ଲେଖା: ନିରଞ୍ଜନ ସାହୁ
~ ବିଶ୍ଵପ୍ରସିଦ୍ଧ ମହିମା ଗାଦି ଓ ଯୋରନ୍ଦା ମେଳା ~
ମଳୟ ଶିଖରୀ ଶିରୀ ଚୋରି କରି
ବସିଲାଣି ମନ୍ଦ ସମୀର
ସୁମନାକୁ ବାସ ଚୋରାଇ ନେବଟି
ବୋଲି କହିଲାଣି ଭ୍ରମର ।
କେଶର କେଶରେ ହେଲାଣି ମଞ୍ଜୁଳ
କେଶରେ ମଣ୍ଡନ କରିବା ଭଳିରେ
ଫୁଟିଲାଣି କେତେ ବଞ୍ଜୁଳ ।
(ଲାବଣ୍ୟବତୀ/କବିସମ୍ରାଟ/ବସନ୍ତ ବର୍ଣ୍ଣନା)
ଧୀରଗାମି ମଳୟ ସମୀର ଏବେ ପ୍ରବାହିତ । ଭ୍ରମର ସମୂହ ଗୁଂଜନ କରୁଥିବା, କୋକିଳ କୁହୁସ୍ଵନ କରୁଥିବା ସମୟ ଏବେ ଉପଗତ । ବକୁଳ ବୃକ୍ଷର ପୁଷ୍ପରେ ଭ୍ରମର ସମୂହ ଆକୁଳ ଭାବରେ ଗୁଞ୍ଜନ ସୃଷ୍ଟି କରୁଅଛନ୍ତି । ଅଶୋକ ଫୁଲର ସମ୍ଭାର । ନବ ପଳାଶ ପଲାସବନରେ ପ୍ରସ୍ଫୁଟିତ । ବାସଂଗ, ମାଧବୀ, କଂଚନ, ବଉଳ, କୁରୁବକ, ନାଗେଶ୍ଵର ପୁଷ୍ପ ସମୂହ ନୟନାନନ୍ଦ ସଂପାଦନ କଲେଣି । ବାତାପି ଫୁଲ ଅପୂର୍ବ ସୌରଭ ବିତରଣରେ ସମୟର ଅଭାବ ଉପଲବ୍ଧି କରୁଛି । ପଂକଜିନୀ ଋତୁନାୟକର ଲଳିତ କାନ୍ତି ଅବଲୋକନ ନିମିତ୍ତ ମଳୟାନୀଳର ମନ୍ଦ ମନ୍ଦ ହିଲ୍ଲୋଳରେ କଂପିତ । ନଭୋମଣ୍ଡଳ ଏବଂ ଭୂମଣ୍ଡଳ ଚିତ୍ରିତ ଅପୂର୍ବ ଚିତ୍ରରେ । ବୃକ୍ଷରାଜି ନବପଲ୍ଲବରେ ପଲ୍ଲବିତ । ଆମ୍ରକୁଂଜର ବକୁଳ ଦୋଳା ମଧ୍ୟରୁ ଭାସି ଆସୁଛି ହଳଦୀ ବସନ୍ତ ଓ କୋକିଳର କୁହୁତାନ । ମନରେ ସୃଷ୍ଟି ହେଉଛି ନବ ଉନ୍ମାଦନା, ଯୁବକତ୍ଵ ! ସମସ୍ତଙ୍କ ମନରେ, ଦେହରେ ଜାଗରିତ, ସଂଚାରିତ ଅପୂର୍ବ ମାଦକତା ! ଏ ଯେ ବସନ୍ତଙ୍କ ଆଗମନ !
ବସନ୍ତ ! ଜୟୋସ୍ତୁ ବସନ୍ତ !
ନବପଲାଶ ପଳାଶବନଂ ପୁରଃ
ସ୍ଫୁଟ ପରାଗ ପରାଗତ ପଙ୍କଜଂ ।
ମୃଦୁ ଲତାନ୍ତ ଲତାନ୍ତମ୍ ଲୋକୟତ
ସସୁରଭିଂ ସୁରଭିଂ ସୁମନୋହରୈଃ ।
ଅନ୍ୟପକ୍ଷରେ ବସନ୍ତ କାଳ ଛାତ୍ର, ଯୁବକ, ଯୁବତୀ, ବୟସ୍କଙ୍କ ମଧ୍ୟରେ ସୃଷ୍ଟି କରିଥାଏ ଅପୂର୍ବ ଶିହରଣ । ତେଣୁ ଲକ୍ଷ୍ୟ କଲେ ଦେଖାଯାଏ, ଏହାହିଁ ପ୍ରକୃଷ୍ଟ ସମୟ ଭ୍ରମଣ, ଆସର, ମିଳନ, ସାହିତ୍ୟ ଚର୍ଚ୍ଚା ଇତ୍ୟାଦି ପାଇଁ । ମନର ପ୍ରଫୁଲ୍ଲତା ବୃଦ୍ଧି ହୁଏ ପ୍ରକୃତି ସହ ଏକାକାର ହୋଇ ଆନନ୍ଦୋପଲବ୍ଧରେ ନିଜକୁ ହଜେଇ ଦେବା ପାଇଁ । ସେଥିପାଇଁ ବୋଧହୁଏ ଧରାବତରଣ କରିଥିଲେ ମା’ ବାଗଦେବୀ ଏଇ ବସନ୍ତ କାଳରେ ! ଆଉ ରସିକରାଜ, ପ୍ରେମମୟ ଶ୍ରୀକୃଷ୍ଣ ରଚିଥିଲେ ସ୍ଵର୍ଗୀୟ କ୍ରୀଡ଼ା ଗୋପାଙ୍ଗନା ଓ ଆହ୍ଳାଦିନୀକାରିଣୀ ଶକ୍ତି ମା’ ଶ୍ରୀରାଧାଙ୍କ ସହ ! ଏବେ କାନ୍ତ କୋମଳ ପରିବେଶ ମଧ୍ୟରେ ଚଳ ଚଞ୍ଚଳ ନଗର, ପଲ୍ଲୀ, ସଚରାଚର ଉତ୍କଳ ଖଣ୍ଡ !
ଗୋଟିଏ ସାଧାରଣ ରକ୍ତମାଂସଧାରୀ ମଣିଷ ଓ ସାମାଜିକ ପ୍ରାଣୀ ଭାବରେ ମୋ ମନରେ ଏଭଳି କିଛି ଆନନ୍ଦ ଅନୁଭୂତ ହେବା ତ ଥୟ । ଏହାର ସଦୁପଯୋଗ କରିବା ସହ କିଛି ଦର୍ଶନୀୟ ସ୍ଥାନ, ଉତ୍ସବାଦି ମୁଖରିତ ଜନପଦ ଆଡ଼କୁ ମନ ଯେ ଧାବିତ ! ସାଂସାରିକ ଜୀବନ ମଧ୍ୟରେ ଥିବା ମୋ’ର ଅନ୍ତରଂଗ ମଣିଷ (ପରିବାର) ମାନଙ୍କ ସହ କଥା ହୋଇ ସ୍ଥିର କଲୁ ନିହାତି ଦୂରରେ ନଥିବା ଓ ପୂର୍ବରୁ କୌଣସି ସମୟରେ ଦେଖି ନଥିବା ଧର୍ମୀୟ ସ୍ଥଳକୁ ଯିବା ପାଇଁ । ଆଲୋଚନା, ପର୍ଯ୍ୟାଲୋଚନା, ମତ ଖଣ୍ଡନ ମଣ୍ଡନ ଭିତ୍ତିରେ ସ୍ଥିରୀକୃତ ହେଲା, “ଚାଲ ଆମେ ମହିମା ଗାଦି ଯୋରନ୍ଦା ଯିବା ।” ତେଣୁ ଧାର୍ଯ୍ୟ ହୋଇଗଲା ଯାତ୍ରାର ଦିବସ — ମାଘ ଶୁକ୍ଳ ଚତୁର୍ଦ୍ଦଶୀ ଦିନ ଯୋରନ୍ଦା ମେଳା (୧୯୯୬ ମସିହା) । ନୂଆ ଜାଗା ଦେଖିବା ସହ କୌଣସି ଧର୍ମୀୟ ଭାବନାରେ ତ ବୁଡ଼ିଯିବା ଦିନେ ଦି’ ଦିନ ପାଇଁ । ତେଣୁ ପଂଜିକା ଦେଖି ତାରିଖ ଧାର୍ଯ୍ୟ କରିନେଲୁ, ମାଘ ପୂର୍ଣ୍ଣିମା ପୂର୍ବ ଚତୁର୍ଦ୍ଦଶୀ ତିଥିରେ ଦିନ ତିନିଟା ମଧ୍ୟରେ ପହଞ୍ଚି ଯିବା ପାଇଁ । ଯାହା ଫଳରେ ସନ୍ଧ୍ୟାଦର୍ଶନ ସହ ଯାତ୍ରା ମଧ୍ୟ ଦେଖିବାକୁ ମିଳିବ । ମୋ ଗାଁରୁ ଆରମ୍ଭ କଲୁ ଯାତ୍ରା ନିଜର ଗାଡ଼ି ଯୋଗେ ମଧ୍ୟାହ୍ନ ଭୋଜନ ଶେଷ କରିବା ପରେ । ମାତ୍ର ଦୁଇ ଘଣ୍ଟାର ଯାତ୍ରା ।
ରାସ୍ତାରେ ବସ୍, କାର୍, ମଟର ସାଇକେଲ, ସାଇକେଲ, ଶଗଡ଼ ଗାଡ଼ିର ଅଧିକ ଚଳପ୍ରଚଳ ହେତୁ ଅଣ ଓସାରିଆ ରାସ୍ତା (ତ୍ଵରିତ ରାଜପଥରୁ ଢେଙ୍କାନାଳ ଯାଇଥିବା) ଭିଡ଼ ହୋଇ ଯାଉଥାଏ । ବେଳେ ବେଳେ ଏମିତି ଲାଗୁଥିଲା ଯେ, ଏହି ଦୁଇ ଘଣ୍ଟା ରାସ୍ତା ଅତିକ୍ରମ କରିବା ସମୟ ବୋଧେ ଦ୍ଵିଗୁଣିତ ହୋଇଯିବ । ତଥାପି ବହୁତ ହୁସିଆର ହୋଇ ଆମର ଡ୍ରାଇଭର ଆମକୁ ପହଂଚାଇ ଦେଲେ ଚାରିଟା ବେଳକୁ ଯୋରନ୍ଦାର ଅଧ କିଲୋମିଟର ଦୂରରେ । ସେଇଠି ଆରମ୍ଭ ହୋଇଛି ନିଷିଦ୍ଧାଂଚଳ । ଗାଡ଼ି ଯିବା ବନ୍ଦ । ନିଜ ନିଜ ଯାନ ଅସ୍ଥାୟୀ ଭାବରେ ଗଢ଼ି ଉଠିଥିବା ଷ୍ଟାଣ୍ଡ ମାନଂକରେ ରଖି ଆଉ ଗୋଟିଏ ଗତିପଥ ବଦଳାଇ ମନ୍ଦିର ଓ ଯାତ୍ରା ପାଖରେ ପହଞ୍ଚିବାକୁ ହେବ । ତେଣୁ ଆରମ୍ଭ ହେଲା ପଦଯାତ୍ରା ।
