~ ଉତ୍କଳ ସାହିତ୍ୟ ସମାଜ ~
ଲେଖା: ନିରଞ୍ଜନ ସାହୁ
ଊନବିଂଶ ଶତାବ୍ଦୀର ପ୍ରଥମ ଦୁଇତୃତୀୟାଂଶ କାଳରେ ଓଡ଼ିଶାର ଜାତୀୟ ଜୀବନ ଅବହେଳା ଓ ଅବସାଦ ଜନିତ ବ୍ୟର୍ଥତାରେ ପାଣ୍ଡୁର । ନଅଙ୍କ ଦୁର୍ଭିକ୍ଷର ଚପେଟାଘାତ ଫଳରେ ଅର୍ଦ୍ଧାଧିକ ଓଡ଼ିଶା ଶ୍ମଶାନିତ । ଶତାବ୍ଦୀର ଶେଷାଂଶରେ ଓଡ଼ିଆ ଜାତି ମୋହନିଦ୍ରାରୁ ଉତ୍ଥିତ, ଆତ୍ମଚେତନା ଉଦବୁଦ୍ଧ, ଆତ୍ମଗଠନରେ କୃତସଂକଳ୍ପ । ପୁଣି ଓଡ଼ିଆ ଭାଷା ବିଲୋପ ପାଇଁ ହୀନମନ୍ୟ ମାନଙ୍କର ଚକ୍ରାନ୍ତ । ଅତଏବ ପରିପାର୍ଶ୍ଵ ଚେତନା ପୁଷ୍ଟ ଏହି ଆତ୍ମଜାଗରଣ, ସଂକଳ୍ପର ପ୍ରକୃଷ୍ଟ ପ୍ରକାଶ ବୃଦ୍ଧି ନବସୃଷ୍ଟ ଓଡ଼ିଆ ସାହିତ୍ୟ, ଗଦ୍ୟ, ପଦ୍ୟ, ପତ୍ରିକା, ସାମ୍ବାଦିକତା, ଅନୁଷ୍ଠାନ, ଆଲୋଚନା ଇତ୍ୟାଦିର ରୂପବୈଚିତ୍ର୍ୟ ମାଧ୍ୟମରେ । ବାସ୍ତବଧର୍ମିତା, କଳାତ୍ମକ ଅଭିବ୍ୟକ୍ତିର ସନ୍ଦେଶ ପ୍ରଚାରିତ ସାହିତ୍ୟ କ୍ଷେତ୍ରରେ, ଯାହା ଆଣିଦେଇଥିଲା ଆତ୍ମଜିଜ୍ଞାସା, ଆତ୍ମପ୍ରତିଷ୍ଠା ଓ ନବଜାଗରଣର ବାର୍ତ୍ତା । ଏହି ବାର୍ତ୍ତାର ମୁଖପାତ୍ର ଥିଲେ ଶିକ୍ଷିତ ମଧ୍ୟବିତ୍ତ ସମାଜ । କ୍ରମ ବର୍ଦ୍ଧମାନ ଆଶା, ଆକାଙକ୍ଷା, ସମ୍ଭାବନା ଜାତୀୟ ଜୀବନର ବିଭିନ୍ନ ପରିସର ମଧ୍ୟରେ ସାହିତ୍ୟ କ୍ଷେତ୍ରରେ ହୋଇଥିଲା ସଞ୍ଚାରିତ । ଆତ୍ମଚେତନା ହେତୁ ବୌଦ୍ଧିକ ଚିନ୍ତା ବିକଶିତ, ଆତ୍ମ ଶାସନ ଅଧିକାର ଅଭିଳଷିତ, ଚିନ୍ତା ଜଗତରେ ନୂତନ ଦିଗବଳୟ ଉଦ୍ଭାସିତ ।
ଏହି ଭଳି ନବଜାଗରଣର ଆଦ୍ୟପାଦରେ ଓଡ଼ିଶାରେ ମୁଦ୍ରା ଯନ୍ତ୍ର ସ୍ଥାପନ, ସମ୍ବାଦପତ୍ର ପରିଚାଳନା, ସାଂସ୍କୃତିକ ସଭା ସମିତି ପ୍ରତିଷ୍ଠା, ସାହିତ୍ୟ ସୃଷ୍ଟି, ରାଜ୍ୟର ବିଖଣ୍ଡିତ ଅଞ୍ଚଳ ଏକତ୍ରୀକରଣ ଶିକ୍ଷିତ ମଧ୍ୟବିତ୍ତ ଗୋଷ୍ଠୀର ସାଧନାର ସୁଫଳ । ଏହି ସମସ୍ତ କର୍ମ ପରସ୍ପର ମଧ୍ୟରେ ସଂଯୁକ୍ତ। ସାହିତ୍ୟୋନ୍ନତି ଫଳରେ ଜାତୀୟ ଉତ୍କର୍ଷ ବିଧାନ ସମ୍ଭବ । ମୁଦ୍ରାଯନ୍ତ୍ର ସ୍ଥାପନ ଫଳରେ ସମାଜ ମଧ୍ୟରେ ଜ୍ଞାନ ବିସ୍ତାର, ସାହିତ୍ୟ ପ୍ରସାର ସୁଗମ୍ୟ । ସମ୍ବାଦପତ୍ର ଦାବୀ ଉପସ୍ଥାପନ, ସ୍ଵାଧୀନ ମତ ପ୍ରକାଶର ଅନୁକୂଳ କ୍ଷେତ୍ର, ସଭାସମିତି ମାଧ୍ୟମରେ ଜାତିର ମନନଶକ୍ତିର ଅଭ୍ୟୁଦୟ, ସାହିତ୍ୟ ସୃଷ୍ଟି ମଧ୍ୟରେ ସମାଜର, ଜାତିର ହୃଦୟ ବୃତ୍ତି ଓ ବୁଦ୍ଧିବୃତ୍ତି ରସନ୍ଵିତ ଏବଂ ବିଖଣ୍ଡିତ ଅଞ୍ଚଳ ଏକତ୍ରୀକରଣର ସ୍ଵାଭିମାନ ଓ ଗୌରବ ସ୍ପଷ୍ଟ ।
