ଲେଖା: ଦେଵ ତ୍ରିପାଠୀ
ଓଡ଼ିଆ ପତ୍ରପତ୍ରିକା ଜଗତର ପୁନଃ ଉଜ୍ଜୀବିତ ହେବା ସମୟର କଥା ! ଏ ନୂତନ ଆନ୍ଦୋଳନରେ ଯୋଗ ଦେଇଥିଲେ କେତେ କେତେ ନବ୍ୟ ସଭ୍ୟ ଯୁବକ !
~ ବିଜ୍ଞାନ ଦର୍ପଣ ~
କଟକର କିଛି ବିଜ୍ଞାନ ପଢ଼ୁଆ ଧୀମାନ୍ ତରୁଣଙ୍କ ଉଦ୍ୟମରେ ଶିଶୁ କିଶୋର ତଥା ବିଜ୍ଞାନ ପାଠ ଆଶାୟୀ ଛାତ୍ରଛାତ୍ରୀଙ୍କୁ ଲକ୍ଷ୍ୟ କରି ୧୮୮୦ ମସିହାରେ ପ୍ରକାଶନ ଆରମ୍ଭ ହେଲା ଓଡ଼ିଆ ଭାଷାର #ପ୍ରଥମ_ବିଜ୍ଞାନପତ୍ରିକା #ବିଜ୍ଞାନ_ଦର୍ପଣ। ଛାତ୍ରଛାତ୍ରୀଙ୍କ ମଧ୍ୟରେ ବିଜ୍ଞାନପାଠକୁ ଲୋକପ୍ରିୟ କରିବା ତଥା ବିଜ୍ଞାନଭିତ୍ତିକ ତଥ୍ୟ ଉପସ୍ଥାପନ ଉଦ୍ଦେଶ୍ୟରେ ପ୍ରକାଶିତ ଏଇ ପତ୍ରିକାର କେହି ପୃଷ୍ଠପୋଷକ ନ ଥିଲେ ମଧ୍ୟ ଉଦୀୟମାନ ତରୁଣମାନଙ୍କୁ ସମର୍ଥନ ଦେଇଥିଲେ କିଛି ଗୁଣୀ ଓଡ଼ିଆ ଏବଂ ବ୍ରିଟିଶ ଲୋକ !
‘ବିଜ୍ଞାନ ଦର୍ପଣ’ ପୂର୍ବରୁ ମଧ୍ୟ ଏକାଧିକ ବିଜ୍ଞାନ ଲେଖା ପ୍ରକାଶିତ ଅବଶ୍ୟ ହେଇସାରିଥିଲା । ଦୃଷ୍ଟାନ୍ତସ୍ଵରୂପ, ଏହାର ଆବିର୍ଭାବ କ୍ରମେ ସ୍ପଷ୍ଟତର ହେଲା ଯେତେବେଳେ ‘ଉତ୍କଳ ଦର୍ପଣ‘ର ୧ମ ସଂଖ୍ୟା ପତ୍ରିକା ମାଧ୍ୟମରେ ମଧୁସୂଦନଙ୍କ ଅନୂଦିତ ‘ଚନ୍ଦ୍ର ଓ ତାରା’ ପ୍ରକାଶ ପାଇଲା । ସେହି ବର୍ଷ ‘ଚନ୍ଦ୍ରଗ୍ରହଣ‘, ‘ଗ୍ରହମାନେ ପ୍ରାଣୀମାନଙ୍କର ଆବାସଭୂମି କି ନା ?’ ଓ ତତ୍ପରବର୍ତ୍ତୀ ଅନେକ ପତ୍ରିକାରେ ବହୁତ ଲୋକାଭିମୁଖୀ ବିଜ୍ଞାନଭିତ୍ତିକ ପ୍ରବନ୍ଧ ପ୍ରକାଶ ପାଇଲା ।
ବିଭିନ୍ନ ପ୍ରକାରର ରଙ୍ଗୀନ କାଗଜରେ ବିଜ୍ଞାନପାଠ ସମ୍ବନ୍ଧୀୟ ଚିତ୍ର ସମ୍ବଳିତ ଏଇ ପତ୍ରିକା ଛାତ୍ରଛାତ୍ରୀଙ୍କ ଆଦୃତି ଲାଭ କରିଥିବା ସତ୍ତ୍ୱେ, ବିଦ୍ୟାଳୟ କର୍ତ୍ତୃପକ୍ଷମାନଙ୍କ ଅସହଯୋଗ ଏବଂ ବିଜ୍ଞାନଭିତ୍ତିକ ଲେଖାର ଅଭାବ ଯୋଗୁଁ ପ୍ରକାଶନ ଅନେକାଂଶରେ ବାଧାପ୍ରାପ୍ତ ହେଉଥିଲା । ତଥାପି ଦୃଢ଼ମନା ପ୍ରକାଶକମାନଙ୍କ ନିରବଚ୍ଛିନ୍ନ ଉଦ୍ୟମ ପାଇଁ ବାରମ୍ବାର ବନ୍ଦ ଏବଂ ପ୍ରକାଶିତ ହେଉଥିବା ‘ବିଜ୍ଞାନ ଦର୍ପଣ’ ପତ୍ରିକାଟି ଶେଷରେ ସାତବର୍ଷର ସଂଘର୍ଷମୟ ଜୀବନରୁ ବିଦାୟ ନେଲା । ଦୁଃଖର କଥା, ଗବେଷକଙ୍କ ଧ୍ୟାନ ଆକର୍ଷଣ କରି ପାରି ନ ଥିବା ଏଇ ପତ୍ରିକା ବାବଦରେ ବିଶେଷ କିଛି ତଥ୍ୟ ମିଳେନା !
