~ ମା’ ନାରାୟଣୀ ~

ଉପସ୍ଥାପନା: ନୟାଗଡ଼ ଇତିହାସ
ଖୋର୍ଦ୍ଧା ଗଜପତି ଦ୍ୱିତୀୟ ରାମଚନ୍ଦ୍ର ଦେବଙ୍କ ନିର୍ଦେଶରେ ଆଠଗଡ, ନୟାଗଡ଼, ଖଲ୍ଲିକୋଟ, ଧରାକୋଟ ଏବଂ ମହୁରୀ ରାଜାଙ୍କ ମିଳିତ ଆକ୍ରମଣରେ ବାଣପୁର ରାଜା ପରାଜିତ ହେବା ଏବଂ ଗଡ଼ର ଅଧିଷ୍ଠାତ୍ରୀ ଦେବୀ ମା’ ନାରାୟଣୀ ଆଠଗଡ଼ ଆଗମନ, ତଥା ଖଲ୍ଲିକୋଟ ରାଜାଙ୍କ ଦ୍ୱାରା ସେଇ ପ୍ରଥମ ଶକ୍ତି ପୀଢ଼ରେ ଦେବୀଙ୍କ ଅନ୍ୟ ଏକ ବିଗ୍ରହ ସ୍ଥାପନ କରିବା ସମ୍ପର୍କରେ ଐତିହାସିକ ତଥ୍ୟ:
ଓଡ଼ିଶାର ଭୋଇବଂଶ ଶାସନ ସମୟରେ ଖୋର୍ଦ୍ଧାଗଡ଼ର ମହାରାଜା ଥିଲେ ଗଜପତି ଦ୍ୱିତୀୟ ରାମଚନ୍ଦ୍ର ଦେବ (ଖ୍ରୀ:-୧୭୨୭-୧୭୩୭) ସେ ସମୟରେ ଓଡ଼ିଶାର ମହାରାଜା ବୋଲି ବୁଝାଯାଉଥିଲା ଖୁର୍ଦ୍ଦା ରାଜାଙ୍କୁ। ଗଜପତିଙ୍କ ସମସାମୟିକ ଥିଲେ ବାଣପୁର (ବଙ୍କାଡ଼ଗଡ଼)ର ରାଜା ଜଗନ୍ନାଥ ମାନସିଂହ(ଖ୍ରୀ:-୧୬୫୭-୧୭୩୭) । ସମ୍ପର୍କରେ ଗଜପତି ଥିଲେ ବଙ୍କାଡ଼ଗଡ଼ର ଜାମାତା । ଉକ୍ତ ଗଜପତି ପରିସ୍ଥିତିର ଚାପ ଏବଂ ଉତ୍କଳର ଆରାଧ୍ୟ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ଅସ୍ମିତା ରକ୍ଷା ନିମନ୍ତେ ସେ ବାଧ୍ୟ ହୋଇ ଇସଲାମ ଧର୍ମ ଗ୍ରହଣ କରି ହାଫିଜ କାଦର ନାମରେ ପରିଚିତ ହୋଇଥିଲେ।
(ବାଣପୁର ଇଷ୍ଟଦେବୀ ମା ନାରାୟଣୀ ଆଠଗଡ଼ ଯିବାପରେ ଉକ୍ତ ପୀଠରେ
ବର୍ତମାନ ପୂଜା ପାଉଥିବା ଉକ୍ତ ବିଗ୍ରହଟି ଖଲ୍ଲିକୋଟ ରାଜାଙ୍କ ଦ୍ୱାରା ସ୍ଥାପନ କରାଯାଇଥିଲା)
