~ ଶାମ୍ବ ଦଶମୀ ~
ଉପସ୍ଥାପକ: ଆୟୁଷ୍ମାନ ଆର୍ଯ୍ୟ
ପଞ୍ଚଦେବଙ୍କ ମଧ୍ୟରେ ଅନ୍ୟତମ ଦିନମଣି ଦିବାକରଙ୍କ ଉପାସନାର ପାବନ ଅବସର ହେଉଛି ପବିତ୍ର ଶାମ୍ବ ଦଶମୀ l ଅତି ପ୍ରାଚୀନ ସମୟରୁ ପୁଣ୍ୟଭୂମି ଉତ୍କଳ ଭୂଖଣ୍ଡ ପଞ୍ଚଦେବ ଉପାସନାର କ୍ଷେତ୍ର ରୂପେ ମହିମାମଣ୍ଡିତ l ପୁରାଣପ୍ରସିଦ୍ଧ ମୈତ୍ରେୟ ବନ ଭଗବାନ ସୂର୍ଯ୍ୟନାରାୟଣଙ୍କ ପ୍ରିୟସ୍ଥାନ ଥିଲା l
ପୁଣ୍ୟସଲିଳା ଚନ୍ଦ୍ରଭାଗା ନଦୀ ନିକଟରେ ଥିବା ପୁରାଣପ୍ରସିଦ୍ଧ ମୈତ୍ରେୟ ବନରେ ଭଗବାନ ଶ୍ରୀକୃଷ୍ଣଙ୍କ ପୁତ୍ର ଶାମ୍ବ ଭଗବାନ ସୂର୍ଯ୍ୟନାରାୟଣଙ୍କୁ କଠୋର ତପରେ ପ୍ରୀତ କରି ପିତୃଦତ୍ତ ଅଭିଶାପ ମାରାତ୍ମକ କୁଷ୍ଠ ବ୍ୟାଧିରୁ ଆରୋଗ୍ୟ ଲାଭ କରିଥିଲେ l
ଚନ୍ଦ୍ରଭାଗା ନଦୀରେ ସ୍ନାନ କରୁଥିବା ସମୟରେ ଶାମ୍ବ ଭଗବାନ ସୂର୍ଯ୍ୟନାରାୟଣଙ୍କ ଏକ ମଣିବିଗ୍ରହ ପ୍ରାପ୍ତ ହୋଇ ମନ୍ଦିର ଗଢ଼ାଇ ଶାକଦ୍ବୀପରୁ (ଆଧୁନିକ ଇରାନ) ମଗ ବ୍ରାହ୍ମଣମାନଙ୍କୁ ଅଣାଇ ସେମାନଙ୍କ ଦ୍ୱାରା ସୂର୍ଯ୍ୟନାରାୟଣଙ୍କ ସେବାପୂଜାର ବନ୍ଦୋବସ୍ତ କଲେ l ତେଣୁ ଦ୍ୱାପର ଯୁଗ ସମୟରୁ ଉତ୍କଳର ମୈତ୍ରେୟ ବନ ସୂର୍ଯ୍ୟଉପାସନାର କ୍ଷେତ୍ର ରୂପେ ଥିଲା ଜନାଦୃତ l
କାଳର କରାଳଗତିରେ ଭଗବାନ ଶ୍ରୀକୃଷ୍ଣଙ୍କ ପୁତ୍ର ଶାମ୍ବଙ୍କ ଦ୍ୱାରା ନିର୍ମିତ ସୂର୍ଯ୍ୟନାରାୟଣଙ୍କ ମନ୍ଦିର ଜୀର୍ଣ୍ଣ ହେବାରୁ କେଶରୀ ବଂଶର ଶାସକ ପୁରନ୍ଦର କେଶରୀ ପୁନର୍ବାର ମନ୍ଦିର ନିର୍ମାଣ କରାଇଥିଲେ ବୋଲି ମାଦଳlପାଞ୍ଜିରେ ଉଲ୍ଲେଖ ଅଛି l କେଶରୀ କାଳୀନ ମନ୍ଦିର ପୁନର୍ବାର ଜୀର୍ଣ୍ଣ ହେବାରୁ ଗଙ୍ଗସମ୍ରାଟ ଲାଙ୍ଗୁଡ଼l ନରସିଂହ ଦେବ ଭବ୍ୟ ତଥା ବିଶାଳ ସୂର୍ଯ୍ୟମନ୍ଦିର ନିର୍ମାଣ କରି ମୈତ୍ରେୟ ବନର ଶ୍ରୀବୃଦ୍ଧି କଲେ l କୋଣାର୍କରେ ସୂର୍ଯ୍ୟମନ୍ଦିର ତିନି ଥର ନିର୍ମାଣ ହୋଇଛି l ଗଙ୍ଗକାଳୀନ ସୂର୍ଯ୍ୟମନ୍ଦିର ତୃତୀୟ ଥର ନିର୍ମିତ ହୋଇଥିବା ଦେଉଳ ଅଟେ l ଏହି ମନୋରମ କାରୁକାର୍ଯ୍ୟପୂର୍ଣ୍ଣ ଭବ୍ୟ ଦେଉଳଟି ଧ୍ବଂସ ହୋଇଯାଇଛି କେବଳ ମାତ୍ର ଜଗମୋହନଟି ଉତ୍କଳୀୟ କଳା ଭାସ୍କର୍ଯ୍ୟର ଉଦଘୋଷଣା କରୁଛି l
ଚନ୍ଦ୍ରଭାଗା ନଦୀ ନିକଟସ୍ଥ ମୈତ୍ରେୟ ବନ ବା ଆଧୁନିକ କୋଣାର୍କ ସୂର୍ଯ୍ୟ ଉପାସନାର ଆଦି କ୍ଷେତ୍ର l ପରବର୍ତ୍ତୀ ସମୟରେ ଭଦ୍ରକ ଅନ୍ତର୍ଗତ ପାଳିଆର ବିରଞ୍ଚି ନାରାୟଣ ମନ୍ଦିର, ଗଞ୍ଜାମ ଅନ୍ତର୍ଗତ ବୁଗୁଡ଼ାର କାଷ୍ଠନିର୍ମିତ ବିରଞ୍ଚିନାରାୟଣ ମନ୍ଦିର ଉତ୍କଳରେ ସୂର୍ଯ୍ୟ ଉପାସନାର ଅନ୍ୟ ଦୁଇଟି ପ୍ରସିଦ୍ଧ ପୀଠ l
ସନ୍ତାନମାନଙ୍କ ସୁଖପୂର୍ଣ୍ଣ ତଥା ନିରୋଗ ଜୀବନର କାମନା କରି ଉତ୍କଳର ଘରେ ଘରେ ମାଆମାନେ ବିଭିନ୍ନ ପିଠାପଣାର ସମ୍ଭାର ଘେନି ଶାମ୍ବ ଦଶମୀ ପୂଜା କରିଥାନ୍ତି l
Samba Dashami