~ ତାରକା ~
୧୮୮୩ ମସିହାରେ ଓଡ଼ିଆ ପତ୍ରପତ୍ରିକା ଜଗତରେ ଯୋଡ଼ିହେଲା ନୂଆ ଅଧ୍ୟାୟ ! ପତ୍ରିକାର ପାଠକଭାବେ ବାଛି ନିଆଯାଇଥିଲା ଶିଶୁ ଓ କିଶୋରଙ୍କୁ । ସ୍କୁଲପିଲାଙ୍କୁ ଲକ୍ଷ୍ୟ କରି #ତାରକା ନାମକ ପତ୍ରିକାଟି ବାଲେଶ୍ୱରରୁ ପ୍ରକାଶ ପାଇଥିଲା। ଛୋଟ ଛୋଟ ଉପଦେଶାତ୍ମକ ଗଳ୍ପ, କବିତା, ଜୀବନୀ, ଆଲୋଚନା, ସମ୍ବାଦ ଆଦିର ଉପସ୍ଥାପନ ସହିତ ଗଣିତ ଓ ବିଜ୍ଞାନର ତତ୍ତ୍ୱକୁ ମଧ୍ୟ ସରଳ ଭାଷାରେ କୁହାଯାଉଥିଲା। ରେଖାଚିତ୍ର ଦ୍ୱାରା ସମୃଦ୍ଧ ଥିଲା ଆଲୋଚନା ସବୁ। ଦୀର୍ଘଦିନ ପର୍ଯ୍ୟନ୍ତ ତିଷ୍ଠି ନ ପାରିଥିଲେ ମଧ୍ୟ ଓଡ଼ିଆ ଭାଷାର #ପ୍ରଥମ #ଶିଶୁକିଶୋର_ପତ୍ରିକା ‘ତାରକା’ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ପ୍ରିୟଭାଜନ ହେବା ସଙ୍ଗେ ସଙ୍ଗେ ଓଡ଼ିଆ ପତ୍ରପତ୍ରିକା ଜଗତରେ ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରିପାରିଥିଲା ।
ଉକ୍ତ ବର୍ଷ ବାଲେଶ୍ଵରରୁ #ଧୂମକେତୁ ପତ୍ରିକାର ପ୍ରକାଶନ ହୋଇଥିଲା, ମାତ୍ର ବିଶେଷ ପାଠକୀୟ ଆଦୃତି ଲାଭ କରିପାରି ନ ଥିଲା ।
~ ସେବକ ~
#ଓଡ଼ିଶା_ମିଶନ_ପ୍ରେସ (କଟକ ମିଶନ ପ୍ରେସ ଭାବେ ଲୋକପ୍ରିୟ) ରେ ମୁଦ୍ରିତ ତଥା ଭାବଗ୍ରାହୀଦାସଙ୍କ ସମ୍ପାଦନାରେ ୧୯ ନଭେମ୍ବର ୧୮୮୩ ମସିହାରେ ପ୍ରକାଶ ପାଇଲା #ସେବକ ପତ୍ରିକା। ସାପ୍ତାହିକ ପତ୍ରିକା ରୂପେ ଏହା ପ୍ରକାଶ ପାଉଥିଲା ଆଉ ଏହା ସର୍ବଭାରତୀୟ ସ୍ତରର ବ୍ରାହ୍ମସମାଜର ମୁଖପତ୍ର ରୂପେ ମଧ୍ୟ ସ୍ଵୀକୃତି ଲାଭ କରିଥିଲା । ଏହାର ପ୍ରଧାନ ଶ୍ଳୋକ ଥିଲା :
ଏକ ଏକ ସୁଂହୃଦେର୍ମୋ ନିଧବେପ୍ୟନୁଯାତପ ?