ମୁସଲମାନ କନ୍ୟାଙ୍କୁ ମିଶାଇ ରାମଚନ୍ଦ୍ର ଦେବ ଗଜପତିଙ୍କର ତିନୋଟି ରାଣୀ ଥିଲେ । ବଙ୍କାଡ଼ଗଡ଼ (ବାଣପୁର)ର ଜେମାମଣୀ ଲଳିତାଦେଈ ଥିଲେ ମହାରାଜାଙ୍କ ଦ୍ୱିତୀୟ ରାଣୀ । ଗଜପତିଙ୍କ ଧର୍ମ ପରିବର୍ତ୍ତନ ଖବର ଶୁଣି ବାଣପୁର ରାଜା ଜଗନ୍ନାଥ ମାନସିଂହ ଅତ୍ୟନ୍ତ କ୍ରୋଧିତ ହେଲେ। ସେ ନିଜ କନ୍ୟା ସହିତ ନାତି ଭାଗିରଥି ଦେବ (ପରବର୍ତ୍ତୀ ଗଜପତି ବୀରକିଶ୍ଵର ଦେବ)ଙ୍କୁ ନିଜ ରାଜ୍ୟକୁ ଆଣି ସୋଲାରୀ ପାହାଡ଼ ପାଦଦେଶରେ ଏକ ନଅର ତୋଳାଇ ରଖାଇଥିଲେ । ଏହାପରେ ଗଜପତିଙ୍କୁ କୌଣସି କର ନ ଦେବାକୁ ରାଜା ସଙ୍କଳ୍ପ ନେଇଥିଲେ। ବାଣପୁର ରାଜାଙ୍କ ଏହି ଦୁଃସାହସିକ କାର୍ଯ୍ୟ ଦେଖି ଗଜପତି ବଙ୍କାଡ଼ଗଡ଼ ରାଜ ଦରବାରକୁ ଦୂତ ପ୍ରେରଣ କରିଥିଲେ, କିନ୍ତୁ ରାଜା ଜଗନ୍ନାଥ ମାନସିଂହ ଏଥିରେ ଆହୁରି ଉଗ୍ର ହୋଇ ଦୂତକୁ ଅପମାନ କରି ବସିଥିଲେ। ଏହି ଅପମାନଜନକ ଘଟଣା ହିଁ ଦୁଇ ରାଜ୍ୟ ମଧ୍ୟରେ ଏକ ଯୁଦ୍ଧ ସଂଗଠିତ ହେବାର ପ୍ରମୁଖ କାରଣ ହୋଇଥିଲା ।
(ଖୋର୍ଦ୍ଧା ଜିଲ୍ଲା ଗଞ୍ଜାମ ଜିଲ୍ଲା ସୀମା ଖଲ୍ଲିକୋଟରେ ଥିବା ମା’ ନାରାୟଣୀ ପୀଠ)
~ ବାଣପୁର ରାଜାଙ୍କ ଅସନ୍ତୋଷ ଓ ଖୁର୍ଦା ସହ ଯୁଦ୍ଧ ଆରମ୍ଭ ~
ଏହି ଯୁଦ୍ଧରେ ଗଜପତି ମୁଖ୍ୟ ସେନାପତି ଭାବରେ କୋଦଳା ଆଠଗଡ଼ର ତତ୍କାଳୀନ ଜମିଦାର ରଘୁନାଥ ହରିଚନ୍ଦନ ଜଗଦ୍ଦେବ (ଖ୍ରୀ:-୧୭୧୨-୧୭୩୨)ଙ୍କୁ ଦାୟିତ୍ୱ ଦେଇଥିଲେ ଏବଂ ତାଙ୍କ ସହ ଯୋଗ ଦେଈଥିଲେ ନୟାଗଡ଼ର ରାଜା ଚନ୍ଦ୍ରଶେଖର ସିଂହ ମାନଧାତା (ଖ୍ରୀ. ୧୭୩୦–୧୭୫୦), ଖଲ୍ଲିକୋଟ ଜମିଦାର ବାଲୁଙ୍କେଶ୍ୱର ମର୍ଦ୍ଧରାଜ (ଖ୍ରୀ:-୧୬୭୦-୧୭୩୦), ଧରାକୋଟ ରାଜା ଜୟ ସିଂହ (ଖ୍ରୀ:-୧୭୩୧-୧୭୫୮) ଏବଂ ମହୁରୀ ଜମିଦାର କୃପାସିନ୍ଧୁ ନରେନ୍ଦ୍ର ଦେବ । ପାଞ୍ଚ ରାଇଜର ମିଳିତ ଆକ୍ରମଣରେ ବାଣପୁର ରାଜ୍ୟ ଅସ୍ଥିର ହୋଇପଡ଼ିଲା। ଧାର୍ମିକ ପ୍ରଜାବତ୍ସଳ ତଥା ରଙ୍କନାଥ ମହାପ୍ରଭୁଙ୍କ ଅନନ୍ୟ ଭକ୍ତ ରାଜା ଜଗନ୍ନାଥ ମାନସିଂହ ଯୁଦ୍ଧରେ ପରାଜିତ ହେଲେ। ଯୁଦ୍ଧ ଜୟ ପରମ୍ପରା ଅନୁସାରେ ବିଜୟୀ ରାଜାମାନେ ବାଣପୁର ରାଜକୋଷ ଲୁଣ୍ଠନ କଲେ ଓ ଅନେକ ଧନସମ୍ପତ୍ତି ନେଇ ନିଜ ରାଜ୍ୟକୁ ଫେରିଥିଲେ ।
(ଖୋର୍ଦ୍ଧା ଜିଲ୍ଲା ଗଞ୍ଜାମ ଜିଲ୍ଲା ସୀମା ଖଲ୍ଲିକୋଟରେ ଥିବା
ମା’ ନାରାୟଣୀ ପୀଠ ମଧ୍ୟରେ ଥିବା ଲିଙ୍ଗରୂପୀ ଶ୍ରୀ ମହେଶ)
~ ମା’ ନାରାୟଣୀଙ୍କ କୋଦଳା ଆଠଗଡ଼ ନିଜିଗଡ଼କୁ ଆଗମନ ~
ବଙ୍କାଡ଼ଗଡ଼ର ସୀମା ମଧ୍ୟରେ ଥିବା ଆଜିର ନାରାୟଣୀ ପୀଠ ଅଞ୍ଚଳକୁ ଖଲ୍ଲିକୋଟ ରାଜା ଅକ୍ତିଆର କରି ନିଜ ରାଜ୍ୟ ସହ ମିଶାଇଦେଲେ। ସେହି ପାହାଡ଼ ଗୁମ୍ଫାରେ ଓଡିଶା ଭୌମବଂଶ ମହାରାଜାମାନଙ୍କ ଦ୍ୱାରା ସ୍ଥାପିତ ହୋଇଥିବା ମା’ ନାରାୟଣୀ, ଯିଏ ପରବର୍ତ୍ତୀ ସମୟରେ ବାଣପୁର ରାଇଜର ଅଧିଷ୍ଠାତ୍ରୀ ଦେବୀ ରୂପେ ମାନ୍ୟତା ପାଇଥିଲେ । ସେଇ ଦେବୀ ମା’ ନାରାୟଣୀଙ୍କୁ ଆଠଗଡ଼ ରାଜା ଭକ୍ତି ଦ୍ୱାରା ପ୍ରସନ୍ନ କରି ନିଜ ରାଜ୍ୟକୁ ଆଣିବାକୁ ଚାହିଁଲେ । ଦେବୀ ରାଜାଙ୍କ ଭକ୍ତିରେ ସ୍ୱୀକୃତି ଦେଇ ତାଙ୍କ ସହ ଯିବା ପାଇଁ ରାଜି ହୋଇଥିଲେ । ଦେବୀଙ୍କ ଆଜ୍ଞା ଅନୁସାରେ, ପରବର୍ତ୍ତୀ ଦିନ ସୂର୍ଯ୍ୟୋଦୟ ସମୟରେ ରାଜା ମା’ଙ୍କ ଅଷ୍ଟଭୁଜା ମହିଷାମର୍ଦ୍ଦିନୀ କୃଷ୍ଣ ମଣିଶିଳା ମୂର୍ତ୍ତିକୁ ନିଜ କୋଳରେ ଧରି ପଦବଜ୍ରରେ ନିଜିଗଡ଼କୁ ଯାତ୍ରା କଲେ । ଦେବୀଙ୍କ ଇଛା ତଥା ମାୟାରେ ଯେଉଁ ସ୍ଥାନରେ ସନ୍ଧ୍ୟା ହେଲା, ସେଇଠି ଦେବୀଙ୍କ ପାଷାଣମୂର୍ତ୍ତି ପ୍ରତିଷ୍ଠା କରାଗଲା ।
