କବି ଲେଖନୀରେ ଜାତି ଐରାବତ

ଲେଖା: ଅମୃତେଶ ଖଟୁଆ

ଓଡ଼ିଆ ଜାତି ପାଇଁ ତାଙ୍କର ଅପରିମେୟ ଅବଦାନ ସୂଚୀ । ତଥାପି ତାଙ୍କ କ୍ଷେତ୍ରରେ “ଅବଦାନ” ଏକ କ୍ଷୁଦ୍ର ଅଭିଧା ବୋଲି ପ୍ରତ୍ୟୟ ହୁଏ । #ମଧୁସୂଦନ ଏପରି ଏକ ନାମ ଶୁଣିଲେ ଅବିଭକ୍ତ ଓଡ଼ିଆ ପ୍ରାଣପ୍ରବାହ ମଧ୍ୟରେ ଅମୃତମୟ ସ୍ବାଭିମାନ ସ୍ରୋତ ଲହରୀ ଖେଳାଏ । ତାଙ୍କ କଣ୍ଠ ନିହିତ କରିଥିଲା ପରମେଶ୍ବରଙ୍କ ଉପରେ ଅଖଣ୍ଡ ବିଶ୍ବାସ, ଜୀବନର ଶେଷ ମୁହୂର୍ତ୍ତ ଯାଏଁ ସେ ଯେଉଁ ବ୍ରତ ଅବଲମ୍ବନ କରି ଏ ଜାତିର ଜୀବନ୍ୟାସ ଲାଗି ସର୍ବତୋ ଭାବରେ ତ୍ୟାଗ ଦେଇଛନ୍ତି, ତାହା ନିଷ୍ଫଳ ହେବ ନାହିଁ ।

ଜୀବନର ସବୁ ରିକ୍ତତା, ସବୁ ବ୍ୟର୍ଥତା ଓ ଦୁର୍ଭାଗ୍ୟର ନିଦାଘରେ ସମଗ୍ର ଧରଣୀ ଶୁଷ୍କ ଦଗ୍ଧ ହୋଇଗଲେ ସୁଦ୍ଧା ତାଙ୍କ ଅକପଟ ଅଧ୍ୟବସାୟ ଫଳରେ ଏହା ପୁଣି ଈଶ୍ବରଙ୍କ କରୁଣାର ବାରିଧାରା ଲାଭ କରି ପଲ୍ଲବିତ ହୋଇଉଠିବ । ତା’ ନହେଲେ ଏଇ ଜୀବନ ହୁଅନ୍ତା କି ନିଷ୍କରୁଣ ଅଭିଶାପ ? ଯେମିତି ଏ ଓଡ଼ିଆ ଜାତି ଲଭିଲା ଦୀର୍ଘ ପଞ୍ଚଶତ ବର୍ଷ ଧରି ; ନିଜ ଇତିହାସର ଅର୍ଦ୍ଧେକ ଆୟୁ ଯେଉଁଠି ବୀରଙ୍କୁ ପାଳି ପାଳି ଆସିବା ପରିବର୍ତ୍ତେ ଆହତ ଓ ଛିନ୍ନ ଅଙ୍ଗ ପ୍ରତ୍ୟଙ୍ଗ ସହ ପତିତ ଥିଲା !
ଦୁର୍ଭାଗ୍ୟର ଆବର୍ତ୍ତନରେ ସେହି ଜାତିଶ୍ରେଷ୍ଠ ଦିନେ ନିଃସ୍ବ ହୋଇ ପଡ଼ିଥିଲେ । ରାଜନୀତିର ଅନ୍ଧଘୂର୍ଣ୍ଣିକୁ ଅତିକ୍ରମ କରି ଆସି ପୁଣି ସେ ଜାତୀୟ ଚେତନା ପାଇଁ ଦେଖିଥିଲେ ଏ ଦେଶର ତରୁଣମାନଙ୍କ ସାଙ୍ଗଠନିକ ଶକ୍ତି !
#ପ୍ରେରଣାର_ଉଦବୁଦ୍ଧ_ଉତ୍ସ ଜାତି ଐରାବତ ମଧୁସୂଦନ ! ତାଙ୍କ ଉପରେ ଥିଲା ଉତ୍କଳ ଟ୍ୟାନେରୀର ତିନି ଲକ୍ଷ ଟଙ୍କା ଋଣଭାର ! କୁଆଡ଼େ ଗଲେ ସେତେବେଳେ #ଯୁବଶକ୍ତି ! ଚତୁର୍ଦ୍ଦିଗରେ ଯେତେବେଳେ ତାଙ୍କ ଜୀବନରେ ଧୀରେ ଧୀରେ ଦୁର୍ଦ୍ଦିନର କୃଷ୍ଣମେଘ ଆବୋରି ରହିଲା ଭାଗ୍ୟ ଆକାଶକୁ ! ସେତେବେଳେ ତ ସେମାନେ ବେନାମୀ ପତ୍ର ଲେଖା କରି #ଜାତିଶ୍ରେଷ୍ଠ ଯେ ଇଂରେଜ-ଚାଟୁକାର ବୋଲି ଯୁକ୍ତି ବାଢ଼ିଥିଲେ । କିନ୍ତୁ କିଏ ଜାଣିଥିଲା ଯିଏ ଏଇ ଜାତି ଐରାବତ ହିଁ ସବୁବେଳେ ସେମାନଙ୍କୁ ପଛ କରି ନିଜେ ଅଣ୍ଟା ଭିଡ଼ିଥିଲେ ।
ଜରାଜୀର୍ଣ୍ଣ ଦୁର୍ଭାଗ୍ୟକ୍ଳିଷ୍ଟ ବାର୍ଦ୍ଧକ୍ୟରେ ସୁଦ୍ଧା ମଧୁସୂଦନଙ୍କ ମଧ୍ୟରେ ପ୍ରଚ୍ଛନ୍ନ ରହିଥିଲା, ଅବାରିତ କର୍ମଶକ୍ତି ! ନିଜ ଶିରାଳ ତନୁକ୍ଷୟ କରି ଓଡ଼ିଆକୁ ଚିର ଯୁବକ ରଖିବାର ସେତେବେଳେ ଜାତିଶ୍ରେଷ୍ଠ ଥିଲେ ଆଗ୍ନେୟଗିରିର ପ୍ରଚଣ୍ଡ ବିସ୍ଫୋରଣ ପରି ! ଦୈନ୍ୟ ଜର୍ଜରିତ ସେଇ ଭାଗ୍ୟ ବିଡ଼ମ୍ବିତ ମୁହୂର୍ତ୍ତରେ ସୁଦ୍ଧା ସେ ଡକେଇ ପଠେଇଥିଲେ ଉତ୍କଳମଣି ଗୋପବନ୍ଧୁଙ୍କୁ, ଯିଏ ତାଙ୍କୁ ଚକ୍ରଧରପୁର ସମ୍ମିଳନୀରେ ଅସମ୍ମତ ହୋଇଥିଲେ ସୁଦ୍ଧା ପରେ ମଧୁସୂଦନଙ୍କୁ ଖୋଜିଥିଲେ ଅନୁତାପ ଓ ଉଦ୍‘ବେଗରେ ! କାରଣ ସେ ମଧ୍ୟ ବୁଝିଯାଇଥିଲେ ଯେ ଯେଉଁ ଇଂରେଜ ଶାସନାଧୀନ ସରକାରରେ ଯୋଗ ଦେଇ ମନ୍ତ୍ରିତ୍ବ ବରଣ କରିଥିବା ମଧୁସୂଦନଙ୍କୁ ଲୋକେ କଟୁ ସମାଲୋଚନା କରିଥିଲେ, ସେ ଯେ ନିଜେ ଏଇ ସରକାର କବଳରୁ ଓଡ଼ିଆମାନଙ୍କୁ ମୁକ୍ତ କରିବା ଲାଗି ତାଙ୍କ ବ୍ୟବସ୍ଥା ଭିତରେ ପ୍ରବେଶ କରି ଆକ୍ରମଣ କରିଥିଲେ । ସେଇ ଭଗ୍ନ ବାର୍ଦ୍ଧକ୍ୟ ଓ ଭାଗ୍ୟ ବିଡ଼ମ୍ବିତ ପରିସ୍ଥିତି ମଧ୍ୟ ଆଶାବାଦୀ ମଧୁସୂଦନ ତ ସେଥିପାଇଁ ଶେଷ ମୁହୂର୍ତ୍ତରେ ଅବୈତନିକ ମନ୍ତ୍ରୀପଦକୁ ସୁଦ୍ଧା ତ୍ୟାଗ କରି ସମଗ୍ର ଦେଶରେ ପ୍ରଥମ ପାଲଟି କହିଥିଲେ, “ବ୍ୟବସ୍ଥାପକ ସଭାରେ ମନ୍ତ୍ରୀମାନେ ପେଚା ଓ ଦ୍ବୈତ ଶାସନ ବ୍ୟବସ୍ଥା ଏକ ପରିବାରର ଦୁଇ ଭାଇଙ୍କ ମଧ୍ୟରେ ଗୋଟିଏ ଦୁଧିଆଳି ଗାଈ !”
ଯେତେବେଳେ ସମଗ୍ର ଭାରତରେ “ଭାରତୀୟ”, “ଭାରତୀୟ” ହେବା ପାଇଁ କଂଗ୍ରେସ ସାଇମନ୍-କମିଶନଠାରୁ, ଶାସନ ସଂସ୍କାର ଓ ଆତ୍ମନିୟନ୍ତ୍ରଣ ସମ୍ପର୍କରେ ମୌଳିକ ବୈପ୍ଳବିକ ଘୋଷଣା ଆଶା କରୁଥିଲେ, ସେତେବେଳେ ମଧୁସୂଦନଙ୍କ ଆକାଂକ୍ଷା ଥିଲା ଅତ୍ୟନ୍ତ ନିର୍ଦ୍ଦିଷ୍ଟ – ଏକ ଶାସନାଧୀନ ଓଡ଼ିଆ ଭାଷାଭାଷୀ ଅଞ୍ଚଳମାନଙ୍କର ଏକତ୍ରିକରଣ ; ଅଥବା ସ୍ଵତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ । ତାଙ୍କର ଯୁକ୍ତି, ଓଡ଼ିଶାର ସ୍ବତନ୍ତ୍ର ସତ୍ତା ନ ରହିଲେ ଓଡ଼ିଶାବାସୀଙ୍କ ଭାରତର କ’ଣ, ବିଶ୍ବରେ ବି ଯେତେ ଶାସନ ସଂସ୍କାର ଅମଳ କରାଯିବ, ତା’ର କୌଣସି ଅର୍ଥ ରହିବ ନାହିଁ ‌।
