~ ନବଗୁଞ୍ଜର: ଓଡିଆ ସଂସ୍କୃତିର ସ୍ଵାତନ୍ତ୍ର୍ୟ ~
ସୌରଭିତ ସୃଷ୍ଟି: ରାଧାମୋହନ ଗଡ଼ନାୟକ
୧୯୮୭ ମସିହାର ସଂସ୍କରଣ ରୂପେ ପ୍ରକାଶିତ କବି #ରାଧାମୋହନ #ଗଡ଼ନାୟକଙ୍କ “ନବଗୁଞ୍ଜର ମୂରତି ସିଏ” ହେଉଛି ତାଙ୍କର “ନବଗୁଞ୍ଜର ମୂରତି” ସଙ୍କଳନର ଚାରିଗୋଟି କବିତାରୁ ଅନ୍ୟତମ। ଏଥିରେ ପ୍ରସିଦ୍ଧ ‘ନବଗୁଞ୍ଜର’ ରୂପର ବର୍ଣ୍ଣନା ଅତ୍ୟନ୍ତ ସାବଲୀଳ ଛଟାରେ ରଚିତ।
~ ନବଗୁଞ୍ଜର ମୂରତି ସିଏ ~
[ ୧ ]
ନବଗୁଞ୍ଜର ମୂରତି ସିଏ
ଜଗତରେ କାହିଁ ତା’ର ତୁଳ ?
କୁକୁଡା ମୁଣ୍ଡ
ମୟୂର କଣ୍ଠ
ଷଣ୍ଢ ଚୂଳ
ସିଂହ କଟି
ନାଗ ସାପ ତା’ର ଲାଙ୍ଗୁଳଟି ।
ଚାରୋଟି ପାଦ-
ଗୋଟିଏ ହାତୀର
ଗୋଟିଏ ଘୋଡ଼ାର
ଗୋଟିଏ ବାଘର
ଚତୁର୍ଥ ପାଦ ମଣିଷ ହାତ ।
ଥରେ ଥରେ ପୁଣି ଶୁଙ୍ଘୁ ଅଛି
ହାତରେ ଅଛି ଯେ ବାସନା ଫୁଲ,
ନବଗୁଞ୍ଜର ମୂରତି ସିଏ
ଜଗତରେ କାହିଁ ତା’ର ତୁଲ ?
ମଣିଭଦ୍ରାର ପାହାଡ଼ ତଳେ
ବସିଥିଲା ସିଏ
କିଏ ସେ ବୀର
ଅଦଭୁତ ସେଇ ଜୀବର ପାଦେ
ପ୍ରଣତି ବାଢିଲା ନୁଆଁଇ ଶିର ।
ଭୂଇଁରୁ ଉଠି ସେ ନୟନ ଭରି
ଦେଖିଲା କୃଷ୍ଣ, ଦେଖିଲା ହରି,
“ପ୍ରଭୁ ହେ, ମହାପ୍ରଭୁ ହେ
ଜୀବନରେ ତୁମେ ସବୁ ହେ।
ତୁମେ ପରା ତିନି ମୂରତି ଧର
ବ୍ରହ୍ମା, ବିଷ୍ଣୁ, ମହେଶ୍ବର ।
ପ୍ରଥମରେ ତୁମେ ସୃଷ୍ଟିକାର
ଦ୍ଵିତୀୟରେ ତୁମେ ସୃଷ୍ଟିପାଳ ।
ତୃତୀୟ ରୂପରେ ହେ ଭଗବାନ
ସୃଷ୍ଟିରେ ପୁଣି ପ୍ରଳୟ ଆଣ-
ସେମିତି ଥରେ
ସୃଷ୍ଟି ତୁମର ବୁଡି ରହିଥିଲା
ପ୍ରଳୟ ଜଳେ ।
ସେତେବେଳେ ମୀନ ମୂରତି ଧରି
ଆସିଥିଲ ତୁମେ ହେ ଦେବ ହରି ।
ସାତ ଜଣ ଋଷି
କେତେ ଜଣ ରାଜା
ମନୁ
କେତେକ ପ୍ରାଣୀ
ସୃଷ୍ଟି ହିତରେ ରଖିଲ ଆଣି।
ତପ କରି ମନୁ ରାଜନ ତହୁଁ
ସରଜନା କଲେ ସପନ ବହୁ,
ମଣିଷ ଜାତିର ଗିଆନ ପାଇଁ
ବେଦ ଶୁଣାଇଲେ ବ୍ରହ୍ମା
ସୃଷ୍ଟି ପାଇଁ ।
ବେଦ ନେଇଗଲା ଶଙ୍ଖାସୁର
ଦରିଆ ଭିତରେ କରିଲା ପୁର।
ତାହାକୁ ମାରି
ବେଦ ଉଦ୍ଧାର
କଲ କାଳକାଳ
ଆହେ ପ୍ରଭୁ ମୀନ ଶରୀରଧାରୀ ।
[ ୨ ]
ନବଗୁଞ୍ଜର ମୂରତି ସିଏ
ବରୁଣ ଦେବତା ପୁରରେ ନିଜ
ରଖିଥିଲେ ବହୁ ଅତଳ ଚିଜ।
ଦେବତାବୃନ୍ଦ, ଅସୁର ଦଳ
ମନ୍ଥନ କଲେ ଦରିଆ ଜଳ।
ମନ୍ଦର ଗିରି ହୋଇଲା ଖୁଆ
ବାସୁକୀ ହୋଇଲା ରଜ୍ଜୁ
କୂର୍ମ ରୂପରେ ତୁମେ ହେ ହରି
ପିଠିରେ ଧଇଲ ମହାନ୍ ଗିରି ।
ଅମୃତ ତହୁଁ ହୋଇଲା ଜାତ
ଦେବତାରେ ଦେଲ ଜଗତନାଥ
ବିଷ ତହୁଁ ଯେବେ ହୋଇଲା ଜାତ
ଶିବ ହୋଇ ତୁମେ ଜଗତ ତାତ
ଆପେ ତାହା ପିଇ ହେ ପ୍ରଭୁ
ରକ୍ଷା କରିଲ ସୃଷ୍ଟି ସବୁ।
ଯେଉଁ ରୂପେ ତୁମେ ଧ୍ଵଂସ ଆଣ
ସେଇ ରୂପେ ରଖ ଜଗତ ପ୍ରାଣ।
ଏ ଥରକ ଛାଡି ଆହୁରି ଥରେ
ପୃଥ୍ଵୀ ବୁଡିଲା ପ୍ରଳୟ ଜଳେ।
ହିରଣ୍ୟାକ୍ଷ ଅସୁର ଏକ
ଧଇଲା ପୃଥିବୀ ଦେବୀର ବେକ।
ଅଟକାଇ ଦେଲା ଜଳର ତଳେ
ସଭିଏ ଡାକିଲେ କାତର ସ୍ଵରେ ।
ବରାହ ରୂପରେ ଆସିଲ ପୁଣି
ଅସୁର ଦାଉରୁ ରଖିଲ ଭୂମି ।
ଦନ୍ତ ଶିଖରେ ଧଇଲ ଧରା
ଜଗତ ରକ୍ଷା କରିଲ ପରା ।
[ ୩ ]
ନବଗୁଞ୍ଜର ମୂରତି ସିଏ
ହିରଣ୍ୟାସୁର ବିଷ୍ଣୁ ଦ୍ରୋହୀ
