ସୌରଭିତ ସୃଷ୍ଟି: କର୍ମବୀର ଗୌରୀଶଙ୍କର ରାୟ
ଆମ ରାଜ୍ୟର ସାଂସ୍କୃତିକ ବିପର୍ଯ୍ୟୟ ସେ ସମୟରେ କିପରି ହୋଇଥିଲା ତାହାର ଏକ ଉଦାହରଣ ହିଁ ଏଇ କବିତା ‘ଏକାଳ ଆଉ ନୋହେ ସମ୍ଭାଳି’, ସ୍ଥାନ ପାଇଥିଲା ଉତ୍କଳ ଦୀପିକା ପୃଷ୍ଠାରେ, ରଚିଥିଲେ କର୍ମବୀର ଗୌରୀଶଙ୍କର ରାୟ . .
ଉତ୍କଳ ଦୀପିକା ପ୍ରଥମେ ୦୪/୦୮/୧୮୬୬ ମସିହାରେ କଟକ ପ୍ରିଣ୍ଟିଂ କୁମ୍ପାନୀଙ୍କ ଯନ୍ତ୍ରାଳୟରୁ ଆତ୍ମପ୍ରକାଶ କରିଥିଲା । ଏହା ଥିଲା ଓଡ଼ିଶାରେ ଜନଜାଗରଣର ବାର୍ତ୍ତାବହ ଓ ଓଡ଼ିଶାର ପ୍ରଥମ ସାପ୍ତାହିକ ସମ୍ବାଦପତ୍ର । ସବୁ କ୍ଷେତ୍ରରେ ସମ୍ବାଦମାନ ପରିବେଷଣ କରିବା ପାଇଁ ଉତ୍କଳପ୍ରାଣ ଗୌରୀଶଙ୍କର ରାୟଙ୍କ ଚେଷ୍ଟା ଦ୍ଵାରା ଏହି ସମ୍ବାଦପତ୍ର ଏକ ସ୍ବତନ୍ତ୍ର ସ୍ଥାନ ଅଧିକାର କରିଥିଲା ସେ ସମୟରେ । ଶିକ୍ଷା, ରାଜନୀତି, ସଂସ୍କୃତି, ଓଡ଼ିଆ ସାହିତ୍ୟର କଥା, ଓଡ଼ିଆଙ୍କ ରୀତିନୀତି, ଦେଶର ବିଭିନ୍ନ ଖବର, ଓଡ଼ିଶାର ଐତିହ୍ୟ ଦାବି ଇତ୍ୟାଦି ସ୍ଥାନିତ ହେଉଥିଲା ଏହି ସାପ୍ତାହିକ ସମ୍ବାଦପତ୍ରରେ । ସାଂସ୍କୃତିକ ଜୀବନ ସମ୍ବନ୍ଧୀୟ ଦୀର୍ଘ କବିତା ମାନ ଏହାର ପୃଷ୍ଠା ମଣ୍ଡନ କରିଥିଲା ସେ ସମୟରେ ।
~ ଏକାଳ ଆଉ ନୋହେ ସମ୍ଭାଳି ~
ଏକାଳ ଆଉ ନୋହେ ସମ୍ଭାଳି,
ତ୍ରାହି କର ପ୍ରଭୁ ଶ୍ରୀବନମାଳୀ (ଘୋଷା)
ଯୋଗି ଚାଉଳିଆ ମହାକବି ହେଲେ
ଉପଇନ୍ଦ୍ର ଭଞ୍ଜ ଖାଇଲେ ଗାଳି,
ଶ୍ରୀକରଣ ଠାରୁ ତନ୍ତୀ ତୁଳାଭିଣା ପର୍ଯ୍ୟନ୍ତ
ଧରିଲେ କଲମ କାଳି । (୧)
ପଲ୍ଲବଗ୍ରାହୀଏ ପ୍ରବନ୍ଧ ଲେଖିଲେ