ଆଶଙ୍କା ଓ ନୈରାଶ୍ୟ ଭିତରେ ମୃତ୍ୟୁରୁ ଆଶାବାଦ ଓ ଅଭୟ ହିଁ ଜୀବନ ଏବଂ ମଧୁସୂଦନ ସେଇ #ଅଭୟର_ଅନମନୀୟ_ସଙ୍କେତ ! ତଥାପି ସରକାରଙ୍କ ବଶମ୍ବଦ ବୋଲି ଯେଉଁ ଘୃଣ୍ୟ ନିନ୍ଦା ପାଇ ମଧୁସୂଦନ ତଥାପି ଗ୍ଳାନିରେ ଭାଙ୍ଗିନଥିଲେ, ସେ କିନ୍ତୁ ଦୁଃଖିତ ଥିଲେ ଯେ ତାଙ୍କ ଅଧ୍ୟବସାୟ କ୍ଷତିଗ୍ରସ୍ତ ନ ହେଇଯାଉ । “ଉତ୍କଳ ଦେଶ ମିଶ୍ରଣ ଆନ୍ଦୋଳନ ପାଇଁ ମୁଁ ଜୀବନର ବହୁକାଳରୁ ବ୍ୟାକୁଳ । ଖାଲି ବ୍ୟାକୁଳ ନୁହେଁ ; ମୁଁ ମୋ ଅବସ୍ଥାକୁ ଚାହିଁ ମଧ୍ୟ କାର୍ଯ୍ୟ କରିଛି । ଏଥିପାଇଁ ଧନ ଲୋଡ଼ା । ମୁଁ ମୋ ଅବସ୍ଥା ଦୃଷ୍ଟିରେ ବିଦୁରର ଖୁଦ ଖଣ୍ଡିଏ ଦେଇଛି । ପରଠାରୁ ମାଗି ଦେଶ କାର୍ଯ୍ୟ କରିବା ମୁଁ ଜାଣେ ନାହିଁ । . . . ସରକାରଙ୍କ ଠାରେ ବହୁତ ଆବେଦନ ହେଲାଣି । ଆଉ ଦରକାର ନାହିଁ ।”
ଠିକ୍ ! ଠିକ୍ ! ଶିଶୁ ମଧୁସୂଦନରୁ ତରୁଣ ମଧୁସୂଦନ ଆଜି ବୃଦ୍ଧ ଅଶୀତିପର ମଧୁସୂଦନ । କିନ୍ତୁ ମଧୁସୂଦନ କହିଲେ କେବନ ଅବସ୍ଥା ମାତ୍ର ପରିବର୍ତ୍ତିତ । ଆବେଗରେ ମଧୁସୂଦନ ସର୍ବଦା ମଧୁମୟ ଓ ଯୁବକ । ଆଜି ବି ପଚାର ଉତ୍କଳ ସନ୍ତାନ ତାଙ୍କ ପାଇଁ କିଏ ? ବିଦେଶରେ ନିବାସ କରୁଥିବା ବିବାହିତ ଓଡ଼ିଆ ଅଭିଭାବକଙ୍କ ସନ୍ତାନ କି ଓଡ଼ିଆ ହେଇପାରିବନି ? କେବଳ ଗାଁ ଗଣ୍ଡାର ଲୋକ ହିଁ ଓଡ଼ିଆ ? କେବଳ ଅଭିଜାତ ସହରବାସୀ ହିଁ ଓଡ଼ିଆ ? ନା କେବଳ ଓଡ଼ିଆ ପଢ଼ିଦେଲେ ଓଡ଼ିଆ ?
ଜାତି ଐରାବତ ମଧୁସୂଦନ କହିଲେ, ୧୯୧୩ ମସିହାର ପୁରୀ ଅଧିବେଶନ ‘ଉତ୍କଳ ସମ୍ମିଳନୀ’ର ମାତୃପୂଜା ମଣ୍ଡପ ଉପରୁ, “ମୁଁ ଉତ୍କଳ ମାତାର ସନ୍ତାନ ଏବଂ ଉତ୍କଳଭୂମିରେ ଯେଉଁମାନେ ଜନ୍ମଗ୍ରହଣ କରିଛନ୍ତି ଏବଂ ଯେଉଁମାନେ ମରଣାନ୍ତେ ତାଙ୍କର ମୃତ ଦେହକୁ ଉତ୍କଳ ମାତାର କ୍ରୋଡ଼ରେ ଅର୍ପଣ କରିବାକୁ ଇଚ୍ଛା କରନ୍ତି, ସେମାନେ ଯେଉଁ ଜାତିର ହୁଅନ୍ତୁ – କି ବଙ୍ଗାଳୀ, କି ମୁସଲମାନ, କି ବ୍ରାହ୍ମଣ, କି କରଣ, କି କଣ୍ଡରା, କି କରଣ, କି ପାଣ, କି ପଞ୍ଜାବୀ – ସମସ୍ତେ ଉତ୍କଳ ମାତାର ସନ୍ତାନ । “ଯେ ଉତ୍କଳ ମାତାର କ୍ରୋଡ଼ରେ ଜନ୍ମଗ୍ରହଣ କରିଅଛି ଏବଂ ଯେ ବିଶ୍ବାସ କରେ କି ମୃତ୍ୟୁ ପରେ ଦୁର୍ଗନ୍ଧ ହେତୁ ତା’ର ମୃତ ଦେହକୁ ଜନ୍ମ ଦେଇଥିବା ମାତା ଘରୁ ବାହାର କରିଦେଲେ, ସେହି ଦୁର୍ଗନ୍ଧ ଶରୀରକୁ ଉତ୍କଳ ମାତା ଆପଣା କ୍ରୋଡ଼ରେ ଗ୍ରହଣ କରିବେ । ସେହି ହେଉଛି #ଉତ୍କଳ_ସନ୍ତାନ ।”
ଗଲାଣି କେତେ ସାଇମନ୍ କମିଶନ୍, ଗଲାଣି କେତେ ଓଡ଼ନେଲ କମିଟି, ଗଲାଣି କେତେ ପ୍ରାଦେଶିକ କଂଗ୍ରେସ, ସରିଲାଣି ବ୍ୟବସ୍ଥାପକ ସଭା, ଭାରତର ନୂଆ ସ୍ବାଧୀନତା ଆସିଲା ! ସେତେବେଳେ ଆନନ୍ଦରେ ମୁଖର ଜନତା, ବିହ୍ବଳିତ ଉତ୍କଳର ସନ୍ତାନମାନେ । ହେଲେ ଦିଶୁନଥିଲେ ଉତ୍କଳ ସନ୍ତାନଙ୍କର ପ୍ରାଣଦେବତା ! କାଳ-ଘୂର୍ଣ୍ଣିର ଆଘାତରେ ଯେଉଁ ମଧୁସୂଦନ ଦାସଙ୍କ ମାନସିକ ଶକ୍ତି କସ୍ମିନ୍ କାଳେ କ୍ଷୁଣ୍ଣ ହୋଇପାରିନଥିଲା, ଆଜି ସେ ମଧୁସୂଦନ କାଳେ ଉତ୍କଳ ସନ୍ତାନମାନଙ୍କ ଗହଣରେ ନାହାନ୍ତି । ଜୀବନର ଶେଷ କାର୍ଯ୍ୟ, ସ୍ବତନ୍ତ୍ର ଓଡ଼ିଶା ପ୍ରଦେଶର ସ୍ବପ୍ନ, ସେ ଆଜକୁ ଅର୍ଦ୍ଧ ଶତାବ୍ଦୀ ପୂର୍ବେ ଦେଖି ବଞ୍ଚି ବଞ୍ଚି ଆସିଥିଲେ, ତାଙ୍କ ଅବର୍ତ୍ତମାନରେ ତାହା ବାସ୍ତବ ରୂପ ଗ୍ରହଣ କରିଛି । ହେଲେ ସିଏ ପାଖରେ ନାହାନ୍ତି ।
ସହସ୍ରଭୁଜା ଜନନୀ ତାଙ୍କୁ କୋଳ କରି ଚିର କାଳ ନିଜ ଅମୃତଧାମକୁ ନେଇଗଲେ । ଜୀବନର ମହାମାନ୍ତ୍ରିକ ଶେଷ ଉଦ୍ଗାନ ଦେଇ ମୃତ୍ୟୁ ଶଯ୍ୟାରେ କହିଦେଇଥିଲେ ସେଦିନ ପଣ୍ଡିତ ନୀଳକଣ୍ଠ ଦାସଙ୍କୁ, “ଯାଅ ଲୋକଙ୍କୁ କହିବ ପେଟରେ ଯାହା କିଛି ମଇଳା ଅଛି ପରିଷ୍କାର କରନ୍ତୁ ! ତା’ ହେଲେ ଆତ୍ମା ସହଜରେ ପରିଷ୍କାର ହୋଇଯିବ” । “ମୁଁ ତ ଯାଉଛି; ମନେ ରଖିଥିବ ଜଣେ ଓଡ଼ିଆ ଥିଲା ।” ସମଗ୍ର ଓଡ଼ିଆ ଜାତି ଉଦ୍ଦେଶ୍ୟରେ ଏହା ହିଁ ଥିଲା ତାଙ୍କ ଶେଷବାଣୀ । ସ୍ତିମିତ ହେଲା ଜୀବନ ପ୍ରଦୀପ, ଥମିଗଲା “ବିପତ୍ତୌ ମଧୁସୂଦନଃ”ର ସ୍ଫୂର୍ତ୍ତିବନ୍ତ ଗୁଞ୍ଜରଣ !