ପୁତ୍ର ଉପରେ ରୁଷ୍ଟ ହୋଇ
କେତେ ଯେ କରିଲା ଅତ୍ୟାଚାର
ଜଗତରେ ନେଇ କଳନା ତା’ର ।
ପୁତ୍ର ତାହାର ବାଳୁତ ପିଲା
ସଞ୍ଜ ସକାଳେ
ତୁମରି ପୂଜାରେ
ବିଭୋର ଥିଲା ।
ପିତା କଲା ବାଦ –
“ଆରେ ପ୍ରହ୍ଲାଦ,
ବିଷ୍ଣୁର ପୂଜା କର୍-ନି ଆଉ।”
ପୁତ୍ର କହିଲା –
“ବିଷ୍ଣୁ ମୋ’ ପ୍ରଭୁ,
ଛାଡିବିନି ତାଙ୍କୁ ଜୀବନ ଯାଉ।”
“ଦେଖାଇଲୁ ତୋର ବିଷ୍ଣୁ କାହିଁ ?”
“ଏଇ ଖମ୍ଵରେ ତାହାକୁ ପାଇ ।”
ପଦାଘାତ କଲା ଅସୁର ତହୁଁ,
ତହିଁରୁ ବାହାର ହୋଇଲେ ପ୍ରଭୁ।
ନରସିଂହର ମୂରତି ଧରି
ହିରଣ୍ୟ କରେ ଦିଫାଳ କରି
ଚାହୁଁ ଚାହୁଁ ତାକୁ କରିଲ ବଧ
ପୁତ୍ରକୁ ଦେଲ ଇନ୍ଦ୍ରପଦ ।
ପ୍ରହ୍ଲାଦ ତୁମ ଭକତ ବର
ତାକୁ କରିଦେଲ ଅଜାମ୍ଵର ।
ବଳି ରାଜା ଥିଲା ତାହାର ନାତି
ଦାନ କଲା ବସି ଦିବସ ରାତି।
“ଯେ ଯାହା ମାଗିବ, ମୁଁ ଦେବି ତାହା,
କହୁଅଛି ମୁହିଁ ରାଇଜ ନାହା ।”
ତୁମ ଛଡ଼ା ଭଲା କେ ଅଛି ପ୍ରଭୁ
ଦେଇ ପାରିବଟି ମାଗିଲେ ସବୁ ?
ବଡି଼ମା ତାହାର ସହିଲ ନାହିଁ
ତିନି ପାଦ ଭୂଇଁ ମାଗିଲ ଯାଇ।
“ଦେଇ ପାରିବ କି?”
ପଚାରିଲ ତୁମେ ଜଗତସାଇଁ ।
ନୃପତି ବୋଇଲା-
“ସତ୍ୟ କରିବି,
ଏଇଥି ପାଇଁ।”
ପାଦକରେ ନେଲ ଗୋଟାକ ଧରା
ଆର ପାଦେ ନେଲ ଆକାଶ ସାରା
ପଚାରିଲ ପୁଣି―
“ତୃତୀୟ ପାଦକୁ କଅଣ ଦେବ?”
ମଥା ପାତି ଦେଇ
ବୋଲଇ ରାଜା
“ନିଜକୁ ଦେଉଚି, ନିଅ ହେ ଦେବ।”
ତୃତୀୟ ପାଦରେ ଚାପିଲ ତା’ରେ
ରଖିଦେଲ ନେଇ ପାତାଳପୁରେ ।
ବଡେଇ କରେ ଯେ ଜଗତ ଭୂମେ
ବୁଡେଇ ଦିଅ ତ ତାହାକୁ ତୁମେ ।
ମହାରାଣୀ ତା’ର ବିଦ୍ୟାବଳୀ
ଗୁହାରି କରିଲା ଚରଣ ଧରି ।
“ତଣ୍ଡିଲ ପ୍ରଭୁ ତାହାକୁ ଯେବେ
ସତ୍ୟ ପୁଣି ତ ପାଳିଲେ ସିଏ,
ସେଥକୁ କଣ ପାଇଲେ ତେବେ?”
ପାତାଳପୁରରୁ ବଳିରେ ଆଣି
ଇନ୍ଦ୍ରପଦରେ ଥୋଇଲ ଜାଣି ।
[ ୪ ]
ନବଗୁଞ୍ଜର ମୂରତି ସିଏ
ମଣିଷ ପାଇଁ କି ମମତା ଛାଡି
ରାଜାମାନେ ହେଲେ କ୍ଷମତାଶାଳୀ।
ମହୀରେ ସେମାନେ କ୍ଷତ୍ରୀକୁଳ
ଜାଳିଲେ ନିରୀହ ପରଜା ପୁର ।
ସେତେବେଳେ ଦେଖି ସେ ଉତପାତ,
ଋଷି ଘରେ ତୁମେ ହୋଇଲ ଜାତ ।
ବ୍ରାହ୍ମଣ କୁଳ ବୃତ୍ତି ଛାଡି
ତୁମେ ହେଲ ରାମ ପରଶୁଧାରୀ ।
ଘରେ ଘରେ ତୁମେ ପରଶୁରାମ
ହରିଲ ବହୁତ କ୍ଷତ୍ରୀ ପ୍ରାଣ ।
ପୁଣି ଯେତେବେଳେ ଗର୍ବ କରି
ଦର୍ପରେ ତୁମେ ଘୂରିଲ ହରି ।
ତୁମେ ତ ତୁମକୁ ସହିଲ ନାହିଁ
ରାମ ରୂପେ ଆସି ଜଗତ ସାଇଁ,
ଗର୍ବ ଖର୍ବ କରିଲ ଖରେ
ଶାନ୍ତି ଆଣିଲ ସୃଷ୍ଟି ପରେ ।
[ ୫ ]
ନବଗୁଞ୍ଜର ମୂରତି ସିଏ
ରାବଣ ଅସୁର ଦୁର୍ନିବାର
କରିଲା ବହୁତ ଅତ୍ୟାଚାର।
ବିମାତା କଥାରେ
ପିତା ଆଜ୍ଞାରେ
ଉଷତ ମନେ
ରାଇଜ ଛାଡି ତ ଚାଲିଲ ବନେ।
ପତ୍ନୀ ତୁମର ନରହି ପୁରେ
ବଣକୁ ଚାଲିଲେ ତୁମରି ତୁଲେ।
ବନସ୍ତ ପଥେ ହୋଇଲେ ସାଥୀ
ସୁଖରେ ରହିଲେ ଦିବସ ରାତି।
ଭରତ ଡାକିଲେ ବଣକୁ ଯାଇ
“ତୁମେ ରାଜା ହେବ, ଚାଲ ହେ ଭାଇ।”
“ଚଉଦ ବରଷ ତୋ’ ଅଧିକାର
ଫେରି ଯାଇ ତୋ’ର ରାଇଜ ପାଳ।”
“ପାଦୁକା ତୁମର ଦିଅ ହେ ଭାଇ
