ଲେଖା: ନିରଞ୍ଜନ ସାହୁ

ସେ ଥିଲେ ଜଣେ ଗୃହୀ ବୈଷ୍ଣବ । ବୈଷ୍ଣବ ଜନୋଚିତ ନମ୍ରତାର ପରିଚାୟକ ମଣିଷ ଗୋଟିଏ । ସେଥିପାଇଁ ନିଜର ବାସସ୍ଥାନ, ପରିବାର ସମ୍ପର୍କରେ ଏକାନ୍ତ ଭାବରେ ନୀରବ । ତେଣୁ ରହସ୍ୟ ଘେର ଭିତରେ ରହିଗଲେ ରହସ୍ୟ ମଞ୍ଜରୀର କବି । ଏମିତିକି ତାଙ୍କର କାଳ ନିରୂପଣ ମଧ୍ୟ ଆଜି ପର୍ଯ୍ୟନ୍ତ ରହସ୍ୟାବୃତ ମନେ ହୁଏ ।

ରହସ୍ୟ ମଞ୍ଜରୀର କବି, ଦେବଦୁର୍ଲ୍ଲଭ ଦାସ । ମଧ୍ୟଯୁଗୀୟ ଓଡ଼ିଆ ସାହିତ୍ୟରେ ଦୁର୍ଲ୍ଲଭ ପ୍ରତିଭାର ଜଣେ ଶକ୍ତିମନ୍ତ କବି । ଖଣ୍ଡିଏ ମାତ୍ର କାବ୍ୟର ରଚୟିତା । ରହସ୍ୟ ମଞ୍ଜରୀ ବ୍ୟତୀତ ଅନ୍ୟ କୌଣସି କାବ୍ୟ ରଚନା କରିଥିଲେ କି ନାହିଁ, ତାହା ମଧ୍ୟ ଏ ପର୍ଯ୍ୟନ୍ତ ଗବେଷକ ମାନଙ୍କ ଦ୍ଵାରା ଆବିଷ୍କୃତ ହୋଇ ପାରିନାହିଁ । ଜନ୍ମସ୍ଥାନର ବିବରଣୀ, ସମୟ ବା କାଳର ସଠିକତା, ସବୁ କିଛି ଯେମିତି ରହସ୍ୟମୟ ! କିନ୍ତୁ କାବ୍ୟଟି ଅତ୍ୟନ୍ତ ରସାପ୍ଲୁତ ! ଏହି ଖଣ୍ଡିଏ ମାତ୍ର କାବ୍ୟ ଓଡ଼ିଆ ସାହିତ୍ୟରେ ଅକ୍ଷୟ ପ୍ରଦାନ କରିଅଛି ଦେବଦୁର୍ଲ୍ଲଭ ଦାସ ମହାଶୟଙ୍କୁ । ପ୍ରତିଭାର ଆକଳନ ପାଇଁ ଯଥେଷ୍ଟ ଏହି କାବ୍ୟ କୃତି । ଏହା ସହ ଜଡ଼ିତ ହୋଇଯାଇଛି ତାଙ୍କର ପାଣ୍ଡିତ୍ୟ, ମାନବତାବାଦୀ ଚିନ୍ତାଧାରା, ପ୍ରେମ ଭକ୍ତିର ଉତ୍କର୍ଷତା ଏକ ସାଙ୍କେତିକ ରୂପକରେ –
“ରହସ୍ୟ ମଞ୍ଜରୀ ଏ ବିଚିତ୍ରମୟ ରସ,
ଏ ସୁଖ ଜାଣିମ ଯେହୁ ବିବେକୀ ପୁରୁଷ ।
ଅବିବେକ ବୋଲିବ ଏ କେଉଁ ପାଠେ ଥିଲା,
ଥିଲା ଯେବେ କବି କିମ୍ପା ଆଗହୁଁ ନ କଲା ।
ବିବେକୀ ବୋଲିବ ଏ ଗୁପତେ ଥିଲା ରହି,
ସରସ୍ଵତୀ ଭଣ୍ଡାରେ ଗୁପତେ ଥିଲା ଥୋଇ ।”

