ଲେଖା: ଶିଶିର ମନୋଜ ସାହୁ
~ କନ୍ତିଓ ମଠ ~
ଢେଙ୍କାନାଳରେ ଥିଵା ବାରଗୋଟି ଵୈଷ୍ଣଵ ମଠ ମଧ୍ୟରେ ଆମ ଗାଆଁର #କନ୍ତିଓ_ମଠ ଅନ୍ୟତମ । ୰ଶ୍ରୀରାମଚନ୍ଦ୍ର ଭକ୍ତିଵିନୋଦଙ୍କ ଦ୍ଵାରା ସଂକଳିତ “ଢେଙ୍କାନାଳ ଭୂଗୋଳ” ପୁସ୍ତକ ଅନୁସାରେ ଢେଙ୍କାନାଳର ପ୍ରମୁଖ ବାରଗୋଟି ମଠଗୁଡି଼କ ହେଲା …
କ) ଯାଉଁଳିପୋଖରୀ ମଠ (ନିଜଗଡ଼ ଵିଷୟ)
ଖ) ଜୟଗୋପାଳ ମଠ (ନିଜଗଡ଼ ଵିଷୟ)
ଗ) ଶମ୍ଭୁଗୋପାଳ ମଠ (ନିଜଗଡ଼ ଵିଷୟ)
ଘ) ଖୁଣ୍ଟଝରୀ ମଠ (ଵଳରାମପୁର ଵିଷୟ)
ଙ) କନ୍ତିଓ ମଠ (ପାରିମାଳ ଵିଷୟ)
ଚ) ଅଘିରାଗୁଡ଼ା ମଠ (ପାରିମାଳ ଵିଷୟ)
ଛ) ଜିରିଡ଼ାମାଳି ମଠ (ଜେନାଦେଶ ଵିଷୟ)
ଜ) ଖୋକସା ମଠ (ନୃସିଂହନାଥ ଵିଷୟ)
ଝ) ବାଲିବୋ ମଠ (ଗଁପୁର ଵିଷୟ)
ଞ) ଜକିୟା ମଠ (ନୂଆଗଡ଼ ଵିଷୟ)
ଟ) ରିଆମଠ (ରାୟସିଂହ ପ୍ରସାଦ ଵିଷୟ)
ଠ) ତେନ୍ତୁଳିଆ ମଠ (ବଣିଆପଡ଼ା ଵିଷୟ)
ଢେଙ୍କାନାଳ ଭୂଗୋଳ ପୁସ୍ତକର ଅନ୍ୟ ଏକ ସ୍ଥାନରେ ୰ଶ୍ରୀରାମଚନ୍ଦ୍ର ଭକ୍ତିଵିନୋଦଙ୍କ ଦ୍ଵାରା ଉଲ୍ଲେଖ କରାଯାଇଛି ଯେ “କନ୍ତିଓ ଗ୍ରାମ ହେଉଛି ଢେଙ୍କାନାଳ ରାଜାଙ୍କର ରାଜଗୁରୁଙ୍କ ଗ୍ରାମ ।”
(ପୁରୁଣା ଭଗ୍ନ କନ୍ତିଓ ମଠ)
ପୁରୁଣା କନ୍ତିଓ ମଠ ଓ ଶ୍ରୀଵୃନ୍ଦାଵନଚନ୍ଦ୍ର ଭଗଵାନଙ୍କର ମନ୍ଦିର ବ୍ରାହ୍ମଣୀ ନଦୀକୂଳରେ ଅଵସ୍ଥିତ ଥିଲା କିନ୍ତୁ ଅଧୁନା ଏ ଉଭୟ ନଦୀ ଠାରୁ ଏକ ଦେଢ଼ କି.ମି. ପଶ୍ଚିମରେ ପୁନଃନିର୍ମିତ ହୋଇଅଛି ।
(ନୂତନ କନ୍ତିଓ ଶ୍ରୀଵୃନ୍ଦାଵନଚନ୍ଦ୍ର ଭଗଵାନଙ୍କ ମନ୍ଦିର)
ଵର୍ତ୍ତମାନ ସମୟରେ ପାରିମାଳ ପ୍ରଗଣା ମଧ୍ୟରେ ଜୁଲଙ୍ଗ, ଗୁଡ଼ାସାହି, ପୁଟସାହି, ଜକା, ଖୁଣ୍ଟବାଟି ଆଦି ଅନେକ ନୂତନ ଗ୍ରାମ ମଧ୍ୟ ଗଠିତ ହୋଇଛି କିନ୍ତୁ ପୂର୍ଵେ ପ୍ରୋକ୍ତ ଗ୍ରାମଗୁଡି଼କ ସ୍ଵତନ୍ତ୍ର ଗ୍ରାମର ମାନ୍ୟତା ପାଇନଥିଵା ଢେଙ୍କାନାଳ ଭୂଗୋଳ ପୁସ୍ତକରେ ଉଲ୍ଲେଖ ନଥିଵାରୁ ଅନୁମାନ କରାଯାଇପାରେ ।
ରାୟନୃସିଂହପୁର ଠାରୁ କାଳିଆହତା ଯାଏଁ ଅଁଳାବେରେଣୀଠାରୁ ସୁଗୋର ପର୍ଯ୍ୟନ୍ତ ଅଞ୍ଚଳକୁ ଆଗେ ପାରିମାଳ ଵିଷ ଵା ପ୍ରଗଣା କୁହାଯାଉଥିଵା ଆଜି ବହୁତ କମ୍ କାମାକ୍ଷାନଗରଵାସୀ ଜାଣିଥିବେ ।
(ଜକା ଗ୍ରାମର ମହିମାପୀଠ)
ତେବେ ଆଜିର ପାରିମାଳ ପ୍ରଗଣା ମଧ୍ଯରେ ପଣ୍ଡୁଆ ଓ ଅଁଳାବେରେଣି ନଗର ଆଡ଼କୁ ଗତି କରୁଥିଵାବେଳେ ଆମ କନ୍ତିଓ ପୁଟସାହି ପଞ୍ଚାୟତର ଗ୍ରାମ ଜକା ହୋଇପାରିଛି ମହିମା ଧର୍ମର ଅନ୍ୟତମ ପୀଠ ।