ଲେଖା: ନିରଞ୍ଜନ ସାହୁ

ଊନବିଂଶ ଶତାବ୍ଦୀର ପ୍ରଥମାର୍ଦ୍ଧରେ ଭୟ, ଆତଙ୍କ, ଅଶିକ୍ଷା, ଅନ୍ଧବିଶ୍ୱାସ ଓଡ଼ିଆ ଜାତିକୁ ଆତ୍ମବିଲୁପ୍ତ କରିଦେଇଥିଲା। ଦ୍ଵିତୀୟାର୍ଦ୍ଧର କିଛି କାଳ ପର୍ଯ୍ୟନ୍ତ ଏ ଜାତିର ନିର୍ବେଦତା ଲାଗି ରହିଲା। ୧୮୬୬ ମସିହାର ନଅଙ୍କ ଦୁର୍ଭିକ୍ଷ ଗୋଟିଏ ଇତିହାସ ପ୍ରସିଦ୍ଧ ଜାତିର ମେରୁଦଣ୍ଡକୁ ଦୋହଲାଇ ଦେଇ ଶ୍ମଶାନିତ କରିଦେଲା। ଛିନ୍ନବିଛିନ୍ନ ହୋଇଗଲା ଧର୍ମ, ଦର୍ଶନ, କଳା, ସାହିତ୍ୟ, ସ୍ଥାପତ୍ୟ, ବାଣିଜ୍ୟ ଏବଂ ସାମରିକ ପରାକାଷ୍ଠା।

ଏହି ଦୁର୍ଭିକ୍ଷର ଆର୍ତ୍ତନାଦର ମହାଶ୍ମଶାନରୁ ଶୋଇଯାଇଥିବା ଐତିହ୍ୟ ସମ୍ପନ୍ନ ଜାତିର ଆତ୍ମଜାଗୃତିର ଶୁଭ ଲକ୍ଷଣ କ୍ରମଶଃ ପରିଦୃଷ୍ଟ ହେଲା। ମାତୃଭାଷା ଓ ମାତୃଭୂମିକୁ ଆଧାର କରି ଜାତୀୟତାର ଶୁଭଶଙ୍ଖ ନିନାଦିତ ହେଲା କର୍ମଯୋଗୀ ଗୈାରୀଶଙ୍କର ସମ୍ପାଦିତ ଉତ୍କଳ ଦୀପିକା ମାଧ୍ୟମରେ (୪/୮/୧୮୬୬)। ପରେ ପରେ ଆଗେଇ ଆସିଲେ ବାଲେଶ୍ଵର ସମ୍ବାଦ ବାହିକା, ଉତ୍କଳ ହିତୈଷିଣୀ, ଉତ୍କଳଦର୍ପଣ, ଉତ୍କଳ ସାହିତ୍ୟ ଇତ୍ୟାଦି ପତ୍ରିକା। ଅତଃ ଆବିର୍ଭାବ ହେଲା ଏକ ଶିକ୍ଷିତ, ମଧ୍ୟବିତ୍ତ ଶ୍ରେଣୀ, ବିଭିନ୍ନ ସଂଘ ସମିତି। ରାଜାମହାରାଜାଙ୍କ ପୃଷ୍ଠପୋଷକତାରେ ଗଢିଉଠିଲା ଅନେକ ଅନୁଷ୍ଠାନ ଯେଉଁ ମାନେ ଉଦ୍ରେକ କରିବାରେ ସହାୟକ ହେଲେ ‘ଭାଷାପ୍ରୀତି’, ‘ଉତ୍କଳ ପ୍ରୀତି’ । ଏହାହିଁ ଓଡ଼ିଶାର ରେନେସାଁ ଯୁଗର ଆରମ୍ଭ।

ଠିକ୍ ସେତିକି ବେଳେ ଏହି ଭାଷା ଆନ୍ଦୋଳନକୁ ଶିକ୍ଷିତ ଗୋଷ୍ଠୀ ଓ ପତ୍ରପତ୍ରିକା ମଧ୍ୟରେ ସୀମିତ ନରଖି ଏହାକୁ ଏକ ଜନ ଆନ୍ଦୋଳନର ରୂପ ଦେବାକୁ ଆଗେଇ ଆସିଥିଲେ ଜଣେ ରାଜନ୍ ମହାରାଜା ଭେଙ୍କଟେଶ୍ଵର ଦେଓ। ସେ ଥିଲେ କନ୍ଧମାଳ ଜିଲ୍ଲାର ‘କଡିଙ୍ଗିଆ‘ର ରାଜା।

