Physical Address
Sai Samarpanam, Satya Vihar, Bhubaneswar
Physical Address
Sai Samarpanam, Satya Vihar, Bhubaneswar
ଲେଖା: ଶିଶିର ସାହୁ ମନୋଜ ସ୍ଵତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ଆନ୍ଦୋଳନ ଯେତେବେଳେ ଆଭ୍ୟନ୍ତରୀଣ ବିରୋଧ ହେତୁରୁ ଦିଗହରା ହୋଇଯାଇଥିଲା, ସେତେବେଳେ ଗୋପବନ୍ଧୁଙ୍କ ପ୍ରଚେଷ୍ଟାରେ ଏହା ନବପଥରେ ଅଗ୍ରସର ହୋଇଥିଲା । ମଧୁସୂଦନ ଦାସ ଓଡ଼ିଶାରେ ଓଡ଼ିଆ ମାନଙ୍କ ମଧ୍ୟରେ ଏକ ସ୍ଵୟଂ ସମ୍ପୂର୍ଣ୍ଣ ଓଡ଼ିଆ ସ୍ଵାଭିମାନୀ ସ୍ଵଭାଵ ଜାଗ୍ରତ କରିବାକୁ ଚେଷ୍ଟା କରିଥିଲେ ଯୋଉ ଚିନ୍ତାଧାରାର ଲୋକଙ୍କୁ ଆଜି ProOdia କୁହାଯାଏ କାରଣ ସେ ସେତେବେଳେ ବି ଅନୁଭବ କରିଥିଲେ ଯେ ତତ୍କାଳୀନ ସର୍ବଭାରତୀୟ ସ୍ତରର ନେତାମାନେ କେଵଳ ଉତ୍ତର ଭାରତ ଉପରେ ହିଁ ଧ୍ୟାନ କେନ୍ଦ୍ରିତ କରୁଥିଲେ ଏବଂ ଅଖଣ୍ଡ ଭାରତର ବର୍ମା, ସିଂହଳ ଆଦି ଅଞ୍ଚଳ ପ୍ରତି ସେମେଟା ଦୃଷ୍ଟି ଦେଉନଥିଲେ (ଏ ଅଞ୍ଚଳ ଗୁଡିକ ସହ ସେସମୟର ରାଷ୍ଟ୍ରୀୟ ନେତାମାନେ ସେତେବେଳେ ସୁଦୃଢ଼ ସମ୍ପର୍କ ସ୍ଥାପନ କରିପାରି ନଥିଲେ ବୋଲି ଏଗୁଡିକ ଏବେ ଭାରତରେ ନାହାନ୍ତି) । ତେବେ ତତ୍କାଳୀନ ମହାଭାରତୀୟ ସମାଜର ଜାତୀୟ ଜାଗରଣରେ ପ୍ରଭାବିତ ହୋଇ ଅନେକ ଓଡ଼ିଆ ଯୁବକ ଧୀରେ ଧୀରେ ତାଙ୍କ ବିରୁଦ୍ଧରେ ସ୍ଵର ଉତ୍ତୋଳନ କରିବାକୁ ଆରମ୍ଭ କରିଦେଇଥିଲେ । ୧୯୧୮ ଉତ୍କଳ ସମ୍ମିଳନୀର ଅଧିବେଶନ ସହ ଆଉ ଏକ ଛାତ୍ର ସମ୍ମିଳନୀ କରିବା ପାଇଁ ଶ୍ରୀ ଯଦୁମଣି ମଙ୍ଗରାଜଙ୍କ ନେତୃତ୍ୱରେ ଛାତ୍ର ମାନେ ଉଦ୍ୟମ କରିଥିଲେ । ତେବେ ମଧୁବାବୁ ସେମାନଙ୍କ ଏତାଦୃଶ ସ୍ଵେଚ୍ଚାଚାରିତାକୁ ଅଗ୍ରାହ୍ୟ କରିଦେଇଥିଲେ । ୧୯୧୯ ମସିହାରେ ରାଉଲାଟ ଆନ୍ଦୋଳନ ବିରୁଦ୍ଧରେ ସତ୍ୟାଗ୍ରହ କରିବେ ବୋଲି ମହାତ୍ମା