~ ଋକ୍ମିଣୀ ବିଭା ~

ସୌରଭିତ ସୃଷ୍ଟି: କବି କାର୍ତ୍ତିକ ଦାସ

ପ୍ରାଚୀନ ଓଡ଼ିଆ ସାହିତ୍ୟର ଏକ ଅନନ୍ୟ ନିଦର୍ଶନ, କାର୍ତ୍ତିକ ଦାସଙ୍କ ରଚିତ ‘ଋକ୍ମିଣୀ ବିଭା’ କାବ୍ୟର ପ୍ରଥମ ଛାନ୍ଦ ଏଠାରେ ଉଲ୍ଲେଖ କରୁଅଛି। ଏଥି ସହ ଦେଉଛୁ କାର୍ତ୍ତିକ ଦାସଙ୍କ ସମ୍ବନ୍ଧରେ କିଛି ପରିଚୟ ।

~ କବି ପରିଚୟ ~
ସରଳ ଓଡ଼ିଆ ଭାଷାରେ ଛନ୍ଦ ବ୍ୟବହାର କରୁଥିବା ଅନ୍ୟତମ ରୀତିକାଳୀନ କବି। ‘ରାମ-ରାବଣ ଯୁଦ୍ଧ’, ‘ନବାନୁରାଗ’, ‘ଋକ୍ମିଣୀ ହରଣ’। ହେଲେ, ମଧ୍ୟ ଭାଷାର ନିରଳଙ୍କୃତ ଶୈଳୀକୁ ଗବେଷକମାନେ ‘ରାମ-ରାବଣ ଯୁଦ୍ଧ’କୁ ତାଙ୍କର ପ୍ରଥମ କାବ୍ୟ ରୂପେ ହଣ କରିଛନ୍ତି। ପ୍ରଫେସର ଆର୍ତ୍ତବଲ୍ଲଭ ମହାନ୍ତି, ‘ଋକ୍ମିଣୀ ବିଭା‘ର ରଚନା କାଳକୁ ଭଞ୍ଜଙ୍କ ପୂର୍ବତନ ବୋଲି ଅନୁମିତ କରିଅଛନ୍ତି। ରଣ ଭଞ୍ଜଯୁଗୀୟ ଶବ୍ଦାବଳୀରେ କାର୍ତ୍ତିକ ଦାସଙ୍କ ଦ୍ଵାରା ବ୍ୟବହୃତ କିଛି ଶବ୍ଦ ପ୍ରୟୋଗ (ପଞ୍ଚଶ, ତହୁଣ, ସୀତୟା, ବ୍ରାହ୍ମଣନ୍ତ, ଅଷ୍ଟମଲ୍ଲନ୍ତ, କିଛୁଦିନ, ବିଘ୍ନମାନନ୍ତ, ଯିସ ଯିସ, ଶୁଣିତେ, ଗାବନ୍ତି, ଅମଲାଣ ପ୍ରଭୃତି) ହେଇନଥିବାର ପରିଲକ୍ଷିତ କରି ସେ ଏହି ସିଦ୍ଧାନ୍ତରେ ଉପନୀତ ହେଇଥିବା ମୁଖବନ୍ଧରେ ଉଲ୍ଲେଖ କରିଛନ୍ତି। ଏଣୁ ଶିଶୁ ଶଙ୍କର ଦାସ, ଦେବଦୁର୍ଲ୍ଲଭ ଦାସଙ୍କ ସମକାଳୀନ ବୋଲି ବିବେଚିତ ହେବା ସହ ୧୫୫୫ ଅର୍ଥାତ୍ ଷୋଡ଼ଶ ଶତାବ୍ଦୀର କବି ହେଉଛନ୍ତି କାର୍ତ୍ତିକ ଦାସ