ଓଡ଼ିଆ ଯୁବକ ବଡ଼ ହେଲେଣି ! ବିଦେଶ ଗଲେଣି ! ବନ୍ଧୁବାନ୍ଧବ କଲେଣି । ଯଥେଷ୍ଟ ଶକ୍ତି ଓ ତପଃ ଫଳର ପ୍ରଭୂତ ବିଳାସ ନେଇ ସେମାନେ ବିଚରଣ କରୁଛନ୍ତି ଜନନୀର ମୁକ୍ତ ବକ୍ଷରେ । ମଧୁସୂଦନଙ୍କୁ ସେମାନେ ଜାଣନ୍ତି ନାହିଁ, ଏବେ ବି ସମୟ ଅଛି, ଆମ ପଚାଶ ବର୍ଷ ତଳର ଲୋକମାନେ ହୃଦୟଙ୍ଗମ କଲେଣି, ଭୁଲିଗଲେ । କିଛି ଦୁଃଖ ନାହିଁ ତ ! ମଧୁସୂଦନ କାହା ପାଇଁ ନିଜ ସମଗ୍ର ଜୀବନ ବ୍ରତ କରିଥିଲେ, ଓଡ଼ିଆ ଯୁବଶକ୍ତି ପାଇଁ ! ସେମାନଙ୍କ ପାଇଁ ତାଙ୍କ ଜୀବନର ଶେଷ ପ୍ରାଣବାୟୁ ଉତ୍ସର୍ଗ କରିଛନ୍ତି ।
ସେହି ଯୁବଶକ୍ତି କ’ଣ ଆଜି ଟିକେ କାନ ଦେବେ କି ? ସେହି ଯୁବଶକ୍ତି ପୁଣି ଥରେ ମନ ଦେବେ କି ?
ଛାନ୍ଦସିକ କବି #ରାଧାମୋହନ_ଗଡ଼ନାୟକ କିଛି ଏପରି ସ୍ମୃତି ଚାରଣ କରିଛନ୍ତି ସେ ସନ୍ଦର୍ଭରେ :
~ କୁଳବୃଦ୍ଧ ମଧୁସୂଦନ ~
କବି : ରାଧାମୋହନ ଗଡ଼ନାୟକ
ଧରଣୀରେ ଆଜି ରଙ୍ଗ ତୂଳିକା ବୁଲାଇ ଆଣୁଚି ମଧୁ
ପାଦପ ଧରୁଚି ନବପଲ୍ଲବ ହସୁଚି ପୁଷ୍ପବଧୂ ।
ନୂତନ ମଳୟ ଆକୁଳ ହେଉଚି ଚୂତ ମୁକୁଳର ବାସେ
ବିହଗ ଗାଉଚି ମୁକ୍ତ କଣ୍ଠେ ଅଳି ଗୁଞ୍ଜନ ଭାଷେ ।
ରୁଚିଲା ନାହିଁ କି ହେ କୁଳବୃଦ୍ଧ, ଏ ମଧୁ-ମାନବ-ଶିରୀ
ଚାଲିଗଲ ଆହା ଚିର ମଧୁ ଧାମେ ଏ ମର୍ତ୍ତ୍ୟ ପରିହରି ।
ତୁମେ ଥିଲ ଏକା ହେ ମଧୁସୂଦନ ଏ ଦେଶର ବରସୁତ
ତୁମେ ଥିଲ ଏକା ଏ ଦୀନ ଦେଶର ବ୍ୟଗ୍ର ଅଗ୍ରଦୂତ ।
ପ୍ରଥମେ ଏ ଦେଶେ ତୁମେ ଉଠିଥିଲ ଶିକ୍ଷାର ବଇଭବେ
ପ୍ରଥମେ ଏ ଦେଶେ ତୁମେ ଫୁଟିଥିଲ ଗୌରବ-ସଉରଭେ ।
ପ୍ରଥମେ ଏ ଦେଶେ ତୁମେ ଗାଇଥିଲ ଦେଶର ଗର୍ବଗୀତି
ପ୍ରଥମେ ଏ ଦେଶେ ତୁମେ ଆଣିଥିଲ ନବୀନ ଜୀବନ ସ୍ଫୀତି ।
ଅନ୍ତର ତଳେ ବୁଝିଥିଲ ତୁମେ ଲଭିଥିଲ ଏଇ ଜ୍ଞାନ
ଜନ୍ମଭୂଇଁ ତ ମୃଣ୍ମୟୀ ନୁହେଁ ଅଛି ତା’ର ଅଛି ପ୍ରାଣ ।
