ଔପନ୍ୟାସିକ କାହ୍ନୁଚରଣ ମହାନ୍ତି
ଉପସ୍ଥାପନା: ଅନିଲ କୁମାର ପାଣିଗ୍ରାହୀ
ଆବିର୍ଭାବ: ୧୧ ଅଗଷ୍ଟ ୧୯ଠ୬
ତିରୋଧାନ: ୬ ଏପ୍ରିଲ ୧୯୯୪
ସାଲ ୧୯୧୫, ୯ ବର୍ଷର ବାଳକଟିଏ ତତ୍କାଳୀନ ସୋନପୁର ଇଷ୍ଟେଟ (ଗଡଜାତ ବା ଜମିଦାରୀ)କୁ ଉଚ୍ଚ ଶିକ୍ଷା ପାଇଁ ତାର ବଡଭାଇଙ୍କ ସହ ଯାଇଥାଏ I ବାପା ତାର ପୂର୍ତ୍ତ ବିଭାଗ ଓଭରସିଅର ଭାବେ ସେଠାରେ ଅବସ୍ଥାପିତ I
ସେହି ବର୍ଷ ଉତ୍ତର ଓଡ଼ିଶାର ଗଡଜାତ ଗୁଡିକରେ ଅନାବୃଷ୍ଟି ଯୋଗୁଁ ଦେଖା ଦିଏ ଦୁର୍ଭିକ୍ଷ I ଶହ ଶହ ବୁଭୁକ୍ଷୁ କାଙ୍ଗାଳ ଅନ୍ନ ଆଶାରେ ସୋନପୁର ଓ ଅନ୍ୟାନ୍ୟ ଅଞ୍ଚଳକୁ କରନ୍ତି ପଳାୟନ I
ସେହି ଅନ୍ନକ୍ଲୀଷ୍ଟ କାଙ୍ଗାଳ ମାନଙ୍କ କଙ୍କାଳସାର ଚେହେରା, ତଥା ଘର ଘର ବୁଲି ଭିକ୍ଷାପ୍ରାର୍ଥନା, କରୁଣ ଚିତ୍କାର ଓ ପୋଖରୀ ତଥା ନଦୀ କୂଳରେ ପଡ଼ିଥିବା ପୂତିଗନ୍ଧମୟ ଶବ ସମୂହ, ଉକ୍ତ ବାଳକର କଅଁଳ ମନକୁ କରେ ଦୋଳନ I
ଏହାର ୧୮ବର୍ଷ ପରେ ଯେତେବେଳେ ଯୁବାବସ୍ଥାରେ କଟକର ସୁପରିଂଟେଣ୍ଡିଙ୍ଗ ଇଞ୍ଜିନିଅରଙ୍କ ଦପ୍ତରରେ ଉକ୍ତ ବାଳକଟି ପୁରୁଣା ନଥିପତ୍ର ଖେଳାଏ, ୧୮୬୬ ମସିହାର ନଅଙ୍କ ଦୁର୍ଭିକ୍ଷ ସମୟର ସରକାରୀ ଚିଠିପତ୍ର ପଢି ସେ ସମୟର କରାଳ ବାସ୍ତବିକତା ଓ ୧୯୧୫ ମସିହାର ତାର ନିଜ ଅଙ୍ଗେନିଭା ଘଟଣାର ସାଦୃଶ୍ୟ ଦେଖି ହୁଏ ଆଚମ୍ବିତ I ତାର ନିଜ ଭାଷାରେ: ‘ଯାହା ମୁଁ ଅନୁଭବ କରିଥିଲି, ଯାହା ମୋର ସ୍ନାୟୁ ଥରାଇଥିଲା, ରକ୍ତ ତତାଇଥିଲା, ଆଖିରେ ଲୁହ ଆଣିଥିଲା, ମୋତେ ଉନ୍ନିଦ୍ର ଓ ଛଟପଟ କରିଥିଲା, ତାହାକୁ ମୁଁ ମୋର ସେକାଳର ଭାଷାରେ ରୂପ ଦେବାକୁ ଚେଷ୍ଟା କରିଥିଲି I ମୋ ଭିତରର କେଉଁ ଅଜଣା ପ୍ରେରଣା ମୋ କଲମକୁ ଆଗକୁ ଠେଲିଥିଲା, “ହା ଅନ୍ନ” ଲେଖାଇଥିଲା’ I -‘ହା ଅନ୍ନ’ଉପନ୍ୟାସ (୧୯୩୩)
ଏହି ଦରଦୀ ଲେଖକ ହେଲେ ଔପନ୍ୟାସିକ କାହ୍ନୁଚରଣ ମହାନ୍ତି I
ଜନ୍ମ କଟକ ଜିଲ୍ଲା ନାଗବାଲି ଗ୍ରାମରେ I ସେଠାରେ ପ୍ରାଥମିକ ଶିକ୍ଷା ଓ ପରେ ସୋନପୁର ଗଡ଼ରେ ଉଚ୍ଚବିଦ୍ୟାଳୟ ଶିକ୍ଷା I ୬ଷ୍ଠ ଶ୍ରେଣୀ ପରେ ଯାଇଥିଲେ ରାଞ୍ଚି ନିଜ ବଡଭାଇ ଗିରିଧାରୀଙ୍କ ପାଖେ ରହି ୯ମ ଶ୍ରେଣୀ ଯାଏଁ ପଢ଼ନ୍ତି I ପରେ କଟକ ପ୍ୟାରୀମୋହନ ଏକାଡେମୀରେ ମେଟ୍ରିକ I ମେଟ୍ରିକ ପାସ ପରେ ରେଭେନ୍ସାରେ କରିଥିଲେ ଅଧ୍ୟୟନ I ବିଏ ପାସ ପରେ କଟକ ମହାନଦୀ ଡିଭିଜନରେ କିରାଣୀ ଚାକିରି I ଏଥୁ ଅନ୍ତେ ଓଡିଶା ପ୍ରଶାସନରେ ଯୋଗ ଦେଇ ପଦୋନ୍ନତି ପାଇ ହୋଇଥିଲେ ପ୍ରଥମ ଶ୍ରେଣୀର ଅଧିକାରୀ I ଦଣ୍ଡକାରଣ୍ୟରେ ଜଙ୍ଗଲ ସଫା କରି ପୂର୍ବବଙ୍ଗରୁ ଆସିଥିବା ଶରଣାର୍ଥୀମାନଙ୍କୁ ଥଇଥାନ କରିବା ଥିଲା ତାଙ୍କ ଉଲ୍ଲେଖନୀୟ କାର୍ଯ୍ୟ ମଧ୍ୟରୁ ସର୍ବୋତ୍ତମ I
~ ସାହିତ୍ୟ ସମ୍ଭାର ~
୧୯୩ଠରୁ ୧୯୮୫ ଦୀର୍ଘ ଛଅଟି ଦଶକର ସାହିତ୍ୟ ସାଧନା I ୫୬ଟି ଉପନ୍ୟାସର ଜନକ I ପ୍ୟାରୀମୋହନ ଏକାଡେମୀରେ ଛାତ୍ରଥିବା ବେଳେ ଜଣେ ବଙ୍ଗାଳି ସହପାଠୀ ବ୍ୟଙ୍ଗ କରି କହିଥିଲା ‘ଓଡ଼ିଆରେ କଣ ଉପନ୍ୟାସ ଅଛି କି ?’ ଏହା ତାଙ୍କୁ ବେଶ୍ ବାଧିଥିଲା ଓ ଏହି ପରିହାସକୁ ପାଥେୟ କରି ସେ ଲେଖିଥିଲେ ‘ଉତ୍ସବେ ବ୍ୟସନ’ ନାମକ ଉପନ୍ୟାସ I ଦଣ୍ଡକାରଣ୍ୟ ଯୋଜନାର ଭାରପ୍ରାପ୍ତ ଅଧିକାରୀ ଭାବେ କାମ କରିବା ବେଳେ ତମସା ନଦୀର ନୈସର୍ଗିକ ସୌନ୍ଦର୍ଯ୍ୟରେ ବିଭୋର ହୋଇ ଲେଖିଥିଲେ ଉପନ୍ୟାସ ‘ତମସା ତୀରେ’ I ସେ ମଧ୍ୟ ଓଡିଶା ସାରସ୍ୱତ ଜଗତର ଅନ୍ୟତମ ଉଜ୍ଜ୍ୱଳ ଜ୍ୟୋତିଷ୍କ ଶ୍ରୀ ଗୋପୀନାଥ ମହାନ୍ତିଙ୍କ ଜ୍ୟେଷ୍ଠଭ୍ରାତା I
~ ଉପନ୍ୟାସ ମାଳା ~
ଉତ୍ସବେ ବ୍ୟସନେ (ଅପ୍ରକାଶିତ), ପାତାଳକ, ବାଲିରାଜା, ନିଷ୍ପତ୍ତି, ସ୍ବପ୍ନନା ସତ୍ୟ, ଦୁନିଆର ଦାଉ, ହା ଅନ୍ନ, ତଥାସ୍ତୁ, ପରିଚୟ, ଓଲଟାପାଲଟା, ପରକୀୟା, ଉଦଣ୍ଡି, ଶାସ୍ତି, ବନଗହଣର ଜଳେ, ଅନ୍ତରାୟ, ଅଭିନେତ୍ରୀ, ଭୁଲି ହୁଏନା, ଝଞ୍ଜା, ମିଳନର ଛନ୍ଦ, ଶର୍ବରୀ, ପରୀ, କା, ବଜ୍ରବାହୁ, ଢେଉଢ଼େଉକା, ବଗବଗୁଲି ଇତିହାସ, ସ୍ବପ୍ନ, ତାପସୀ, ଲଲାଟ ଲିଖନ, ମେଲାଣି ମାଗୁଣି, ପବନି, ଯକ୍ଷ ଇତ୍ୟାଦି ଇତ୍ୟାଦି I
ଶାସ୍ତି ଉପନ୍ୟାସ ବଙ୍ଗଳା ଓ ହିନ୍ଦୀରେ ଭାଷାନ୍ତରିତ କା’ ଓ ‘ଅଭିନେତ୍ରୀ’ ନେଇଛି ଚଳଚ୍ଚିତ୍ର ରୂପ I ‘ହା’ ଅନ୍ନ’,’ତୁଣ୍ଡବଇଦ’, ‘ଶାସ୍ତି’, ‘ଝଞ୍ଜା’ ଆଦି ମଞ୍ଚନାଟକ ଓ ଧାରାବାହିକ ଭାବେ ଅଭିନୀତ I
~ ସମ୍ମାନ ସମ୍ଭାର ~
୧.ସାହିତ୍ୟ ଏକାଡେମୀ ପୁରସ୍କାର, ୧୯୫୮
୨.ଜୀବନ ରଙ୍ଗ ପୁରସ୍କାର, ୧୯୭ଠ
୩.ନୀଳଶୈଳ ପୁରସ୍କାର, ୧୯୯୨