ଲେଖା: ରବୀନ୍ଦ୍ର କୁମାର ରଣା

ଢେଙ୍କାନାଳ ଜିଲ୍ଲାର ବ୍ରାହ୍ମଣୀ ନଦୀ କୂଳରେ ସୁନ୍ଦର ପ୍ରାକୃତିକ ପରିବେଶରେ ଅବସ୍ଥିତ ପ୍ରାଚୀନ ଭୀମନଗରୀ (Bhimanagari) ବା ଏବେକାର ନାଧରା। ଢେଙ୍କାନାଳ ବଜାରରୁ ୨୦ କିମି ଏବଂ ଗୁଡ଼ିଆକାଟେଣି ବଜାରରୁ ମାତ୍ର ୫ କିମି ଦୂରରେ ଏହି ପ୍ରାଚୀନ ଅଞ୍ଚଳଟି ଅବସ୍ଥିତ।

ଇତିହାସର ତଥ୍ଯ ଅନୁସାରେ ଦିନେ ଏହି ଭୀମନଗରୀ ଅଞ୍ଚଳଟି ସୋମବଂଶୀ, ଗଙ୍ଗବଂଶୀ, ସୂର୍ଯ୍ୟବଂଶୀ ଏବଂ ତାଳଚେର ଓ ଢେଙ୍କାନାଳ ଗଡ଼ଜାତ ରାଜ୍ୟର ରାଜାମାନଙ୍କର ପ୍ରମୁଖ ଶାସନ କେନ୍ଦ୍ର ଥିଲା। ଆଉ ମଧ୍ୟ ରସକଲ୍ଲୋଳର ରଚୟିତା ଭକ୍ତକବି ଦୀନକୃଷ୍ଣ ଦାସଙ୍କ ସାଧନା ପୀଠ ଏହି ଅଞ୍ଚଳ ଥିଲା।

ଇତିହାସ କହେ ଗଙ୍ଗବଂଶୀ ରାଜା ତୃତୀୟ ଅନଙ୍ଗଭୀମଦେବ ପଶ୍ଚିମ ଓଡ଼ିଶାର ଶାସନକୁ ନିୟନ୍ତ୍ରଣ କରିବା ପାଇଁ ଏଠାରେ ଏକ ଦୁର୍ଗ ନିର୍ମାଣ କରିଥିଲେ ତେଣୁ ତାଙ୍କ ନାମ ଅନୁସାରେ ଏହି ଅଞ୍ଚଳ ଭୀମନଗରୀ ନାମରେ ନାମିତ। ଦ୍ଵାଦଶ ଶତାବ୍ଦୀରେ ଏହି ଗଙ୍ଗରାଜା ଏଠାରେ ପ୍ରାଚୀନ ଦୁର୍ଗ ଓ ସମ୍ପ୍ରତି ନାଧରାର ରାମଚଣ୍ଡୀମନ୍ଦିର  ନିର୍ମାଣ କରିଥିଲେ।


ନାଧରାର ରାମଚଣ୍ଡୀ ମନ୍ଦିର, କନକେଶ୍ୱରେ ମନ୍ଦିର, ରଣେଶ୍ୱର ମନ୍ଦିର ଓ ଏକଘରିଆର ଶରଣ ଶ୍ରୀକ୍ଷେତ୍ର ଏବେ ଏହି ପ୍ରାଚୀନ ଭୀମନଗରୀର ଐତିହ୍ୟ ବହନ କରୁଛନ୍ତି। ବ୍ରାହ୍ମଣୀ ନଦୀ ବନ୍ଧକୁ ଲାଗି ଏହି ପ୍ରାଚୀନ ପୀଠ ଗୁଡ଼ିକ ଥିବାରୁ ଅତୀତର ବନ୍ୟାରେ ଦୁର୍ଗ ଓ ମୂଳ ମନ୍ଦିର ଆଦି ଭଗ୍ନ। ଏବେକାର ମନ୍ଦିର ମୂଳ ମନ୍ଦିର ଉପରେ ନିର୍ମିତ କିନ୍ତୁ ଅନେକ ପ୍ରାଚୀନମୂର୍ତ୍ତି ଏବେ ମଧ୍ୟ ରହିଛି।