ରାଇଜକୁ ଯେବେ ଫେରିବ ନାହିଁ।
ସିଂହାସନରେ ପାଦୁକା ଥୋଇ
ରାଇଜ ପାଳିବି ସେବକ ହୋଇ।”
ଭାଇ ଓ ଭାରିଯା ସଙ୍ଗତରେ,
ସୁଖରେ ରହିଲେ ବନସ୍ତରେ।
ଦିନକର ପୁଣି କଅଣ ହେଲା
ଗହନ ବାସୀ
ସ୍ତିରୀକି ତୁମର ଚୋରାଇ ନେଲା
ରାବଣ ଆସି ।
ଶେଷକୁ ତାହାକୁ ଘୋର ଯୁଦ୍ଧରେ
ହତ୍ୟା କରି
ସତୀରେ ତୁମର ଉଦ୍ଧାର କଲ
ହେ ଦେବ ହରି ।
[ ୬ ]
କଂସ କେମିତି ନିର୍ବିଚାର
କରିଲା ଅନେକ ଅତ୍ୟାଚାର,
ସିଂହାସନରୁ ପିତାରେ ତଡି଼
ରାଇଜ ଶାସିଲା ଦଣ୍ଡ ଧରି ।
ମାମୁଁ ବୋଲି ତାକୁ ଛାଡିଲ ନାହିଁ
ମାରିଲ ତାହାକୁ ଜଗତ ସାଇଁ ।
ଅଜା ହାତେ ଦେଲ ଶାସନ ପୁଣି
ଧର୍ମର ମାନ ମନରେ ଗୁଣି ।
ଆଠ ଆଠ ଥର ମରତ ଭୂମେ
ଅବତାର ଧରି ଆସିଚ ତୁମେ ।
ନବଗୁଞ୍ଜର ମୂରତି ଧରି
ଦେଖା ଦେଇଅଛ ହେ ଦେବ ହରି ।
ପାର୍ଥ କି ଆଜି ଜଗତ ସାଇଁ
ତୁମକୁ ଚିହ୍ନିପାରିବ ନାହିଁ ?
ମାୟାଧର ଏବେ ଏ ମାୟା ଛାଡ଼
ପ୍ରକୃତ ତୁମ ସ୍ଵରୂପ ବାଢ଼।”
ଆଖି ବୁଜିଦେଇ ପାର୍ଥ ତହୁଁ
ବୋଇଲେ, ” ଧନ୍ୟ ହୋଇଲି ପ୍ରଭୁ।”
ଦେଖିଲେ ଆଗରେ କୃଷ୍ଣ ଉଭା
ଦ୍ଵାରକାର ରାଜା ତରୁଣ ଯୁବା ।
ପାଦରେ ପାର୍ଥ ଲୋଟିଲେ ଯହୁଁ
ବୁକେ ତୋଳି ନେଲେ ଜଗତ ପ୍ରଭୁ।
“ପ୍ରାଣ ମୋ’ ସଖା ପାର୍ଥ ତୁହି
ତୋହର ନିକଟେ ବନ୍ଧା ମୁହିଁ।”
~ ସଂକ୍ଷେପରେ #ନବଗୁଞ୍ଜର ~
ନବଗୁଞ୍ଜର ସାରଳା ମହାଭାରତରେ ବର୍ଣ୍ଣିତ ଏକ ବିଚିତ୍ର ପ୍ରାଣୀ । ବର୍ଣ୍ଣନା ଅନୁସାରେ ଏହି ପ୍ରାଣୀ ନଅଗୋଟି ପଶୁପକ୍ଷୀଙ୍କ ଅଙ୍ଗର ଏକ ସମ୍ମିଶ୍ରଣ । ବିଷ୍ଣୁ ବା କୃଷ୍ଣଙ୍କ ଏକ ଅବତାର ଭାବେ ନବଗୁଞ୍ଜର ଗୃହୀତ । ନବଗୁଞ୍ଜରର ଚୂଳ ଓ ଶିର କୁକୁଡ଼ାର, ବେକ ମୟୂରର, ଗୋଟିଏ ଭୁଜ ମନୁଷ୍ୟର, ଗୋଟିଏ ପାଦ ହାତୀର, ଗୋଟିଏ ପାଦ ବାଘର, ଗୋଟିଏ ପାଦ ଘୋଡ଼ାର, ପିଠି ବୃଷଭର, କଟି ସିଂହର ଓ ଲାଞ୍ଜ ସାପର ।
ଥରେ ଅର୍ଜୁନ ଗିରି ଉପରେ ତପ କରୁଥିବା ବେଳେ କୃଷ୍ଣ ନବଗୁଞ୍ଜର ଭାବେ ତାଙ୍କ ସମ୍ମୁଖରେ ଉଭା ହୁଅନ୍ତି । ନବଗୁଞ୍ଜରର ବିଚିତ୍ର ରୂପ ଦେଖି ଅର୍ଜୁନ ପ୍ରଥମେ ଆଶ୍ଚର୍ଯ୍ୟ ଚକିତ ଓ ଭୟଭୀତ ହୁଅନ୍ତି । କେବେ ନ ଦେଖିଥିବା ପ୍ରାଣୀ ଦେଖିବାରୁ ସେ ଧନୁ ଟେକି ତାକୁ ମାରିବାକୁ ଚେଷ୍ଟା କରନ୍ତି । ପରେ ଏହା ବିଷ୍ଣୁଙ୍କ ମାୟା ବୋଲି ବିଚାରି ଅର୍ଜୁନ ନବଗୁଞ୍ଜରକୁ ପ୍ରଣାମ କରନ୍ତି ।
ଅନେକ ଟୀକାକାର ଏହି ପ୍ରକରଣକୁ କୃଷ୍ଣଙ୍କ “ଦ୍ଵିତୀୟ ବିଶ୍ଵରୂପ ଦର୍ଶନ” ବୋଲି ମଧ୍ୟ ବର୍ଣ୍ଣନା କରିଛନ୍ତି ! ଭଗବଦଗୀତାର ଏକାଦଶ ଅଧ୍ୟାୟରେ ବର୍ଣ୍ଣିତ ପ୍ରସିଦ୍ଧ “ବିଶ୍ଵରୂପ ଦର୍ଶନ”, ଅବଶ୍ୟ ପରବର୍ତ୍ତୀ ସମୟରେ ମହାଭାରତ ଯୁଦ୍ଧ ସମୟରେ ହିଁ ଘଟିଥିଲା !
ଏହିପରି ନ’ଅ ଟି ପ୍ରାଣୀର ମିଶ୍ରିତ ରୂପର ଉଲ୍ଲେଖ ଆଉ କୌଣସି ଭାରତୀୟ କିମ୍ବା ଅନ୍ୟ କେଉଁ ଦେଶର ଶାସ୍ତ୍ର,ପୁରାଣ ବା’ ପ୍ରାଚୀନ ଗ୍ରନ୍ଥରେ ଦେଖାଯାଏ ନାହିଁ ! ନବଗୁଞ୍ଜରର ଚିତ୍ରଣ ଓଡ଼ିଶାର ପଟ୍ଟଚିତ୍ରରେ, ମନ୍ଦିର ଭାସ୍କର୍ଯ୍ୟରେ, ଲୋକ ଚିତ୍ରକଳାରେ, ହସ୍ତତନ୍ତ ଶାଢ଼ୀରେ ଏବଂ ଅନ୍ୟ ସାମଗ୍ରୀରେ ତଥା ମଞ୍ଚାଭିନୟ ଉପାଖ୍ୟାନ ଆଦିରେ ମଧ୍ୟ ଦେଖିବାକୁ ମିଳେ !
