Physical Address
Sai Samarpanam, Satya Vihar, Bhubaneswar
Physical Address
Sai Samarpanam, Satya Vihar, Bhubaneswar
ଲେଖା: ନିରଞ୍ଜନ ସାହୁ
“ମନୁଷ୍ୟ ସିନା ଜିଭରେ କଥା କୁହେ, କିନ୍ତୁ ଆଖିରେ କ’ଣ କଥା କହେ ? ଆଶା ଓ ଭାଷା ଉଭୟ ବି ଆଖିରେ ପ୍ରକାଶ କରେ । ପୁଣି ଖାଲି ଆଶା ନୁହେଁ, ଗୋପନ ଆଶା ବି । ସମସ୍ତେ ଜାଣନ୍ତି ଆଶାକୁ ପ୍ରକାଶ କରିବା ପାଇଁ ଭାଷା ତିଆରି । ଅବଶ୍ୟ ଭାଷା ମାନେ ମୁଖନିଃସୃତ ଭାଷା, ଯଥା – ଭ୍ରମରର ଗୁଞ୍ଜନ, ପକ୍ଷୀର କୂଜନ, ଗାଈର ହମ୍ବା ଓ ମଣିଷର ବାକ୍ ଯନ୍ତ୍ର ନିୟନ୍ତ୍ରିତ ଧ୍ଵନି, ଶବ୍ଦ, ବାକ୍ୟ ଯାବତ୍ କିଛି, କିନ୍ତୁ ଭାଷାବିତମାନଙ୍କ ମତରେ ମନ କଥା ପ୍ରକାଶ କରିବା ପାଇଁ ଯେ କୌଣସି ଅବଲମ୍ବନ କଲେ ତାହା ଭାଷା । ପାଟି ନ ଫିଟାଇ ପାନ ଖଣ୍ଡେ ଦେଇ ଚାଲିଗଲେ ବି ଭାଷା । ଆଉ କେତେକ କହନ୍ତି, ଯଦି ଜଣେ ଲୋକ ଅତର ଲଗାଇ ପକେଟରୁ ରୁମାଲ କାଢ଼ି ବୁଲେ ଓ ଅନ୍ୟ ଲୋକ ତହିଁରୁ କିଛି ସଙ୍କେତ ପାଏ, ତେବେ ସେହି ଅତରଲଗା ରୁମାଲଧରା ବୈଜ୍ଞାନିକ ଦୃଷ୍ଟିରୁ ଭାଷା ବୋଲି ବିବେଚିତ ହେବ । ବିଜ୍ଞାନ ଦୃଷ୍ଟିରୁ ଭାଷା ମାନେ ସଙ୍କେତ, ଯାହା ମଣିଷକୁ କୌଣସି କାର୍ଯ୍ୟ କରିବାକୁ ପ୍ରେରଣା ଦିଏ ।” (ମଣିଷର ଭାଷା)
ଏହା ଥିଲା ୧୯୫୩ ମସିହାରେ ଜଣେ ୩୨ ବର୍ଷୀୟ ଯୁବକର ଟିପ୍ପଣୀ ଭାଷା ସମ୍ପର୍କରେ। ‘ଭାଷା’ର ନୂତନ ସଂଜ୍ଞା ନିର୍ଦ୍ଧାରଣ କରି ଏହି ଯୁବକ ସେହି ସମୟରେ ବହୁ ଚର୍ଚ୍ଚିତ ହେବାର ସୌଭାଗ୍ୟ ପାଇଥିଲେ । ଓଡ଼ିଶାର ଢେଙ୍କାନାଳ ଜିଲ୍ଲାର ଏକ ଅଖ୍ୟାତ ପଲ୍ଲୀ, ଗଞ୍ଜେଇଡିହ । ୧୯୨୧ ମସିହା ଅକ୍ଟୋବର ମାସ ୧୫ ତାରିଖରେ ଜନ୍ମ ନେଇଥିଲେ ଏହି ମଣିଷ, ଭୋଳେଶ୍ଵର ଧଳ ଓ ଜାହ୍ନବୀ ଦେବୀଙ୍କ ଔରସରୁ । ସେହି ଶିଶୁଟି ପରବର୍ତ୍ତୀ ସମୟରେ ପ୍ରତିଭାତ ହେଲେ ଜଣେ ବିଶିଷ୍ଟ ବିଦ୍ୱାନ, ସାହିତ୍ୟିକ, ଶିକ୍ଷାବିତ୍, ପ୍ରାବନ୍ଧିକ, ଅନୁବାଦକ, ସୃଜନଧର୍ମୀ ଶିଶୁ ସାହିତ୍ୟିକ, ଭ୍ରମଣ ବୃତ୍ତାନ୍ତ ଲେଖକ ଭାବରେ । କିନ୍ତୁ ଅସଲରେ ପରିଚିତ ହେଲେ ବିଂଶ ଶତାବ୍ଦୀରେ ଭାରତବର୍ଷର ଜଣେ ପ୍ରଥିତଯଶା ଭାଷାତତ୍ତ୍ଵବିତ୍ ଭାବେ – ପ୍ରଫେସର ଗୋଲୋକ ବିହାରୀ ଧଳ । ହିନ୍ଦୀ ସାହିତ୍ୟରେ ପ୍ରଥମ ଧ୍ଵନିବିଜ୍ଞାନ ଗ୍ରନ୍ଥର ରଚୟିତା ।
ଗାଁ ବିଦ୍ୟାଳୟମାନଙ୍କରେ ପାଠ ଶେଷ କରି ୧୯୪୩ ମସିହାରେ ରେଭେନ୍ସା କଲେଜରୁ ସଂସ୍କୃତରେ ସର୍ବଶ୍ରେଷ୍ଠ ସ୍ନାତକ, ପରେ ପାଟଣା ବିଶ୍ଵବିଦ୍ୟାଳୟରୁ ସ୍ନାତକୋତ୍ତର, ଲଣ୍ଡନ ବିଶ୍ୱବିଦ୍ୟାଳୟରୁ ଭାଷା ତତ୍ତ୍ଵ କୃତିତ୍ଵର ସହ ଶେଷ କରି ଅଧ୍ୟାପନା କାର୍ଯ୍ୟ – ଆଗ୍ରା ବିଶ୍ଵବିଦ୍ୟାଳୟ, ଗଙ୍ଗାଧର ମେହେର ମହାବିଦ୍ୟାଳୟ, ରେଭେନ୍ସା କଲେଜରେ । ପୁଣି ଭାରତର IAS ଟ୍ରେନିଂ ସ୍କୁଲରେ ଭାଷା ଶିକ୍ଷା ଦେବାରେ ପ୍ରଥମ ଭାରତୀୟ ଅଧ୍ୟାପକ। ସର୍ବୋପରି ଅସାଧାରଣ ବ୍ୟୁତ୍ପତ୍ତି ସଂସ୍କୃତ, ହିନ୍ଦୀ, ଇଂରାଜୀ, ଓଡ଼ିଆ, ବଙ୍ଗଳା ଓ ବହୁ ଦେଶୀୟ ଓ ବିଦେଶୀୟ ଭାଷାରେ ।
ପ୍ରଥମରେ ଧ୍ଵନିବିଜ୍ଞାନ ଓଡି଼ଆରେ ଲେଖିଥିଲେ ମଧ୍ୟ ତାହା ପ୍ରକାଶିତ ହୋଇ ପାରିନଥିଲା ହିନ୍ଦୀ ଧ୍ଵନିବିଜ୍ଞାନ ପୂର୍ବରୁ । ତେବେ ଯାହା ହେଉନା କାହିଁକି ଓଡ଼ିଆ ଧ୍ଵନିବିଜ୍ଞାନ ପରବର୍ତ୍ତୀ ସମୟରେ ପ୍ରକାଶିତ ହୋଇଥିଲା ଓ ତାହା ଥିଲା ଓଡ଼ିଆ ସାହିତ୍ୟର ପ୍ରଥମ ଗ୍ରନ୍ଥ ଧ୍ଵନିତତ୍ତ୍ଵ ସମ୍ପର୍କିତ । ଭାଷା ବିଜ୍ଞାନ ବାବଦରେ ଓଡ଼ିଆଙ୍କର ଆଖି ଖୋଲି ଦେଇଥିଲେ ପ୍ରଫେସର ଗୋଲୋକ ବିହାରୀ ଧଳ । ସମଗ୍ର ଭାରତବର୍ଷର ପାଠକମାନଙ୍କୁ ଧ୍ଵନିତତ୍ତ୍ଵ ସହ ପରିଚିତ କରେଇବାରେ ସେ ଥିଲେ ପ୍ରଥମ ଅଗ୍ରପୁରୁଷ । ଏ ସମ୍ପର୍କରେ ଉତ୍କଳଖଣ୍ଡର ପ୍ରଥିତଯଶା ବାଗ୍ମୀପୁରୁଷ ଡଃ ଶ୍ରୀରାମଚନ୍ଦ୍ର ଦାଶ କହନ୍ତି: -“ସେ ଜଣେ ତୀକ୍ଷଣ ଦୃଷ୍ଟି ସମ୍ପନ୍ନ ବ୍ୟକ୍ତି ଥିଲେ । ସେ ଲଣ୍ଡନ ବିଶ୍ୱବିଦ୍ୟାଳୟରେ ଧ୍ଵନିତତ୍ତ୍ଵ ଅଧ୍ୟୟନ କରିବା