କୁମ୍ଭାରଚକ

ସୌରଭିତ ସୃଷ୍ଟି: କଵିଚନ୍ଦ୍ର କାଳୀଚରଣ ପଟ୍ଟନାୟକ
~ ତିଗିରିଆ ଗଡ଼ (କୁମ୍ଭାରଚକ) ~
ବାଙ୍କୀରେ ପଢ଼ୁଥିବାବେଳେ ମହାନଦୀ ପାରହୋଇ ଛୁଟିମାନଙ୍କରେ ମୁଁ ବଡ଼ାମ୍ବା ଓ ତିଗିରିଆକୁ ଯାଏଁ । ତିଗିରିଆରେ ବାପାଙ୍କ ମାମୁଁଘର । ବାପାଙ୍କ ମାମୁଁପୁଅ ଭାଇ ରାମକୃଷ୍ଣ ପଟ୍ଟନାୟକେ ଥାଆନ୍ତି #ଦିଆନ । ଚମ୍ପକ ଦ୍ବାଦଶୀ ଯାତ୍ରାଟା ତିଗିରିଆର ପ୍ରଧାନ ଉତ୍ସଵ । ଏଇ ଦ୍ବାଦଶୀ ବେଳକୁ ସଙ୍ଗୀତ #ପିଲାଦଳ (ଆଖଡ଼ାପିଲା) ତିଗିରିଆ ଆସନ୍ତି। ଦଦାଙ୍କ ଦାଣ୍ଡ ଚଉପାଢ଼ୀରେ କେତେଦିନ ଧରି ନିତି ସଞ୍ଜରେ ନାଚ ହୁଏ । ତିଗିରିଆ ଗଡ଼#ଭାଇପୁଅ_ସାଆନ୍ତଙ୍କ ଭିତରୁ ଜଣେ (ତାଙ୍କୁ ନଣ୍ଡାସାଆନ୍ତେ ବୋଲି ଡାକନ୍ତି) ବେହେଲା ବଜାଇ ଜାଣିଥିଲେ । ତିଗିରିଆରେ ତାଙ୍କର ବଡ଼ ଆଦର । ମୁଁ ଟିକିଏ ଟିକିଏ ଗୀତ ଗାଏଁ ବୋଲି ସେ ମୋତେ #ସୁଖ_ପାଉଥିଲେ । ତିଗିରିଆକୁ ଗଲାବେଳେ ତାଙ୍କ ଘରକୁ ଯିଵା ଓ ତାଙ୍କ ବେହେଲା ବଜା ସାଙ୍ଗରେ ଗୀତ ଗାଇଵାଟା ମୋର ଥିଲା ଗୋଟାଏ ବଡ଼ ଆକର୍ଷଣ । ଥରେ ଦଦାଙ୍କ ଚଉପାଢ଼ୀରେ ସଙ୍ଗୀତ ପିଲାଏ ଗାଉଥିଲେ . . .
“କେହୁ ଜାଣିବରେ ଯୁବତୀ ମନ ?
ମାର ଶରେ ପିଣ୍ଡ ହୁଏ ଖଣ୍ଡ ଖଣ୍ଡ
ନିତି ଦକଦକ ହୁଏ ମୋ ଛାତି । ”
ଗୀତଟି ମୋତେ ସୁଖ ଲାଗିଲା । ଶୁଣି ଶୁଣି ଏଇ ଦି ଧାଡ଼ି ଓ ତା’ର ସ୍ଵର ମନେ ରଖୁଛି । ମାତ୍ର ତାଙ୍କ ଗାଇବାରୁ ‘‘ନିତି ଦକଦକ ହୁଏ ମୋ ଛାତି’ – ଏଇ ପଦକ ମୋତେ ଶୁଣାଗଲା ‘‘ନିତି #ଜକଜକ ହୁଏ ମୋ ଛାତି ।’’ ଶୁଣିକରି ଗୀତ ମନେ ରଖିଛି- ଏଇ ଗର୍ଵରେ ଛାତି ଫୁଲି ଉଠୁଥାଏ । ଦେଖାଇ ହେଵାପାଇଁ ଚରତର ହୋଇ ନଣ୍ଡା ସାଆନ୍ତଙ୍କ ଘରକୁ ଧାଇଁଲି । ତାଙ୍କୁ ଗୀତଟି ଶୁଣାଇଵାରେ ସେ ଠୋ ଠୋ ହୋଇ ହସିଲେ । ସେ କହିଲେ ‘ଜକଜକ’ କଅଣ ? ସେଇଟା ‘ଦକଦକ’ । ଛାତି #ଦକଦକ ହୁଏ ସିନା, ଜକ ଜକ କେମିତି ହେଵ ?
ମୋ ଗର୍ଵ ଚୂନା ହୋଇଗଲା ଏକାଥରେ । ସାହିତ୍ୟଜ୍ଞାନ ଓ ଲେଖାଲେଖି-ସବୁ ଟାଣ ଦମ୍ଭ ଆଖି ପିଛୁଳାକେ ଉଭାଇଗଲା । ସତରେ ଦଇବ କାହାରି ଗରଵ ସହେ ନାହିଁ । ଗୀତ ଅର୍ଥ ଭିତରକୁ ଟିକିଏ ପଶିଥିଲେ ତ ହୋଇ ଥାଆନ୍ତା ! ସେଦିନ ଆଉ ମନରେ #ସରାଗ ନ ଥାଏ ।
ଶୁଖିଲା ମୁହଁରେ ଦଦାଙ୍କ ଘରକୁ ଆସିଲି । ସଞ୍ଜବେଳେ ପୁଣି ନାଚ ହେଲା । ନଣ୍ଡା ସାଆନ୍ତେ ଆସି ଥାଆନ୍ତି । ସଙ୍ଗୀତ ପିଲା ଗାଇଲା . .