ଏକ ଦୃଢ ସଙ୍ଗଠନ ବିନା ଏକ ଆନ୍ଦୋଳନ ବଞ୍ଚାଇ ରଖିବା କଷ୍ଟକର, ଏହା ଥିଲା ରାଜାଙ୍କର ଦୃଷ୍ଟିଭଙ୍ଗୀ। ଏହାକୁ ଦୃଷ୍ଟିରେ ରଖି ରାଜା ଭେଙ୍କଟେଶ୍ଵର ଦେଓ ୧୮୭୦ ମସିହା ସେପ୍ଟେମ୍ବର ମାସରେ ଆହୂତ କଲେ ଏକ ବିରାଟ ଜନସଭା, ରସୁଲକୋଣ୍ଡା (ଭଞ୍ଜନଗର) ଠାରେ। ତାହା ଥିଲା ଓଡ଼ିଆ ଭାଷା ସୁରକ୍ଷା ଆନ୍ଦୋଳନର ପ୍ରଥମ ସାଙ୍ଗଠନିକ ପ୍ରୟାସ। ତାଙ୍କର ଦୃଢ ସଙ୍ଗଠନ, ଗଭୀର ଆତ୍ମବିଶ୍ବାସ ଓ ପ୍ରଚଣ୍ଡ ଜ୍ଞାନ, ଭାଷା ପ୍ରୀତି ହେତୁ ସେ ସମୟରେ ମାଡ୍ରାସ ପ୍ରେସିଡେନ୍ସିରେ ଥିବା ସମସ୍ତ ଓଡିଆ ଭାଷାଭାଷୀ ଅଞ୍ଚଳର ରାଜନ୍ ବର୍ଗ, ଜମିଦାର, ପେଣ୍ଠ ଗ୍ରାମର ମୁଖିଆ ଓ ବହୁ ଜନପ୍ରତିନିଧି ସ୍ଵତଃସ୍ଫୁର୍ତ୍ତ ଭାବେ ଯୋଗ ଦେଇଥିଲେ। ଏହା ଥିଲା ଓଡିଆଭାଷୀ ଅଞ୍ଚଳର ସର୍ବପ୍ରଥମ ସମାବେଶ। ସେହି ସଭାରେ ପାଲୁରୁ, ହୁମା, ଗଞ୍ଜାମ, ବିରୁଳୀ, ଖଲ୍ଲିକୋଟ, କୋଦଳା, ଆଠଗଡ଼, ଘୁମୁସର, ଧରାକୋଟ, ସୋରଡ଼ା, ରଢବା, ଗଦାପୁର, ବଡଗଡ, ସାରଙ୍ଗଗଡ, ସାନଖେମୁଣ୍ଡି, ବଡ଼ଖେମୁଣ୍ଡି , ଚିକିଟି, ମହୁରୀ, ଜରଡା, ସୁରଙ୍ଗୀ, ମଞ୍ଜୁଷା, ଜଳନ୍ତରଟିକିଲିର ରାଜା, ଜମିଦାର ଓ ଜନପ୍ରତିନିଧିମାନେ ଯୋଗ ଦେଇଥିଲେ। ତାହା ଐତିହାସିକ ରସୁଲକୋଣ୍ଡା ଅଧିବେଶନ ନାମରେ ପରିଚିତ। ଏହି ସଭାରେ ଆବାହକ ଥିଲେ ବିଶିଷ୍ଟ ଶିକ୍ଷାବିତ ଜନାର୍ଦ୍ଦନ ଦାସ ଓ ସଭାପତି ଆସନ ଅଳଙ୍କୃତ କରିଥିଲେ ରାଜା ଭେଙ୍କଟେଶ୍ଵର ଦେଓ।

