ଲେଖା: ରବୀନ୍ଦ୍ର କୁମାର ରଣା
ଖୋର୍ଦ୍ଧା ଜିଲ୍ଲାର ନିରାକାରପୁର ରେଳ ଷ୍ଟେସନ ଠାରୁ ମାତ୍ର ୩ କି.ମି. ଦୂର ଡ଼ିଆ ଗ୍ରାମରେ ଅବସ୍ଥିତ ପ୍ରସିଦ୍ଧ କପିଳେଶ୍ଵର ମହାଦେବ ମନ୍ଦିର । ଗାଁ ଠାରୁ ଟିକେ ଦୂରରେ ଏକ ସୁନ୍ଦର ପ୍ରାକୃତିକ ପରିବେଶରେ ଏହି ପ୍ରାଚୀନ ମନ୍ଦିରଟି ଅବସ୍ଥିତ ।
ମନ୍ଦିର ପରିବେଶ ଯେତିକି ସୁନ୍ଦର ଏହାର ନୀତିକାନ୍ତି ଓ ପୂଜା ପରମ୍ପରା ତାଠାରୁ ବେଶୀ ବିଚିତ୍ର । ଏହି ଠାକୁରଙ୍କର ମୁଖ୍ୟପର୍ବ ହେଉଛି ଅଶୋକାଷ୍ଟମୀ । ଭୁବନେଶ୍ୱରର ଲିଙ୍ଗରାଜ ଦେବ ଏବଂ ଡି଼ଆ ଗ୍ରାମର କପିଳେଶ୍ୱର ଦେବଙ୍କ ପୀଠରେ ଏକା ତିଥି ଅଶୋକାଷ୍ଟମୀରେ ରଥଯାତ୍ରା ଅନୁଷ୍ଠିତ ହୋଇଥାଏ, କିନ୍ତୁ ଉଭୟ ପୀଠରେ ବହୁ ପାର୍ଥକ୍ୟ ରହିଛି । ଲିଙ୍ଗରାଜ ଦେବଙ୍କ ରୁକୁଣାରଥ ଅଣଲେଉଟା ହୋଇଥାଏ, ମାତ୍ର କପିଳେଶ୍ୱର ଦେବଙ୍କର ରଥ ଲେଉଟିଥାଏ ତାହା ପୁଣି ଅର୍ଦ୍ଧରାତ୍ରରେ । ଖାଲଖମା ବିଲରାସ୍ତା ଓ ଶ୍ମଶାନ ମଧ୍ୟ ଦେଇ ଭକ୍ତମାନେ ଟାଣି ଟାଣି ନେଇଥାନ୍ତି ସେ ରଥକୁ । ପୁରୀ ଗଜପତି ମହାରାଜାଙ୍କ ଦ୍ୱାରା ପ୍ରତିଷ୍ଠିତ ଏହି ମନ୍ଦିରର ଅଶୋକାଷ୍ଟମୀ ରଥଯାତ୍ରା ଉପଲକ୍ଷେ ଶ୍ରୀମନ୍ଦିରରୁ ଚନ୍ଦନକାଠ, ଆଜ୍ଞାମାଳ, ପାଟପତନୀ, ଯାତ୍ରାପାହୁଣା ଆଦି ପଠାଯିବାର ବିଧି ମାଦଳାପାଞ୍ଜି ରେ ଉଲ୍ଲିଖିତ ରହିଛି । ଏହି ପ୍ରାଚୀନ ପରମ୍ପରା ଏବେ ମଧ୍ୟ ପ୍ରଚଳିତ । ଅଶୋକାଷ୍ଟମୀ ତିଥିରେ ପ୍ରଭୁ କପିଳେଶ୍ୱର ରଥାରୂଢ ହୋଇ ଯାତ୍ରା ଆରମ୍ଭ କରିଥିବା ବେଳେ ଦ୍ଵାଦଶ ତିଥିରେ ହୋଇଥାଏ ବାହୁଡ଼ା ଯାତ୍ରା ।
