ସୌରଭିତ ସୃଷ୍ଟି: ବ୍ୟାସକବି ସରସ୍ବତୀ ଫକୀରମୋହନ
ମୋ ଜୀଵନ ସାର ଧନ ଜନନୀ ଉତ୍କଳ ଭାଷା ।
ଆସ ଗୋ ମା ! କରେ ପୂଜା ପୂର୍ଣ୍ଣ ହେଉ ପ୍ରାଣ ଆଶା ।
ଭକ୍ତି,ଶ୍ରଦ୍ଧା,ସ୍ନେହ,ମାୟା,ହୃଦୟ ସ୍ୱର୍ଗୀୟ ଧନ,
ଜନନି ଗୋ ! କୃପା କରି କରୁ ତୁହି ଵିତରଣ ।
ଜ୍ଞାନ, ଵିଦ୍ଯା, ସୁଖ, ଭାଗ୍ଯ, ଯାହା କିଛି ମନୁଷ୍ୟତ୍ଵ
ଜନନି ! ପ୍ରସାଦେ ତଵ, ଅନୁଭଵେଁ ସାରତତ୍ତ୍ଵ ।
ଵିଦ୍ଯାହୀନ, ଶକ୍ତିହୀନ, ଦୀନହୀନ, ଅକିଞ୍ଚନ
ଆହା ମା ! କି ଦେଇ ମୁହିଁ ବନ୍ଦିବି ଗୋ ତୋ ଚରଣ ?
ଆତ୍ମଶକ୍ତି ଅନୁସାରେ କରୁଛି ମା ତୋ ବନ୍ଦନା,
ନ ବୁଝିଲି ପାଷଣ୍ଡ ମୁଁ ଏହା ଏକ ଵିଡ଼ମ୍ବନା ।
ଦେଇ ମା ଗୋ ! ଭକ୍ତିପୁଷ୍ପ ସେଵିବି ଚରଣ ତୋର
ହେଉ ପଛେ ସେ ସୁମନ ଗନ୍ଧହୀନ ଅସୁନ୍ଦର ।
ଏତିକି ପ୍ରାର୍ଥନା ମାତଃ ! କରୁଅଛି ବାରେ ବାରେ,
ଜୀଵନ ଅନ୍ତିମ କାଳ ଗତ ହେଉ ତୋ ସେଵାରେ ।
ଏଠାରେ କଵିଙ୍କର ଜନନୀ “ଉତ୍କଳ ଭାଷା” ଆମ୍ଭ କଳିଙ୍ଗ ଦେଶର ରାଷ୍ଟ୍ରଭାଷା ଓଡ଼ିଆ ଅଟେ । ଓଡ଼ିଆ ଭାଷାର ଅନେକ ନାମ ମଧ୍ୟରେ ଏକ ନାମ ଉତ୍କଳ ଭାଷା ଅଟଇ । ଯଥାର୍ଥରେ କଵି ଉତ୍କଳଭାଷାକୁ ମାତା ମାନ୍ଯ କରି ତାଙ୍କର ଆଵାହନ କରୁଛନ୍ତି । ନିଜର ପ୍ରିୟ ମାତାଙ୍କୁ ପାଖରେ ପାଇଲେ ସେ ତାଙ୍କର ପୁଷ୍ପ ଦ୍ଵାରା ପୂଜା କରିଵେ ଏହା କଵିଙ୍କ ମନର ଇଛା । କଵି ଲେଖକଙ୍କ କ୍ଷେତ୍ରରେ ପୁଷ୍ପ ହେଉଛି ଗଳ୍ପ, କଵିତା, ପ୍ରବନ୍ଧ, ଉପନ୍ୟାସ, ଏକାଙ୍ଗିକା ଇତ୍ୟାଦି ସାହିତ୍ୟ ସମ୍ବନ୍ଧୀୟ ଉପାଦାନ ଯହିଁ ବଳରେ ଗୋଟିଏ ଭାଷା ସାହିତ୍ୟ କ୍ଷେତ୍ରରେ ପରିପୃଷ୍ଟ ହୋଇଥାଏ ।
ଵ୍ଯାସକଵି ସେଥିପାଇଁ ଲେଖିଲେ
“ଦେଇ ମା ଗୋ ! ଭକ୍ତିପୁଷ୍ପ ସେଵିବି ଚରଣ ତୋର
ହେଉ ପଛେ ସେ ସୁମନ ଗନ୍ଧହୀନ ଅସୁନ୍ଦର ।”
ଏଠାରେ ପ୍ରକୃତରେ କଵି କହୁଛନ୍ତି ଯେ, ସାହିତ୍ୟ ସର୍ଜନା ରୂପ ଭକ୍ତି ଓ ଗଳ୍ପ, କଵିତା, ଉପନ୍ୟାସ ଇତ୍ୟାଦି ପୁଷ୍ପ ପ୍ରଦାନ କରି ହେ ଉତ୍କଳ ଭାଷା ମାତା, ମୁଁ ଚରଣ ସେଵିବି ତେଣିକି ତାହା ପାଠକ ସମାଜରେ ଵରଂ ଆଦୃତ ନହେଉ, କିନ୍ତୁ ଆଜୀଵନ ଲେଖିଚାଲିଵି ।
କୌଣସି ଭାଷାକୁ ମାତା ଜ୍ଞାନ କରି ଏଭଳି ବନ୍ଦନା ସାରା ଵିଶ୍ଵରେ ଵିରଳ ଅଟେ । ସେଇଥିପାଇଁ ତ କୁହାଯାଏ ଯେ ସହସ୍ର ଵର୍ଷରେ ଜଣେ ଵ୍ଯାସକଵି ଧରାପୃଷ୍ଠରେ ଅଵତରଣ କରନ୍ତି । ଆଜି ପୁଣି ଓଡ଼ିଆ ଭାଷା ପାଇଁ ହିନ୍ଦୀ ସଂକଟ ହୋଇ ଦେଖା ଦେଇଛି । ଆଉ ଜଣେ ଵ୍ଯାସକଵି ଲୋଡୁଛନ୍ତି ଉତ୍କଳ ଭାଷା ମାତା !
ହେ ଅମର ଆତ୍ମା ! ପୁଣିଥରେ ଅଵତାର ନିଅନ୍ତନି କଳିଙ୍ଗୋତ୍କଳେ ?
ଉପସ୍ଥାପନା: ଶିଶିର ସାହୁ ମନୋଜ