~ ଉତ୍କଳରେ କାଠି ଠାକୁରାଣୀ (ଖମ୍ବେଶ୍ଵରୀ) ପୂଜା ପରମ୍ପରା ~
ଉପସ୍ଥାପନା: ନୟାଗଡ଼ ଇତିହାସ
ଓଡ଼ିଶା ଇତିହାସ ଲେଖକ ପଣ୍ଡିତ କୃପାସିନ୍ଧୁ ମିଶ୍ରଙ୍କ ଲିଖିତ ଉତ୍କଳ ଇତିହାସ ପୃଷ୍ଠା ୪୩ର ଲେଖାନୁସାରେ ଯଯାତି କେଶରୀ (୧) (ଖ୍ରୀ:-୫୫୨-୫୯୮) ପିତା ଜନ୍ମେଜୟଙ୍କ ଭଳି ଯଯାତି ମଧ୍ୟ ପବିତ୍ର ବୈତରଣୀ ନଦୀ କୂଳରେ ଏକ ଯଜ୍ଞ କରାଇବା ପାଈଁ ମନ ବଳାଇଲେ | ହିନ୍ଦୁ ଧର୍ମର ପୁନଃ ଜାଗରଣ ନିମିତ୍ତ ବୈତରଣୀ ନଦୀ କୁଳ ଅଧୁନା ଯାଜପୁର (ଯଜ୍ଞପୁର) ଠାରେ ଏହି ଯଜ୍ଞ ଅନୁଷ୍ଠିତ ହୋଇଥିଲା | ଆମ ଓଡ଼ିଶା ଭାଷା ପୁସ୍ତକର ଲେଖକ କୀର୍ତ୍ତନ ନାରାୟଣ ପାଢ଼ୀ ନିଜ ପୁସ୍ତକର ପୃଷ୍ଠା ୨୬୨ ରେ ଦର୍ଶାଇଛନ୍ତି ମହାଶିବଗୁପ୍ତ ଯଯାତି (ପ୍ରଥମ) ବୈତରଣୀ କୁଳରେ ଏକ ଯଜ୍ଞ କରାଇଥିଲେ | ଡକ୍ଟର ହରେକୃଷ୍ଣ ମହତାବ ଏହି ରାଜାଙ୍କ ଶାସନ ସମୟ ସ୍ଥିର କରିବାକୁ ଯାଇ ସ୍ଵଲିଖିତ ଓଡ଼ିଶା ଇତିହାସର ପୃଷ୍ଠା ୯୨ ପାରାଗ୍ରାପ ଦ୍ୱତୀୟରେ ଦର୍ଶାଇଛନ୍ତି ମହାଭାଗଗୁପ୍ତ ଜନ୍ମଜେୟଙ୍କ ରାଜ୍ୟକାଳ ଖ୍ରୀ:୭୧୨ରେ ଶେଷ ହୋଇଥିବାର ଆନୁମାନ କରାଯାଏ, ଏବଂ ତାଙ୍କ ପରେ ତାଙ୍କ ପୁତ୍ର ମହାଶିବଗୁପ୍ତ ଯଯାତି (୧) ତ୍ରିକଳିଙ୍ଗ ରାଜ୍ୟର ଉତ୍ତରାଧିକାରୀ ହେଲେ |
ଶାସନ ସମୟ (ଖ୍ରୀ:୭୧୨-୭୪୪)|ପ୍ୟାରୀମୋହନ ଆଚାର୍ଯ୍ୟଙ୍କ ଲିଖିତ ଓଡ଼ିଶାର ଇତିହାସ ପୁସ୍ତକର ପୃଷ୍ଠା ୬୧ର ତଥ୍ୟନୁସାରେ କଥିତ ଅଛି ଯଯାତି କେଶରୀଙ୍କ ରାଜ୍ୟ ଶାସନ ଆରମ୍ଭ କରିବା ସମୟରେ ବୌଦ୍ଧଧର୍ମ ପ୍ରଭାବରୁ ବେଦଜ୍ଞ ଓ ଶାସ୍ତ୍ରଚିତ ଆଚାର ବିଶିଷ୍ଟ ବ୍ରାହ୍ମଣ ଓଡ଼ିଶାରେ ଦୃଷ୍ପାପ୍ୟ ଦେଖି ସତ୍କର୍ମଶୀଳ ଦଶସହସ୍ର ବ୍ରାହ୍ମଣଙ୍କୁ କାନ୍ୟକୁଵଜରୁ ଅଣାଇଲେ | ଅର୍ଥାତ ସେହି ସମୟରେ ଉତ୍କଳ ଭୂମିରେ ଶାସ୍ତ୍ରୀୟ ବୈଦିକ ବ୍ରାହ୍ମଣମାନଙ୍କ ଅକାଳ ପଡିଥିଲା ବ୍ରାହ୍ମଣ ଗୋସେଇଁମାନେ, ମ୍ଲେଚ୍ଛ ବେଦଦ୍ରୋହୀ ବୌଦ୍ଧମାନଙ୍କ ପ୍ରଭାବରେ ଦୀର୍ଘ ବର୍ଷ ରହିବାରୁ ସ୍ଵଧର୍ମ, ସଂସ୍କୃତି, ପରମ୍ପରା ଭୁଲି ଯାଇଥିଲେ, ଯେଉଁ କାରଣରୁ ମହାରାଜା ଉତ୍ତର ଭାରତ କୌନଜରୁ ଦଶହଜାର ବୈଦିକ ବ୍ରାହ୍ମଣ ଆଣି ଯଜ୍ଞ ସମ୍ପୂର୍ଣ୍ଣ କରିଥିଲେ ଏବଂ ସେମାନଙ୍କୁ ଓଡ଼ିଶାରେ ରଖାଇଥିଲେ |
ଓଡ଼ିଶାର ମୂଳ ବାସିନ୍ଦା ଉଡ୍ର ଆର୍ଯ୍ୟମାନେ ସାଧାରଣତଃ ପ୍ରକୃତିର ଉପାସକ ଥିଲେ ଏବଂ ପ୍ରକୃତିରୂପା ଆଦିଶକ୍ତି ମା’ ଦୁର୍ଗାଙ୍କୁ ପ୍ରସ୍ତର ଏବଂ କାଠି ମାଧ୍ୟମରେ ପୂଜା ଅର୍ଚନା କରୁଥିଲେ, ଯାହାର ଉଦାହରଣ ଆମେ ପଶ୍ଚିମ ମାଳ ଅଞ୍ଚଳର କାଠି ଠାକୁରାଣୀ ମାନଙ୍କ ପୂଜା ପରମ୍ପରାକୁ ଦେଖିପାରିବା | ସର୍ବପୁରାତନ ଦେବୀ ହିସାବରେ ଦକ୍ଷିଣ ଓଡ଼ିଶାର ଆସ୍କାଠାରେ ମା’ ଖମ୍ବେଶ୍ୱରୀଙ୍କ ମୂର୍ତ୍ତି, ବାଣପୁରର ମା’ ଭଗବତୀଙ୍କ ଚଳନ୍ତି ବିଗ୍ରହ କାଠି ଠାକୁରାଣୀ ଆଦିକୁ ଆମେ ସେଇ ପୁରାତନ ଉଡ୍ର ଆର୍ଯ୍ୟ ଆଦିବାସୀ, କନ୍ଧ ଭୂଇଁଆ ମାନଙ୍କ ପୂଜା ପଦ୍ଧତିର ପ୍ରମାଣ ସ୍ୱରୂପ ନେଇ ପରିବା | ଓଡ଼ିଶାକୁ ନୂତନ କରି ଆସିଥିବା ବ୍ରାହ୍ମଣମାନେ ପୂର୍ବବାସିନ୍ଦା ବ୍ରାହ୍ମଣମାନଙ୍କୁ ଉପେକ୍ଷା କରିବା ଉଚିତ ନ ମଣି, ସେମାନଙ୍କୁ ୟେ ଦେବୀ ଉପାସନା, ପୂଜା ପର୍ବରେ ନିଯୁକ୍ତି କରାଇ ଦେଇଥିଲେ | ଏହା ଦ୍ୱାରା ଓଡ଼ିଶାରେ ଦେବୀପୂଜା ପରମ୍ପରାରେ ଆଉ ଏକ ଅଧ୍ୟାୟ ଯୋଡି ହୋଇ ଯାଇଥିଲା|
ମାଦଳାପାଞ୍ଜି, (ରାଜଭୋଗ ଇତିହାସ) ଶ୍ରୀ ଆର୍ତ୍ତବଲ୍ଲଭ ମହାନ୍ତିଙ୍କ ଦ୍ୱାରା ପ୍ରଥମ ସଂସ୍କରଣ ୧୯୪୦ ମସିହା, ପୃଷ୍ଠା ନମ୍ବର ୨୨ ତଥ୍ୟନୁସାରେ କେଶରୀ ବଂଶ ଉପରାନ୍ତେ ତତ୍କାଳୀନ ଜୈନିକ ତାନ୍ତ୍ରିକ ଦେବୀ ମା’ ନିତେଇ ଧୋବଣୀଙ୍କ କୃପାରୁ ଦକ୍ଷିଣ କଳିଙ୍ଗ ପ୍ରଦେଶର ଗଙ୍ଗ କୁମାର, ଉତ୍କଳ ମନ୍ତ୍ରୀ ବାସୁଦେବ ରଥଙ୍କ ଅନୁରୋଧେ ତଥା ପରମେଶ୍ୱର (ଶ୍ରୀ ଲିଙ୍ଗରାଜ ମହାପ୍ରଭୁ)ଙ୍କ ଆଦେଶରେ, ଓଡ଼ିଶାରେ ଗଙ୍ଗବଂଶ ସ୍ଥାପନ କରି ଚୋଡ଼ଗଙ୍ଗ ଦେବ ନାମ ବହି ଓଡ଼ିଶାର ମହାରାଜା ହେଲେ | ଡକ୍ଟର ହରେକୃଷ୍ଣ ମହତାବଙ୍କ ଓଡ଼ିଶା ଇତିହାସ ପୃଷ୍ଠା ୧୧୦ରେ ଅନନ୍ତ ବର୍ମା ଚୋଡ଼ଗଙ୍ଗ ଦେବଙ୍କ ଶାସନ ସମୟ (ଖ୍ରୀ:-୧୦୭୭-୧୧୪୭)ଦର୍ଶାଇଛନ୍ତି | ସେ ବୈଦିକ ବ୍ରାହ୍ମଣ ଧର୍ମ ଅନୁଗାମୀ ତଥା ପରମ ବୈଷ୍ଣବ ସହ ଶକ୍ତି ଉପସକ ମଧ୍ୟ ଥିଲେ | ପୁରୀ ସ୍ଥିତ ଅଧୁନା ଶ୍ରୀଜଗନ୍ନାଥ ମନ୍ଦିର ଏହି ରାଜାଙ୍କ ଅକ୍ଷୟ କୀର୍ତ୍ତି ଅଟେ | ମହାରାଜାଙ୍କ ଆଗ୍ରହ ଦେଖି ତତ୍କାଳୀନ ବ୍ରାହ୍ମଣ ଗୋସାଇଁ ମାନେ ପୁରାତନ ପ୍ରଚଳିତ କାଠି ଠାକୁରାଣୀଙ୍କ ପୂଜା ପଦ୍ଧତିରେ କିଛି ନୂତନତ୍ୱ ଆଣିବାକୁ ଚେଷ୍ଟା କରିଥିଲେ |
କଥିତ ଅଛି ଏହି ରାଜାଙ୍କ ଠାରୁ ଗଡ଼ରେ କନକଦୁର୍ଗାଙ୍କ ଧାତୁ ନିର୍ମିତ ପ୍ରତିମା ପୂଜା ଓଡ଼ିଶାରେ ଆରମ୍ଭ ହୋଇଥିଲା | କିଛି ଐତିହାସିକ ମତ ଦିଅନ୍ତି ଶ୍ରୀମନ୍ଦିର ସିଂହାସନ ବିରାଜିତ ଚତୁର୍ଦ୍ଧାମୂର୍ତ୍ତିଙ୍କ ମଧ୍ୟ୍ୟରେ ଥିବା ଦେବ ସୁଦର୍ଶନ ହେଉଛନ୍ତି ସେଇ ଉଡ୍ର ଆର୍ଯ୍ୟଙ୍କ ପୂଜିତ କାଠି ଠାକୁରାଣୀଙ୍କ ପ୍ରତିକ |ଏହା କେତେଦୂର ସତ୍ୟ ତାହା ଗବେଷଣା ସାପେକ୍ଷ |
