ସୌରଭିତ ସୃଷ୍ଟି: ସ୍ବଭାବକବି ଗଙ୍ଗାଧର ମେହେର
ଗଙ୍ଗାଧରଙ୍କ ଭାଷାପ୍ରେମ ଓ ଜାତିପ୍ରେମର ପଟାନ୍ତର ନାହିଁ । ଏହି ପର୍ଯ୍ୟାୟରେ ତାଙ୍କୁ କାହା ସହିତ ତୁଳନା କରିହୁଏ ନାହିଁ । ସେ ନିର୍ଦ୍ଦିଷ୍ଟ ମୂଲ୍ୟବୋଧ ଓ ଆଦର୍ଶରେ ଦୀକ୍ଷିତ ବ୍ୟକ୍ତିତ୍ୱ ଥିଲେ । ସେଥିପାଇଁ ଆଲୋଚକମାନେ ତାଙ୍କ ଜୀବନ ଓ ସାହିତ୍ୟ ମଧ୍ୟରେ ଯେଭଳି ସାଦୃଶ୍ୟ ଦେଖନ୍ତି, ଗବେଷକମାନେ ତାଙ୍କ ସାହିତ୍ୟ ଭିତ୍ତିରେ ଜୀବନୀ ପ୍ରସ୍ତୁତ କରିହେବ ବୋଲି ସେହିପରି ଅଭିମତ ଦିଅନ୍ତି । ଗଙ୍ଗାଧରଙ୍କ କାବ୍ୟାବଳୀର ଉତ୍ସ ମହାଭାରତୀୟତା । ପୁରାଣ, କାବ୍ୟ, ଇତିହାସକୁ ଆଧାର କରି ସେ ରଚନା କରିଛନ୍ତି କାବ୍ୟ । ହେଲେ ଦେଶପ୍ରେମର ମୂଳ ରୂପେ ସେ ଓଡ଼ିଆ ଭାଷା ଓ ଓଡ଼ିଆ ଜାତିକୁ ଗ୍ରହଣ କରିଛନ୍ତି । ତାଙ୍କ ସମୟରେ ଓଡ଼ିଆ ଭାଷା ଓ ଓଡ଼ିଆ ଜାତିକୁ ନେଇ ବିଦେଶୀ ଶାସକମାନେ ଯେଉଁ ଖେଳ ଆରମ୍ଭ କରିଥିଲେ, ତହିଁର ବିରୋଧ ନିଜ କବିତା ମାଧ୍ୟମରେ କରିଛନ୍ତି ଗଙ୍ଗାଧର । ଏହା ହିଁ ତାଙ୍କର ଦେଶପ୍ରେମ । ସୁନାର ଦେଶପାଇଁ ଉପଯୁକ୍ତ ଲୋକ ଲୋଡ଼ା ବୋଲି ସେ କବିତାରେ ପ୍ରକାଶ କରିଛନ୍ତି । ସେପରି ଏକ ସୃଷ୍ଟି ଉତ୍କଳଭାରତୀଙ୍କ ଉକ୍ତି କବିତା !
~ ଉତ୍କଳଭାରତୀଙ୍କ ଉକ୍ତି ~
ଛନ୍ଦ ବାବୁ ମୋର କୋମଳ ବସନ
ଅଙ୍ଗକୁ ଯହିଁରେ ନ ହେବ ପୀଡ଼ା,
ଦେବ ଦେଲେ ଦିଅ ଏମନ୍ତ ଭୂଷଣ
ଯାହା ଘେନି ମୋର ନ ହେବ ବ୍ରୀଡା ।
ଅଙ୍ଗ ଚାହିଁ ଦିଅ ଯୋଗ୍ୟ ପରିଛଦ
ପରିଛଦ ଯୋଗୁଁ ନ କାଟ ଦେହ,
କଟା ହେଲେ ହେବ ଜୀବନେ ବିପଦ
ନ କର ମାତାକୁ ସେପରି ସ୍ନେହ ।
ନଖ ବଢିଥିଲେ କର କରତନ
ରଞ୍ଜିଦିଅ ତହିଁ ଅଳତା ରଙ୍ଗ,
ନାକ ବଡ଼ ଥିଲେ ତା କଲେ ଛେଦନ
ହେବ ନାହିଁ କି ମୋ ସୈାଷ୍ଠବ ଭଙ୍ଗ ?
ରୋଗ ଥିଲେ ଦେହେ ପ୍ରତିକାର କର
ପ୍ରକୃତିସ୍ଥ ହେଉ ଜୀବନ ମୋର,
ଭିନ୍ନ ବର୍ଣ୍ଣେ ଯଦି ରଞ୍ଜ କଳେବର
ହେବ ମାତ୍ର ତହିଁ ବିଭତ୍ସ ଘୋର ।
ତୁମ୍ଭେ ମୋତେ ଯେଉଁ ବେଶରେ ସାଜିବ
ସେ ବେଶ ଦେଖିବେ ଜଗତ ଜନେ,
ତୁମ୍ଭେ ଯଦି ମୋତେ ଯତନେ ସାଜିବ
ମାର୍ଜିତ ଉଜ୍ଜ୍ୱଳ ହେବି ଭୁବନେ !