ଓଡ଼ିଶାରେ ଊନବିଂଶ ଶତକର ଶେଷ ଓ ବିଂଶ ଶତକର ଆଦ୍ୟପାଦରେ ବହୁ ସାଂସ୍କୃତିକ ସମିତି ସାହିତ୍ୟ କ୍ଷେତ୍ରରେ କାର୍ଯ୍ୟ କରିବାକୁ କାୟମନୋବାକ୍ୟରେ ତତ୍ପର ଏବଂ କର୍ମକ୍ଷେତ୍ରରେ ସର୍ବାଦୌ ସ୍ମରଣୀୟ ଓ ପ୍ରଶଂସ୍ୟ । ବସ୍ତୁତଃ ଏହି ସମୟରେ ଜନ୍ମ ନେଇଥିଲେ କଟକ ଆଲୋଚନା ସଭା, ଉତ୍କଳ ଯୁବ ସମିତି, କଟକ ସାରସ୍ଵତ ସମିତି, ଉତ୍କଳ ସାହିତ୍ୟ ସମାଜ ଇତ୍ୟାଦି ।
~ କଟକ ଆଲୋଚନା ସଭା/ଉତ୍କଳ ସାହିତ୍ୟ ସମାଜ ~
“ମାତୃଭୂମି ମାତୃଭାଷା ଉଭୟେ ଜନନୀ,
ସେବି ତାଙ୍କୁ ଭକ୍ତିଭରେ ଦିବସ ରଜନୀ,
ଏ ମାନବ ଜନ୍ମ ହେଉ ସଫଳ ମୋହର,
ଏହି ଭିକ୍ଷା ପୂର୍ଣ୍ଣ କର ପ୍ରଭୁ ମହେଶ୍ୱର ।”
(ଭକ୍ତକବି ମଧୁସୂଦନ)
ଉତ୍କଳୀୟ ମାନଙ୍କର ବୁଦ୍ଧି, ଶିକ୍ଷା, ସଂସ୍କୃତି, ସାହିତ୍ୟ ଆଦି କ୍ଷେତ୍ରରେ ରୋମନ୍ଥନ, ପରିବର୍ତ୍ତନ ଜୀବନ୍ତ ସମାଜ ପକ୍ଷରେ ଶୁଭଙ୍କର । ପ୍ରାଚୀନ ଓ ନବଯୁଗର ସାହିତ୍ୟ ପ୍ରତି ମମତା ପ୍ରଦର୍ଶନ, ମାତୃଭାଷାର ଉନ୍ନତି କଳ୍ପେ ଜାତ ଆକାଙକ୍ଷା, ହୃଦୟରେ ଭରି ରହିଥିଲା ଭକ୍ତକବିଙ୍କର ! ସାହିତ୍ୟକୁ ଆହୁରି ବେଗଗାମୀ, ‘ଧୀ’ ସମ୍ପନ୍ନ କରାଇବା ସହ ଜନସାଧାରଣଙ୍କ ପାଖରେ ପହୁଞ୍ଚାଇବାର କଳ୍ପନାରୁ ପ୍ରସୂତ ହେଲା କଟକ ଆଲୋଚନା ସଭା, ୧୮୯୩ ମସିହାର ଡିସେମ୍ବର ମାସ ୧୨ ତାରିଖରେ । ଉତ୍କଳ ଭାଷା ଓ ସାହିତ୍ୟର ଅଭିବୃଦ୍ଧି ଓ ଅନୁଶୀଳନ ନିମନ୍ତେ ଏ ସଭା ଥିଲା ଉଦ୍ଦିଷ୍ଟ । କଟକ ଟ୍ରେନିଂ ସ୍କୁଲର ଅଧ୍ୟକ୍ଷ ଥିବା ବେଳେ ଭକ୍ତକବିଙ୍କ ମାନସପୁତ୍ର ହିଁ ଆଲୋଚନାସଭା । ଛାତ୍ରମାନଙ୍କର ସାହିତ୍ୟୋନ୍ନତି, ସାହିତ୍ୟାଲୋଚନା ଏହାର ପରିକଳ୍ପନା । ତେଣୁ ଏହା ଥିଲା ସାହିତ୍ୟ ଚର୍ଚ୍ଚାର ପ୍ରମୁଖ ପୀଠ ।
ଏହି ଆଲୋଚନା ସଭାର ସଭାପତି ଥିଲେ ଭକ୍ତକବି ମଧୁସୂଦନ ରାଓ ଓ ସମ୍ପାଦକ ଥିଲେ ଶିକ୍ଷକଗୈାରବ ଚନ୍ଦ୍ରମୋହନ ମହାରଣା । ଆଲୋଚନା ସଭାରେ ବକ୍ତା, ଲେଖକ, ପ୍ରାବନ୍ଧିକ, ଆଲୋଚକ ମାନେ ଥିଲେ ବାଗ୍ମୀ ବିଶ୍ଵନାଥ କର, ସାହିତ୍ୟପ୍ରାଣ ମଧୁସୂଦନ ଦାଶ, ପଲ୍ଲୀକବି ନନ୍ଦ କିଶୋର ବଳ, ବକ୍ତା ପ୍ରବୀଣ ଦାମୋଦର କର, ପ୍ରାବନ୍ଧିକ କୃଷ୍ଣପ୍ରସାଦ ଚୌଧୁରୀ, ସାହିତ୍ୟିକ ଆର୍ତ୍ତତ୍ରାଣ ଶତପଥୀ, ଆଲୋଚକ ଦୈତାରି କର, ଐତିହାସିକ ମୃତ୍ୟୁଞ୍ଜୟ ରଥ, ଶିଷକଗୈାରବ ଚନ୍ଦ୍ରମୋହନ ମହାରଣା ପ୍ରମୁଖ । ଆଲୋଚନା ସଭାରେ ଉପସ୍ଥାପିତ ହେଉଥିବା ଆଲୋଚନା, ବକ୍ତୃତା, ପ୍ରବନ୍ଧ ଥିଲା ଅତ୍ୟନ୍ତ ଉଚ୍ଚକୋଟୀର । ମାସିକ, ତ୍ରୈମାସିକ ଅଧିବେଶନ ମାନ ଆହୂତ କରାଇ ଏହି ଆଲୋଚନା ସଭା ହିଁ ହୋଇ ଉଠିଥିଲା ଉତ୍କଳର ଅନବଦ୍ୟ ସାରସ୍ଵତ ଭଣ୍ଡାର ।
