ଲେଖା: ନିରଞ୍ଜନ ସାହୁ
ଗାନ୍ଧୀବାଦୀ ନେତା, ପରୋପକାରୀ, ଦେଶପ୍ରେମୀ, ଓଡ଼ିଶାର ଉନ୍ନତି ପାଇଁ ସତତ ଚେଷ୍ଟିତ ନେତା, ଓଜସ୍ଵିନୀ ଜ୍ୱାଳାମୁଖୀ ବକ୍ତା, ଦୁସ୍ଥ ଆର୍ତ୍ତଜନତାର ସେବକ, ସାହସୀ, ଖାଣ୍ଟି ଓଡ଼ିଆ, ଓଡ଼ିଶାର ପ୍ରଥମ ରାଜନୈତିକ ବନ୍ଦୀ ରାଜକୃଷ୍ଣ ବୋଷ
୧୯୨୧ ମସିହା ଜାନୁଆରୀ ମାସ ୨୪ ତାରିଖ। କଟକର କାଠଯୋଡ଼ି ବାଲିରେ ସ୍ଵାଧୀନତା ପାଇଁ ବିରାଟ ସାଧାରଣ ସଭା । ଭରପୂର ସଭାସ୍ଥଳ । ମଞ୍ଚ ଉପରେ ଜଣେ ୨୩ ବର୍ଷୀୟ ସୁନ୍ଦର ସୁଠାମ ଯୁବକ ଅନର୍ଗଳ ଭାଷଣ ଦେଇ ଚାଲିଛନ୍ତି ଇଂରେଜ ସରକାର ବିରୁଦ୍ଧରେ । ଓଜସ୍ଵିନୀ ଭାଷଣ ହେତୁ ଘନଘନ କରତାଳିରେ ଫାଟି ପଡୁଥିଲା ସଭାସ୍ଥଳ । କିନ୍ତୁ ହଠାତ୍ ଏ କ’ଣ ହେଲା ? କିଛି ପୋଲିସ ଫଉଜ ମଞ୍ଚ ଉପରକୁ ଉଠିଯାଇ ସେହି ଯୁବକଙ୍କ ହାତରେ ହାତକଡ଼ି ପକାଇ ନେଇ ଆସିଲେ ତଳକୁ । ରାସ୍ତାରେ ଚଲାଇ ଚଲାଇ କଟକ ଜେଲ୍ ଆଡ଼କୁ ଆଗେଇ ଚାଲିଲେ । କାରାରୁଦ୍ଧ ହେଲେ ଯୁବକ ।
ତା’ ପରଦିନ …..
ସେହି କଥାର ପୁନରାବୃତ୍ତି ! ଜେଲଖାନାରୁ କଚେରୀ ପର୍ଯ୍ୟନ୍ତ ବିଚାର ପାଇଁ ହାତକଡ଼ି ଦେଇ ରାସ୍ତାରେ ଚଲାଇ ନେଇ ଚାଲିଲେ ପୋଲିସ୍ । ରାସ୍ତାର ଦୁଇ ପାର୍ଶ୍ଵ ଲୋକାରଣ୍ୟ । ଶଙ୍ଖଧ୍ଵନି , ହୁଳହୁଳି ଓ ପୁଷ୍ପବୃଷ୍ଟି ସହ ଲୋକମାନଙ୍କ ପୋଲିସ ପ୍ରତି ନିନ୍ଦା ଏବଂ ସେହି ତରୁଣଙ୍କ ବିଜୟ କାମନାରେ ଧ୍ଵନି । ସେଦିନର ସେହି ତରୁଣ ହେଉଛନ୍ତି #ଓଡ଼ିଶାର #ପ୍ରଥମ #ରାଜନୈତିକ #ବନ୍ଦୀ, #ରାଜକୃଷ୍ଣ #ବୋଷ ।  (ଯଦିଓ ରାଜକୃଷ୍ଣ ବାବୁଙ୍କ ପୂର୍ବରୁ ଅନେକ ସଂଗ୍ରାମୀ କାରାଦଣ୍ଡ ପାଇଥିଲେ ଯଥା ଗୋପବନ୍ଧୁ ଦାସ ଆଦି, ସେମାନେ କେହି ରାଜନୈତିକ ଦୃଷ୍ଟିକୋଣରୁ ଗିରଫ ହୋଇନଥିବା ଜଣାଯାଏ । ଆଇନ୍ ଅମାନ୍ୟ, ୧୪୪ ଧାରା ଭଙ୍ଗ, ବିକ୍ଷୋଭ ଇତ୍ୟାଦିକୁ ଦୃଷ୍ଟିରେ ରଖି ଇଂରେଜ ସରକାର ସେମାନଙ୍କୁ ଗିରଫ କରିଥିଲେ, କିନ୍ତୁ ବ୍ରିଟିଶ ସରକାରଙ୍କ ବିରୁଦ୍ଧରେ ଗୋଟିଏ ସାଧାରଣ ସଭାରେ ବକ୍ତୃତା ଦେବା ଏକ ରାଜନୈତିକ ଅପରାଧ ଥିଲା ସେ ସମୟରେ । ରାଜକୃଷ୍ଣ ବୋଷ ପ୍ରଥମେ ଏଇମିତି ଏକ ସଭାରେ ଭାଷଣ ଦେଇଥିଲେ, ଯାହାକି ରାଜନୈତିକ ଅପରାଧ ବୋଲି ଗ୍ରହଣ କରିଥିଲେ ବ୍ରିଟିଶ୍ ସରକାର । ତେଣୁ ତାଙ୍କୁ ସେହି ଦଫାରେ ଗିରଫ କରାଯାଇଥିଲା)
