ଶୁଣ ହେ ଗୋପାଳ ଭାଇ ହୋଇ ଏକ ମନ ।
ପଚାରୁଛି କିଛି ରାଧାକୃଷ୍ଣଙ୍କ ବିଧାନ।।
ଏକଦିନେ ରାଧିକା ମନ୍ଦିରେ ବନମାଳୀ ।
ରାଧାଙ୍କୁ ଧରି ପଲଙ୍କେ କରୁଥିଲେ କେଳି ।।
ଏହି ସମୟରେ ଚନ୍ଦ୍ରସେଣା ଯେ ଅଇଲା ।
କବାଟରେ ହାତ ମାରି ଉଚ୍ଚରେ ଡାକିଲା।।
ଚନ୍ଦ୍ରସେଣା ଡାକ ଶୁଣି ରାଧା ଯେ ଚକିତ ।
କି ବୁଦ୍ଧି କରିବି ବୋଲି ବିଚାରନ୍ତି ଚିତ୍ତ।।
ଉପାୟ ନ ଦେଖି ପେଟାରୀରେ କଞ୍ଚି ଦେଇ ଚଳିଗଲେ।
ଚନ୍ଦ୍ରସେଣା ପାଶେ ଯାଇ କବାଟ ଫେଡ଼ିଲେ।।
ଆହେ ଭାଇ ଚନ୍ଦ୍ରସେଣା ରହିଲେ ଗୃହରେ।
ରାଧିକା ଯେ ଗଲେ ତହୁଁ ସ୍ନାନ କରିବାରେ।।
ପାବଚ୍ଛ ଉପରେ କଞ୍ଚି କାଠିକୁ ରଖିଣ।
ସ୍ନାନ କରୁଥିଲେ ରାଈ ଜଳରେ ପଶିଣ।।
ଏ ସମୟେ କଞ୍ଚି କାଠି ଚିଲ ଘେନିଗଲା।
ପଦ୍ମ ବନେ ଯାଇଣ ସେ ପକାଇଣ ଦେଲା।।
ସେ ସମୟେ ସୂର୍ଯ୍ୟଦେବ ଉଦେ ହେଉଥିଲେ।
ଆନନ୍ଦେ କମଳ ବନ ସର୍ବ ବିକଶିଲେ।।
ପଦ୍ମ ପରେ କଞ୍ଚି କାଠି ପଡ଼ିଲା ସେ ପୁଣ।
ତେଣେ ପେଟାରୀରେ ବନ୍ଦୀ ଜଗତ ଜୀବନ !
ଆହେ ଭାଇମାନେ ଶୁଣିବଟି ଶ୍ରୁତି ପଥ ।
କିପରି ବନ୍ଧନୁ ମୁକ୍ତ ହେଲେ ନନ୍ଦ ସୁତ ।।
ଆହେ ଭାଇମାନେ ସର୍ବେ ଶୁଣ ମନଦେଇ ।
ଭଲ ସନ୍ଧି ଓଗାଳ ତ ପଚାରିଲ ଭାଇ ।।
ଉପାୟ ନ ଦେଖି ରାଈ ଗୃହେ ଚଳିଗଲେ।
ଲଳିତା ଆଗରେ ସବୁ ବୁଝାଇ କହିଲେ ।।
ଲଳିତା ବୋଇଲେ ଯୋଗମାୟାକୁ ସୁମର ।
ସେ ଅଇଲେ କହିଦେବ ଏଥି ସୁବିଚାର ।।
ଚିଲ ଘେନି ଯିବା ଆଦି ସର୍ବ ସମାଚାର।
