୍ୟ କିଛି ସ୍ମାରକୀ ତୋଳିନାହୁଁ ।
ମୁକ୍ତିସଂଗ୍ରାମ ପଥରେ ଏକ ମୂର୍ତ୍ତ, ମୌଳିକ, ମନ୍ଦ୍ରିତ ଧ୍ୱନି ଥିଲେ ଜାତୀୟ କବି ବୀରକିଶୋର ଦାସ । ସରଳ ଭାଷା ଓ ଛନ୍ଦରେ ଅଗ୍ନିବର୍ଷୀ ଆବେଦନକୁ ବିବୃତ କରିବାରେ ସେ ଥିଲେ ଜଣେ ଅନନ୍ୟ ଓ ଅପ୍ରତିଦ୍ଵନ୍ଦୀ କବି । ମୁକ୍ତି ସଂଗ୍ରାମର ଯଜ୍ଞକୁ ନିଜ କବିତାର ଯୂପରେ ବହ୍ନିମାନ କରାଇ ସେ ବହୁବାର ହୋଇଛନ୍ତି କାରାରୁଦ୍ଧ । ଦାରିଦ୍ର୍ୟ ଓ ହୀନିମାନ ଭିତରେ ଆଉଟୁପାଉଟୁ ହୋଇ ମଧ୍ୟ ନିଜ ପ୍ରଚେଷ୍ଟାରେ ସେ ପ୍ରକାଶ କରିଛନ୍ତି କିଛି କବିତା ସଙ୍କଳନ, ମାତ୍ର ତାଙ୍କର ଅଧିକାଂଶ ସୃଜନ ଏ ଯାଏଁ ସୂର୍ଯ୍ୟୋଦୟ ଦେଖି ନାହିଁ ।
“ତୁମେ କେତେ ଜଣ ଜୀବନକୁ ପାଣି
ଛଡାଇ ନ ଦେଲେ ଚଳିବ କି ?
ଦଧିଚିର ହାଡ଼ ଉଜାଡ଼ି ନ ଦେଲେ
ଏ ଜାତିର ଭାଗ୍ୟ ଫେରିବ କି ?
ଆଖି ଆଗେ ଆଜି ଦିଶେ ଜଳଜଳ
ସ୍ବାଧୀନତା ସ୍ରୋତ ଆସଇ ପ୍ରବଳ,
ପହିଲି ଆଷାଢ଼ ବଢି ନଈପାଣି
ତୁମେ ତା’କୁ ଲୋଭେ ପିଇବ କି ?
ଧଳା ବଦଳରେ କଳା ହେଲେ ଜୋକ
ମେଣ୍ଟିବ କି କୋଟି ଗରିବଙ୍କ ଦୁଃଖ ?
ଚାଷୀମୂଲିଆ ର ଖପୁରୀ ଚୁରି କି
ଦିଲ୍ଲୀ ଦରବାର ଗଢିବ କି ?
ଧନ୍ୟ ମହାଜନ, ରାଜା ଜମିଦାର,
ତ୍ୟାଗମାଳି ଧରି ହୋଇବେ ବାହାର,
ଗେରୁଆ ବସନ, ମଧୁର ବଚନ
ତୁମେ ଶୁଣି ତାହା ଭଳିବ କି ?
ତୁମରି ରକତେ ରକତ ପତାକା
ଉଡିବ ଏ ଦେଶେ ସହି ଶତ ଧକ୍କା,
ଚାଷୀମୂଲିଆ ର ରାଜୁତି ରାଜିବ
ଜଗତରେ ଯିବ ନାଁ ରଖି ।”
ଉପସ୍ଥାପନା: ଦେଵ ତ୍ରିପାଠୀ