ମହାମନିଷୀଗଣ

କବିସୂର୍ଯ୍ୟ ରାୟଗୁରୁ ମହାପାତ୍ର ବଳଦେବ ରଥ

“ବାଧିଲା ଜାଣି କ୍ଷମା କର ନୋହିଲେ
ରମାରମଣ ଦଣ୍ଡେ ଦିଅ ଟାଳି।
ତୁମ୍ଭକୁ ଜଗନ୍ନାଥ ଆଜ ମୋ ମନୋରଥ
ଭରତି କରି ଦେବି ଗାଳି, ହେ କୃପାନିଧି।”
ଭଗବାନଙ୍କ ପକ୍ଷପାତିତା ବିରୁଦ୍ଧରେ ଏକ ଭକ୍ତିପ୍ରାଣ ହୃଦୟରେ ଉଦବେଳନ ! ଜଗନ୍ନାଥଙ୍କୁ ଗାଳି ଦେଇ ନିଜ ମନୋରଥ ଭରତି କରିଥିବା ଭକ୍ତକବି ଜଣେ ! ପୁଣି କେତେବେଳେ ସାମାଜିକ ଦୋଷତ୍ରୁଟି, ବୃଥା ଆସ୍ଫାଳନ ଲକ୍ଷ୍ୟ କରି ପ୍ରୟୋଗ ହେଇଯାଉଛି କବିତା ମାଧ୍ୟମରେ ଶାଣିତ ଅସ୍ତ୍ର —
“ଜଟିଳ କରି ସ୍କନ୍ଧ ରୋମରାଜି,
ଶିଖରି ଦରୀରେ ମରୁ ଗରଜି,
କୁଟିଳ କରି ଭ୍ରୁକୁଟୀକୁ ଚାହୁଁ,
ସରମା କଣ୍ଠିରବ ହେବ କାହୁଁ ?
ଜଗତେ କେବଳ ଜନେ ହସିବେ …..”
ମଧ୍ୟଯୁଗୀୟ ଓଡ଼ିଆ ସାହିତ୍ୟର ଯଶସ୍ଵୀ କବିପ୍ରତିଭା, ରୀତିଯୁଗର ଶେଷରଶ୍ମି – ବଳଦେବ ରଥ। ୧୭୭୯ ମସିହା ଶ୍ରୀପଞ୍ଚମୀ। ଭାରତୀଙ୍କ ସମସ୍ତ ଆଶୀର୍ବାଦ ନେଇ ଗଞ୍ଜାମ ଜିଲ୍ଲାର ଦିଗପହଣ୍ଡି ନିକଟସ୍ଥ ବିଜୟନଗର ଗଡରେ ଧରାବତରଣ। ପିତା ଉଜ୍ଜ୍ୱଳ ରଥ ଜଣେ ସଂସ୍କୃତ ବିଦ୍ଵାନ। ଅଜା ତ୍ରିପୁରାରୀ ଓତା ବିଶିଷ୍ଟ ତାନ୍ତ୍ରିକ। ବଳଦେବଙ୍କ ଜୀବନ କାଳ ୬୬ ବର୍ଷ, ତିରୋଧାନ ୧୮୪୫ ମସିହା ଅକ୍ଷୟ ତୃତୀୟା। ଜୀବନର ଏଇ ଅନତିକ୍ରମ ପରିଧି ମଧ୍ୟରେ ଅନନ୍ତ ଯଶା ଓ କାବ୍ୟ କବିତାର ସ୍ରଷ୍ଟା।
ବଳଦେବଙ୍କ ପିତା ଉଜ୍ଜ୍ୱଳ ରଥ ଥିଲେ ଶାସ୍ତ୍ରଜ୍ଞ, ସଂସ୍କୃତରେ ପାରଦର୍ଶୀ ଓ ଜଣେ ନିଷ୍ଠାବାନ ପଣ୍ଡିତ। ବଡଖେମୁଣ୍ଡି ରାଜସଭାରେ ଥିଲା ତାଙ୍କର ପ୍ରଭୂତ ଖ୍ୟାତି, ‘କବିରାଜ ବ୍ରହ୍ମା’ ଉପାଧିରେ ଭୂଷିତ। ବାପା ଓ ଅଜାଙ୍କ ପ୍ରଭୂତ ପାଣ୍ଡିତ୍ୟର ପ୍ରଭାବ ପଡ଼ିଥିଲା ବଳଦେବଙ୍କ ଉପରେ।
