ଉପସ୍ଥାପନା: ନିରଞ୍ଜନ ସାହୁ

ଓଡ଼ିଶାର ପ୍ରଖ୍ୟାତ ଭୌମକର ରାଜବଂଶରେ ଶୁଭକର ଦେବ ଅପୁତ୍ରିକ ଭାବରେ ପ୍ରାଣତ୍ୟାଗ କଲେ । ତାଙ୍କର ଏକମାତ୍ର ସନ୍ତାନ ଦଣ୍ଡିଦେବୀଙ୍କର ଜନନୀ ଗୌରୀ ଦେବୀ ଉତ୍କଳର ଶାସନଦଣ୍ଡ ଦକ୍ଷତାର ସହିତ ପରିରଳନା କରିଥିଲେ । ଏହି ବଂଶରେ ଏଥିପୂର୍ବରୁ ତ୍ରିଭୂବନ ମହାଦେବୀ ଏବଂ ପୃଥୀ ମହାଦେବୀ ନାମକ ଦୁଇଜଣ ରାଣୀ ଶାସନଦଣ୍ଡ ଧାରଣ କରିଥିଲେ । ଗୌରୀ ଦେବୀଙ୍କ ପରେ ତାଙ୍କ କନ୍ୟା ପରମ ମାହେଶ୍ବରୀ ମାତା ପିତୃପାଦାନୁଧ୍ୟତା ପରମ ଭଟ୍ଟାରିକା ମହାରାଜା ପରମେଶ୍ବରୀ ଶ୍ରୀମଦ୍ଦଣ୍ଡୀ ମହାଦେବୀ ଉତ୍କଳ ଶାସନ କରିଥିଲେ । ତାଙ୍କର ଶାସନ କ୍ଷମତା, ଦାନ ଓ କଳା ଶିଳ୍ପ ଆଦିର ପୃଷ୍ଠପୋଷକତା ଯୋଗୁ ତାଙ୍କ ଗୌରବମୟ ବଂଶର ଜୀଇଁ ସଂରକ୍ଷଣରେ ତାଙ୍କୁ ବିଜୟ ଧ୍ୱଜା ବୋଲି ଗ୍ରହଣ କରାଯାଇଥିଲା । ତାଙ୍କ ସୌନ୍ଦର୍ଯ୍ୟର ପଟାନ୍ତର ନଥିଲା । ଚନ୍ଦ୍ରଲେଖା ପରି ତାଙ୍କର ମନୋହର କ୍ଷୀଣ ଅବୟବ ଅତି ମଧୁର ଥିଲା। ତେଣୁ ବର୍ଣ୍ଣନା ଅଛି ‘ସୁନ୍ଦର ବସ୍ତୁକୁ ଦେଖୁବା ପାଇଁ ଇଚ୍ଛୁକ ହୋଇଥିବା ନେତ୍ର ପକ୍ଷରେ ସେ ଆନନ୍ଦାମୃତ ସ୍ବରୂପ ଥିଲେ ।’

କିନ୍ତୁ ଏହି ତନ୍ଵୀ ଶାସିକା ତାଙ୍କ ଶାସନ କାଳରେ ରାଷ୍ଟ୍ରମାନଙ୍କୁ ଏକାନ୍ତ ଅବନତ କରି ରଖୁଥିଲେ । ଫଳରେ ଯୁଦ୍ଧ ବିଗ୍ରହ ଏକାବେଳେ ବନ୍ଦ ହୋଇଯାଇଥିଲା । ପ୍ରତ୍ୟେକ ବ୍ୟକ୍ତି ଯେପରି ନ୍ୟାୟ ପାଇବେ, ସେ ତା’ର ସୁଶୃଂଖଳ ବ୍ୟବସ୍ଥା କରିଥିଲେ । ତେଣୁ ଅପରାଧ କରିବାକୁ ଲୋକେ ଭୁଲିଯାଇଥିଲେ। ତାଙ୍କ ରାଜ୍ୟ ପଣ୍ଡିତ ଓ ଜ୍ଞାନୀମାନଙ୍କର ଆଶ୍ରୟସ୍ଥଳ ହୋଇଥିଲା । ଲୋକେ କରପୀଡ଼ା କ’ଣ ଜାଣୁନଥିଲେ । ଧର୍ମସଂରକ୍ଷଣରେ ସେ ଯେପରି ଦୃଢତା ପ୍ରକାଶ କରିଥିଲେ, ଯାଚକମାନଙ୍କ ପାଇଁ ସେହିପରି କଳ୍ପବୃକ୍ଷ ସ୍ବରୂପିଣୀ ଥିଲେ ।