ଆଉ ଏକ ନିଆରା ପରମ୍ପରା ଦେଖିବାକୁ ମିଳେ ଏଠାରେ ହରିହର ଭେଟ ସମୟରେ, ସାଧାରଣତଃ ସବୁ ସ୍ଥାନରେ ମହାଦେବଙ୍କ ସହ ବିଷ୍ଣୁଙ୍କ ମଧ୍ୟରେ ହରିହର ଭେଟ ହୋଇଥାଏ କିନ୍ତୁ ଏଠାରେ ମହାଦେବଙ୍କ ସହ ମହାଦେବଙ୍କ ଭେଟ ହୋଇଥାଏ । ଏଠାରେ କପିଳେଶ୍ୱର ଦେବଙ୍କର ସହିତ ନିକଟସ୍ଥ ଗ୍ରାମର ଗ୍ରାମେଶ୍ୱର ମହାଦେବଙ୍କ ସହ ହୋଇଥାଏ ହରିହର ଭେଟ । ପରେ ଦୁଇ ଠାକୁର ଏକତ୍ର ରଥାରୂଢ ହୋଇ ଯାତ୍ରା କରନ୍ତି ।
କେତେକ ଐତିହାସିକଙ୍କ ମତ ଯେ ମହାଦେବଙ୍କ ଏହି ପୀଠ ବାସ୍ତବରେ ପ୍ରଥମେ ଏକ ଶକ୍ତିପୀଠ ଥିଲା । ତନ୍ତ୍ର ସାଧନାର ଏହା ଏକ ପ୍ରାଚୀନ ପୀଠ ଅଟେ । କାରଣ ଏହି ମନ୍ଦିରରେ ଚାମୁଣ୍ଡାଙ୍କ ସହିତ ବୈଷ୍ଣବୀ ଏବଂ ମହିଷାମର୍ଦ୍ଦିନୀ ପାର୍ଶ୍ଵଦେବୀ ଭାବରେ ପୂଜିତ ହୁଅନ୍ତି । ମୂଳ ମନ୍ଦିରର ଉତ୍ତର ଦିଗରେ ଅନ୍ୟ ଏକ ମନ୍ଦିରରେ ଏହି ତିନି ଦେବୀ ଗୋଟିଏ ଆସ୍ଥାନରେ ବିରାଜମାନ । ସାଧାରଣତଃ ମହାଦେବଙ୍କ ପୀଠରେ ଏପରି ତିନି ଦେବୀ ପାର୍ଶ୍ଵଦେବୀ ଭାବରେ ପୂଜିତ ହେବା ବିରଳ । ଏହା ଏକ ଶୈବପୀଠ ହେଲେ ମଧ୍ୟ ଦେବୀ ମାନଙ୍କ ପାଖରେ ଆମିଷ ଭୋଗ ଓ ବଳିପ୍ରଥା ରହିଛି । ଆଉ ମଧ୍ଯ ଏହି ଶୈବ ପୀଠ ନିକଟରେ ଶ୍ମଶାନ ରହିଛି । ସାଧାରଣତଃ ତନ୍ତ୍ର ସାଧନାର ନୀତିକାନ୍ତି ପ୍ରାୟ ରାତିରେ ହିଁ ହୋଇଥାଏ । ତେବେ ଏଠାରେ ରାତିରେ ରଥଟଣା ପରମ୍ପରା ହୁଏ, ଏହା ତନ୍ତ୍ରପୀଠକୁ ଅଧିକ ଦୃଢ଼ୀଭୂତ କରୁଛି ।
ଏବେ ଏଠାରେ ଥିବା ଏହି ସୁନ୍ଦର ମନ୍ଦିରଟି ଗଜପତି କପିଳେଶ୍ୱର ଦେବଙ୍କ ଦ୍ୱାରା ପ୍ରତିଷ୍ଠିତ ହୋଇଥିବା କୁହାଯାଏ । ଗଜପତି ପ୍ରଥମେ ଏଠାରେ ମହାଶକ୍ତିଙ୍କୁ ଆରାଧନା କରୁଥିଲେ, ପରେ ଏଠାରେ ପାତାଳଫୁଟା ହୋଇ ମହାଦେବ ଉଭା ହେବା ପରେ ଏଠାରେ ଶିବ ମନ୍ଦିରଟି ନିର୍ମାଣ ହୋଇଥିଲା । ପ୍ରାଚୀନ କିମ୍ବଦନ୍ତୀ ଓ ଇତିହାସର ପୃଷ୍ଠଭୂମି ବହନ କରୁଥିବା ଏହି କପିଳେଶ୍ଵର ମନ୍ଦିର ବାସ୍ତବରେ ଏକ ସୁନ୍ଦର ଦର୍ଶନୀୟ ସ୍ଥାନ ।