ଲେଖା: ନିରଞ୍ଜନ ସାହୁ
ସଂସାର ଅଳିକ । ସାରା ଜଗତ ମିଥ୍ୟା, ସମସ୍ତ ଜାଗତିକ ପଦାର୍ଥ ଅନିତ୍ୟ। ଜୀବନ ଯୌବନ କ୍ଷଣସ୍ଥାୟୀ । ଘୋର ଜଞ୍ଜାଳମୟ ଏ ଭବସାଗର। ଚଉରାଅଶୀ ଆଙ୍ଗୁଳ ଚର୍ମ ଘେରି ରହିଥିବା ଏ ଦେହ ଭିତରଟା ନାରଖାର। ଧନ ସମ୍ପତ୍ତି ମୂଲ୍ୟହୀନ, କିନ୍ତୁ ଘୋର ଆସକ୍ତି ମଣିଷର ଏଇଥିପାଇଁ ।
ଏହାହିଁ ଚିରନ୍ତନ ସତ୍ୟ ! ଏସବୁକୁ ଭଲ ଭାବରେ ହୃଦୟଙ୍ଗମ କରି ଜୀବନ ପ୍ରତି ଅନାସକ୍ତ ଭାବ ଉଦ୍ଦ୍ରେକ ହୋଇଥିଲା ଜଣେ ମହାନ୍ ଓଡ଼ିଆ କବିଙ୍କର, ଯେ ପ୍ରକାରାନ୍ତରେ ଦାର୍ଶନିକ ଦୃଷ୍ଟିଭଙ୍ଗୀ ନେଇ ଦେଖିଲେ ପରମାତ୍ମାଙ୍କୁ, ଯିଏ କି ନିତ୍ୟ, ଶାଶ୍ଵତ, ସତ୍ୟ, ଶିବ ଏବଂ ସୁନ୍ଦର । ସେ କୃଷ୍ଣ, ସେ ଜଗନ୍ନାଥ, ସେ କଳାଶ୍ରୀମୁଖ, ସେ ନୀଳଗିରିବାସୀ, ସେ ମଧ୍ୟ ଶୂନ୍ୟ ପୁରୁଷ !
ଏହି ମୋହମାୟାରୁ ମୁକ୍ତିର ଅନିସନ୍ଧିତ୍ସୁ କବି (ଦାର୍ଶନିକ ! ) ସେଦିନ ଉଦାତ୍ତ କଣ୍ଠରେ ଗାଇ ଉଠିଲେ, ‘ମନବୋଧ ଚଉତିଶା‘:
କହଇ ମନ ଆରେ ମୋ ବୋଲ କର
କଳାଶ୍ରୀମୁଖ ବାରେ ଦେଖିବା ଚାଲରେ ।
କେତେ ଦିନକୁ ମନ ବାନ୍ଧିଛୁ ଆଣ୍ଟ
କି ଘେନି ଯିବୁ ତୋର ଛୁଟିଲେ ଘଟରେ ।
ଖଣ୍ଡି ଯେ ଖଣ୍ଡି ତୋର ପଞ୍ଜରା କାଠି
ଖାଉଣ ଥିବେ ଶ୍ଵାନ ଶୃଗାଳ ବାଣ୍ଟିରେ ।
ଏହା ହିଁ ଜୀବନ ଦର୍ଶନ । ସୂର୍ଯ୍ୟଚନ୍ଦ୍ର ଆତଯାତ ହେଉଥିବା ପର୍ଯ୍ୟନ୍ତ କେହି ତ ଅସ୍ବୀକାର କରି ପାରିବେ ନାହିଁ ଏହାକୁ ! ମୋହ ମୁକ୍ତ ହେବା ପାଇଁ ଉପଯୁକ୍ତ ନିର୍ଦ୍ଦେଶ । ସାଂସାରିକ ମୋହମାୟା ଆଛନ୍ନ ମଣିଷ ଭିତରେ ସଦ୍ ଜ୍ଞାନ ଉଦ୍ରେକ କରାଇ, ତାକୁ ମୋହମୁକ୍ତ କରି ସତ୍ ପଥେ ଚାଳିତ କରିବା ନିମିତ୍ତ ଏ ପ୍ରେରଣା ସତରେ କେତେ ଜ୍ଞାନପ୍ରଦ ! ସତରେ କେତେ ଶିକ୍ଷଣୀୟ ! ଏହାହିଁ ତ ମୋହମୁଦ୍ଗର !