ବାଣପୁର କୁମାରଙ୍ଗ ଗ୍ରାମରୁ ମିଳିଥିବା ତମ୍ବା  ପଟାରେ ତାଙ୍କ ବିଷୟରେ ଅନେକ ବର୍ଣ୍ଣନା ଦେଖାଯାଏ । ସେଥିରୁ କେତୋଟି ନିମ୍ନରେ ଉଦ୍ଧାର କରାଗଲା ।

ସେହି ପରମେଶ୍ଵର ଶୁଭକର ଦେବ ସ୍ବର୍ଗବାସୀ ହୁଅନ୍ତେ, ସମସ୍ତ ଜନତା ଯାହାଙ୍କ ପାଦ ପଦ୍ମରେ ବିନୀତ ହେଉଥିଲେ, ଚନ୍ଦ୍ର କିରଣ ପରି ଅମର କୀଶାଳିନୀ ସେହି ଶୁଭକରଙ୍କ ମହାରାଣୀ ଗୌରୀ ମହାଦେବୀ, ଗୌରୀ (ସିଂହ ଆସନରେ ଗୌରୀ ବସିବାପରି)ଙ୍କ ପରି ଗୌରବମୟ । ସିଂହାସନ ଆରୋହଣ କରି ବହୁଦିନ ପର୍ଯ୍ୟନ୍ତ ଶାସନ କରିଥିଲେ

(ତତ୍‌ପରେ) ତାଙ୍କର ମହିୟସୀ ପ୍ରବଳ ବଳଶାଳିନୀ ସୁତା ଦଣ୍ଡି ମହାଦେବୀ ବହୁକାଳ ପର୍ଯ୍ୟନ୍ତ ଏହି ପୃଥ୍ଵୀକୁ ପାଳନ କରିଥିଲେ ।

ଯେଉଁ ଭୌମକର ବଂଶରେ ଆୟତି ଧନ ଏବଂ ପ୍ରଭାବ ଜନିତ ତେଜ କଦାପି ବିଛିନ୍ନ ହୋଇ ନ ଥିଲା, ସେହି ସମୁନ୍ନତ କୁଳକୁ, ବିଜୟ ଚିହ୍ନରୂପ ବିଦ୍ୟମାନ ପତାକା ପରି ଦଣ୍ଡୀ ମହାଦେବୀ ଅଂଳକୃତ କରିଥିଲେ । ତାଙ୍କ ପାଦଦ୍ୱୟର ସଦ୍ୟଲିପ୍ତ ଅଲକ୍ତକ ରେଖା ତାଙ୍କ ଦ୍ବାରା ଅବନମିତ ହୋଇଥିବା ଅତି ଗର୍ବିତ ଶତୁ ରାଜାମାନଙ୍କ ଦ୍ବାରା ବାରମ୍ବାର ଧୌତ ହୋଇ ଯାଉଥିଲା । କିନ୍ତୁ ଭାଗ୍ୟକୁ ତାଙ୍କ ପାଦାମ୍ବୁଜର କାତି, ତାଙ୍କ ନୂପୁର ସଂଲଗ୍ନ କୁରୁବିନ୍ଦ ମଣି (ରକ୍ତବର୍ଷ ବିଶିଷ୍ଟ ମଣି)ର ଆଭା ଦ୍ଵାରା ହିଁ ପୂର୍ବପରି ରଞ୍ଜିତ ରହୁଥିଲା