~ ପ୍ରଥମ ରାଜନୈତିକ ବନ୍ଦୀ ~
ପ୍ରଥମ ଦିନ ବିଚାର ବେଳେ ଅଦାଲତରେ ହାକିମ ଦେଲେ ପୋଲିସ ବିରୁଦ୍ଧରେ ଟିପ୍ପଣୀ – “ପୋଲିସ ମାନୁଆଲରେ ରାଜବନ୍ଦୀଙ୍କ ହାତରେ କଡ଼ି ପକାଇବା ପାଇଁ କେଉଁଠି ଲେଖା ଯାଇଅଛି ?” ସେହି ଦିନଠାରୁ ବିଚାର ତାରିଖ ମାନଙ୍କରେ ସମ୍ମାନର ସହ ରାଜକୃଷ୍ଣ ବାବୁଙ୍କୁ କଚେରୀ ନେବା ଆଣିବା କଲେ ପୋଲିସ । ଭାରତର ବିଭିନ୍ନ ପ୍ରାନ୍ତରେ ରାଷ୍ଟ୍ର ହୋଇଗଲା ଓଡ଼ିଶାର ପ୍ରଥମ ରାଜନୈତିକ ବନ୍ଦୀଙ୍କ ସମ୍ପର୍କରେ । ଭାରତମଣି ଗୋପବନ୍ଧୁ ‘ସମାଜ’ରେ ଲେଖିଲେ — “ରହ ବାବୁ ରାଜକୃଷ୍ଣ, ଏକ ବର୍ଷ ଲାଗି ନିଶ୍ଚିନ୍ତ ହୋଇ ରୁହ କାରାବାସରେ । ଅସହଯୋଗୀ ଦେଶଭକ୍ତ ପକ୍ଷରେ ଏହା ତୀର୍ଥସ୍ଥାନ । ପୃଥିବୀର ଭାରା ନିବାରଣ ଲାଗି ଭଗବାନ ଶ୍ରୀକୃଷ୍ଣ ଯେଉଁଠାରେ ଜନ୍ମଗ୍ରହଣ କରିଥିଲେ ଆଜି ତୁମ୍ଭେ ସେହି ସ୍ଥାନରେ ଅଛ । ଧୀର ନିଶ୍ଚିନ୍ତ ଚିତ୍ତରେ ତପସ୍ୟା ଆରମ୍ଭ କର । ତୁମ ପରି ଯୋଗୀ, ନିଷ୍ଠାପର ଅସହଯୋଗୀ ମାନଙ୍କ ପାଇଁ ତପସ୍ୟା ଫଳରେ ସ୍ଵରାଜ୍ୟ ଲାଭ ହେବ । ତୁମ୍ଭେ ଶରୀରରେ ବନ୍ଦୀ, ମାତ୍ର ତୁମ୍ଭ ମନ ଏବଂ ଆତ୍ମା ମୁକ୍ତ ଓ ସ୍ଵାଧୀନ। ପ୍ରଭୁ ତୁମର ତପସ୍ୟା ଲାଗି ନିଭୃତ ସ୍ଥାନ ବ୍ୟବସ୍ଥା କରିଅଛନ୍ତି । ତାଙ୍କରି ଇଚ୍ଛା ପୂର୍ଣ୍ଣ ହେଉ ।”
~ ଜନ୍ମ ଜାତକ ~
ଶ୍ରୀ ରାଜକୃଷ୍ଣ ବୋଷ । ଭାରତର ସ୍ଵାଧୀନତା ସଂଗ୍ରାମରେ ଏକ ଚର୍ଚ୍ଚିତ ନାମ । ଜନ୍ମ ତାଙ୍କର ଅବିଭକ୍ତ କଟକ ଜିଲ୍ଲାର କିଶନ ନଗର ଥାନା ଅନ୍ତର୍ଗତ ରାମଚନ୍ଦ୍ରପୁର ଗ୍ରାମରେ ୧୮୯୮ ମସିହା ଡିସେମ୍ବର ମାସ ୧୭ ତାରିଖରେ ଏବଂ ଦେହାବସାନ ୧୯୯୨ ମସିହା ଜାନୁଆରୀ ମାସ ୯ ତାରିଖରେ । ବାପା ଲକ୍ଷ୍ମୀନାରାୟଣ ବୋଷ, ପୋଲିସ ମୁଖ୍ୟ କାର୍ଯ୍ୟାଳୟ (କଟକ)ର ସୁପରିନଟେଣ୍ଡେନ୍ଟ । ପିଲାଟି ଦିନରୁ ନିର୍ଭୀକ, ସାହସୀ ଓ ବେପରୁଆ । ପିଲାଦିନେ ପହଁରି ପହଁରି ଭରାନଈ ପାର ହେବା ବିଦ୍ୟାରେ ସେ ଥିଲେ ଧୂରନ୍ଧର । ଶରୀର ତାଙ୍କର ଗୌରବର୍ଣ୍ଣ, ସୁଗଠିତ ଓ ତେଜୀୟାନ ଆଭା ମଣ୍ଡିତ। ଶରୀରର ଦୀପ୍ତି ହେତୁ ସବୁବେଳେ ଆକର୍ଷଣର କେନ୍ଦ୍ର ବିନ୍ଦୁ । ସୁନ୍ଦର ଶରୀର ସହ ଯୁକ୍ତ ହୋଇଥିଲା ଜଳଦ ଗମ୍ଭୀର କଣ୍ଠସ୍ୱର, ଅଗ୍ନିବର୍ଷୀ ଭାଷଣ ଓ ତାକୁ ଉପସ୍ଥାପିତ କରିବା ଶୈଳୀ । ଓଡ଼ିଆ, ଇଂରାଜୀ ଓ ହିନ୍ଦୀ ଭାଷାରେ ପ୍ରବୀଣ ବକ୍ତା ।
~ ଗାନ୍ଧୀଙ୍କ ଗାଉଁଲୀ ତର୍ଜମାକାରୀ ~
ପ୍ୟାରୀମୋହନ ଏକାଡେମୀରୁ ଏଣ୍ଟ୍ରାନସ ପାଶ୍ କଲାପରେ ରେଭେନ୍ସା କଲେଜ । ତତ୍ପରେ କଟକ ମେଡ଼ିକାଲ ସ୍କୁଲ । ଡାକ୍ତର ହେବା କିନ୍ତୁ ନଥିଲା ଭାଗ୍ୟରେ । ଡାକ୍ତରୀ ଶିକ୍ଷା ଦ୍ଵାରା ମୁଷ୍ଟିମେୟ ଲୋକଙ୍କ ସେବା କରାଯାଇପାରେ, କିନ୍ତୁ ଦେଶର ସ୍ଵାଧୀନତା ପାଇଁ ଜୀବନ ଉତ୍ସର୍ଗ କରିଦେଲେ ସେବା କ୍ଷେତ୍ର ହୋଇଯିବ ଆହୁରି ବ୍ୟାପକ । ବନ୍ଧୁ ଥିଲେ ନବକୃଷ୍ଣ ଚୌଧୁରୀ ଓ ଅଦ୍ୱିତୀୟ ବାଗ୍ମୀ ଯଦୁମଣି ମଙ୍ଗରାଜ । ତେଣୁ ପାଠରେ ଡୋରି ବନ୍ଧା ହେବା ତ ସ୍ଵାଭାବିକ ! ଏହି ତିନି ବନ୍ଧୁ ସ୍ଥିର କରିନେଲେ ସ୍ଵାଧୀନତା ଆନ୍ଦୋଳନରେ ଯୋଗ ଦେଇ ଦେଶସେବା କରିବାକୁ । ଯୋଗ ଦେଇଦେଲେ ଗାନ୍ଧୀଜୀଙ୍କ ଡାକରାରେ ଆରମ୍ଭ ହୋଇଥିବା ସ୍ଵାଧୀନତା ସଂଗ୍ରାମରେ । ଗାନ୍ଧୀଙ୍କ ପ୍ରଥମ ପଦଯାତ୍ରା ଓ କାଠଯୋଡ଼ି ସଭାରେ ଯୋଗ ଦେଇ ଗାନ୍ଧୀଙ୍କ ଭାଷଣକୁ ଓଡ଼ିଆ ରୂପାନ୍ତର କରି ଉଦବୋଧନ ଦେଲେ । ସେତେବେଳକୁ ସେ ରାଜନୈତିକ ବନ୍ଦୀ ମାନ୍ୟତା ପାଇସାରିଥାନ୍ତି । ପୁଣି ଥରେ କ୍ରୁର ଦୃଷ୍ଟିରେ ପଡ଼ିଲେ ବ୍ରିଟିଶ ସରକାରଙ୍କର ଏବଂ ସେଇଠୁ ଗିରଫ ହୋଇ ଦ୍ଵିତୀୟ ବାର ଜେଲ୍ ଗଲେ । ଗାନ୍ଧୀଙ୍କ ଭାଷଣ ସଭାରେ ଯଦି କୌଣସି କାର୍ଯ୍ୟବଶତଃ ଅନୁପସ୍ଥିତ ରହୁଥିଲେ ରାଜକୃଷ୍ଣ, ତେବେ ଗାନ୍ଧୀଜୀ ସାଥେ ସାଥେ ଖୋଜି ପକାଉଥିଲେ ଏବଂ କହିଉଠୁଥିଲେ, “କୁଆଡ଼େ ଗଲେ ସେ ଗାଉଁଲୀ ତର୍ଜମାକାରୀ ?”
~ ସିଂହ ହିଁ ଦେଇପାରେ ସିଂହରଡ଼ି ! ~
ଶରୀର ଓ ମନରେ ତାଙ୍କର ଶତସିଂହର ବଳ ।