ଅଖିଳ ମୋହନ ପଟ୍ଟନାୟକ
ଉପସ୍ଥାପନା: ଅମୃତେଶ ଖଟୁଆ
“ବାସ୍ତବତା କଳ୍ପନା ଠାରୁ ପୃଥକ୍ ରହିକି କେବେ ବି ସମାଜରେ ଦର୍ପଣ ପରି ଦଣ୍ଡାୟମାନ ହୋଇ ରହି ପାରିବନି । ସ୍ବଳ୍ପ ବେତନଭୋଗୀ କିରାଣୀ ପାଇଁ ଗୋଟିଏ ଓଭରକୋଟ୍ ହରେଇବା ନିଶ୍ଚିତ ଭାବରେ ତାଙ୍କ ପ୍ରତି ପ୍ରଗାଢ଼ ସହାନୁଭୂତି ଆଣିବ । ହେଲେ ପରିସ୍ଥିତି ପରିପ୍ରେକ୍ଷୀରେ ଏହାର ମର୍ମନ୍ତୁଦ ବର୍ଣ୍ଣନା ହିଁ ମଣିଷ ମନ ମଧ୍ୟରେ ଥିବା ସମ୍ଵେଦନର ଗୋଟିଏ ଦୀର୍ଘ ଛାପ ଛାଡିଥାଏ । . . ତେଣୁ ମୋ ମତେ ଏଠାରେ ଗୋଟିଏ ଲେଖକ ବାସ୍ତବତାକୁ ଅବବୋଧ କରିନେଲା ପରେ ଏହାକୁ ଏକ ପାଠକ ମନରେ ପ୍ରତିଫଳିତ କରିବେ । ଆଉ ଏହା ହିଁ ତୁଚ୍ଛ ଓ ନଗଣ୍ୟ ମନେ ହେଉଥିବା ବାସ୍ତବତାକୁ ଗୋଟିଏ ଉତ୍ତରଣ ପ୍ରଦାନ କରିବ, ଆଉ ତାହା ହିଁ ହେବ ପ୍ରକୃତରେ କଳା ।”
୧୯୮୧ ମସିହା । କଲିକତାର ସେକ୍ସପିୟର ସରଣୀ । ଭାରତୀୟ ଭାଷା ପରିଷଦ ପକ୍ଷରୁ ଆୟୋଜିତ ପ୍ରେମ ଚନ୍ଦଙ୍କ ଜନ୍ମ ଶତବାର୍ଷିକୀ ଅବସରରେ ଜଣେ କୃତବିଦ୍ୟ ଓଡିଆ ଚିନ୍ତାନାୟକ ପରଷି ଦେଇଥିଲେ ଆପ୍ତ ଅବିସମ୍ବାଦିତ ପଦ ନିଚୟ । ଜୀବନକୁ କହୁଥିଲେ ‘ଅନ୍ଧଗଳି’- ଆଉ ଏହି ‘ଅନ୍ଧଗଳି’ ଦେଇ ଯେ ଚାଲି ରହିଥିବା ମଣିଷର ଆତ୍ମିକ ଧୈର୍ଯ୍ୟ, ସହନଶୀଳତା ପ୍ରତି ସମ୍ମାନ ଓ ଆମର ଭାଗ୍ୟ – ତାହା ସେ ଅନେକ ସ୍ତରରେ ବର୍ଣ୍ଣନାରେ ଉନ୍ମୁଖ କରି ସାରିଥିଲେ ।