ତାହାଙ୍କ ରାଜତ୍ଵ କାଳରେ ଶିଳୀମୁଖାବଳିରବ (ଅର୍ଥାତ୍ ଶରସମୂହର ଗତି କାଳୀନ ଶବ୍ଦ) କେବଳ ଉଦ୍ୟାନମାନଙ୍କରେ ଭ୍ରମରର ଗୁଞ୍ଜନ ସ୍ବରୂପ ଶୁଣାଯାଉଥିଲା । ଦୋଷାସଙ୍ଗରୁଚି (ଦୋଷ ପ୍ରତି ଆସକ୍ତି) ତାଙ୍କ ରାଜ୍ୟରେ କାହିଁ ଦେଖା ନଦେଇ କେବଳ ଚନ୍ଦ୍ରଠାରେ (ରାତ୍ର ସହିତ ମିଳିତ ହେବାରେ ରୁଚି) ଦେଖାଯାଉଥିଲା । ସାଧାରଣ ଜନଠାରେ  ସଦ୍ଵେଷତା (ଦ୍ବେଷଭାବ) ଦେଖା ନ ଦେଇ ବିଜ୍ଞମାନଙ୍କଠାରେ କେବଳ ବିଦ୍ୟା ବିଷୟରେ ବିଦ୍ୟମାନ ଥିଲା ।

ସେବା କରିବା ପାଇଁ ଅଭିଳାଷୀ ଥିବା ସାମନ୍ତ ନୃପତିମାନଙ୍କ ସଭାରୂପକ ପୁଷ୍କରିଣୀରେ ସେ ରାଜହଂସୀ ସ୍ଵରୂପ ଥିଲେ । କଳିର କ୍ରୋଧରେ କ୍ଷୀଣ ହୋଇଥିବା ଧର୍ମର ସେ ଆଶ୍ରୟଯୋଗ୍ୟ ସୃଯଷ୍ଟି ସ୍ଵରୂପ ଥିଲେ । ସେ ନିଃଶେଷ (ସମସ୍ତ) ପ୍ରଣୟୀ ପ୍ରାର୍ଥୀ ସୁମନଃ (ପଣ୍ଡିତ ରୂପ ଦେବତା) ମାନଙ୍କ ପକ୍ଷରେ ବନର ଲକ୍ଷ୍ମୀ ରୂପିଣୀ ଥିଲେ । ଅର୍ଥାତ ସମସ୍ତ ବିଦ୍ଵାନୁରୂପକ ଦେବତାମାନଙ୍କର କଳ୍ପତରୁ ପରି ଆକାଂକ୍ଷା ପୂରଣ କରୁଥିଲେ ଦଣ୍ଡୀ ମହାଦେବୀ।

ମା’ ଶାରଦା ଦେବୀଙ୍କ ଶତବାର୍ଷିକୀ ଉତ୍ସବ ଉପଲକ୍ଷରେ ରାମକୃଷ୍ଣ ମିଶନ ପକ୍ଷରୁ ‘ଭାରତୀୟ ନାରୀ’  ନାମକ ଏକ ପ୍ରାମାଣିକ ଗ୍ରନ୍ଥ ପ୍ରକାଶିତ ହୋଇଅଛି । ସେଥିରେ ଗୌରବମୟୀ ଭାରତୀୟ ରାଜ୍ୟଶାସିକା ନାରୀମାନଙ୍କ ମଧ୍ୟରେ ଓଡ଼ିଶାର ଦଣ୍ଡୀ ମହାଦେବୀ (Dandi Mahadei) ସ୍ଥାନ ପାଇଛନ୍ତି ।

ଏଥିରୁ ଜଣାପଡ଼େ ଯେ, ଦଣ୍ଡୀ ମହାଦେବୀ ଅତ୍ୟନ୍ତ ପ୍ରଭାବଶାଳୀ ଉଚ୍ଚାକାଂକ୍ଷୀ ରାଣୀଥିଲେ । ତାଙ୍କ ଶାସନ ସମୟରେ ଶାନ୍ତି ଓ ସମୃଦ୍ଧି ବିରାଜମାନ କରୁଥିଲା । ଭୌମକରମାନେ ପ୍ରଥମେ ବୌଦ୍ଧ ଥିଲେ ଓ ପରେ ଶୈବ ହୋଇଗଲେ । ତେଣୁ ଦଣ୍ଡୀ ମହାଦେବୀ ଶିବ ଉପାସିକା ଥିଲେ ଏବଂ ବ୍ରାହ୍ମଣ୍ୟ ଧର୍ମର ପୃଷ୍ଠପୋଷକତା କରିଥିଲେ । ସେ ବିବାହ କରି ନଥିଲେ, ଫଳରେ ତାଙ୍କ ଅକାଳ ବିୟୋଗ ପରେ ତାଙ୍କ ବିମାତା ବକୁଳ ମହାଦେବୀ ରାଜ୍ୟ ଶାସନ ଭାର ଗ୍ରହଣ କରିଥିଲେ । ତାମ୍ରଲେଖ ଅନୁସାରେ ସେ ଖ୍ରୀଷ୍ଟାବ୍ଦ ୯୧୬ ରୁ ୯୨୩ ମଧ୍ୟରେ ରାଜ୍ୟ ଶାସନ କରିଥିଲେ ଦଣ୍ଡୀ ମହାଦେବୀ।
          