ଦେଶ ବା ଓଡ଼ିଆ ଜାତି ବିରୁଦ୍ଧରେ କେହି ଜଣେ କହିଦେଲେ ତାକୁ ରୋକଠୋକ୍ ଜବାବ ଦେବା ଲୋକ ଥିଲେ ରାଜକୃଷ୍ଣ ବୋଷ । ୧୯୪୨ ମସିହାର Do or Die ଡାକରାରେ ଯୋଗ ଦେଇ ଜେଲ୍ ଗଲେ । ଜେଲ୍ ଭିତରେ ଅସୁସ୍ଥ ହୋଇପଡ଼ିଲେ । ଏହି ସମୟରେ ତାଙ୍କୁ ଗୋଟିଏ ଜେଲରୁ ଆଉ ଗୋଟିଏ ଜେଲକୁ ପଠାଇବା ପାଇଁ ଆଦେଶ ଦେଲେ ଜେଲ୍ କର୍ତ୍ତୃପକ୍ଷ ହିକ୍ସ ସାହେବ । ପ୍ରତିବାଦ କରି ସିଂହରଡ଼ି ଦେଲେ ରାଜକୃଷ୍ଣ ବୋଷ । କ୍ରୋଧାନ୍ୱିତ ହୋଇ ହିକ୍ସ ନିର୍ଦ୍ଦେଶ ଦେଲେ ତାଙ୍କୁ ଘୋଷାଡ଼ି ଘୋଷାଡ଼ି ନେଇ ଗାଡ଼ିରେ ଭର୍ତ୍ତି କରିଦେବାକୁ । ଗର୍ଜି ଉଠିଲେ ଓ ପ୍ରତିବାଦ କରି ଘୋଷଡା଼ ହେବା ସମୟରେ ଦୃଢ଼ ଭାବରେ ଘୋଷଣା କଲେ, “ବେଳ ଆସୁଛି, ଆମେ ତୁମ ମାଂସ ଚୋବାଇ, ରକ୍ତ ପିଇ ଭୋଜି ଭାତ କରିବୁ ।” ସେହି ଘଟଣା ପରେ ପରେ ମାକଡୋନାଲ ନାମକ ଜଣେ ଦୁର୍ଦ୍ଦାନ୍ତ ଆଇ.ସି.ଏସ୍. ଅଫିସର ସ୍ଵାଧୀନତା ସଂଗ୍ରାମୀମାନଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି କରିବା ପାଇଁ ସୈନ୍ୟମାନଙ୍କୁ ନେଇ ପ୍ରାଚୀରକୁ ତୁଛାଟାରେ ଗୁଳି ମାରିବା ଆରମ୍ଭ କରିଦେଇ ଉପହାସ ଛଳରେ ରାଜକୃଷ୍ଣ ବାବୁଙ୍କୁ ପଚାରିଲେ, “ମିଷ୍ଟର ବୋଷ, ମୁଁ ତମ ପାଇଁ କ’ଣ କରିପାରେ ?” ଉତ୍ତର ଆସିଲା – “ମୋର ଅନିଷ୍ଟ କରିବା ପାଇଁ ତୁମର ଯେତେ କ୍ଷମତା ଅଛି, ସେ ସମସ୍ତ ପ୍ରୟୋଗ କରିପାର ଏବଂ ତାପରେ କ’ଣ ହେଉଛି ଦେଖିବାକୁ ଅପେକ୍ଷା କରିପାର ।”
~ ଏକ ଭିନ୍ନ ସ୍ୱାଦର ପାଣିଗ୍ରହଣ ~
ଦେଶକୁ ସ୍ବାଧୀନ ଭାବେ ଦେଖିବା ଥିଲା ଏକମାତ୍ର ଲକ୍ଷ୍ୟ । ତେଣୁ ବିବାହ ଉପରେ ଧ୍ୟାନ ଦେଇନଥିଲେ ରାଜକୃଷ୍ଣ ବାବୁ । କିନ୍ତୁ ଯାହା ହେବାର ଅଛି ତାକୁ ରୋକିବ ବା କିଏ ? ଏମିତିରେ କେତେଟା ଦିନ ଯାଇ କଳାହାଣ୍ଡି ଜିଲ୍ଲାରେ ସ୍ଵାଧୀନତା ବାର୍ତ୍ତା ପ୍ରଚାର କରିବାକୁ ନିର୍ଦ୍ଦେଶ ଆସିଲା ବାପୁଜୀଙ୍କ ପାଖରୁ । ସାଥିରେ ଗଲେ ସଂଗ୍ରାମୀ ପବିତ୍ର ମୋହନ ପ୍ରଧାନ । କଳାହାଣ୍ଡି ରାଜପ୍ରାସାଦ ପଡ଼ିଆରେ ସଭା ହେଲା । ତାଙ୍କର ଓଜସ୍ଵିନୀ ଭାଷଣରେ ବାନ୍ଧି ହୋଇ ପଡ଼ିଲେ କଳାହାଣ୍ଡି ରାଜାଙ୍କ ଡାକ୍ତର ହାରାଚାନ୍ଦ ଦାସ । କନ୍ୟା ମୃଣାଳିନୀଙ୍କୁ ରାଜକୃଷ୍ଣଙ୍କ ସହ ବିବାହ ଦେବାକୁ ସ୍ଥିର କରିନେଲେ । ମାତ୍ର ଅରାଜି ଥିଲେ ରାଜକୃଷ୍ଣ ବୋଷ। ପବିତ୍ର ମୋହନ ପ୍ରଧାନ ଓ ଆତ୍ମୀୟମାନଙ୍କ ଚାପରେ ମୁଣ୍ଡ ନୁଆଇଁ ଶେଷରେ ସମ୍ମତି ଦେଲେ । ସର୍ତ୍ତ ରଖିଲେ ଆଡ଼ମ୍ବର ଶୂନ୍ୟ ବାହାଘର ପାଇଁ । କଟକ ସହରରେ ବାହାଘର ହେଲା । ଖାଲି ପାଦ, ଖଦଡ଼ ଧୋତି, ଖଦଡ଼ ଚାଦର ପିନ୍ଧି ଚାଲି ଚାଲି କନ୍ୟାଘରେ ପହଞ୍ଚିଲେ ବର ଓ କିଛି ସ୍ଵାଧୀନତା ସଂଗ୍ରାମୀ ବରଯାତ୍ରୀ ଭାବେ । ବାଜା ନାହିଁ କି ରୋଷଣୀ ନାହିଁ, ପରିବର୍ତ୍ତେ ବାଦ୍ୟ ସ୍ଥାନରେ ଜଣେ ବନ୍ଧୁଙ୍କ ଦ୍ଵାରା ବଂଶୀ ବାଦନ । ନୂଆ ଢାଞ୍ଚାରେ ହେଉଥିବା ବାହାଘର ଦେଖିବା ପାଇଁ ରାସ୍ତା ଦୁଇ ପାର୍ଶ୍ୱରେ ଜମା ହୋଇଥିଲେ ବେଶ୍ କିଛି ଦେଖଣାହାରୀ ।
~ ବରୀ ଆଶ୍ରମ ~
ନବକୃଷ୍ଣ ଚୌଧୁରୀ ଥିଲେ ତାଙ୍କର ବନ୍ଧୁ । ତେଣୁ ଗୋପବନ୍ଧୁ ଚୌଧୁରୀମା’ ରମାଦେବୀ ଥିଲେ ବଡ଼ଭାଇ ଓ ଭାଉଜ ସଦୃଶ । ଅପରପକ୍ଷରେ ଗୋପବନ୍ଧୁ ଚୌଧୁରୀ ଥିଲେ ତାଙ୍କର ଗୁରୁ । ବରୀ ଆଶ୍ରମ ତାଙ୍କ ମନରେ ଅପାର ଗର୍ବ ଓ ଗୌରବ ଆଣି ଦେଇଥିଲା । କର୍ମକ୍ଷେତ୍ର ନିମନ୍ତେ ବାଛି ନେଲେ ସେହି ଆଶ୍ରମକୁ । ସେତେବେଳେ ବରୀ ଆଶ୍ରମ ଭାରତର ବହୁ ସ୍ଵାଧୀନତା ସଂଗ୍ରାମୀ ମାନଙ୍କୁ ଆକର୍ଷିତ କରିଥିଲା । ସେଠାର ମୌଳିକ ଶିକ୍ଷାର ମହତ୍ତ୍ଵ ଭାରତବର୍ଷ ସାରା ବ୍ୟାପ୍ତ । ଦୁଇ ପୁଅ ଓ ଏକମାତ୍ର କନ୍ୟାଙ୍କୁ ନେଇ ଛାଡ଼ି ଦେଲେ ବରୀ ଆଶ୍ରମରେ । ଲକ୍ଷ୍ୟ, ଭଲ ମଣିଷ ହେବେ, ସ୍ବାବଲମ୍ବୀ ହେବେ, ଦେଶ ପାଇଁ କାମ କରିବେ । ନିଜେ ତ ଦେଶ ପାଇଁ ବାବାଜୀ ହେଲେ, ପୁଣି ପିଲାଗୁଡ଼ାକୁ ବି ଦେଶ ପାଇଁ ବାବାଜୀ କରିଦେଲେ ! ଏସବୁରେ କିନ୍ତୁ ସହଯୋଗ ଥାଏ ସହଧର୍ମିଣୀ ମୃଣାଳିନୀ ଦେବୀଙ୍କର । ଅଭାବଗ୍ରସ୍ତ ଥିଲେ ମଧ୍ୟ ମୃଣାଳିନୀ ଦେବୀଙ୍କର ଉକ୍ତି ଥିଲା – “ରାଜକୃଷ୍ଣ ବାବୁ ଜେଲରେ ମଲେ ମୁଁ ଶହୀଦଙ୍କ ବିଧବା ହେବି। କିନ୍ତୁ ଗୋଟାଏ ଖଣ୍ଡିଆ, ଧର୍ମଛଡ଼ା, ବ୍ରିଟିଶ ପାଦଚଟାର ଭାର୍ଯ୍ୟା ହେବି ନାହିଁ । ବରଂ ଆତ୍ମହତ୍ୟା କରିବି ।” ଏଥିପାଇଁ ବ୍ରିଟିଶ ସରକାରଙ୍କ ପାଖରେ ସେ ହୋଇଥିଲେ ଚକ୍ଷୁଶୀଳା ।
~ ମନ୍ତ୍ରୀ ରାଜକୃଷ୍ଣ ~