ଶରୀରେଣ ସମନାଶଂ ସର୍ବମାନ୍ୟାଜ୍ଞ ଗଚ୍ଛତି ।।
ମୁଖ୍ୟତଃ ବ୍ରାହ୍ମସଙ୍ଗୀତ, ଦର୍ଶନ, ବିଚାରର ସମ୍ବାଦ ତଥା ପ୍ରବନ୍ଧ, କବିତା, ଗଳ୍ପ, ସମାଲୋଚନା, ଗ୍ରନ୍ଥସମୀକ୍ଷା ଏବଂ ଇଂରାଜୀ ଭାଷାରେ ସମ୍ପାଦକୀୟ ପ୍ରକାଶିତ ହେଉଥିବା କାରଣରୁ ପତ୍ରିକାଟି ସ୍ଵତନ୍ତ୍ର ଥିଲେ ହେଁ ପାଠକ ମଧ୍ୟ ଥିଲେ ସୀମିତ । ଚତୁର୍ଭୁଜ ପଟ୍ଟନାୟକଙ୍କର ବ୍ରାହ୍ମବାଦୀ ମାନସିକତାର ଏହି ମୁଖପତ୍ର ୧୮୮୪ ମସିହାରେ #ସଂସ୍କାରକ ପତ୍ରିକା ସହ ମିଶିଯାଇଥିଲା।
~ ଶିକ୍ଷାବନ୍ଧୁ ~
୧୮୮୫ ମସିହାରେ ଭକ୍ତକବି ମଧୁସୂଦନ ରାଓ ବିଦ୍ୟାଳୟର ଶିକ୍ଷକମାନଙ୍କୁ ଅଧ୍ୟାପନାରେ ସାହାଯ୍ୟ କରିବା ପାଇଁ ଏକ ପତ୍ରିକାର ଆବଶ୍ୟକତା ଅନୁଭବ କରି #ଶିକ୍ଷାବନ୍ଧୁ ପତ୍ରିକାର ସୃଷ୍ଟି କରିଥିଲେ। ସେତେବେଳେ ଏହାର ସମ୍ପାଦକ ଥିଲେ ଯୋଗେଶଚନ୍ଦ୍ର ଜେନା। ଦୁଇବର୍ଷ ନିୟମିତ ପ୍ରକାଶିତ ହେବା ପରେ ଏହା ବନ୍ଦ ହୋଇଯାଇଥିଲା। ଏଥିରେ ମୁଖ୍ୟତଃ ଶିକ୍ଷା ଓ ସାହିତ୍ୟ ସଂକ୍ରାନ୍ତରେ ଆଲୋଚନା ହେଉଥିଲା। ପାଠ୍ୟପୁସ୍ତକରେ ଥିବା ବିଭିନ୍ନ ବିଷୟକ ଆଲୋଚନା ପତ୍ରିକାଟିର ଅନ୍ୟତମ ଆକର୍ଷଣ ଥିଲା ନିଶ୍ଚିତ।
~ ପ୍ରଦୀପ ~
ସାହିତ୍ୟ ଓ ସମାଲୋଚନାମୂଳକ ପତ୍ରିକା #ପ୍ରଦୀପ ପ୍ରକାଶ ପାଇଥିଲା ୧୮୮୫ ମସିହାରେ। ବୈକୁଣ୍ଠନାଥ ଦତ୍ତ ପତ୍ରିକାଟିର ସମ୍ପାଦନା କରୁଥିଲେ ଏବଂ ଏହା ନିଜସ୍ୱ ଲେଖକଗୋଷ୍ଠୀ ସୃଷ୍ଟି କରିବାକୁ ସକ୍ଷମ ହୋଇଥିଲା। କିନ୍ତୁ ଲେଖାଗୁଡ଼ିକରେ ସେମାନଙ୍କ ନାମ ଉଲ୍ଲେଖ ନ ଥାଇ ମଧ୍ୟ ପୂର୍ବବର୍ତ୍ତୀ ପତ୍ରିକା ତୁଳନାରେ ଉଚ୍ଚ ମାନର କବିତା ତଥା ସରଳ ଭାଷାର ପ୍ରବନ୍ଧ, ଆଲୋଚନା, ଉପନ୍ୟାସ ଆଦି ପ୍ରକାଶ ପାଉଥିଲା। ଉଲ୍ଲେଖଯୋଗ୍ୟ ଯେ, ‘ବିଜ୍ଞାନ ଦର୍ପଣ’ ପରି ବିଭିନ୍ନ ରଙ୍ଗର କାଗଜରେ ପ୍ରଚ୍ଛଦ ଛପାପାଇ ପ୍ରଦୀପ ପତ୍ରିକା ଆକର୍ଷଣୀୟ ହେଇପାରିଥିଲା ।
