~ ରାମକୃଷ୍ଣ ନନ୍ଦ ~

ଲେଖା: ଅମୃତେଶ ଖଟୁଆ ଦେଵ ତ୍ରିପାଠୀ

ଆହେ ଦୟାମୟ ବିଶ୍ଵବିହାରୀ ।
ଘେନ ଦୟାବହି ମୋ’ର ଗୁହାରି।
ଜଳ, ସ୍ଥଳ, ବନ, ଗିରି, ଆକାଶ,
ତୁମ ଲୀଳା ସବୁଠାରେ ପ୍ରକାଶ।

ଇଏ କେବଳ ଭକ୍ତିକବିତାଟିଏ ତ ନ ଥିଲା, ଥିଲା ଲକ୍ଷ ଲକ୍ଷ ଓଡ଼ିଆଙ୍କ ପାଇଁ ଭାବପ୍ରବଣତା, ଶିଶୁକିଶୋରଙ୍କ ପାଇଁ ଏକ ଉଛ୍ୱସିତ ସ୍ପନ୍ଦିତ ବିଭୂବନ୍ଦନା ! କେବଳ ଓଡ଼ିଆଙ୍କୁ ଛୁଇଁ ନ ଥିଲା ! ଛୁଇଁଥିଲା ଓଡ଼ିଆଙ୍କୁ ପ୍ରାଣଭରି ଭଲପାଉଥିବା ମହାତ୍ମାଗାନ୍ଧୀଙ୍କୁ ! ସେ ମଧ୍ୟ ବୋଲାଉଥିଲେ ଏଇ ମହାର୍ଘ ପ୍ରାର୍ଥନାକୁ ! ସାବରମତୀ ଆଶ୍ରମରେ ! ସେଇ କାଳଜୟୀ ରଚନାର ସ୍ରଷ୍ଟା ଥିଲେ ପଣ୍ଡିତ ରାମକୃଷ୍ଣ ନନ୍ଦ – ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାରପ୍ରାପ୍ତ ଶିଶୁସାହିତ୍ୟକ, ଗୀତିକାର ଓ ପ୍ରକାଶକ


ରେଭେନ୍‌ସା କଲେଜିଏଟ୍‌ ସ୍କୁଲ୍‌ରେ ପଢ଼ିବା ବେଳେ ବିଦ୍ୟାଳୟର ପତ୍ରିକା ‘ଚନ୍ଦ୍ରିକା’ରେ ପ୍ରକାଶିତ କବିତାରୁ ସାହିତ୍ୟ ସାଧକ ଭାବେ ଜୀବନ ଆରମ୍ଭ କରିଥିଲେ ରାମକୃଷ୍ଣ । ତଦାନୀନ୍ତନ ସମୟରୁ ନେଇ ଚଳନ୍ତି ଯୁଗଧର୍ମରେ ତାଙ୍କର ଶିଶୁ ସାହିତ୍ୟ ପ୍ରତି ଅବିରତ ଅବଦାନ ଯେ ସତତ ମହନୀୟ ହୋଇ ଆସିଛି, ସେଥିରେ ତିଳେ ମାତ୍ର ବିଶେଷୋକ୍ତି ପ୍ରଦାନ ନ କରିଲେ ମଧ୍ୟ ତାଙ୍କର ମହନୀୟତାରୁ ବାରିତ ହୁଏ । ଗୁରୁ ଜୟଦେବ ମିଶ୍ରଙ୍କ ବହୁମୁଖୀ ପ୍ରତିଭାରୁ ସେ ଅନେକତ୍ର ପ୍ରଭାବିତ ହୋଇ ରାମକୃଷ୍ଣଙ୍କୁ ଚିତ୍ରାଙ୍କନ ଓ ସଂଗୀତରେ ନିପୁଣ କରି ସାରିଥିଲେ।