‘ମାଆ ମାଆ’ ବୋଲି ଡାକିଲ ଆକୁଳେ ମାଆ ତ ଶୁଣିଲେ ନାହିଁ,
ସୁପ୍ତ ତାହାର ସନ୍ତାନେ ତେଣୁ ଛନ୍ଦେ ଉଠିଲ ଗାଇ ।
“ଉଠରେ ଉଠରେ ଉତ୍କଳ ସନ୍ତାନ ଉଠିବୁ ତୁ କେତେ ଦିନେ ।
ପୂରୁବ ଗୌରବ ପୂରୁବ ବିଭବ ପଡ଼ିବ କି ତୋର ମନେ ?”
ଜନ୍ମଭୂଇଁର ଛିନ୍ନ ଅଙ୍ଗ ବିଲୋକି ଲଭିଲ ବ୍ୟଥା
ମିଶାଇବା ଲାଗି ଯୁଝିଲ ହେ ବୀର, ପ୍ରାଣେ ଭରା ଆକୁଳତା
ଦୀର୍ଘ ତିରିଶ ବରଷ ହେଲାଣି ତଥାପି ଫଳିନି ଆଶା
ପୂର୍ଣ୍ଣ ମୂରତି ଧରିନି ତଥାପି ପ୍ରାଣର ଅଧୀର ଭାଷା,
ଆଶା ପୂର୍ତ୍ତିର ସ୍ବର୍ଣ୍ଣ ସୁଯୋଗେ ଉତ୍କଳ-ସେନାପତି,
ମାଆ କୋଳ ଛାଡ଼ି ଚାଲିଯିବା ପାଇଁ କେସନେ ବଳିଲା ମତି ?
ଜାଗରଣ ପଥେ ଉତ୍କଳ ଏବେ, ବୁଝି ନୁହେଁ ବିଧିଲୀଳା
କେଉଁ ଆଢୁଆଳେ ଏତେ ଦୁର୍ଯୋଗ କେଉଁଠାରେ ଲୁଚିଥିଲା ?
ବନ୍ୟା ବିପାକ ମାଡ଼ି ଆସି କାହୁଁ ବୁଡ଼ାଇଲା ଆମ ଦେଶ
ଭୂକମ୍ପ ଆମ ସହଯୋଗୀ ଦେଶେ କଲା ଦୀନହୀନ ବେଶ ।
ଦେଖି ଏ ଅକାଳ ଦୈବଦଣ୍ଡ ଧୃତି ନ ପାରିଲ ଧରି
ଭାବିଲ ଏ ଆଶା ଦୂରେ ବହୁ ଦୂରେ ସତ୍ବରେ ଗଲ ଚଳି ।
ଚାଲିଗଲ ଯେବେ ସରଗ ଭୁବନେ ଏ ଦେଶର ଭୂମି ତ୍ୟାଗି
ରାଧୁ, ମଧୁ, ଗୋପ ଧାଇଁ ଆସିଥିବେ ପାଛୋଟି ନେବାର ଲାଗି,
ଅପସରା ଦଳ ବନ୍ଦାଇଥିବେ ହେମ ମନ୍ଦାର ଫୁଲେ
କିନ୍ନରଗଣ ଗୀତ ଗାଇଥିବେ ମଞ୍ଜୁ ମଧୁର ସ୍ବରେ ।
ସେ ଦେଶର ସେଇ ସମାରୋହ କାଳେ ଉତ୍କଳ ନନ୍ଦନ
ଭୁଲିଯିବ ଏଇ ଜନ୍ମଭୂମି କି ?– ଶଙ୍କିତ ନୁହେଁ ମନ ।
ତୁମେ ଚାଲିଗଲ ତୁମ ଲାଗି ଆଜି ପ୍ରାଣେ ପ୍ରାଣେ ହାହାକାର
ନୟନେ ନୟନେ ଉଛୁଳି ପଡ଼ଇ ଉଷ୍ଣ ଲୋତକଧାର ।
ଅଶ୍ରୁ ମୋଚନେ ହୃଦୟର ଖାଲି ଦୈନ୍ୟ ପଡ଼ଇ ବୁଝା
ଅପୂର୍ଣ୍ଣ ତବ କର୍ମ ସାଧନ ସେଇ ତବ ସ୍ମୃତି ପୂଜା;
ସୁ-ଆଶିଷ ଦିଅ ସୁ-ଆଶିଷ ଦିଅ ଦେଶ-ମଙ୍ଗଳବାଦୀ
ଦେଶର ତରୁଣ ବରଣୀୟ ହେଉ ଦେଶର କର୍ମ ସାଧି ।
Spread the love
admin