~ ତାରକା ଓ ଶୁଭବାର୍ତ୍ତା ~
ରେଭରେଣ୍ଡ ମିଲର୍ଙ୍କ ସମ୍ପାଦନାରେ କଟକରୁ ୧୮୮୬ ମସିହାରେ ପ୍ରକାଶିତ ହେଲା ମିଶନାରୀ ମାସିକ ପତ୍ରିକା ‘ତାରକା ଓ ଶୁଭବାର୍ତ୍ତା’ । ଏଥିରେ ଖ୍ରୀଷ୍ଟିଆନ ମିଶନର ଆୟବ୍ୟୟ, ଚର୍ଚ୍ଚସଂଖ୍ୟା, ଧର୍ମପ୍ରଚାରକଙ୍କ ସଂଖ୍ୟା, ସେମାନଙ୍କର କାର୍ଯ୍ୟବିଧି ପ୍ରକାଶିତ କାରଣରୁ ଏହାର ପାଠକ ନିର୍ଦ୍ଦିଷ୍ଟ ଓ ସୀମିତ ଥିଲେ ମଧ୍ୟ ଏହାର ଗଦ୍ୟଲିଖନ ଶୈଳୀ ଯୁକ୍ତିନିଷ୍ଠ, ତଥ୍ୟପୁଷ୍ଟ ଓ ପୂର୍ବପ୍ରକାଶିତ ପ୍ରାଣହୀନ ମିଶନାରୀ ଶୈଳୀଠାରୁ ସ୍ବତନ୍ତ୍ର ଥିଲା । ନିଜସ୍ବ ପ୍ରକାଶନ ସଂସ୍ଥା ଜନିତ ସର୍ବନିମ୍ନ ପ୍ରକାଶନ ଖର୍ଚ୍ଚ ଏବଂ ନିର୍ଦ୍ଦିଷ୍ଟ ପାଠକ ଗୋଷ୍ଠୀ ମଧ୍ୟରେ ଅଚିରେ ପହଞ୍ଚିପାରିବାର ସୁଯୋଗରେ ପତ୍ରିକାଟି ଦୀର୍ଘ ଦିନ ତିଷ୍ଠି ପାରିଥିଲା । ଅବଶ୍ୟ ଓଡ଼ିଆ ପତ୍ରପତ୍ରିକା ଜଗତରେ ପ୍ରଥମଥର ପାଇଁ ଏ ପତ୍ରିକାଟି ଧର୍ମାନ୍ତରୀକରଣ ଉଦ୍ଦେଶ୍ୟରହିତ ଥିଲା।
~ ନବସମ୍ବାଦ ~
କଟକର ଭୂପତିନାଥ ବସୁ ନାମକ ଜଣେ ବଙ୍ଗୀୟ ଗୁଣୀବ୍ୟକ୍ତିଙ୍କ ଦ୍ଵାରା ୧୮୮୭ ମସିହାରେ ପ୍ରକାଶିତ ହେଲା #ନବସମ୍ବାଦ । ଅନନ୍ୟ ପରିପାଟୀ ତଥା ଲୋକାଭିମୁଖୀ ସାହିତ୍ୟ ଏବଂ ସମ୍ବାଦ ପରିବେଷଣ କରି ଓଡ଼ିଆ ପତ୍ରପତ୍ରିକା ଜଗତରେ ନୂତନତ୍ବ ଆଣିଥିଲା ନବସମ୍ବାଦ । ଅହେତୁକ ଚାହିଦା ବୃଦ୍ଧି ଯୋଗୁଁ କଟକ ସମେତ ବାଲେଶ୍ଵରରୁ ମଧ୍ୟ ପ୍ରକାଶିତ ହେଉଥିଲା ଏ ପତ୍ରିକା !