ଦଶ ବର୍ଷ ବୟସରେ ସଂସ୍କୃତ ବ୍ୟାକରଣ ଓ ଅମରକୋଷ ଆଦି ଗ୍ରନ୍ଥ ତାଙ୍କର ଅକ୍ତିଆରକୁ ଆସିଯାଇଥିଲା। ଠିକ୍ ଏହି ସମୟରେ ତାଙ୍କର ମାତୃ ବିୟୋଗ ଘଟିଲା ଏବଂ ସେ ତାଙ୍କ ଅଜାଙ୍କ ପାଖକୁ ସ୍ଥାନାନ୍ତରିତ ହେଲେ, ଆଠଗଡ଼ ରାଜ୍ୟକୁ। ସେହି ଆଠଗଡ଼ରେ ଅଜା ତ୍ରିପୁରାରୀ ଓତାଙ୍କ ପାଖରେ ରହି ଅନ୍ୟାନ୍ୟ ପାଠ ଶେଷ କଲେ।
ଉଣେଇଶି ବର୍ଷ ବୟସରେ ସେ ପୁଣି ଫେରି ଆସିଲେ ବାପାଙ୍କ ପାଖକୁ, ଗଞ୍ଜାମର ଜଳନ୍ତର ରାଜ୍ୟକୁ। ଜଳନ୍ତରରେ ରହିବାପରେ ତାଙ୍କ କବିତା ରଚନା ଆଗକୁ ବଢ଼ିବାରେ ଲାଗିଲା। କବିତାଗୁଡ଼ିକ ଜଳନ୍ତରର ଗୁଣଗ୍ରାହୀ ରାଜା ରାମଚନ୍ଦ୍ର ଛୋଟରାୟଙ୍କ କର୍ଣ୍ଣ ଗୋଚର ହୁଅନ୍ତେ ରାଜା ବଳଦେବଙ୍କୁ ନିଯୁକ୍ତି ଦେଇଦେଲେ ତାଙ୍କୁ ରାଜ୍ୟର ଦେଵାନ ଭାବରେ, ଉଦ୍ଦେଶ୍ୟ ପ୍ରତ୍ୟହ ସାହିତ୍ୟ ଚର୍ଚ୍ଚା !
ବଳଦେବଙ୍କ ଅସାଧାରଣ ଜ୍ଞାନ, ପାଣ୍ଡିତ୍ୟ ଓ ଶକ୍ତିମତ୍ତାରେ ପ୍ରୀତ ହୋଇ ରାଜା ତାଙ୍କୁ ‘କବିସୂର୍ଯ୍ୟ’ ଉପାଧି ପ୍ରଦାନ କଲେ। ସେହି ଦିନଠାରୁ ବଳଦେବ ହୋଇଗଲେ ‘କବିସୂର୍ଯ୍ୟ ବଳଦେବ ରଥ’। ରାଜା ରାମଚନ୍ଦ୍ର ଛୋଟରାୟଙ୍କର ସାହିତ୍ୟ ଉପରେ ଥିଲା ଅଗାଧ ଜ୍ଞାନ ଓ ସେ ଥିଲେ ଯଥାର୍ଥରେ ସାହିତ୍ୟ, ସଂସ୍କୃତିର ଅନ୍ୟତମ ପୃଷ୍ଠପୋଷକ। ସେ ପରାମର୍ଶ ଦେଇଥିଲେ କବିସୂର୍ଯ୍ୟଙ୍କୁ ଭଞ୍ଜୀୟ ରୀତିରେ କାବ୍ୟ ରଚନା କରିବା ପାଇଁ। ଫଳତଃ କବି ବଳଦେବ ରଚନା କଲେ ‘ଚନ୍ଦ୍ରକଳା’ କାବ୍ୟ, ଯାହା ଅସମ୍ପୂର୍ଣ୍ଣ ଅବସ୍ଥାରେ ରହିଗଲା, ରାଜାଙ୍କ ଏକମାତ୍ର କନ୍ୟାର ଆକସ୍ମିକ ବିୟୋଗରେ।