ଏହି ମହିୟସୀ ଗୌରବମୟୀ ନାରୀ ଶାସିକାଙ୍କ ସମ୍ପର୍କରେ ଅଳ୍ପ କିଛି ମିଳିଥିବା ତଥ୍ୟ ଉପସ୍ଥାପନ କରି ‘ଅନ୍ତରଙ୍ଗ କଳିଙ୍ଗ’ପରିବାର ନିଜକୁ ଗୌରବାନ୍ଵିତ ମନେ କରୁଛି ।

ଆଧାର:  ଶ୍ରୀ ନୃସିଂହ ଚରଣ ସାହୁଙ୍କ ସଙ୍କଳିତ ‘ଆମେ ଓଡ଼ିଆ‘ ପୁସ୍ତକ ।

ଚିତ୍ର: ଦଣ୍ଡୀ ମହାଦେବୀଙ୍କ ଦ୍ଵାରା ପ୍ରଚଳିତ ତାମ୍ରମୁଦ୍ରା, ଯାହା ବାଣପୁର କୁମାରଙ୍ଗ ଗ୍ରାମରୁ ମିଳିଥିଲା

© Niranjan Sahu

Spread the love
admin

Recent Posts

ଓଗାଳ

~ ଗୋପାଳଙ୍କ ଓଗାଳ ~ ଲେଖା: ନିରଞ୍ଜନ ସାହୁ ଆଜି ପବିତ୍ର ଫଗୁଦଶମୀ। ପୁରପଲ୍ଲୀ ଉତ୍ସବ ମୁଖର। ନନ୍ଦସୁତ କହ୍ନାଇ…

13 hours ago

ଜଳଖିଆ

~ ଜଳଖିଆ ~ ଲେଖା: ଡ. ଜୟଶ୍ରୀ ନନ୍ଦ ଯେଉଁ ସ୍ଥାନକୁ ସ୍ବୟଂ ବିଷ୍ଣୁ ଭୋଜନ ପାଇଁ ବାଛିଥିଲେ ସେ…

2 weeks ago

ଉଠ କଙ୍କାଳ

~ ଉଠ କଙ୍କାଳ ରଚନାର ପୃଷ୍ଠଭୂମି ~ ଉପସ୍ଥାପନା: ଦେଵ ତ୍ରିପାଠୀ "ଉଠ କଙ୍କାଳ, ଛିଡ଼ୁ ଶୃଙ୍ଖଳ, ଜାଗ ଦୁର୍ବଳ…

2 weeks ago

ହାତଖଣ୍ଡି ଗୌରାଙ୍ଗ ଦାସ

~ କୃଷକ ଆନ୍ଦୋଳନର ଅଧିନେତା ଗୌରାଙ୍ଗ ଦାସ ଓରଫ୍ ହାତଖଣ୍ଡି ଗୌରାଙ୍ଗ ଦାସ ~ ଲେଖା: ନିରଞ୍ଜନ ସାହୁ ଅନ୍ୟାୟ, ଅସତ୍ୟ ବିରୁଦ୍ଧରେ…

1 month ago

ଭକ୍ତକବି ମଧୁସୂଦନ ରାଓ

~ ଭକ୍ତକବି ମଧୁସୂଦନ ରାଓ ~ ଲେଖା: ଶୁଭ ରଞ୍ଜନ ପୃଷ୍ଟି ଆଜି ଯଦି ଆମେ ଓଡ଼ିଆ କହୁଛେ, ଓଡ଼ିଆ…

1 month ago

ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ

~ ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ: ଜଣେ ବିଚିତ୍ରବର୍ଣ୍ଣା ତୂଳୀକାର ~ ଲେଖା: ନିରଞ୍ଜନ ସାହୁ ଉନ୍ନବିଂଶ ଶତାବ୍ଦୀର ମଧ୍ୟ…

2 months ago