କିଛି ଐତିହାସିକ କୁହନ୍ତି ଗଙ୍ଗ ବଂଶୀ ରାଜାମାନେ ବୈଷ୍ଣବ ଧର୍ମ ଅନୁଗାମୀ ହୋଇଥିବାରୁ, ରାଜ୍ୟରେ ଏହି ସମୟ ଠାରୁ ଦୁର୍ଗା ମାଧବ ପୂଜା ପରମ୍ପରା ଆରମ୍ଭ ହୋଇଥାଇପାରେ| କାରଣ ଆଜି ମଧ୍ୟ ଦଶହରା ଶେଷ ପର୍ବ ଦିନ ଗଡ଼ରାଜ୍ୟ ମାନଙ୍କର ଗଡ଼ଦେବୀ କନକ ଦୁର୍ଗା ଯାତ୍ରା ପଡିଆକୁ ଯାତ୍ରା କରିବା ସମୟରେ ଶ୍ରୀଜଗନ୍ନାଥଙ୍କ ଛୋଟ ବିଗ୍ରହ ଅବା ଏକକ କୃଷ୍ଣମୂର୍ତ୍ତିକୁ ସାଥିରେ ନେଇ ଯାଇଥାନ୍ତି | ପୁରୀ ଶ୍ରୀମନ୍ଦିରରେ ଏହାକୁ ଶାକ୍ତଗୁଣ୍ଡିଚା ନୀତି କୁହାଯାଏ, ଯେଉଁଠି ଆଦିଶକ୍ତି ଦୁର୍ଗାଦେବୀଙ୍କ ସହ ଶ୍ରୀଜଗନ୍ନାଥଙ୍କ ଚଳନ୍ତି ପ୍ରତିମା ମଧ୍ୟ ପରବରେ ଭାଗ ନେଇଥାନ୍ତି | ନୟାଗଡ଼ ଗଡଜାତରେ ଏହି ଶାରଦୀୟ ଦଶହରା ପରବରେ ଗଡ଼ର ସମସ୍ତ ଦେବୀଙ୍କ ସହ ଶ୍ରୀଜଗନ୍ନାଥ ଏବଂ ଭଗବାନ ବିଶ୍ଵନାଥ ମହାଦେବ ମଧ୍ୟ ଭାଗ ନେଇଥାନ୍ତି | ଅତେବ ଦଶହରା ଯେ କେବଳ ପ୍ରକୃତିରୂପା ଆଦିଶକ୍ତି ଦୁର୍ଗା ମା’ଙ୍କର ନୁହେଁ ଏହା ଆଦି ପୁରୁଷ ଭଗବାନ ମହାଦେବଙ୍କ ସହ ମାୟାପତି ତଥା ବିଶ୍ୱ ପରିଚାଳକ, ପାଳନକର୍ତ୍ତା ଭଗବାନ ଶ୍ରୀ ବିଷ୍ଣୁଙ୍କର ପୂଜା | ଏଣୁ ଦଶହରାକୁ ଆମେ ତ୍ରିଶକ୍ତିର ପୂଜା ଆରାଧନାର ପର୍ବ କହିପାରିବା |
ଓଡ଼ିଶା ମହାରାଜାଙ୍କ ନିର୍ଦେଶରେ ବୋଧେ ହୁଏ ତତ୍କାଳୀନ ସାମନ୍ତ ରାଜା ଏବଂ ପରବର୍ତ୍ତୀ ସମୟରେ ଗଢି ଉଠିଥିବା ଗଡଜାତ ରାଜା ମାନେ ନିଜ ନିଜ ଉଆସରେ ସୁବର୍ଣ୍ଣ/ରୋପ୍ୟ ତଥା ଅଷ୍ଟଧାତୁ ନିର୍ମିତ ଦେବୀ ଦୁର୍ଗାଙ୍କ ମୂର୍ତ୍ତି ବନାଇ, କନକଦୁର୍ଗା ନାମରେ ଗଡ଼ଦେବୀ ରୂପେ ନିଜ ନିଜ ରାଜ୍ୟରେ ପ୍ରତିଷ୍ଠା କରିଥିବେ | ଐତିହାସିକମାନେ ମତ ଦିଅନ୍ତି ଏହି ଧାତୁ ନିର୍ମିତ ଦୁର୍ଗାଦେବୀଙ୍କ ମୂର୍ତ୍ତି ଚତୁର୍ଭୁଜା, ଷଢଭୁଜା ଏବଂ ଅଷ୍ଟଭୁଜା ହେବା ସହ ମହିଷାମର୍ଦ୍ଧିନୀ ମୂର୍ତ୍ତି ହୋଇଥାନ୍ତି | ଦଶଭୁଜା ମୂର୍ତ୍ତି ଓଡ଼ିଶା ଦେବୀପରମ୍ପରାର ଅଂଶ ନୁହେଁ ବୋଲି କହିଥାନ୍ତି ଏହା ବଙ୍ଗାଳିମାନଙ୍କ ଦ୍ୱାରା ଇଂରେଜ ଶାସନ ସମୟରେ ସୃଷ୍ଟି ହୋଇଥିବା ମୃଣୟ ଦୁର୍ଗାମୂର୍ତ୍ତି ହୋଇପାରେ | ନୂତନ କନକଦୁର୍ଗା ପୂଜା ପରମ୍ପରା ଆରମ୍ଭରେ ରାଜା ତଥା ପ୍ରଜାମାନେ ଓଡ଼ିଶାର ପୂର୍ବ ଆଦି ପରମ୍ପରାକୁ ଉପେକ୍ଷା କରିନଥିଲେ | ଯେଉଁ କାରଣରୁ ଓଡ଼ିଶା ରାଜ୍ୟରେ ଏକ ନୂତନ ଦେବୀ ପୂଜାପରମ୍ପରାର ଶୁଭାରମ୍ଭ ହୋଇଥିଲା | ସେଇ ପରମ୍ପରାକୁ ଭିତ୍ତି କରି ଆଜି ଆମ ନୟାଗଡ଼ ଗଡଜାତରେ ରଣପୁର ଏବଂ ନୟାଗଡ଼ ରାଇଜରେ ଯଥାକ୍ରମେ ମା’ ଖିଲାମୁଣ୍ଡା ଏବଂ ମା’ ବାଉରୀଦେବୀ କାଠି ଠାକୁରାଣୀ ରୂପେ ଆଶ୍ୱିନ ମାସର ଦ୍ଵିତୀୟା ଓଷା ପର୍ବ ଦିନ ମଧ୍ୟ ରାତ୍ରରେ ନଅରସ୍ଥିତ କନକଦୁର୍ଗାଙ୍କ ପରବ ବେଦୀକୁ ବିଜେ ହୋଇଥାନ୍ତି |
ଖଣ୍ଡପଡା ଗଡଜାତର କାଠିଦିଅଁ ପୂଜା ପରମ୍ପରା ଟିକେ ଭିନ୍ନ ଏଠି ନଅରକୁ ନିମନ୍ତ୍ରିତ ହୋଇ ଆସୁଥିବା କାଠି ଦିଅଁ ଦେବୀ ନୁହନ୍ତି ଦେବତା ଅଟନ୍ତି ଅର୍ଥାତ ସେ ବୀର ବଜରଙ୍ଗୀ ଶ୍ରୀ ହନୁମାନଙ୍କ ପ୍ରତିକ ହୋଇ ବିଜେ କରିଥାନ୍ତି | କଥିତ ଅଛି ଏକ ସମୟରେ ଖଣ୍ଡପଡ଼ା ରାଇଜରେ ଦେବୀମାନଙ୍କ ଉଦ୍ଧତ ଚରମ ସୀମାରେ ପହଁଚିଲା ଯାହାର ସମାଧାନ ପାଈଁ ତଥା ଦେବୀମାନଙ୍କ ଉଦ୍ଧତକୁ ଶାନ୍ତ କରିବା ନିମନ୍ତେ ବୀର ଶ୍ରୀ ହନୁମାନ ଗଡ଼ ମଧ୍ୟରେ ବିଜେ ହୋଇଥିଲେ | ସେଇଦିନ ଠାରୁ ୟେ ପରମ୍ପରା ଏଠାରେ ଚାଲିଆସୁଛି |
ଦଶପଲ୍ଲାର ଦଶହରା ବି ଟିକେ ସ୍ୱତନ୍ତ୍ର ଏଠି ଦେବୀଙ୍କ ଧାତୁନିର୍ମିତ ମୂର୍ତ୍ତି ମା’ କନକଦୁର୍ଗା ଦଶପଲ୍ଲା (କୁଞ୍ଜବନଗଡ଼) ରୁ ଦୋଳ ବିମାନରେ ଭକ୍ତଙ୍କ ଗହଣରେ ଆସିଥାନ୍ତି ତାଙ୍କ ପୂର୍ବ ମନ୍ଦିର ଅର୍ଥାତ ପୁରୁଣା ଦଶପଲ୍ଲାକୁ | ସେହିଠାରେ ଦେବୀଙ୍କ ଶାରଦୀୟ ପର୍ବ ଅନୁଷ୍ଠିତ ହୋଇଥାଏ |