ସେ ବି ମନ୍ତ୍ରୀ ଥିଲେ । ଅବଶ୍ୟ ଆଜିକାଲିର ମନ୍ତ୍ରୀ ଭଳି ନୁହଁନ୍ତି ! ୧୯୪୬ର ପ୍ରାଦେଶିକ ସରକାର ୧୯୪୭ ସ୍ଵାଧୀନତା ପରେ ରାଜ୍ୟ ସରକାର ନାମରେ ନାମିତ ହେଲା । ସେତେବେଳେ ଡ. ହରେକୃଷ୍ଣ ମହତାବଙ୍କ ମନ୍ତ୍ରୀମଣ୍ଡଳରେ ପୂର୍ତ୍ତବିଭାଗ ଓ ପରେ ୧୯୫୨ରେ ନବକୃଷ୍ଣ ଚୌଧୁରୀଙ୍କ ମନ୍ତ୍ରୀମଣ୍ଡଳର କୃଷି ଓ ସମବାୟ ମନ୍ତ୍ରୀ । ସେ ସମୟରେ ଦେଶର ଅର୍ଥନୀତି ସ୍ଵଚ୍ଛଳ ନଥିଲା । କିନ୍ତୁ ନିଜର ନିଷ୍ଠା, ରାଜନୈତିକ ସ୍ଵଚ୍ଛତା, ଲୋକକଲ୍ୟାଣର ସ୍ପୃହା, ଦୂରଦର୍ଶିତା ତାଙ୍କୁ ଜଣେ ଶ୍ରେଷ୍ଠମନ୍ତ୍ରୀ ଭାବରେ ବିଦିତ କରିଥିଲା ସାରା ରାଜ୍ୟରେ । ସେହି ଯୋଜନାର ସୁଫଳ ଆଜି ଆମେ ପାଉଛନ୍ତି:
* ଶିମିଳିପାଳ ସଂରକ୍ଷଣ ଯୋଜନା ଆରମ୍ଭ (ଭାରତରେ ପ୍ରଥମ )
* ପୁରୀ କେନାଲ ଓ ସେଥିରୁ ଶାଖା କେନାଲ ପାଇଁ ଡେଲଟା ପ୍ରୋଜେକ୍ଟ
* ଓଡ଼ିଶାରେ ପ୍ରଥମ ଉଠାଜଳସେଚନ (କଟକ ବୟାଳିଶ ମୌଜା )
* ବୟାଳିଶ ମୌଜା ଶୀତଳ ଭଣ୍ଡାର
* ସ୍ଵାଧୀନତା ସଂଗ୍ରାମୀ ପେନସନ ବ୍ୟବସ୍ଥା
* କଟକରେ କୁଷ୍ଠାଶ୍ରମ, ଗାନ୍ଧୀ ପଲ୍ଲୀ ଓ ନେହେରୁ ପଲ୍ଲୀ (କୁଷ୍ଠରୋଗୀଙ୍କୁ ଥଇଥାନ)
* କଳାହାଣ୍ଡି ଦୁର୍ଗତଙ୍କ ପାଇଁ ସ୍ବତନ୍ତ୍ର ରିଲିଫ
* ମହୁଚାଷ ଆରମ୍ଭ (୧୯୬୧ରେ ଖଦୀ ବୋର୍ଡ ଅଧ୍ୟକ୍ଷ ଥିବା ବେଳେ )
* କଟକ ତାଳଦଣ୍ଡା କେନାଲରୁ ଶାଖା କେନାଲ କିଶନ ନଗର ଖେଣ୍ଟାଳ ଯାଏଁ (ବୋଷ୍ କେନାଲ)
* କିଶନ ନଗର ନିର୍ବାଚନ ମଣ୍ଡଳୀର ଅଭୂତପୂର୍ବ ବିକାଶ ଘଟିଛି ତାଙ୍କରି ଉଦ୍ୟମରେ । ତେଣୁ ଘରେ ଘରେ ପୂଜିତ ହେଉଥିଲେ ରାଜକୃଷ୍ଣ ବୋଷ ।
* ସେ ଥିଲେ Star of Utkal ଏବଂ ସ୍ଵରାଜ ଖବରକାଗଜର ସମ୍ପାଦକ ।
* ଓଡ଼ିଆ ସ୍ଵାଭିମାନର ପ୍ରତୀକ
ଖାଦ୍ୟ ଥିଲା ତାଙ୍କର ନିପଟ ଓଡ଼ିଆ ଖାଦ୍ୟ । ବଗଡ଼ା ଚାଉଳ ଭାତ, ମୁଗଡାଲି, ଶାଗ ଥିଲା ପ୍ରିୟ ଖାଦ୍ୟ ତାଙ୍କର, ମନ୍ତ୍ରୀ ଥିବା ବେଳେ ବି ! ସୁଗଠିତ ଶରୀରକୁ ଢାଙ୍କି ଦେଉଥିଲେ ଖଦଡ଼ ଧୋତି, ଗଞ୍ଜି ଓ ଖୋର୍ଦ୍ଧା ଗାମୁଛାରେ, ଆଉ ବାହାରି ଯାଉଥିଲେ ଶବ ସଂସ୍କାର, ହଇଜା ଓ କୁଷ୍ଠ ରୋଗୀଙ୍କ ସେବା କରିବା ପାଇଁ । ଥରେ ବଡ଼ ପୁଅର ଦେହ ଖରାପ ବେଳେ ମନ୍ତ୍ରୀ ଥାଇ ମଧ୍ୟ କଟକ ବଡ଼ ଡ଼ାକ୍ତରଖାନାରେ ତମ୍ବୁ ପକାଇ ରହି ମନ୍ତ୍ରୀ କାର୍ଯ୍ୟ କରୁଥିଲେ, ଯାହା ତାଙ୍କ ମହାନତ୍ତାର ପରିଚୟ ଦିଏ । ସେହି ନିଃସ୍ଵାର୍ଥପର ସମାଜସେବା ହେତୁ ସେ ସର୍ବଦା ପ୍ରିୟ ଥିଲେ ଓଡ଼ିଶାବାସୀଙ୍କର । ଗୋଟିଏ ଘଟଣା ଘଟିଲା ଥରେ ତାଙ୍କର ଗସ୍ତକାଳରେ । ମାହାଙ୍ଗା ଅଞ୍ଚଳର ପ୍ରସିଦ୍ଧ ଜନନେତା ମାହାଙ୍ଗା ସିଂହ ବିରଜା ରାୟଙ୍କ ଘରେ ହଠାତ୍ ପହଞ୍ଚିଲେ ରାଜକୃଷ୍ଣ ବାବୁ । ସେହି କଥାର ସ୍ମୃତିଚାରଣ ବିରଜା ରାୟଙ୍କ ଭାଷାରେ: “ଦିନେ ଚନ୍ଦ୍ରଉଦିଆ ରୂପ ନେଇ ରାଜକୃଷ୍ଣ ବାବୁ ହଠାତ୍ ମୋ ଦୁଆରେ ଉଭା ହେଲେ । ମୋ ସ୍ତ୍ରୀ ପାଦ ଧୋଇ ପଣତ କାନିରେ ଗୋଡ଼ ପୋଛିଲା ବେଳକୁ ସେ ହସି ହସି କହିଲେ, ତୁ ସେ ବିଦେଶୀ କନାରେ ଗୋଡ଼ ପୋଛିଦେଲୁ ସହିଲି, କିନ୍ତୁ ତାକୁ ପିନ୍ଧି ଭାତ ରାନ୍ଧି ଦେଲେ ଖାଇବି ନାହିଁ । ତୁ ମୋ ଝିଅ । ସଂଗ୍ରାମୀ ବିରଜାର ସ୍ତ୍ରୀ । ଓଡ଼ିଆ ଘରର ରାନ୍ଧଣା ମୋତେ ଖୁଆଇବୁ ।”
~ ଦୀପ ନିର୍ବାପିତ ~
ଦୀର୍ଘ ୯୪ ବର୍ଷର ଯାତ୍ରା ଶେଷ ହେବାକୁ ବସିଥିଲା । ପରିଣତ ବୟସରେ ତିନି ଥର ହୃଦଘାତ, ପରେ ସ୍ନାୟବିକ ରୋଗରେ ଆକ୍ରାନ୍ତ ହେଲେ ରାଜକୃଷ୍ଣ ବାବୁ । ସେଥିରୁ ବି ବଞ୍ଚିଗଲେ । ଶେଷ ବେଳକୁ ସାଧାରଣ ନାଳରକ୍ତ ଝାଡ଼ା ତାଙ୍କର ଜୀବନ ନେଇଗଲା, ୧୯୯୨ ମସିହା ଜାନୁଆରୀ ମାସ ୯ ତାରିଖରେ । ଏକଦା ପାର୍ଲ୍ୟାମେଣ୍ଟାରୀ ସେକ୍ରେଟାରୀ, ବିଧାନ ସଭା ସଦସ୍ୟ, ଏଷ୍ଟିମେଟ୍ କମିଟି ସଭ୍ୟ, ପ୍ରଦେଶ କଂଗ୍ରେସ ସଭାପତି, ମନ୍ତ୍ରୀ, ଖଦୀବୋର୍ଡ ଅଧ୍ୟକ୍ଷ, ଗାନ୍ଧୀବାଦୀ ନେତା, ପରୋପକାରୀ, ଦେଶପ୍ରେମୀ, ଓଡ଼ିଶାର ଉନ୍ନତି ପାଇଁ ସତତ ଚେଷ୍ଟିତ ନେତା, ଓଜସ୍ଵିନୀ ଜ୍ୱାଳାମୁଖୀ ବକ୍ତା, ଦୁସ୍ଥ ଆର୍ତ୍ତଜନତାର ସେବକ, ସାହସୀ, ଖାଣ୍ଟି ଓଡ଼ିଆ ରାଜକୃଷ୍ଣ ବୋଷ ବିଦାୟ ନେଇଗଲେ । ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଜାତିବର୍ଣ୍ଣ ନିର୍ବିଶେଷରେ ଲୋକେ ତାଙ୍କର ପ୍ରିୟ ବନ୍ଧୁଙ୍କୁ ବିଦାୟ ଦେଲେ । ଶୋକାକୁଳ ପରିବେଶ ସୃଷ୍ଟି ହେଲା ସମଗ୍ର ଓଡ଼ିଶାରେ । ଲୋକେ କହୁଥିଲେ, “ଆଉ ସେଭଳି ପୁଅଟିଏ ମିଳିବ ନାହିଁ !”
ଆଧାର: ନୃସିଂହ ଚରଣ ସାହୁଙ୍କ ପୁସ୍ତକ ‘ଆମେ ଓଡ଼ିଆ‘ର ପ୍ରବନ୍ଧ; କିଶନ ନଗରରୁ ପ୍ରକାଶିତ ଜନ୍ମଜୟନ୍ତୀ ବିଶେଷାଙ୍କ
Niranjan Sahu
Spread the love
admin