କେତେ ବେଳେ ସେ ଥିଲେ ସ୍ବପ୍ନବିଳାସୀ ତ କେତେବେଳେ ନଗଣ୍ୟ ମନେ ହେଉଥିବା ଛୋଟ ଛୋଟ ବାସ୍ତବତା ସବୁକୁ ଦେଉଥିଲେ ବିଚିତ୍ର ବର୍ଣ୍ଣ । ଯେପରି ଏହି ଘଟଣାମାନ ଯେ ଜୀବନ୍ତ ଭାବ ଓ ଆବେଗର ଭୂଇଁ ଓ ସରାଗ । ମନ ଅତଳେ ଥିବା ଅବଚେତନାର ସ୍ତର ଉଦ୍-ଘାଟନ କରି ମଣିଷ ପ୍ରତି ଗଭୀର ଆତ୍ମ ସମ୍ଵେଦନାକୁ ରୂପ ଦେଇଥିବା ଏହି ଅଭିନବ ସାରସ୍ଵତ ପ୍ରବାହ ହେଉଛନ୍ତି #ଅଖିଳ #ମୋହନ #ପଟ୍ଟନାୟକ ! ଜଣେ ବହୁପାଠୀ, ହେଲେ ସେ ନିଜେ କୁହନ୍ତି ଯେ ଯେତେବେଳେ ବିଶ୍ଵର ଏତେ ବଡ଼ ଲେଖକ ମାନେ ଅଛନ୍ତି, ତେବେ ତାଙ୍କର ଲେଖିବା ତ କେବଳ କାଳି ଓ କାଗଜର ଅପବ୍ୟୟ ମାତ୍ର । ହେଲେ ସେ ଦେଖିଛନ୍ତି ମଣିଷର ସମ୍ଵେଦନା, ସେ ଦୁଃଖ, ଅନୁଶୋଚନା ଭରା ସଜଳ ଆଖି ଯାହା ଉଦ୍ୟତ କରେ ପ୍ରତିଟି ଲେଖନୀକୁ ନିଜର ଯନ୍ତ୍ରଣାକୁ ଠାଏଁ ଲେଖି ଦେବ ଗୋଟିଏ ବହିରେ, ଗୋଟିଏ କାଗଜରେ । ଏ କଣ ଯନ୍ତ୍ରଣା ? ନାହିଁ, ଏ ତ ନିଜ ସୃଷ୍ଟିର ଆନନ୍ଦରୁ ଭାସି ଆସୁଥିବା ଗୋଟିଏ ସାର୍ଥକତାର ସ୍ମିତ ହସ !
ତଦାନୀନ୍ତନ ଅବିଭକ୍ତ ପୁରୀ ଜିଲ୍ଲାର ଖୋର୍ଦ୍ଧା ଠାରେ ୧୯୨୭ ମସିହା ଡିସେମ୍ବର ୧୮ ତାରିଖରେ ଜନ୍ମ ନିଅନ୍ତି ଅଖିଳ ମୋହନ ପଟ୍ଟନାୟକ । ପୂର୍ବପୁରୁଷ ଢେଙ୍କାନାଳର କରଣ ଜାତିର ବୋଲି ଜଣାଯାଏ । ଆଉ ତାଙ୍କ ପୂର୍ବ ବଂଶର ଅନେକ ଗୌରବମୟ ଗାଥା ରହିଛି । ତାଙ୍କ ପ୍ରଥମ ପିଢି ଥିଲେ ଜଗନ୍ନାଥଙ୍କର ପରମ ଭକ୍ତ, ରଘୁ ପଟ୍ଟନାୟକ ବା ଜନଗଣରେ ଖ୍ୟାତ #ରଘୁ #ଅରକ୍ଷିତ । ଆଉ ପରବର୍ତ୍ତୀ ପିଢିରେ ଥିଲେ ଢେଙ୍କାନାଳର ପ୍ରଥିତଯଶା କବି, #ବ୍ରଜନାଥ #ବଡ଼ଜେନା । ଆଉ କବି ପଦ୍ମଚରଣ ପଟ୍ଟନାୟକ ମଧ୍ୟ ତାଙ୍କ ପରିବାରରେ ପିତାମହଙ୍କ ଘନିଷ୍ଠ ମୈତ୍ର ହେବେ । ଅଖିଳ ମୋହନଙ୍କ ପିତା ଥିଲେ ଖୋର୍ଦ୍ଧାର ସ୍ବନାମଧନ୍ୟ ଶିକ୍ଷାବିତ ତଥା ସୁସାହିତ୍ୟିକ ରାୟବାହାଦୁର ବାଙ୍କନିଧି ପଟ୍ଟନାୟକ ଓ ମାତା ଥିଲେ ହାରାମଣି ଦେବୀ। ତାଙ୍କ ପିତା ଖୋର୍ଦ୍ଧାରେ ଶିକ୍ଷାୟତନର ପରିଧି ପ୍ରଶସ୍ତ କରିବାରେ ଜଣେ ପ୍ରାତଃ ସ୍ମରଣୀୟ ବ୍ୟକ୍ତିତ୍ଵ । ଏପରିକି ଅଖିଳ ମୋହନଙ୍କ ପିତାମହ କୁଞ୍ଜବିହାରୀ ପଟ୍ଟନାୟକ ଥିଲେ ଜଣେ କୁଶଳ ଗଳ୍ପ କଥାକାର । କେଶବତୀ କନ୍ୟା ଓ ରାଜକୁମାରର କାହାଣୀଠୁ ନେଇ ନେପୋଲିୟନଙ୍କ ଦିଗବିଜୟ ଗାଥା – ଏସବୁର ବିଦଗ୍ଧ ବ୍ୟାଖ୍ୟା କରୁଥିଲେ ତାଙ୍କ ପିତାମହ ଓ ମାତାମହ ।
ଖୋର୍ଦ୍ଧା ହାଇସ୍କୁଲରୁ ନିଜର ଅଧ୍ୟୟନ ଆରମ୍ଭ କରିଥିଲେ ଅଖିଳ ମୋହନ। ସପ୍ତମ ଓ ଅଷ୍ଟମ ଶ୍ରେଣୀରୁ ସେ ଥିଲେ ଗଳ୍ପପ୍ରିୟ । ପ୍ରାୟତଃ, ପିତାଙ୍କ ସହ ବସି ରାତିରେ ରେଜେଇ ମଧ୍ୟରେ ଘୋଡେଇ ହୋଇ ସେ ଶୁଣୁଥିଲେ Sherlock Holmes ଙ୍କର ସେହି ରୋଚକ କାହାଣୀ । ୧୯୪୪ ମସିହାରେ ଦଶମ ଶ୍ରେଣୀର ଅଖିଳ ମୋହନ ‘Alice in Wonderland’ ସହ ଓଡିଆ ସାହିତ୍ୟର ଅନବଦ୍ୟ ଉପନ୍ୟାସ ‘ଅଶ୍ରୁଧାରା’, ‘ତୁ ମୋ’ ମା’, ‘ହା’ ଅନ୍ନ’, ‘ମାଟିର ମଣିଷ’ ଓ ଲକ୍ଷ୍ମୀଧର ନାୟକଙ୍କ ଉପନ୍ୟାସ ସହ ମାୟାଧର ମାନସିଂହ ଓ ସଚ୍ଚି ରାଉତରାୟଙ୍କୁ ପଢି ସାରିଥିଲେ । ହେଲେ ତାରୁଣ୍ୟର ଏ ଘଡ଼ିସନ୍ଧି ମୁହୂର୍ତ୍ତରେ ସେ ଅଜସ୍ର ଗଳ୍ପ ଉପନ୍ୟାସ ପଢିବାରେ ରହିଗଲେ । ଏଣୁ ୧୯୪୪ ମସିହାରେ ଦ୍ଵିତୀୟ ଶ୍ରେଣୀର ଛାତ୍ର ଭାବରେ ମାଟ୍ରିକ୍ ଉତ୍ତୀର୍ଣ୍ଣ ହେଲେ । ପିଲାବେଳେ ସ୍ଥାନୀୟ କ୍ଲବ୍ ଓ ସଙ୍ଗଠନଙ୍କ ସାହାଯ୍ୟରେ ସେ ନିଜର ଅନେକ ପାଣ୍ଡୁଲିପି ପ୍ରକାଶ କରେଇଥିଲେ । ଏବଂ ସେହି ସମୟରେ ପ୍ରସିଦ୍ଧ ‘ଆରତି’ ଓ ‘ଜହ୍ନମାମୁଁ’ର ନିୟମିତ ପାଠକ ଥିଲେ ଅଖିଳମୋହନ । ଏହିପରି ଏକ ସମ୍ଵେଦନତା ଭରା କାଳଖଣ୍ଡ ଦେଇ ୧୯୪୮ ମସିହାରେ ପୁରୀର ସାମନ୍ତ ଚନ୍ଦ୍ରଶେଖର କଲେଜରେ ନାମ ଲେଖେଇଲେ ଅଖିଳ ମୋହନ ।
ଏହି ସମୟରେ ସେ ନିଜ ଅଗ୍ରଜ ମନମୋହନ ପଟ୍ଟନାୟକଙ୍କ ଅନୁପ୍ରେରଣାରେ ‘ଶଙ୍ଖ’ ପତ୍ରିକାରେ ନିଜର ପ୍ରଥମ ଗଳ୍ପ, ‘ସପନ’ ପ୍ରକାଶ କରେଇଥିଲେ । ଆଉ ସେହି କାଳଖଣ୍ଡରେ ନିଜ ଅଗ୍ରଜଙ୍କ ଅନୁପ୍ରେରଣା ଦେଲା ତାଙ୍କୁ ଖୋରାକ । ଏହା ଛଡା ସେ ମହାବିଦ୍ୟାଳୟର କ୍ରୀଡା, ନାଟକ, ତର୍କ ଓ ସାହିତ୍ଯ ପରି ପ୍ରତି ଯୋଗିତାରେ ଅଂଶୀଦାର ହୋଇ ପ୍ରଖ୍ୟାତ ବୈଜ୍ଞାନିକ ମେଘନାଦ ଶାହଙ୍କ ଦ୍ବାରା ସେତେବେଳେ ପ୍ରଶଂସିତ ହୋଇଥିଲେ । ହେଲେ ପରବର୍ତ୍ତୀ ସମୟରେ ସେହି ଅଭ୍ୟାସ ନ ଆସିବାରୁ ମଝିରେ ସେ ଆଉ ଗଳ୍ପ ରଚନା କରିନାହାନ୍ତି ।
୧୯୪୮ ରୁ ୧୯୫୩ ମସିହା ପର୍ଯ୍ୟନ୍ତ ସେ ବାମପନ୍ଥୀ ରାଜନୈତିକ ସଙ୍ଗଠନ ସହ ସମ୍ପୃକ୍ତ ରହି ଏକାଧିକବାର କାରାବରଣ କରିଛନ୍ତି । ୧୯୫୧ ମସିହାରେ ମୁଦ୍ରାସ୍ଫୀତି ପାଇଁ ଦର ଦାମ ବୃଦ୍ଧି କାରଣରୁ ମହାବିଦ୍ୟାଳୟଙ୍କର ଫି ବୃଦ୍ଧି ପାଇଁ ନିଷ୍ପତ୍ତି ନିଆଯାଏ । ଆଉ ଏହାକୁ ବିରୋଧ କରିଥିଲେ ବାମପନ୍ଥୀ ଓ ବିରୋଧୀ ଦଳର ନେତାମାନେ । କଟକର ରେଭେନ୍ସା କଲେଜରେ ସମାଜବାଦୀ ଓ ସାମ୍ୟବାଦୀ ସଙ୍ଗଠନ ଏକତ୍ର ହେଲା । ରାଜେନ୍ଦ୍ର ପ୍ରସାଦ ଦାସ, ପ୍ରବୀର ପାଲିତ, ଗୋବିନ୍ଦ ଦାସଙ୍କ ଭଳି ଛାତ୍ରଙ୍କ ସହ ସମ୍ପୃକ୍ତ ଥିଲେ ଅଖିଳ ମୋହନ ପଟ୍ଟନାୟକ ।