ପୁନଶ୍ଚ କୈଶୋର ବୟସରେ ଗାନ୍ଧୀ ଓ ଗୋପବନ୍ଧୁଙ୍କ ଦ୍ବାରା ଅନୁପ୍ରାଣିତ ତଥା ଅସହଯୋଗ ଆନ୍ଦୋଳନର ବହ୍ନିମାନ ପ୍ରଜ୍ଜ୍ବଳନ ଦ୍ଵାରା ଆକର୍ଷିତ ହେବା ସହ ତତ୍କାଳୀନ ଉପାଧି ବର୍ଜନ ସମୟରେ ଜାତୀୟକବି ବୀରକିଶୋର ଦାସଙ୍କ “ମୋହନବଂଶୀ” ପଢି ନିଜର ସୃଜନୀ ଆରମ୍ଭ କରିଥିଲେ ଦେଶାତ୍ମବୋଧକ କବିତା ସହ । ଆଉ ସେ ସମସ୍ତ ତାଙ୍କ ଶେଷ ଜୀବନ ପର୍ଯ୍ୟନ୍ତ ମୁଖସ୍ଥ ଥିଲା।


ପୁନଃ ୧୯୩୩ ମସିହାରେ ସେ “ଆହେ ଦୟାମୟ ବିଶ୍ଵବିହାରୀ” ରଚନା କରିଥିଲେ, ସମାନ ବର୍ଷ ବାରିପଦାରେ ବନ୍ୟାକ୍ଳିଷ୍ଟ ଲୋକଙ୍କୁ “ନାରାୟଣ ସମିତି” ପକ୍ଷରୁ ସାହାଯ୍ୟ ପ୍ରଦାନ ନିମନ୍ତେ ସେ ଗୋଟିଏ ଗୀତ ଲେଖିଥିଲେ, “ଦେଶ ଲାଗି ଆଜି ତୁମରି ଦୁଆରେ ଭିକ୍ଷା ମାଗୁଅଛୁ ଆସି .  . .” । ଏଇ ଗୀତଟି ଶୁଣି ଅଗଣିତ ଦାତାଗଣଙ୍କ ହୃଦୟ ବିଗଳିତ ହୋଇପଡିଲା ଓ ମୁକ୍ତହସ୍ତରେ ଅନୁଦାନ ମିଳିଲା ଯାହା ଫଳରେ ଦୁର୍ଗତଙ୍କ ସାହାଯ୍ୟ ସଫଳଗାମୀ ହୁଏ। 

ଓଡ଼ିଆ ଶିଶୁ ସାହିତ୍ୟର ବିକାଶ ପାଇଁ ସର୍ବପ୍ରଥମେ ଉଦ୍ୟମ କରିଥିବା ସାହିତ୍ୟିକଙ୍କ ମଧ୍ୟରେ ଅନ୍ୟତମ ଏବ˚ ଏ ଦିଗରେ ଜୀବନବ୍ୟାପୀ ସାଧନା କରିଥିବା ପଣ୍ଡିତ ରାମକୃଷ୍ଣ ନନ୍ଦ ପ୍ରତିଷ୍ଠା କରିଥିଲେ ସଂସାର ଶିଶୁପତ୍ରିକା । ତଳ ତେଲଙ୍ଗା ବଜାରରେ ଜମି କିଣି ଗୃହନିର୍ମାଣ କରି ଏବଂ ପାରିଜାତ ଓ ପରବର୍ତ୍ତୀ ସମୟରେ ସଂସାର ନାମକ ଛାପାଖାନା ସ୍ଥାପନା ସହିତ ପୁସ୍ତକ ପ୍ରକାଶନ କରାଇ ସେ ନିଜର ସାହିତ୍ୟପ୍ରୀତିର ପରିଚୟ ଦେଇଛନ୍ତି। ପାଠ୍ୟପୁସ୍ତକର ଅଭାବ ଅନୁଭବ କରି ସେ ରଚିଥିଲେ ‘ସାହିତ୍ୟ ସୋପାନ’ ‘ସାହିତ୍ୟ ବୋଧ’ ପୁସ୍ତକ ।