◆ ପ୍ରଥମ ଛାନ୍ଦ ◆
ରାଗ ― ବିଭାସ ଗୁଜ୍ମରୀ
ଶ୍ରୀନୀଳସୁନ୍ଦର ଗିରି            ତଥି ପରେ ବିଜେ ହରି
ଶରଣଜନଙ୍କ ପକ୍ଷପାତ ହେ,
ଅନୁକ୍ଷଣେ ଦୟା କରେ          ଅପରାଧ ପରିହରେ
ଯେସନେ ବାଳକ ନିଜ ମାତ ହେ। ୧ ।
ନବଘନ ଶ୍ୟାମ ରୂପ          ପରମ ଆନନ୍ଦ କୂପ
ଅନନ୍ତ କୋଟି ବ୍ରହ୍ମାଣ୍ଡ ନାଥ ହେ,
ମଉଳି ମଣି ମୁକୁଟ            ସପତ ଶାଖା ପ୍ରକଟ
କମ୍ବୁ ସୁଦର୍ଶନ ଶୋହେ ହାଥ ହେ। ୨ ।
ଶ୍ରବଣେ ମଣିକୁଣ୍ଡଳ          ବଦନ କାଳିନ୍ଦୀ ଜଳ
ନୟନ ବିକଚ ପଦ୍ମ ଜିଣି ହେ,
ଅଧର ପ୍ରବାଳ ନାବ           ଅଖିଳ ନିଗମ ଠାବ
ପ୍ରସରଇ ସୁଧାମୟ ବାଣୀ ହେ। ୩ ।
କପାଳେ ତିଳକ ଶୋଭା     କିସ ପଟାନ୍ତର ଦେବା
ଶରଦ ସୁଧାନିଧି କି ଗଞ୍ଜେ ହେ,
ହୃଦୟ ଅତି ବୃଷାଳ          ନାନା ବର୍ଣ୍ଣେ ବନମାଳ
ଅଖିଳ ଜନ ନୟନ ରଞ୍ଜେ ହେ। ୪ ।
ଶ୍ରୀବତ୍ସ ଚିହ୍ନ ହୃଦର          କଉସ୍ତୁଭ ମଣିହାର
ପ୍ରଚଣ୍ଡଚଣ୍ଡ କିରଣ ଗଞ୍ଜେ ହେ,
ଚନ୍ଦନେ ସାମଳି ଅଙ୍ଗ       ପିନ୍ଧଣ ପତନୀ ରଙ୍ଗ
କଟୀରେ କ୍ଷୁଦ୍ର କିଙ୍କିଣୀ ସାଜେ ହେ। ୫ ।
ଦୁର୍ଲ୍ଲଭ ଶିରୀ ଚରଣ         ଧ୍ୱଜ ବଜ୍ର ପଦ୍ମ ମୀନ
ଭବ ଦୁଃଖସାଗରର ଭେଳା ହେ,
କାର୍ତ୍ତିକ ଦୀନ ଶରଣ        ପଶିଲା ସେହୁ ଚରଣ
ଅଖିଳ ବ୍ରହ୍ମାଣ୍ଡ ଯା’ର ଖେଳା ହେ । ୬ ।
କୃପା କର ଦୟାନିଧି        ଦେବା ମୋତେ ସଦବୁଦ୍ଧି
କରିବି ଋକ୍ମିଣୀବିଭା ବିଧି ହେ,
କହି ତ ମୋହର ମନ      କୃପା କର ଭଗବାନ
ଦୀନଜନ ବନ୍ଧୁ ଦୟାନିଧି ହେ। ୭ ।
ଅପୂର୍ବ ରସ ପ୍ରକାଶ         ଯହିଁ କବି ବେଦବ୍ୟାସ
ତହିଁ ମନ ବଢି଼ବ କେମନ୍ତେ ହେ,
କେବଳ ଭରସା ଏହି      ଯହିଁ ଅଧିକାର ନାହିଁ
କୃପା କର ଦେଇଛି ଜଗତ ହେ। ୮ ।
ଯେବଣ କଥାରେ ଦୋଷ       ନ ଧରିବେ ସାଧୁ ଲୋକ
ତେଣୁ ମୋହର ଭରସା ଚିତ୍ତେ ହେ
ନିନ୍ଦି ନ ପାରିବେ ଖଳ       ଶ୍ରୀକୃଷ୍ଣ କଥା ନିର୍ମଳ
ଗାଇଁବଇଁ ଭାଷା ଛନ୍ଦ ଗୀତେ ହେ । ୯ ।
ହରି ଋକ୍ମିଣୀର ବିଭା      ଶୁଣି ତ ଶ୍ରବଣ ଲୋଭା
ଭଗତ ଜନଙ୍କ ପ୍ରେମନିଧି ହେ,
ଗାଇଲା କାର୍ତ୍ତିକ ଦୀନ     ହରି ପାଦେ ଦେଇ ମନ
ମନୋରଥ କର ମୋର ସିଦ୍ଧି ହେ । ୧୦ ।◆ ଦ୍ଵିତୀୟ ଛାନ୍ଦ ◆
ରାଗ – ଗୁଜ୍ମରୀଶୁଣ ହେ ସୁଜନ ଜନ ଏଥୁ ଅନନ୍ତେଣ।
ପରମ-ବ୍ୟୋମରେ ବିଜେ ପ୍ରଭୁ ନାରାୟଣ ଯେ । ୧ ।
ମହାଯୋଗ ପୀଠର ଉପରେ ଅଷ୍ଟଦଳ।
ବିକଚ କମଳ ମଧ୍ୟେ କର୍ଣ୍ଣିକା ନିର୍ମ୍ମଳ ହେ । ୨ ।
ତଥିର ଉପରେ ବିଜେ ଅଖିଳ ନିବାସ।
