ସୌରଭିତ ସୃଷ୍ଟି: ଗୋଦାବରୀଶ ମହାପାତ୍ର

ଜନ୍ମଭୂମି ସତତ କୀର୍ତ୍ତିଶାଳିନୀ ପୂତବିଭା ଧାରିଣୀ । ଜନ୍ମଭୂମିର ଗୁରୁଗାନରେ ଅବହିତ ଜାତୀୟ ସ୍ଵାତନ୍ତ୍ର୍ୟ ହିଁ ଆମ ମଧ୍ୟରେ ଜାତିର ମହାମନ୍ତ୍ର ଦିଏ । ଶସ୍ୟଳ ଏ ଦେଶମାତୃକା ଆଜି କେଉଁ ଏକ ବିତୃଷ୍ଣାର ସିନା ବିଜଡିତ, ହେଲେ ମଧ୍ୟ ଆମେ କହୁ କୌଣସି ଉଦବୁଦ୍ଧ ଜାତି ଉଦାସୀନ ନୁହେଁ ।

ସେଥିପାଇଁ ତ ଆଜି ବି ଆମ ମାଟି ସେହିପରି ଊର୍ଜ୍ଜ୍ଵସଳ ହେଇ ନିତ୍ୟନିୟତ ସେଇ ମାଟିର ଗାନରେ ଅବିରତ ସକ୍ରିୟ । ବୀରପ୍ରସବିନୀ ଏ ଦେଶ ଓ ମାଟିର ମାତୃତ୍ଵରେ ଉଦବୁଦ୍ଧ ହେବା ଆମକୁ ଦେଇଥାଏ କେତେ ଜନ୍ମର ମହାପୁଣ୍ୟ ଏବଂ ତହୁଁ ବଳି ଆମକୁ କଳୁଷବର୍ଜ୍ଜିତ ସେହି ନିର୍ବିକଳ୍ପ ସ୍ରୋତରେ ଅବଗାହିବାରେ ନିତ୍ୟ ସେ ଯଶସୌରଭିତ ।

ପ୍ରତି ବର୍ଷ ଛବିଶି ଜାନୁଏରୀ ତାରିଖରେ ଆମ ଦେଶ ପାଳୁଛି ସେହି ପୂତବିଭା ସୌରଭର ପବିତ୍ର ସାଧାରଣତନ୍ତ୍ର ଦିବସ ଯେଉଁ ଦିନ ଏଇ ମାଟି ଆପଣାଇ ନେଇଥିଲା ଗୋଟିଏ ଶାସନତନ୍ତ୍ରକୁ । ଆଉ ସେ ଶାସନତନ୍ତ୍ରର ପ୍ରତିଷ୍ଠା ଓ ପରାକାଷ୍ଠା କେବଳ ସମ୍ବିଧାନ ପ୍ରଣୟନର ନୁହେଁ ଉତ୍ସବିତ ମହାଜାତୀୟତାର ଅକ୍ଷୁଣ୍ଣ ଅକ୍ଷରକୁ ଲିପିବଦ୍ଧ କରିଅଛି ଏହାର ଅବିନଶ୍ଵର ପ୍ରାଣବନ୍ତ ପୃଷ୍ଠାର ବକ୍ଷ।

ଜନ୍ମଭୂମି ଅଧ୍ୟାୟବିଶେଷରେ ଆସନ୍ତୁ ପଢିବା ଆମ ପ୍ରିୟ ତଥା ବରେଣ୍ୟ କାବ୍ୟକାର ଗୋଦାବରୀଶ ମହାପାତ୍ରଙ୍କ ‘ବଙ୍କା ଓ ସିଧା’ କବିତା ସଙ୍କଳନର “ଛବିଶି ଜାନୁଏରୀ” କବିତା।

ସାଧାରଣତନ୍ତ୍ର ଦିବସ ଆଗତ ହେଇଥିଲେ ମଧ୍ୟ ଇଦାନୀନ୍ତନ ସମାଜରେ ନିରନ୍ନ ଲୋକସମାଜ ପ୍ରତି ଜାତିର ଅବହେଳନ, କ୍ଷମତାଲିପ୍ସାରେ ତନ୍ତ୍ରିତ ମୁଷ୍ଟିମେୟଙ୍କ ଶୋଷଣ ନୀତି ଏବଂ ଜନତା ମଧ୍ୟରେ ସଂସ୍କାରଧର୍ମର ଅଭାବ ଉପଲକ୍ଷ୍ୟରେ କବି ଏହି ଦିବସ ପାଳନର ଯଥାର୍ଥତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛନ୍ତି।