ସାରା ରାତି ଦିନ ପାଢି଼ ବୋବାଳି,
ବିଷୁନ ଭୋଇର ହଳଗୀତ ଯେହ୍ନେ
ମୁଖେ ଧରୁଥିଲେ ଧୂଆଁ କାହାଳୀ । (୨)
ବିଦେଶୀ ବେପାରି ଚାଉଳ ଛାଣିଲେ
ଦେଶୀ ଅନ୍ଧ ଦେଲେ ଅମାର ଟାଳି,
ଟଙ୍କାକୁ ଚାଉଳ ସାତ ସେର ହେଲା
ଦୁଃଖିରଙ୍କୀ ଘରେ କାନ୍ଦ ବୋବାଳି । (୩)
ଦଳ ଦଳ ହୋଇ ପୁରୀଯାତ୍ରୀ ମଲେ
ଜାହାଜିଆ କଲେ ଧନ ସଂଖାଳି,
ହାକିମଙ୍କ ହୃଦ କଠିନ ହୋଇଲା ଯେହ୍ନେ
ଟିପା ନାଗପୁରିଆ ଥାଳି । (୪)
ଭୁଇଆଁ ପ୍ରଜାଙ୍କୁ ସାହେବ ଶାସିଲେ
ଦେଶୀରାଜା ତହିଁ ପାଇଲେ ତାଳି,
ନନ୍ଦରାଜା ବାଡ଼ି ଲଉଡ଼ି ଛାଡ଼ିଲେ
ହାତେ ଧରି ଧୀରେ ତୁଳସୀ ମାଳୀ । (୫)
ବୈକୁଣ୍ଠପୁରରେ ସ୍ଥିର ନ ରହିଲେ ଯେ
ଫ୍ରେଞ୍ଚ ବ୍ରିଟିଶେ କୀରତିଶାଳୀ,
କେତେ ଧନ ମାନ ଖରଚ ହେଉଛି
କାଳ ଧରିଅଛି ବାଟ ଓଗାଳି । (୬)
ଟୋକାଟୋକାଳିଆ ଚୁଟି କଟାଇଲେ
କେ ଚିହ୍ନେ ଉତ୍କଳ କେ ବଙ୍ଗାଳୀ,
ସାନ ବଡ଼ ଆଉ କେହି ନ ମାନିଲେ
ଦେଖିଲେ ମେଲିଲେ ଢଗଢମାଳୀ । (୭)
ହିନ୍ଦୁ ଯବନଙ୍କ ମଧ୍ୟେ ଭାରତରେ
କେଉଁ ଦଶା ହେଲା ବିବାଦ ଜାଳି,
କେତେ ମହାପ୍ରାଣୀ କାଳକବଳରେ
ଏ ଯୋଗେ ହେଲେଣି ହରଣ ଚାଳି । (୮)
ବ୍ରହ୍ମଣ ପିଲାଏ ପଇତା ପୋଡ଼ିଲେ
ହିନ୍ଦୁ ଧର୍ମ ମିଛ କଲେ ବୋବାଳି,
ବୃଦ୍ଧ ପିତାମାତା ଧରଣୀ ଲୋଟନ୍ତି
ଭୂମିସିକ୍ତ କରି ଲୋତକ ଢାଳି । (୯)
ହିନ୍ଦୁ ଦେବାଳୟ ଘଣ୍ଟା ନ ବାଜିଲା
ସେବାୟତ ଦେବ ନୀତି ନ ଚାଳି,
ରାଜ ଦୃଷ୍ଟି ଯେଉଁ କାର୍ଯ୍ୟେ ନ ପଡ଼ଇ
କେ ହେବ ଦୁଃଖରେ ହେଲେ ହଣ୍ଟାଳି । (୧୦)
ଏକାଳ ଆଉ ନୋହେ ସମ୍ଭାଳି,
ତ୍ରାହି କର ପ୍ରଭୁ ଶ୍ରୀବନମାଳୀ ।।