କମ୍ପି ଉଠୁଛି କଟକ ନଗର
ଶୁଭୁଅଛି କୋଳାହଳ,
ଆସେ ପଟୁଆର ଗଜ ବାଜୀ ଶତ
ଆସୁଛି ସୈନ୍ୟ ଦଳ ।
ଛତ୍ରି ତରାସ ଊର୍ଦ୍ଧ୍ୱେ ଦିଶୁଛି
ବାଜୁଛି ସଘନେ ବାଜା,
ହସ୍ତୀ ଆରୋହି ଆସେ ମର୍କତ
ଉତ୍କଳ ଦେଶ ରାଜା ।
ଆନତ ଦେହରେ ଦୀପ୍ତ ବଦନେ
ବୃଦ୍ଧ ସେ ଥିଲା କାହିଁ,
କାଠ ଯୋଡ଼ି‐ତୀରେ ଯଷ୍ଟିରେ ଧୀରେ
ଭରା ଦେଇ ରହେ ଚାହିଁ ।
ନିକଟୁ ନିକଟ ହେଲା ପଟୁଆର
ନାନା ପହରଣେ ସାଜି,
ଦର୍ଶକ ପରେ ଦର୍ଶକ ଜନ
ଢେଉ ସମ ପଡ଼େ ଭାଜି ।
ସିଂହର ଛବି ବକ୍ଷରେ ଧରି
ଫରଫର ଉଡ଼େ ଧ୍ୱଜା,
ଝକଝକ କରେ ଖଡ୍ଗର ଧାର
ଶତ୍ରୁର ଲାଗି ପଜା ।
ଏଡ଼େ ବଡ଼ ଥାଟ୍ଟ ରୋଧିବ ସତେ କି
ବୃଦ୍ଧ ସେ ଚାଲେ ଧୀରେ,
ଫୁରୁଫୁରୁ ଉଡ଼େ ପକ୍ୱ କେଶ ତା
ଜରା‐ଜର୍ଜର ଶିରେ ।
ଧାଇଁଯାଇ ଖରେ ନୃପତି ଆଗରେ
ଗମ୍ଭୀରେ ହେଲା ଉଭା,
ଚମକିଲେ ଦେଖି ଦମ୍ଭ ତାହାର
ବୃଦ୍ଧ ବାଳୁତ ଯୁବା ।
ଥରଥର ହାତେ ପ୍ରଣାମ ଜଣାଇ
ଅଞ୍ଜଳି ଧୀରେ ଟେକି
ନିମେଷକ ଲାଗି ଶଙ୍କି ଯାଏସେ
ନୃପତିର ତେଜ ଦେଖି ।
ରହି ରହି କହେ, “ହେ ବୀର କେଶରୀ !
ରାଜ୍ୟ ଜିଣୁଛ ଯାଇ,
ଦେଖିଛ କି ଥରେ ଏହି କଟକର
ଭାଗ୍ୟ ଯାଉଛି କାହିଁ ?
କାଠଯୋଡ଼ି ନଦୀ‐ ଗର୍ଭେ ପଶୁଛି
କଟକ ନଗର ଆମ,
ଯାହା ଲାଗି ତାର ସମ୍ପଦ ଶୀରି
ସେହି ତା ଭାଗ୍ୟେ ବାମ ।
ଦେଖି ଦେଖି ମୁହିଁ ବରଷୁ ବରଷ
ଲକ୍ଷ୍ୟ କରିଛି ଏକା,
ଇତିହାସେ ଅବା ରହିବ କଟକ
ଭୂଗୋଳେ ନ ଥିବ ଲେଖା ।
ପ୍ରତି ବର୍ଷାରେ ବନ୍ୟା ଆସି ଯେ
ନଗର ମଧ୍ୟେ ପଶି,
ହାହାକାର ଆଣେ କୁଟୀରେ କୁଟୀରେ
ନିର୍ଦ୍ଦୟେ ଯାଏ ଧସି ।
ମହାନଦୀ ସହ ମିଳି,
ରଖିବନି ଆଉ କଟକ‐ଚିହ୍ନ
ନିଶ୍ଚୟ ଦେବ ଗିଳି ।
ଦେଖି ଦେଖୁ ନାହିଁ କାଠଯୋଡ଼ି ତାର
କୂଳ‐ମୃତ୍ତିକା ଖାଏ,
କଟକ ନଗର ରହିବ ହେ ଛାମୁ !
ଆଉ କେତେ ଦିନଯାଏ ?”
ଏହା କହି ଧୀରେ କାଢ଼ିଲା ବୃଦ୍ଧ
ମୁଦ୍ରାର ଏକ ଥଳି,
ମର୍କତ ଆଗେ ଥୋଇ ସେ ବିନୟେ
ଜଣାଇଲା ପୁଣି ଅଳି—
” ଖଟି ଖଟି ମୁହିଁ ଜୀବନଯାକ ମୋ
ଏତିକି କରିଛି ଜମା,
କଟକର ଲାଗି ନିବେଦିଲି ଛାମୁ !
ଦୋଷ ଥିଲେ କର କ୍ଷମା ।
ବାଇଆ ଭିତରେ ଗଣା ମୁଁ କଟକେ
ବାଇମୁଣ୍ତି ମୋର ନାମ,
ନାହିଁ ଏଥି ମୋର ପାଦେ ହେଲେ ଭୂଇଁ
ସାରା ଓଡ଼ିଶା ମୋ ଧାମ ।
ମାଗୁଣି ମୋହର ରଖ ହେ ମଣିମା !
ମୁଁ ଏକ ମୂଲିଆ ଛାର ‐ “
ନ ସରୁ ତା କଥା ମର୍କତ ‐ ମୁଖେ
ବହିଗଲା ଅଶ୍ରୁଧାର ।
ଓହ୍ଲାଇ ଆସି ଗଜପୃଷ୍ଠରୁ
ବୃଦ୍ଧର କର ଧରି
ଗଦ୍ ଗଦେ ଅତି କହିଲେ, “ନିଶ୍ଚେ
ରଖିବି ତୁମର ଅଳି ।
କିଏ କହେ ତୁମେ ଛାର ମୂଲିଆ ହେ
ତୁମେ ତ ଲୋକରେ ସାର,
ତୁମ ଲାଗି ଆଉ କଟକବାସୀର
ରହିବନି ହାହାକାର ।
ଗଢ଼ା ହେବ ଏଥି ପଥରବନ୍ଧ
ଯିବ କାଠଯୋଡ଼ି‐ଦାଉ,
କାଳ କାଳ ଲାଗି ତୁମରି କାହାଣୀ
କୋଟିଜନ ମୁଖ ଗାଉ ।”