~ ଓଡିଆ ସଂସ୍କୃତି ଓ ନବଗୁଞ୍ଜର ~
ପୁରୀ ଶ୍ରୀମନ୍ଦିରର ପୃଷ୍ଠଭାଗରେ ନବଗୁଞ୍ଜର ଉପାଖ୍ୟାନ ଖୋଦିତ ହୋଇ ରହିଛି ! ଭାରତର ଅନ୍ୟ କେତେକ ପ୍ରଦେଶରେ ମନ୍ଦିର ଶିଳ୍ପକଳା ରେ କେବଳ ଦୁଇ କିମ୍ବା ତିନୋଟି ଯୁଗ୍ମ ପ୍ରାଣୀଥିବା ଚିତ୍ର ଅଛି ! ନ’ଅଟି ପ୍ରାଣୀର ଯୁଗ୍ମମୂର୍ତ୍ତି “ନବଗୁଞ୍ଜର”, କେବଳ ଓଡ଼ିଶାର ଏବଂ ଏଯାବତ ଓଡ଼ିଆ ଜୀବନ୍ତ ସଂସ୍କୃତିର ନିଜସ୍ୱ !
ଗ୍ରୀସ ଦେଶର ପ୍ରାଚୀନ ଚିତ୍ରକଳା ଏବଂ ଲୋକକଥାରେ କେବଳ ଦୁଇଟି ପ୍ରାଣୀର ବିଚିତ୍ର ଯୁଗ୍ମମୂର୍ତ୍ତି “କିମେରା”ର ବର୍ଣ୍ଣନା ରହିଛି ! ଅନ୍ୟ କେତେକ ଦେଶରେ ମଧ୍ୟ ଦୁଇଟି ଅଥବା ତିନୋଟି ପ୍ରାଣୀର ଯୁଗ୍ମଚିତ୍ର ରହିଛି ! କିନ୍ତୁ ପୃଥିବୀର ଆଉ କୌଣସି ଦେଶରେ ଏଭଳି ନ’ଅଟି ପ୍ରାଣୀର ବିଚିତ୍ର ଯୁଗ୍ମମୂର୍ତ୍ତି ଦେଖା ଯାଇ ନାହିଁ !
ଏହା ବ୍ୟତୀତ ଦକ୍ଷିଣ ଏବଂ ଉପକୂଳ ଓଡ଼ିଶାରେ ଅତୀତରେ ଲୋକପ୍ରିୟ ଗଞ୍ଜପା ଖେଳରେ ମଧ୍ୟ ନବଗୁଞ୍ଜର ଚିତ୍ର ଥିବା ଗୋଲାକାର ତାସପତାର ପ୍ରଚଳନ ଥିଲା ! ଏବେ ସେଇଭଳି ହାତତିଆରି ଗଞ୍ଜପା ସେଟ ଏକ ପର୍ଯ୍ୟଟନୀ ଆକର୍ଷଣ ରୂପେ ଗଣାଯାଉଛି !
~ ସାରଳା ମହାଭାରତ ~
ଓଡ଼ିଆ ମାଟିର ମହାକବି ତଥା ଉତ୍କଳ-ବ୍ଯାସ ସାରଳା ଦାସଙ୍କ ବିରଚିତ ‘ସାରଳା ମହାଭାରତ’ର ମଧ୍ୟ ପର୍ବରେ ଏହି ନବଗୁଞ୍ଜର ରୂପର ସୁନ୍ଦର ବର୍ଣ୍ଣନା ସମାବେଶିତ । ଏହି ମଧ୍ୟ ପର୍ବର ବର୍ଣ୍ଣନା ଅନୁସାରେ ଅଗ୍ନିଦେବତା ଲୁଦୁବୁଦୁ ବ୍ୟାଧିରେ ପୀଡିତ ହେତୁ ସେଥିରୁ ମୁକ୍ତି ପାଇବା ପାଇଁ ଖାଣ୍ଡବ ବନ ଦହନ ଆବଶ୍ୟକ ଏବଂ ସେଥିପାଇଁ ଅର୍ଜୁନଙ୍କୁ ସେ ଛଦ୍ମ ମଧୁପିଙ୍ଗଳ ବ୍ରାହ୍ମଣ ବେଶରେ ଆସି ଭେଟିଲେ –
“ମଧୁ ପିଙ୍ଗଳ ବ୍ରାହ୍ମଣ ୟେ ଅଟଇ ମହାତେଜ।
ଶାପ ଦିଲେ ବଂଶ ଯାଅ ହୋଇବ ଦହିଜ୍ୟ ।”
ସେତେବେଳେ ପଞ୍ଚପାଣ୍ଡବକୁ ଗୋଟିଏ ଭାର୍ଯ୍ୟା ଦ୍ରୌପଦୀ, ଯାହାକି ଚଳିବେ କିପରି ବୋଲି ପାଞ୍ଚି ସେମାନେ ସ୍ଥିର କରିଥିଲେ ଯେ ଦ୍ରୌପଦୀଙ୍କ ସହ ଜଣେ ହିଁ ଗୋଟିଏ ସମୟରେ ରହିବ ଆଉ ଅନ୍ୟ କେହି ଯାଇପାରିବେ ନାହିଁ। ଆଉ ଯିଏ ଅମାନ୍ୟ କରିବ, ବାରବର୍ଷ ବନବାସରେ ଯିବ । ଆଉ ଏହି ଯୋଗରେ ଅଗ୍ନି ମଧୁପିଙ୍ଗଳ ବ୍ରାହ୍ମଣ ବେଶରେ ଅର୍ଜୁନଙ୍କୁ କହିଲେ, ଯୁଧିଷ୍ଠିରଙ୍କୁ ଡାକିବା ପାଇଁ –
“ବଶ୍ୟାନର ଅଗ୍ନି ଯେ ବ୍ରାହ୍ମଣ ରୂପ ହୋଇ
ଅର୍ଜୁନର ସନ୍ନିଧ୍ୟେ ବିଜୟେ କଲେ ଯାଇଂ।
ବେଦ ଧୁନି କରି ବୋଇଲେ କିରୀଟିକି
ତୁ ମୋହୋର ଛାମୁକୂ ହକାରି ଆଣ ଯୁଝେଷ୍ଠିଙ୍କି।
ୟେହି କ୍ଷଣି ଧାତିକାରେ ଯିବୁ ହୋ ଅରଜୁନ।
ଛଡ ନିଶ୍ଵାସ ମଧ୍ୟେ ରାଇ ଆଣିବୁ ମୋହୋର ସନ୍ନିଧାନ।
କ୍ଷଣକର ମଧ୍ୟେ ଯୁଝେଷ୍ଠିଙ୍କି ଆଣିବୁ ମୋର କତି,
ନୋହିଲେ ଭସ୍ମ ମୁଂ କରିବି ସବୁନ୍ତି ।”
