ଲେଖା: ଶ୍ରୀକାନ୍ତ ସିଂହ
~ ଆମ୍ବିଳିଝରିର ପ୍ରାଚୀନ କୂଅ ~
ଐତିହାସିକ କଟକ ନଗରୀରୁ ପ୍ରାୟ ଦଶ କି.ମି. ଦୂରରେ ବିରୂପା ନଦୀ ତଟରେ ଅନନ୍ୟ ପ୍ରାଚୀନ ନଗରୀ #ଚୌଦ୍ଵାର ! ଦିନ ଥିଲା, ବିରୂପା ତଟରେ ସେ ଭୂଖଣ୍ଡରେ ଦିନେ ଏକ ସମୃଦ୍ଧ ସଭ୍ୟତା ବିକଶିତ ହୋଇ, ଉତ୍କଳର ଶିଳ୍ପ, କଳା, ସ୍ଥାପତ୍ୟ, ସାହିତ୍ୟ, ଧର୍ମକୁ ଯେ ଋଦ୍ଧିମନ୍ତ କରିଥିଲା; ତାହାର ଅସଂଖ୍ୟ ପ୍ରମାଣ ଏବେ ଦୃଶ୍ୟମାନ ସତ ! କିନ୍ତୁ କାଳର ପ୍ରଭାବରେ ଲୁପ୍ତ, ମୃତ ! ଶ୍ମଶାନିତ !
ମହାଭାରତର କିମ୍ବଦନ୍ତୀ ଚରିତ୍ର ବିରାଟ ରାଜାଙ୍କ ରାଜଧାନୀ ଭାବେ ପରିଚିତ ଥିବା ଏଇ ବୈଚିତ୍ର୍ୟମୟ ଭୂଖଣ୍ଡରେ କେତେ ଦେବାଳୟ, କେତେ ପୁଣ୍ୟପୀଠ ! ସେସବୁ ପୀଠ ସହିତ ଜଡ଼ିତ ଅସୁମାରୀ କିମ୍ବଦନ୍ତୀ, ଲୋକକଥା ! ବିଡ଼ମ୍ବନାର କଥା ଯେ, ଏ ଅଞ୍ଚଳରେ #ଅଷ୍ଟଶମ୍ଭୁଙ୍କ ସମେତ ଅନ୍ୟାନ୍ୟ ପ୍ରାଚୀନ ଶୈବପୀଠ ଦୃଶ୍ୟମାନ ହେଉଥିଲେ ମଧ୍ୟ ସେ ସମସ୍ତ ପୀଠ ଓଡ଼ିଶାର ସର୍ବାଧିକ ଅବହେଳିତ ପୀଠ ! ଅଧିକନ୍ତୁ ଏ ମାଟି ଗର୍ଭରେ ଯେ ଅଗଣିତ କୀର୍ତ୍ତିରାଜି ଲୁପ୍ତ ଥିବାର ସମ୍ଭାବନାକୁ ଏଡ଼ାଇ ପାରନ୍ତି ନାହିଁ ଐତିହାସିକ ଅବା ଗବେଷକଗଣ !
ଅନ୍ତରଙ୍ଗ କଳିଙ୍ଗର ଏକାଧିକ ଐତିହ୍ୟ ଯାତ୍ରା କାଳରେ ଆମେ ସନ୍ଧାନ ପାଇଥିଲୁ ସେପରି ଏକ ଅଜ୍ଞାତ ପ୍ରାଚୀନ କୀର୍ତ୍ତିର ! ତେବେ କୀର୍ତ୍ତିର ନିର୍ଦ୍ଦିଷ୍ଟ ଅବସ୍ଥିତି ଏବଂ କଟକ ଠାରୁ ଏହାର ଦୂରତା ବାବଦରେ ସନ୍ଦିହାନ ଥିବା କାରଣରୁ ଆମ୍ଭେ ସୀମିତ ସଂଖ୍ୟକ ଐତିହ୍ୟପ୍ରେମୀ ବନ୍ଧୁଙ୍କ ଗହଣରେ ସେ ଥିଲା ଆମ ଐତିହ୍ୟ ଯାତ୍ରାର ପରବର୍ତ୍ତୀ ପର୍ବ !
ଚୌଦ୍ଵାର ସନ୍ନିକଟ ମହିଷାଲଣ୍ଡା ପଞ୍ଚାୟତ ଏକ ଘନ ଜନବସତି କୃଷିପ୍ରଧାନ ଅଞ୍ଚଳ । ଆଖପାଖରେ #ବିରାଟଗାଦି, #ଅଷ୍ଟଶମ୍ଭୁ ତଥା ଅନ୍ୟାନ୍ୟ ପ୍ରାଚୀନ ଶୈବପୀଠ ଅଞ୍ଚଳଟିକୁ ଆଧ୍ୟାତ୍ମିକତାରେ ବାନ୍ଧି ରଖିଛନ୍ତି । ଏ ଅଞ୍ଚଳର ଅନ୍ୟ ଏକ ଅଖ୍ୟାତ ପଲ୍ଲୀ #ଆମ୍ବିଳିଝରି ! ପଲ୍ଲୀର ଶେଷଆଡ଼କୁ ନିର୍ମାଣାଧୀନ ଗ୍ରାମଦେବତୀ ମା’ ଭୁଆସୁଣୀଙ୍କ ମନ୍ଦିର ! ମା’ଙ୍କ ମୂର୍ତ୍ତିଟି କେଉଁ କାଳରୁ ସେ ବାବଦରେ କିଛି ନିର୍ଦ୍ଦିଷ୍ଟ ତଥ୍ୟ ନାହିଁ ! ଜଙ୍ଗଲ ମଧ୍ୟରୁ ହିଁ ଉଦ୍ଧାର କରାଯାଇଥିଲା ମା’ଙ୍କର ସେଇ କମନୀୟ ମୂର୍ତ୍ତି !
ଗାଁ ଶେଷମୁଣ୍ଡ ଅବା ଆମ୍ବୁଆ ପାହାଡ଼ ପାଦଦେଶରେ ଅବସ୍ଥିତ ଏକ ପ୍ରାଚୀନ କୂଅ । ଜଙ୍ଗଲ ତଥା ଲତାଗୁଳ୍ମରେ ଭରା । କୂଅଟିର ବିଶାଳତା ତଥା ଖଚିତ ନାଲି ବଉଳମାଳିଆ ପଥର ଆଦିକୁ ଦେଖିଲେ ଏହା ଯେ ବହୁ ପ୍ରାଚୀନ ଏକଥା ଅନୁମେୟ !
ଆମ୍ବିଳିଝରି ଗ୍ରାମର ବରିଷ୍ଠ ଗ୍ରାମବାସୀ ଶ୍ରୀଯୁକ୍ତ ସୁନାକର ଦେହୁରୀ ଓ ଶ୍ରୀଯୁକ୍ତ ଶରତ ଦେହୁରୀଙ୍କ ଠାରୁ ତଥ୍ୟ ନେବାରୁ ଜଣାଯାଏ ଯେ, ସେମାନଙ୍କ ଯୁବାବୟସରେ ଦୂର କେଉଁ ଅଞ୍ଚଳରୁ କେହି ଜଣେ ନଣ୍ଡା ବାଆଜୀ ଆସି ଆମ୍ବୁଆ ପାହାଡ଼ରେ ମଠଟିଏ କରି ରହିଥିଲେ । ସେ ହିଁ ଉକ୍ତ କୂଅର ସନ୍ଧାନ ପାଇଥିଲେ । ସେ ସମୟରେ କୂଅରୁ ବହୁ ପ୍ରାଚୀନ ଜିନିଷ ପାଇଥିବାର ଅନୁମାନ କରାଯାଏ ! ତେବେ ଏପରି ଆହୁରି କିଛି କୂଅ ଆମ୍ବୁଆ ପାହାଡ଼ ଏବଂ ସଂଲଗ୍ନ ଜଙ୍ଗଲରେ ଅଛି ବୋଲି ଗ୍ରାମବାସୀଏ ଦୃଢ଼ ଭାବରେ ମତବ୍ୟକ୍ତ କରନ୍ତି !
