~ ଅବଲୁପ୍ତ ସବୁଜଧାରା: ଗୋପାଳ ଦାଶ ~

ଲେଖା: ଅମୃତେଶ ଖଟୁଆ
ଊନବିଂଶ ଶତାବ୍ଦୀର ମଧ୍ୟବର୍ତ୍ତୀ ଭାଗ ଓଡ଼ିଆ ଯାତ୍ରାର ନବୋନ୍ମେଷର ମଧ୍ୟକାଳ। ସେହି ସମୟରେ ଲୀଳାଯାତ୍ରାଠାରୁ ନେଇ ଯାତ୍ରାର ସଂସ୍କାର ସହ ଯାତ୍ରାର ନବରୂପ ସଂଗଠିତ ହେଉଥାଏ। ୧୭୫୦ ଖ୍ରୀଷ୍ଟାବ୍ଦରୁ ୧୯୪୭ ଖ୍ରୀଷ୍ଟାବ୍ଦ ପର୍ଯ୍ୟନ୍ତ ଓଡ଼ିଆ ଯାତ୍ରାର ମଧ୍ଯ କାଳ ରୂପେ ନିରୂପିତ କରାଯାଏ।
ଆଉ ଏହି ସମୟରେ ତିନିଜଣ ପ୍ରମୁଖ ମହାରଥୀଙ୍କୁ ନେଇ ଓଡ଼ିଆ ଯାତ୍ରାର ଅଭ୍ୟୁଦୟ ଓ ବିକାଶ ଘଟେ – ଜଗନ୍ନାଥ ପାଣି, ଗୋପାଳ ଦାଶ ଓ ବୈଷ୍ଣବ ପାଣି। ଆଉ ଏମାନଙ୍କ ସମକାଳୀନ ଥିଲେ କୃପାସିନ୍ଧୁ ମିଶ୍ର (ଓଡ଼ିଆ ଯାତ୍ରାର ପ୍ରଥମ ନାଟ୍ୟକାର ରୂପେ ଗ୍ରହଣ କରାଯାଏ, ଜନ୍ମ ୧୮୩୨ ଖ୍ରୀ:), ଗୋପାଳ ଦାସ (ଯାଜୁପର ଜନ୍ମିତ), ରଘୁନାଥ ପରିଚ୍ଛା, ଜଗନ୍ମୋହନ ଲାଲା, କୃଷ୍ଣକାନ୍ତ ଦାସ, ଗୋପୀନାଥ ନନ୍ଦ, ତ୍ରିଲୋଚନ ରାୟଗୁରୁ, ମାଗୁଣି ସାହୁ, ଧ୍ରୁବ ବାରିକ ପ୍ରଭୃତି।
ଏହି ସମୟକୁ ଯାତ୍ରାଜଗତର ସ୍ଵର୍ଣ୍ଣଯୁଗ ରୂପେ ମଧ୍ୟ ଅନେକ ଗବେଷକ ଆଖ୍ୟାୟିତ କରିଅଛନ୍ତି। ଏହି ସମକାଳରେ ଯାତ୍ରାକାର ମାନେ ଅଭିନେତା ଓ ଅଭିନେତ୍ରୀ ସଙ୍ଗେ, ଯାତ୍ରା ପରିଚାଳକ ତଥା ନିର୍ଦ୍ଦେଶକ ରୂପେ ନିଜେ ହିଁ ନିର୍ବାହ କରିଥିଲେ। ଆଉ ଏହି ସମୟରେ ସର୍ବପ୍ରଥମ ଯାତ୍ରା ନାଟକର ରଚୟିତା ରୂପେ ଜଗନ୍ନାଥ ପାଣିଙ୍କୁ ଗ୍ରହଣ କରାଯାଏ। ଆଦ୍ୟତନ ଯାତ୍ରା କାଳ ବିଶେଷତଃ ପଦ୍ୟଧର୍ମୀ ଓ ଗୀତାଭିନୟରେ ଥିଲାବେଳେ, ପରବର୍ତ୍ତୀ ସମୟରେ ଗଦ୍ୟଧର୍ମୀ ହୋଇ ଆହୁରି ନୂଆ ରୂପରେ ଉନ୍ମୁଖ ହୋଇଥାଏ।
ଗୋପାଳ ଦାଶଙ୍କ ଯାତ୍ରାଯୁଗ ଏକ ଅଭିନବ ସମୟ ଥିଲା। ଲୋକେ ଗୋପାଳ ଦାଶଙ୍କ ଯାତ୍ରା ଦେଖିବାକୁ ଧାଉଁଥିଲେ। ଶୋଇଥିବା ଲୋକ ମଧ୍ୟ ଦାଣ୍ଡରେ ଗୋପାଳ ଦାଶଙ୍କ ଯାତ୍ରା କଥା ଶୁଣିବା କ୍ଷଣି ଧାବନ କରନ୍ତି। ହୁରି ପଡେ – “ଗୋପାଳ ଦାଶେ ରଙ୍ଗସଭାକୁ ବିଜେ ହେଲେଣି। ମଣିଆ ଦୁଆରୀର ବୀର ଚାଉଳିଆ ପାଟି ବାରି ହେଉଛି କୋଶେ ବାଟରୁ।”