ଯେଉଁଠାରେ ମିଶି ଯାଇଛି ଭିନ୍ନ ଅସ୍ଥାୟୀ ରାସ୍ତା ମୁଖ୍ୟ ରାସ୍ତା ସହିତ, ସେହି ଠାରୁ ମହିମା ଗାଦି ପୀଠର ଦୂରତା ଆନୁମାନିକ ତିନି ଶହ ମିଟର ମଧ୍ୟରେ । ରାସ୍ତାର ଦୁଇ ପାର୍ଶ୍ଵରେ ଥିବା ବ୍ୟବସାୟ ପ୍ରତିଷ୍ଠାନ ଆଦିର ଫଳକରୁ ଜାଣିବା ପାଇଁ ମିଳିଲା ଏହା ନାଟିମା ବଜାର ଓ ଯୋରନ୍ଦା ଆରମ୍ଭ ଏହି ଠାରୁ । ରାସ୍ତାରେ ପାଦ ପକାଇବା ବେଳକୁ ଏ କ’ଣ ?
ଜନଗହଳି ପୂର୍ଣ୍ଣ ଅଞ୍ଚଳ । ଲୋକ ମାନଙ୍କ ସ୍ରୋତ ଧାବମାନ ମନ୍ଦିର ଆଡ଼କୁ । ପ୍ରବଳ ଗହଳି ! ସମସ୍ତେ କେବଳ ପାଦରେ , ଭିଡ଼ ପରିଲକ୍ଷିତ ହେବାରୁ ଯାନ ବାହାନ ଚଳାଚଳ ବନ୍ଦ । ଜଳସ୍ରୋତ ମଧ୍ୟରେ ଶୁଣିବାକୁ ମିଳୁଥାଏ ଓଡ଼ିଆ, ହିନ୍ଦୀ, ବଂଗଳା, ତେଲଗୁ ଓ ଅସମୀୟା ଭାଷା । ଏମାନେ ତାହେଲେ ବାହାର ପ୍ରଦେଶରୁ ? ଏ ଉତ୍ସବ କ’ଣ ସାରା ଦେଶର ବିଭିନ୍ନ କୋଣକୁ ବ୍ୟାପ୍ତ ? ଜନସ୍ରୋତ ଅଟକିବାର ନୁହେଁ । ପଂଝାଏ ପଂଝାଏ ଢାଉରଂଗ ପରିହିତ ଲୁଗା, ଚାଦର, ଓତା, କମିଜି ପିନ୍ଧା ଲୋକ ଧସି ଆସୁଥାନ୍ତି ସେହି ସ୍ରୋତ ଭିତରକୁ । କାହାକୁ ଖାତିର ନାହିଁ ଯେମିତି ସେମାନଙ୍କର ! କାହିଁକି ବା ହେବ ? ସେମାନେ ଯେ ମନ୍ଦିରମୁହାଁ, ଦର୍ଶନ ଅଭିଳାଷୀ ! ତେଣୁ ଗତି ସେମାନଙ୍କର ଦ୍ରୁତ ଆଉ ଖାଲି ପାଦ ! ଏମିତି ଭିଡ଼ ଭିତରେ ଚାଲି ଚାଲି ପହଞ୍ଚିଗଲୁ ସଭିଏଁ ଗୋଟିଏ ବଡ଼ ଫାଟକ ପାଖରେ । ତା’ରି ମଧ୍ୟ ଦେଇ ପଶିବାକୁ ହେବ । ଶ୍ରଦ୍ଧାଳୁଙ୍କ ପାଇଁ ଉନ୍ମୁକ୍ତ କରାଯାଇଛି ଫାଟକ । ସୁଦୃଶ୍ୟ, ବଡ଼ ଏବଂ ଯଥେଷ୍ଟ କାରୁକାର୍ଯ୍ୟ ପୂର୍ଣ୍ଣ ପ୍ରବେଶ ପଥ ।
ସେହି ଫାଟକ ଥିଲା ଦକ୍ଷିଣ ମୁହାଁ । ସୁଉଚ୍ଚ ପାଚେରୀ ସହ ଘେରି ରହିଛି ବିସ୍ତୀର୍ଣ୍ଣ ଅଂଚଳ । ସେହି ଫାଟକ ପାର ହୋଇ ପରସ୍ପର ହାତ ଧରାଧରି କରି ଚାଲିବା ଆରମ୍ଭ କଲୁ । ବୁଝିବାକୁ ପାଇଲି ଯେ, ଏହା ହେଉଛି #ବଡ଼#ମଠ ବା #ବକଳଧାରୀ#ମହିମା#ସନ୍ୟାସୀ ମାନଙ୍କ ଦ୍ଵାରା ସ୍ଥାପିତ ମଠ । ମହିମା ଗାଦି ! ଭିତର ପରିସର ସମ୍ପୂର୍ଣ୍ଣ ଭାବେ ପରିଷ୍କାର, ବୃକ୍ଷରାଜି ପୂର୍ଣ୍ଣ, ଛୋଟ ଛୋଟ ବଖୁରିକିଆ ପକ୍କାଘର । ମନେ ହେଲା ପରିଚ୍ଛନ୍ନତା ଓ ଶୃଙ୍ଖଳା ଏଇଠୁ ଶିଖିବା ଉଚିତ । ମହିମା ଆଶ୍ରିତ ମଣିଷ ମାନେ ଯେଝା ଯେଝା ବାବା ମାନଙ୍କ ଆଶ୍ରମ ନିକଟରେ ଅପେକ୍ଷା କରିଛନ୍ତି ଆଣିଥିବା ଲୁଗା, ବ୍ୟାଗ ଆଦି ସେହି ଆଶ୍ରମରେ ରଖିଦେଇ ଶୀଘ୍ର ଯିବେ ଯେମିତି ମହିମା ଗାଦି ମନ୍ଦିରକୁ କାରଣ ସନ୍ଧ୍ୟାଦୀପ ଉଠିବ ଆଉ କିଛି ସମୟ ମଧ୍ୟରେ । ଏପଟେ ବଢ଼ି ଚାଲିଛି ବ୍ୟସ୍ତତା, ବିଳମ୍ବ ହେଲେ ଆସିବାର ପ୍ରୟୋଜନ ଆଉ କ’ଣ ? ତଥାପି ଠିକ୍ ସମୟରେ ପହଞ୍ଚି ଯାଉଛନ୍ତି ଘର ଦାୟିତ୍ୱରେ ଥିବା ମୁଖ୍ୟ ବାବାଙ୍କ ଚେଲା ଜଣକ ଓ ବିଦାୟ ଦେଉଛନ୍ତି ଆଗନ୍ତୁକ ମାନଙ୍କୁ । ବ୍ୟସ୍ତତା ବଢୁଛି ସଭିଙ୍କ ପାଖରେ, ପ୍ରଥମ ସମର୍ପଣ ନ ଦେଖିଲେ ଅବଶୋଷ ରହିଯିବ ଯେ ! ଗୋଟିଏ ବର୍ଷ ପରେ ପୁଣି, କିଏ ଜାଣେ ଆର ବର୍ଷକୁ ସୁଯୋଗ ମିଳିବ କି ନାହିଁ ? ସଂସାର ଯେ ଅସାର !
ଆଉ ଅପେକ୍ଷା ନକରି ଆଗେଇ ଚାଲିଲୁ ଆମେ ସେହି ସ୍ରୋତରେ । ବକଳଧାରୀ ବାବାଙ୍କ ଆଶ୍ରମ ରାସ୍ତା ସରି ଆସୁଛି, ପଣସ, ନଡ଼ିଆ, ଆମ୍ବ, କୁମ୍ଭୀ ବୃକ୍ଷ, ଅନେକ ଦୁର୍ଲଭ ଜାତୀୟ ଉଦ୍ଭିଦ ପରିପୂର୍ଣ୍ଣ ଏହି ବଡ଼ ମଠ ପରିସର । ତା ମଧ୍ୟରେ ସରୁ କଂକ୍ରିଟ ରାସ୍ତାଟି ଦେଇ ଚାଲୁଥିବା ବେଳେ ଆନନ୍ଦ ମିଳୁଛି ମନରେ । ଆଉ କିଛି ସମୟ ବସି ପଡ଼ିବା ପାଇଁ ପ୍ରବଳ ଆଗ୍ରହ ଆସିଲା । କିନ୍ତୁ ବାଧା ଦେଲା ବିବେକ ଆମର । ଅନ୍ୟମାନଙ୍କ ରାସ୍ତାରେ ପ୍ରତିବନ୍ଧକ ସୃଷ୍ଟି କରିବା କାହିଁକି ? ଏଇଠୁ ତ ସମଗ୍ର ବିଶ୍ଵ ପାଇଁ ବାର୍ତ୍ତା ଥିଲା —
“ପ୍ରାଣୀଙ୍କ ଆରତ ଦୁଃଖ ଅପ୍ରମିତ
ଦେଖୁ ଦେଖୁ କେ ବା ସହୁ
ମୋ ଜୀବନ ପଛେ ନର୍କେ ପଡ଼ିଥାଉ
ଜଗତ ଉଦ୍ଧାର ହେଉ । ”
କିଛି ନହେଲେ ତ ଟିକେ ସମ୍ମାନ ଦେଇ ପାରିବା ଏହି ଉକ୍ତିକୁ । ତେଣୁ ଆଉ ଅଧିକ ବିଳମ୍ବ ନକରି ଆଗେଇ ଚାଲିଲୁ ଗନ୍ତବ୍ୟ ସ୍ଥଳକୁ, ବହୁ ପ୍ରତିକ୍ଷିତ ଶୂନ୍ୟ ମନ୍ଦିର ପରିସରକୁ । ଠିକ୍ ସମୟରେ ପହଞ୍ଚିଗଲୁ ଶୂନ୍ୟମନ୍ଦିର ସିଂହଦ୍ୱାର ପାଖରେ । ବଡ଼ ମଠ ଉତ୍ତର ଫାଟକରୁ ଲମ୍ବିଛି ବାରିକେଡ୍ । ସୁନ୍ଦର କଟକଣା ପୁରୁଷ ଓ ମହିଳା ମାନଙ୍କ ପାଇଁ, ଭିନ୍ନ ଭିନ୍ନ ରାସ୍ତାରେ । ପାଖାପାଖି ରହିଲୁ ସମସ୍ତେ, ଜଳସ୍ରୋତ ମଧ୍ୟରେ ହଜିଯିବା ଭୟରେ । ଅପରାହ୍ନ ପାଞ୍ଚଟା ବେଳକୁ ପହଞ୍ଚିଗଲୁ ସେହି ମନ୍ଦିର ପ୍ରାଙ୍ଗଣରେ । ଲୋକାରଣ୍ୟ ହୋଇପଡିଛି ଭିତର ବାହାର ଅଞ୍ଚଳ । ଝାଡ଼ ଜଳିବା ପିଣ୍ଡି ଚତୁଃପାର୍ଶ୍ଵରେ କେବଳ ଲୋକ ହିଁ ଲୋକ ! ଠିକ୍ ପାଞ୍ଚଟା ପାଞ୍ଚ ମିନିଟ୍’ରେ ଉଠିବ ଝାଡ‌, ଦୀପ ସହିତ । ବଡ଼ ଘଣ୍ଟା ବାଜିଲା ଠିକ୍ ସମୟରେ । ଅଳ୍ପ ସମୟ ମଧ୍ୟରେ ପ୍ରଥମ ସମର୍ପଣ ! ଅଗ୍ନି ସଂଯୋଗ ହେଲା ଦୁଇ ଖଣ୍ଡ ଝକମକି ପଥର ଘର୍ଷଣ କରି । ଅଦ୍ଭୁତ ! ହଣ୍ଡା ହଣ୍ଡା ଘୃତ ବଡ଼ ଝାଡ଼ବୃକ୍ଷର କଡ଼େ କଡ଼େ । ଉପରକୁ ଉଠିଲେ ଜଟା, ଶ୍ମଶ୍ରୁ ଧାରୀ, ବକଳପିନ୍ଧା ସାଧୁ ! ଏବେ ପବିତ୍ର ସମୟ ଉପନୀତ । ପ୍ରଥମ ଘୃତ ଅର୍ପଣ ହେଲା, ହୁଳହୁଳି, ଘଣ୍ଟଧ୍ଵନି ସହିତ । ଶୂନ୍ୟକୁ ଚାହିଁ ବ୍ରହ୍ମାଣ୍ଡ ନାୟକ ଅଲେଖ ମହିମାଙ୍କ ଉଦ୍ଦେଶ୍ୟରେ ବିଶ୍ଵର ମଙ୍ଗଳ କାମନା କରି ଅର୍ପିତ ହେଲା ଘୃତ ଯୁକ୍ତ ଅଗ୍ନି ! କୌତୁହଳ ବଶତଃ ଆମେ ଗଣିବା ଆରମ୍ଭ କଲୁ ଦୀପ ସଂଖ୍ୟା ଏବଂ ତାହା ଥିଲା ଛୟାଳିଶ ! (କାରଣ ଅସ୍ପଷ୍ଟ ) ପ୍ରକମ୍ପିତ ହେଲା ସଚରାଚର ଗୋଟିଏ ଧ୍ଵନି —
“ମହିମା ଅଲେଖ, ମହିମା ଅଲେଖ”
ମନେ ପଡିଗଲା ମୋ’ର —
“ଶୂନ୍ୟ ଶୂନ୍ୟ, ମହାଶୂନ୍ୟ
ଶୂନ୍ୟ ପୁରୁଷ ଶୂନ୍ୟ ପାଖେ ଥାଇ
ଶୂନ୍ୟ ପୁରୁଷ ଶୂନ୍ୟେ ବି‌ହରଇ
ଶୂନ୍ୟ ପୁରୁଷ ଶୂନ୍ୟ ପରେ ଥାଏ
ଶୂନ୍ୟ ପୁରୁଷ ଶୂନ୍ୟ ପରେ ରହେ
ଶୂନ୍ୟ ପୁରୁଷ ସବୁ ମାୟା ଭ୍ୟା଼ୟେ ।”
(ଶୂନ୍ୟ ସଂହିତା/ଅଚ୍ୟୁତାନନ୍ଦ)
ଜଳି ଉଠିଥିଲା ସମସ୍ତ ଦୀପ । ଅପୂର୍ବ ଦୃଶ୍ୟ ! ହୁତୁ ହୁତୁ ହୋଇ ଜଳୁଛି ଦୀପମାନ । ଆହୂତି ପ୍ରଦାନ ହେଉଛି । ଆକାଶକୁ ଉଠି ଚାଲିଛି ଆଲୋକ ଶିଖା । ଏ ଯେ ବିଶ୍ଵ ମଙ୍ଗଳ ପାଇଁ ଅଲେଖ ମହିମାଙ୍କୁ ସମର୍ପିତ ! ଯେଉଁ ମହିମା ସନ୍ୟାସୀ ସବୁ କିଛି ପାର୍ଥିବ ଦ୍ରବ୍ୟ ଠାରୁ ଦୂରରେ, ଆଜି ପବିତ୍ର ମାଘ ଚତୁର୍ଦ୍ଦଶୀ ଦିନ ସେହି ନିରାକାର ଅଲେଖ ଶୂନ୍ୟ ପୁରୁଷ ପରଂବ୍ରହ୍ମଙ୍କୁ ମିଳିତ ଭାବେ ଘୃତାହୂତି ଅର୍ପଣ କରୁଛନ୍ତି ଜଗତର ମଙ୍ଗଳ ପାଇଁ ! ତେଣୁ ଅଗଣିତ ଦର୍ଶକ, ମହିମା ସନ୍ୟାସୀ, ଆଶ୍ରିତଗଣ ହୁଳହୁଳି, ଘଣ୍ଟଧ୍ଵନି, ବଡ଼ କାଠବାଦ୍ୟ ମଧ୍ୟରେ ଉଚ୍ଚ ସ୍ବରରେ ଡାକ ଛାଡ଼ୁଛନ୍ତି:
ଗୁରୁ ଅଲେଖ
ମହିମା ରଖ
ଡାକୁଛନ୍ତି ତମ ପିଲା ବାଳକ ।