ସଫଳତାର ଶୀର୍ଷରେ ଥାଇ ମଧ୍ୟ ବ୍ରିଟିଶ ସରକାରର ଚକ୍ରାନ୍ତରେ କଟକର ବିଭିନ୍ନ ପ୍ରେସରେ ଅଗ୍ନି ସଂଯୋଗ, ପୁଲିସ ବାହିନୀ ଦ୍ଵାରା ପ୍ରକାଶନ ବନ୍ଦ କରାଇବା, ଧର୍ମାନ୍ତରୀକରଣକୁ ବିରୋଧ କରି ଲେଖା ପ୍ରକାଶ କରୁଥିବା ପ୍ରକାଶକମାନଙ୍କୁ ଆକ୍ରୋଶମୂଳକ ଭାବେ ହଇରାଣ କରିବା ଇତ୍ୟାଦି କାରଣରୁ ସଫଳତାର ଶୀର୍ଷରେ ଥାଇ ମଧ୍ୟ ନବସମ୍ବାଦ ସମେତ କଟକରୁ ପ୍ରକାଶିତ ବିଭିନ୍ନ ଓଡ଼ିଆ ପତ୍ରପତ୍ରିକା ପ୍ରଭାବିତ ହୋଇଥିଲା । ସୁଯୋଗ ଉଣ୍ଡି ଓଡ଼ିଆ ଭାଷାମାରଣ ଦିଗରେ ବ୍ରିଟିଶ ସରକାର ସହ ହାତ ମିଳାଇଥିଲେ ବଙ୍ଗାଳୀମାନେ । ଚକ୍ରାନ୍ତର ଶିକାର ହୋଇ ବନ୍ଦ ହୋଇଗଲା ଭୂପତିନାଥଙ୍କ ନବସମ୍ବାଦ ।
~ ପ୍ରଜାବନ୍ଧୁ ~
୧୮୮୭ ମସିହାରେ ବାଲେଶ୍ଵରରୁ ସମ୍ପାଦିତ ତଥା କଟକରୁ ପ୍ରକାଶିତ ହେଲା ମାସିକ ପତ୍ରିକା #ପ୍ରଜାବନ୍ଧୁ ! ନିଜ ନାମକୁ ସାର୍ଥକ କରିବା ଭଳି ଓଡ଼ିଆଙ୍କ ଭାବାବେଗକୁ ଅତି ଶୀଘ୍ର କରିପାରିଥିଲେ ମଧ୍ୟ ସ୍ବଳ୍ପକାଳ ଭିତରେ ଏହାର ପ୍ରକାଶନ ବନ୍ଦ ହେଇଗଲା !
ତେବେ ମହାରାଜା ହରିହର ମର୍ଦ୍ଦରାଜଙ୍କ ପୃଷ୍ଠପୋଷକତାରେ ୧୯୦୨ ମସିହା ଜୁନ ମାସ ପ୍ରଥମ ସପ୍ତାହରୁ ଗଞ୍ଜାମ ଜିଲ୍ଲା ରମ୍ଭାରୁ ପଣ୍ଡିତ #ନୀଳମଣି_ବିଦ୍ୟାରତ୍ନଙ୍କ ଦ୍ଵାରା ସମ୍ପାଦିତ ହୋଇ କଟକରୁ ସାପ୍ତାହିକ ଭାବେ ପ୍ରକାଶିତ ହେଲା । ‘ପ୍ରଜାବନ୍ଧୁ’ ସେ ସମୟରେ ସାଜିଥିଲା ଉତ୍କଳ ସମ୍ମିଳନୀ ଓ ଓଡ଼ିଆ ଆନ୍ଦୋଳନରେ ମୁଖପତ୍ର । ପରେ ପରେ ଏହି ପତ୍ରିକା ପ୍ରକାଶନ ପାଇଁ ମହାରାଜା #ହରିହର_ମର୍ଦ୍ଦରାଜ ରମ୍ଭାଠାରେ ପ୍ରତିଷ୍ଠା କରିଥିଲେ ଏକ ସ୍ୱତନ୍ତ୍ର ପ୍ରେସ୍ ।
ନୀଳମଣି ବିଦ୍ୟାରତ୍ନଙ୍କ ନିର୍ଭୀକ ସମ୍ପାଦନାପୂର୍ବକ ସାମାଜିକ ସଂସ୍କାର, ବିଧବା ବିବାହ, ଶିକ୍ଷା ସଂସ୍କାର, ଓଡ଼ିଆ ଭାଷାପ୍ରଚାର ଏବଂ ସର୍ବୋପରି ସାହିତ୍ୟ ତଥା ସାହିତ୍ୟିକ ମାନଙ୍କ ପ୍ରୋତ୍ସାହନ ଦିଗରେ ସେ ନିରନ୍ତର ଚେଷ୍ଟା କରିଚାଲିଥିଲା ‘ପ୍ରଜାବନ୍ଧୁ’ ।
~ ଓଡ଼ିଆ ଓ ନବସମ୍ବାଦ ~