ଏହି ଆଲୋଚନା ସଭାର ଉପାଦେୟତାକୁ ଶିକ୍ଷିତଗୋଷ୍ଠୀ ସମ୍ପୂର୍ଣ୍ଣ ଭାବେ ଗ୍ରହଣ କରି ନେଇଥିଲେ । ଦୀର୍ଘ ନଅ ବର୍ଷ ଚାଲିବା ପରେ ସଭାପତି ମଧୁସୂଦନଙ୍କ ଅନୁରୋଧ କ୍ରମେ କଟକ ଟ୍ରେନିଂ ସ୍କୁଲରେ ଏକ ପରାମର୍ଶ ସଭା ଆୟୋଜିତ ହୋଇଥିଲା, ଯେଉଁଥିରେ ଯୋଗ ଦେଇଥିଲେ ସାଧୁ ଚରଣ ରାୟ, ଚନ୍ଦ୍ରମୋହନ ମହାରଣା, ଫକୀରମୋହନ ସେନାପତି, କୃଷ୍ଣ ପ୍ରସାଦ ଚୌଧୁରୀ ଓ ବିଶ୍ଵନାଥ କର । ସମସ୍ତଙ୍କ ବିଚାର ବିମର୍ଷ ଓ ପରାମର୍ଶ ଅନୁଯାୟୀ ଏକ ସାହିତ୍ୟ ସମାଜ ଗଠନର ଲକ୍ଷ୍ୟ ରହିଲା । ଏହି ସାହିତ୍ୟ ସମାଜ ପ୍ରତିଷ୍ଠା ପ୍ରସ୍ତାବ ପଶ୍ଚାତରେ ବଙ୍ଗଦେଶରେ ୧୮୯୩ ରେ ସ୍ଥାପିତ ‘The Bengal Academy of Literature’ର ଆଦର୍ଶ ପରୋକ୍ଷ ପ୍ରେରଣା ଭାବେ କାର୍ଯ୍ୟ କରିଥିବା ଅନୁମେୟ ବୋଲି ସମୀକ୍ଷକ ମାନେ ମତ ଦିଅନ୍ତି । ସେ ଯାହାହେଉ ନା କାହିଁକି, ଏହି ପ୍ରସ୍ତାବ ସଭାର ପରାମର୍ଶ ଅନୁଯାୟୀ ଆତ୍ମପ୍ରକାଶ କଲା ଉତ୍କଳ ସାହିତ୍ୟ ସମାଜ, ୧୯୦୩ ମସିହା ମଇ ମାସ ୭ ତାରିଖ ଦିନ । ସଭାପତି ମଧୁସୂଦନ ରାଓ ଓ ସମ୍ପାଦକ ଚନ୍ଦ୍ରମୋହନ ମହାରଣା । ଉତ୍କଳ ସାହିତ୍ୟ ସମାଜ ପ୍ରତିଷ୍ଠା ପରଠାରୁ ବିଶ୍ଵନାଥ କରଙ୍କ ଉତ୍କଳ ସାହିତ୍ୟ ପତ୍ରିକା ହେଲା ଏହାର ମୁଖପତ୍ର । ଉତ୍କଳ ସାହିତ୍ୟ ସମାଜରେ ଉପସ୍ଥାପିତ ହେଉଥିବା ଆଲୋଚନା ଓ ପ୍ରବନ୍ଧ ସମୂହ କଳେବର ମଣ୍ଡନ କଲା ଉତ୍କଳ ସାହିତ୍ୟ ପତ୍ରିକାରେ । ସେହି ଶୁଭ ଜନ୍ମଦିନରେ (୭/୫/୧୯୦୩) କଟକ ଟ୍ରେନିଂ ସ୍କୁଲରେ ଉଦଘାଟିତ ହେଲା ରାୟବାହାଦୁର କବିବର ରାଧାନାଥ ରାୟଙ୍କ ଦ୍ଵାରା ଉତ୍କଳ ସାହିତ୍ୟ ସମାଜ । ଉଦ୍ଘାଟନୀ ଭାଷଣରେ କବିବର କହିଥିଲେ – (ସେହି ଦିନ ସଭାପତି ଅଭିଭାଷଣ ଦେବାକୁ ଯାଇ କବିବର ଯାହା ଭାଷଣ ମାଧ୍ୟମରେ ପ୍ରଦାନ କରିଥିଲେ ତାହା ଆଜି ମଧ୍ୟ ଆମ ସାହିତ୍ୟର ଉନ୍ନତି ପାଇଁ ପ୍ରଯୁଜ୍ୟ । ସେହି ଭାଷଣ ଥିଲା ହୃଦୟର ବେଦନା ଓ ଶ୍ରଦ୍ଧା ଏ ଜାତିର ଭବିଷ୍ୟତର ସାହିତ୍ୟିକଙ୍କ ପାଇଁ ।) ସମ୍ପୂର୍ଣ୍ଣ ଭାଷଣ ଏହିଠାରେ ପ୍ରଦତ୍ତ କରି ଆଶା କରୁଛୁ ଏକ ଉଜ୍ଜ୍ୱଳ ଭବିଷ୍ୟତର ଉତ୍କଳ ସାହିତ୍ୟ !