ବ୍ରିଟିଶ ଶାସନ କାଳରେ ଓଡ଼ିଆ ଭାଷାକୁ ହତାଦର କରୁଥିବାରୁ ଏହି ସଭା ଉଦବେଗ ପ୍ରକାଶ କରିବା ସହ, ତାର ପ୍ରତିବାଦରେ ମାନ୍ଦ୍ରାଜ ଗଭର୍ଣ୍ଣରଙ୍କ ନିକଟକୁ ପ୍ରସ୍ତାବ ମୁତାବକ ଦାବୀପତ୍ର ପ୍ରେରଣ କରିଥିଲେ। ଏହି ଦାବୀପତ୍ରରେ ଉଲ୍ଲେଖ ଥିଲା –

(୧) ସରକାରୀ ଅଫିସରେ ଓଡ଼ିଆ ଭାଷାରେ ଲିଖିତ ଦରଖାସ୍ତ ଗ୍ରହଣ କରାଯାଉ ଓ ଓଡ଼ିଆ ଭାଷାରେ ନିଷ୍ପତ୍ତି ପ୍ରକାଶିତ ହେଉ।

(୨) ଅଫିସ ଗୁଡ଼ିକର ରେକର୍ଡ ପତ୍ର ଓଡ଼ିଆରେ ରଖାଯାଉ ଏବଂ ଓଡ଼ିଆ ମାଧ୍ୟମରେ ପରୀକ୍ଷା କରାଯାଇ ସରକାରୀ କର୍ମଚାରୀ ମାନଙ୍କୁ ନିଯୁକ୍ତି ଦିଆଯାଉ।

(୩) ଶିକ୍ଷାନୁଷ୍ଠାନଗୁଡ଼ିକରେ ପରୀକ୍ଷା ପ୍ରକ୍ରିୟାରେ ଓଡ଼ିଆ ଭାଷାକୁ ସ୍ଵୀକୃତି ଦିଆଯାଉ।

ମହାରାଜା ଭେଙ୍କଟେଶ୍ଵର ଦେଓ ଉତ୍କଳ ଦୀପିକାର ସମ୍ପାଦକଙ୍କୁ ପତ୍ର ଲେଖି ଓଡ଼ିଆ ଭାଷାର ସୁରକ୍ଷା ପାଇଁ ପ୍ରଚାର କରିବାକୁ ଅନୁରୋଧ କରିଥିଲେ। ସମସ୍ତ ପ୍ରକାର ସରକାରୀ ଚାକିରୀ କ୍ଷେତ୍ରରେ ଓଡ଼ିଆମାନଙ୍କୁ ବଞ୍ଚିତ କରାଯାଉଥିବାରୁ ଏହାର ଦୃଢ ପ୍ରତିବାଦ କରିବାସହ ଆନ୍ଦୋଳନ ଆହୁରି ତୀବ୍ରତର କରିବାକୁ ରାଜା ଭେଙ୍କଟେଶ୍ଵର ସମସ୍ତ ଉପସ୍ଥିତ ସଦସ୍ୟଙ୍କର ସହାୟତା ଲୋଡ଼ିଥିଲେ ଓ ଓଡ଼ିଆ ଭାଷାଭାଷୀ ଅଞ୍ଚଳକୁ ଗୋଟିଏ ସୂତ୍ରରେ ବାନ୍ଧିରଖିବା ପାଇଁ ଆହ୍ୱାନ ଦେଇଥିଲେ।

ଏହି ଅଧିବେଶନ ପରେ ରମ୍ଭା, ବ୍ରହ୍ମପୁର ଓ କଟକ ଅଧିବେଶନ ହିଁ ଥିଲା ପରବର୍ତ୍ତୀ ବୃହତ ସମାବେଶ, ଯହିଁରୁ ଜନ୍ମ ନେଇଥିଲା ଗଞ୍ଜାମ ଜାତୀୟ ସମିତି ଓ ଉତ୍କଳ ସମ୍ମିଳନୀ।