~ ପ୍ରେମଭକ୍ତିର ଉତ୍କର୍ଷତା ~
ରସପୁଷ୍ଟ ରହସ୍ୟ ମଞ୍ଜରୀ ପୌରାଣିକ ଅନଳାଙ୍କାରିକ ରୀତିରେ ରଚିତ ହୋଇଥିଲେ ହେଁ, ସ୍ଥାନେ ସ୍ଥାନେ ପ୍ରସାଦ-ଗୁଣଯୁକ୍ତ କବିତ୍ଵ ଚରମ ଅବଧି ପ୍ରାପ୍ତ ହୋଇଅଛି । ତାତ୍ତ୍ଵିକ ଭିତ୍ତି ଉପରେ ରଚିତ କାବ୍ୟ ରହସ୍ୟ ମଞ୍ଜରୀ ଗୌଡ଼ିୟ ରାଗାନୁଗା ଭକ୍ତି ତତ୍ତ୍ଵର ସ୍ଵାଦ୍ୟ ଉତ୍କଳୀୟ ଜନମାନସରେ ବହୁଳ ଭାବରେ ସମର୍ଥିତ । ପୁନଶ୍ଚ, ଏହି କାବ୍ୟ ପ୍ରେମ ଭକ୍ତିର ଉତ୍କର୍ଷତା ଉନ୍ମୋଚନ କରିବାକୁ ଯାଇ ରାଧାକୃଷ୍ଣଙ୍କ ପ୍ରେମର ବୈଧତା ସମ୍ପର୍କରେ ସାବଲୀଳ ଭାବରେ ଯାହା ଉପସ୍ଥାପନା କରିଛନ୍ତି କବି, ତାହା ପ୍ରେମ ଭକ୍ତିର ଗୁରୁତ୍ବ କେତେ, ସହଜେ ଅନୁମେୟ। ପ୍ରେମ ଭକ୍ତି ହିଁ ଶ୍ରେଷ୍ଠ ମାନ୍ୟତା ବହନ କରେ, ଏହା ତାଙ୍କ ଲେଖନୀରେ ବାରମ୍ବାର ପ୍ରଦର୍ଶିତ —
“ଚାରିଭକ୍ତି ମଧ୍ୟେ ପ୍ରେମ ଭକ୍ତି ଅଟେ ସାର,
ସେ ଭକ୍ତି ଅଟଇ କୋଠ ଗୋପୀମାନଙ୍କର ।
ଗୋପୀଙ୍କି ଭଜିଲା ଭକ୍ତ , ପ୍ରେମ ଭକ୍ତି ପାଇ,
ବିନା ପ୍ରେମ ଭକ୍ତିରେ ଦର୍ଶନ ମୋତେ ନାହିଁ ।
ପ୍ରେମଭକ୍ତି ପ୍ରାପତ ଗୋପୀଙ୍କ ଦରସନେ,
ପୁଲିଙ୍ଗ ପାଲିଟି ସ୍ତିରୀ ହୁଅଇ ତକ୍ଷଣେ ।”

~ ବୈଷ୍ଣବର ସମର୍ପଣ ଭାବ ~
ଗୋପୀପ୍ରେମର ଶ୍ରେଷ୍ଠତ୍ଵ ହେଉଛି ଆତ୍ମସମର୍ପଣ ଭାବ । ନିଛକ ବୈଷ୍ଣବ କବି ଦେବଦୁର୍ଲ୍ଲଭ ଦାସ ମାଳା, ତିଳକ, ଭେକକୁ ଘୃଣା କରିବା ସହ ସମର୍ପଣ ଭାବ ହିଁ ପ୍ରଭୁଙ୍କୁ ଲାଭ କରିବା ପାଇଁ ଅପରିହାର୍ଯ୍ୟ , ଏହା ବାରମ୍ବାର ଦର୍ଶାଇଛନ୍ତି । ସମସ୍ତ ସଦଗୁଣ ଥିଲେ ହେଁ ଜଣେ ବୈଷ୍ଣବ ପଦବାଚ୍ୟ ହୋଇ ପାରିବ । ତେଣୁ ବୈଷ୍ଣବ ଜନଟିଏ ଦୁର୍ଲ୍ଲଭ ଏଇ ସଂସାରରେ —
“ମନୁଷ୍ୟ କୋଟିକେ ମିଳେ ଉତ୍ତମ ଜଣେକ,
କୋଟିଏ ଉତ୍ତମ ଯାଇ ସାଧୁ ମିଳେ ଏକ ।
କୋଟି ସାଧୁ ମଧ୍ୟେଣ ବୈଷ୍ଣବ ଏକ ଜାଣ,
କୋଟିଏ ବୈଷ୍ଣବେ ସେ ଲଭଇ ସନ୍ଥ ଗୁଣ ।”