ଏହିପରି ଓଡ଼ିଶା ତଥା ନୟାଗଡ଼ ଗଡଜାତରେ ଆରମ୍ଭ ହୋଇଥିଲା ଶାରଦୀୟ ଦେବୀ ଦଶହରା ପର୍ବ ନୀତି ଯାହା ଆଜି ମଧ୍ୟ ଚାଲୁରହିଛି |
ବି.ଦ୍ର. ଓଡ଼ିଶା ଇତିହାସରେ ରାଜା, ମହାରାଜା ମାନଙ୍କ ଗୋଟିଏ ନାମ ଧାରି ଅନେକ ରାଜାଙ୍କ ନାମ ଥିବାରୁ ବୋଧହୁଏ ଐତିହାସିକ ମାନେ ରାଜା ଏବଂ ସେମାନଙ୍କ କୀର୍ତ୍ତି ସମ୍ପର୍କରେ ସଠିକ ତଥ୍ୟ ଦେବାରେ ସାମାନ୍ୟ ବ୍ୟତିକ୍ରମ କରିଛନ୍ତି ଯାହା ଦ୍ୱାରା ଆମ ଭଳି ସାଧାରଣ ପାଠକ ଦ୍ୱନ୍ଦରେ ପଡ଼ିବାକୁ ବାଧ୍ୟ ହେଉଛନ୍ତି | ଯେମିତିକି ଓଡ଼ିଶା ଗଜପତିମାନେ ବାରମ୍ବାର ସେଇ ନାମ ନେଇ ରାଜ୍ୟଭିଷେକ ହୋଇଥାନ୍ତି | ଏବେର ଏକ ଉଦାହରଣ ନେଇ ପରିବା, ଖଣ୍ଡପଡା ରାଜାସାହେବ ବିଭୁତି ଭୂଷଣ ସିଂହଙ୍କ ଦେହାନ୍ତ ପରେ ବର୍ତମାନ ତାଙ୍କ ସୁପୁତ୍ର ପ୍ରକୃତ ନାମ ସିଦ୍ଧାର୍ଥ ଶେଖର ସିଂହ କିନ୍ତୁ ନୀଳକଣ୍ଠେଶ୍ଵର ସିଂହ ଭ୍ରମରବର ନାମରେ ରାଜ୍ୟଭିଷେକ ହେଲେ | ସେହିପରି କେଶରୀ ବଂଶର ରାଜାମାନଙ୍କ ମଧ୍ୟରେ ଦୁଇଜଣ ଯଯାତିଙ୍କ ନାମରେ ରହିଛନ୍ତି, ଯଥା: ମହାଶିବଗୁପ୍ତ ଯଯାତି ପ୍ରଥମ ଏବଂ ମହାଶିବଗୁପ୍ତ ଯଯାତି ଦ୍ୱତୀୟ | ଡକ୍ଟର ହରେକୃଷ୍ଣ ମହତାବ ଦର୍ଶାଇଛନ୍ତି ମହାଶିବଗୁପ୍ତ ଦ୍ୱତୀୟ ହିଁ ଓଡିଶା ପ୍ରସିଦ୍ଧ ଯଯାତି କେଶରୀ ଏବଂ ଏହି ରାଜା ଯାଜପୁର ଠାରେ ସେଇ ଯଜ୍ଞ କରିଥିଲେ, ଏବଂ ଏହି ରାଜାଙ୍କ ଶାସନ ସମୟ ଆନୁମାନିକ ଖ୍ରୀ:୭୯୫ରୁ ୮୪୦ ହୋଇଥାଇ ପାରେ ବୋଲି ସେ ମତବ୍ୟକ୍ତ କରିଛନ୍ତି |
Kathi Thakurani Nayagarh Itihasa Khambeswari
Khandapada Ranapur Dasapalla Jajpur
Spread the love
Antaranga Kalinga