ଅର୍ଜୁନଙ୍କୁ ସେ କହିଲେ ଯେ ଆଦେଶ ନ ମାନି ଯଦି ସେ ଯୁଧିଷ୍ଠିରଙ୍କୁ ଘେନି ନ ଆଣନ୍ତି, ତେବେ ସମସ୍ତଙ୍କୁ କ୍ରୋଧାଗ୍ନିରେ ଧ୍ଵଂସ କରିଦେବେ । ଏଣୁ ସେ ଭାବିଲେ ବଂଶସର୍ବସ୍ଵ ଧ୍ଵଂସ ହେବା ଅପେକ୍ଷା ସିଏ ବାରବର୍ଷ ବନବାସ ବରଣ କରିବେ। ଆଉ ସେହି ସମୟରେ ଯୁଧିଷ୍ଠିର ଓ ଦ୍ରୌପଦୀ କକ୍ଷସ୍ଥ ଥିଲା ବେଳେ ଅଗ୍ନିଦେବ ଶ୍ଵାନକର୍ତ୍ତୃକ ପଦତ୍ରାଣ ଅନ୍ତର୍ଦ୍ଧାନ କରେଇବାରୁ ଅର୍ଜୁନ ଅଜ୍ଞାତସାରେ ଯୁଧିଷ୍ଠିର ଓ ଦ୍ରୌପଦୀଙ୍କ କକ୍ଷ ସଦନୀଭୂତ ଆୟୁଧାଗାରରେ ପ୍ରବେଶ କରନ୍ତି।
ସୁତରାଂ, ନିୟମାନୁସାରେ ଦ୍ଵାଦଶ ବର୍ଷ ବନବାସ ସ୍ଵୀକାର କରନ୍ତି । ରସଭଗ୍ନାନ୍ତେ ଯୁଧିଷ୍ଠିର ବିବ୍ରତମନା ହୋଇ ତାଙ୍କୁ ବୋଲନ୍ତି ଯେ ଶୃଙ୍ଗାରଭଗ୍ନ ଦୋଷ ଯୋଗୁଁ ଲିଙ୍ଗଗତ ଦୋଷ ଲାଗେ, ଫଳତଃ ସେତେବେଳେ ଯୁଧିଷ୍ଠିର ବଡ଼ ବିବ୍ରତ ହୋଇ ଅନୁଜଙ୍କ ବନବାସ ଯିବା ସମ୍ପର୍କରେ ପାଞ୍ଚିବାକୁ ଲାଗିଲେ। ସର୍ବଦର୍ଶୀ ସହଦେବ ଜଣାନ୍ତି ଯେ ଏହା ଅଗ୍ନିଦେବଙ୍କ କୃତ୍ୟ –
“କରସ୍ଥଳକୁ ଚାହିଂ କହଇ ମହାମନ୍ତ୍ରୀ
ଅଗ୍ନି ଦେବତା ଅଇଲେ ଧରିଣ ଗୋପ୍ୟାନ ମୂରତି।
ବଶ୍ୟାନର ଦେବତାକଇ ହୋଇଲା ଲୁଦୁବୁଦୁ ବ୍ୟାଧି
ଅର୍ଜୁନ ବନ ଗଲେ ସେ ପାଇବ ମଉଷଧି । “
“ଅଗ୍ନିଦେବ ବିଗତ ତିନିଯୁଗ ଧରି ଆଶାୟୀ ଅଛନ୍ତି ଯେ ଅର୍ଜୁନଙ୍କ ବନବାସ ସଙ୍ଗେ ଖାଣ୍ଡବ ବନ ଦହନ ହେବ ଏବଂ ଅଗ୍ନି ଏହି ଲୁଦୁବୁଦୁ ବ୍ୟାଧିରୁ ମୁକ୍ତିଲାଭ କରିବେ।” ଏଣୁ ଅଗ୍ନିଦେବଙ୍କ ମୁକ୍ତି ପାଇଁ ଅର୍ଜୁନଙ୍କ ବନବାସ ଗସ୍ତ ହେଲା । କିରାତ ପରି ସେ ବନମଧ୍ୟରେ ରହିଲେ । ଗୁଞ୍ଜରା ମାଳ କଣ୍ଠଦେଶେ ଧରି, ଗୋପୀଚନ୍ଦନ ଚିତା ସର୍ବାଙ୍ଗରେ ବୋଳି ହୋଇ ସେ ଧନୁଶର ଧରି ବନରେ ରହିଲେ ।
ତହିଁ ଉତ୍ତାରୁ ବନବାସ ସମୟରେ ତପସ୍ଵୀ ଏବଂ ତପସ୍ବିନୀ ବେଶଧାରୀ ଶିବପାର୍ବତୀଙ୍କ ସହ ସାକ୍ଷାତ କରିଲା ପରେ ନିଜ ପରାକ୍ରମ ଦ୍ଵାରା ସେମାନଙ୍କୁ ସନ୍ତୁଷ୍ଟ କରି ତଦୀୟ ପାଶୁପତାସ୍ତ୍ର ଏବଂ ପରାକ୍ରମ-ପରିତୁଷ୍ଟା ଭବାନୀଙ୍କ ଦ୍ଵାରା ଅକ୍ଷୟ ତୂଣୀର ପ୍ରାପ୍ତ ହୁଅନ୍ତି । ପାଶୁପତ ଅସ୍ତ୍ର ତ୍ରିପୁର ଦହନ କାରୀ ଏକ ଶକ୍ତିଶାଳୀ ଅଭେଦ୍ୟ ଦିବ୍ୟାସ୍ତ୍ର ଏବଂ ଅକ୍ଷୟ ତୂଣୀର ହେଉଛି ସତ୍ୟ ଯୁଗରେ ଦୁର୍ଗାବତାରିଣୀ ଭବାନୀ ପଞ୍ଚସହସ୍ର ତୀର ଚଳାଇଥିବା ଅକ୍ଷୟ ତୂଣୀରରୁ ତୀର ସରିନଥାଏ।
ଏହା ପରେ ଦ୍ଵାରକାଧୀଶ ଶ୍ରୀକୃଷ୍ଣଙ୍କ ନିକଟେ ଅର୍ଜୁନ ବନବାସର ସମ୍ବାଦ ପହଞ୍ଚି ସାରିଥାଏ। ସାରଳାଦାସ ଏଥି ମାଧ୍ୟମରେ ଏହାର ସମୁଚିତ ତିଥିଦର୍ଶନ ମଧ୍ୟ କରାଇଛନ୍ତି :-
“ଶୁଣ ହୋ ବଇବସୁତ ମନୁ ବଦୟନ୍ତି ଅଗସ୍ତି
ଚଇତ୍ର ମାସ କୃଷ୍ଣ ପକ୍ଷ ଯେ ତ୍ରୟୋଦଶୀ ତିଥି ।
ଶତଭିଷା ନକ୍ଷତ୍ର ସେ ଦିନରେ କୁମ୍ଭରେ ଅଛି ଶଶୀ
ଗରୁଡ ଚଢି ହସ୍ତିନାକୁ ବିଜୟେ ହୃଷିକେଶୀ ।”
[ଚୈତ୍ର ମାସ କୃଷ୍ଣପକ୍ଷ ତିଥିର ଏଠାରେ ଉଦ୍ଧୃତି ନେବାର କାରଣ, ଏହିକି ଯେ ଏହି ତିଥି ହେଉଛି ମହା ବାରୁଣୀ ଯୋଗ। ଓଡିଶାର ବୈତରଣୀ ନଦୀତଟେ ପ୍ରତିବର୍ଷ ବାରୁଣୀ ସ୍ନାନ ହେଉଥିଲା ବେଳେ, ଶତଭିଷା ନକ୍ଷତ୍ର ଯୋଗ ଓ କୁମ୍ଭରାଶି ମଧ୍ୟେ ଚନ୍ଦ୍ରଙ୍କ ଅବସ୍ଥାନ – ଏହି ତିଥିରେ ମହାବାରୁଣୀ ଯୋଗ ଅନୁଷ୍ଠିତ ହୋଇଥାଏ ।]
ଆଉ ସେତେବେଳେ ଅର୍ଜୁନ ହର ଉଦ୍ୟାନରୁ ହରପାର୍ବତୀଙ୍କ ଠାରୁ ଦିବ୍ୟାସ୍ତ୍ର ଲାଭ ଅନ୍ତେ ନିର୍ଭୟରେ ବନପ୍ରଦେଶ ମଧ୍ୟରେ ଘୂରି ବୁଲୁଛନ୍ତି । ଆଉ ସେତେବେଳେ ସର୍ବଦର୍ଶୀ ସହଦେବ ତାଙ୍କୁ ଏହି ବନବାସ ଯିବାର ସମସ୍ତ କାରଣ ଦର୍ଶାଇଲେ । ଆଉ ଏହା ପରେ କାଶୀନଦୀର ପଶ୍ଚିମ ତଟରୁ ଅନତିଦୂରରେ ଥିବା ମଣିଭଦ୍ରା ପର୍ବତର ମର୍କତଶିଳା ପରେ ଅର୍ଜୁନ ଅବସ୍ଥାନ କରିଛନ୍ତି ।
ଅଗ୍ନିଦେବଙ୍କ ଏପରି କପଟର ଅଭିପ୍ରାୟ ପଚାରିବାରୁ ବାସୁଦେବଙ୍କୁ ସହଦେବ କହିଲେ – “ଶ୍ଵେତରାଜାଙ୍କ ଯଜ୍ଞକାଳରେ ଶତବର୍ଷୀୟ ହୋମାଗ୍ନି ଦେଇ ବହୁ ସହସ୍ର ମହଣ ଘୃତାହୁତି ହେଲା । ହେଲେ ଲୋଭ-ବଶୀଭୂତ ବୈଶ୍ଵାନର ସମସ୍ତ ଘିଅ ଖାଇଗଲେ, ଯାହା ଫଳରେ ସେ ଲୁଦୁବୁଦୁ ବ୍ୟାଧିରେ ପୀଡିତ ହୋଇଲେ
‘ଲୋଭେ ବଶ୍ୟାନର ଖାଇଲେ ଅନେକ ଘୃତ,
ଲୁଦୁବୁଦୁ ବ୍ୟାଧି ହୋଇଲା ପଦ୍ମଲୋହିତ ନେତ୍ର। ।
ହେଲେ ଏହି ବ୍ୟାଧିରୁ ମୁକ୍ତି ପାଇଁ ଖାଣ୍ଡବ ବନରେ ଏକ ମହୌଷଧି ଇନ୍ଦ୍ରଙ୍କୁ ଯାଚନା କରିବାରୁ ସେ ନାସ୍ତି କରିଥିଲେ । ଏଣୁ ଅର୍ଜୁନ ବନବାସ ସମୟରେ ବ୍ରାହ୍ମଣ ବେଶରେ ଦାନସ୍ଵରୂପ ଅଗ୍ନିଦେବ ଖାଣ୍ଡବ ବନରୁ ମହୌଷଧି ମାଗିବେ, ଯାହା ଫଳରେ ବ୍ୟାଧି ମୁକ୍ତ ହେବେ ସେ । ଏହା ପରେ ମଣିଭଦ୍ରା ପର୍ବତ ପ୍ରତି ଗସ୍ତ କରିଲେ ଚକ୍ରଧର ।
ଏହା ପରେ ପକ୍ଷୀବର ଗରୁଡଙ୍କୁ ଦୂରରେ ରଖାଇ ଏକ ବିଚିତ୍ର ବେଶ ଧାରଣ କରନ୍ତି ବାସୁଦେବ । ଚୂଳ ଓ ଶିର କୁକୁଡ଼ାର, ବେକ ମୟୂରର, ଗୋଟିଏ ଭୁଜ ମନୁଷ୍ୟର, ଗୋଟିଏ ପାଦ ହାତୀର, ଗୋଟିଏ ପାଦ ବାଘର, ଗୋଟିଏ ପାଦ ଘୋଡ଼ାର, ପିଠି ବୃଷଭର, କଟି ସିଂହର ଓ ଲାଞ୍ଜ ସାପର ! ଗୋଟିଏ ଶରୀରରେ ନବମୂର୍ତ୍ତିର ଅଭୂତପୂର୍ବ ସମାହାର !
ନବଗୁଞ୍ଜର ବେଶ ! ଦିବ୍ୟ ମୋହନ ମୂର୍ତ୍ତି କୃଷ୍ଣ ନବପ୍ରାଣୀ ବେଶରେ ଗୋଟିଏ କରେ ପଦ୍ମପୁଷ୍ପ ତୋଳି ପ୍ରାଣୀ ମାନଙ୍କ ପରି କୁର୍ଦନ କରି କରି ଅର୍ଜୁନଙ୍କ ମନକୁ ଆକର୍ଷିତ କରିବା ପାଇଁ ଚେଷ୍ଟିତ ଥିଲା ବେଳେ ଅର୍ଜୁନ ପୂର୍ବବତ୍ ଏକାଗ୍ର ଚିତ୍ତରେ ନିଜ ଶରସମଷ୍ଟିକୁ ଶାଣ ଦେଉଥାନ୍ତି । ଏପରି ଏକ ସୁନ୍ଦର ମୂର୍ତ୍ତିକୁ ପଛରେ ଦେଖି ଅର୍ଜୁନ କହୁଛନ୍ତି, “କାମ୍ୟକ, ମନ୍ଦର, ମହେନ୍ଦ୍ର, ହର ଉଦ୍ୟାନ, ଶଙ୍ଖବନ, ବିନ୍ଧ୍ୟ, ଶ୍ଵେତ ଆଦି ଗିରି ଭ୍ରମଣ କରିଛି, ହେଲେ ଏହିପରି ବିଚିତ୍ର ଜୀବର ସ୍ଵରୂପ କେଉଁଠି କେବେ ଦେଖିନଥିଲି । ମାୟାମୂର୍ତ୍ତି ମୋ ନିକଟରେ ଯେପରି କେହି ମୋ ଚକ୍ଷୁ ଗୋଚର ହେଇଅଛି ଆଜି ।”
ଏହି ମାୟାରୂପ ଅସାଧାରଣ ଜୀବକୁ ଭଗବାନ୍ କୃଷ୍ଣଙ୍କ ସ୍ଵରୂପ ମନେ କରି ସ୍ତୁତି ଆରମ୍ଭ କରିଲେ ଅର୍ଜୁନ –
“ପାଦ ତଳେ ପଡି ତୁସ୍ତି କରଇ ବୀର।
ଜୟ ତୁ ଅନାଦି ଯେ ଅବ୍ୟୟ ନିରାକାର ।।
ତୁ ଦେବ ଦିବ୍ୟ ମୂରତି ରୂପ ଧରି ପାରୁ।
ଅନାଦି ଅବତାର ତୁ ବାଞ୍ଛା କଳ୍ପତରୁ ।।
ତୋହୋର ଆଗ୍ୟାଂରେ ଚତୁର୍ଦ୍ଦଶ ପୁର ।