ଗାନ୍ଧୀ ଘୋଷଣା କଲେ । ଏହି ଘୋଷଣା ଫଳରେ ଦେଶ ଦୃଷ୍ଟିରୁ ସମସ୍ତ ଵିଷୟ ଵିଚାରକରିବା ପାଇଁ ଆଗ୍ରହ ଓ ଉତ୍ସାହ ପ୍ରକାଶ ପାଇଥିଲା । ଏହି ଦେଶାତ୍ମବୋଧକ ଜାଗରଣ ଫଳରେ ସେ ସମୟର ରକ୍ଷଣଶୀଳ ଓ ଉଗ୍ର ଓଡ଼ିଆ ଜାତୀୟବୋଧଯୁକ୍ତ ନେତୃତ୍ଵ ବିରୁଦ୍ଧରେ ସ୍ଵରୋତ୍ତୋଳନ ପାଇଁ ଛାତ୍ର ଓ ଯୁବକ ମାନେ ପ୍ରଥମେ ସାହସୀ ହୋଇଥିଲେ । ସେତେବେଳେ ସମଗ୍ର ଓଡିଆଭାଷୀ ଅଞ୍ଚଳର ସରକାରୀ ଓ ବେସରକାରୀ କ୍ଷେତ୍ରରେ ଏ ଧନୀ, ଜମିଦାର ତଥା ଉଚ୍ଚ ଶିକ୍ଷିତ ବ୍ୟକ୍ତିଙ୍କ ମଧ୍ୟରେ ମଧୁସୂଦନ ଦାସଙ୍କ ଅଖଣ୍ଡ ପ୍ରତିପତ୍ତି ଥିଲା । ମଧୁବାବୁଙ୍କ ବିରୁଦ୍ଧରେ ସ୍ଵରୋତ୍ତୋଳନ ଓଡ଼ିଆ ଜାତୀୟତାର ବିରୋଧୀ ବୋଲି ବିଚାର କରାଯାଉଥିଲା । ତଥାପି ଯଦୁମଣୀ ମଙ୍ଗରାଜଙ୍କ ନେତୃତ୍ୱରେ କଟକର ଯେଉଁ ଛାତ୍ରମାନେ ପ୍ରଥମେ ମଧୁବାବୁଙ୍କ ବିରୁଦ୍ଧରେ ସ୍ଵରୋତ୍ତୋଳନ କଲେ ସେମାନେ ତା ପରବର୍ଷ ଗୋପବନ୍ଧୁ ଚୌଧୁରୀଙ୍କ ନେତୃତ୍ୱରେ ଭାରତୀ ମନ୍ଦିର ନିର୍ମାଣ କରିଥିଲେ । ଓଡ଼ିଆତ୍ଵ ଅପେକ୍ଷା ଭାରତୀୟତା ଉପରେ ଏମାନେ ଅଧିକ ଗୁରୁତ୍ୱ ଦେଉଥିଲେ ଏବଂ ସ୍ଵତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନର ମୂଳ ଉଦ୍ଦେଶ୍ୟ “ଓଡ଼ିଆ ଜାତିପ୍ରାଣ ଜାଗ୍ରୁତି”ରୁ ଦୂରେଇ ଯାଇଥିଲେ । ମଧୁସୂଦନ ଦାସଙ୍କ ପ୍ରତି ଵୈରୀଭାବ ପୋଷଣ କରି ଏହି ଛାତ୍ର ଓ ତାଙ୍କ ନେତାମାନେ ୧୯୧୮ ଓ ୧୯୧୯ ଉତ୍କଳ ସମ୍ମିଳନୀରେ ଯୋଗଦେବାକୁ ସିଧାସଳଖ ମନା କରିଦେଇଥିଲେ । ମଧୁସୂଦନ ଦାସ ସେମାନଙ୍କୁ ଏହି ସମ୍ମିଳନୀରେ ସ୍ଵେଚ୍ଛାସେବୀ ଭାବରେ ଯୋଗଦେବାକୁ ଆହ୍ଵାନ କରିଥିଲେ ହେଁ ଅକୃତକାର୍ଯ୍ୟ ହୋଇଥିଲେ । ମଧୁବାବୁ ଉତ୍କଳମଣିଙ୍କ ଠାରୁ ଏ ବିଷୟରେ ସାହାଯ୍ୟ ଲୋଡି଼ଲାରୁ ସେ ତତକ୍ଷଣାତ୍ ସତ୍ୟବାଦୀ ବନବିଦ୍ୟାଳୟର ପଣ୍ଡିତ ନୀଳକଂଠ ଦାସଙ୍କ ନେତୃତ୍ୱରେ ଛାତ୍ରଙ୍କୁ ସ୍ଵେଚ୍ଛାସେବୀ ଭାବେ କଟକ ପଠାଇ ଦେଇଥିଲେ । ସେମାନଙ୍କ ସାହାଯ୍ୟ ହେତୁ ଉତ୍କଳ ସମ୍ମିଳନୀ ସେ ବର୍ଷ ସୁରୁଖୁରୁରେ ସମ୍ପନ୍ନ ଓ ସଫଳ ହୋଇଥିଲା । ପରଵର୍ଷ ଅର୍ଥାତ୍ ୧୯୧୯ରେ ଉତ୍କଳ ସମ୍ମିଳନୀର ଚତୁର୍ଦ୍ଦିଶ ବାର୍ଷିକ ଅଧିବେଶନରେ ସଭାପତିତ୍ଵ କରିବାକୁ ମଧୁବାବୁ ଉତ୍କଳମଣିଙ୍କୁ ଅନୁରୋଧ କରିଥିଲେ । ![]() ପଣ୍ଡିତ ଗୋପବନ୍ଧୁ କଟକରେ ୧୯୨୦ ମସିହା ଉତ୍କଳ ସମ୍ମିଳନୀର ଏହି ଅଧିବେଶନରେ ସଭାପତିତ୍ଵ କରି ଏକ ଉଜସ୍ଵିନୀ ଭାଷଣ ଦେଇଥିଲେ । ତାଙ୍କର ଭାଷଣ ଯୁବ ସମାଜର ହୃଦୟକୁ ଵିଶେଷ ଭାବରେ ସ୍ପର୍ଶ କରିଥିଲା । ସେତେବେଳେ ଗୋପବନ୍ଧୁ ବ୍ରିଟିଶ ଶାସନ ଉପରୁ ସମ୍ପୂର୍ଣ୍ଣ ଭାବରେ ଆସ୍ଥା ହରାଇଥିଲେ ପୁଣି ସେ ଦେଶରେ ନୂତନ ଜାଗରଣ ଵିଷୟରେ ମଧ୍ଯ ସଜାଗ ଥିଲେ ।ସେଦିନିଆ ଓଡ଼ିଆ ସ୍ଵାଭିମାନର ମହାଆନ୍ଦୋଳନକୁ ବଙ୍ଗାଳି ଓ ଉତ୍ତର ଭାରତୀୟ ତଥାକଥିତ ଅହଂକାରୀ ନେତା ଓ ଲୋକମାନେ ଆଞ୍ଚଳିକ ଆନ୍ଦୋଳନ ମନେକରୁଥିଲେ । ୧୯୨୦ ଉତ୍କଳ ସମ୍ମିଳନୀର ତାଙ୍କ ଭାଷଣରେ ଗୋପବନ୍ଧୁ ଜଣେ ମହାଭାରତୀୟ ନେତା ଭାବେ ଓଡ଼ିଆ ଶବ୍ଦର ବିଶ୍ଳେଷଣ କରିବାକୁ ଯାଇ କହିଥିଲେ―“ଜଣେ ବ୍ୟକ୍ତି ବଙ୍ଗାଳି ବା ପଞ୍ଜାବୀ ହେଉ, ମାରୁଆଡି଼ ବା ତାମିଲ ହେଉ, ହିନ୍ଦୁ ହେଉ ବା ମୁସଲମାନ ହେଉ, ଆର୍ଯ୍ୟ ହେଉ ବା ଦ୍ରାବିଡ଼ ହେଉ, ଓଡ଼ିଶା ସହିତ ଯେ ନିଜକୁ ଜଡ଼ିତ କରିଛି, ତାକୁ ଓଡ଼ିଶାଵାସୀ ବୋଲି ବୁଝିବାକୁ ହେବ” । ସେ ସ୍ପଷ୍ଟ କରିଦେଇଥିଲେ ଯେ ଉତ୍କଳସମ୍ମିଳନୀ ଆନ୍ଦୋଳନ ଏକ ସମ୍ପୂର୍ଣ୍ଣ ଆନ୍ଦୋଳନ ନୁହେଁ । ଏହା କେବଳ ଓଡି଼ଶାବାସୀଙ୍କ ସ୍ଵାର୍ଥ ପାଇଁ ଉଦ୍ଦିଷ୍ଟ ନୁହେଁ, ଏହା ଜାତୀୟ ଆନ୍ଦୋଳନର କଦାପି ପରିପନ୍ଥୀ ନୁହେଁ । ଓଡ଼ିଶାର ନଦୀ ମହାନଦୀ, ଓଡ଼ିଶାର ସମୁଦ୍ର ମହୋଦଧୀ, ଓଡ଼ିଶାର ପର୍ବତ ମହେନ୍ଦ୍ର, ଓଡ଼ିଶାର