ବାଲେଶ୍ୱରରୁ ୧୮୮୮ ମସିହାରେ ଦ୍ୱାରକାନାଥ ଦାସଙ୍କ ସମ୍ପାଦନାରେ ‘ଓଡ଼ିଆ ଓ ନବସମ୍ବାଦ’ ନାମକ ସାପ୍ତାହିକ ପତ୍ରିକା ଭାବରେ ପ୍ରକାଶ ପାଇଥିଲା। ଉତ୍କଳ ଦୀପିକା ଓ ବାଲେଶ୍ୱର ସମ୍ବାଦବାହିକା ପରେ ଅନେକ ବର୍ଷ ଧରି ଏହା ଓଡ଼ିଶାର ବାସ୍ତବ ଚିତ୍ର ପରିବେଷଣ କରୁଥିଲା। ଉତ୍କଳୀୟମାନଙ୍କର ସାମାଜିକ ଦୁରାବସ୍ଥା, ଜାତୀୟ ଜୀବନ, ଓଡ଼ିଆ ଭାଷାସାହିତ୍ୟ, ବାଣିଜ୍ୟ, ଶିକ୍ଷା ଓ ଜାତୀୟ ମାନସିକତା ଉପରେ ଅନେକ ଲେଖା ପତ୍ରିକାରେ ସ୍ଥାନ ପାଉଥିଲା।
~ ଆଶା ~
ଓଡ଼ିଶାର #ପ୍ରଥମ_ମହିଳା_ପତ୍ରିକା #ଆଶା କଟକରୁ ଭକ୍ତକବି ମଧୁସୂଦନଙ୍କ ଝିଆରୀ ରେବା ରାୟଙ୍କ ସମ୍ପାଦନାରେ ୧୮୮୮ ମସିହାରେ ପ୍ରକାଶିତ ହୋଇଥିଲା । ଏହି ସାପ୍ତାହିକ ପତ୍ରିକାଟି ନାରୀ ସମାଜରେ ବିଶେଷ ଆଦୃତି ଲାଭ କରିଥିଲା । ‘ଉତ୍କଳ ଦୀପିକା’ ‘ଆଶା’ର ସମ୍ପାଦକଙ୍କୁ ଉପଦେଶାତ୍ମକ ସାଧୁବାଦ ଜଣାଇ ଲେଖିଥିଲେ, “ଆଶାର ଲେଖା ଆଶାପ୍ରଦ । ଆଶା, ସ୍ତ୍ରୀ ମଣ୍ଡଳୀରେ ଏହା ଆଦୃତ ହେବ । ସମ୍ପାଦିକା ‘ଆଶା’ର ଭାଷା ଆହୁରି ସରଳ କରିବେ ।”
~ ଦୀପକ ~
୧୮୮୯ ମସିହାରେ କଟକରୁ ପ୍ରକାଶିତ ହେଲା #ଦୀପକ ପତ୍ରିକା ! ତେବେ ବିଶେଷ ଭାବେ ପାଠକୀୟ ସ୍ଵୀକୃତି ଲଭି ନ ପାରି ଅଳ୍ପଦିନ ମଧ୍ୟରେ ବନ୍ଦ ହୋଇଯାଇଥିଲା ଏ ପତ୍ରିକା । ଓଡ଼ିଆ ପତ୍ରପତ୍ରିକା ଜଗତରେ ସେପରି କିଛି ପ୍ରଭାବ ବିସ୍ତାର କରି ପାରି ନ ଥିଲା ‘ଦୀପକ’ ।
~ ସମ୍ବଲପୁର ହିତୈଷିଣୀ ~
“ବୁଧ-ହଂସ-କେଳିସର ଦେବଦୁର୍ଗ ଧାମେ,
ଜନମିଲା ସୁପତ୍ରିକା ହିତୈଷିଣୀ ନାମେ।
ଫୁଟିଲା ପ୍ରବନ୍ଧ ଫୁଲ ଛୁଟିଲା ସୁବାଷ,
ଲାଗିଲା ପାଠକଙ୍କ ମଧୁଲିଟଙ୍କ ବିଳାସ।
ଉଠିଲା କବିତା ସିନ୍ଧୁ ତରଙ୍ଗ ପଟଳ,
ପ୍ରତିଭା ଔଷଧ କଲା ପ୍ରତିଭା ପ୍ରବଳ।
ସମାଜ କାନନେ ପଶି ସେ ଚନ୍ଦ୍ର କିରଣ,
କୁ-ରୀତି ମାନଙ୍କୁ କଲା ଯତନେ ହରଣ।”
#ସ୍ବଭାବକବି_ଗଙ୍ଗାଧରମେହେରଙ୍କ ଏପରି ସପ୍ରଶଂସ ଦୃଷ୍ଟି ଯେଉଁ ପତ୍ରିକାଟି ଉପରେ ବର୍ଷିଥିଲା, ସେଇ ଅସାଧାରଣ ପତ୍ରିକା ଓଡ଼ିଶାର ପ୍ରାଚୀନ ଗୌରବବ୍ୟାଖ୍ୟା ତଥା ତାତ୍ତ୍ବିକ ଆଲୋଚନା ଯୋଗେ କଟକ, ଗଞ୍ଜାମ, ବାଲେଶ୍ଵର, ସୁଦୂର ରାୟପୁର ଓ ପୁରୀ ଅଞ୍ଚଳରେ ବିଭିନ୍ନ କୁପ୍ରଥାର ଉତ୍ପାଟନରେ ସହାୟକ ହେବା ସହିତ ଗଞ୍ଜାମ ଜିଲ୍ଲାରେ ତେଲୁଗୁମାନଙ୍କ ଆଧିପତ୍ୟ, କୋର୍ଟ କଚେରୀମାନଙ୍କରେ ଓଡ଼ିଆ ଭାଷାମାରଣ ନୀତିକୁ ବିରୋଧ କରିବା ଦିଗରେ ସତତ ଚେଷ୍ଟିତ ଥିଲା !