ସୁରେନ୍ଦ୍ର ମହାନ୍ତିଙ୍କ ଅନୁଶୀଳନରେ ଏହା ତାତ୍ତ୍ଵିକ-ପଦ୍ୟ ହେଲେ ହେଁ, କାବ୍ୟର ବିଭୂତିରେ ଐଶ୍ୱର୍ଯ୍ୟମୟ । ଏହାର ନିରଳଙ୍କାର ପୌରାଣିକ ଶୈଳୀରେ, ସ୍ଥାନେ ସ୍ଥାନେ ଯେଉଁଠାରେ କବିତାର ଐନ୍ଦ୍ରଜାଲିକ ସ୍ପର୍ଶ ଲାଗିଅଛି; ସେଠାରେ ତାହା ଏହାକୁ ଗୀତିମୟ କରିବା ସଙ୍ଗେ ସଙ୍ଗେ, ଅନାସ୍ଵାଦିତ କବିତ୍ଵରେ ମଣ୍ଡିତ କରିଅଛି । ବସ୍ତୁତଃ ଏହି କାବ୍ୟରେ କବିତ୍ଵର ମୁଦ୍ରାଙ୍କନ ସର୍ବତ୍ର ସମାନ ନୁହେଁ । ଏହାର ବହୁ ଛାନ୍ଦରେ ବର୍ଣ୍ଣନା ଭଙ୍ଗୀ ଯେପରି କାଠିନ୍ୟଗ୍ରସ୍ତ, କବିତ୍ଵର ବ୍ୟଞ୍ଜନା ସେହିପରି ଚମତ୍କାରିତା ବର୍ଜିତ, ମାତ୍ର ଦ୍ଵାଦଶ ଛାନ୍ଦରେ ଋତୁ ବର୍ଣ୍ଣନା, ଅଷ୍ଟାଦଶ ଛାନ୍ଦରେ ଉଦ୍ୟାନକେଳି, ଊନବିଂଶ ଛାନ୍ଦରେ ରାସଲୀଳା ପ୍ରଭୃତିରେ ଦେବଦୁର୍ଲ୍ଲଭଙ୍କ କବିତ୍ଵ ଅତ୍ୟନ୍ତ ନୈସର୍ଗିକ ।”

                                 
~ ନିଜସ୍ଵ ଓଡ଼ିଆ ରୀତି ~
ଷୋଡ଼ଶ ଶତାବ୍ଦୀର କାବ୍ୟ ଗୁଡ଼ିକ ସଂସ୍କୃତ ପରମ୍ପରାରୁ ବାଦ୍ ଯାଇ ନଥିଲେ । ତେବେ ଏହାକୁ ଅନୁସରଣ ନ କରି ନିଜସ୍ଵ ଓଡ଼ିଆ ରୀତିରେ ଯେପରି ନୈସର୍ଗିକ ଋତୁ ବର୍ଣ୍ଣନା, ଓଡି଼ଶୀ ନର୍ତ୍ତକୀର ଚିତ୍ର ଆଙ୍କି ଦେଇଛନ୍ତି, ତାହା ଜୀବନ୍ତ ଚିତ୍ରପଟ ସଦୃଶ ପ୍ରତୀୟମାନ ହୁଏ । ପୁଣି ଏଥିରେ ଶ୍ରୀରାଧାଙ୍କ ଶ୍ରେଷ୍ଠତ୍ଵ ପ୍ରତିପାଦନ ହୋଇଥିବା ବେଳେ ଜଗନ୍ନାଥଙ୍କ ଠାରେ ଶ୍ରୀକୃଷ୍ଣ ଆରୋପିତ ।