Recent Posts

ଜଳଖିଆ

~ ଜଳଖିଆ ~ ଲେଖା: ଡ. ଜୟଶ୍ରୀ ନନ୍ଦ ଯେଉଁ ସ୍ଥାନକୁ ସ୍ବୟଂ ବିଷ୍ଣୁ ଭୋଜନ ପାଇଁ ବାଛିଥିଲେ ସେ…

3 days ago

ଉଠ କଙ୍କାଳ

~ ଉଠ କଙ୍କାଳ ରଚନାର ପୃଷ୍ଠଭୂମି ~ ଉପସ୍ଥାପନା: ଦେଵ ତ୍ରିପାଠୀ "ଉଠ କଙ୍କାଳ, ଛିଡ଼ୁ ଶୃଙ୍ଖଳ, ଜାଗ ଦୁର୍ବଳ…

1 week ago

ହାତଖଣ୍ଡି ଗୌରାଙ୍ଗ ଦାସ

~ କୃଷକ ଆନ୍ଦୋଳନର ଅଧିନେତା ଗୌରାଙ୍ଗ ଦାସ ଓରଫ୍ ହାତଖଣ୍ଡି ଗୌରାଙ୍ଗ ଦାସ ~ ଲେଖା: ନିରଞ୍ଜନ ସାହୁ ଅନ୍ୟାୟ, ଅସତ୍ୟ ବିରୁଦ୍ଧରେ…

4 weeks ago

ଭକ୍ତକବି ମଧୁସୂଦନ ରାଓ

~ ଭକ୍ତକବି ମଧୁସୂଦନ ରାଓ ~ ଲେଖା: ଶୁଭ ରଞ୍ଜନ ପୃଷ୍ଟି ଆଜି ଯଦି ଆମେ ଓଡ଼ିଆ କହୁଛେ, ଓଡ଼ିଆ…

4 weeks ago

ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ

~ ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ: ଜଣେ ବିଚିତ୍ରବର୍ଣ୍ଣା ତୂଳୀକାର ~ ଲେଖା: ନିରଞ୍ଜନ ସାହୁ ଉନ୍ନବିଂଶ ଶତାବ୍ଦୀର ମଧ୍ୟ…

1 month ago

ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ

ଲେଖା: ନିରଞ୍ଜନ ସାହୁ ~ ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ ~ "ପ୍ରଥମ ଯୌବନରେ ବାପା-ମାଆ-ଭାଇ-ଭଉଣୀଙ୍କ ଉପସ୍ଥିତି ସତ୍ତ୍ୱେ ଏକ…

1 month ago