ଏ ସଭାର ଅଥବା କୌଣସି ସଭାର ସଭାପତି ପଦ ସକାଶେ ମୁଁ ଆପଣାକୁ ସମ୍ପୂର୍ଣ୍ଣ ଅନୁପଯୁକ୍ତ ବିବେଚନା କରେଁ। ସଭାପତିର ଗୁଣମାନଙ୍କ ମଧ୍ୟରେ ବାକ୍ପଟୁତା ଅପରିହାର୍ଯ୍ୟରୂପେ ଆବଶ୍ୟକ, ଏହା ସର୍ବବାଦିସମ୍ମତ କଥା । ଦୀର୍ଘକାଳସ୍ଥାୟୀ ଶ୍ଵାସଯନ୍ତ୍ରର ପୀଡ଼ା ହେତୁରୁ ଏହି ସଦଗୁଣ ଆୟତ୍ତ କରିବା ସକାଶେ ମୁଁ କେବେ ଚେଷ୍ଟା କରି ନାହିଁ । ପୁଣି ବୟୋବୃଦ୍ଧି ସହିତ ସେ ପୀଡ଼ା ବର୍ଦ୍ଧିତ ହୋଇ ମୋତେ ନିତାନ୍ତ ଅକର୍ମଣ୍ୟ କରିଅଛି । ବିଶେଷତଃ ଏ ସଭାର ଇତିହାସଏବଂ ଅନୁଷ୍ଠାନାଦି ସମ୍ବନ୍ଧରେ ମୋହୋର ଜ୍ଞାନ ନିତାନ୍ତ ସୀମାବଦ୍ଧ । ଏହି କାରଣରୁ ସଭାପତିର ଆସନ ଗ୍ରହଣ କରିବା ସକାଶେ ମୁଁ ପୁନଃ ପୁନଃ ଅନିଚ୍ଛା ପ୍ରକାଶ କରିଥିଲି । କେବଳ ସ୍କୁଳଭାବରେମୋହର ମନ୍ତବ୍ୟ ମୁଁ ଲିପିବଦ୍ଧ କରିବି ଏବଂ ତାହା ଅପରକର୍ତ୍ତୁକ ସଭାରେ ପଠିତ ହେବ, ଏହି ଆଶ୍ଵାସ ପାଇ କେବଳ ବନ୍ଧୁମାନଙ୍କ ଅନୁରୋଧର ସମ୍ମାନ ରକ୍ଷା ନିମନ୍ତେ ମୁଁ ଏ ପଦ ଗ୍ରହଣ କରିଅଛି ।
ଯେଉଁମାନେ ଏହି ସଭାରେ ଯୋଗଦାନ କରନ୍ତି, ସେମାନଙ୍କ ମଧ୍ୟରେ ଅନେକ ସୁଶିକ୍ଷିତ ଏବଂ ସୁଯୋଗ୍ୟ ବ୍ୟକ୍ତି ଅଛନ୍ତି । ଉତ୍କଳସାହିତ୍ୟର ଉନତି ସମ୍ବନ୍ଧରେ ମୋ ଅପେକ୍ଷା ସେମାନଙ୍କରମନ୍ତବ୍ୟ ଅଧିକତର ମୂଲ୍ୟବାନ ହୋଇଥାନ୍ତା, ଏଥିରେ ଲେଶମାତ୍ର ସନ୍ଦେହ ନାହିଁ । ସେମାନେ ବହୁକାଳ ଏହି ସଭାର ଅନୁଷ୍ଠାନାଦିରେ ଯୋଗଦାନ କରିଅଛନ୍ତି ଏବଂ ସଭାର ଉଦ୍ଦେଶ୍ୟ କି ଉପାୟରେ ସାଧିତ ହୋଇପାରେ, ସେ ବିଷୟରେ ମୋହୋ ଅପେକ୍ଷା ଅଧିକ ଚିନ୍ତା କରିଅଛନ୍ତି । ସୁତରା ମୋହୋପରି ଅକର୍ମଣ୍ୟ ଆଳଙ୍କାରିକ ସଭାପତି ପରିବର୍ତ୍ତରେ ସେମାନଙ୍କ ମଧ୍ୟରୁ କେହି ସଭାପତି ହୋଇଥିଲେ, ତାହାଙ୍କଠାରୁ ଆପଣମାନେ ଯାହା ଶୁଣିଥାନ୍ତେ, ତଦ୍ଦ୍ଵାରା ଆପଣମାନଙ୍କ ମୂଲ୍ୟବାନ୍ ସମୟର ଅପଚୟ ହୋଇନଥାନ୍ତା ।
ବାବୁ ଅଭିରାମ ଭଞ୍ଜ, ବାବୁ ବିଶ୍ଵନାଥ କର ପ୍ରଭୃତିଙ୍କର ସାରଗର୍ଭ ବକ୍ତୃତା ପରେ ମୋହୋର ଅଧିକ କିଛି କହିବାର ନାହିଁ । କେବଳ ପ୍ରଚଳିତ ପ୍ରଥାନୁଯାୟୀ ମୁଁ ଅତି ସଂକ୍ଷିପ୍ତ ଭାବରେ ଦୁଇ ଚାରି କଥା କହିବି ।
