ଲେଖା: ନିରଞ୍ଜନ ସାହୁ
~ ଓଡ଼ିଆ ସାହିତ୍ୟର ଦିଗବାରେଣି ସ୍ତମ୍ଭ ଯଶସ୍ବୀ ସାହିତ୍ୟରଥୀ ସୁରେନ୍ଦ୍ର ମହାନ୍ତି ~
ଜଣେ ପ୍ରଥିତଯଶା ସାହିତ୍ୟକାର ଭାବେ ସୁରେନ୍ଦ୍ର ମହାନ୍ତି ଓଡ଼ିଆ ସାହିତ୍ୟର ଚିରନ୍ତନ ଗର୍ବ। ଗଳ୍ପ, ଉପନ୍ୟାସ, ନାଟକ, ଜୀବନୀ, ଆତ୍ମଜୀବନୀ, ସାହିତ୍ୟ ସମାଲୋଚନା, ପ୍ରବନ୍ଧ, ମୁକ୍ତ ଆଙ୍ଗିକଧର୍ମୀ ଗଦ୍ୟ ଇତ୍ୟାଦିରୁ ତାଙ୍କ ପ୍ରତିଭାକୁ ଆକଳନ କରାଯାଇପାରେ।
~ ଅନନ୍ୟ ସୃଷ୍ଟିସମ୍ଭାର ~
‘ନୀଳଶୈଳ’, ‘ଅନ୍ଧଦିଗନ୍ତ’, ‘ଶତାବ୍ଦୀର ସୂର୍ଯ୍ୟ’, ‘କୁଳବୃଦ୍ଧ’, ‘ନୀଳାଦ୍ରି ବିଜୟ’, ‘କାଳାନ୍ତର’, ‘ନେତି ନେତି’, ‘ଅଚଳାୟତନ’, ‘ମାଂସର ପ୍ରଳାପ’, ‘କୋଣାର୍କ’, ‘ଦୁଇ ସୀମାନ୍ତ’, ‘ଶେଷ କବିତା’, ‘ବଧୂ ଓ ପ୍ରିୟ’, ‘କଲେଜ ବୟ’, ‘ହଂସଗୀତି’, ‘ସହସ୍ର ଶଯ୍ୟାର ନାୟିକା’, ‘କୃଷ୍ଣାବେଣୀରେ ସନ୍ଧ୍ୟା’, ‘ଆଜୀବକର ଅଟ୍ଟହାସ୍ୟ’, ‘ଫଟାମାଟି’ ଇତ୍ୟାଦି ଓଡ଼ିଆ ସାହିତ୍ୟ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ଉପନ୍ୟାସ ଭାବେ।
ଗଳ୍ପ ସଙ୍କଳକ କଥାକାର ସୁରେନ୍ଦ୍ର ଦେଇ ଯାଇଛନ୍ତି ଓଡ଼ିଆ ପାଠକଙ୍କୁ ଅଜସ୍ର ଉପହାର; ତାଙ୍କର ‘କୃଷ୍ଣଚୂଡ଼ା’, ‘ମହାନଗରୀର ରାତ୍ରି’, ‘କବି ଓ ନର୍ତ୍ତକୀ’, ‘ମହାନିର୍ବାଣ’, ‘ଯଦୁବଂଶ ଓ ଅନ୍ୟାନ୍ୟ ଗଳ୍ପ’, ‘ସବୁଜପତ୍ର ଓ ଧୂସର ଗୋଲାପ’, ‘ରାଜଧାନୀ ଓ ଅନ୍ୟାନ୍ୟ ଗଳ୍ପ’ ମାଧ୍ୟମରେ।
ସମାଲୋଚନା ସାହିତ୍ୟରେ ତାଙ୍କର ଦୃଷ୍ଟିଭଙ୍ଗୀ ଅନନ୍ୟ । ‘ଓଡ଼ିଆ ସାହିତ୍ୟର ଆଦିପର୍ବ’, ‘ଓଡ଼ିଆ ସାହିତ୍ୟର ମଧ୍ୟପର୍ବ’, ‘ଓଡ଼ିଆ ସାହିତ୍ୟର କ୍ରମବିକାଶ’ ତାଙ୍କର ଏକ ଏକ ସୃଷ୍ଟିର ସ୍ଵାକ୍ଷର ବହନ କରେ । ନିଜର ଆତ୍ମଜୀବନୀ ‘ପଥ ଓ ପୃଥିବୀ’ ଭାରତୀୟ ସାହିତ୍ୟରେ ସ୍ଵତନ୍ତ୍ର ସ୍ଥାନ ଅଧିକାର କରେ।
~ ସଂସ୍କାରୀ ଆଭିମୁଖ୍ୟ ~
ସୁରେନ୍ଦ୍ର ମହାନ୍ତି । ସାହିତ୍ୟ ସର୍ଜନା ପ୍ରତି ତାଙ୍କର ଆଭିମୁଖ୍ୟ ଥିଲା ସ୍ବତନ୍ତ୍ର । ସେ କହିଛନ୍ତି, “ସମାଜକୁ ବଦଳାଇବାର ଦାୟିତ୍ଵ କାଳେ କାଳେ ସାହିତ୍ୟିକମାନଙ୍କ ଉପରେ ନ୍ୟସ୍ତ ରହିଆସିଛି। ଆଜିର ସାହିତ୍ୟିକ ମଧ୍ୟ ସେ ଦାୟିତ୍ଵ ନେବା ଉଚିତ। ରାଜନୈତିକ ନେତା ମାନେ ସରକାର ବଦଳେଇ ପାରନ୍ତି; କିନ୍ତୁ ସମାଜକୁ କଦାପି ବଦଳେଇ ପାରିବେ ନାହିଁ। କାରଣ ସମାଜ ଭୋଟରେ ବଦଳେ ନାହିଁ।ଏ ଦାୟିତ୍ଵ ସାହିତ୍ୟିକର; କିନ୍ତୁ ସେଥିପାଇଁ ସର୍ବପ୍ରଥମେ ଭାଷାସାହିତ୍ୟର ସାହିତ୍ୟିକମାନଙ୍କୁ ପାଶ୍ଚାତ୍ୟ ସାହିତ୍ୟରେ ପୋଷ୍ଟ-ମଡର୍ଣିଜମର ମୋହ ଛାଡ଼ି ରିଆଲିଜମ୍ ବା ବାସ୍ତବତାବାଦର ପନ୍ଥା ଧରିବାକୁ ପଡ଼ିବ”
~ ଶୈଳୀଗତ ବିବିଧତା ~
ସୁରେନ୍ଦ୍ରଙ୍କର ବିଶେଷତ୍ଵ ହେଉଛି ‘ଶୈଳୀଗତ ବିବିଧତା।’ ତାଙ୍କର ପ୍ରତ୍ୟେକ ଲେଖା ଶୈଳୀଦୃଷ୍ଟିରୁ ପରସ୍ପରଠାରୁ ଭିନ୍ନ। ଉପନ୍ୟାସର ଶୈଳୀ ଗଳ୍ପଠାରୁ ଭିନ୍ନ, କ୍ଷୁଦ୍ରଗଳ୍ପର ଶୈଳୀ ପ୍ରବନ୍ଧର ଶୈଳୀଠାରୁ ଭିନ୍ନ, ଐତିହାସିକ ଉପନ୍ୟାସ ଶୈଳୀ ହିଁ ଇତିହାସ ବିମୁଖ ହୋଇ ପଡିଥିବା ପାଠକଟିଏ ପଢିଲେ ନିଜକୁ ନାୟକ ଭାବି ସେହି ଇତିହାସର ପୃଷ୍ଠାଟିରେ ନିମଜ୍ଜିତ ହୋଇଯାଏ। ଏକ ନିର୍ଦ୍ଦିଷ୍ଟ ଶୈଳୀର ଅର୍ଗଳି ମଧ୍ୟରେ ବାନ୍ଧିବୁନ୍ଧି ହୋଇ ରହିବାକୁ କେବେ ବି ଚାହିଁ ନାହାନ୍ତି ସେ। ସେଇଥିପାଇଁ ସେ ଠାଏ କହିଛନ୍ତି – ମୁଁ ସବୁବେଳେ ମୋର ଲେଖାକୁ ଯଥାସମ୍ଭବ ସ୍ଵାଭାବିକ ରୀତିରେ ପ୍ରକାଶ କରିବାପାଇଁ ନାନା କିସମର ଶୈଳୀ ଅବଲମ୍ବନ କରେ। ବିଭିନ୍ନ ବିଷୟ ଅନୁଯାୟୀ ଶୈଳୀର ମଧ୍ୟ ବିସ୍ତାର ଘଟିଥାଏ। ଯେଉଁ ଶୈଳୀ ଲେଖକର ଅନ୍ତରରୁ ବାହରି ପାଠକର ଅନ୍ତରକୁ ଛୁଇଁ ଛୁଇଁ ଯାଏ ତାହା ହେଉଛି ଉତ୍କୃଷ୍ଟ ରଚନା ଶୈଳୀ। ସେଥିରେ ଲେଖକ ନିଜ ଭିତରେ ପାଠକକୁ ଓ ବିଶ୍ଵ ସମୁଦାୟକୁ ଦେଖିପାରେ”
~ ଜୀବନବାଚୀ ସାହିତ୍ୟର ଅମର ରୂପକାର ~
ସାହିତ୍ୟ ସମ୍ବନ୍ଧୀୟ ଲେଖା ଗୁଡିକୁ ସର୍ବଦା ଏକ ବୃହତ୍ତର ପୃଷ୍ଠଭୂମିରେ ବିଚାର କରିଛନ୍ତି ସୁରେନ୍ଦ୍ର। ରଚନାଗୁଡିକ ମାଧ୍ୟମରେ ସାହିତ୍ୟ ଜୀବନବାଚୀ ହେଉ, ସାହିତ୍ୟରେ ଜୀବନସମସ୍ୟା ଠାରୁ ଆରମ୍ଭ କରି ସୌନ୍ଦର୍ଯ୍ୟବୋଧ ପର୍ଯ୍ୟନ୍ତ ସବୁକିଛିର ପରିପ୍ରକାଶ ଘଟୁ, ଏହାହିଁ ଥିଲା ତାଙ୍କ ଅଭିପ୍ରାୟ। ଲେଖକର ସ୍ଵାଧୀନତା, ତା’ର ଜୀବନଦର୍ଶନ, ଦାୟିତ୍ଵବୋଧ ଓ ନିର୍ଭୟ ଅଭିବ୍ୟକ୍ତି ସାହିତ୍ୟର ପରିସରକୁ ବ୍ୟାପକ କରୁ, ଏହାହିଁ ସେ ଚାହିଁଛନ୍ତି ସର୍ବଦା । ସେଇଥିପାଇଁ ତ ସୁରେନ୍ଦ୍ର ହିଁ ସ୍ଵାଧୀନୋତ୍ତର ଭାରତବର୍ଷର ଜଣେ ଜଣାଶୁଣା ସ୍ତମ୍ଭକାର ମଧ୍ୟ।
~ କିମ୍ବଦନ୍ତୀ ପୁରୁଷ ସୁରେନ୍ଦ୍ର ମହାନ୍ତି ~
ଓଡ଼ିଆ ସାହିତ୍ୟରେ ପ୍ରଥିତଯଶା କିମ୍ବଦନ୍ତୀ ପୁରୁଷ ସୁରେନ୍ଦ୍ର ମହାନ୍ତି ଏକାଧାରରେ ରାଜନୈତିକ ନେତା, ସ୍ତମ୍ଭକାର, ସାମ୍ବାଦିକ ମଧ୍ୟ । ଓଜସ୍ଵିନୀ ଭାଷା ସଂଯୋଜନାର ଧୂରୀଣପୁରୁଷ ସୁରେନ୍ଦ୍ର ମହାନ୍ତିଙ୍କ ବାକ୍ୟବିନ୍ୟାସ ତାଙ୍କପରେ ଏ ଯାବତ୍ ପରିଦୃଷ୍ଟ ହୋଇନାହିଁ । ‘ଶାରଳା ପୁରସ୍କାର’, ‘ପଦ୍ମଶ୍ରୀ’, ‘କେନ୍ଦ୍ରସାହିତ୍ୟ ଏକାଡେମୀ ପୁରସ୍କାର’, ‘ଓଡ଼ିଶା ସାହିତ୍ୟ ଏକାଡେମୀ’ ପୁରସ୍କାରରେ ସମ୍ମାନିତ ହୋଇଛନ୍ତି ସେ।
~ ପ୍ରଚଣ୍ଡ ପ୍ରତିଭାଧର ସୁରେନ୍ଦ୍ର ମହାନ୍ତି ~