ଲୋକାପ୍ଲୁତ ହୋଇ ଯାଇଥିଲା ଚକ୍ଷୁଦ୍ଵୟ ! ଦଣ୍ଡବତ ପ୍ରଣାମ ଜଣାଇଲୁ ଶୂନ୍ୟ ପୁରୁଷ ମହିମା ଅଲେଖଙ୍କ ଉଦ୍ଦେଶ୍ୟରେ । ଜନ ସମୁଦ୍ର ମଧ୍ୟରେ ଆଉ ନରହି ବେଢ଼ା ପରିକ୍ରମା କରିବାକୁ ସ୍ଥିର କରି ଆଗେଇଲୁ ପୂର୍ବଦ୍ଵାର (ପଛ ପାଖ) ଆଡ଼କୁ । ପାଖେଇ ଆସୁଛି ଆଉ ଏକ ପିଣ୍ଡି । ଏହା ମହିମା ଗାଦି ମନ୍ଦିରର ଆଉ ଏକ ପାର୍ଶ୍ଵରେ । ଦେଖିବାକୁ ମିଳିଲା ସୁନା ରୂପାର ବିଭିନ୍ନ ଅଳଙ୍କାର, ଛତ୍ରୀ, ଅଢ଼େଣୀ, ତରାସ, ମକର ତ୍ରୋଣ । ଟିକେ ଗୋଟିଏ କୋଣରେ ପହଞ୍ଚି ମନ୍ଦିର ନିର୍ମାଣ କୌଶଳ ଦେଖିବା ମାତ୍ରେ ଦୃଷ୍ଟି ଆକର୍ଷଣ କଲା ମନ୍ଦିର ଉପରେ ସ୍ଥାପିତ ଅଷ୍ଟଧାତୁ ନିର୍ମିତ ବିଶାଳକାୟ ସର୍ପ ଉପରେ । ମନ୍ଦିର ସମ୍ପୂର୍ଣ୍ଣ ନିବୁଜ । ଏହା ଯେ ସିଦ୍ଧ ପୁରୁଷ ମହିମା ସ୍ଵାମୀଙ୍କ ସମାଧିପୀଠ । ମନ୍ଦିର ହତା ଭିତରେ ଅନେକ ସ୍ଥାନରେ ବସିଥିବା କୁମ୍ଭୀ ପାଟୁଆ ସନ୍ୟାସୀ ଓ ଢାଉରଙ୍ଗ ପରିହିତ କୌପୀନ ଧାରୀ ଶିଷ୍ୟମାନେ ଖଞ୍ଜଣି ବଜାଇ ଭଜନ କରିବାରେ ବ୍ୟସ୍ତ ଓ ଅଲେଖ ନିରଞ୍ଜନଙ୍କ ବନ୍ଦନାରେ ନିମଗ୍ନ —
“ନିଃଶବ୍ଦ ଘରେ ଭେଦ ନିଦା ବ୍ରହ୍ମକୁ
ନୁହେଁ ଶବଦ ଭେଦ ଶୂନ୍ୟ ଅଟେ ଅନାଦ
ଜଳ ପବନ ନାହିଁ ନିଜ ଅଙ୍ଗକୁ ।
ରାତ୍ର ଦିବା ନୋହୁଛି ନିଷ୍କାମ ଯୋଗେ ଅଛି
ନିଗମ ଅଟେ ପଥ ସେ ଭୁବନକୁ ।।”
ଛିଡ଼ା ହୋଇ କିଛି ସମୟ ଶୁଣିବା ପରେ ପିଲାଏ ଅଝଟ କଲେ ପ୍ରସ୍ଥାନ କରିବା ପାଇଁ । ବାହାରି ଯିବାପାଇଁ ବାଧ୍ୟ ହେଲୁ ଇଚ୍ଛା ବିରୋଧରେ । ମନ୍ଦିର ହତା ବାହାରେ ବିରାଟ ଯାତ୍ରା, ମେଳା । ପଶିବାକୁ ଉଦ୍ୟମ ବି କଲୁନାହିଁ, ସାହସ ନଥିଲା ଦୂରରୁ ଜନ ସମାଗମ ଦେଖି, ଭିଡ଼ ଭିତରେ ହଜି ଯିବାର ଭୟ ଆହୁରି ଆସିଲା ମନରେ । ତେବେ ମହିମା ଗାଦିର ଦ୍ଵିତୀୟ ବେଢ଼ା ମଧ୍ୟରେ ଟିକେ ବୁଲି ଆସିବାକୁ ମୋ ଅନୁରୋଧକୁ ସମ୍ମାନ ଦେଇ ପିଲାଏ ହଁ ଭରିଲେ । ଅତି କମରେ ପନ୍ଦର ମିନିଟ୍ ଭିତରେ ଫେରି ଆସିବା ପାଇଁ ସ୍ଥିର କଲୁ ଓ ଆଉ କିଛି ବିଳମ୍ବ ନକରି ପ୍ରବେଶ କଲୁ ଦ୍ଵିତୀୟ ହତା ଭିତରେ । ଅତି ସୁନ୍ଦର ପରିବେଶ ଥିଲା ସମ୍ପୂର୍ଣ୍ଣ ଭାବେ । ଏହା ଥିଲା କେବଳ କୌପୀନ ଧାରୀ ସନ୍ୟାସୀ ମାନଙ୍କ ମଠ । ମନ କିନ୍ତୁ ଲାଖି ରହିଲା ସେହି ମଠ ପରିସରରେ ‌। ବିଭିନ୍ନ ସ୍ଥାନରେ ସ୍ଵତନ୍ତ୍ର କାର୍ଯ୍ୟକ୍ରମ, ଭଜନ, ଦୀପ ପ୍ରଜ୍ବଳନ, ମହିମା ଧର୍ମ ସମ୍ପର୍କୀୟ ପ୍ରବଚନ ।