ଯୋଗମାୟା ଯୋଗ ବଳେ ଜାଣିଣ ତକ୍ଷଣ।।
ପଦ୍ମ ମଧ୍ୟେ କଞ୍ଚି କାଠି ପଡ଼ିଅଛି ଜାଣ ।।
ରାଧାଙ୍କୁ ବୋଇଲେ ତୁମ୍ଭେ ସୂର୍ଯ୍ୟ ପୂଜା କର ।
ସନ୍ତୋଷ ହେଲେ ଅଣାଇ ଦେବେ ଯେ ଭାସ୍କର।।
ଯୋଗମାୟା ବଚନେ ରାଧିକା ବେଗେ ଯାଇ।
ପୂଜା ଅର୍ଘ୍ୟ ଦେଇଣ କହିଲେ ବିନୟୀ ।।
ପୂଜାରେ ସନ୍ତୁଷ୍ଟ ହୋଇ ଦେବ ଛାୟାକାନ୍ତ।
ଚାବି ପଡ଼ିଥିବା ପଦ୍ମ ଭସାଇ ତୁରିତ ।।
ବୃଷଭାନୁ ସୁତାପାଶେ ନେଇଣ ଯେ ଦେଲେ।
ପଦ୍ମେ ଚାବି ଦେଖି ରାଧା ଆନନ୍ଦେ ଘେନି ଗଲେ।।
ତରତର ହୋଇ ରାଈ ବେଗେ ଚଳିଯାଇ ।
ରନ୍ଧନାଦି କାର୍ଯ୍ୟମାନ ତକ୍ଷଣ ସାରଇ ।।
ଚନ୍ଦ୍ରସେଣା ଗୋଷ୍ଠେ ଗଲା ଭୋଜନ ସାରିଣ।
କୃଷ୍ଣଙ୍କୁ ପେଡ଼ିରୁ ରାଈ କାଢ଼ିଲେ ବହନ ।।
ସବୁ ସମାଚାରମାନ କହିଣ କୃଷ୍ଣଙ୍କୁ ।
ମୁଖେ ଚୁମ୍ବ ଦେଇ କୃଷ୍ଣ ଚଳିଲେ ଗୃହକୁ ।।
ପେଟାରୀରେ ଶ୍ରୀକୃଷ୍ଣଙ୍କୁ ରଖିଥିଲ ଭାଇ ।
ଅଚ୍ୟୁତ ବୋଲନ୍ତି ଏବେ ଦେଲୁ ମୁକୁଳାଇ ।।
ଓଗାଳରେ ପ୍ରଶ୍ନ, ଓଗାଳରେ ଉତ୍ତର ! ଏଇତ ମୋ ଉତ୍କଳର ମାଟିର ଭାଷା !!
ଫଗୁ ଦଶମୀଠାରୁ ଓଡ଼ିଶାର ପୁରପଲ୍ଲୀ ଉତ୍ସବ ମୁଖର। ବିମାନରେ ବସି ଘରକୁ ଘର ବୁଲୁଛନ୍ତି ଦୋଳଗୋବିନ୍ଦ ମାଁ ରାଧିକାଙ୍କ ସହ । ଗାଁ ଦାଣ୍ଡରେ ଚାଲିଛି ରାଧାକୃଷ୍ଣ କୀର୍ତ୍ତନ, ଶଙ୍ଖନାଦ, ଆତସବାଜି ପ୍ରଦର୍ଶନ, ବାଡ଼ିଖେଳ। ପରିବେଶ ରାଧାକୃଷ୍ଣ ମୟ। ଦାଣ୍ଡକୁ ଓହ୍ଲାଇ ଆସିଛନ୍ତି କୁଳଭୁଆସୁଣୀ, ବୁଢ଼ାବୁଢ଼ୀ, କିଶୋରକିଶୋରୀ, ଘରକୁ ଆସିଥିବା ବନ୍ଧୁବାନ୍ଧବ। ଗାଁ ମୁଣ୍ଡରେ ମେଳଣ, ଯାନିଯାତରା। ବସନ୍ତର ମୃଦୁ ପବନରେ ଆହ୍ଲାଦିତ ସଭିଏଁ। ବହୁ ଦିନରୁ କୋଠଘରେ ତାଲିମ ନେଉଥିବା ଯୁବକମାନେ ତାଙ୍କ ସାଇ ବାଡ଼ି ଖେଳ ଯେମିତି ସବୁଠାରୁ ଭଲ ହେବ, ସେଥିପାଇଁ ମନପ୍ରାଣ ଏକ କରିଦେଇଛନ୍ତି। ତେଣେ ଅନ୍ୟ ସାଇ ପିଲାଏ ମଧ୍ୟ ଲାଗି ପଡ଼ିଛନ୍ତି ତାଙ୍କ ଦଳ ଯେପରି ଏକ ନମ୍ବର ହୋଇ ରହିବ। ଓଗାଳ ପୂରା ମୁହେଁ ମୁହେଁ ମୁଖସ୍ଥ, ସେ ପୁଣି ଆମ ଓଡ଼ିଶା ମାଟିର ଗୌରବ #ସନ୍ଥକବି ଅଚ୍ୟୁତାନନ୍ଦଙ୍କ ଲେଖା ଯେ !! ଯେଝା ଦଳ ପାଇଁ ସମସ୍ତେ ତିଆର। ଓଗାଳରେ ପ୍ରଶ୍ନ ଯଦି ପ୍ରଥମ ନଈକୂଳିଆ ସାଇ କରିବା ଆରମ୍ଭ କରେ ତେବେ ତାଙ୍କର ଉଚିତ୍ ଉତ୍ତର ଦେବାକୁ ପଡ଼ିବ! ଏହି ସମୟରେ ବାଜି ଉଠିଲା ବୀର କାହାଳୀ, ଏଇ ତ ଆରମ୍ଭ ! ପ୍ରଥମେ ନଈକୂଳିଆ ସାଇ ପିଲାଏ ଧୋତି ଖଣ୍ତକ ଗୁଡ଼ାଇ ହୋଇ, ଅଣ୍ଟାରେ ଗାମୁଛା ଭିଡ଼ି, ଦୁଇ ହାତରେ ବାଡ଼ି ଧରି ଆରମ୍ଭ କରିଦେଲେ ପ୍ରଶ୍ନ — “ଶୁଣ ହେ ଗୋପାଳ ଭାଇ ପଚାରୁଛି ମୁହିଁ ।
ଗୋଟି ଗୋଟି କରି ମୋତେ ଦେବ ଯେ ବୁଝାଇ ।।
ବହୁତ ଦିନରୁ ମନେ ରହିଅଛି ମୋର ।
ଗୋପାଳର କେତେ ବେଶ କହିବ ସଭାର ।।
କେଉଁ କେଉଁ ବେଶ ହେଲେ ହୁଅନ୍ତି ବାହାର।
କେତେଗୋଟି ବେଶେ ପୂର୍ଣ୍ଣ ହୁଅଇ ଶରୀର ।।
ଏତକ ବିଚାରି ଭାଇ କହିଦିଅ ବାଛି।
ଅଚ୍ୟୁତ ବୋଲନ୍ତି ବେଳ ଉଚ୍ଛୁର ହେଉଛି।।
ତତ୍ କ୍ଷଣାତ ଉତ୍ତର ଆସିଲା . .