ଅଷ୍ଟଦଳେ ଅଷ୍ଟ ପରିବାରୀ ଖଟେ ପାଶ ହେ । ୩ ।
ସଜଳ ଜଳଦ ତନୁ ଇନ୍ଦ୍ର ନୀଳମଣି।
ବାମ ଜାନୁ ଉପରେ ବିଜୟ କମଳିଣୀ ହେ। ୪ ।
କିରୀଟ କୁଣ୍ଡଳ ଶଙ୍ଖ ଚକ୍ର ଶୋହେ କର।
ଶ୍ରୀବତ୍ସ ଲାଞ୍ଛନ ବନମାଳା ପୀତାମ୍ବର ହେ । ୫ ।
ବିଦ ମୁଦି କଙ୍କଣ ବାହୁଟି ତଥି ବନ୍ଧ ।
ସତ୍ୟ ଶୁଦ୍ଧମୟେ ରୂପ କେବଳ ଆନନ୍ଦ ହେ । ୬ ।
ବାମେ ଉଭା ଧରଣୀ ଦକ୍ଷିଣେ ଲୀଳାଦେବୀ।
ପରିବାରୀପଣେଣ ଅଛନ୍ତି ଯହିଁ ସେବି ହେ। ୭ ।
ବ୍ରହ୍ମା ଶିବ ଦେଖିବାକୁ ନୁହନ୍ତି ଭାଜନ।
କେବଳ ଜାଣନ୍ତି ଆତ୍ମଭାବ ଭକ୍ତଜନ ହେ । ୮ ।
ତହିଁ ଏକ ଦିନେ ନିଜ ଭୁଜକୁ ଅନାଇ।
ସଂଗ୍ରାମକୁ ମନୋରଥ କଲେ ଯଦୁସାଇଁ ହେ । ୯ ।
ଆମ୍ଭ ସଙ୍ଗେ ଲୀଳାକୁ କେ ହୋଇବ ଭାଜନ ।
କେବଳ ଜାଣନ୍ତି ଭାବ ଆମ୍ଭ ନିଜ ଜନ ହେ । ୧୦ ।
ପଶ୍ଚିମ ଦ୍ଵାରେଣ ଛନ୍ତି ଦ୍ବାରପାଳ ଦୁଇ।
ଶ୍ରୀଜୟ ବିଜୟ ବୋଲି ଯାହାକୁ ସେ କହି ହେ । ୧୧ ।
ତାହାଙ୍କ ସଙ୍ଗତେ ଲୀଳା କରିବା ବିଚାରି।
ବ୍ରାହ୍ମଣ ଦ୍ଵାରେଣ ତାଙ୍କୁ ଶାପ ଦେଲେ ହରି ହେ। ୧୨ ।
ଶାପ ମୋକ୍ଷ ହୋଇବାକୁ ଛାମୁରେ ଜଣାଇ।
ସାଷ୍ଟାଙ୍ଗେ ପ୍ରଳମ୍ବ ହୋଇ କର ଯୋଡ଼ି କହି ହେ । ୧୩ ।
ଦେଖିଣ ବୋଲନ୍ତେ ପ୍ରଭୁ ଦେବ ଦାମୋଦର।
ସନକାଦି ଶାପ ଦେଲେ ଯାଅ ମର୍ତ୍ତ୍ଯପୁର ହେ । ୧୪ ।
ଭକ୍ତ ଭାବିଲେ ଭଜିବ ସପତ ଜନ୍ମ ଥିବ।
ତହିଁ ଉତ୍ତାରେଣ ନିଜ ସେବା ହିଁ ପାଇବ ହେ । ୧୫ ।
ରିପୁ ଭାବେ ଭଜିଲେ ପାଇବ ଜନ୍ମ ତିନି।
ଯେ ତୁମ୍ଭର ଇଚ୍ଛା ବର ମାଗ ଭାଇ ବେନି ହେ । ୧୬ ।
ପାଦେ ପଡ଼ି ବୋଇଲେ ବଇର ଭାବେ ଥିବୁ।
ତହିଁର ଉତ୍ତାରୁ ନିଜ ସେବାକୁ ଆସିବ ହେ । ୧୭ ।
ହସିଣ ବୋଲନ୍ତି ପ୍ରଭୁ ଜଗତ ଈଶ୍ୱର ।
ବେଗେ ଯାଇଁ ଜନ୍ମ ତୁମ୍ଭେ ଲଭ ମର୍ତ୍ତ୍ଯପୁର ହେ । ୧୮ ।
ଭୂଲୋକରେ ଆମ୍ଭେ ଯେ ହୋଇବୁ ଅବତାର।
ତୁମ୍ଭର ସଙ୍ଗରେ ଆମ୍ଭେ କରିବୁ ସମର ହେ । ୧୯ ।
ଆମ୍ଭର ବାଣରେ ତୁମ୍ଭେ ହୋଇବ ନିଧନ ।
ବାହୁଡି଼ ପାଇବ ଆସି ତୁମ୍ଭ ନିଜ ସ୍ଥାନ ହେ । ୨୦ ।
ଏସନେକ ଆଜ୍ଞା ଶିରେ ଘେନି ଦୁହେଁ ଗଲେ।
ଅସୁର ଶରୀର ହୋଇ ଜନ୍ମ ସେ ଲଭିଲେ ହେ । ୨୧ ।
ହିରଣାକ୍ଷ ହିରଣ୍ୟକଶିପୁ ବେନି ବୀର।
ପ୍ରଚଣ୍ଡ ପ୍ରତାପେଣ ଜିଣିଲେ ତିନିପୁର ହେ । ୨୨ ।
ହିରଣାକ୍ଷ ବୋଲିଣ ସେ ଅତିମହାବଳୀ।
ପଞ୍ଚାଶ କୋଟି ଧରଣୀ କରେ ଧରି ତୋଳି ହେ । ୨୩ ।
ପାତାଳେ ପଶିଣ ସେ କାରୁଣ ଜଳେ ଖେଳି।
କୋଳ ଅବତାରେଣ ମାଇଲେ ବନମାଳୀ ହେ । ୨୪ ।
ଉପସ୍ଥାପନା: ଅମୃତେଶ ଖଟୁଆ
Rukmini Bibha
Amritesh Khatua
Spread the love
admin