ପଣ୍ଡିତ ନୀଳମଣି ବିଦ୍ୟାରତ୍ନଙ୍କ ସହାୟତାରେ, ଓଡ଼ିଶା ମାଟିର ବିକ୍ରମାଦିତ୍ୟ ଭାବେ ପରିଚିତ ବାମଣ୍ଡାଧିପ #ବାସୁଦେବ_ସୁଢଳଦେବଙ୍କ କରକମଳରେ ୧୮୮୯ ମସିହା ମଇ ୩୦ ତାରିଖ ଦିନ #ବାମଣ୍ଡା ଜଗନ୍ନାଥ ବଲ୍ଲଭ ପ୍ରେସ୍’ରୁ ସାପ୍ତାହିକ ଭାବେ ପ୍ରକାଶନ ଆରମ୍ଭ ହେଇଥିଲା ଏଇ ମହାନ ପତ୍ରିକା #ସମ୍ବଲପୁର_ହିତୈଷିଣୀ। ଏଇ ପତ୍ରିକାର ଅବଦାନ ଓଡ଼ିଆ ଭାଷା, ସାହିତ୍ୟ ସହ ସ୍ଵତନ୍ତ୍ର ଉତ୍କଳ ପ୍ରଦେଶ ଗଠନ ସମୟରେ ଥିଲା ଉଲ୍ଲେଖନୀୟ ! ଏହି ପତ୍ରିକାର ଅସୁମାରୀ ପ୍ରବନ୍ଧ, କାବ୍ୟ, ରମ୍ୟରଚନା ସବୁରେ ପରିପୂର୍ଣ୍ଣ ଓ ପରିପୁଷ୍ଟ ହୋଇ ଓଡ଼ିଆ ଭାଷା ଓ ସାହିତ୍ୟକୁ ଏକ ନବଦିଗନ୍ତର ସ୍ପର୍ଶ ଦେଇଥିଲା ! ପରବର୍ତ୍ତୀ ସମୟରେ ପାକ୍ଷିକ ପତ୍ରିକାରେ ରୂପାନ୍ତରିତ ହୋଇ #ଉତ୍କଳ_ଦୀପିକା, #ବାଲେଶ୍ଵର_ସମ୍ବାଦବାହିକା ପତ୍ରିକା ପରି ଓଡ଼ିଆଙ୍କୁ ନବଉନ୍ମେଷ ଓ ନବଚେତନାର ବାର୍ତ୍ତା ପରଷି ଚାଲିଥିଲା ‘ସମ୍ବଲପୁର ହିତୈଷିଣୀ’ ।
ସମାଜ, ଆଧ୍ୟାତ୍ମିକତା, ରାଜନୀତି ବିଜ୍ଞାନ, ସାହିତ୍ୟ, ନ୍ଯାୟ, ସାମ୍ଵାଦିକତା ଓ ହାସ୍ଯରସିକତା ଆଦି ସମସ୍ତ ଗୁଣରେ ଅଳଙ୍କୃତ ଏଇ ପ୍ରସିଦ୍ଧ ଆଦର୍ଶ ପତ୍ରିକା ସମଗ୍ର ଓଡିଶାବାସୀଙ୍କ ମଧ୍ୟରେ ଏକତାର ଯୋଗସୂତ୍ର ବାନ୍ଧିପାରିଥିଲା ।
ସମ୍ବଲପୁର ଏବଂ ନିକଟବର୍ତ୍ତୀ ବିଶାଳ ଅଞ୍ଚଳର କୋର୍ଟକଚେରୀରେ ଓଡ଼ିଆ ଭାଷାକୁ ଉଚ୍ଛେଦ କରି ହିନ୍ଦୀକୁ ସରକାରୀ ଭାଷା ରୂପେ ପ୍ରଚଳନ ଉଦ୍ୟମରେ ପ୍ରତିକ୍ରିୟାଶୀଳ ଓଡ଼ିଆଙ୍କ ସ୍ବର ଭାବେ ‘ସମ୍ବଲପୁର ହିତୈଷିଣୀ’ର ବଜ୍ର ଆହ୍ୱାନର ଫଳସ୍ୱରୂପ ୧୯୦୩ ମସିହାରେ ସମ୍ଵଲପୁରରେ ପୁନଃ ଓଡ଼ିଆ ଭାଷାର ପ୍ରଚଳନ ହୋଇଥିଲା।