“ଶ୍ରୀମତୀ, ସରାଗ ତୋ ମୁଖେ ନାହିଁ
ପରାଗ ମୁଞ୍ଚିଲା ପଙ୍କଜ ପରାଏ
ଦିଶୁଅଛୁ ନାହିଁ ପାଇଁ ।”
ଆଗରୁ ତ ମନ ମଉଳି ଯାଇଥିଲା । ମନେହେଲା ଏ ଗୀତ ପଦକ, ଯେମିତି ମୋରି ପାଇଁ କିଏ ଗାଇଲା । କାରଣ, ସତରେ ସେଦିନ ‘ସରାଗ ମୋ ମୁଖେ ନାହିଁ।’ “ଚୋର ମାଆ ଲାଜେ ନ କାନ୍ଦେ, ଯେବେ କାନ୍ଦେ, ତେବେ ଦୁଆର ଦେଇ” – ସତ ଏ କଥା । ସେଇଭଳି ହେଲା ମୋ ଦଶା । ନଣ୍ଡା ସାଆନ୍ତଙ୍କ ମୁହଁକୁ ଆଉ #ତକାଇ ପାରିଲି ନାହିଁ । ସେଦିନ ରାତିଟା ବଡ଼ #ବିତାପର ହୋଇ କଟିଲା । ସେତେବେଳେ ତିଗିରିଆ ଗଡ଼ ଦାଣ୍ଡ ଗୋଟାଏ #ଗୋହିରୀ ଭଳି ହୋଇଥାଏ । ଖାଲ ଢ଼ିପ ରାସ୍ତା । ବଡ଼ ଅପରିଷ୍କାର ମଧ୍ୟ । ଗଡ଼ଟି ସେମିତି ବଡ଼ ନୁହେଁ । ଗଡ଼ ମୁଣ୍ଡରେ ଜେଲଖାନା । ଜେଲଖାନା ବୋଇଲେ ଝାଟିମାଟି ବାଡ଼ ଘେରା ବଡ଼ ବାଡ଼ିଟିଏ । ଗୋଟିଏ କଡ଼ରେ #କେଇ ବଖରା #ନାଆଚାଳିଆ ଘର । କାଠ ରେଲିଂ ଦିଅଆ ସଦର ଫାଟକ ବାଟେ ଭିତରୁ ସବୁ ଦିଶୁଥାଏ । ଶୁଣିଲି, ଜାତି ମାରା ହେଵ ବୋଲି କଇଦିଆଳମାନେ ତାଙ୍କ ହାତରେ ରାନ୍ଧିବାଢ଼ି ଖାଆନ୍ତି | ଘରୁ ତାଙ୍କର ଡାଲି, ଚାଉଳ ବି ଯାଏ । ଘରେ ପିଲାଙ୍କ ବାହା ଵ୍ରତ ପଡ଼ିଲେ କିଛିଦିନ ଜେଲରୁ ଛୁଟି ନେଇ #ଯାଆସ କରିପାରନ୍ତି । ଜେଲଖାନା ସେପଟେ ବୁଦୁବୁଦୁକିଆ #ନଟା। ଗଡ଼ୁଆଙ୍କର #ବାଡ଼ିତାଟି (ପାଇଖାନା) ସେଇଟା । ସଞ୍ଜ ଆଗରୁ ଦିନେ ଦିନେ ମୁଁ ଦଦାଙ୍କ ଘର ପଡ଼ିଶା ତାଙ୍କ କୁଟୁମ୍ବ ନାଥ ଦଦାଙ୍କ ସାଙ୍ଗରେ ସେଇ ନଟାକୁ ଯାଇ ବଡ଼ ପାଟିରେ ଗୀତ ଗାଏଁ, ତା ସାଙ୍ଗରେ କଣ୍ଟାଇ କୋଳି ତୋଳାଟା ଗୋଟାଏ ବଡ଼ ମଉଜ ।
ତିଗିରିଆ ରଜାଙ୍କ ପାଖ ଲୋକ ଜଣେ ଅଧେ କେହି ମୋ ଗୀତ ଶୁଣି ରଜାଙ୍କୁ ଜଣାଇଲେ । ସେ ଦଦାଙ୍କ ହାତରେ ମୋତେ ଡକାଇଲେ, ଦେଖିଵାକୁ । ବାହାର ଲୋକଙ୍କ ଆଗେ ମୋର ଫୁର୍ତ୍ତି, ଫାଜିଲାମି ଢ଼େର, ମାତ୍ର ନିଜର ବନ୍ଧୁ-ବାନ୍ଧଵ ମୁରବୀଙ୍କ ଆଗରେ ସଳଖି ଠିଆହେଵା ବେଳକୁ ଦେହରୁ ଅଧେ ରକ୍ତ ଶୁଖିଯାଏ । ଦଦାଙ୍କ ଡାକରା ଶୁଣି ନ ଯିଵାକୁ ତ ଚାରା ନ ଥିଲା । ଗଲି #ଚନ୍ଦନଯାତ_ଚୋର ଭଳି ଗୋଟାଏ କଣରେ ଠିଆ ହେଲି । ଦଦା କହିଲେ- ରଜା ତୋତେ ଡାକିଛନ୍ତି । ରାତିକି ପୁରାଣ ପଢ଼ାବେଳେ ଵୈଠକକୁ ଯିବୁ । ଯିବୁ ଯେ ବନମାଳି ଚମ୍ପତିସିଂହେ, ତମ ବଡ଼ାମ୍ବା ରାଜା ଵିଶ୍ବମ୍ବର ମଙ୍ଗରାଜଙ୍କ ପରି ନୁହନ୍ତି । ନିହାତି ମରହଟିଆ, ବଡ଼ #ଖୁଣୁଖୁଣିଆ_ଲୋକ#କୁଞ୍ଚ_ଘୋଷାରି_ଲୁଗା_ପିନ୍ଧିଲେ ନାକ ଟେକନ୍ତି ସେ । ଜଗିରଖି ବସ ଉଠ କରିବୁ । ମୋ ସାଙ୍ଗରେ ଯିବୁ । ମୁଣ୍ଡ ନୁଆଁଇ ଜୁହାର କରିବୁ ରଜାଙ୍କୁ । ତୁନି ହୋଇ ଶୁଣିଗଲି ସବୁ । ବଡ଼ମ୍ବା ରାଜାଙ୍କ ପାଖରେ ତ ମୁଁ ଘର ପରି ଚଳି ଆସିଛି । ମୁଁ ଜାଣେ ରାଜା କହିଲେ ସେହିଭଳି ମଣିଷ । ଏତେ କାଇଦା କଟକଣା ଥିଵାର ମୁଁ ଜାଣେ ନାହିଁ । ମନ ହେଉ ନ ଥାଏ ତିଗିରିଆ ରାଜାଙ୍କ ପାଖକୁ ଯିଵାପାଇଁ- ଏଇସବୁ ଗୁଣ ତାଙ୍କର ଶୁଣି । ଦଦାଙ୍କୁ ପଚାରିଲି ମୋତେ କାହିଁକି ଡାକିଛନ୍ତି ? ମୁଁ କାହିଁକି ଯିବି ? ଦାଦା କହିଲେ- କିଏ ପାଖଲୋକ ତାଙ୍କୁ କହିଛି, ତୁ ପରା କୁଆଡ଼େ ଭଲ ଗୀତ ଗାଇ ଜାଣିଛୁ । ରାଜା ତୋ ଗୀତ ଶୁଣିଵା ପାଇଁ ତୋତେ ଡାକିଛନ୍ତି ।
କାଇଁ ମୁଁ ତ କୋଉଦିନ ତୁ ଗୀତ ଗାଇଵାର ଶୁଣିନାଇଁ । ଚାଲ, ଯାହା ମନ ହେଵ ଗୋଟାଏ ଗୀତ ଗାଇଦେବୁ । ସେ ତ ଟିକିଏ #ଭକ୍ତିଆଂଶିଆ_ଲୋକ । ନିତି ତାଙ୍କର ହବିଷ । ଅଗାଧୁଆରେ ଉଷୁନା କୂଅ ଦଉଡ଼ି, ଗାଧୁଆରେ #ଉଆ କୂଅ ଦଉଡି଼ । ଗାଧୋଇସାରି ଜଗନ୍ନାଥଙ୍କ ଦେଉଳରେ ଗରୁଡ଼ ପଛରେ ହାତଯୋଡ଼ି ଦୁଇ ଘଣ୍ଟା ଚାରିଘଣ୍ଟା ଠିଆ ହୁଅନ୍ତି । ଛାନ୍ଦ, ଜଣାଣରେ ଲାଗି ସରାଗ ତାଙ୍କର । ତୁ ଏଇ ସବୁ ଜାଣିଥିଲେ ଗୋଟାଏ ଗାଇଦେବୁ । ବୁଢ଼ା ଖୁସି ହେଇଯିଵେ।
ସଞ୍ଜବେଳେ ଗଲି, କୁଞ୍ଚକୁ ଖୋସି, କାନ୍ଧରେ ଚାଦର ପକାଇ, ମୁଣ୍ଡକୁ ଆଣ୍ଠୁଯାଏ ନୁଆଁଇ ଜୁହାରଟାଏ କଲି । ଛାମୁଙ୍କ କଜଳମଖା ଆଖି ଦିଇଟା ମୋ ଉପରେ ଘଡ଼ିଏ ନିଶ୍ଚଳ ହୋଇ ରହି, ଦଦାଙ୍କ ଆଡ଼େ ଫେରିଲା । ହସ ହସ ମୁହଁରେ #ଆଜ୍ଞା_ହେଲେ#ପନ୍ନାହାକେ, ଏଇ ତମ ପୁତୁରା ? ବଡ଼ାତ୍ମା ନିମାଇଁ #ପନ୍ନହାକଙ୍କ ନାତି ପରା ? ଦଦା – ‘ମଣିମା ।’
ରାଜା- ‘ହଁ ଚାଟ ଘର ପୁଅ ଚାଟ । ଦେଖ ତାଙ୍କ ଭଦ୍ରପଣିଆଁ । ଲୁଗାପିନ୍ଧା ଦେଖ, ଜୁହାରିଵା ଦେଖ । ରାଜଦ୍ବାରରେ ଚଳି ଆସିଛନ୍ତି ତ ପୁରୁଷାନୁକ୍ରମେ । ପିଲା ହେଲେ କଅଣ ହେଵ ?’