(ବାଣପୁର ଜୟ ପରେ ଆଠଗଡ ରାଜାଙ୍କ ଭକ୍ତିରେ ପ୍ରସନ୍ନ ହୋଇ
ଦେବୀ ନାରାୟଣୀ ଆଠଗଡ ଆସି ଏଠାରେ ସ୍ଵେଛାରେ ସ୍ଥାପନ ହୋଇଥିଲେ)
କୋଦଳା ଆଠଗଡ଼ ଇତିହାସ କୁହେ ରାଜା ରଘୁନାଥ ହରିଚନ୍ଦନ (ଖ୍ରୀ:-୧୭୧୨-୧୭୩୨) ଦେବୀଙ୍କ ପ୍ରତିମାଙ୍କୁ ଆଣୁଥିବା ସମୟରେ ଆଠଗଡ଼ ନିଜିଗଡ଼ ଠାରୁ ଅନତି ଦୁରରେ ଥିବା ଅଜୟଗଡ଼ ନିକଟସ୍ଥ ଶବଡ଼ାନାଳ ଠାରେ ସୂର୍ଯ୍ୟାସ୍ତ ହୋଇଯାଇଥିଲା । ଯେଉଁ କାରଣରୁ ଦେବୀଙ୍କ ଆଜ୍ଞାରେ ରାଜା, ମା’ଙ୍କ ସେଇ କୃଷ୍ଣପାଷାଣ ପ୍ରତିମାଙ୍କୁ ସେଇଠାରେ ବୈଦିକ ଦେବୀପୂଜା ରୀତିନୀତି ଅନୁସାରେ ସ୍ଥାପନ କରାଇଥିଲେ । ଏହା ସହ ଦେବୀଙ୍କ ସମୁଖ ଭାଗରେ ରାଜା ଏକ ଶିବଲିଙ୍ଗ ସ୍ଥାପନ କରିଥିଲେ ଯାହାଙ୍କ ନାମ ଦେଇଥିଲେ  ସ୍ୱପ୍ନେଶ୍ୱର ମହାଦେବ । ଜନଶ୍ରୁତି କୁହେ, ଦେବୀଙ୍କ ସ୍ଥାପନ ପରେ ଭଗବାନ ଶିବଙ୍କ ରାଜାଙ୍କୁ ସ୍ୱପ୍ନାଦେଶ ଥିଲା ତାଙ୍କୁ ଦେବୀଙ୍କ ସମୁଖରେ ସ୍ଥାପନ କରିବା ପାଇଁ ଯାହା ରାଜା ଈଶ୍ଵରଙ୍କ ଆଜ୍ଞା ପାଳନ କରିଥିଲେ ଏବଂ ଦିଅଁଙ୍କ ନାମ ରଖିଥିଲେ ଶ୍ରୀ ଶ୍ରୀ ସ୍ୱପ୍ନେଶ୍ୱର ମହାଦେବ । ଦୁଇ ଠାକୁରଙ୍କ ନିମନ୍ତେ ରାଜା ଦେଉଳ ତୋଳାଇ ଅନେକ ଜମି ଭୋଗରାଗ ଖଞ୍ଜାଇଥିଲେ ।
(ଗଞ୍ଜାମ ଆଠଗଡ ଜମିଦାରୀ ମଧ୍ୟରେ ଥିବା ମା’ ନାରାୟଣୀଙ୍କ ମନ୍ଦିର)
~ ଖଲ୍ଲିକୋଟ ରାଜାଙ୍କ ଦ୍ୱାରା ଉକ୍ତ ସ୍ଥାନରେ ଦେବୀ ନାରାୟଣୀଙ୍କ ନୂତନ ମୂର୍ତ୍ତି ସ୍ଥାପନ ତଥ୍ୟ ~