Recent Posts

ମା’ ନାରାୟଣୀ

~ ମା' ନାରାୟଣୀ ~ ଉପସ୍ଥାପନା: ନୟାଗଡ଼ ଇତିହାସ ଖୋର୍ଦ୍ଧା ଗଜପତି ଦ୍ୱିତୀୟ ରାମଚନ୍ଦ୍ର ଦେବଙ୍କ ନିର୍ଦେଶରେ ଆଠଗଡ, ନୟାଗଡ଼,…

1 month ago

ପଣ୍ଡିତ ଗୋଦାବରୀଶ ମିଶ୍ର

~ ପଣ୍ଡିତ ଗୋଦାବରୀଶ ମିଶ୍ର ~ ଉପସ୍ଥାପନା: ଅମୃତେଶ ଖଟୁଆ "ତୁଙ୍ଗ ଶିଖରୀ ଚୂଳ କୁଞ୍ଜ କାନନ-ମାଳ ପୁଣ୍ୟ ଜଳଧି-ଜଳ…

2 months ago

ଅଖିଳ ମୋହନ ପଟ୍ଟନାୟକ

ଅଖିଳ ମୋହନ ପଟ୍ଟନାୟକ ଉପସ୍ଥାପନା: ଅମୃତେଶ ଖଟୁଆ "ବାସ୍ତବତା କଳ୍ପନା ଠାରୁ ପୃଥକ୍ ରହିକି କେବେ ବି ସମାଜରେ ଦର୍ପଣ…

2 months ago

ସର୍ପେଶ୍ୱର ମହାଦେବ

~ ସର୍ପେଶ୍ୱର ମହାଦେବ ~ ଉପସ୍ଥାପନା: ଆୟୁଷ୍ମାନ ଆର୍ଯ୍ୟ ଜନଶ୍ରୁତି ଅନୁସାରେ ଓଡ଼ିଶାର ପ୍ରାଚୀନ ଶୈବପୀଠ ଆଠଗଡ଼ ଅନ୍ତର୍ଗତ ବଳରାମପୁର…

2 months ago

ମହାଲକ୍ଷ୍ମୀ

~ ଶ୍ରୀମନ୍ଦିରରେ ମାଆ ମହାଲକ୍ଷ୍ମୀ ~ ଉପସ୍ଥାପନା: ଆୟୁଷ୍ମାନ ଆର୍ଯ୍ୟ ମାଆ ମହାଲକ୍ଷ୍ମୀ ହେଉଛନ୍ତି ଧନ, ଐଶ୍ୱର୍ଯ୍ୟର ଦେବୀ l…

2 months ago

ଅଟ୍ଟାଳି ଜଗନ୍ନାଥ

~ ଆଠଗଡ଼ ବିଜେ ମହାପ୍ରଭୁ ଶ୍ରୀ ଅଟ୍ଟାଳି ଜଗନ୍ନାଥ ~ ଉପସ୍ଥାପନା: ଆୟୁଷ୍ମାନ ଆର୍ଯ୍ୟ ଶ୍ରୀଜଗନ୍ନାଥ ହେଉଛନ୍ତି ଓଡ଼ିଆଙ୍କ ସ୍ପନ୍ଦନ…

2 months ago