Physical Address
Sai Samarpanam, Satya Vihar, Bhubaneswar

୫
ଶୁଭସ୍ତମ୍ଭ ବୈତରଣୀ ତଟେ 
ଦେଖ ହେ ନୟନ ବିସ୍ଫାରି; 
ବିରାଜିତ ତୁଙ୍ଗେ ବ୍ୟୋମପଟେ 
ଉତ୍ସାହ ଅଭୟ ସଞ୍ଚାରି ।
୬
ନିରେଖ ହେ ମହୋଦଧି ତୀରେ 
ନୀଳାଚଳ ଧାମେ ଶ୍ରୀକ୍ଷେତ୍ରେ 
ହିନ୍ଦୁହୃଦ ଆକୁଳ ଅଧୀରେ 
ଦେଖିବାକୁ ଯେ ଧାମ ନେତ୍ରେ ।
୭
ସ୍ମର ବାରେ ହେ ଉତ୍କଳବାସୀ
କୋଣାର୍କ ଶିଳା ଶିଳ୍ପ ରତ୍ନେ 
ଆହା କି ମୋହନ ରୂପ ରାଶି 
ଉନ୍ମାଳିତ ଶିଳ୍ପୀର ଯତ୍ନେ ।
୮
ଏହି ସେହି ଉତ୍କଳ ଧରିତ୍ରୀ 
ଯହିଁ ଧୌଳୀ, ଜୌଗଡ଼ ରାଜେ 
ଶିଳାକ୍ଷରେ ଯହିଁ ଜୀବେମୈତ୍ରୀ 
ଘୋଷିତ ଅଶୋକ ସାମ୍ରାଜ୍ୟେ
୯
ଏହି ସେହି ଉତ୍କଳ-ଧରଣୀ 
ଯହିଁ ହରିନାମ ପ୍ରଚାରି,
ଦେଖାଇଲେ ଭକତି-ସରଣୀ 
ଶ୍ରୀ ଚୈତନ୍ୟ ପ୍ରେମ ଭିଖାରୀ ।
୧୦ 
ମହାନଦୀ-ବ୍ରାହ୍ମଣୀ-ସେବିତ ।
ସୁବର୍ଣ୍ଣରେଖା-ଋଷିକୂଲ୍ୟା
ବୈତରଣୀ-ପ୍ରବାହ ପ୍ଲାବିତ 
ଉତ୍କଳା-ସୁଷମା-ଅତୁଲ୍ୟା ।
୧୧
ମହୋଦଧି ଦିଗନ୍ତ ବିସ୍ତାରି 
ଚିଲିକା ହ୍ରଦ ଜଳରାଶି 
ଅଟବୀ-ଅଚଳ-ବ୍ରଜଧାରୀ 
ଉତ୍କଳ ଚିତ୍ତ ଉଲ୍ଲାସୀ ।
୧୨
ଶିଳାବନ୍ଧବେଷ୍ଟିତ କଟକେ 
ଭଗ୍ନ ବାରବାଟୀ ଅଦୂରେ 
ସ୍ମର ବାରେ କଳ୍ପନା-ଛଟକେ 
ପୂରୁବ ଯଶୋଧନ ଶୂରେ ।
୧୩
ପୂରୁବ ଉନ୍ନତ ପଦଭ୍ରଷ୍ଟ 
ହେ ଉତ୍କଳ ନବ୍ୟ ସମାଜ ! 
ଉତ୍କଳ ର କି ଦୁର୍ଗତି କଷ୍ଟ 
ଉତ୍କଳୀୟେ ଦେଖ ହେ ଆଜ ।
୧୪
ଆଜି ଝାଡ଼ଖଣ୍ଡ ଜନପଦ 
ଭଞ୍ଜ ଭୂମି ଆଦି ବିରାଜେ,
ପୁରାତନ ଗୌରବ ସମ୍ପଦ 
ଚିତ୍ରମାତ୍ର ଓଡ୍ରସମାଜେ ।
୧୫
ଏବେ ଦେଖ ବ୍ରିଟିଶ ସୁରାଷ୍ଟ୍ରେ 
ଧୀରେ ଲଭି ନବ ଚେତନା
ପଞ୍ଜାବରେ ବଙ୍ଗେ ମହାରାଷ୍ଟ୍ରେ 
ଲାଗିଛି କର୍ମର ସାଧନା ।
୧୬
ଅଳସ ନିଶ୍ଚେଷ୍ଟ ମ୍ରିୟମାଣ 
ଉତ୍କଳୀୟେ ନରୁହ ଆଉ,
କର୍ମର ସାଧନେ ଦିଅ ଦିଅ ପ୍ରାଣ,
ଲାଜ ହୀନତା ଚାଲିଯାଉ ।
୧୭
ଅରଜ ହେ କର୍ମର ସମ୍ପଦ,
‛କର୍ମ ହିଁ ଧର୍ମ’ ମନ୍ତ୍ର ଜପି 
ହୁଅ ସତ୍ୟଜ୍ଞାନ-ବିଶାରଦ 
ବଳ ବୁଦ୍ଧି ସର୍ବ ଅରପି ।
୧୮
ଜ୍ଞାନ-କର୍ମ-ତପସ୍ୟାର ବଳେ 
ଏ ଭାରତ-ମହୀ-ମଣ୍ଡଳେ 
ଜିଣି ସିଦ୍ଧି ଭବରଙ୍ଗ ତଳେ 
ଉଜ୍ଵଳ କର ହେ ଉତ୍କଳେ ।
ଉପସ୍ଥାପନା: ଶିଶିର ସାହୁ ମନୋଜ