ଅନ୍ୟ ପକ୍ଷରେ ଦେଵାନ୍ ଭାବେ ବହୁ ଲୋକହିତକର କାର୍ଯ୍ୟ କରି ଆଦରଣୀୟ ହୋଇଉଠିଲେ ବଳଦେବ। ଗଡ଼ଜାତରୁ ଗଡ଼ଜାତ ଏହି ଦେଵାନ୍ ଓ ପ୍ରତିଭା ସମ୍ପନ୍ନ କବିଙ୍କର ସୁନାମ ବ୍ୟାପି ଯାଉଥାଏ। ଏହି ସମୟରେ ଅର୍ଥାତ୍ ବାର ବର୍ଷ ଜଳନ୍ତରରେ ରହିବା ପରେ ରାଜା ରାମଚନ୍ଦ୍ର ଛୋଟରାୟଙ୍କ ଦେହାନ୍ତ ହୋଇଥିଲା। ଆଠଗଡ଼ର ତରୁଣ ରାଜା ବାଲୁଙ୍କେଶ୍ୱର ହରିଚନ୍ଦନ ଥିଲେ ଅତ୍ୟନ୍ତ ଗୁଣଗ୍ରାହୀ, ବିଦ୍ୟାଉତ୍ସାହୀ, ସାହିତ୍ୟପ୍ରେମୀ ଓ ଜଣେ ସୁଶାସକ। ବହୁ ଅନୁରୋଧ କରି ସେ କବିସୂର୍ଯ୍ୟଙ୍କୁ ନେଇ ଆସିଲେ ତାଙ୍କ ଦରବାରକୁ। ଆଠଗଡ଼ ଥିଲା ବଳଦେବଙ୍କର କୈଶୋର କାଳର ସ୍ମୃତି।
ରାଜା ବାଲୁଙ୍କେଶ୍ୱର ଅତି ନିକଟରେ ବଳଦେବଙ୍କୁ ପାଇବା ପରେ ଦୁହେଁ ସାହିତ୍ୟ, ସଂଗୀତ ଓ ସଂସ୍କୃତି ପ୍ରତି ଅଧିକ ଧ୍ୟାନ ଦେଲେ। ରାଜା ଥିଲେ କୃଷ୍ଣଭକ୍ତ। ଏହି ସମୟରେ ରାଜା ତାଙ୍କୁ ରାଜକବି ଭାବେ ସମ୍ମାନିତ କରିବା ସହ ଦେଵାନ୍ ପଦରେ ଅଭିଷିକ୍ତ କଲେ। କାବ୍ୟ ରଚନା ସହ ଲୋକ ହିତକର କାର୍ଯ୍ୟ ଆରମ୍ଭ ହୋଇଗଲା। ଏହି ଆଠଗଡ଼ ରାଜ୍ୟ ହିଁ କବିଙ୍କର ମଧ୍ୟାହ୍ନ । ଏହି ଠାରୁ ଆରମ୍ଭ ହେଲା ବହୁ ଉଚ୍ଚକୋଟୀର କବିତା, ଚଉପଦୀ, ଚମ୍ପୁ ଏବଂ ସର୍ବୋପରି ଓଡ଼ିଆ କାବ୍ୟଜଗତର ଅନ୍ୟତମ କୋଣାର୍କ, ‘କିଶୋର ଚନ୍ଦ୍ରାନନ ଚମ୍ପୁ’। ଅସଂଖ୍ୟ ଚମ୍ପୁ, ଚଉପଦୀର ରଚୟିତା ବଳଦେବଙ୍କ ରଚନା ସମଗ୍ର ରସପୂର୍ଣ୍ଣ, ବୈଚିତ୍ର୍ୟ ଓ ଭାବୋଛ୍ଵାସରେ ହୃଦୟସ୍ପର୍ଶୀ। ସେ ସବୁ ସାଙ୍ଗିତୀକତା ବହନ କରୁଥିବା ବେଳେ ଅସୀମ ପାଣ୍ଡିତ୍ୟ ପୂର୍ଣ୍ଣ। କାଳ୍ପନିକ କାବ୍ୟ, ରାଧାକୃଷ୍ଣ ଲୀଳାଧର୍ମୀ କାବ୍ୟ, କ୍ଷୁଦ୍ର କବିତା, ହାସ୍ୟବ୍ୟଙ୍ଗ ଧର୍ମୀ କବିତା, ଶୃଙ୍ଗାର ଓ କରୁଣରସରେ ଭରପୂର କାବ୍ୟଗୁଡ଼ିକୁ ଭେଟି ଦେଇଛନ୍ତି ଓଡିଆ ସାହିତ୍ୟର ଅଗଣିତ ରସପିପାସୁମାନଙ୍କୁ।