ଗାୟେଣୀ ନର୍ତ୍ତକୀମାନଙ୍କ ପାଇଁ ତାଙ୍କ କାବ୍ୟରେ ସମ୍ପୂର୍ଣ୍ଣ ଭାବେ ଭଗ୍ନ ହୋଇଯାଏ ଓଡି଼ଶୀ ନର୍ତ୍ତକୀ —
ହେଉ ଦେଖିବା ବୋଲି      ପ୍ରଭୁ ବୋଇଲେ
               ଅର୍ଦ୍ଧିନୀ ରଚିଲା ନୃତ୍ୟ
ଚିବୁକେ ତର୍ଜନୀ              କଟି କରେ ଦେଇ
              ଭ୍ରମିଲା ଚକ୍ରେ ଯେମନ୍ତ ।
ବିଚିତ୍ର ଗତି ଆଉ             ଚିତି ମାରିଣ
              ଗଗନେ ପଶିଲା ଯାଇଁ
ବିଜୁଳି ବେଗେ              ଆକାଶୁଁ ଖସି ଆସି
               ପାଦ ଝମକିଲା ଭୂଇଁ । (ନବମ ଛାନ୍ଦ )

~ ତତ୍ତ୍ଵପୂର୍ଣ୍ଣ ଅଥଚ କାବ୍ୟିକ ~
ରହସ୍ୟ ମଞ୍ଜରୀ ତତ୍ତ୍ଵ ପୂର୍ଣ୍ଣ ହେଲେ ହେଁ, କେତେ କାବ୍ୟିକ ସେହି ରଚନା ! ଗୀତିମୟ ଆକୁଳତାରେ ସମ୍ବେଦନଶୀଳ ହୋଇ ଉଠିଛି କାବ୍ୟର ବହୁଳାଂଶ ! ସେ ସମୟର ଅନ୍ୟ କାବ୍ୟ ସ୍ରଷ୍ଟା ମାନଙ୍କ ଠାରୁ ସାଙ୍ଗୀତିକ ଆଭିମୁଖ୍ୟ, ଛନ୍ଦ ବିନ୍ୟାସ, ନୈସର୍ଗିକ ଶୋଭା ବର୍ଣ୍ଣନା କ୍ଷେତ୍ରରେ ଅନନ୍ୟ ଏହି କାବ୍ୟ :
“ଘଡ଼ଘଡ଼ି ଉପରେ ପଡ଼ଇ ଚଡ଼ଚଡ଼ି
ଚଡ଼ଚଡ଼ି ଉପରେ ନିର୍ଘାତ ପଡ଼େ ମାଡ଼ି ।
ବିଜୁଳି ଚମକେ ଗୋ ଚମକି ଉଠେ ହିଆ,
କେସନେ ବଞ୍ଚିବି ମୋର କୋଳେ ନାହିଁ ନାହା ।”

ଅଥବା

“ଝମକ ଝମକ ତାଳ ଝମକେ
କିଙ୍କିଣୀ ରୁଣୁଝୁଣୁ ଚିତ୍ତ ଚମକେ ।
ଠଣରଣ ଘରଘରୀ ଘଣ୍ଟିର ନାଦେ ,
ମୁଖରିତ ମଞ୍ଜୀର ପାଦ ବିବାଦେ ।”