ବ୍ରହ୍ମା ରୁଦ୍ର ଇନ୍ଦ୍ର ତୋହୋର ପରିଚାର ।।
ସଚରାଚର ଜନେ ସର୍ବେ ତୋର ଭୃତ୍ୟ।
ଜୀବ ଅଜୀବରେ ପୂରି ତୁ ସମ୍ଭୂତ ।।
ତୋହୋର ବିହୁନେ ୟେ ସଚରାଚର ନାସ୍ତି ।
ଅନାହତ ପୁରୁଷ ତୁ ଅଣାକାର ଜ୍ୟୋତି ।।
ଯାହାର ମାୟାରେଟି ଭୁଲିଲେ ତ୍ରିଲୋଚନ ।
ମୋ ଛାର ମାନବ ମୋତେ କିଂକେ ତୋ କଷଣ ।।”
ଅପୂର୍ବ ଥିଲା ସେ ରୂପ ! ସ୍ଵୟଂ ତ୍ରିଲୋଚନ ତ୍ରିପୁରାରୀ ଶିବ ଯାହାଙ୍କ ମାୟାରୁ ବହିର୍ଭୂତ ନଥିଲେ, ଅର୍ଜୁନ ଅବା କିପରି ବିମୋହିତ ହୋଇ ନଥାନ୍ତେ ? ଅର୍ଜୁନଙ୍କର ସ୍ତୁତିରେ ପ୍ରସନ୍ନଲପନ ନବଘନରୂପ ଶ୍ରୀକୃଷ୍ଣ ନିଜର ରୂପରେ ପ୍ରକଟିତ ହୋଇଛନ୍ତି । ବନ୍ଧୁବତ୍ ସର୍ବଦା ଆଦର କରିଲା ପରି ତାଙ୍କର କୁଶଳ ଜିଜ୍ଞାସା କରି ଶ୍ରୀକୃଷ୍ଣ ତାଙ୍କୁ ହସ୍ତିନା ଯିବା ପାଇଁ କହିଲେ। ହେଲେ ସମସ୍ତ ଘଟଣାକ୍ରମର କାରଣ ବିଶଦ ବ୍ୟାଖ୍ୟା ଅର୍ଜୁନ ଜଣେଇଲା ପରେ କହିଲେ ଯେ ସେ ସର୍ତ୍ତ ଲଙ୍ଘିପାରିବେନି।
ଆଉ ସାତ ବର୍ଷ ପାଞ୍ଚ ମାସ ସତର ଦିନ ହେଲେ ହିଁ ବାରବର୍ଷ ବନବାସର ପୂର୍ତ୍ତି ଘଟିବ । ଅର୍ଜୁନଙ୍କର ବାହୁଡା ନ ଶୁଣି ଖେଦଚିତ୍ତ କୃଷ୍ଣ ବରଂ ସତ୍ୟନିଷ୍ଠ ଅର୍ଜୁନଙ୍କ ପ୍ରତି ଥିଲେ ଖୁବ୍ ଆନନ୍ଦିତ । ଶ୍ରୀକୃଷ୍ଣ କହିଲେ, “ଆଜି ପବିତ୍ର ମହାବାରୁଣୀ ଯୋଗ ଅନୁଷ୍ଠିତ ହେବ । ହସ୍ତିନାରେ ଚଳିଥିଲେ ତୁମ୍ଭଙ୍କୁ ଗଙ୍ଗାସ୍ନାନ କରେଇ ପାରିଥାଆନ୍ତି। ” ଅର୍ଜୁନ କହିଲେ ଯେ ସେ ନିଜେ ଗଙ୍ଗାଙ୍କୁ ଏଇଠି ଆଣିବେ । ପ୍ରଶଂସି ତାଙ୍କୁ କୃଷ୍ଣ କହିଲେ – “ତପସ୍ଯା ବଳେ ଆଣିଲେ ଭଗୀରଥ ରାୟେ/ ତୁମ୍ଭେ ଅବା ଆଣି ପାରିବ ହେ ଧନୁର୍ଜୟେ ।।”
ସୁରତରଙ୍ଗ ନାମକ ଏକ ଶର ବରଦାନ ସ୍ଵରୂପ ପାଇଥିଲେ ଅର୍ଜୁନ । ଆଉ ସେ ଏହି ଶର ବିନ୍ଧିବା ବଳରେ ସେହି ମଣିଭଦ୍ରା ପର୍ବତ ନିକଟରେ ଶ୍ଵେତକଳ୍ପ ନାମକ ବୃକ୍ଷ କ୍ରୋଟ ଭିତରୁ ଉତ୍ପତିତ ହୋଇଲେ ଧବଳାଙ୍ଗୀ ପୁଣ୍ୟତୋୟା ଗଙ୍ଗା । ଆଉ ତହିଁ ଉତ୍ତାରୁ ଗଙ୍ଗାଙ୍କର ଏହି ରୂପକୁ ବୀରତୁରଙ୍ଗ ନାମ ଦିଅନ୍ତି ଶ୍ରୀକୃଷ୍ଣ । ଏଠାରେ ହିଁ ଶ୍ରୀକୃଷ୍ଣ ମହାବାରୁଣୀ ସ୍ନାନର ମହିମା ବ୍ୟାଖ୍ୟା କରିଥିଲେ ସବ୍ୟସାଚୀଙ୍କୁ । ଆଉ ଏହି ପବିତ୍ର ବାରୁଣୀ ସ୍ନାନର ଅନ୍ୟତମ ପବିତ୍ର ପୀଠ ହେଉଛି ଯାଜପୁର ନିକଟବର୍ତ୍ତୀ ବୈତରଣୀର ଦଶାଶ୍ଵମେଧ ଘାଟ ।
ଓଡିଆ ସଂସ୍କୃତିର ଛୁରିଅନା କୁଞ୍ଜତଳେ ଯେଉଁ ଆଘ୍ରାଣ ବଣମଲ୍ଲୀଠାରୁ ମଧ୍ୟ ଆହୁରି ସୁରଭିପ୍ରଦ ଆଉ ଚିର ଅମଳିନ ହୋଇ ମହାଭାରତୀୟ ଗ୍ରନ୍ଥରେ ଉତ୍କଳୀୟତାର ଏକ ଯଥାର୍ଥ ରୂପ ଓ ରସ ପ୍ରଦାନ କରିବାରେ ସାରଳା ମହାଭାରତର ପରିପାଟୀ ସୁଦୂରପ୍ରସାରୀ । ନବଗୁଞ୍ଜର ରୂପ, ମହାବାରୁଣୀ ସ୍ନାନ ପରି ଉତ୍କଳୀୟ ସଂସ୍କୃତିର ଅଖଣ୍ଡ ସ୍ଵାତନ୍ତ୍ର୍ୟ ଓ ସଂସ୍କୃତିକୁ ଅତୀବ ନିଚ୍ଛକ ପ୍ରବାହ ଦେବାରେ କ୍ଵଚିତ୍ ଏହିପରି ସର୍ବଗ୍ରାହ୍ୟ ସଂରଚନା ଦ୍ରଷ୍ଟବ୍ୟ ।
ଉପସ୍ଥାପନା: ଅମୃତେଶ ଖଟୁଆ
Radha Mohan Gadanayak
Nabagunjara Murati Sie
Spread the love
admin