ସେଇଠୁ ମତେ କହିଲେ ହଉ, ବସ ବସ ଟିକି ପନ୍ନାହାକେ । ମୁଁ ନ ବସି ଠିଆ ହୋଇ ରହିଲାରୁ ଜଣେ ଅଧେ କିଏ #ଛାମୁଆଁ କହିଲେ- ‘ବସ ବାପା ! ଛାମୁରୁ ତ #ଶ୍ରୀମୁଖ_ଆଜ୍ଞା_ହେଲାଣି, ଆଉ କଅଣ ? ବସ ।’
ଦଦା କହିଲେ ବସିଵାକୁ । ଏଥର #ଚକାମାଲି ପକାଇ ବସିଲି । ପାଦ ନ ଦିଶିଵାକୁ ସାବଧାନ ଥିଲି ମଧ୍ୟ । ରାଜା ଚମ୍ପତ୍ତି ସିଂହଙ୍କୁ ମୁଁ ଖାଲି କଣେଇ କଣେଇ ଚାହୁଁଥାଏ- ସେ ହଳଦୀ ଲଗାଇଛନ୍ତି, କଜଳ ଘେନିଛନ୍ତି, ବାହୁରେ ବାହୁଟି, ସୁନାଖଡ଼ୁ ପିନ୍ଧିଛନ୍ତି । କଳାମନ୍ଦାର ଧଡ଼ିଆ ନୂଆ #ପାଟଣିଆ କି #ମାଣିଆବନ୍ଧୀ ଧୋତି । ଗଳାରେ ସୁନାହାର ଗୋଟି କେତେ ଝୁଲୁଛି ! ପୁରାଣପାଠ ପାଇଁ ଵ୍ୟାସାସନରେ ପୋଥି, #ପିଲିସଜ, ପାଣିଝରି ଓ ଅଁଳାଇ ଫୁଲ ସଜଡ଼ା ହୋଇ ରହିଛି । #ଦରହସି ରଜା ଆଜ୍ଞା ହେଲେ- ‘ଆଗ ଟିକି ପନ୍ନାହକଙ୍କ ଠଉଁ ଜଣାଣଟିଏ ଶୁଣିଵା । ଆମେ ଶୁଣିଛୁ ସେ କୁଆଡ଼େ ଭଲ ଗାଇ ଜାଣୁଛନ୍ତି ।’ ମୁଁ କୁନ୍ଥୁ କୁନ୍ଥୁ ହୋଇ କହିଲି ‘ମଣିମା, ମୋତେ କି ଗୀତ ଆସେ ? ଛାମୁଙ୍କୁ ପୁଣି ମୁଁ ଗୀତ ଶୁଣାଇବି ?’ ରାଜା କହିଲେ – ଜଣାଣଟିଏ ତ ଶୁଣିଵା; ବାଳୁତ କଣ୍ଠ ମଧୁର ହୋଇଥଵ । ଭଲମନ୍ଦ ଵିଚାର ସେଠେଇ କଅଣ ? ଭଜନ, ଜଣାଣ ସବୁ ତ ସେଇ ଜଗନ୍ନାଥଙ୍କ କଥା । ତୁଳସୀ ପତ୍ରରେ ସାନବଡ଼ ଵିଚାର କି ଥାଏ ? ଯାହା ଗାଇଵ ସେ ଅମୃତ । ସବୁ ତ ମୁଣ୍ଡ ଉପରର ଦରଵ ।” ଏହା କହି ମଥା ଉପରକୁ ହାତ ତୋଳିଲେ । ଛାମୁଆଁ ଦି ଚାରିଟା ସତେ ଯେମିତି ଟାକି ବସିଥିଲେ । ଆଖି ପିଛୁଳାକର ଉଛୁର ସହିଲା ନାହିଁ । ସଙ୍ଗେ ସଙ୍ଗେ ଆପଣା ହାତ ଉପରକୁ ଟେକି କହିଲେ – ‘ଆହା ହା । ନାହିଁ ନ ଥିଲା ଭଗତ । ଗାଆ, ଗାଆ, ବୋଲ ବାବୁ । କାନରେ କୃଷ୍ଣନାମ ଅମୃତ ବରଷୁ ।’ ଏଥିପୂର୍ଵେ ଏଭଳି ଅପୂର୍ଵ ଅଭିନୟ କେବେ ଦେଖି ନ ଥୁଲି । କଅଣ ଏବେ ପାଇବି ?
ମାଆ ଚର୍ଚ୍ଚିକାକୁ ମନେ ମନେ ସୁମରି ହେଲି । ଯୋଗକୁ ସେତେବେଳକୁ ବଡ଼ମ୍ବା ଉଆସ କଥା ହେତୁ ହୋଇଗଲା । ଵାସୁଦେଵ ମହାପାତ୍ରେ ଗ୍ରାମଫୋନ୍ ରେକଡ଼ରେ ଗାଇଥାନ୍ତି –
“ରାଧାକାନ୍ତ ରାଧାମୋହନ ଗୋଵିନ୍ଦ !
ଲବେ ଦୟା ନାହିଁକି ?”
ଗାଇଲି ସେ ଗୀତଟି । ପହିଲି ଧାଡ଼ି ଵା ଘୋଷା ପଦକ ବୋଲିଵା ପରେ ରାଜା ଚମ୍ପତି ସିଂହେ ଆଉ ଆଖି ମେଲାଇ ନାହାନ୍ତି । ଥରକୁ ଥର ମୁଣ୍ଡରେ ଯୋଡ଼ହାତ ଲଗାଇ ଆହା ହା କହିଵାରେ ଲାଗିଲେ । ଏଣେ ଆଖି ପାଣିରେ କଜଳ ଧୋଇ ହୋଇଗଲା । ଗାଲରେ ଗିରା ପଡ଼ିଗଲା ପରି ଦିଶିଲା । ଗୀତ ସରିଲା, ହେଲେ ତାଙ୍କର ଆଖି ଫିଟି ନ ଥାଏ । ଜଣେ ଶ୍ରୀଅଙ୍ଗ-ଲଗା ପାଖ ଲୋକ ତରବର ହୋଇ ପୋଛା ଖଣ୍ଡିଏ ଧରି ତାଙ୍କ କଡ଼ପଟେ ଠିଆ ହୋଇଗଲା । ଛାମୁଙ୍କ ଆଖି ଫିଟିଲା ବେଳକୁ ନାଲି ଦିଶୁଥାଏ । ପାଖଲୋକ ଯାଇ ପୋଛିଦେଲା ପୋଛାରେ ।