Recent Posts

ଓଗାଳ

~ ଗୋପାଳଙ୍କ ଓଗାଳ ~ ଲେଖା: ନିରଞ୍ଜନ ସାହୁ ଆଜି ପବିତ୍ର ଫଗୁଦଶମୀ। ପୁରପଲ୍ଲୀ ଉତ୍ସବ ମୁଖର। ନନ୍ଦସୁତ କହ୍ନାଇ…

2 weeks ago

ଜଳଖିଆ

~ ଜଳଖିଆ ~ ଲେଖା: ଡ. ଜୟଶ୍ରୀ ନନ୍ଦ ଯେଉଁ ସ୍ଥାନକୁ ସ୍ବୟଂ ବିଷ୍ଣୁ ଭୋଜନ ପାଇଁ ବାଛିଥିଲେ ସେ…

3 weeks ago

ଉଠ କଙ୍କାଳ

~ ଉଠ କଙ୍କାଳ ରଚନାର ପୃଷ୍ଠଭୂମି ~ ଉପସ୍ଥାପନା: ଦେଵ ତ୍ରିପାଠୀ "ଉଠ କଙ୍କାଳ, ଛିଡ଼ୁ ଶୃଙ୍ଖଳ, ଜାଗ ଦୁର୍ବଳ…

4 weeks ago

ହାତଖଣ୍ଡି ଗୌରାଙ୍ଗ ଦାସ

~ କୃଷକ ଆନ୍ଦୋଳନର ଅଧିନେତା ଗୌରାଙ୍ଗ ଦାସ ଓରଫ୍ ହାତଖଣ୍ଡି ଗୌରାଙ୍ଗ ଦାସ ~ ଲେଖା: ନିରଞ୍ଜନ ସାହୁ ଅନ୍ୟାୟ, ଅସତ୍ୟ ବିରୁଦ୍ଧରେ…

2 months ago

ଭକ୍ତକବି ମଧୁସୂଦନ ରାଓ

~ ଭକ୍ତକବି ମଧୁସୂଦନ ରାଓ ~ ଲେଖା: ଶୁଭ ରଞ୍ଜନ ପୃଷ୍ଟି ଆଜି ଯଦି ଆମେ ଓଡ଼ିଆ କହୁଛେ, ଓଡ଼ିଆ…

2 months ago

ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ

~ ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ: ଜଣେ ବିଚିତ୍ରବର୍ଣ୍ଣା ତୂଳୀକାର ~ ଲେଖା: ନିରଞ୍ଜନ ସାହୁ ଉନ୍ନବିଂଶ ଶତାବ୍ଦୀର ମଧ୍ୟ…

2 months ago