#କବିବର, #ପଲ୍ଲୀକବି_ନନ୍ଦକିଶୋର, #ଭକ୍ତକବି_ମଧୁସୂଦନ, #ବାଗ୍ମୀ_ବିଶ୍ଵନାଥ_କର, #ଚନ୍ଦ୍ରମୋହନ_ମହାରଣା, #ଚିନ୍ତାମଣି_ମହାନ୍ତି, ବ୍ୟାସକବି ଫକୀରମୋହନ, ସ୍ଵଭାବକବି ଗଙ୍ଗାଧର ମେହେରଙ୍କ ଭଳି ସାହିତ୍ୟ ମହାରଥୀଙ୍କ ସାରସ୍ଵତସୃଷ୍ଟିରେ ମଣ୍ଡିତ ହେଉଥିଲା ‘ସମ୍ବଲପୁର ହିତୈଷିଣୀ’ । ଅନେକ ଯୁବସାହିତ୍ୟିକଙ୍କ ସାହିତ୍ୟିକ ଜୀବନର ମୂଳଦୁଆ ପଡ଼ିଥିଲା ଏଇ ପତ୍ରିକାରେ ।
ସାଧାରଣ ଜନତାର ସମସ୍ୟା ସହିତ ବ୍ରିଟିଶ ଅପଶାସନର ସମାଲୋଚନା, ତତ୍କାଳୀନ ଓଡ଼ିଶାର ଗ୍ରାମ୍ୟଚିତ୍ର, ସମବାୟ ସମିତି, ସହଜ ଚିକିତ୍ସା ପଦ୍ଧତି, କୃଷି, ଶିଳ୍ପ ଓ ବାଣିଜ୍ୟ, ଯୋଗାଯୋଗ ଓ ପରିବହନ, ନିଶା ନିବାରଣ, କୁସଂସ୍କାର ଦୂରୀକରଣ ଆଦି ପ୍ରସଙ୍ଗରେ ‘ସମ୍ଵଲପୁର ହିତୈଷିଣୀ’ ଉନ୍ମୁଖ ଥିଲା। ନିରପେକ୍ଷତା ପାଇଁ ନାଁ ଡାକ ଥିବା ଏଇ ପତ୍ରିକା ୧୯୨୩ ମସିହା ମାର୍ଚ୍ଚ ୩ ତାରିଖରେ ବନ୍ଦ ହୋଇଯାଇଥିଲା ସତ, ଓଡ଼ିଆ ଜାତିକୁ ନବଚେତନାରେ ପୁଷ୍ଟ କରିବାରେ ଅନସ୍ବୀକାର୍ଯ୍ୟ ଅବଦାନ ଥିଲା ।
ଓଡିଆ ମାଟିରେ ସାମ୍ଵାଦିକତା ଓ ସମ୍ଵାଦ ପ୍ରସାରଣର ବହୁମୁଖୀନତାକୁ ସପ୍ରଂଶସ ଲୋକପ୍ରିୟତା ଓ ଆଦୃତି ଦେଇଥିଲେ ‘ଶିକ୍ଷାବନ୍ଧୁ’, ‘ନବସମ୍ଵାଦ’, ‘ଆଶା’, ‘ପ୍ରଜାବନ୍ଧୁ’, ‘ସମ୍ଵଲପୁର ହିତୈଷିଣୀ’ ପ୍ରଭୃତି ।
ଓଡିଆ ପତ୍ରପତ୍ରିକାଙ୍କ ଗୁଣାତ୍ମକ ମାନ ଓ ସେତେବେଳେ ପ୍ରଯୁକ୍ତିର ଅନୁପସ୍ଥିତି ସତ୍ତ୍ଵେ ତାହାର ପ୍ରଚ୍ଛଦରୁ ନେଇ ଖବରର ପୁଙ୍ଖାନୁପୁଙ୍ଖ ଓ ସୂକ୍ଷ୍ମାତିସୂକ୍ଷ୍ମ ବିବରଣୀ ପଢିଲେ ଓ ଆଖି ପକାଇଲେ ଚମତ୍କୃତ ହେବାକୁ ହୁଏ ।
ଏହା ହିଁ କେବଳ ଓଡିଶା ନୁହେଁ, ସର୍ବତ୍ର ସର୍ବୋପରି ନିଚ୍ଛକ ସାମ୍ଵାଦିକତା ଓ ସୂଚନା-ପ୍ରସାରଣର ଗୁଣାତ୍ମକତା । ଏହା ଆଜିକାଲିର ଖବରକାଗଜ ଓ ଗଣମାଧ୍ୟମରେ ଅବଶ୍ୟ ହ୍ରାସ ପାଇଥିଲେ ମଧ୍ୟ ଅକୃତ୍ରିମ ପରାକାଷ୍ଠାର ଆମ୍ଭଠାରୁ ଅୟମାରମ୍ଭ ହେଉ ।
(Image Courtesy: odiabibhaba.in)