ଛାମୁରୁ କହି ଆଜ୍ଞା କଲେ କି – “ଆଜି ଆମର କି ଯୋଗରେ ରାତି ପାହିଁଥିଲା ! କାନରେ ଅମୃତ ଵର୍ଷା ହେଲା । ଯୋଉ ଗୀତରେ କୃଷ୍ଣରସ ନାଇଁ, ସେ କଅଣ ଗୀତ ? ସେ ଗୁଡ଼ାକ ପୀତ । ବାଳୁତ କଣ୍ଠରେ କୃଷ୍ଣରସ – ରସାଵଳୀପରି ଲାଗିଲା, ଦିଆନବାବୁ ! ଏ ଟିକି ପନ୍ନାହକେ କେତେଦିନ ହେଲା ଆଇଲେଣି ତମ ଘରକୁ ? ଆମକୁ ଟିକିଏ ଖବର ଦେଇନାହଁ ଏଯାଏଁ ? କେବେ ଯିବେ ?”ଦଦା କହିଲେ – “ସେ ତ ଚର୍ଚ୍ଚିକା ସ୍କୁଲରେ ପଢୁଛି । ଛୁଟିରେ ଆସିଛି, ତାଙ୍କ ସ୍କୁଲ ଫିଟିଵ, ସେ କାଲି ଯିଵ । ”
ରାଜା ଟିକିଏ ଦୁଃଖ କଲେ, କହିଲେ – ‘ତେବେ ଆମ ଜଗନ୍ନାଥଙ୍କ ଧୂପ ଉଠିଲେ ଉପରଓଳିଆ ହୋଇ ଯିଵେ । ହାତୀ ଯିଵ ଛାଡ଼ିଦେଇ ଆସିଵ । ବାଟ କେତେ କି ? ତିନି ଚାରିକୋଶ ହେଵ । ମଝିରେ ମହାନଦୀଟା ସିନା । ସକାଳେ ଆମ ଦେଵାର୍ଚ୍ଚନ ବେଳକୁ ଦେଉଳକୁ ଆସିଵେ, ଜଗନ୍ନାଥଙ୍କ ଶ୍ରୀଛାମୁରେ ଭଜନଟିଏ ଶୁଣାଇ ଦେଇଯିଵେ ।’ ଛାମୁଆଁମାନେ ହଁ ମାରିଲେ, ପୁଣି ପୂର୍ଵପରି ଅଣ୍ଟା ନୁଆଁଇ ଜୁହାର କରି ଵିଦାୟ ନେଲି । ଦଦା ଭାରି ଖୁସି, ଘରକୁ ଆସି ଖୁଡ଼ୀମାନଙ୍କ ଆଗରେ ପ୍ରଶଂସା ଶଗଡ଼ ଅଜାଡ଼ି ପକାଇଲେ । ଗଡ଼ ବୋଇଲେ ତ ଚାଖଣ୍ଡେ । ସେଥିରେ ପୁଣି ରାଜାଘର ଖବର ! ସକାଳୁ ଘରେ ଘରେ ରାଷ୍ଟ୍ର ହୋଇଗଲା । ଦଦାଙ୍କ ଘରେ ସେମାନେ ଚାରି ପାଞ୍ଚ ଭାଇ କୁଟୁମ୍ବ । ବଡ଼ ଦଦାଙ୍କ ତଳିଭାଇ ଜୟକୃଷ୍ଣ ପଟ୍ଟନାୟକେ । ତାଙ୍କ ଝିଅ ଆସନ (ଅସଲ ନାଆଁ ଆଶାମାଳୀ) ସବୁଠାରୁ ମୋତେ ବେଶୀ ସୁଖ ପାଏ । ମୁଁ ବି ତାକୁ ଭାରି ଆଦର କରେ । ଵୟସରେ ମୋଠୁଁ ତିନିବର୍ଷ ସାନ ସେ । ଆମ ଭାଇଭଉଣୀଙ୍କର ମନ ଭାରି ମିଳେ । ସେ ରଜାଘର ଖବର ଶୁଣି ଆଗ ଦଉଡି଼ ଆସି ନନା, ରଜା କଅଣ କହିଲେ ତୁମକୁ ? ତମେ କି ଗୀତ ଗାଇଲ, ଗାଆ ମୁଁ ଶୁଣିବି ଇତ୍ୟାଦି ନାନା ଅଳି ଧରି ବସିଲା । ଲାଜ ଲାଗୁଥାଏ । ସେଠି ସିନା ଗାଇ ଦେଲି, ଏବେ ଘରେ ସମସ୍ତେ ଅଛନ୍ତି – ଭଲା ଏଠି ଗାଇବି କେମିତି ?
ଯୋଗକୁ ଦଦା ଡାକି କହିଲେ, “ବେଗେ ଗାଧୋଇ ପଡ଼, ଦେଉଳକୁ ଯିବୁ। ଛାମୁ ଯେ ଵିଜେ ହୋଇ ପଡ଼ିଵେ, ତୁ ତାଙ୍କ ଆଗରୁ ଦେଉଳରେ ପହଞ୍ଚିବୁ ।’’
ଓ ! ରକ୍ଷା ମିଳିଗଲା ।