କୂଅକୁ ନେଇ ଗ୍ରାମବାସୀଙ୍କ ମାନସପଟରେ ସ୍ଥାନ ପାଇଛି ଅସୁମାରୀ କିମ୍ବଦନ୍ତୀ ! ଏହାର ପ୍ରାଚୀନତାକୁ ନେଇ ସେମାନେ ସନ୍ଦିହାନ ଥିଲେ ମଧ୍ୟ ନଣ୍ଡା ବାଆଜୀ ଏବଂ ବହୁ ତାନ୍ତ୍ରିକ ସାଧକ ବିଭିନ୍ନ ସମୟରେ କୂଅରୁ ଖନନ କରିବାକୁ ଚେଷ୍ଟା କରି ସଫଳ ନ ହେବା କଥା ବଖାଣନ୍ତି ! ଆମ୍ବିଳିଝରିର ପ୍ରାଚୀନ କୂଅ ତଥା ସମ୍ପୃକ୍ତ ଜଙ୍ଗଲ ଯେ ଅଲୌକିକ ଶକ୍ତିର କବଳିତ ଏ କଥା ଦୃଢ଼ ଭାବେ ବିଶ୍ୱାସ କରନ୍ତି ସେମାନେ ! ଯୁବାବସ୍ଥାରେ କୂଅ ନିକଟରେ ବିଶାଳ ସାପର ଫଣା ଉପରେ ବାମୁଣୀ ବେଙ୍ଗଟିଏ ବସିଥିବାର ଦୃଶ୍ୟ ଦେଖିଥିବା କଥା ପ୍ରକାଶ କରନ୍ତି ଗ୍ରାମବାସୀ ! ସର୍ବସାଧାରଣଙ୍କ ବ୍ୟବହାର ପାଇଁ ନିଷିଦ୍ଧ ଥିବା ଆମ୍ବିଳିଝରିର ପ୍ରାଚୀନ କୂଅ #ଦେଢ଼ଶୁର_ଭାଇବୋହୂ_କୂଅ ବୋଲି ଲୋକମୁଖରେ ପରିଚିତ !
ହାତଗଣତି ଗ୍ରାମବାସୀଙ୍କ ସହ କୂଅ ନିକଟକୁ ଯାଇ ଆମେ ଯାହା ଦେଖିଥିଲୁ ସେ ଦୃଶ୍ୟ ଆମକୁ ଚକିତ କରିଥିଲା ସତ ! ଜଳପୂର୍ଣ୍ଣ ଥିବା କାରଣରୁ କୂଅମୁହଁଟି ସ୍ପଷ୍ଟ ଜଣାପଡ଼ୁ ନ ଥିଲେ ମଧ୍ୟ ୨୨ଟି ଆୟତାକାର ପାହାଚ ଦେଇ ଜଳସ୍ତର ଯାଏଁ ଓହ୍ଲାଇବାକୁ ପଡ଼େ । ତେବେ କୂଅର ପ୍ରବେଶ ଦ୍ଵାରରେ ଦୁଇଟି ଖମ୍ବ ବିରାଜମାନ ! ଏହି ଖୁମ୍ବ ଓ ଆଖପାଖରେ ଦୃଶ୍ୟମାନ ବିଭିନ୍ନ ଆକାରର ପଥରମାନ କୂଅଟିକୁ ଆହୁରି ରହସ୍ୟମୟ କରେ !