ସେହି ‘ମନବୋଧ ଚଉତିଶା’ର ସ୍ରଷ୍ଟା ଅସାମାନ୍ୟ ଭାବେ ଲୋକପ୍ରିୟ ଓଡ଼ିଶାର ବିଭିନ୍ନ କୋଣ ଅନୁକୋଣରେ । ସେହି ମହାନ ଜୀବନ ଦର୍ଶନର ପ୍ରଖ୍ୟାତ କବି ଭକ୍ତ ଚରଣ ଦାସ ।
ଭକ୍ତଚରଣ ଦାସ ମଧ୍ୟଯୁଗୀୟ ଓଡ଼ିଆ କାବ୍ୟ ସାହିତ୍ୟର ଜଣେ ବିଶିଷ୍ଟ କାବ୍ୟକାର । ପିଲାଦିନର ନାମ ବୈରାଗୀ ଚରଣ ଦାସ । ଜନ୍ମ ସମ୍ଭବତଃ ୧୭୨୯ (କେତେକଙ୍କ ମତରେ ୧୭୮୦)। ପୁରୀ ଜିଲ୍ଲାର (ଏବେର ନୟାଗଡ଼ ଜିଲ୍ଲା) ରାଜସୁନାଖଳା ନିକଟସ୍ଥ ସାନପଦର ଗ୍ରାମରେ ଜନ୍ମିତ, ଗୋଟିଏ ସମ୍ଭ୍ରାନ୍ତ ପରିବାରରେ । ବାଲ୍ୟକାଳରୁ ଈଶ୍ୱରାନୁରକ୍ତ। ଗାର୍ହ୍ୟସ୍ଥ ଜୀବନ ପରେ ସନ୍ନ୍ୟାସ ଗ୍ରହଣ କରି ପରିଚିତ ହେଲେ ଭକ୍ତ ଚରଣ ଦାସ ନାମରେ । ସେ ଥିଲେ ମାଧ୍ଵାଚାର୍ଯ୍ୟ ସମ୍ପ୍ରଦାୟପନ୍ଥୀ ବୈଷ୍ଣବ ଓ ତାଙ୍କର ଆରାଧ୍ୟ ଦେବତା ଥିଲେ ବୃନ୍ଦାବନ ଚନ୍ଦ୍ର । ପରମ ପ୍ରେମମୟ ଶ୍ରୀକୃଷ୍ଣଙ୍କ ପାଦତଳେ ନିଜକୁ ସମର୍ପିତ କରି ଆରମ୍ଭ କରିଥିଲେ ଗୋଟିଏ ପରେ ଗୋଟିଏ ଛାନ୍ଦ, ଚଉତିଶା ଏବଂ କାବ୍ୟ ରଚନା । ତାଙ୍କ ଲେଖନୀରୁ ନିଃସୃତ ହେଲା ‘ମଥୁରା ମଙ୍ଗଳ’, ‘ଗୋପ ମଙ୍ଗଳ’, ‘ମନଶିକ୍ଷା’, ‘ବୈଦ୍ୟଶାସ୍ତ୍ର’, ‘କଳାକଳେବର ଚଉତିଶା’, ‘ମନବୋଧ ଚଉତିଶା’ ଇତ୍ୟାଦି ।