ନାଧରାର ରାମଚଣ୍ଡୀ ପୀଠରେ ମହିଷାମର୍ଦ୍ଧିନୀ ମା ଦୁର୍ଗା ରାମଚଣ୍ଡୀ ରୂପେ ପୂଜା ପାଉଛନ୍ତି। ଏହି ମନ୍ଦିରର ପଛପଟେ ଥିବା ବିଶାଳ ସମତଳ ଅଞ୍ଚଳରେ ଭୀମନଗରୀ ଦୁର୍ଗ ଅବସ୍ଥିତ ଥିଲା କିନ୍ତୁ ଏହା ଏବେ ସଂପୂର୍ଣ୍ଣ ଭଗ୍ନ। ଗଙ୍ଗମାନଙ୍କ ପୂର୍ବରୁ ମଧ୍ୟ ଏଠାରେ କେଶରୀ ବଂଶ ରାଜାମାନଙ୍କ ଶାସନ ଥିଲା। କର୍ଣ୍ଣ କେଶରୀ କନକେଶ୍ୱର ମନ୍ଦିର, ରଣକେଶରୀ ରଣେଶ୍ଵର ମନ୍ଦିର ଓ ଚନ୍ଦ୍ରକେଶରୀ ଚାନ୍ଦପୁର ଗ୍ରାମରେ ପ୍ରସିଦ୍ଧ ହରିହର ମନ୍ଦିର ନିର୍ମାଣ କରିଥିଲେ।


ହରିହର ମନ୍ଦିରଟି ସମ୍ପୂର୍ଣ ଭଗ୍ନ କିନ୍ତୁ ହରିହରଙ୍କ ସେହି ପ୍ରାଚୀନ କମନୀୟ ମୂର୍ତ୍ତି ଏବେ ରାମଚଣ୍ଡୀ ମନ୍ଦିର ପୀଠରେ ଏକ ଆମ୍ବଗଛ ତଳେ ପଦ୍ମାକୃତି ଏକ ପିଣ୍ଡି ଉପରେ ରଖି ପୂଜା କରାଯାଉଛି। ହରିହରଙ୍କ ମୂର୍ତ୍ତିର ଦକ୍ଷିଣଭାଗ ଶିବ ଓ ବାମଭାଗ ବିଷ୍ଣୁଙ୍କ ଯୁଗଳ ମୂର୍ତ୍ତି। ମୂର୍ତ୍ତିରେ ଦକ୍ଷିଣଭାଗର ତଳେ ନନ୍ଦୀ ଓ ବାମଭାଗର ତଳେ ଗରୁଡ଼ ଶୋଭା ପାଉଛନ୍ତି। ତ୍ରିଭଙ୍ଗି ଠାଣିରେ ଠିଆ ହୋଇଥିବା ଏହି ହରିହରଙ୍କ ମୂର୍ତ୍ତି ବହୁତ ସୁନ୍ଦର। 