ଦେଉଁ ଦେଉଁ ମୋର ନୟନେ ଅଞ୍ଜନ
ମୁଖ ଯଦି ହେବ କାଳିମାମୟ,
ପୋଛ ଗଣ୍ଡ କାଳି ନ ଦେଇ ଗଞ୍ଜନ
ହେବ ମନୋହର କାନ୍ତି ଉଦୟ ।
ପାଇଥିଲେ ଦିଅ ବିଲାତି ପ୍ରସୂନ
ଥାଏ ଯଦି ତହିଁ କିଛି ସୈାରଭ,
ସୈାରଭ ନ ଥିଲେ କାନ୍ତିରେ ନିଉନ
ନ ଥିଲେ ବଢିବ ସିନା ଗୌରବ ?
ମସ୍ତକେ ମୋ ଟୋପି ନ ଦେବ ବାବାରେ
ନ କାଢିବ ମୋର କରୁ କଙ୍କଣ,
ସିନ୍ଦୂର ବିନ୍ଦୁ ମୋ ଭାଲେ ରଖିବାରେ
ନିରନ୍ତର ମନେ ଥିବ ସ୍ମରଣ ।
ଭାଇ ଭାଇ ମଧ୍ୟେ କଳହ ନ କର
ତୁମ୍ଭ କଳହେ ମୁଁ ହେବି ଦୂଷିତ,
ରତନ ସଂଗ୍ରହେ ହୁଅ ଯତ୍ନପର
ରତ୍ନ ଗୁନ୍ଥି ମୋତେ କର ଭୂଷିତ ।
ଅଭିମାନ ରୋଗେ ନ କର ପ୍ରଳାପ
ପ୍ରଳାପ ଶୁଣିଲେ କାନ୍ଦେ ମୋ ହୃଦ,
ଜ୍ଞାନେ ଧ୍ୟାନ ରଖି କର ସଦାଳାପ
ସଦାଳାପେ ସଦା ବଢୁ ମୋ ମୁଦ ।
ମନ୍ଦିରକୁ ମୋର କର ସୁସଜ୍ଜିତ
ରମ୍ୟ ରମ୍ୟ ଉପକରଣ ଆଣି,
କାଠ ଖମ୍ବମାନ କର ସୁରଞ୍ଜିତ
ଢାଳିଦିଅ ତହିଁ ସୁବର୍ଣ୍ଣ ପାଣି ।
ନାନା ଦେଶୁ ଆଣ ତରୁ ବଲ୍ଲୀମାନ
ରୋପଣ କର ମୋ ଉଦ୍ୟାନ ଗର୍ଭେ,
ଉଦ୍ୟାନ କରିବ ସୁଫଳ ପ୍ରଦାନ
ଭୁଞ୍ଜିବ ସୁଖେ ମୋ ନନ୍ଦନ ସର୍ବେ ।
ଆବର୍ଜନା ହୀନ କର ମୋ ସଦନ
କର ଆବଶ୍ୟକ ଜୀର୍ଣ୍ଣ ସଂସ୍କାର,
ମାନ୍ୟ ଧର୍ମ ରଖି କର ବିଚରଣ
ନ କର ମୋ ପୁରେ ଯଥେଛାଚାର ।
ନିଜ ଉନ୍ନତିକି ଉନ୍ନତି ନ ମଣ
ମୋତେ ନ କରିବା ଯାଏ ଉନ୍ନତ,
ଏକ ତରୁ ତଳେ ଥିବେ କେତେ ଜଣ
ବହୁ ଜଳ ଫଳ ଦିଏ ପର୍ବତ ।
ତୁମ୍ଭ ରାଜ୍ୟ ଭୂମି ପ୍ଲାବି ନ ପାରନ୍ତି
ଆଣ୍ଡସ ଗିରିର ଅସଂଖ୍ୟ ଝର,
କେ ହରିବ ତୁମ୍ଭ ହୃଦୟ ତପତି
ନ ବହିଲେ ପୂତ – ସ୍ରୋତ ମୋହର ।
ହୋଇ ଏକପ୍ରାଣ ହୋଇ ଏକମନ
ଉଚ୍ଚ ତାନେ ଗାଅ, “ଭାରତୀ ଜୟ”
ଉଚ୍ଚେ ଟେକ କୀର୍ତ୍ତି ପତାକା ଗଗନ
ହୋଇଯାଉ ଶୁଭ୍ର ପତାକାମୟ ।
ଉପସ୍ଥାପନା: ଦେଵ ତ୍ରିପାଠୀ