ମନ୍ଦିର ଶୈଳୀର ପ୍ରବେଶ ପଥ ଉପରକୁ ଦେଖିଲେ ପୁରୀ ଜଗନ୍ନାଥ ମନ୍ଦିର ସିଂହଦ୍ଵାରର ଏକ କ୍ଷୁଦ୍ର ସଂସ୍କରଣ ପରି ମନେ ହୁଏ l କାଳର ଆଘାତରେ ଉତ୍ତର ପଶ୍ଚିମ କାନ୍ଥର ଛାତ କିଛି ଅଂଶ ଭାଙ୍ଗି ଯାଇଛି l
ପଶ୍ଚିମ ଦିଗ କାନ୍ଥରେ ଗୋଟିଏ ସ୍ଥାନରେ ପ୍ରାୟ ପାଞ୍ଚଫୁଟ ଉଚ୍ଚରେ ମାଙ୍କଡା ପଥର କାନ୍ଥରେ ପ୍ରାୟ ଏକ ଫୁଟ କୁ ଚାରି ଫୁଟ ଏକ ଧଳା ମୁଗୁନି ପଥର ଉପରେ ଓଡ଼ିଆ ଭାଷାର ଶିଳା ଲିପି l ସମୟ ଓ ମନୁଷ୍ୟର ଅତ୍ୟାଚାରରେ ଅନେକ ଅଂଶ ଲିଭି ଯାଇଛି l “ଶ୍ରୀ ବିର ଶ୍ରୀ. . ଶ୍ରୀ ଗଗନେସର . . ଚ ବଇଁ ” ଏତିକି ପଢ଼ି ପାରିଲି l
ଖୋଲା ଜାଗାରେ ଏକ ମନ୍ଦିରର ଭଗ୍ନାବଶେଷ l ସମ୍ଭବତଃ ତିରିଶରୁ ଚାଳିଶ ଫୁଟ ଉଚ୍ଚ ହୋଇଥିଲା, ମନ୍ଦିର କାନ୍ଥ ଓସାର ପାଞ୍ଚ ଫୁଟ l ଏହା ପ୍ରାଚୀନ ଗଗନେଶ୍ୱର ମନ୍ଦିର ଅବଶେଷ l
ପୁରାତତ୍ତ୍ୱ ବିଭାଗ ଅନୁସାରେ ନିର୍ମାଣ ସମୟ ଖ୍ରୀ ୧୪୩୮ରୁ ୧୪୬୮ ମଧ୍ୟରେ l ଅର୍ଥାତ ଏହା ସୂର୍ଯ୍ୟବଂଶୀ ଗଜପତି କପିଳେନ୍ଦ୍ର ଦେବଙ୍କ ସମୟରେ ନିର୍ମିତ l ସ୍ମରଣ ଯୋଗ୍ୟ ଯେ କପିଳେନ୍ଦ୍ର ଗଜପତିଙ୍କ ସମୟରେ ଓଡିଶା ସୀମା ମନ୍ଦାରଣ ପର୍ଯ୍ୟନ୍ତ ବ୍ୟାପ୍ତ ଥିଲା l ତେବେ “କୁରୁମବେଡ଼ା” ଶବ୍ଦ କାହିଁକି ? ସ୍ମରଣଯୋଗ୍ୟ ଯେ ଶ୍ରୀଜଗନ୍ନାଥ ମନ୍ଦିର ବାହାର ପାଚିରୀ ମେଘନାଦ ପାଚିରୀ ଓ ଭିତର ବେଢ଼ା କୂର୍ମ ବେଢ଼ା ନାମରେ ପ୍ରସିଦ୍ଧ l କପିଳେନ୍ଦ୍ର ଦେବ ମେଘନାଦ ପାଚିରୀ ନିର୍ମାଣ କରାଇ ଥିଲେ l ଏଣୁ ଗଗନେଶ୍ୱର ମନ୍ଦିର ଚତୁର୍ଦିଗରେ ଯେଉଁ ବେଢ଼ା କରାଇଲେ “କୂର୍ମବେଢ଼ା” ନାମ ଦେଇଥିବା ଖୁଵ ସମ୍ଭବ l ପରେ ଅପଭ୍ରଂଶ ହୋଇ କୁଡୁମ ବେଡ଼ା ବା କୁରୁମବେଡ଼ା ହୋଇଛି l