Recent Posts

ଓଡ଼ିଆ ଦେଶାତ୍ମବୋଧକ ସାହିତ୍ୟର ଇତିହାସ

ଓଡ଼ିଆ ଦେଶାତ୍ମବୋଧକ ସାହିତ୍ୟର ଇତିହାସ ଉପସ୍ଥାପନା: ଶାନ୍ତନୁ କୁମାର ସାହୁ ଓଡ଼ିଆ ଦେଶାତ୍ମବୋଧକ ସାହିତ୍ୟ କେବଳ ଦେଶପ୍ରେମର କବିତାଗୁଛ କିମ୍ବା…

31 minutes ago

ସୀତାବିଞ୍ଜ

ସୀତାବିଞ୍ଜ ଉପସ୍ଥାପନା: ଘନଶ୍ୟାମ ପଲେଇ କେନ୍ଦୁଝର ଜିଲ୍ଲାର ଘନ ଅରଣ୍ୟର ବକ୍ଷରେ ଅବସ୍ଥିତ #ସୀତାବିଞ୍ଜ ଓଡ଼ିଶାର ଅନ୍ୟତମ ପ୍ରାଚୀନ ପ୍ରତ୍ନତାତ୍ତ୍ୱିକ କ୍ଷେତ୍ର।…

2 hours ago

ନବକୃଷ୍ଣ ଚୌଧୁରୀ

ଲୋକସେବକ ନବକୃଷ୍ଣ ଚୌଧୁରୀ  ଉପସ୍ଥାପନା: ବିଜୟ ସାହୁ 1956 ମସିହା । ସେଦିନ ସନ୍ଧ୍ୟାରେ ନବକୃଷ୍ଣ ଚୌଧୁରୀ ରେଭେନ୍ସାର ପୂର୍ବ…

2 hours ago

ବଙ୍କାଡ଼ଗଡ଼(ବାଣପୁର)ର ଆରାଧ୍ୟଦେବତା ଶ୍ରୀ ଶ୍ରୀ ରଙ୍କନାଥ ଦେବ

ବଙ୍କାଡ଼ଗଡ଼(ବାଣପୁର)ର ଆରାଧ୍ୟଦେବତା ଶ୍ରୀ ଶ୍ରୀ ରଙ୍କନାଥ ଦେବ ଉପସ୍ଥାପନା: ଶ୍ରୀ ପ୍ରଶାନ୍ତ କୁମାର ଦାସ ଲୋକକଥା ଏବଂ କିମ୍ବଦନ୍ତୀ ଅନୁସାରେ…

7 days ago

Ananta Purushottam Deba Mandira

Ananta Purushottam Deba Mandira Ashoka Nayak It's just 4 kilometres from Khorda towards Nayagarh. My…

2 weeks ago

ଅରଣା ମଇଁଷି ରହିଛି ଅନାଇ

'ଅରଣା ମଇଁଷି ରହିଛି ଅନାଇ, ମଇଁଷିର ପାଖେ ନଯାଅ ଦନାଇ' ପଦର ଲୌକିକ ଓ ତାତ୍ତ୍ଵିକ ଵ୍ୟାଖ୍ୟା ଗବେଷଣା ଓ…

2 weeks ago