ଇତିହାସର ତଥ୍ଯ ଅନୁସାରେ ସମ୍ପ୍ରତି ଢେଙ୍କାନାଳରେ ଥିବା ବଳରାମ ମନ୍ଦିରର ବଳରାମଙ୍କ ମୂର୍ତି ଏକଦା ତଳମୂଳରୁ ଅଣାଯାଇ ଏହି ଭୀମନଗରୀରେ ପୂଜା କରାଯାଉଥିଲା। ତୃତୀୟ ଅନଙ୍ଗଭୀମଦେବ ଏହି ମୂର୍ତ୍ତିଙ୍କୁ ହାତୀ ପିଠିରେ ପୁରୀକୁ ନେଇଯିବା ସମୟରେ ସ୍ଵପ୍ନାଦେଶ ହେବାରୁ ସେ ଦିଅଁଙ୍କୁ ଡେଙ୍ଗିବୋରେଇ (ଅଧୁନା ବଳରାମପୁର) ଗ୍ରାମରେ ରଖିଥିଲେ। ଅଷ୍ଟାଦଶ ଶତାବ୍ଦୀର ଆରମ୍ଭରେ ଢେଙ୍କାନାଳ ରାଜା ସେଠାରୁ ବଳରାମଙ୍କ ପ୍ରାଚୀନ ମୂର୍ତ୍ତିଙ୍କୁ ନେଇ ଢେଙ୍କାନାଳର ବଳରାମ ମନ୍ଦିରରେ ସ୍ଥାପନା କରିଥିଲେ। ତେବେ ଭୀମନଗରୀରେ ୧୪୭୧ ମସିହାରେ ସୂର୍ଯ୍ୟବଂଶୀ ରାଜା ନରହରି ସିଂହ ଶାସନ କରିଥିଲେ। ଏହି ବଂଶର ନବମ ରାଜା ପଦ୍ମନାଭ ବୀରବର ହରିଚନ୍ଦନ ୧୫୯୮ରେ ଢେଙ୍କାନାଳ ରାଜାଙ୍କ ଠାରୁ ପରାସ୍ତ ହେବା ପରେ ସେ ନିଜ ରାଜଧାନୀକୁ ତାଳଚେର ଠାରେ ସ୍ଥାପନା କରିଥିଲେ। କ୍ରମେ ଭୀମନଗରୀ ଢେଙ୍କାନାଳ ରାଜାଙ୍କ ଶାସନାଧୀନ ହେଲା।


ଭକ୍ତକବି ଦୀନକୃଷ୍ଣ ଦାସଙ୍କ ଅନ୍ତିମ ଜୀବନ ଏହି ଭୀମନଗରୀ ର ବ୍ରାହ୍ମଣୀ ନଦୀ କୂଳରେ ଅଧୁନା ଏକଘରିଆ ଗ୍ରାମରେ କଟିଥିଲା। ସେ ଢେଙ୍କାନାଳ ରାଜା ବଳରାମ ସାମନ୍ତସିଂହାରଙ୍କ ପୃଷ୍ଠପୋଷକତାରେ ଅନେକ ସୁନ୍ଦର କାବ୍ୟ ରଚନା କରିଥିଲେ। 

Spread the love
admin

Recent Posts

ନୟାଗଡ଼ର ମା’ ମଙ୍ଗଳା

~ ନୟାଗଡ଼ର ମା' ମଙ୍ଗଳା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶା ପ୍ରସିଦ୍ଧ କାକଟପୁର ଅଧିଷ୍ଠାତ୍ରୀ ଦେବୀ ମା'…

4 weeks ago

ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନ

ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନର କଥା ଉଠିଲେ ସାଧାରଣତଃ ଆମ ମନରେ…

4 weeks ago

ନୟାଗଡ଼ର ମା’ ଦକ୍ଷିଣକାଳୀ

~ ନୟାଗଡ଼ର ମା' ଦକ୍ଷିଣକାଳୀ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ  କାହିଁ କେଉଁ ଆଦି ଅନାଦି କାଳରୁ ଏହି…

1 month ago

ରଳବଗଡ଼

~ ରଳବଗଡ଼ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ନୟାଗଡ଼ ଇତିହାସର ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଯାହା ନୟାଗଡ଼ ଇତିହାସରେ…

1 month ago

ନୟାଗଡ଼ର ରାମଲୀଳା ପରମ୍ପରା

~ ନୟାଗଡ଼ର ରାମଲୀଳା ପରମ୍ପରା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶାର ମଠସଂସ୍କୃତି ଅନୁସାରେ ମଠମାନଙ୍କର ଆରାଧ୍ୟ ଦେବତା ସାଧାରଣତଃ…

1 month ago

ଖଣ୍ଡପଡ଼ା ଗଡ଼

ଖଣ୍ଡପଡ଼ା ଗଡ଼ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ତତ୍କାଳୀନ ରାଜାରାଜୁଡ଼ା ସମୟରେ ଓଡ଼ିଶାର ଗଡଜାତ ରାଜ୍ୟଗୁଡ଼ିକ ନିଜ ନିଜ ରାଜ୍ୟ…

1 month ago