ଗାଧୋଇ ପଡ଼ି ଦେଉଳକୁ ବାହାରିଲି ଦଦାଙ୍କ ସଙ୍ଗେ । ସେ ନଅରକୁ ଯିଵେ, ମୁଁ ଦେଉଳକୁ ଯିବି । ନଅର ପାଖଟାରେ ଦେଉଳ । ଆମେ ସିଂହଦ୍ଵାରେ ପହଞ୍ଚିଲା ବେଳକୁ ନଅର ଭିତରୁ କାହାଳି ଶୁଭିଲା । ରାଜା ଦେଉଳକୁ ଵିଜେ ହେଉଛନ୍ତି । ନଅର ବୋଲନ୍ତେ– ମାଟିଘର । ଭିତରେ କେଜାଣି ଅଵା କୋଠାଘର ଥିଲେ ଥିଵ, ବାହାରଟା ମଉଡ଼ମରା ଚାଳ । ଘୋଷରା ପାହାଚ, ପାହାଚକୁ ଟିକିଏ ଦୂରଛଡ଼ା ହୋଇ କେତେକ ଲୋକ ଧାଡ଼ି ହୋଇ ଠିଆ ହୋଇଥିଲେ । ସମସ୍ତେ ସାଵଧାନ ହୋଇଗଲେ । ଏମାନେ କିଏ ବୋଲି ପଚାରି ବୁଝିଲି । ଶୁଣିଲି, ଏମାନେ ଗୁହାରିଆ, କାହାର କଅଣ ଓଜର ଆପତ୍ତି ରାଜାଙ୍କ ଛାମୁରେ ଜଣା କରିଵାକୁ ଆସିଛନ୍ତି । ଦେଉଳକୁ ଯାଉ ଯାଉ ଏଇଟା ହେଲା କଚେରୀ ଵା ଵିଚାରାଳୟ । ଗୁହାରି ତୁଣ୍ଡେ ତୁଣ୍ଡେ- କୋଟଫିସ ଲାଗୁନାହିଁ, କଚେରୀକୁ ଦଉଡ଼ ପଡୁନାହିଁ, ଫଏସଲା ବି ତୁରନ୍ତ । ଜରିମାନା ଚାରିଅଣାଠାରୁ ପାଞ୍ଚସିଉକା ପର୍ଯ୍ୟନ୍ତ । ଜଣେ କେହି ରାଜକର୍ମଚାରୀ ଟିପିନେଲେ । ଏହି ଅର୍ଥ ରାଜକୋଷକୁ ଯିଵନାହିଁ, ସବୁ ଜଗନ୍ନାଥଙ୍କ ଅମୃତ ମଣୋହିଁ ସେଵାରେ ଲାଗୁହେଵ । ପ୍ରଜା ସନ୍ତୋଷ-ରଜା ସନ୍ତୋଷ। ଭାବୁଛି, କାହିଁ ସେ ରଜା – କାହିଁ ସେ ପ୍ରଜା ! କାହିଁ ସେ ଵିଚାର ! କାହିଁ ସେ ଫଏସଲା ।
ଛାମୁଙ୍କୁ ଜୁହାର କରି ପଛେ ପଛେ ଦେଉଳକୁ ଛାମୁ ଗହଣରେ ଗଲି । ଦେଉଳବେଢ଼ା କୂଅର ଉଆ ଦଉଡିରେ ପାଣି କଢ଼ା ହୋଇ ଛାମୁଙ୍କ ପାଦ ଧୋ- ପୋଛ ହେଲା । ମୁଁ ମଧ୍ୟ ହାତଗୋଡ଼ ଧୋଇଲି । ରାଜାଙ୍କ ଦେଖାଦେଖି ଗରୁଡ଼ସ୍ତମ୍ଭ ପଛରେ ହାତଯୋଡ଼ି ଆଖି ମୁଦିଲି । ରାଜା ସ୍ତୋତ୍ର ପାଠକଲେ- ‘‘ଜଗନ୍ନାଥ ସ୍ୱାମୀ ନୟନ ପଥଗାମୀ ଭବତୁଂ’’ ଇତ୍ୟାଦି । ବାକି ଶ୍ଲୋକ ମୋର ମନେ ରହିଲା ନାହିଁ । ମୁଁ ହାତଯୋଡ଼ି ଠିଆ ହୋଇଥାଏ । ବଡ଼ ବିଜାର ଲାଗୁଥାଏ ମୋତେ, ହେଲେ ନିରୁପାୟ । କେତେବେଳେକେ ମୋ ପାଳି ପଡ଼ିଲା – ଆଦେଶ ପାଇ ଗାଇଲି
“କୃପାସିନ୍ଧୁ ଵଦନ
କରି ଅଵଲୋକନ
କେଉଁ କରମହୀନ ଜନ”
ମୋ ଗୁରୁଦେଵଙ୍କ ଠାରୁ ଶିକ୍ଷା ପାଇଥିଵା ଜଣାଣରୁ ଯେତିକି ମନେଥିଲା ମୋର, ତାକୁ ଗାଇ ମନେ ମନେ ପୂଜ୍ୟ ରଘୁବାବୁଙ୍କୁ କୃତଜ୍ଞତାର ପ୍ରଣାମ ଜଣାଇଲି । ଗତରାତ୍ରିର ରାଜ ଅଭିନୟର ପୁନରାଵୃତ୍ତି ହେଲା । ମୁଁ ଜଗନ୍ନାଥଙ୍କୁ ମୁଣ୍ଡିଆମାରି ଘରକୁ ଫେରିଵାର ମୁଣ୍ଡହଲା ନିର୍ଦ୍ଦେଶ ପାଇ ନିସ୍ତାର ପାଇଲି । ମନଟା କିନ୍ତୁ ଭାବିହେଲା ରଜାଙ୍କ ଆଖୁଝରା ଲୁହ କଥା । ମୁଁ ମନେ ମନେ ତାଙ୍କୁ ଯାହା ନାପସନ୍ଦ କରୁଥିଲି, ସେଇ କଥାଟା କେମିତି ବାଧିଲା ମୋତେ ଵିଵେକ ଆଘାତ ପାଇ । କେଡ଼େ ସରଳ ସେ ! କି ନିଷ୍ଠା ତାଙ୍କର ! ରାଜ ଅଭିମାନ ସେଠି କାହିଁ ? ଦଦାଙ୍କ ଘରକୁ ଆସି ଦେଖିଲି ଗୋଟିଏ ରୂପା ଥାଳିରେ ରଙ୍ଗପାଟ ଯୋଡ଼ଟିଏ ଆଉ ନଗଦ ଦଶଟଙ୍କା ଥୁଆ ହୋଇଛି ।
ସବା ଆଗେ ଆସନ ଦଉଡି଼ ଆସି ମୋତେ ଖବର ଦେଲା – ରଜାଘରୁ ତମପାଇଁ ଵିଦାକି ଆସିଛି ନନା । ମୋଠୁ ତାର ଖୁସି ବେଶି । ଦଦା ଓ ଖୁଡ଼ିମାନେ ଭାରି ଆନନ୍ଦ ହେଲେ । ଦିନ ବାରଟା ଗୋଟାକ ବେଳକୁ ଦିଅଁଙ୍କ ଭୋଗ ଖିରୀ-ଖେଚେଡ଼ୀ ଦଶ ପନ୍ଦର ଜଣ ଖାଇଲା ଭଳି ଆସି ପହଞ୍ଚିଲା I କ୍ରମେ ଦିନ ପ୍ରାୟ ଢଳି ଆସିଲା । ଅମାରି କଶି ହାତୀଆଲ ହାତୀରେ ଆସି ଦଦାଙ୍କ ଦୁଆରେ ହାଜର । ଯିବାବେଳ ହେଲା ।