ଜାତିକୁ ଉନ୍ନତ କରିବାକୁ ହେଲେ ଉନ୍ନତ ଜାତୀୟ ସାହିତ୍ୟ ନିତାନ୍ତ ପ୍ରୟୋଳନୀୟ । ନବ୍ୟଶିକ୍ଷିତମାନଙ୍କ ମଧ୍ୟରେ ସମୟସମୟରେ ଏପରି ମତବାଦ ମଧ୍ୟ ଶୁଣାଯାଏ ଯେ, ସାହିତ୍ୟ ଚର୍ଚ୍ଚା କିମ୍ବା ସାହିତ୍ୟୋନ୍ନତିର ଚେଷ୍ଟାର ଆବଶ୍ୟକତା ନାହିଁ, ବିଜ୍ଞାନ ଆମମାନଙ୍କର ଏକମାତ୍ର ଶିକ୍ଷା ଏବଂ ଆଲୋଚନାର ବିଷୟ ହେବାର ଉଚିତ । ମୁଁ ଯଦିଚ ଜୀବନରେ ବିଜ୍ଞାନଚର୍ଚ୍ଚାର ସୁବିଧା ପାଇ ନାହିଁ, ସେଥର ଫଳୋପଧାୟକତା ମୁଁ ଅବଶ୍ୟ ଉପଲବ୍ଧ କରିବାକୁ ସମର୍ଥ । ଏହା ଅବଶ୍ୟ ସ୍ବୀକାର୍ଯ୍ୟ ଯେ, ପ୍ରାତୀଚ୍ୟ ବିଜ୍ଞାନ ବିଶେଷତଃ ପ୍ରାତୀଚ୍ୟ ଜଡ଼ବିଜ୍ଞାନର ଶିକ୍ଷା ଭାରତବର୍ଷୀୟ ଲୋକଙ୍କ ପକ୍ଷରେ କେବଳ ଯେ ବାଞ୍ଚନୀୟ ତାହା ନୁହେଁ, ପ୍ରତ୍ୟୁତ ଆନ୍ତର୍ଜାତିକ ଜୀବନ ସଂଗ୍ରାମରେ ଆତ୍ମରକ୍ଷା ସକାଶେ ଅପରିହାର୍ଯ୍ୟ ରୂପେ ପ୍ରୟୋଜନୀୟ । ମାତ୍ର ବିଜ୍ଞାନର ଦୋହି ଦେଇ ମୁଁ ସାହିତ୍ୟକୁ ଏକାବେଳକେ ଅଧିକୃତ କରିବାକୁ ପ୍ରସ୍ତୁତ ନୁହେଁ । ଏକଦେଶଦର୍ତ୍ତୀ ହୋଇ ଯେଉଁମାନେ ସାହିତ୍ୟକୁ ଏକାବେଳକେ ଏହିପରି ଅଧଃକୃତ କରନ୍ତି, ସାହିତ୍ୟର ମୂଳ କେଉଁଠାରେ, ତାହା ସେମାନେ ସମ୍ପୂର୍ଣ୍ଣରୂପେ ବିସ୍ମୃତ ହୋଇଯାନ୍ତି । ମନୁଷ୍ୟ କେବଳ ମସ୍ତିଷ୍କବାନ ନୁହେଁ, ମନୁଷ୍ୟଙ୍କ ଆତ୍ମା ଏବଂ ହୃଦୟ ମଧ୍ୟ ଅଛି । ସେହି ଆତ୍ମା ଏବଂ ହୃଦୟକୁ ସାହିତ୍ୟର ମୂଳ ସ୍ବରୂପ ନିର୍ଦ୍ଦେଶ କରାଯାଇପାରେ । ଆତ୍ମା ଏବଂ ହୃଦୟର ଅସ୍ଥିତ୍ଵ ଲୋପ ନହେବା ପର୍ଯ୍ୟନ୍ତ ସାହିତ୍ୟର ଲୋପ ହେବ ନାହିଁ, ଏହା ବୋଲିବାର ବାହୁଲ୍ୟ । ମସ୍ତିଷ୍କର କର୍ଷଣ ଏବଂ ଆତ୍ମା ଏବଂ ହୃଦୟର କର୍ଷଣ ଏ ଉଭୟର ସମବାୟ ପୂର୍ଣ୍ଣ ମନୁଷ୍ୟତା ଲାଭ ସକାଶେ ପ୍ରତ୍ୟେକ ମନୁଷ୍ୟ ପକ୍ଷରେ ପ୍ରଯୋଜନୀୟ, ସୂକ୍ଷ୍ମଦର୍ଶୀ ବ୍ୟକ୍ତିମାତ୍ରକେ ଏହା ସ୍ବୀକାର କରିବେ ।
ଓଡ଼ିଆ ସାହିତ୍ୟର ବର୍ତ୍ତମାନ ଅବସ୍ଥାରେ ତାହାକୁ କୌଣସି ଇଉରୋପୀୟ ସାହିତ୍ୟ କିମ୍ବା ଆମ୍ଭମାନଙ୍କର ପ୍ରାଚୀନ ସଂସ୍କୃତ ସାହିତ୍ୟ ସହିତ ତୁଳନା କରିବାର ବାତୁଳତା ମାତ୍ର । ତେବେ ଭାରତବର୍ଷର ଭିନ୍ନ ଭିନ୍ନ ପ୍ରଦେଶର ସାହିତ୍ୟ ସହିତ ଉତ୍କଳୀୟ ସାହିତ୍ୟର ତୁଳନା କିୟତ୍ ପରିମାଣରେ ସମ୍ବବପର । ଏ ତୁଳନା ମଧ୍ୟ ଉତ୍କଳୀୟ ସାହିତ୍ୟର ଅନୁକୂଳ ନୁହେ । ବିଶେଷତଃ ଆଧୁନିକ ଉତ୍କଳସାହିତ୍ୟ ଆଧୁନିକ ବଙ୍ଗୀୟ କିମ୍ବା ହିନ୍ଦୀ ସାହିତ୍ୟର ନାନାବିଷୟରେ ବହୁ ପଶ୍ଚାଦବର୍ତ୍ତୀ, ଏହା ନିର୍ବିବାଦରେ ବୋଲାଯାଇପାରେ । ବଙ୍ଗୀୟ ସାହିତ୍ୟର ତ କଥା ନାହିଁ, ହିନ୍ଦୀ ସାହିତ୍ୟ ମଧ୍ୟ ଯେପରି କ୍ଷିପ୍ରଗତିରେ ଅଗ୍ରସର ହେଉଅଛି, ତାହାର ତୁଳନାରେ ଓଡ଼ିଆ ସାହିତ୍ୟକୁ ଜଡବତ୍ ସ୍ଥାଣୁ କହିଲେ ଅତ୍ୟୁକ୍ତି ହେବନାହିଁ । ଆମମାନଙ୍କର ସାହିତ୍ୟାନୁରାଗର ଅଭାବ ଏହାର ଏକମାତ୍ର କାରଣ ଅଟେ ।
