~ ତୁମେ ତ ଲୋକରେ ସାର ~
ସୌରଭିତ ସୃଷ୍ଟି: ଅନନ୍ତ ପଟ୍ଟନାୟକ
କମ୍ପି ଉଠୁଛି କଟକ ନଗର
ଶୁଭୁଅଛି କୋଳାହଳ,
ଆସେ ପଟୁଆର ଗଜ ବାଜୀ ଶତ
ଆସୁଛି ସୈନ୍ୟ ଦଳ ।
ଛତ୍ରି ତରାସ ଊର୍ଦ୍ଧ୍ୱେ ଦିଶୁଛି
ବାଜୁଛି ସଘନେ ବାଜା,
ହସ୍ତୀ ଆରୋହି ଆସେ ମର୍କତ
ଉତ୍କଳ ଦେଶ ରାଜା ।
ଆନତ ଦେହରେ ଦୀପ୍ତ ବଦନେ
ବୃଦ୍ଧ ସେ ଥିଲା କାହିଁ,
କାଠ ଯୋଡ଼ି‐ତୀରେ ଯଷ୍ଟିରେ ଧୀରେ
ଭରା ଦେଇ ରହେ ଚାହିଁ ।
ନିକଟୁ ନିକଟ ହେଲା ପଟୁଆର
ନାନା ପହରଣେ ସାଜି,
ଦର୍ଶକ ପରେ ଦର୍ଶକ ଜନ
ଢେଉ ସମ ପଡ଼େ ଭାଜି ।
ସିଂହର ଛବି ବକ୍ଷରେ ଧରି
ଫରଫର ଉଡ଼େ ଧ୍ୱଜା,
ଝକଝକ କରେ ଖଡ୍ଗର ଧାର
ଶତ୍ରୁର ଲାଗି ପଜା ।
ଏଡ଼େ ବଡ଼ ଥାଟ୍ଟ ରୋଧିବ ସତେ କି
ବୃଦ୍ଧ ସେ ଚାଲେ ଧୀରେ,
ଫୁରୁଫୁରୁ ଉଡ଼େ ପକ୍ୱ କେଶ ତା
ଜରା‐ଜର୍ଜର ଶିରେ ।
ଧାଇଁଯାଇ ଖରେ ନୃପତି ଆଗରେ
ଗମ୍ଭୀରେ ହେଲା ଉଭା,
ଚମକିଲେ ଦେଖି ଦମ୍ଭ ତାହାର
ବୃଦ୍ଧ ବାଳୁତ ଯୁବା ।
ଥରଥର ହାତେ ପ୍ରଣାମ ଜଣାଇ
ଅଞ୍ଜଳି ଧୀରେ ଟେକି
ନିମେଷକ ଲାଗି ଶଙ୍କି ଯାଏସେ
ନୃପତିର ତେଜ ଦେଖି ।
ରହି ରହି କହେ, “ହେ ବୀର କେଶରୀ !
ରାଜ୍ୟ ଜିଣୁଛ ଯାଇ,
ଦେଖିଛ କି ଥରେ ଏହି କଟକର
ଭାଗ୍ୟ ଯାଉଛି କାହିଁ ?
କାଠଯୋଡ଼ି ନଦୀ‐ ଗର୍ଭେ ପଶୁଛି
କଟକ ନଗର ଆମ,
ଯାହା ଲାଗି ତାର ସମ୍ପଦ ଶୀରି
ସେହି ତା ଭାଗ୍ୟେ ବାମ ।
ଦେଖି ଦେଖି ମୁହିଁ ବରଷୁ ବରଷ
ଲକ୍ଷ୍ୟ କରିଛି ଏକା,
ଇତିହାସେ ଅବା ରହିବ କଟକ
ଭୂଗୋଳେ ନ ଥିବ ଲେଖା ।
ପ୍ରତି ବର୍ଷାରେ ବନ୍ୟା ଆସି ଯେ
ନଗର ମଧ୍ୟେ ପଶି,
ହାହାକାର ଆଣେ କୁଟୀରେ କୁଟୀରେ
ନିର୍ଦ୍ଦୟେ ଯାଏ ଧସି ।
ଉତ୍ତର ମୁଖେ ବହି କାଠଯୋଡ଼ି
ମହାନଦୀ ସହ ମିଳି,
ରଖିବନି ଆଉ କଟକ‐ଚିହ୍ନ
ନିଶ୍ଚୟ ଦେବ ଗିଳି ।
ଦେଖି ଦେଖୁ ନାହିଁ କାଠଯୋଡ଼ି ତାର
କୂଳ‐ମୃତ୍ତିକା ଖାଏ,
କଟକ ନଗର ରହିବ ହେ ଛାମୁ !
ଆଉ କେତେ ଦିନଯାଏ ?”
ଏହା କହି ଧୀରେ କାଢ଼ିଲା ବୃଦ୍ଧ
ମୁଦ୍ରାର ଏକ ଥଳି,
ମର୍କତ ଆଗେ ଥୋଇ ସେ ବିନୟେ
ଜଣାଇଲା ପୁଣି ଅଳି—
” ଖଟି ଖଟି ମୁହିଁ ଜୀବନଯାକ ମୋ
ଏତିକି କରିଛି ଜମା,
କଟକର ଲାଗି ନିବେଦିଲି ଛାମୁ !
ଦୋଷ ଥିଲେ କର କ୍ଷମା ।
ବାଇଆ ଭିତରେ ଗଣା ମୁଁ କଟକେ
ବାଇମୁଣ୍ତି ମୋର ନାମ,
ନାହିଁ ଏଥି ମୋର ପାଦେ ହେଲେ ଭୂଇଁ
ସାରା ଓଡ଼ିଶା ମୋ ଧାମ ।
ମାଗୁଣି ମୋହର ରଖ ହେ ମଣିମା !
ମୁଁ ଏକ ମୂଲିଆ ଛାର ‐ “
ନ ସରୁ ତା କଥା ମର୍କତ ‐ ମୁଖେ
ବହିଗଲା ଅଶ୍ରୁଧାର ।
ଓହ୍ଲାଇ ଆସି ଗଜପୃଷ୍ଠରୁ
ବୃଦ୍ଧର କର ଧରି
ଗଦ୍ ଗଦେ ଅତି କହିଲେ, “ନିଶ୍ଚେ
ରଖିବି ତୁମର ଅଳି ।
କିଏ କହେ ତୁମେ ଛାର ମୂଲିଆ ହେ
ତୁମେ ତ ଲୋକରେ ସାର,
ତୁମ ଲାଗି ଆଉ କଟକବାସୀର
ରହିବନି ହାହାକାର ।
ଗଢ଼ା ହେବ ଏଥି ପଥରବନ୍ଧ
ଯିବ କାଠଯୋଡ଼ି‐ଦାଉ,
କାଳ କାଳ ଲାଗି ତୁମରି କାହାଣୀ
କୋଟିଜନ ମୁଖ ଗାଉ ।”
Tume Ta Lokare Saara Anant Pattanaik Ananta Pattanayak
Spread the love
Antaranga Kalinga

