ଶସ୍ତାରେ ଆଉ କୁହ କେତେ ଦିନ
ବୋଲାଇବ ଏଇ ମହା-ବିଶ୍ଵର ‘ପିତା’?
ଜଳୁଥିବା ବେଳେ ଅକାତରେ କେତେ
ଅକାଳରେ କେତେ
କେତେ ମରଣର ଚିତା!
ତମ ସୃଷ୍ଟିର ଆଇନ୍-କାନୁନ୍ ଫେଲ୍ ମାରିନିକି ସବୁ
ତା ନହେଲେ ଦଳେ ‘ଶଳା-ଶାଳୀ’ ହେଲେ
ଦଳେ ହୁଅନ୍ତେ ‘ବାବୁଆଣୀ’ ଆଉ ‘ବାବୁ’,
ଭଗବାନ, କେଭେ କରିଛ କଳନା
ଜନନୀ, ଭଗିନୀ, କନ୍ୟା ଲଳନା
ତମ ସୃଷ୍ଟିର ବଜାରେ ପଣ୍ୟ ରୂପେ ବିକ୍ରୟ ହେବା ?
ଜଠରେ ଜଳେ ବା କ୍ଷୁଧାର ଅନଳ
ନିଜ ମାଂସ କେ ବିକେ ପଳ ପଳ
କିଏ ଗଢେ, କିଏ ସଢେ ତିଳ ତିଳ!
ଚୁଲି ପରେ କା’ର ଯାଏନି ଆଟିକା
କିଏ ଖୋଜିବୁଲେ ହଜମୀ-ବଟିକା
ତନୁରେ ତନୁରେ ଶୋଷଣ-ସାଞ୍ଜୁ ଝଳେ….
ମୃତ୍ୟୁର ପଦେ ଜୀନ୍ ର ତାଜ୍ ଢଳେ!!!
ଅପର ଶ୍ରମର ଲୁଣ୍ଠନ ଯେବେ ସୃଷ୍ଟି ନିୟମ କର,
କୋଟିଏ କୁଟୀର ଧୂଳିସାତ୍ କରି
ଗୋଟିଏ ସଉଧ ଊର୍ଦ୍ଧ୍ଵେ ଟେକିବା ଶିର,
କୋଟିଏ ଶିଶୁର ଦରୋଟି ଲୁଟିବା
ଜୀବନର ନବ-ପହିଲି ସକାଳ
ମରଣର ନୀଳ-ଦେହଳି ଭେଟିବା
ସୃଷ୍ଟିରେ ତବ ଯେବେ ସମ୍ଭବପର,
‘ଭଗବାନ’ ରୂପୀ ହେ ପିଶାଚ, ବର୍ବର!
ଶାସକ-ଶାସିତ, ଶୋଷକ-ଶୋଷିତ, ତମରି କୀର୍ତ୍ତି ସିନା
ତମ ବାନ୍ଧବୀ ଅଟେ ଚଞ୍ଚଳା ଆନ ବାନ୍ଧବୀ ଦୀନା!
କହିବ କି ଥରେ, କହିବ କି ଭଗବାନ!
ଏଇ କ୍ଷେତ୍ରରେ କିଏ ଦେବ କୁହ ତୁମକୁ ହେ ସମ୍ମାନ?
କି କଥା ବା ଅଛି, କଅଣ କହିବି?
ତମେ ଥିବା ଯାଏଁ ଦୁଃଖ ନ ଯିବ।
ଦୀନ-ଦୁନିଆର ପୁଣି ଏକ ନୂଆ-ଦୀନ-ବାନ୍ଧବ ଲୋଡ଼ା
ଯୁଗ୍ମ-ଲୋଚନ ଦେଖ ଥରେ ଫେଇ
ସେଥିପାଇଁ ତମ ସମ୍ମୁଖେ ମୁହିଁ,
ନର୍ତ୍ତନ-ପ୍ରିୟ କୋଶ-ମୁକ୍ତ ମୋ ତରବାରି ନେଇ
ଦର୍ପେ ହୋଇଛି ଛିଡା!
ମୁଁ ଜରାଶବର
ତମରି କବର
ତମରି ହାତରେ ‘ସୁ-ଦର୍ଶନ’ ମୁଁ ମାତାଲ୍ ହୋଇଛି ଆଜି
ତମରି ଶଙ୍ଖ
ଆଜି ମୁଁ ଉଠିଛି
ତମ ସୃଷ୍ଟିର ଅବସାନ-ସୁରେ ବାଜି।
ତମରି ହାତରେ ଗଦା-ପଙ୍କଜ, ଶଙ୍କା ମୁଁ ତମ ମନେ
ଚରମ ପତ୍ରେ ସ୍ଵାକ୍ଷର ଦିଏ ବ୍ୟଥିତ କ୍ଷୁବ୍ଧ ମନେ।
ଅମରାବତୀର ବ୍ୟସନ ବିଳାସ
କରିଦେଇ ଶେଷ
ସବୁ ନିଃଶେଷ
ଚାଲିଲି ମରଣ
ରଚିବି ମୋ ରାସ
‘ଭଗବାନହୀନ ସୃଷ୍ଟି’ କରିବି ସିନା
ଅନ୍ୟ ପନ୍ଥା ନାହିଁ ଭଗବାନ, ପଦତ୍ୟାଗ ବିନା।
ଚରମ ପତ୍ର ଦେଲି ଭଗବାନ, ଚରମ ପତ୍ର ଘେନ
ଆଗାମୀ ଚବିଶ ଘଣ୍ଟା ଭିତରେ
ଆଗାମୀ କାଲିର ଏଇ ପ୍ରଭାତରେ
ଯେବେ ନ ଛାଡିବ ଗୋଲୋକ-ସିଂହାସନ
ଶିରୁ ଅବୟବ ଛିନ୍ନ କରିବ, କରିବ ମୋ ତରବାରି,
ତମରି ଅଙ୍କ-ଶାୟିନୀ ଦଳର କର-କଙ୍କଣ
ପଦାଘାତେ ଦେବି ଚୂରି!
ମହା-ମୁକ୍ତିର ଆଜି ତ ସ୍ଵର୍ଣ୍ଣ-ଦିନ,
ତେଣୁ ଭଗବାନ, ଖାଲି କରିଦିଅ ଗୋଲୋକ-ସିଂହାସନ!
ଉପସ୍ଥାପନା: ଅମୃତେଶ ଖଟୁଆ
Charama Patra
~ ଖଲ୍ଲିକୋଟ ଜଗନ୍ନାଥ ମନ୍ଦିର ~ ଗବେଷଣା ଓ ଉପସ୍ଥାପନା: ସନ୍ତୋଷ କୁମାର ପଟ୍ଟନାୟକ ଖଲ୍ଲିକୋଟ ଜଗନ୍ନାଥ ମନ୍ଦିରର ଇତିହାସ…
~ ଚଢେୟା ନାଟ ~ ଲେଖା: ଅମୃତେଶ ଖଟୁଆ ଓଡ଼ିଆ ଜନଜୀବନ ନାନାବିଧ ପ୍ରଥା, ପରମ୍ପରା ଓ ଐତିହ୍ୟ-ସମୃଦ୍ଧ ଓ…
~ ଲଙ୍କାପୋଡ଼ି ଯାତ୍ରା ~ ଉପସ୍ଥାପନା: ଦେଵ ତ୍ରିପାଠୀ ଐତିହାସିକ ସଂଗ୍ରାମୀ ଚରିତ୍ର ଦୋରା ବିଷୋୟୀଙ୍କ ଜନମମାଟି କନ୍ଧମାଳ (ତତ୍କାଳୀନ…
~ ଉତ୍କଳ ସାହିତ୍ୟ ସମାଜ ~ ଲେଖା: ନିରଞ୍ଜନ ସାହୁ ଊନବିଂଶ ଶତାବ୍ଦୀର ପ୍ରଥମ ଦୁଇତୃତୀୟାଂଶ କାଳରେ ଓଡ଼ିଶାର ଜାତୀୟ…
~ ହୋଲି ~ ଲେଖା: ରୁପେଶ୍ୱର କୁମ୍ଭାର ପ୍ରାଚୀନ କାଳରୁ ଭାରତରେ ହୋଲି ପର୍ବ ସବୁବର୍ଗର ଲୋକୋମନେ ପାଳନ କରିଆସୁଛନ୍ତି…
~ ଉତ୍କଳରେ କାଠି ଠାକୁରାଣୀ (ଖମ୍ବେଶ୍ଵରୀ) ପୂଜା ପରମ୍ପରା ~ ଉପସ୍ଥାପନା: ନୟାଗଡ଼ ଇତିହାସ ଓଡ଼ିଶା ଇତିହାସ ଲେଖକ ପଣ୍ଡିତ…