ଉତ୍କଳ ସାହିତ୍ୟରେ ପ୍ରଚଣ୍ଡ ପ୍ରତିଭାଧର ସୁରେନ୍ଦ୍ର ମହାନ୍ତି ! ୧୯୨୨ ମସିହା ମଇ ମାସ ୨୧ ତାରିଖରେ ଓଡିଶା ପାଇଲା ଜଣେ ଶିଶୁ, ଯିଏ ପରବର୍ତ୍ତୀ କାଳରେ ଓଡ଼ିଆ ସାହିତ୍ୟରେ ଏକ ଦିଗବାରେଣି ସ୍ତମ୍ଭ ଭାବେ ହେଲା ପ୍ରତୀୟମାନ। ସେହି ମହାନ୍ ପ୍ରତିଭା ସୁରେନ୍ଦ୍ର ମହାନ୍ତି ଗଳ୍ପ ପରେ ଗଳ୍ପ, ଉପନ୍ୟାସ ପରେ ଉପନ୍ୟାସ, ସ୍ତମ୍ଭ ପରେ ସ୍ତମ୍ଭ, ଐତିହାସିକ ଉପନ୍ୟାସ ପରେ, ଆତ୍ମଜୀବନୀ, ନାଟକ, ଜୀବନୀ, କେଉଁଠି କଲମ ବିରାମ ନେଇ ନାହିଁ। ରାଜନୀତିଜ୍ଞ ସୁରେନ୍ଦ୍ର ମହାନ୍ତି ତ ପୁଣି ଆଉ ଏକ ସଂଜ୍ଞା।
ତାଙ୍କ ରଚନାରୁ ଗୋଟିଏ ଉଦ୍ଧୃତି ଦେଇ ସେଇ ମହାପ୍ରତିଭାଙ୍କ ପଦବନ୍ଦନା କରିବାର ସୁଯୋଗ ନେବା . . “ମୁଁ ଚିରକାଳ ବିଶ୍ୱାସ କରିଆସିଛି, ବିଦଗଧ ପାଠକସମାଜ, କବି ଓ ଲେଖକକୁ ଯେଉଁ ସ୍ଵୀକୃତି ଦିଅନ୍ତି, ତାହାହିଁ ତାଙ୍କର ଶ୍ରେଷ୍ଠ ଜୟମାଲ୍ୟ। ଶିରପା, କୁଣ୍ଡଳ, ସନନ୍ଦ ଏସବୁ ବାହ୍ୟ। କୌଣସି ସଚ୍ଚାସାହିତ୍ୟିକ କେବେ ଏସବୁ ପାଇଁ ବ୍ୟାକୁଳ ହୋଇନାହିଁ। ଯଦି କେବେ ଏସବୁ ମିଳେ, ସେଥିପ୍ରତି ଅନାଗ୍ରହ ପ୍ରକାଶ ପାଇବା ମଧ୍ୟ ଆତ୍ମପ୍ରବଞ୍ଚନା ହେବ। ମିଳିଲେ ଭଲ, ନମିଳିଲେ ଦୁଃଖ ନାହିଁ। ଏପରି ଅନାସକ୍ତି ଓ ଉପେକ୍ଷା ନ ରହିଲେ ବହୁ ସମ୍ଭାବନାପୂର୍ଣ୍ଣ ଲେଖକ ଓ କବି ବ୍ୟର୍ଥତାରେ ନିରବ ହୋଇଯିବେ”
୧୯୯୦ ମସିହା ଡିସେମ୍ବର ୨୧ ତାରିଖରେରେ ଆମେ ହରେଇଛ ଏହି କୀର୍ତ୍ତିମାନ ସାହିତ୍ୟରଥୀଙ୍କୁ । ବିୟୋଗରେ ଅପୂରଣୀୟ କ୍ଷତି ହୋଇଛି ଉତ୍କଳ ଭାରତୀଙ୍କର । ସେ ଶୂନ୍ୟତା ଆଉ ପୂରଣ ହେବା ସମ୍ଭାବନା ନାହିଁ ନିଶ୍ଚିତ ଭାବେ।
© Niranjan Sahu
Spread the love
admin