ଚନ୍ଦ୍ରକଳା, କିଶୋର ଚନ୍ଦ୍ରାନନ୍ଦ ଚମ୍ପୁ, ସଙ୍ଗୀତ କଳ୍ପଲତା, ଚଉପଦୀ ରତ୍ନାକର, ଚଉପଦୀ ଚନ୍ଦ୍ରୋଦୟ, କବିତା କଲ୍ଲୋଳିନୀ, ହାସ୍ୟକଲ୍ଲୋଳ’ ଇତ୍ୟାଦି ଓଡ଼ିଆ ସାହିତ୍ୟକୁ ଆଲୋକ ପ୍ରଦାନ କରୁଥିବା ଗୋଟିଏ ଗୋଟିଏ ନକ୍ଷତ୍ର ସଦୃଶ। ଏହି ପାଣ୍ଡିତ୍ୟରେ ମୁଗ୍ଧଚକିତ ହୋଇ ପୁରୀ ଗଜପତି ମହାରାଜାଙ୍କ ଠାରୁ ପାଇଥିଲେ ‘କବିସୂର୍ଯ୍ୟ ରାୟଗୁରୁ ମହାପାତ୍ର’ ଉପାଧି।
ସମସ୍ତ ଉପାଧି ଭୂଷିତ ବଳଦେବ ରଥ ପ୍ରକୃତରେ କିନ୍ତୁ ଓଡ଼ିଆ ସାହିତ୍ୟପ୍ରେମୀମାନଙ୍କ ମଧ୍ୟରେ ଯେଉଁ ସ୍ଵତନ୍ତ୍ର ସ୍ଥାନରେ ଅବସ୍ଥାପିତ, ତାହାହିଁ ତାଙ୍କର ଅସଲ ପରିଚୟ ଓ ଉପାଧି। କିଶୋର ଚନ୍ଦ୍ରାନନ ଚମ୍ପୁ ଏଯାବତ୍ ଆମ ସାହିତ୍ୟର ଏକ ଅମୂଲ୍ୟ କାବ୍ୟ। ଶ୍ରୀକୃଷ୍ଣ, ଶ୍ରୀରାଧା ଓ ଲଳିତାଙ୍କ କଥୋପକଥନରେ ଏତେ ସୁନ୍ଦର,ପ୍ରାଣସ୍ପର୍ଶୀ, ଶୃଙ୍ଗାର ଓ କରୁଣ ରସର ସମନ୍ୱୟ ଅନ୍ୟ କୌଣସି କାବ୍ୟରେ ଦେଖିବାକୁ ମିଳେ ନାହିଁ। ଏହା ମହାର୍ଘ । ସେଇଥିପାଇଁ କାବ୍ୟ ଓ କବିତା ପଠନ ପରେ ଭାବବିହ୍ଵଳିତ ହୋଇ କବିବର ରାଧାନାଥ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ —
“ଧନ୍ୟ ରଥେ ତୁମ୍ଭ ଜନ୍ମ ଶୁଭକ୍ଷଣେ,
ମୃତ୍ୟୁଞ୍ଜୟ ତୁମେ ଉତ୍କଳ ଭୁବନେ।
ତୁମ୍ଭ ମାଟି ଦେହ ଗ୍ରାସିଛି ଶ୍ମଶାନ,
ମାତ୍ର ଯଶୋଦେହେ ତୁମ୍ଭେ ଆୟୁଷ୍ମାନ।”
Kabisurjya Baladeba Ratha
© Niranjan Sahu
Spread the love
admin