‘ଝୁମୁକା’ ପାଇଁ ସେ ଓଡ଼ିଶା ସାହିତ୍ୟ ଏକାଡେମି ପୁରସ୍କାରରେ ସମ୍ମାନିତ ପଣ୍ଡିତ ରାମକୃଷ୍ଣ ରଚିଯାଇଛନ୍ତି ‘ସୁବର୍ଣ୍ଣ ସେଓ’, ‘ମରଣ ଦୋଳି’, ‘ସାଗର କନ୍ୟା’, ‘ସୁନା ପାହାଚ’, ‘ରତ୍ନ ପାଖୁଡ଼ା’, ‘ଅଦେଖା ବଣର ଫୁଲ’, ‘ତୁଳସୀ ଦାସ’, ‘ପ୍ରତିଧ୍ବନି’, ‘ସଂଗ୍ରାମ ଓ ସାଧନା’, ‘ବିଜ୍ଞାନ କୁହୁକ’, ‘ପ୍ରକୃତିର ଗଳ୍ପପୁରୀ’, ‘ଆମ ବଣଜଙ୍ଗଲ କଥା’, ‘ଲେଖନୀର ପାଠଶାଳା’, ‘ଅଦେଖା ବଣର ଫୁଲ’  ପରି କେତେ କେତେ ସାହିତ୍ୟ ! ନିଜ ଜୀବନର ଅଭିଜ୍ଞତା ଓ ପରୀକ୍ଷା ନିରୀକ୍ଷା କୁ ନେଇ ଲେଖିଛନ୍ତି ଆତ୍ମଚରିତ ‘ଜୀବନ ତରଙ୍ଗ’ ।

କଟକ ଜିଲ୍ଲା ଗୋବିନ୍ଦପୁର ଅନ୍ତ୍ରର୍ଗତ ବାଇରୋଇଠାରେ ୧୯୦୬ ମସିହା ଫେବୃଆରୀ ୧୫ ତାରିଖରେ ଜନ୍ମଗ୍ରହଣ ଏବଂ ୧୯୯୪ ମସିହା ଅକ୍ଟୋବର ୨୮ ତାରିଖରେ ଇହଲୀଳା ସମ୍ବରଣ କରିଥିଲେ ଏଇ ସାହିତ୍ୟସାଧକ । 

© Amritesh Khatua

Ramakrushna Nanda Dev Tripathy Ahe Dayamaya

Spread the love
admin

Recent Posts

ଓଗାଳ

~ ଗୋପାଳଙ୍କ ଓଗାଳ ~ ଲେଖା: ନିରଞ୍ଜନ ସାହୁ ଆଜି ପବିତ୍ର ଫଗୁଦଶମୀ। ପୁରପଲ୍ଲୀ ଉତ୍ସବ ମୁଖର। ନନ୍ଦସୁତ କହ୍ନାଇ…

3 weeks ago

ଜଳଖିଆ

~ ଜଳଖିଆ ~ ଲେଖା: ଡ. ଜୟଶ୍ରୀ ନନ୍ଦ ଯେଉଁ ସ୍ଥାନକୁ ସ୍ବୟଂ ବିଷ୍ଣୁ ଭୋଜନ ପାଇଁ ବାଛିଥିଲେ ସେ…

1 month ago

ଉଠ କଙ୍କାଳ

~ ଉଠ କଙ୍କାଳ ରଚନାର ପୃଷ୍ଠଭୂମି ~ ଉପସ୍ଥାପନା: ଦେଵ ତ୍ରିପାଠୀ "ଉଠ କଙ୍କାଳ, ଛିଡ଼ୁ ଶୃଙ୍ଖଳ, ଜାଗ ଦୁର୍ବଳ…

1 month ago

ହାତଖଣ୍ଡି ଗୌରାଙ୍ଗ ଦାସ

~ କୃଷକ ଆନ୍ଦୋଳନର ଅଧିନେତା ଗୌରାଙ୍ଗ ଦାସ ଓରଫ୍ ହାତଖଣ୍ଡି ଗୌରାଙ୍ଗ ଦାସ ~ ଲେଖା: ନିରଞ୍ଜନ ସାହୁ ଅନ୍ୟାୟ, ଅସତ୍ୟ ବିରୁଦ୍ଧରେ…

2 months ago

ଭକ୍ତକବି ମଧୁସୂଦନ ରାଓ

~ ଭକ୍ତକବି ମଧୁସୂଦନ ରାଓ ~ ଲେଖା: ଶୁଭ ରଞ୍ଜନ ପୃଷ୍ଟି ଆଜି ଯଦି ଆମେ ଓଡ଼ିଆ କହୁଛେ, ଓଡ଼ିଆ…

2 months ago

ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ

~ ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ: ଜଣେ ବିଚିତ୍ରବର୍ଣ୍ଣା ତୂଳୀକାର ~ ଲେଖା: ନିରଞ୍ଜନ ସାହୁ ଉନ୍ନବିଂଶ ଶତାବ୍ଦୀର ମଧ୍ୟ…

2 months ago