ଅଷ୍ଟଶମ୍ଭୁ ତଥା ଅନ୍ୟାନ୍ୟ ପ୍ରାଚୀନ ଶିବମନ୍ଦିର ଗୁଡ଼ିକ ପ୍ରାଙ୍ଗଣରେ ଏପରି ବିଶାଳ ପ୍ରାଚୀନ କୂଅ/ବାମ୍ଫି ଦେଖିବାକୁ ମିଳେ ! ଏ ସମସ୍ତ ମନ୍ଦିର ସ୍ଵଳ୍ପ ସମୟ ବ୍ୟବଧାନରେ ଏବଂ ପ୍ରାୟତଃ ଦ୍ଵାଦଶ ଶତାବ୍ଦୀରେ ନିର୍ମିତ ହୋଇଥିବା କାରଣରୁ ଆମ୍ବିଳିଝରି ଗ୍ରାମର ଏଇ କୂଅଟି ମଧ୍ୟ ଉକ୍ତ ସମୟର ହୋଇଥିବା ଅନୁମେୟ !
ଏଇଠି ସ୍ବତଃ ପ୍ରଶ୍ନ ଉଠେ, ତତ୍କାଳୀନ ରାଜା କ’ଣ କେବଳ କୂଅଟିଏ ଖୋଳାଇଥିଲେ ? ପଶୁପକ୍ଷୀଙ୍କ ତୃଷ୍ଣା ମେଣ୍ଟାଇବା ପାଇଁ ?
ବଉଳମାଳିଆ ପଥରର ବିଶାଳ କୂଅଟିଏ ଗଢ଼ିବା ସମୟରେ କାରୁକାର୍ଯ୍ୟ ଭରା ପଥରଗୁଡ଼ିକର ବ୍ୟବହାର ପାଇଁ କେଉଁ ପ୍ରେରଣା ସେ ଅବା ପାଇଥିବେ ?
ନା ଏଇ କୂଅଟି ଥିଲା କେଉଁ ଏକ ଲୁପ୍ତ ଦେବାଳୟର ଅଂଶ ?
ଆମ୍ବିଳିଝରିର ପ୍ରାଚୀନ କୂଅ ନିକଟରେ ବିଦ୍ୟମାନ ଅନ୍ୟାନ୍ୟ ସ୍ଥାପତ୍ୟ ତଥା ଭଗ୍ନାବଶେଷ ହୁଏତ କେଉଁ ଦେବାଳୟର ଅଂଶ ହେଇଥିବ ! ଦେବାଳୟ ସହିତ ଯଜ୍ଞମଣ୍ଡପ ମଧ୍ୟ ଥିବାର ଅନୁମାନ କରାଯାଏ ! ଲତାଗୁଳ୍ମ ଆଦିକୁ ଆଡ଼ କରି ଆମେ ଦୀପ ପରି ବିଶାଳ ପଥରଟିଏ ମଧ୍ୟ ଦେଖିବାକୁ ପାଇଥିଲୁ ! ସବୁ ଭଗ୍ନ ସ୍ଥାପତ୍ୟ ଗଭୀର ଗବେଷଣାର ଅପେକ୍ଷା କରେ !
ସତରେ, କେତେ କଥା, କେତେ କାହାଣୀ ଯୋଡ଼ି ହେଇ ରହିଛି ଚୌଦ୍ଵାର କଟକ ତଥା ଅମରାବତୀ କଟକର ଏଇ ମୁଖ୍ୟ ପ୍ରବେଶ ଦ୍ଵାର ସହିତ ! ଐତିହାସିକ, ଗବେଷକ ତଥା ଆମ ପ୍ରଶାସନର କୃପାଦୃଷ୍ଟି ଏସବୁ ଉପରେ ଯେ ଯଥାଶୀଘ୍ର ପଡ଼ିବ ସେଇ ଆଶା କରିବା କେବଳ ।