ଖଲ୍ଲିକୋଟ ଇତିହାସର କୁହେ ଯେବେ ଦେବୀ ନାରାୟଣୀ ବାଣପୁର ଅଞ୍ଚଳରୁ ବିଦାୟ ନେଇଥିଲେ, ତାପରେ ସେହି ପର୍ବତଗୁମ୍ଫା ନିରବ ଓ ଶୂନ୍ୟ ହୋଇପଡ଼ିଲା। ଦେବୀଙ୍କ ଅନୁପସ୍ଥିତି ଭକ୍ତମାନଙ୍କ ହୃଦୟରେ ଅସୀମ ବିରହ ଓ ବିସାଦ ଘନେଇଥିଲା । ରାଜା ବାଲୁଙ୍କେଶ୍ୱର ମର୍ଦ୍ଦରାଜ (ଖ୍ରୀ:-୧୬୭୦-୧୭୩୦) ଭକ୍ତମାନଙ୍କର ସେହି ଗଭୀର ଭକ୍ତିକୁ ସମ୍ମାନ ଦେଇ ସେଠାରେ ଏକ ଅଷ୍ଟଭୁଜା ଶିଳାମୂର୍ତ୍ତି ନିର୍ମାଣ କରାଇ, ତାହାକୁ ସେହି ଗୁମ୍ଫା ମଧ୍ୟରେ ପ୍ରତିଷ୍ଠା କରାଇଥିଲେ। ଏଭଳି ଭାବେ ଦେବୀ ନାରାୟଣୀ ଏଠାରେ ପୁନର୍ଜୀବିତ ହୋଇ ପ୍ରତିଷ୍ଠା ହେଲେ ଓ ଖଲ୍ଲିକୋଟ ଜମିଦାରୀର ଅଧିଷ୍ଠାତ୍ରୀ ଦେବୀ ଭାବେ ସ୍ଥାପିତ ହେଲେ।
(ଗଞ୍ଜାମ ଆଠଗଡ ଜମିଦାରୀର ଭଗ୍ନ ରାଜପ୍ରସାଦର ମୁଖ୍ୟ ପ୍ରବେଶ ଦ୍ୱାର)
କାଳକ୍ରମେ ସେହି ପବିତ୍ର ସ୍ଥାନ ଓଡ଼ିଶାର ଏକ ପ୍ରମୁଖ ଦେବୀପୀଠ ଭାବେ ଖ୍ୟାତି ଲାଭ କଲା। ଏଠାରେ ଦେବୀଙ୍କ ସହ ଏକ ବିଶାଳ ଶ୍ରୀ ଶିବଲିଙ୍ଗ ମଧ୍ୟ ପୂଜା ପାଉଛନ୍ତି, ଯାହା ରାଜା ବାଲୁଙ୍କେଶ୍ୱର ମର୍ଦ୍ଦରାଜ (ଖ୍ରୀ:-୧୬୭୦-୧୭୩୦)ଙ୍କ ଦ୍ୱାରା ଦେବୀଙ୍କ ସମୁଖରେ ସ୍ଥାପନ କରାଯାଇଥିଲା । ଉକ୍ତ ପୀଠଟି ଶ୍ରୀ ଶିବ ଓ ଆଦିଶକ୍ତି ମା’ ନାରାୟଣୀଙ୍କ ଦିବ୍ୟ ମିଳନର ପ୍ରତୀକ ଭାବେ ଦେଖାଯାଏ। ଆଜି ସେହି ଗୁମ୍ଫାଟିର ପରିବେଶ ଏକ ଭକ୍ତି, ଶକ୍ତି ଓ ଆଧ୍ୟାତ୍ମିକତାର ଅବିସ୍ମରଣୀୟ ପୀଠଭୂମି ଭାବେ ଓଡ଼ିଶାର ମାନଚିତ୍ରରେ ଉଜ୍ଜ୍ୱଳ ହୋଇରହିଛି।
ବି.ଦ୍ର. – ମୂଳ ଚିତ୍ରଟି ଖଲ୍ଲିକୋଟ ଜମିଦାରୀ ଅନ୍ତର୍ଗତ ମା ନାରାୟଣୀଙ୍କ ପୀଠର ଚିତ୍ର
Maa Narayani Prasanta Kumar Das  Nayagarh Itihasa
Khurda Khallikote Dharakote Mahuri Gajapati
Spread the love
Antaranga Kalinga