ଓଡ଼ିଆ ସାହିତ୍ୟର ଉନ୍ନତି ସକାଶେ ଆପାତତଃ ଆମ୍ଭମାନଙ୍କର ଯାହା କର୍ତ୍ତବ୍ୟ, ସେ ସମ୍ବନ୍ଧରେ ସ୍ଥୁଳରେ ବର୍ତ୍ତମାନ ମୁଁ ଦୁଇ ଚାରି କଥା କହିବାକୁ ଇଚ୍ଛା କରେ । ନିମ୍ନଲିଖିତ ଚାରୋଟି ଉପାୟ ଆମ୍ଭମାନଙ୍କର ଅବଲମ୍ବନୀୟ ।
୧. ସାଧାରଣ ଓଡ଼ିଆ ପୁସ୍ତକାଳୟ ସ୍ଥାପନ ଏବଂ ପ୍ରାଚୀନ ପାଣ୍ଡୁଲେଖ୍ୟ ସଂଗ୍ରହ ।
୨. ନବ୍ୟ ଲେଖକମାନଙ୍କ ଉତ୍ସାହ ସକାଶେ ଗୋଟିଏ ପାଣ୍ଠି ସଂସ୍ଥାପନ ।
୩. ଉତ୍କଳଭାଷାର ଇତିହାସ ପ୍ରଣୟନ ।
୪. ପ୍ରାଚୀନ ଉତ୍କଳସାହିତ୍ୟର ଆଲୋଚନା ।
ଏହି ଚାରୋଟି ଉପାୟ ମଧ୍ୟରେ ପ୍ରଥମ ଏବଂ ଦ୍ବିତୀୟ ଉପାୟ ସମଧିକ ଅର୍ଥସାପେକ୍ଷ । ସୁତରାଂ କୌଣସି ରାଜା କିମ୍ବା ବୃତ୍ତୀଶ୍ବର ବ୍ୟତୀତ ଅନ୍ୟଲୋକ ଦ୍ବାରା ଏହା ଅନୁଷ୍ଠିତ ହୋଇପାରିବ, ଏହା ମୋତେ ସମ୍ଭବପର ବୋଧ ହେଉନାହିଁ । ଆଜିକାଲି ରାଜା ଏବଂ ବୃତ୍ତୀଶ୍ଵରମାନଙ୍କ ମଧ୍ୟରେ କଦାଚିତ୍ କାହାରି କାହାରି ସାହିତ୍ୟାନୁରାଗର ଯେପରି ଅଙ୍କୁରୋଦ୍ଗମ ଲକ୍ଷିତ ହେଉଅଛି, ସେଥିରୁ ଏପରି ଆଶା ହୁଏ ଯେ, ଆମମାନଙ୍କ ଜୀବଦଶାରେ ନହେଉ, ସୁଦୂର ଭବିଷ୍ୟତରେ ଏହା କେବେହେଲେ କାର୍ଯ୍ୟରେ ପରିଣତ ହେବାର ସୂତ୍ରପାତ ହେବ ।
ପ୍ରାଚୀନ ଉତ୍କଳସାହିତ୍ୟର ଇତିହାସ ପ୍ରଣୟନ ମଧ୍ୟ ସହଜସାଧ୍ୟ ବ୍ୟାପାର ନୁହେଁ । ବଙ୍ଗୀୟ-ସାହିତ୍ୟ-ଇତିହାସ-ପ୍ରଣେତା ଶ୍ରୀ ଦିନେଶଚନ୍ଦ୍ର ସେନଙ୍କ ସୁପ୍ରସିଦ୍ଧ ଗ୍ରନ୍ଥ ତାହାଙ୍କର ଜୀବନବ୍ୟାପୀ ପରିଶ୍ରମର ଫଳ । ଏ ପ୍ରଦେଶରେ ସେପରି ଅଧ୍ୟବସାୟର ନିତାନ୍ତ ଅଭାବ; ଯାହା ମଧ୍ୟ ଅଛି, ତାହାକୁ ଭସାହ ଦେବାର ଲୋକ ନାହିଁ । ବଙ୍ଗୀୟ ରାଜା ଏବଂ ବୃତ୍ତୀଶ୍ଵରମାନେ ସ୍ବଦେଶୀୟ ସାହିତ୍ୟୋନ୍ନତି ସାଧନ ବିଷୟରେ ଆସ୍ଥାହୀନ ହୋଇ ସୁଦ୍ଧା ଯାହା କରିଅଛନ୍ତି, ଓଡ଼ିଶାରେ ସେ ଶତାଂଶ ଆଶା କରାଯାଇ ନପାରେ । ଓଡ଼ିଶାରେ ଅନ୍ୟାନ୍ୟ ବ୍ୟକ୍ତିଙ୍କ ମଧ୍ୟରେ ସୁପଣ୍ଡିତ ଶ୍ରୀଯୁକ୍ତ ବାବୁ ଶ୍ୟାମସୁନ୍ଦର ରାଜଗୁରୁ B.A, ମହାଶୟ ଏ ବିଷୟରେ ପ୍ରଶଂସନୀୟ ଅଧ୍ୟବସାୟ ପ୍ରଦର୍ଶନ କରି ଆମ୍ଭମାନଙ୍କର ଧନ୍ୟବାଦାର୍ହ ହୋଇଛନ୍ତି । ମାତ୍ର ଏପରି ଦୁର୍ବହ ଭାର ତାହାଙ୍କ ଉପରେ ଅଥବା ଅପର କୌଣସି ଯୋଗ୍ୟ ବ୍ୟକ୍ତିଙ୍କ ଉପରେ ନ୍ୟସ୍ତ କରି କେବଳ ଧନ୍ୟବାଦ ଦେଇ ନିଶ୍ଚିନ୍ତ ରହିଲେ ଚଳିବ ନାହିଁ । ଖାଲି କଥାରେ ଚୁଡ଼ା ତିନ୍ତିବ ନାହିଁ । ଏପରି ବିଷୟରେ କଥା ଅପେକ୍ଷା ଅଧିକତର ସାରବାନ୍ ଉତ୍ସାହର ନିତାନ୍ତ ଲୋଡ଼ା । ସାଧାରଣଙ୍କର ଉଚିତ ଯେ ସମବେତ ହୋଇ ତାହାଙ୍କୁ ଅଥବା ଅପର କୌଣସି ଯୋଗ୍ୟ ଲେଖକଙ୍କୁ ଏପରି ମହୋପକାରୀ ବିଷୟରେ ପର୍ଯ୍ୟାପ୍ତ ଅର୍ଥ ସାହାଯ୍ୟ କରିବେ । ଯେଉଁ ବ୍ୟକ୍ତି ଏହି ମହାବ୍ରତଧାରୀ ହେବେ, ତାହାକୁ କେତେ ପୁସ୍ତକ ସଂଗ୍ରହ, କେତେ ଅଧ୍ୟୟନ, କେତେ ପର୍ଯ୍ୟଟନ, କେତେ ଗବେଷଣା, କେତେ ଚିନ୍ତା, କେତେ ପରିଶ୍ରମ, କରିବାକୁ ହେବ, ତାହା ଆପଣମାନଙ୍କ ପରି ଜ୍ଞାତସାର ବ୍ୟକ୍ତିମାନଙ୍କୁ କହିବାର ବାହୁଲ୍ୟ । କେହି ଅବା କହିବେ ଯେ, ଏପରି ବିଷୟରେ ବ୍ୟକ୍ତିବିଶେଷଙ୍କୁ କାହିଁକି ସାହାଯ୍ୟ ଦିଆଯିବ ? ପ୍ରୟୋଜନ-ଆୟୋଜନର (Demand and Supply) ନିୟମ ଦ୍ଵାରା ଏହା ମଧ୍ୟ ନିୟମିତ ହେବାର ଇଚିତ । ଯେ ପୁସ୍ତକ ସଙ୍କଳନ କରିବେ, ପୁସ୍ତକର କାଟତିଦ୍ବାରା ସେ ପୁରସ୍କୃତ ହେବେ । ପୁସ୍ତକର ଯେବେ ସାଧାରଣରେ କାଟତି ନହେଲା, ଏପରି ପୁସ୍ତକ ଲେଖିବାର ଆବଶ୍ୟକତା କ’ଣ ? ଇଉରୋପୀୟ ଆମଦାନୀ ଅର୍ଥନୀତିର ସୂତ୍ରଗୁଡ଼ିକ ଆମେମାନ ସମୟ ସମୟରେ ଶୁଆପରି ଏହି ରୀତିରେ ଆବୃତ୍ତି କରିଥାଉଁ, ମାତ୍ର ପ୍ରକୃତ ପକ୍ଷରେ ଏଭଳି ଉକ୍ତି ଅର୍ଥନୀତିଜ୍ଞତାର ପରିଚାୟକ ନୁହେଁ; ବରଂ ଏହା ଆମ୍ଭମାନଙ୍କର ଅଜ୍ଞତା, ହୃଦୟହୀନତା ଏବଂ ବଦ୍ଧମୁଷ୍ଟିକତାର ପରିଚାୟକ । ଯେଉଁ ଇଉରୋପରୁ ଏହି ସୂତ୍ରଗୁଡ଼ିକର ଆମଦାନୀ ହୋଇଅଛି , ସେହି ଇଉରୋପ ପ୍ରୟୋଜନ ଏବଂ ଆୟୋଜନ ସମ୍ବନ୍ଧୀୟ ନିୟମର ଦୋହି ଦେଇ ଜାତୀୟ ସାହିତ୍ୟୋନ୍ନତି ସାଧନ ବିଷୟରେ ଔଦାସୀନ୍ୟ ଅବଲମ୍ବନ କରି ନାହିଁ । ସେପରି ହୋଇଥିଲେ ନବ୍ୟ ଜର୍ମାନ୍ ଏବଂ ଇଟାଲୀୟ ସାହିତ୍ୟ ଅର୍ଦ୍ଧଶତାବ୍ଦୀ ମଧ୍ୟରେ ପୃଥିବୀର ଗଣନୀୟ ସାହିତ୍ୟ ବୋଲି ପରିଗଣିତ ହୋଇନଥାନ୍ତା ।