କେନ୍ଦ୍ରାପଡା ଜିଲ୍ଲାର ପଟ୍ଟମୁଣ୍ଡାଇ ଅନ୍ତର୍ଗତ ପଳସିଂହା ଗ୍ରାମରେ ୧୮୭୬ ମସିହାରେ ବ୍ରାହ୍ମଣ କହ୍ନେଇ ଦାସଙ୍କ ଔରସରୁ ଜନ୍ମଗ୍ରହଣ କରିଥିଲେ ଗୋପାଳ ଦାଶ। ପିତା କହ୍ନେଇ ଦାଶ ମଧ୍ୟ ଜଣେ ଯାତ୍ରାକାର। ତାଙ୍କର ଯାତ୍ରାଦଳ ଲଗନ ଦେବାକୁ ଟାକି ବସିଥିଲା। ବୈଷ୍ଣବ ହେତୁ ସିଏ କୃଷ୍ଣଲୀଳା ଯାତ୍ରାରେ ଅଭିନୟ କରୁଥିଲେ। ୧୯୧୧ ମସିହାରେ ଗୋପାଳ ଦାଶଙ୍କ ଦ୍ଵାରା ଏକ ବଳିଷ୍ଠ ଯାତ୍ରାଦଳର ଶୁଭାରମ୍ଭ ହୁଏ। ସମଗ୍ର ଓଡିଶା, ବିହାର, ବଙ୍ଗ ପ୍ରଦେଶରେ ଏହି ଯାତ୍ରାଦଳର ବିସ୍ତାର ପ୍ରତିପାଦିତ ହୋଇ ସାରିଥିଲା ଓଡ଼ିଆ ଜାତିକୁ ଏକ ନୂଆ ପରିଚିତି ଦେଲା। ବିଶେଷ କରି ମେଦିନୀପୁରରେ ସେ ସମୟର ଅନେକ ଯାତ୍ରାନାଟକ ପ୍ରସିଦ୍ଧି ଲାଭ କରିଥିଲା।
ଗଣକବି ବୈଷ୍ଣବ ପାଣିଙ୍କ ପୂର୍ବବର୍ତ୍ତୀ ସମୟରେ ଗୋପାଳ ଦାଶଙ୍କ ଖ୍ୟାତି ଅଭୂତପୂର୍ବ ବ୍ୟାପ୍ତି ଲଭିଥିଲା। ବୈଷ୍ଣବ ପାଣିଙ୍କ ‘ରଙ୍ଗସଭା’ ପୂର୍ବରୁ ଗୋପାଳ ଦାଶ ମଧ୍ୟ ‘ରଙ୍ଗସଭା’ ଗୀତିନାଟ୍ୟର ରଚନା କରିଥିଲେ। ସେଥିପାଇଁ ଅନେକ ବୈଷ୍ଣବପାଣିଙ୍କ ନାଟକର ବିଦ୍ୟୋତନ କରେ ଗୋପାଳ ଦାଶଙ୍କ ଗୀତିନାଟ୍ୟ ଓ କୃତୀତ୍ଵରେ ବୈଷ୍ଣବ ପାଣିଙ୍କ ପରି ତାଙ୍କ ନାଟକ ପଲ୍ଲୀ ପଲ୍ଲୀ ପ୍ରସିଦ୍ଧି ପାଇଲା।
‘ରଙ୍ଗସଭା’, ‘କଂସବଧ’, ‘ଶ୍ଵେତବସନ୍ତ’, ‘ପ୍ରଭାସମିଳନ’, ‘କାଞ୍ଚିକାବେରୀ’, ‘ସାବିତ୍ରୀ ସତ୍ୟବାନ’, ‘ଚନ୍ଦ୍ରହାସ’, ‘ବାଲ୍ୟବିନୋଦ’, ‘ଅର୍କାସୁର ବଧ’ ପ୍ରଭୃତି ଗୋପାଳ ଦାଶଙ୍କ ପ୍ରଣିଧାନଯୋଗ୍ୟ ଗୀତିନାଟ୍ୟ। ଗୋପାଳ ଦାଶ ଜଣେ ଆଶୁକବି ମଧ୍ୟ ଥିଲେ । ସେଥିପାଇଁ ଗାଁ ଗାଁରେ କହୁଥିଲେ ଯେ ଗୋପାଳ ଦାଶଙ୍କ ପରି କଡା ନାଟ୍ୟକାର ଓ ଯାତ୍ରାକାର ନାହିଁ। ତାଙ୍କ ଯାତ୍ରାଦଳ ୧୯୩୬ ମସିହା ପର୍ଯ୍ୟନ୍ତ ତିଷ୍ଠି ରହିଥିଲା।
୧୯୨୬ ମସିହାରେ କଟକର ରାଜବାଟୀ ରଙ୍ଗସଭାରେ ଅଭିନୟ କରି ସେ ପୁରସ୍କୃତ ହୋଇଥିଲେ। ସେ ଥିଲେ ଏକାଧାରରେ ଲେଖକ, ଅଭିନେତା, ନିର୍ଦ୍ଦେଶକ, ଯାତ୍ରା ପରିଚାଳକ ଓ ମାଲିକ। ତାଙ୍କ ରଚିତ ‘କର୍ଣ୍ଣବଧ’ର ଉଦାହରଣ –
“ଦେଶରେ ପାଣ୍ଡବା ଭଣ୍ଡ,
ହୋଇଲେ ଏଡେ ପ୍ରଚଣ୍ଡ,
ଜାରଜାତକା ମହାପାତକା,
ରାଣ୍ଡିପୁଅ ଗୁଡାମନକୁ ଷଣ୍ଢ।”
ଏହି ଅଦ୍ଵିତୀୟ ଯାତ୍ରାକାର ଓ ନାଟ୍ୟସ୍ରଷ୍ଟାଙ୍କର ୧୯୩୮ ମସିହାରେ ଦେହାବସାନ ଘଟେ।
(ସୌଜନ୍ଯ: ଗଡମେକର୍ ଗଡମେକର୍)
Natya Rathi Gopal Dash
Amritesh Khatua
Spread the love
admin