Share
Published by
Antaranga Kalinga

Recent Posts

ଶାମ୍ବ ଦଶମୀ

~ ଶାମ୍ବ ଦଶମୀ ~ ଉପସ୍ଥାପକ: ଆୟୁଷ୍ମାନ ଆର୍ଯ୍ୟ ପଞ୍ଚଦେବଙ୍କ ମଧ୍ୟରେ ଅନ୍ୟତମ ଦିନମଣି ଦିବାକରଙ୍କ ଉପାସନାର ପାବନ ଅବସର…

5 days ago

ଖୁଦୁରୁକୁଣୀ ପଟି

~ ଖୁଦୁରୁକୁଣୀ ଓଷାର ନିଆରା ପରମ୍ପରା ଖୁଦୁରୁକୁଣୀ ପଟି ~ ଉପସ୍ଥାପକ: ଆୟୁଷ୍ମାନ ଆର୍ଯ୍ୟ ଓଡ଼ିଆ ଘରେ ବର୍ଷର ବିଭିନ୍ନ…

1 week ago

ବଡ଼ମ୍ବାର ଜଗନ୍ନାଥ ମନ୍ଦିର

~ ବଡ଼ମ୍ବାର ଜଗନ୍ନାଥ ମନ୍ଦିର ~ ଉପସ୍ଥାପକ:  ଆୟୁଷ୍ମାନ ଆର୍ଯ୍ୟ ଓଡ଼ିଶାର ସଂସ୍କୃତି, ପରମ୍ପରା, ଲୋକବିଶ୍ୱାସରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସ୍ଥାନ…

1 week ago

ଶ୍ରୀକ୍ଷେତ୍ରରେ ଗଣେଶ ପୂଜା

~ ଶ୍ରୀକ୍ଷେତ୍ରରେ ଗଣେଶ ପୂଜା ~ ଉପସ୍ଥାପକ: ଶ୍ରୀ ଦୁର୍ଗାମାଧବ ମହାନ୍ତି ବକ୍ରତୁଣ୍ଡଂ ମହାକାୟ ସୂର୍ଯ୍ୟ କୋଟି ସମପ୍ରଭ। ନିର୍ବିଘ୍ନମ୍…

1 week ago

ଝୁଲଣ ଯାତ୍ରା

~ ଝୁଲଣ ଯାତ୍ରା ~ ଉପସ୍ଥାପକ: ଦୁର୍ଗାମାଧବ ମହାନ୍ତି ଚଳିତ ବର୍ଷ ଶ୍ରୀମନ୍ଦିର ସହ ବିଭିନ୍ନ ମଠରେ ଝୁଲଣ ଯାତ୍ରା…

1 week ago

ଅନ୍ତରଙ୍ଗ କଳିଙ୍ଗ ପ୍ରତିଭା ସମ୍ମାନ

~ ଅନ୍ତରଙ୍ଗ କଳିଙ୍ଗ ପ୍ରତିଭା ସମ୍ମାନ (ସପ୍ତମ ପର୍ବ) ~ ୨୨ ଜୁନ ୨୦୨୫: ଆମ ମାଟିର ଅଗଣିତ ପ୍ରେରଣାପ୍ରଦ…

1 week ago