Share
Published by
Antaranga Kalinga

Recent Posts

ଓଗାଳ

~ ଗୋପାଳଙ୍କ ଓଗାଳ ~ ଲେଖା: ନିରଞ୍ଜନ ସାହୁ ଆଜି ପବିତ୍ର ଫଗୁଦଶମୀ। ପୁରପଲ୍ଲୀ ଉତ୍ସବ ମୁଖର। ନନ୍ଦସୁତ କହ୍ନାଇ…

2 weeks ago

ଜଳଖିଆ

~ ଜଳଖିଆ ~ ଲେଖା: ଡ. ଜୟଶ୍ରୀ ନନ୍ଦ ଯେଉଁ ସ୍ଥାନକୁ ସ୍ବୟଂ ବିଷ୍ଣୁ ଭୋଜନ ପାଇଁ ବାଛିଥିଲେ ସେ…

3 weeks ago

ଉଠ କଙ୍କାଳ

~ ଉଠ କଙ୍କାଳ ରଚନାର ପୃଷ୍ଠଭୂମି ~ ଉପସ୍ଥାପନା: ଦେଵ ତ୍ରିପାଠୀ "ଉଠ କଙ୍କାଳ, ଛିଡ଼ୁ ଶୃଙ୍ଖଳ, ଜାଗ ଦୁର୍ବଳ…

4 weeks ago

ହାତଖଣ୍ଡି ଗୌରାଙ୍ଗ ଦାସ

~ କୃଷକ ଆନ୍ଦୋଳନର ଅଧିନେତା ଗୌରାଙ୍ଗ ଦାସ ଓରଫ୍ ହାତଖଣ୍ଡି ଗୌରାଙ୍ଗ ଦାସ ~ ଲେଖା: ନିରଞ୍ଜନ ସାହୁ ଅନ୍ୟାୟ, ଅସତ୍ୟ ବିରୁଦ୍ଧରେ…

2 months ago

ଭକ୍ତକବି ମଧୁସୂଦନ ରାଓ

~ ଭକ୍ତକବି ମଧୁସୂଦନ ରାଓ ~ ଲେଖା: ଶୁଭ ରଞ୍ଜନ ପୃଷ୍ଟି ଆଜି ଯଦି ଆମେ ଓଡ଼ିଆ କହୁଛେ, ଓଡ଼ିଆ…

2 months ago

ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ

~ ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ: ଜଣେ ବିଚିତ୍ରବର୍ଣ୍ଣା ତୂଳୀକାର ~ ଲେଖା: ନିରଞ୍ଜନ ସାହୁ ଉନ୍ନବିଂଶ ଶତାବ୍ଦୀର ମଧ୍ୟ…

2 months ago