Recent Posts

ଜଳଖିଆ

~ ଜଳଖିଆ ~ ଲେଖା: ଡ. ଜୟଶ୍ରୀ ନନ୍ଦ ଯେଉଁ ସ୍ଥାନକୁ ସ୍ବୟଂ ବିଷ୍ଣୁ ଭୋଜନ ପାଇଁ ବାଛିଥିଲେ ସେ…

3 days ago

ଉଠ କଙ୍କାଳ

~ ଉଠ କଙ୍କାଳ ରଚନାର ପୃଷ୍ଠଭୂମି ~ ଉପସ୍ଥାପନା: ଦେଵ ତ୍ରିପାଠୀ "ଉଠ କଙ୍କାଳ, ଛିଡ଼ୁ ଶୃଙ୍ଖଳ, ଜାଗ ଦୁର୍ବଳ…

1 week ago

ହାତଖଣ୍ଡି ଗୌରାଙ୍ଗ ଦାସ

~ କୃଷକ ଆନ୍ଦୋଳନର ଅଧିନେତା ଗୌରାଙ୍ଗ ଦାସ ଓରଫ୍ ହାତଖଣ୍ଡି ଗୌରାଙ୍ଗ ଦାସ ~ ଲେଖା: ନିରଞ୍ଜନ ସାହୁ ଅନ୍ୟାୟ, ଅସତ୍ୟ ବିରୁଦ୍ଧରେ…

4 weeks ago

ଭକ୍ତକବି ମଧୁସୂଦନ ରାଓ

~ ଭକ୍ତକବି ମଧୁସୂଦନ ରାଓ ~ ଲେଖା: ଶୁଭ ରଞ୍ଜନ ପୃଷ୍ଟି ଆଜି ଯଦି ଆମେ ଓଡ଼ିଆ କହୁଛେ, ଓଡ଼ିଆ…

1 month ago

ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ

~ ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ: ଜଣେ ବିଚିତ୍ରବର୍ଣ୍ଣା ତୂଳୀକାର ~ ଲେଖା: ନିରଞ୍ଜନ ସାହୁ ଉନ୍ନବିଂଶ ଶତାବ୍ଦୀର ମଧ୍ୟ…

1 month ago

ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ

ଲେଖା: ନିରଞ୍ଜନ ସାହୁ ~ ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ ~ "ପ୍ରଥମ ଯୌବନରେ ବାପା-ମାଆ-ଭାଇ-ଭଉଣୀଙ୍କ ଉପସ୍ଥିତି ସତ୍ତ୍ୱେ ଏକ…

1 month ago