ବେଳେ ଓଡ଼ିଆ ଓ ଇଂରାଜୀ ଶବ୍ଦର ତୁଳନାତ୍ମକ ଉଚ୍ଚାରଣ ବିଷୟରେ ଗବେଷଣା କରି ଭାରତକୁ ଫେରିବା ପରେ ଉଭୟ ଭାଷାର ଉଚ୍ଚାରଣ ଉପରେ ଗୁରୁତ୍ବ ଆରୋପ କରି ନାନା ସଭାସମିତିରେ ଭ୍ରାନ୍ତିପୂର୍ଣ୍ଣ ଉଚ୍ଚାରଣ ବିଷୟରେ ତୀବ୍ର ସମାଲୋଚନା କରୁଥିଲେ । ଏଥିପାଇଁ ଅନେକ ଇଂରାଜୀ ଅଧ୍ୟାପକ ତାଙ୍କୁ ପ୍ରତିକୂଳ ଦୃଷ୍ଟିରେ ଦେଖୁଥିଲେ । ଓଡ଼ିଆ ଭାଷାତତ୍ତ୍ଵ ଓ ଧ୍ଵନିତତ୍ତ୍ଵ ବିଷୟରେ କୌଣସି ଭ୍ରାନ୍ତ ବା ଅସମୀଚୀନ ମନ୍ତବ୍ୟ ଦେଖିଲେ ସେ ଅସହଣିକ ହୋଇ ତୀବ୍ର କଟାକ୍ଷ କରିବାକୁ ଛାଡ଼ୁନଥିଲେ । ଏହାକୁ କେତେକ ତାଙ୍କର ଅହମିକା ବୋଲି ବିଚାର କରିବା ସ୍ଵାଭାବିକ; କିନ୍ତୁ ଏହା ପ୍ରକୃତରେ ତାଙ୍କର ଭାଷା ପ୍ରୀତି ଥିଲା ।”
ପ୍ରଫେସର ଗୋଲୋକ ବିହାରୀ ଧଳ ଯେତେ ସବୁ ପୁସ୍ତକ ରଚନା କରିଛନ୍ତି, ସେଥିମଧ୍ୟରୁ ଭାଷା ଓ ଧ୍ଵନିତତ୍ତ୍ଵ ସମ୍ପର୍କିତ ରଚନା ସମୂହ ହେଉଛି — ମଣିଷର ଭାଷା, ପେଟର ପବନ ପାଟିର କଥା, ଇଂରାଜୀ ଉଚ୍ଚାରଣ ଶିକ୍ଷା, ଗାନ୍ଧିଜୀ ଓ ଭାଷା ସମସ୍ୟା, ଧ୍ଵନି ବିଜ୍ଞାନ ( हिंदी ), ଧ୍ଵନି ବିଜ୍ଞାନ (ଓଡ଼ିଆ ), ଭାଷା ଶାସ୍ତ୍ର ପରିଚୟ, Aspiration in Oriya ଏବଂ ବହୁ ଗୁରୁତ୍ବପୂର୍ଣ୍ଣ ପ୍ରବନ୍ଧ । ସେ ମଣିଷର ଭାଷାକୁ ପ୍ରାଣବନ୍ତ କରି ହସେଇ ରସେଇ ପ୍ରକାଶ କରିବାରେ ଥିଲେ ସିଦ୍ଧହସ୍ତ । ତାଙ୍କର ଗ୍ରନ୍ଥ ସମ୍ପର୍କରେ ବିଶିଷ୍ଟ ଜନସେବକ, କବି, ସ୍ବଦେଶ ପ୍ରେମୀ, ଗୋଦାବରୀଶ ମିଶ୍ର କହନ୍ତି, “ଲେଖକ ପୃଥିବୀର ନାନା ଭାଷାରୁ ଉପାଦାନ ଆଣି ସେ ସବୁର ତୁଳନାତ୍ମକ ଚିତ୍ର ଏଥିରେ ଦେଖାଇଛନ୍ତି। ଏହା ତାଙ୍କ ପାଣ୍ଡିତ୍ୟର ଯେପରି ପରିଚୟ ଦେଉଛି , ତାହା ତାଙ୍କ ଚିତ୍ରଣ ଶକ୍ତିର ସ୍ଵରୂପ ପ୍ରକାଶ କରୁଛି । ସେ ଗୋଟିଏ କଠିନ ବିଷୟର ଆଲୋଚନାରେ ହାତ ଦେଇ ତାକୁ ଅତି ସହଜ ରୂପରେ ବୁଝାଇଛନ୍ତି ଓ ସମସ୍ତଙ୍କ ବୁଝିବା ନିମନ୍ତେ ଚିତ୍ରକାଟି ଜଟିଳ ଭାବକୁ ସରଳ କରିଛନ୍ତି ।”