ଏହି ଛବିଶି ଜାନୁଏରୀ କବିତା ମାଧ୍ୟମରେ ଗୋଟିଏ ରାଷ୍ଟ୍ରର ମୁକ୍ତିକାମ୍ୟ ସଂସ୍କାରଧର୍ମିତା ପ୍ରତି ଇଙ୍ଗିତ କରି ଦେଶରେ ପ୍ରକୃତ ଗଣରାଜ୍ୟ ଅଭିପ୍ରେତ ଲକ୍ଷ୍ୟକୁ ସିଦ୍ଧ କରେଇବା ପାଇଁ ଆହ୍ଵାନ କରାଯାଇଛି ।

~ ଛବିଶି ଜାନୁଏରୀ ~

ହେ ଛବିଶି ଜାନୁଏରୀ ! ଖୋଲ ଖୋଲ ତୁମ ସିଂହଦ୍ଵାର
ବହୁ ଦୂରୁ ଆସିଚି ମୁଁ ଶ୍ରମକ୍ଳାନ୍ତ ଶ୍ରାନ୍ତ ପଥଚାରୀ,
ଦେଖିବାକୁ ତୁମର ଏ ସାଜସଜ୍ଜା ରାଜ କାରବାର
ଜନତାର କାହିଁ ସ୍ଥାନ ? ନେତା ଆଜି ଗଗନବିହାରୀ ।

ଉଡୁଛି ତ୍ରିରଙ୍ଗା ଧ୍ଵଜା ଏଇ ଦିଶେ ଅଶୋକସ୍ତମ୍ଭରେ
ଫଉଜ ବନ୍ଧୁକଧାରୀ ଶ୍ରେଣୀବଦ୍ଧ, ବିସ୍ତୀର୍ଣ୍ଣ ପ୍ରାନ୍ତର,
ତମ୍ବାପଟା ବାନ୍ଧି ମୁଣ୍ଡେ ବସିଛନ୍ତି ମନ୍ତ୍ରୀ ବା ଦମ୍ଭରେ
ଜନତାର ସାମ୍ୟବାଦ କାନ୍ଦି ଖୋଜେ ବନୁ ବନାନ୍ତର ।

କାନ୍ଦେ ଏ ପର୍ବତ ଆଜି, ବକ୍ଷ ତାର ସତେ ଯାଏ ଫାଟି
ସମୁଦ୍ର କହୁଚି ଦୂରେ ସତେ ଅବା ଯିବ କୂଳ ଲଂଘି,
ବନାନୀ ତଟିନୀ ତଟେ ପ୍ରତିବାଦେ ନିର୍ଜନତା ହଟି
ସୀମାହୀନ ମହାଶୂନ୍ୟୁ ଦେଖାଉଚି କୁଟିଳ-ଭ୍ରୂଭଙ୍ଗୀ ।

ବିଷଦଗ୍ଧ ଏ ସଭ୍ୟତା, ବିଦୀର୍ଣ୍ଣ ଏ ଗ୍ରାମ ସମାବେଶ
ନଗର ବକ୍ଷରେ ଉଠେ ଚିମିନିର ଧୂମଶିଖା ଦୂରେ,
ସମାଧି ଘେନୁଛି ଆଜି ପରମ୍ପରା ପ୍ରାକ୍ତନ ବିଶ୍ଵାସ
ହେ ଛବିଶି ଜାନୁଏରୀ ! ଉଭା ମୁହିଁ ତୁମ୍ଭ ରାଜଦ୍ଵାରେ ।

କି ଦେବ ସମ୍ପଦେ ମୋତେ, କିବା ମୁହିଁ ମାଗିବି, ଭିକ୍ଷାଶୀ ?
ଗ୍ରାମ ମୋର ଜନଶୂନ୍ୟ, ଭାଇ ବୁଲେ ଦୂରଦୂରାନ୍ତରେ,
ଛାଡ଼ି ନବାଗତ ବଧୂ ପୁତ୍ର କା’ର ହୋଇଛି ପ୍ରବାସୀ
ପିତା କା’ର ନିରୁଦ୍ଦିଷ୍ଟ, କାନ୍ଦେ ମାତା ବସି ଏକାନ୍ତରେ !