ଆସନର ଛଳ ଛଳ ଆଖି ଦିଓଟି ସଙ୍ଗରେ ଅଧାଭଙ୍ଗା ଗଳାରୁ- ‘ନନା ! ଆଉ କେବେ ଆସିଵ ?” ପ୍ରଶ୍ନର ଉତ୍ତରରେ ଆଖିପତା ତିନ୍ତାଇ କୋହ ଚିପି କୌଣସି ମତେ କହିଲି, ‘ଦଶହରା ଛୁଟିରେ ।’ ‘ନନା ! ମୋ ରାଣଟି – ନିଶ୍ଚେ ଆସିଵ’, ଅମାନିଆଁ ଲୁହଧାର ଆଖି ପୂରାଇ ତଳକୁ ଝରି ପଡୁପଡ଼ୁ ହାତୀରେ ବସି ଗାଆଁକୁ ଲେଉଟିଲି ମୁଁ ।
ଜୀବନରେ ଛୋଟ ବଡ଼ କେତେ ଘଟଣା ଘଟେ, ହେଲେ ସଭିଏଁ ଛାତିରେ ଅଲିଭା-ଗିରା ମାରିଦେଇ ପାରନ୍ତି ନାହିଁ । ଏ ଘଟଣାଟି କିନ୍ତୁ ଅଭୁଲା ହୋଇ ରହିଯାଇଛି ଆଜି ଯାକେ-କେମିତି ଆଉ କାହିଁକି କେଜାଣି ? ଆସୁ-ଆସୁ ବାଟରେ କେତେ ଆମ୍ବତୋଟା, ଗାଆଁଗଣ୍ଡା, କ୍ଷେତକିଆରୀ, କୋଉଠି କଜଳପାତି, କୋଉଠି ଚଷାପୁଅ, ହଳଦିଵସନ୍ତ, ଗାଆଁ ପିଲାଙ୍କ ଧୂଳିଖେଳ, ନାଳ କୂଳରେ ଗାଆଁ ଝିଅଵୋହୂଙ୍କ ସଞ୍ଜଗାଧୁଆ, ପାଣିବୁହା- କେତେ କେତେ କଥା ଦେଖି ଯାଉଥାଏ । ସବୁ ଭିତରେ ଗୋଟିଏ ଭଙ୍ଗାଗଳା କେତେ ଆପଣାର କରି କହୁଥିଵାର ଶୁଣାଯାଉଥାଏ ମୋତେ- ନାନା, ମୋ ରାଣଟି ନିଶ୍ଚେ ଆସିଵ ।
କଥାରେ କହନ୍ତି- “ଏକା ମହାନଦୀ ସହସ୍ର କୋଶ” । ତାକୁ ପାରି ହେଲି ହାତୀରେ ବସି । ଗାଆଁ ମୁଣ୍ଡ ଧରିଲା ବେଳକୁ ଫୁଲସଞ୍ଜ । ମାଆଙ୍କ ଦେଉଳର ସଞ୍ଜ ଆଳତୀ ବେଳର ଯୋଡ଼ିମହୁରୀ ଶୁଭୁଥାଏ । ତିନିକୋଶ ବାଟ ଆସିଲି, ହେଲେ ମୋ ଆଖି କାନ ପାଖରେ ଭଉଣୀଟିର ଲୁହଭରା ସେ କଳା ଭଅଁର ପରି ସରଳ ସୁଢ଼ଳ ଆଖି ଦିଓଟି ଆଉ ତାର ଭଙ୍ଗାଗଳାର ରାଣ-ନିୟମଦିଆ ଅନୁରୋଧ ବରାବର ଖେଳିଵାରେ ଲାଗିଥାଏ- ଠିକ୍ ଯେମିତି ବାଟଟା ତିନିକୋଶ ଦୂର ନୁହେଁ, ତିନିହାତ ବି ନୁହେଁ- ମାତ୍ର ତିନି ଆଙ୍ଗୁଳି ଛଡ଼ାରେ ।
ମୋ କଥା ମୁଁ ରଖିପାରି ନାହିଁ । ଏହି ଘଟଣାର ପ୍ରାୟ କୋଡ଼ିଏ ଵର୍ଷ ପରେ ଯେତେବେଳେ ଥରେ କାର୍ଯ୍ୟ ଉପଲକ୍ଷରେ ପୁଣି ଥରେ ତିଗିରିଆ ଗଲି, ସେତେବେଳକୁ ଦେଖିଲି ସବୁ ବଦଳି ଯାଇଛି । ଦଦା ମରିଗଲେଣି, ଇତି ମଧ୍ୟରେ ଭଉଣୀର ଵାହାଘର ସରି ହତଭାଗିନୀ ଵିଧଵା ହୋଇଯାଇଛି । ମୁଁ ବି କମ୍ ବଦଳି ନାହିଁ । “ବେଙ୍ଗ ବୋଲେ ବେଙ୍ଗୁଲି ଲୋ ପୃଥ୍ବୀ କ୍ଷଣ କ୍ଷଣକେ ଆନ” କଥା ପଦକ ସେଇଠି ମନେ ପଡ଼ି ଦୀର୍ଘ ନିଃଶ୍ବାସଟାଏ ଛାଏଁ ଛାଏଁ ବାହାରି ପଡ଼ିଲା, ଅମାନିଆ ଲୁହ ଆଖି କୋଣରେ ରାଜୁତି କଲା । କେତେ ଦଶହରା ଛୁଟି ଵିତିଗଲା । ମାତ୍ର ମୋର ବଚନଦିଆ ଦଶହରା ଛୁଟି ଜୀଵନରେ ଆଉ ଥରେ ଆସିଲା ନାହିଁ । ଗାଆଁରେ ଥିଲେ ଅଵା ସେଥର ନ ହୋଇ ଆଉ ଥରେ ସେ ଦଶହରା ଛୁଟି ଆସନ୍ତା । ମାତ୍ର ଚର୍ଚ୍ଚିକା ସ୍କୁଲରେ ପାଠ ଶେଷକରି ମୁଁ ଗଲି ଖୋରଧା ହାଇସ୍କୁଲରେ ପଢ଼ିଵାକୁ । ତେଣୁ ମନକଥା ମନରେ ମଲା । “ଦାନ୍ତଗଲେ ଲୋକ ଦାନ୍ତର ମହତ ବୁଝେ”