ଶୁଣ ହେ ଗୋପାଳ ଭାଇ ପଚାରିଲ ଯାହା।
ଗୋଟି ଗୋଟି କରି ବେଶ କହିଦେବା ତାହା।।
ପ୍ରଥମ ବେଶରେ ଆମ ପୟରେ କଠାଉ।
ଦ୍ଵିତୀୟ ବେଶରେ ଆମେ ଶିଂଘା ଯେ ବଜାଉ।।
ତୃତୀୟ ବେଶରେ ଆମ୍ଭ କଟିରେ କାଛେଟି।
ଆଗପଛ ଲମ୍ବିଥାଏ ଧଣ୍ଡାମାଳ ଗୋଟି ।।
ଚତୁର୍ଥ ବେଶରେ ଆମ୍ଭ ନୟନେ କଜ୍ଜଳ।
ପଞ୍ଚମ ବେଶରେ ଆମ୍ଭ ଗଳେ ଫୁଲମାଳ।।
ଷଷ୍ଠ ବେଶରେ ଆମ୍ଭର କପାଳେ ସିନ୍ଦୂର।
ସପ୍ତମ ବେଶରେ ବଂଶୀ ଧରିଥାଉ କର ।।
ଅଷ୍ଟମ ବେଶରେ ଆମ୍ଭ କନ୍ଧରେ ପଇତା।
ନବମ ବେଶରେ ଆମ୍ଭେ ଧରିଥାଉ ଛତା।।
ଦଶମ ବେଶରେ ଆମ୍ଭ ମଥାରେ ଗୋଚିନା।
ଏକାଦଶେ ବେଶ ଗୋଟି ଅଟଇ ଫୁଲଣା।।
ଦ୍ଵାଦଶ ବେଶେ ଲଉଡ଼ି ଧରି ଆମ୍ଭେ କର ।
ଅଚ୍ୟୁତ ବୋଇଲେ ଆମ୍ଭେ ହେଲୁ ଯେ ବାହାର।।
ପ୍ରଶ୍ନ ଆଉ ଉତ୍ତର ଚାଲିଛି, ଗୋଟିଏ ଦଳର ପ୍ରଶ୍ନର ସଠିକ ଉତ୍ତର ଶୁଣି ଦେଖଣାହାରୀ ଆନନ୍ଦେ ହରେକୃଷ୍ଣ, ହରେକୃଷ୍ଣ କହି କୃଷ୍ଣ ପ୍ରେମରେ ନିଜକୁ ହଜାଇ ମୁହାଉଁଛନ୍ତି ଗାଁ ମୁଣ୍ଡରେ ମେଳଣ ପଡ଼ିଆ ଆଡ଼କୁ। ସଙ୍ଗୀତମୟ ପରିବେଶ ମଧ୍ୟରେ ରାଧାକୃଷ୍ଣ ବିମାନ ଆଗେଇ ଚାଲିଛି ! ଠାକୁ ଠା ବିମାନ ରହୁଛି, ବନ୍ଦାପନା ହେଉଛି, ଭୋଗ ଲାଗି ହେଉଛି । ଧନ୍ୟ ଏ ଉତ୍କଳ ସଂସ୍କୃତି !
ଆମ ଅଞ୍ଚଳରେ ଅନେକ ସ୍ଥାନରେ ମେଲଣ ଚାଲେ ପୂର୍ଣ୍ଣିମା ଠାରୁ ଦଶ ଦିନ ପର୍ଯ୍ୟନ୍ତ। ଦଶଦୋଳ ନାଁରେ ଏହା ଖ୍ୟାତ। ସେ ଯାହାହେଉ, ଆମ ଗାଁର ମେଲଣ ଦେଖିବାକୁ ସୁଯୋଗ ମିଳିଲା ଏଇ ତିରିଶ ତାରିଖ ରାତିରେ। ସୁସଜ୍ଜିତ ବିମାନରେ ରାଧାକୃଷ୍ଣ, ପଟୁଆରରେ ସାମିଲ ହୋଇଛନ୍ତି କୀର୍ତ୍ତନ ମଣ୍ଡଳୀ, ଘୋଡ଼ାନାଚ, ବାଡ଼ିଖେଳ। ସବୁଠାରୁ ମନୋରମ ଦୃଶ୍ୟ ଥିଲା ଗୋପାଳ ଭାଇମାନଙ୍କ ଓଗାଳ। ପୂର୍ବ ପରି ଅବଶ୍ୟ ନାହିଁ ସେ ଓଗାଳ ସହ ବାଡ଼ିଖେଳ, ତଥାପି ଆକର୍ଷଣୀୟ। ହାତରେ ବାଡ଼ି ଧରି, ବେଶ ଭୂଷା ହୋଇ କେତେ ସୁନ୍ଦର ଭାବରେ ଖେଳୁଥାନ୍ତି ଗୋପାଳ ଭାଇମାନେ ! ହଁ, ଖେଳିବେ ନାହିଁ କିମିତି ! ସେ ଯେ ନନ୍ଦସୁତ କହ୍ନାଇ ସାଙ୍ଗ ଥିଲେ ଦ୍ଵାପରରେ !! ମନମୁଗ୍ଧକର ଦୃଶ୍ୟ ଉପଭୋଗ କରୁଥିଲି ଓ ଶୁଣି ଚାଲିଥିଲି ସେହି ଉତ୍କଳୀୟ ସନ୍ଥ ଅଚ୍ୟୁତାନନ୍ଦଙ୍କ ଓଗାଳ . .