ପ୍ରାଚୀନ ଉତ୍କଳସାହିତ୍ୟ ଯେଉଁ ପରିମାଣରେ ଆମ୍ଭମାନଙ୍କର ଆଲୋଚନା କରିବାର ଉଚିତ, ଆମେମାନେ ତାହାର ଶତାଂଶ କରିନାହୁଁ । ଅନ୍ତତଃ ଏ ବିଷୟରେ ମୁଁ ମୋର ନିଜର ତ୍ରୁଟି ଉତ୍ତମରୂପେ ଉପଲବଧି କରିଅଛି । ଏ ପ୍ରଦେଶରେ ବଙ୍ଗୀୟ ସାହିତ୍ୟ ପ୍ରଚାର ହୋଇ ପ୍ରଭୃତ ଶ୍ରେୟଃ ସହିତ ପ୍ରଭୃତ ଅନିଷ୍ଟ ମଧ୍ୟ ସାଧିତ ହୋଇଅଛି । ଅନିଷ୍ଟ ସକାଶେ ବଙ୍ଗୀୟ ସାହିତ୍ୟ ଦାୟୀ ନୁହେଁ, ଆମେମାନେ ଦାୟୀ । ଭାରତବର୍ଷୀୟ ପ୍ରାଦେଶିକ ସାହିତ୍ୟର ଆଲୋଚନା ଆମ୍ଭମାନଙ୍କ ପକ୍ଷରେ ସୁଫଳୋପଧାୟକ, ଏହା ଅବଶ୍ୟ ସ୍ବୀକାର୍ଯ୍ୟ, ମାତ୍ର ଆମମାନଙ୍କର ଅବକାଶର ଅଧିକାଂଶ ସମୟ ଉତ୍କଳସାହିତ୍ୟାଲୋଚନାରେ ବ୍ୟୟିତ ହେବାର ଉଚିତ । ବଙ୍ଗସାହିତ୍ୟ ଚର୍ଜାଦ୍ଵାରା ଆମମାନଙ୍କର ଜ୍ଞାନର ପ୍ରସାର ହୋଇଅଛି ସତ୍ୟ, ମାତ୍ର ମୌଳିକତା ବହୁ ପରିମାଣରେ ନଷ୍ଟ ହୋଇଅଛି । ଆଧୁନିକ ଉତ୍କଳସାହିତ୍ୟରେ ବଙ୍ଗୀୟ ସାହିତ୍ୟର କେବଳ ଭାବ ନୁହେଁ, ଭାଷା ମଧ୍ୟ ଅଯଥା ପରିମାଣରେ ପ୍ରବେଶ କରି ସେଥିରେ ବ୍ୟକ୍ତିଗତ ଭାବ କ୍ରମଶଃ ହୀନରୁ ହୀନତର କରିପକାଉଅଛି ।
ସଭା ସମିତିରେ ଲିଖିତ ମନ୍ତବ୍ୟ ଶ୍ରୋତାମାନଙ୍କର ପ୍ରୀତିକର ହୁଏନାହିଁ, ଅଧିକନ୍ତୁ ତାହା ସେମାନଙ୍କ ଧୈର୍ଯ୍ୟକୁ ଦାରୁଣ ପରୀକ୍ଷାରେ ନିକ୍ଷିପ୍ତ କରେ । ଏହା ମୁଁ ଅବଶ୍ୟ ବୁଝିପାରୁଅଛି ଏବଂ ବୁଝିପାରି ଏହିଠାରେ ମୋହୋର ମନ୍ତବ୍ୟର ଉପସଂହାର ଏବଂ ଆପଣମାନଙ୍କୁ ମୋହୋର ଏହି ଅକିଞ୍ଚିତକର ଉକ୍ତି ଶ୍ରବଣରୁ ମୁକ୍ତି ପ୍ରଦାନ କଲି ।
୧୯୧୯ ମସିହା ଜୁଲାଇ ୧୯ ତାରିଖରେ କଟକ ମୁନିସିପାଲିଟି ପ୍ରଦତ୍ତ ଜମିରେ ଶ୍ରୀରାମଚନ୍ଦ୍ର ଭବନର ଭିତ୍ତିପ୍ରସ୍ତର ସ୍ଥାପନ ହେଲା । ଗୃହ ନିର୍ମାଣ ପରେ ଉତ୍କଳ ସାହିତ୍ୟ ସମାଜ ଏହି ଭବନରେ କାର୍ଯ୍ୟକ୍ଷମ ହେଲା । ଜାତୀୟଗୈାରବ ମଧୁସୂଦନ ଓ ରାୟବାହାଦୂର ଯୋଗେଶ ଚନ୍ଦ୍ର ରାଏ ଅଭିଭାବକ ଭାବେ ବରଣ ହୋଇଥିଲେ । ଦୁଃଖର କଥା ପ୍ରତିଷ୍ଠାତା ମଧୁସୂଦନ ସେତେବେଳକୁ ଆମ ଗହଣରେ ନଥିଲେ । ଓଡ଼ିଆ ସାହିତ୍ୟର ଅଭିବୃଦ୍ଧି ପାଇଁ ଏହି ମାତୃକଳ୍ପ ଏ ଜାତିର ପ୍ରାତଃସ୍ମରଣୀୟ ଅନୁଷ୍ଠାନ ଏ ପର୍ଯ୍ୟନ୍ତ ରହିଛି ଓ ରହିଥିବ ମଧ୍ୟ ।
ଆଧାର: କବିବର ରାଧାନାଥ ଗ୍ରନ୍ଥାବଳୀ ଓ ବିଭିନ୍ନ ସାମୟିକ ଆଲୋଚନା
Utkal Sahitya Samaj Niranjan Sahu
View Comments
ଏହି ପୃଷ୍ଠାଟି ନିଶ୍ଚିତ ଭାବେ ଦରକାର ହୁଏ ସବୁ ସାହିତ୍ୟ ପ୍ରେମୀ ମାନଙ୍କୁ।