ଉଦର ସଂଗ୍ରାମ ତୀବ୍ର, ନିରପେକ୍ଷ ଧର୍ମ ଆଜି ଦେଶେ
ବୁଦ୍ଧ ନାମେ ଶକୁନିର ରାଜନୀତି ଚତୁର୍ଦ୍ଦିଗେ ଚାଲେ,
ଅଜ୍ଞ ଆଜି ବିଶେଷଜ୍ଞ, ରାମରାଜ୍ୟ ବନ୍ଧା ନାଗଫାଶେ
ପାଣ୍ଡିତ୍ୟ ଯାଉଚି ଲୁଚି ଶଠତାର ଘୋର ଇନ୍ଦ୍ରଜାଲେ ।

ଏତେବେଳେ ହେ ଛବିଶି ! କି ଗାଇବି ତୁମର ବନ୍ଦନା ?
କରଭାରେ ଦରିଦ୍ରର ମେରୁଦଣ୍ଡ ପଡୁଅଛି ଭାଜି,
‘ସାର୍ବଭୌମ ରାଷ୍ଟ୍ର’ ନାମେ ନ୍ୟସ୍ତସ୍ଵାର୍ଥ ରଚେ ବିଡମ୍ଵନା
ଭାଷା ମୋ ବନ୍ଦିନୀ, ଡାକେ ପ୍ରତିବାଦେ ତୁମ ଦ୍ଵାରେ ଆଜି !

ଉପସ୍ଥାପନା: ଅମୃତେଶ ଖଟୁଆ

Amritesh Khatua Chhabishi January

Spread the love
admin

Recent Posts

ଓଗାଳ

~ ଗୋପାଳଙ୍କ ଓଗାଳ ~ ଲେଖା: ନିରଞ୍ଜନ ସାହୁ ଆଜି ପବିତ୍ର ଫଗୁଦଶମୀ। ପୁରପଲ୍ଲୀ ଉତ୍ସବ ମୁଖର। ନନ୍ଦସୁତ କହ୍ନାଇ…

2 weeks ago

ଜଳଖିଆ

~ ଜଳଖିଆ ~ ଲେଖା: ଡ. ଜୟଶ୍ରୀ ନନ୍ଦ ଯେଉଁ ସ୍ଥାନକୁ ସ୍ବୟଂ ବିଷ୍ଣୁ ଭୋଜନ ପାଇଁ ବାଛିଥିଲେ ସେ…

3 weeks ago

ଉଠ କଙ୍କାଳ

~ ଉଠ କଙ୍କାଳ ରଚନାର ପୃଷ୍ଠଭୂମି ~ ଉପସ୍ଥାପନା: ଦେଵ ତ୍ରିପାଠୀ "ଉଠ କଙ୍କାଳ, ଛିଡ଼ୁ ଶୃଙ୍ଖଳ, ଜାଗ ଦୁର୍ବଳ…

4 weeks ago

ହାତଖଣ୍ଡି ଗୌରାଙ୍ଗ ଦାସ

~ କୃଷକ ଆନ୍ଦୋଳନର ଅଧିନେତା ଗୌରାଙ୍ଗ ଦାସ ଓରଫ୍ ହାତଖଣ୍ଡି ଗୌରାଙ୍ଗ ଦାସ ~ ଲେଖା: ନିରଞ୍ଜନ ସାହୁ ଅନ୍ୟାୟ, ଅସତ୍ୟ ବିରୁଦ୍ଧରେ…

2 months ago

ଭକ୍ତକବି ମଧୁସୂଦନ ରାଓ

~ ଭକ୍ତକବି ମଧୁସୂଦନ ରାଓ ~ ଲେଖା: ଶୁଭ ରଞ୍ଜନ ପୃଷ୍ଟି ଆଜି ଯଦି ଆମେ ଓଡ଼ିଆ କହୁଛେ, ଓଡ଼ିଆ…

2 months ago

ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ

~ ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ: ଜଣେ ବିଚିତ୍ରବର୍ଣ୍ଣା ତୂଳୀକାର ~ ଲେଖା: ନିରଞ୍ଜନ ସାହୁ ଉନ୍ନବିଂଶ ଶତାବ୍ଦୀର ମଧ୍ୟ…

2 months ago