Recent Posts

ଜଳଖିଆ

~ ଜଳଖିଆ ~ ଲେଖା: ଡ. ଜୟଶ୍ରୀ ନନ୍ଦ ଯେଉଁ ସ୍ଥାନକୁ ସ୍ବୟଂ ବିଷ୍ଣୁ ଭୋଜନ ପାଇଁ ବାଛିଥିଲେ ସେ…

3 days ago

ଉଠ କଙ୍କାଳ

~ ଉଠ କଙ୍କାଳ ରଚନାର ପୃଷ୍ଠଭୂମି ~ ଉପସ୍ଥାପନା: ଦେଵ ତ୍ରିପାଠୀ "ଉଠ କଙ୍କାଳ, ଛିଡ଼ୁ ଶୃଙ୍ଖଳ, ଜାଗ ଦୁର୍ବଳ…

1 week ago

ହାତଖଣ୍ଡି ଗୌରାଙ୍ଗ ଦାସ

~ କୃଷକ ଆନ୍ଦୋଳନର ଅଧିନେତା ଗୌରାଙ୍ଗ ଦାସ ଓରଫ୍ ହାତଖଣ୍ଡି ଗୌରାଙ୍ଗ ଦାସ ~ ଲେଖା: ନିରଞ୍ଜନ ସାହୁ ଅନ୍ୟାୟ, ଅସତ୍ୟ ବିରୁଦ୍ଧରେ…

4 weeks ago

ଭକ୍ତକବି ମଧୁସୂଦନ ରାଓ

~ ଭକ୍ତକବି ମଧୁସୂଦନ ରାଓ ~ ଲେଖା: ଶୁଭ ରଞ୍ଜନ ପୃଷ୍ଟି ଆଜି ଯଦି ଆମେ ଓଡ଼ିଆ କହୁଛେ, ଓଡ଼ିଆ…

4 weeks ago

ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ

~ ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ: ଜଣେ ବିଚିତ୍ରବର୍ଣ୍ଣା ତୂଳୀକାର ~ ଲେଖା: ନିରଞ୍ଜନ ସାହୁ ଉନ୍ନବିଂଶ ଶତାବ୍ଦୀର ମଧ୍ୟ…

1 month ago

ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ

ଲେଖା: ନିରଞ୍ଜନ ସାହୁ ~ ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ ~ "ପ୍ରଥମ ଯୌବନରେ ବାପା-ମାଆ-ଭାଇ-ଭଉଣୀଙ୍କ ଉପସ୍ଥିତି ସତ୍ତ୍ୱେ ଏକ…

1 month ago