ପ୍ରଚଣ୍ଡ ଭାଷାପ୍ରେମୀ, ସ୍ଵାଭିମାନୀ, ସ୍ଵାଧୀନଚେତା, ସ୍ଵଦେଶୀ ଚିନ୍ତାଧାରାର ବାର୍ତ୍ତାବହ ମହାରାଜା ଭେଙ୍କଟେଶ୍ଵର ଦେଓ ଆଜି କିନ୍ତୁ ଅନାଲୋଚିତ ବ୍ୟକ୍ତିତ୍ଵ। ସେ ପ୍ରକୃତରେ ଭାଷା ଆନ୍ଦୋଳନର ଅଗ୍ରନେତା, ସଙ୍ଗଠକ, ଜନନାୟକ ଓ ତ୍ୟାଗୀ। ଓଡ଼ିଶାର ଇତିହାସ ପୃଷ୍ଠାରେ ସ୍ଥାନିତ ହୋଇପାରିନାହାନ୍ତି ସଠିକ୍ ଭାବେ। ତଥାପି ଏ ଜାତି ପାଇଁ ତାଙ୍କର ଅବଦାନ ଦୃଷ୍ଟିରୁ ସେ ଯଶୋଦେହେ ଆୟୁଷ୍ମାନ

ଦଣ୍ଡବତ ପ୍ରଣାମ ଏହି ପ୍ରବାଦ ରାଜନଙ୍କୁ । ‘ଅନ୍ତରଙ୍ଗ କଳିଙ୍ଗ’ର ଭକ୍ତିପୂତ ଶ୍ରଦ୍ଧାଞ୍ଜଳି।

ଆଧାର: କାହ୍ନୁ ବାଳକୃଷ୍ଣ ବିହାରୀ, ଉତ୍କଳ ପ୍ରସଙ୍ଗ, ମେ ୨୦୧୮

Maharaja Venkateswar Deo

© Niranjan Sahu

Spread the love
admin

Recent Posts

ଓଗାଳ

~ ଗୋପାଳଙ୍କ ଓଗାଳ ~ ଲେଖା: ନିରଞ୍ଜନ ସାହୁ ଆଜି ପବିତ୍ର ଫଗୁଦଶମୀ। ପୁରପଲ୍ଲୀ ଉତ୍ସବ ମୁଖର। ନନ୍ଦସୁତ କହ୍ନାଇ…

3 weeks ago

ଜଳଖିଆ

~ ଜଳଖିଆ ~ ଲେଖା: ଡ. ଜୟଶ୍ରୀ ନନ୍ଦ ଯେଉଁ ସ୍ଥାନକୁ ସ୍ବୟଂ ବିଷ୍ଣୁ ଭୋଜନ ପାଇଁ ବାଛିଥିଲେ ସେ…

1 month ago

ଉଠ କଙ୍କାଳ

~ ଉଠ କଙ୍କାଳ ରଚନାର ପୃଷ୍ଠଭୂମି ~ ଉପସ୍ଥାପନା: ଦେଵ ତ୍ରିପାଠୀ "ଉଠ କଙ୍କାଳ, ଛିଡ଼ୁ ଶୃଙ୍ଖଳ, ଜାଗ ଦୁର୍ବଳ…

1 month ago

ହାତଖଣ୍ଡି ଗୌରାଙ୍ଗ ଦାସ

~ କୃଷକ ଆନ୍ଦୋଳନର ଅଧିନେତା ଗୌରାଙ୍ଗ ଦାସ ଓରଫ୍ ହାତଖଣ୍ଡି ଗୌରାଙ୍ଗ ଦାସ ~ ଲେଖା: ନିରଞ୍ଜନ ସାହୁ ଅନ୍ୟାୟ, ଅସତ୍ୟ ବିରୁଦ୍ଧରେ…

2 months ago

ଭକ୍ତକବି ମଧୁସୂଦନ ରାଓ

~ ଭକ୍ତକବି ମଧୁସୂଦନ ରାଓ ~ ଲେଖା: ଶୁଭ ରଞ୍ଜନ ପୃଷ୍ଟି ଆଜି ଯଦି ଆମେ ଓଡ଼ିଆ କହୁଛେ, ଓଡ଼ିଆ…

2 months ago

ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ

~ ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ: ଜଣେ ବିଚିତ୍ରବର୍ଣ୍ଣା ତୂଳୀକାର ~ ଲେଖା: ନିରଞ୍ଜନ ସାହୁ ଉନ୍ନବିଂଶ ଶତାବ୍ଦୀର ମଧ୍ୟ…

2 months ago