~ କାଳ ନିରୂପଣ ରହସ୍ୟମୟ ~
ଓଡ଼ିଆ ସାହିତ୍ୟରେ ଗୋଟିଏ ସ୍ଵତନ୍ତ୍ର ସ୍ଥାନ ଅଧିକାର କରିଛନ୍ତି କବି ଦେବଦୁର୍ଲ୍ଲଭ ଦାସ ! ତେବେ ତାଙ୍କ କାଳ ନିରୂପଣ ବାବଦରେ ଏକମତ ହୋଇ ପାରିନାହାନ୍ତି ଆମ ସାହିତ୍ୟର ସମାଲୋଚକଗଣ । ପଣ୍ଡିତ ସୂର୍ଯ୍ୟନାରାୟଣ ଦାଶ କବିଙ୍କୁ ଖୋର୍ଦ୍ଧାର ଭୋଇ ରାଜା ବୀରକେଶରୀ ଦେବ (୧୭୩୬ – ୧୭୯୩) ଙ୍କର ସମସାମୟିକ ଭାବେ ଦାବି ରଖିଥିବା ବେଳେ, ଡ. ଆର୍ତ୍ତବଲ୍ଲଭ ମହାନ୍ତି ତାଙ୍କୁ ଭାଷା ଓ ବିଷୟବସ୍ତୁ ଦୃଷ୍ଟିରୁ ସନ୍ଥକବି ଅଚ୍ୟୁତାନନ୍ଦ ଦାସଙ୍କ ୪୦/୫୦ ବର୍ଷର ପରବର୍ତ୍ତୀ ବୋଲି ଅନୁମାନ କରନ୍ତି ।

ଯାହାହେଉ ନା କାହିଁକି, କବି ଦେବଦୁର୍ଲ୍ଲଭ ଦାସ ଷୋଡ଼ଶ ଶତାବ୍ଦୀ ମଧ୍ୟଭାଗର କବି ବୋଲି ଅନେକ ସମାଲୋଚକ ମତ ଦିଅନ୍ତି । ସେ ସମୟର ଅନ୍ୟ କବିମାନଙ୍କ ପରି ରହସ୍ୟ ମଞ୍ଜରୀରେ ଠାଏ ସୂଚନାଟିଏ ଦେଇଥିଲେ ତାଙ୍କ କାଳ ନିର୍ଣ୍ଣୟ କରିବାରେ ଏତେଟା ସନ୍ଦେହ, ବାଦବିବାଦ ନଥାନ୍ତା ବୋଧେ । ମାତ୍ର, ଶାନ୍ତିକାମୀ, ଆତ୍ମସର୍ବସ୍ଵ ବିବର୍ଜିତ, ସମର୍ପିତ, ବିନୟବନ୍ତ ବୈଷ୍ଣବଟିଏ ହୋଇ କବି ଦେବଦୁର୍ଲଭ ଦାସ ଏକଥା କରି ପାରିଥାନ୍ତେ କିପରି ? ତେଣୁ ରହସ୍ୟ ମଧ୍ୟରେ ରହିଗଲେ ରହସ୍ୟ ମଞ୍ଜରୀର କବି ଦେବଦୁର୍ଲ୍ଲଭ ଦାସ ! ନିରୋଳ ଓଡ଼ିଆ କବିତ୍ଵ, ସଂସ୍କୃତ କାବ୍ୟରୀତି ଓ ପରମ୍ପରା ମୁକ୍ତ, କାବ୍ୟରେ ଚିରନ୍ତନତାର ବିଭୂତି ଚବିଶ ଛାନ୍ଦ ବିଶିଷ୍ଟ ରହସ୍ୟ ମଞ୍ଜରୀ ସେଇଥିପାଇଁ ଆମ ଓଡ଼ିଆ ସାହିତ୍ୟର ଏକ ମହାର୍ଘ ଗ୍ରନ୍ଥ ।