କିନ୍ତୁ ସମୟ ତ ‘ଅପେକ୍ଷା’ ଶବ୍ଦ ବିରୋଧୀ ! ତେଣୁ ଯାତ୍ରା ଆଡ଼କୁ ନ ଯାଇ ଗୃହ ପ୍ରତ୍ୟାବର୍ତ୍ତନ ପାଇଁ ନିଷ୍ପତ୍ତି ନେଲୁ । ଚାଲି ଚାଲି ଆସିବା ସମୟରେ ଯେତେବେଳେ ଆମେ ଶୁଣିଲୁ ଯେ, ପ୍ରାୟ ପାଞ୍ଚ ଲକ୍ଷ ଶ୍ରଦ୍ଧାଳୁ ଏକତ୍ରିତ ହୋଇଛନ୍ତି ଆଜି ସନ୍ଧ୍ୟାରେ ଝାଡ଼, ଯାତ୍ରା ଓ ଅପେରା ପ୍ରଭୃତି ଦେଖିବାକୁ, ସେତେବେଳେ ମନରେ ଛନକା ପଶିଗଲା, ଯେତେ ଶୀଘ୍ର ସମ୍ଭବ ଫେରିଯିବା ଉଚିତ ହେବ କାରଣ ରାତିର ଦ୍ଵିତୀୟ ଓ ତୃତୀୟ ପ୍ରହର ବେଳକୁ ଆଖପାଖ ଅଞ୍ଚଳର ଲୋକେ ପହଞ୍ଚି ଯିବେ, ତେଣୁ ଆହୁରି ଜୋରଦାର ଭିଡ଼ ପରିଲକ୍ଷିତ ହେବ ।
ତେବେ ମନରେ ଆସିଯାଇଥିଲା ବିଷାଦ ଫେରିବା ବେଳକୁ ଯେତେବେଳେ ଆମେ ଶୁଣିଲୁ ଆସନ୍ତା କାଲି ମାଘ ପୂର୍ଣ୍ଣିମା (ଦେଶ ପୂର୍ଣ୍ଣିମା) ପାଇଁ ଏହିପରି ଅଗ୍ନି ଉତ୍ସବ ସମ୍ପନ୍ନ ହେବ । ବିଶ୍ଵ ମଙ୍ଗଳ ପାଇଁ ଉତ୍ସର୍ଗୀକୃତ ମହିମା ସନ୍ୟାସୀ ମାନଙ୍କ ଉଦ୍ଦେଶ୍ୟରେ ଏବଂ ଶୂନ୍ୟ ପୁରୁଷ ଓ ଗାଦିକୁ ଦୁଇ ହାତ ଯୋଡ଼ି ସମସ୍ତେ ଏକାଠି ଦଣ୍ଡବତ ପ୍ରଣାମ ଜଣାଇ ଆରଂଭ କଲୁ ଆମ ପ୍ରତ୍ୟାବର୍ତ୍ତନ କାର୍ଯ୍ୟକ୍ରମ । ଦୂରରୁ ଭାସି ଆସୁଥିଲା ଡ଼ାକବାଜି ଯନ୍ତ୍ର ମାଧ୍ୟମରେ ମହିମା ସନ୍ୟାସୀଙ୍କ ଆକୁଳ ପ୍ରାର୍ଥନା —
“ଧ୍ୟାୟି ଅରୂପାନନ୍ଦଙ୍କୁ, ଧ୍ୟାୟି ସ୍ଵାମୀ ପୟରକୁ ।
ନଖକୋଣେ ସୁରାସୁରି ମାଳ ମାଳ ଛନ୍ତି ପୂରି
ଅନନ୍ତ ବାସୁକୀ ଶିରେ ବହିଛି ମକରନ୍ଦକୁ ।।
ଶ୍ରୀପୟର ଦୀର୍ଘ ପ୍ରତି କୋଟିଏ ମୋର ବିନତି
ଶରଣ ସୋଦର ପାଦ ନିର୍ଭୟ ଭଲମନ୍ଦକୁ ।।
ଗୃହ କର୍ମ ତେଜି ଭକ୍ତେ ପଚାରୁଛନ୍ତି ଜଗତେ
ଜୀବ ଉଦ୍ଧାର ନିମନ୍ତେ ଭରସା କରି ନାମକୁ ।।
କରୁଛନ୍ତି କର୍ମମାନ ପିତା ମାତାଙ୍କ ବିଧାନ
ପ୍ରାତଃ ସାୟଂ ଦରଶନ ଘେନି ଚୌଷଠି ବନ୍ଧକୁ ।।
ଶ୍ରୀଗୁରୁଙ୍କ ପାଦତଳ ଫୁଟିଛି ପଦ୍ମ କମଳ
ବାସରେ ଅମାପ ମୂଲ୍ୟ ଘେନ ନାସିକା ରନ୍ଧ୍ରକୁ ।।
ଏକାକ୍ଷର ପାଦ ଚିହ୍ନି ଭଜୁଛନ୍ତି ବ୍ରହ୍ମଜ୍ଞାନୀ
ଭୀମ ଅରକ୍ଷିତ ଭଣି ଧ୍ୟାୟି ଅନାଦି ସିଦ୍ଧଙ୍କୁ ।।
ଆଉ ଥରେ କେବେ ଆସି ମହିମା ଧର୍ମ ଉପରେ କିଞ୍ଚିତ ଜାଣିବାର ଆଶା କିନ୍ତୁ ଜାଗି ଉଠିଥିଲା ମନରେ ଓ ଭବିଷ୍ୟତର ଆଶା ନେଇ ବିଦାୟ ନେଇଗଲୁ ମହିମା ଗାଦି ପୀଠରୁ ।
ମହିମା ଅଲେଖ ଶରଣଂ ।।
ଫଟୋ ସୌଜନ୍ୟ: ରମାକାନ୍ତ ସାହୁ, ମଧୁସୂଦନ ସାହୁ ଓ ସୁକାନ୍ତି ସାହୁ
Mahima Gadi Joranda Gadi Joranda Mela
Niranjan Sahu
Spread the love
admin