Recent Posts

ଓଗାଳ

~ ଗୋପାଳଙ୍କ ଓଗାଳ ~ ଲେଖା: ନିରଞ୍ଜନ ସାହୁ ଆଜି ପବିତ୍ର ଫଗୁଦଶମୀ। ପୁରପଲ୍ଲୀ ଉତ୍ସବ ମୁଖର। ନନ୍ଦସୁତ କହ୍ନାଇ…

3 weeks ago

ଜଳଖିଆ

~ ଜଳଖିଆ ~ ଲେଖା: ଡ. ଜୟଶ୍ରୀ ନନ୍ଦ ଯେଉଁ ସ୍ଥାନକୁ ସ୍ବୟଂ ବିଷ୍ଣୁ ଭୋଜନ ପାଇଁ ବାଛିଥିଲେ ସେ…

1 month ago

ଉଠ କଙ୍କାଳ

~ ଉଠ କଙ୍କାଳ ରଚନାର ପୃଷ୍ଠଭୂମି ~ ଉପସ୍ଥାପନା: ଦେଵ ତ୍ରିପାଠୀ "ଉଠ କଙ୍କାଳ, ଛିଡ଼ୁ ଶୃଙ୍ଖଳ, ଜାଗ ଦୁର୍ବଳ…

1 month ago

ହାତଖଣ୍ଡି ଗୌରାଙ୍ଗ ଦାସ

~ କୃଷକ ଆନ୍ଦୋଳନର ଅଧିନେତା ଗୌରାଙ୍ଗ ଦାସ ଓରଫ୍ ହାତଖଣ୍ଡି ଗୌରାଙ୍ଗ ଦାସ ~ ଲେଖା: ନିରଞ୍ଜନ ସାହୁ ଅନ୍ୟାୟ, ଅସତ୍ୟ ବିରୁଦ୍ଧରେ…

2 months ago

ଭକ୍ତକବି ମଧୁସୂଦନ ରାଓ

~ ଭକ୍ତକବି ମଧୁସୂଦନ ରାଓ ~ ଲେଖା: ଶୁଭ ରଞ୍ଜନ ପୃଷ୍ଟି ଆଜି ଯଦି ଆମେ ଓଡ଼ିଆ କହୁଛେ, ଓଡ଼ିଆ…

2 months ago

ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ

~ ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ: ଜଣେ ବିଚିତ୍ରବର୍ଣ୍ଣା ତୂଳୀକାର ~ ଲେଖା: ନିରଞ୍ଜନ ସାହୁ ଉନ୍ନବିଂଶ ଶତାବ୍ଦୀର ମଧ୍ୟ…

2 months ago