ମଥୁରା ମଙ୍ଗଳ କବିଙ୍କର ସର୍ବଶ୍ରେଷ୍ଠ ରଚନା । ମଥୁରା ବା ପକ୍ଷାନ୍ତରରେ ପୃଥିବୀର ମଙ୍ଗଳ କାମନା କବିଙ୍କର ଲକ୍ଷ୍ୟ ଥିବାରୁ, ଏହାର ନାମକରଣ ଏପରି ହୋଇଥିବା ମନେହୁଏ । ଦୀର୍ଘ ୩୦ଟି ଛାନ୍ଦ ସନ୍ନିବିଷ୍ଟ ଏହି କାବ୍ୟ ଭାବବିଦଗଧତା ଓ ଭକ୍ତିପ୍ରାଣତା ବହନ କରୁଥିବା ସ୍ପଷ୍ଟ ପ୍ରତୀୟମାନ ହୁଏ । ରୀତିଯୁଗୀୟ କାବ୍ୟ ସଦୃଶ ଏଥିରେ କଳ୍ପନାର ଚମତ୍କାରିତାକୁ ଅସ୍ବୀକାର କରି ହୁଏନା । କେତେକ ସ୍ଥାନରେ ଏହା ଅଳଂକାରଯୁକ୍ତ ହେଲେ ହେଁ ଶବ୍ଦ କଠିନତା ଓ ଜଟିଳ ପଦବିନ୍ୟାସ ଉର୍ଦ୍ଧ୍ବରେ । ସରଳ ପଦ, ଲାଳିତ୍ୟ ଏହି କାବ୍ୟର ବିଶେଷତ୍ଵ । ପୁ୍ନଶ୍ଚ ବାତ୍ସଲ୍ୟ, ଭକ୍ତି, କରୁଣା, ଶାନ୍ତ ଓ ଶୃଙ୍ଗାରରସ ସମୃଦ୍ଧ ଏହି କାବ୍ୟଗ୍ରନ୍ଥ । ଜ୍ଞାନ ଠାରୁ ପ୍ରେମଭକ୍ତି ଯେ ବହୁ ଉର୍ଦ୍ଧ୍ବରେ, ଏହାହିଁ ସୂଚାଇ ଦିଏ ଏହି ରଚନା ।
‘ଗୋପ ମଙ୍ଗଳ’ କାବ୍ୟ ଗୋପଲୀଳା, ଗୋପକେଳି ଓ ବୃନ୍ଦାବନ ଲୀଳା ବର୍ଣ୍ଣନାରେ ପୁଷ୍ଟ । ଶ୍ରୀକୃଷ୍ଣଙ୍କର ଗୋପପୁରରେ ହିତକର କାର୍ଯ୍ୟର ସମସ୍ତ ଟିପ୍ପଣୀ ଏହି କାବ୍ୟର ଶ୍ରୀବୃଦ୍ଧି ସାଧନ କରେ। ‘କଳାକଳେବର ଚଉତିଶା’ ଏକଦା ଉତ୍କଳଖଣ୍ଡରେ ଅଧିକ ଲୋକପ୍ରିୟ ଥିବା ଅନୁମାନ କରାଯାଏ। ଏଯାବତ ଓଡ଼ିଶାର ପଲ୍ଲୀ ଅଞ୍ଚଳରେ ମଧ୍ୟ ଗୋପାଳକ ଓ ପଲ୍ଲୀବାଳକମାନେ ଉଚ୍ଚସ୍ବରରେ ଗାଁ ଦାଣ୍ଡରେ ଅବା କ୍ଷେତରେ ‘କଳାକଳେବର କହ୍ନାଇ ସଂଗେ ରୋହିଣୀ ସୂତ, କରନ୍ତି ମଥୁରା ବିଜୟେ ଦାଣ୍ଡେ ଦେଖ ସଙ୍ଗାତ’ ଗାଇ ଗାଇ ଯିବା ଲକ୍ଷ୍ୟ କରାଯାଏ । କେତେ ଶ୍ରୁତିମଧୁର, ହୃଦୟସ୍ପର୍ଶୀ ଏବଂ ଲାଣିତ୍ୟଯୁକ୍ତ ସତେ !