(Picture credit : Asit Mukhopadhyay)
ସମ୍ଭବତଃ ଏହା ଏକ ସାମରିକ ଛାଉଣୀ ରୂପେ ବ୍ୟବହାର ହେଉଥିଲା l ଗଜପତି କପିଳେନ୍ଦ୍ରଙ୍କ ସମୟରେ ଜଳେଶ୍ୱର ଉତ୍ତର ସୀମାର ମୁଖ୍ୟ କେନ୍ଦ୍ର ଥିଲା l ଜଳେଶ୍ୱର, ରାଇବଣିଆରୁ କୁରୁମବେଡ଼ା ଚାଳିଶ କିଲୋମିଟର ଦୂର ଓ ସେଠାରୁ ମନ୍ଦାରଣ ପ୍ରାୟ ଶହେ କିଲୋମିଟର ଦୂର l ଓଡ଼ିଶାର ପତନ ପରେ ସେ ଅଞ୍ଚଳ ଆଫଗାନ ମାନଙ୍କ ଅଧୀନରେ ଥିଲା l ସେ ସମୟରେ ତିନି ଗମ୍ବୁଜ ବିଶିଷ୍ଟ ଏକ କ୍ଷୁଦ୍ର ମସଜିଦ ତିଆରି ହୋଇ ଥିଲା l
କୁରୁମବେଡ଼ା ଦକ୍ଷିଣ ପାର୍ଶ୍ୱରେ ଅନ୍ୟ ଏକ ପ୍ରବେଶ ଦ୍ଵାର ଥିଲା ଯାହାକୁ ପରବର୍ତ୍ତୀ ସମୟରେ ବନ୍ଦ କରା ହୋଇଥିଲା l ମାଙ୍କଡା ପଥରରେ କାରୁକାର୍ଯ୍ୟ ହୁଏ ନାହିଁ ତଥାପି ଛାତରେ ପଦ୍ମ ଫୁଲ ଦେଖାଯାଏ l ମୁଖ୍ୟ ଦ୍ଵାର ଅନତି ଦୂରରେ ଏକ ଜଳାଶୟ l
ସେ ଅଞ୍ଚଳର ମାଟି ଦୋରସା l ଏଣୁ ଏତେ ମାଙ୍କଡା ପଥର ଆସିଲା କୋଉଠୁ ? ମୋର ଅନୁମାନ ସେଠାରୁ ଖଡ଼ଗପୁର ଯିବା ରାସ୍ତାରେ ଖାଜରା ଠାରୁ ଚମରୁସାଇ ଗ୍ରାମ ମଧ୍ୟରେ କିଛି ଅଞ୍ଚଳରେ ମାଙ୍କଡ଼ା ପଥର ମିଳେ l ଦୁଇଟି ଜାଗାରେ ବର୍ତମାନ ସୁଦ୍ଧା ଗଭୀର ଗର୍ତ୍ତ ଦେଖାଯାଏ l ଏଠାରୁ ପଥର ନିଆ ହୋଇଥିବ l
କୁରୁମବେଡ଼ାରୁ ପାଞ୍ଚକିଲୋମିଟର ଦୂରରେ ଅରାଙ୍ଗାବାଦ l ସେ ସ୍ଥାନରେ ମାଙ୍କଡ଼ା ପଥରରେ ନିର୍ମିତ ଏକ କାରୁକାର୍ଯ୍ୟବିହୀନ ଜଗନ୍ନାଥ ମନ୍ଦିର l କେବଳ ଜଙ୍ଘା ଓ କିଛି ଚୂନ କାରୁକୃତି l ଏପରିକି ପାର୍ଶ୍ୱ ଦେବ ବି ନାହାଂତି l କେବଳ ଗର୍ଭଗୃହ l ଜଗମୋହନ ଅଧା ତିଆରି l ମନ୍ଦିର ବନ୍ଦ ଥିଲା ଏଣୁ ବିଗ୍ରହ ଦର୍ଶନ ହୋଇ ପାରିଲା ନାହିଁ l