ବୃକ୍ଷ କଳ୍ପଲତା, ଓଡ଼ିଶାର ଦେବତା ଶ୍ରୀଜଗନ୍ନାଥ । ଓଡ଼ିଶାଵାସୀ ସର୍ବତ୍ର ଏହିପରି ମହାନ ଚିନ୍ତା କରି ଆସିଛନ୍ତି, ସେମାନଙ୍କ ପକ୍ଷରେ ସଂକୀର୍ଣ୍ଣତା ସମ୍ଭବ ନୁହେଁ । ପଣ୍ଡିତ ଗୋପବନ୍ଧୁଙ୍କ ଉପରେ ଜାତୀୟତା ସ୍ରୋତର ପ୍ରଭାବ ଏହି ଭାଷଣରୁ ସୂଚନା ମିଳେ । ପ୍ରାର୍ଥନା କବିତାରେ ଗୋପବନ୍ଧୁଙ୍କର ଭାରତ ଓ ଭାରତୀଙ୍କ ପ୍ରତି ଜାତୀୟତାବୋଧ ସ୍ପଷ୍ଟ ଅନୁଭୂତ କରିହୁଏ ଭାରତମଣି ଗୋପବନ୍ଧୁ ଭଗବାନଙ୍କ ନିକଟରେ ଉତ୍କଳ ପାଇଁ ବ୍ୟାକୁଳ ନିବେଦନ କରି କହୁଛନ୍ତି, କିନ୍ତୁ ଗୋପବନ୍ଧୁ ଥିଲେ ଗଭୀର ଆଶାଵାଦୀ ନେତା ! ଉତ୍କଳର ଜାତୀୟ ଦୁର୍ଗତିରେ ବିଚଳିତ ହେଲେ ହେଁ କାମନା କରି ଶେଷରେ କହିଛନ୍ତି, ଯେମିତି ମହାତ୍ମାଗାନ୍ଧୀ ଜାଣିଥିଲେ ଯେ ଭାରତବର୍ଷରେ ହିଂସା ବଳରେ ସ୍ଵାଧୀନତା ପ୍ରାପ୍ତ ହେବା କାଠିକର ପାଠ, ସମାନ ଭାବେ ହେଲେ ସ୍ଵାଧୀନତାର ସତୁରି ବର୍ଷ ପରେ ଆମ୍ଭେ ମାନେ ଦେଖୁଅଛୁ ଯେ ଦୂରଦର୍ଶୀ ମଧୁସୂଦନ ଦାସ ଉତ୍ତର ଭାରତୀୟ ନେତୃତ୍ବ ବିଷୟରେ କରିଥିବା ଅନୁମାନ ବହୁ ପରିମାଣରେ ସଠିକ ପ୍ରମାଣିତ ହୋଇଅଛି । ଭାରତରେ ଓଡ଼ିଶାର ସ୍ଥିତି ପୁଣି ଓଡ଼ିଆଙ୍କ ପ୍ରତି ଅନ୍ୟ ଭାରତୀୟଜାତିର ଲୋକଙ୍କ ଘୃଣାତ୍ମକ ବ୍ୟବହାରରେ ଆଦୌ ପରିବର୍ତ୍ତନ ଆସିନାହିଁ । ବିଭିନ୍ନ ଜାତୀୟତାରେ ଛନ୍ଦି ହୋଇ ପଡି଼ଥିବା ଓଡ଼ିଆ ଲୋକେ ତେଣୁ ଭାଷା ଜାତି ସଂସ୍କୃତି ପାଇଁ ସର୍ବପ୍ରଥମେ ଲଢି ମଧ୍ଯ ତାମିଲ ଲୋକଙ୍କ ପରି ସ୍ଵାଭିମାନୀ ହୋଇ ପାରିନାହାନ୍ତି ଏବଂ ବହୁତ ସମ୍ଭବ କେବେ ହୋଇ ଵି ପାରିବେନି ବୋଲି ସ୍ଵତଃ ଅନୁଭବ ହେଉଅଛି । ସଂକ୍ଷେପରେ ଏତିକି କୁହାଯାଇପାରେ, ଆଜିର ଓଡ଼ିଆଙ୍କୁ ProOdia ଭାବେ ଗଢ଼ି ତୋଳିବା ପାଇଁ ମହାସ୍ବାଭିମାନୀ ମଧୁବାବୁଙ୍କ ପରି ନେତୃତ୍ୱର ଆବଶ୍ୟକତା ରହିଛି ! © ଶିଶିର ସାହୁ ମନୋଜ |
|