ମନଃଶିକ୍ଷା ଗ୍ରନ୍ଥରେ ଶ୍ରୀକୃଷ୍ଣ – ଚୈତନ୍ୟଙ୍କୁ ବୈଦ୍ୟରୂପେ ଚିତ୍ରଣ କରାଯାଇ ଉପମା ଛଳରେ ବହୁ ରୋଗ, ଚିକିତ୍ସା ପ୍ରଣାଳୀ, ଔଷଧ ବ୍ୟବସ୍ଥା ଇତ୍ୟାଦିର ବର୍ଣ୍ଣନା ଓଡ଼ିଆ କାବ୍ୟ ଜଗତରେ ଯେମିତି ଅପୂର୍ବ, ଅଦୃଷ୍ଟ ।
ଭକ୍ତ ଚରଣ ଦାସଙ୍କ କବିତ୍ଵ, ପଦ ସଂଯୋଜନା, କଳ୍ପନା ବିଳାସ ସହ ସ୍ଵାଭାବିକ ବର୍ଣ୍ଣନା ଚାତୁରୀ ବାସ୍ତବରେ ଅତୁଳନୀୟ । ସଂଗୀତ ଧର୍ମୀ ମଧ୍ୟ ଚଉତିଶା ଓ କାବ୍ୟ ସମୂହ। କେବଳ ଭକ୍ତିରସ ବା ସମର୍ପଣ ଭାବ ମଧ୍ୟରେ ଛନ୍ଦି ହୋଇ ନାହାଁନ୍ତି ଏହି ମହାନ କାବ୍ୟକାର । ଜଣେ ସାଧକ ଭାବେ ପରିଚିତ ଏହି ଜନପ୍ରିୟ କବିଙ୍କର ଦାର୍ଶନିକ ଦୃଷ୍ଟିଭଙ୍ଗୀ ଦିଗଟି ଅତି ଉଜ୍ଜ୍ୱଳ । ବୈଷ୍ଣବୀୟ ଚେତନା ସମ୍ବନ୍ଧିତ ଅତି ରସମୟ ଛାନ୍ଦ ସମୂହର ପ୍ରଣେତା ଏହି ଅମର କବି ସରଳ ପଦ ବିନ୍ୟାସ, ଭାବପୂର୍ଣ୍ଣ ଓ ଗୀତିମୟ କାବ୍ୟ ସୃଜନରେ ସାଧାରଣଙ୍କ ମନ ମୋହି ନେଇଛନ୍ତି ମାତ୍ର ପ୍ରକାରାନ୍ତରେ ସମାଜକୁ ଦିଗଦର୍ଶନ ଦେଇଛନ୍ତି, “ସମସ୍ତ ମୋହ ପରିତ୍ୟାଗ କରି ଅବୋଧ ମନକୁ ମନାଇ ପରମାତ୍ମାଙ୍କୁ ସ୍ମରଣ କରିବା ପାଇଁ, ଯାହା ଦ୍ଵାରା ଜୀବନ ସରସ ସୁନ୍ଦର ଓ ସ୍ଵାର୍ଥହୀନ ହେବ । ଏହାହିଁ ହେବ ବ୍ରହ୍ମ ଉପଲବ୍ଧି ଓ ମୋକ୍ଷ ପ୍ରାପ୍ତିର ମାର୍ଗ” –
ଲୋଚନେ ଦେଖି କର୍ଣ୍ଣେ ଶୁଣୁଛୁ ନିତି ।
ଲୋଭ କରି ଅର୍ଜିଲୁ ଧନ ସଂପତ୍ତି ।।
ଲୋଭଟି ସବୁ ନାଶ କରଇ ମନ ।
ଲୋଡ଼ିଲେ ନ ପାଇବୁ ଆଉ ଜୀବନ ।।
ଶ୍ରୀକୃଷ୍ଣ ପାଦପଦ୍ମେ ଦିଅ ତୁ ମନ ।
ସରିଲେ ନ ପାଇବୁ ଆଉ ଜୀବନ ।।
ଶ୍ରୀ କୃଷ୍ଣ ନାମ ଗୋଟି କର ଭଜନ।
ଶ୍ରୀକୃଷ୍ଣ ପାଦପଦ୍ମେ ଦିଅ ତୁ ଧ୍ୟାନ ।।
ପ୍ରଣମାମ୍ୟହମ ପାଦତଳେ ତବ, ହେ ଭକ୍ତ ଚରଣ ।