କାଳିଚରଣ ପଟ୍ଟନାୟକଙ୍କର ୧୯୭୫ରେ ପ୍ରକାଶିତ ‘କୁମ୍ଭାରଚକ’ ଆତ୍ମଜୀଵନୀରୁ ପ୍ରୋକ୍ତ ‘ତିଗିରିଆ ଗଡ଼’ ଲେଖା ସଂଗୃହୀତ ‌ହୋଇଅଛି ।
~ ଲେଖକ ପରିଚୟ ~ 
ନାଟ୍ୟାଚାର୍ଯ୍ୟ, କଵିଚନ୍ଦ୍ର ଡକ୍ଟର କାଳୀଚରଣ ପଟ୍ଟନାୟକ (୧୮୯୭-୧୯୭୮)ଙ୍କୁ ଓଡ଼ିଶାରେ କିଏ ନ ଜାଣେ ? ଓଡ଼ିଆ ଭାଷା ସାହିତ୍ୟର ଅସାଧାରଣ ସାଧକ ତଥା ଓଡ଼ିଆ ନାଟକର କିମ୍ବଦନ୍ତୀ ପୁରୁଷ କଵିଚନ୍ଦ୍ରଙ୍କ କୃତିତ୍ଵ ପ୍ରତ୍ୟେକ ଓଡ଼ିଆଙ୍କର ଗର୍ଵ ଗୌରଵ-ଗାଥା ।
ସେ ଥିଲେ ଉତ୍କଳ ଦୀପିକା (୧୯୨୧) ଓ ମୁକୁର (୧୯୨୨)ର ସମ୍ପାଦକ, ୧୯୨୬ରେ ପ୍ରକାଶ ପାଉଥିଵା ଏକମାତ୍ର ସଙ୍ଗୀତ ସମ୍ବନ୍ଧୀୟ ମାସିକ ପତ୍ରିକାର ସମ୍ପାଦକ, ଅସାମାନ୍ୟ ନାଟ୍ୟକାର, କଵି, ସଙ୍ଗୀତଜ୍ଞ, ନୃତ୍ୟଵିଦ୍, ପ୍ରାବନ୍ଧିକ ତଥା ଅଭିନେତା, ଚଳଚ୍ଚିତ୍ର ଓ ମଞ୍ଚ ନିର୍ଦ୍ଦେଶକ, ଗାୟକ, ରଙ୍ଗମଞ୍ଚରେ ମହିଳାମାନଙ୍କୁ ଅଭିନୟ କରିଵାର ସର୍ଵପ୍ରଥମ ଉଦ୍ୟୋକ୍ତା ଓ ସୁଯୋଗଦାତା, କଲିକତା ରେଡିଓ ଷ୍ଟେସନର ସର୍ଵପ୍ରଥମ ଓଡ଼ିଆ କଣ୍ଠଶିଳ୍ପୀ, କଟକ ଆକାଶଵାଣୀ, ପ୍ରଥମ ରେକର୍ଡ କମ୍ପାନୀର ଅନ୍ୟତମ ଆଦ୍ୟ ପ୍ରତିଷ୍ଠାତା, ପ୍ରଥମ ପୂର୍ଣ୍ଣାଙ୍ଗ ଓଡ଼ିଆ ଚଳଚ୍ଚିତ୍ର ଲଳିତା ଓ ପ୍ରଥମ ଡକ୍ୟୁମେଣ୍ଟାରୀ ଫିଲ୍ମର ନିର୍ଦ୍ଦେଶକ, କେନ୍ଦ୍ର ନାଟକ ଏକାଡ଼େମୀର ପ୍ରଥମ ଓଡ଼ିଆ ଫେଲୋ, ଓଡିଶା ଗବେଷଣା କେନ୍ଦ୍ର ଓ ରାଜ୍ୟ ସଙ୍ଗୀତ ମହାବିଦ୍ୟାଳୟର ଅନ୍ୟତମ ପ୍ରତିଷ୍ଠାତା ତଥା ସଙ୍ଗୀତ ନାଟକ ଏକାଡ଼େମୀର ସଭାପତି ।
୧୯୪୭ରେ ପଦ୍ମଶ୍ରୀ ଉପାଧି ପ୍ରତ୍ୟାଖାନ କରିଥିଵା ପ୍ରଥମ ଓଡି଼ଆ ଥିଲେ କଵିଚନ୍ଦ୍ର କାଳୀଚରଣ ପଟ୍ଟନାୟକ (ଅଵଶ୍ୟ ତାଙ୍କର କୁମ୍ଭାରଚକ ଆତ୍ମଜୀଵନୀରେ ଏହାର କାରଣ କେଉଁଠି ଲେଖାଥିଵା ମିଳେନାହିଁ) । ‘କୁମ୍ଭାରଚକ’ ଏହି ଯୋଗଜନ୍ମାଙ୍କ ପୁରସ୍କାର ପ୍ରାପ୍ତ ଆତ୍ମଜୀଵନୀ ପୁସ୍ତକ । ଏହା ଵ୍ୟତୀତ ସେ ପାଇଥିଲେ କବିଚନ୍ଦ୍ର ଉପାଧି (୧୯୨୭), ଉତ୍କଳ ସାହିତ୍ୟ ସମାଜର ନାଟ୍ୟାଚାର୍ଯ୍ୟ ଉପାଧି, ଓ ସମ୍ବଲପୁର ଵିଶ୍ୱବିଦ୍ୟାଳୟ ଦ୍ୱାରା ପ୍ରଦତ୍ତ ଡକ୍ଟରେଟ୍ ଉପାଧି । ସଂକ୍ଷେପରେ କହିଵାକୁ ଗଲେ କଵିଚନ୍ଦ୍ର କାଳୀଚରଣ ପଟ୍ଟନାୟକଙ୍କ ଜୀଵନୀ ଏକ ଗୀତ—କଵିତା—ସଂଗୀତ—ନୃତ୍ୟ—ଅଭିନୟ ଆଦି ସମସ୍ତ ପ୍ରକାରର କଳାର ମହାଯାତ୍ରା ।

Leave a Comment

Your email address will not be published. Required fields are marked *

Scroll to Top