Recent Posts

ଓଗାଳ

~ ଗୋପାଳଙ୍କ ଓଗାଳ ~ ଲେଖା: ନିରଞ୍ଜନ ସାହୁ ଆଜି ପବିତ୍ର ଫଗୁଦଶମୀ। ପୁରପଲ୍ଲୀ ଉତ୍ସବ ମୁଖର। ନନ୍ଦସୁତ କହ୍ନାଇ…

20 hours ago

ଜଳଖିଆ

~ ଜଳଖିଆ ~ ଲେଖା: ଡ. ଜୟଶ୍ରୀ ନନ୍ଦ ଯେଉଁ ସ୍ଥାନକୁ ସ୍ବୟଂ ବିଷ୍ଣୁ ଭୋଜନ ପାଇଁ ବାଛିଥିଲେ ସେ…

2 weeks ago

ଉଠ କଙ୍କାଳ

~ ଉଠ କଙ୍କାଳ ରଚନାର ପୃଷ୍ଠଭୂମି ~ ଉପସ୍ଥାପନା: ଦେଵ ତ୍ରିପାଠୀ "ଉଠ କଙ୍କାଳ, ଛିଡ଼ୁ ଶୃଙ୍ଖଳ, ଜାଗ ଦୁର୍ବଳ…

2 weeks ago

ହାତଖଣ୍ଡି ଗୌରାଙ୍ଗ ଦାସ

~ କୃଷକ ଆନ୍ଦୋଳନର ଅଧିନେତା ଗୌରାଙ୍ଗ ଦାସ ଓରଫ୍ ହାତଖଣ୍ଡି ଗୌରାଙ୍ଗ ଦାସ ~ ଲେଖା: ନିରଞ୍ଜନ ସାହୁ ଅନ୍ୟାୟ, ଅସତ୍ୟ ବିରୁଦ୍ଧରେ…

1 month ago

ଭକ୍ତକବି ମଧୁସୂଦନ ରାଓ

~ ଭକ୍ତକବି ମଧୁସୂଦନ ରାଓ ~ ଲେଖା: ଶୁଭ ରଞ୍ଜନ ପୃଷ୍ଟି ଆଜି ଯଦି ଆମେ ଓଡ଼ିଆ କହୁଛେ, ଓଡ଼ିଆ…

1 month ago

ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ

~ ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ: ଜଣେ ବିଚିତ୍ରବର୍ଣ୍ଣା ତୂଳୀକାର ~ ଲେଖା: ନିରଞ୍ଜନ ସାହୁ ଉନ୍ନବିଂଶ ଶତାବ୍ଦୀର ମଧ୍ୟ…

2 months ago