~ ପ୍ରଶ୍ନ ~
ଶୁଣ ହେ ଗୋପାଳ ଭାଇ ଡେରି କର୍ଣ୍ଣଦ୍ଵାର।
ଯାହା ପଚାରୁଛି ମୁହିଁ ଦେବଟି ଉତ୍ତର ।।
ଚାରିବର୍ଣ୍ଣ କଥା ତୋତେ ପଚାରୁଛି ଭାଇ।
ମନର ସଂଶୟ ମୋର ଦେବଟି ଫିଟାଇ ।।
ବ୍ରାହ୍ମଣ କ୍ଷତ୍ରିୟ ବୈଶ୍ୟ ଶୁଦ୍ର ଏହି ଚାରି।
ଚାରିବର୍ଣ୍ଣ କେଉଁ ବର୍ଣ୍ଣେ ଅଛ ଅବତରି।।
କେଛଁ ବର୍ଣ୍ଣେ ଜନ୍ମି ଭାଇ କେଉଁ କର୍ମ କର ।
କି ଅବା ଚାରିବର୍ଣ୍ଣରୁ ହୋଇଛି ବାହାର ।।
କେଉଁ ବର୍ଣ୍ଣେ ଜନ୍ମ ହୋଇଅଛ ଆହେ ଭାଇ।
କେଉଁ କାର୍ଯ୍ୟେ କରିବାର ବିହିତ ଅଟଇ।।
ଏକ ବର୍ଣ୍ଣେ ଏକ ଔରସରୁ ଜନ୍ମିଥିଲେ ।
ତହିଁର ବୃତ୍ତାନ୍ତ ସିନା କହିବଟି ଭଲେ ।।
ବର୍ଣ୍ଣଶଙ୍କର ଯେ ଥିଲେ ଜାଣିବ ବା କାହୁଁ।
ସଭାରେ ବସି ବୃଥାରେ ହୁଅ ହାଉଁହାଉଁ।।
ମନ ପ୍ରାଣ ଲଗାଇଣ ଶ୍ରୀଗୁରୁ ପୟରେ ।
ସେବା କରିଥିଲେ ଭାବ କହିବ ବେଭାରେ।।
ନିଜ ମର୍ମ ନ ଜାଣିଣ ଆନକୁ ପଚାର ।
ସୁଜ୍ଞାନୀଜନଙ୍କର କି ଅଟେ ଏ ବେଭାର।।
ଅଚ୍ୟୁତ ବୋଇଲେ ଯେବେ ନ ଜାଣିଛ ତୁମ୍ଭେ।
ଗୁରୁ କରି ଶିକ୍ଷା କଲେ କହିଦେବୁ ଆମ୍ଭେ ।।
ସେ ଦଳରୁ ଶୁଭିଗଲା ଉତ୍ତର। କ’ଣ ପାଇଁ ବା ହାରିଯିବ ତାଙ୍କ ଦଳ ? ଆରମ୍ଭ ହେଲା . .