ଯଥାର୍ଥରେ ଡ. ଆର୍ତ୍ତବଲ୍ଲଭ ମହାନ୍ତି ଏକ ସୁନ୍ଦର ମନୋଜ୍ଞ ଶ୍ରଦ୍ଧାଞ୍ଜଳି ଦେଇ କହିଛନ୍ତି: “ଶବ୍ଦ ଓ ଅର୍ଥର ଶୋଭନ ସଙ୍ଗତିରେ, ପ୍ରସାଦ, ମାଧୁର୍ଯ୍ୟ, ସୁକୁମାରତା ଓ ସମତାଦି ଗୁଣ ସାହଚର୍ଯ୍ୟରେ, ସ୍ଵଭାବୋକ୍ତି, ଉପମା, ରୂପକ, ଉତପ୍ରେକ୍ଷା, ଅତିଶୟୋକ୍ତି ପ୍ରଭୃତି ଅଳଙ୍କାର ବିନ୍ୟାସରେ, କରୁଣ ଶୃଙ୍ଗରାଦି, ରସର ସଂସ୍ଥିତିରେ ଏ କାବ୍ୟ ଉତ୍କଳ କାବ୍ୟ ମଣ୍ଡଳରେ ଅତି ଉଚ୍ଚ ସ୍ଥାନ ଅଧିକାର କରିବ।” (‘ରହସ୍ୟ ମଞ୍ଜରୀ’ର ମୁଖବନ୍ଧ)

ସୁରେନ୍ଦ୍ର ମହାନ୍ତିଙ୍କ ଓଡ଼ିଆ ସାହିତ୍ୟର ମଧ୍ୟପର୍ବ; ଓଡ଼ିଆ ସାହିତ୍ୟର କ୍ରମ ପରିଣାମ (ପଣ୍ଡିତ ନୀଳକଣ୍ଠ ଦାସ); ଓଡ଼ିଆ ସାହିତ୍ୟର ଇତିହାସ, ଡ. ବାଉରୀବନ୍ଧୁ କର; ଶ୍ରୀ ସୁରେନ୍ଦ୍ର ମହାରଣା ଓ ‘ରହସ୍ୟ ମଞ୍ଜରୀ’ କାବ୍ୟ

© Niranjan Sahu

Spread the love
admin

Recent Posts

ହାତଖଣ୍ଡି ଗୌରାଙ୍ଗ ଦାସ

~ କୃଷକ ଆନ୍ଦୋଳନର ଅଧିନେତା ଗୌରାଙ୍ଗ ଦାସ ଓରଫ୍ ହାତଖଣ୍ଡି ଗୌରାଙ୍ଗ ଦାସ ~ ଲେଖା: ନିରଞ୍ଜନ ସାହୁ ଅନ୍ୟାୟ, ଅସତ୍ୟ ବିରୁଦ୍ଧରେ…

2 weeks ago

ଭକ୍ତକବି ମଧୁସୂଦନ ରାଓ

~ ଭକ୍ତକବି ମଧୁସୂଦନ ରାଓ ~ ଲେଖା: ଶୁଭ ରଞ୍ଜନ ପୃଷ୍ଟି ଆଜି ଯଦି ଆମେ ଓଡ଼ିଆ କହୁଛେ, ଓଡ଼ିଆ…

3 weeks ago

ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ

~ ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ: ଜଣେ ବିଚିତ୍ରବର୍ଣ୍ଣା ତୂଳୀକାର ~ ଲେଖା: ନିରଞ୍ଜନ ସାହୁ ଉନ୍ନବିଂଶ ଶତାବ୍ଦୀର ମଧ୍ୟ…

4 weeks ago

ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ

ଲେଖା: ନିରଞ୍ଜନ ସାହୁ ~ ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ ~ "ପ୍ରଥମ ଯୌବନରେ ବାପା-ମାଆ-ଭାଇ-ଭଉଣୀଙ୍କ ଉପସ୍ଥିତି ସତ୍ତ୍ୱେ ଏକ…

4 weeks ago

ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ

ଲେଖା: ନିରଞ୍ଜନ ସାହୁ ~ ଜଣେ ଉପେକ୍ଷିତ ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ ~ "ଗୋଟିଏ କଥା ମନରେ ଉଠେ, ଯେଉଁ…

4 weeks ago

ଛଅଟି କୋକେଇ

ଲେଖା: ନିରଞ୍ଜନ ସାହୁ ଶ୍ରଦ୍ଧେୟ ବାଜି ! ସାଷ୍ଟାଂଗ ଦଣ୍ଡବତ ପ୍ରଣାମ ଘେନିବା ହୁଅ। ନା, ତମେ ଯେ ସାଷ୍ଟାଂଗ…

1 month ago