View Comments

Recent Posts

ମା’ ନାରାୟଣୀ

~ ମା' ନାରାୟଣୀ ~ ଉପସ୍ଥାପନା: ନୟାଗଡ଼ ଇତିହାସ ଖୋର୍ଦ୍ଧା ଗଜପତି ଦ୍ୱିତୀୟ ରାମଚନ୍ଦ୍ର ଦେବଙ୍କ ନିର୍ଦେଶରେ ଆଠଗଡ, ନୟାଗଡ଼,…

1 month ago

ପଣ୍ଡିତ ଗୋଦାବରୀଶ ମିଶ୍ର

~ ପଣ୍ଡିତ ଗୋଦାବରୀଶ ମିଶ୍ର ~ ଉପସ୍ଥାପନା: ଅମୃତେଶ ଖଟୁଆ "ତୁଙ୍ଗ ଶିଖରୀ ଚୂଳ କୁଞ୍ଜ କାନନ-ମାଳ ପୁଣ୍ୟ ଜଳଧି-ଜଳ…

2 months ago

ଅଖିଳ ମୋହନ ପଟ୍ଟନାୟକ

ଅଖିଳ ମୋହନ ପଟ୍ଟନାୟକ ଉପସ୍ଥାପନା: ଅମୃତେଶ ଖଟୁଆ "ବାସ୍ତବତା କଳ୍ପନା ଠାରୁ ପୃଥକ୍ ରହିକି କେବେ ବି ସମାଜରେ ଦର୍ପଣ…

2 months ago

ସର୍ପେଶ୍ୱର ମହାଦେବ

~ ସର୍ପେଶ୍ୱର ମହାଦେବ ~ ଉପସ୍ଥାପନା: ଆୟୁଷ୍ମାନ ଆର୍ଯ୍ୟ ଜନଶ୍ରୁତି ଅନୁସାରେ ଓଡ଼ିଶାର ପ୍ରାଚୀନ ଶୈବପୀଠ ଆଠଗଡ଼ ଅନ୍ତର୍ଗତ ବଳରାମପୁର…

2 months ago

ମହାଲକ୍ଷ୍ମୀ

~ ଶ୍ରୀମନ୍ଦିରରେ ମାଆ ମହାଲକ୍ଷ୍ମୀ ~ ଉପସ୍ଥାପନା: ଆୟୁଷ୍ମାନ ଆର୍ଯ୍ୟ ମାଆ ମହାଲକ୍ଷ୍ମୀ ହେଉଛନ୍ତି ଧନ, ଐଶ୍ୱର୍ଯ୍ୟର ଦେବୀ l…

2 months ago

ଅଟ୍ଟାଳି ଜଗନ୍ନାଥ

~ ଆଠଗଡ଼ ବିଜେ ମହାପ୍ରଭୁ ଶ୍ରୀ ଅଟ୍ଟାଳି ଜଗନ୍ନାଥ ~ ଉପସ୍ଥାପନା: ଆୟୁଷ୍ମାନ ଆର୍ଯ୍ୟ ଶ୍ରୀଜଗନ୍ନାଥ ହେଉଛନ୍ତି ଓଡ଼ିଆଙ୍କ ସ୍ପନ୍ଦନ…

2 months ago