ଶୁଣ ହେ ଗୋପାଳ ଭାଇ ପଚାରିଲ ଯାହା।
ଶ୍ରୀଗରୁଙ୍କ ସୁଦୟାରୁ କହି ଦେବୁ ତାହା ।।
ସୁବୁଦ୍ଧି ବୋଇଲେ ଦାସେ ଶୁଣ ସାବଧାନେ।
ସଦଗୁରୁ ସେବା କରେ ଶୁଣ ଜ୍ଞାନୀଜନେ।।
ଚାରିବର୍ଣ୍ଣେ କଥା ଯାହା ପଚାରିଲ ଭାଇ।
ଯାହା ଜାଣେ ଠିକେ ଠିକେ କହୁଛି ବୁଝାଇ।।
ବ୍ରାହ୍ମଣ କ୍ଷତ୍ରିୟ ବୈଶ୍ୟ ଶୁଦ୍ର ଚାରି ବର୍ଣ୍ଣ ।
ଗୋପାଳ ମାନେ ଅଟନ୍ତି ବୈଶ୍ୟ ଆହେ ଶୁଣ।।
ବୈଶ୍ୟ ବର୍ଣ୍ଣଶଙ୍କର କର୍ମ ଶୁଣ ଆରେ ଭାଇ ।
ସଦଗୁରୁ ସେବା ଫଳେ ଦେବଇ ବୁଝାଇ ।।
ଗାଈ ରଖିବା ଆମ୍ଭର ପ୍ରଧାନ ଯେ କର୍ମ।
ସେହି ଗୋରୁ ଦ୍ଵାରା କୃଷି କରୁ ଯେ ଉତ୍ପନ୍ନ।।
ଗୋରୁଙ୍କର କ୍ଷୀର ଦ୍ୱାରା ନାନାଦି ପ୍ରକାରେ।
ଅମୃତ ସାମଗ୍ରୀ ମାନ ଗୋପାଳ ଯେ କରେ।।
ଆନ ବୈଶ୍ୟମାନେ କୃଷି ବାଣିଜ୍ୟ କରନ୍ତି ।
ଗୋରକ୍ଷା କର୍ମକୁ କେହି କରି ନ ପାରନ୍ତି ।।
ଏଣୁ କରି ଗୋପାଳେ ଅଟନ୍ତି ଶୁଦ୍ଧ ବୈଶ୍ୟ ।
ନାନାଦି ଶାସ୍ତ୍ରରେ ଏହା ଅଛି ଇତିହାସ ।।
ଆହେ ଭାଇମାନେ ଶୁଣ ମୋର ନିବେଦନ।
ରୋଷ ନ ବହିବ ମନେ ନୋହିବ ବିମନ ।।
ଏବେ କିଛି ଦିନ ପାଇଁ ଶ୍ରୀଗୁରୁ ପୟରେ ।
ମନ ପ୍ରାଣ ଦେଇ ସେବ ଦିବା ରଜନୀରେ ।।
ଅବଶ୍ୟ ତାଙ୍କ କୃପାରୁ ଜ୍ଞାନ ଉପୁଜିବ ।
ଅଚ୍ୟୁତ ବୋଇଲେ ତେବେ ଏଠାକୁ ଆସିବ ।।
ଗୋପାଳ ଭାଇ ମାନଙ୍କ ଓଗାଳ ଶୁଣି ଆତ୍ମହରା ହୋଇ ଉଠିଲି । କେତେ ମହାନ ଏ ଉତ୍କଳୀୟ ସଂସ୍କୁତି ସତେ ! ଆଉ ଆଜି ଆମେ ଧାଇଁ ଚାଲିଛୁ ଗୋଟିଏ ଆମଦାନୀ ନାଚ ଦାଣ୍ଡିଆ ପଛରେ !!
(ପଦସମୂହ ଉତ୍କଳୀୟ ସନ୍ଥ ଅଚ୍ୟୁତାନନ୍ଦଙ୍କ ଗୋପାଳ ଓଗାଳ ପୁସ୍ତକରୁ ଆନୀତ)