ଆଉ ସମୟରେ ପୁଣି ଥରେ କାରାବରଣ କରିଥିଲେ ଅଖିଳ ମୋହନ । ଆଉ ସେତେବେଳେ ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଆଗରେ ଅନଶନ କରି ଗିରଫ ହୋଇ ଦୁଇଥର କଲେଜରୁ ବହିଷ୍କୃତ ହୋଇଥିଲେ ଅଖିଳ ମୋହନ । ଆଉ ଏହି ଜେଲ୍ ରହଣି ସମୟରେ ସେ ପ୍ରଚୁର ଗଳ୍ପ ଲେଖି ‘ଶଙ୍ଖ’ ଓ ‘ସହକାର’ ଭଳି ପତ୍ରିକାରେ ପ୍ରକାଶ କରେଇଥିଲେ। ସେ ‘ମୁଁ କାହିଁକି ଲେଖେ’ ଶୀର୍ଷକ ଆଲେଖ୍ୟରେ ଦର୍ଶାଇଛନ୍ତି ଯେ ସେ ବିଶେଷ ସେତେବେଳେ ଅନୁଶୀଳନ କରିନଥିଲେ ମଧ୍ୟ ଯୁଗପତ୍ ତାଙ୍କର ଅବବୋଧରେ ଏହାର ଗାରିମା ସ୍ଵତଃ ଆସି ସାରିଥାଏ ।
୧୯୫୭ ମସିହାରେ ଓକିଲାତି ପାଇଁ କଟକର ମଧୁସୂଦନ ଆଇନ ମହାବିଦ୍ୟାଳୟରୁ ଆଇନରେ ଡିଗ୍ରୀ ଲାଭ କରିଥିଲେ । ଆଉ ଏହି ସମୟରେ ତାଙ୍କର ଜଣେ ସହୃଦୟ ବନ୍ଧୁ ଥିଲେ ପ୍ରଖ୍ୟାତ ସାହିତ୍ୟିକ ମହାପାତ୍ର ନୀଳମଣି ସାହୁ । ଆଉ ନିଜେ ମହାପାତ୍ର ନୀଳମଣି ସାହୁ କୁହନ୍ତି ଯେ ରାତିରେ ତାଙ୍କ ସହ ତାଙ୍କ ବାସଭବନରେ ଅନେକ ଗପସପ ହୁଏ। ଆଉ ସେହି ସମୟ ଘଟିଥିବା ଏକ ରୋଚକ ପରିସ୍ଥିତି ସେ ଏହିପରି ବର୍ଣ୍ଣନା କରନ୍ତି: ରାତି ସାରା ଚା’ ପାନ କରି ସାରିଲା ପରେ ଦିନେ ଅଖିଳ ମୋହନଙ୍କ ଖଟ ତଳେ ମହାପାତ୍ର ନୀଳମଣି ସାହୁ ଦେଖିଲେ ଯେ ଗୋଟିଏ ରୋଗିଣା କୁକୁର ଶୁଏ । ବିରକ୍ତ ହେଇ ଥରେ ସେ ଅଖିଳ ମୋହନଙ୍କୁ କହିଦେଲେ, “ଅଖିଳ, ଏ କୁକୁରଟା କୁ ଏଠୁ କାଢ଼ ତ ? ” ଅଖିଳ ମୋହନ ଭୀଷଣ ଚିଡିକି କହିଲେ, “ଯଦି ସେ କୁକୁର ଏଇନେ କହିବ ଯେ, ମହାପାତ୍ର ନୀଳମଣି ସାହୁକୁ ଏଠୁ କାଢ଼ ?” ଅଖିଳ ମୋହନଙ୍କ ବୁଦ୍ଧିମତ୍ତା ଓ ବ୍ୟକ୍ତିତ୍ଵ ଆଗେ ସେ ନିରୁତ୍ତର ରହିଯାଉଥିଲେ ! ସେ ନିଜେ କୁହନ୍ତି, “ଲେଖକ ବେଦନାକୁ ଯେପରି ଅନୁଭବ କରିଛି, ଠିକ ସେହିପରି ପ୍ରକାଶ କରେନାହିଁ – କଲେ ତାହା କଳାର ସ୍ତରକୁ ଉତ୍ତୀର୍ଣ୍ଣ ହୁଅନ୍ତା ନାହିଁ। ଲେଖକ ତାକୁ ଏପରି ପ୍ରକାଶ କରେ ଯାହା ଏକ ଟ୍ରାଜେଡି ହେଲେ ମଧ୍ୟ ଆମେ ତାକୁ ପଢି ଆନନ୍ଦ ପାଇଥାଉ । ଲେଖକ ସାଧାରଣ ଦୈନନ୍ଦିନ ସୁଖ ଦୁଃଖର ସ୍ଥୂଳ ଅନୁଭୂତିକୁ ଏକ କଳାସୁଲଭ ସ୍ପର୍ଶ ଦେଇ ପାଠକର ସୂକ୍ଷ୍ମ ଅନୁଭୂତିକୁ ଆନ୍ଦୋଳିତ କରେ, ତେଣୁ ଏକ ଟ୍ରାଜେଡି ମଧ୍ୟ ହୋଇ ଉଠେ ଉପଭୋଗ୍ୟ ।”
ଅଖିଳ ମୋହନଙ୍କ ପ୍ରଥମ ଗଳ୍ପ ଥିଲା ‘ସପନ’ ଯାହା ପ୍ରକାଶ ପାଇଲା ‘ଶଙ୍ଖ’ ପତ୍ରିକାରେ ତାଙ୍କର ମହାବିଦ୍ୟାଳୟ ଅଧ୍ୟୟନ କାଳରେ । ଏହି ଗଳ୍ପର ଚରିତ୍ର ବନ୍ଧୁଆ, ରାମା, ରାମା ଭଉଣୀ ଚମ୍ପା ଓ ସଇନ ମଟର । ଗୋଟିଏ ମାନବିକ ଚଳଣିର ସମ୍ଵେଦନା ଓ ସମାଜରେ ଘଟୁଥିବା ମର୍ମନ୍ତୁଦ ଅଥଚ ଅଣଦେଖା କରାଯାଉଥିବା ବାସ୍ତବତାର ରୂପାୟନ ଘଟିଛି ବନ୍ଧୁଆ ଚରିତ୍ର ମାଧ୍ୟମରେ । ବନ୍ଧୁଆ ଗୋଟିଏ ଅନାଥ, ଛୋଟ ବେଳେ ଘରଘର ବୁଲି କିନ୍ତୁ ଏବେ ରିକ୍ସା ଚଲେଇ ଗୁଜୁରାଣ ମେଣ୍ଟାଉଛି। ହେଲେ ତାର ବିଗତ ଦିନମାନଙ୍କର ସେ ଯନ୍ତ୍ରଣାବୋଧରେ ଗଭୀର ସମ୍ବେଦନା ଭାସି ଉଠେ ସତତ ।
ରାମା ହେଉଛି ବନ୍ଧୁଆ ସାଙ୍ଗର କୋଡିଏ ବର୍ଷର ଭେଣ୍ଡିଆ । ନିତି ଗୁଳିଖଟି କରି ଅଣ୍ଟି ଖାଲି କରିପକାଏ । ତା ବୋଉ ଓ ଭଉଣୀ ଚମ୍ପାକୁ ନେଇ ପ୍ରଭାତ ସିନେମା ହଲ୍ ତଳ ରାସ୍ତାରେ ଗଲେ ତାଙ୍କର କ୍ଷୁଦ୍ର କୁଟୀର । ହେଲେ ବନ୍ଧୁଆ ଥିଲା ତା ଭଗ୍ନୀସମ ଚମ୍ପାକୁ ଗୋଟିଏ ସହୃଦୟ ଭାଇଟିଏ । ରାମାଟା ତା ମା’ଙ୍କର ଭାଷାରେ, ନିହାତି ନିକର୍ମା । ହେଲେ ସବୁ କ୍ଷେତ୍ରରେ, ଭାବ ଅଭାବରେ ବନ୍ଧୁଆ ଥିଲା ଏକାନ୍ତ ସହାୟ । ରାମା କୁଟୁମ୍ବ ବିଷୟ ସବୁ ଏ କାନରେ ପୂରେଇ ସେ କାନରେ ବାହାର କରିଦିଏ – କିନ୍ତୁ ରାମାର ଗୁଲି ଖଟି ପାଇଁ ଆଉ ପରିବର୍ତ୍ତନ ନାହିଁ ।
ହେଲେ ବନ୍ଧୁଆର ମମତ୍ବ ବଢିଲା ତାଙ୍କ କୁଟୁମ୍ବ ପାଇଁ — କାରଣ ରାମାର ହେଇଛି ଅକାଳ ମୃତ୍ୟୁ । ଥରେ ଫଗୁଣର ରାତିରେ ଗୁଲିଖଟି ପରେ ନିଶାବଶତଃ ଟେକା ବାଜି ତଳେ ପଡିଯାଇ ରାମା ଉପରେ ଚଢିଗଲା ଗୋଟିଏ ଗାଡିଟେ । ବନ୍ଧୁଆ ଲୋମଟାଙ୍କୁରା ଭାବନା ସହ ହୃଦୟରେ କୋହ ସମ୍ଵରଣ କରି ଖାନନଗର ଶ୍ମଶାନ ପର୍ଯ୍ୟନ୍ତ ନେଇଛି ରାମାର ମଡାକୁ । ଏ ପୁତ୍ରଶୂନ୍ଯ କୁଟୀର ପ୍ରତି ବନ୍ଧୁଆର ବଢିଗଲା ମମତ୍ବ, ବୁଢୀ ମାଆ ପାଇଁ ରାମା ଭଳି ବନ୍ଧୁଆ ଗୋଟିଏ ପୁଅ ଓ ଚମ୍ପାକୁ ତାର ସେ ଭାଇ। ବନ୍ଧୁଆର ସେ ଅବଚେତନରେ ଭାସୁଥାଏ ଜୀବନର ଘୁମନ୍ତ ସ୍ବପ୍ନତକ ।
ହେଲେ ଚମ୍ପା ସହ ବନ୍ଧୁଆର ସବୁବେଳେ ସାକ୍ଷାତକାରକୁ ଟାହିଟାପରା କରିଲା ସମାଜ । ହେଲେ ବନ୍ଧୁଆ ଚମ୍ପା ପାଇଁ ସଞ୍ଚିତ କରି କେତେ ସାହାଯ୍ୟ କରିଛି ଯେ ତାଙ୍କ ପାଇଁ, ଆଉ ଏ ନିନ୍ଦା ଆଉ ଅପବାଦ ଭଳି ଶ୍ରାବ୍ୟ ଚମ୍ପା ସହିପାରି ନଥିଲା । ହେଲେ ଥରେ ରାତିରେ ଚମ୍ପାକୁ ନେଇଗଲା ସନିଆ ରିକ୍ସା ବାଲା । ସନିଆର ପୈଶାଚିକ ମନୋଭାବ ଥିଲା ବନ୍ଧୁଆର ଚମ୍ପା ପ୍ରତି ଅବାଧ ମମତ୍ବ ପ୍ରତି, ଅବିସମ୍ବାଦିତ ସ୍ନେହ ପାଇଁ । ବନ୍ଧୁଆକୁ ଶକ୍ତ ଆଘାତ ଦେଇ ସେ ଚାଲିଗଲା ଚମ୍ପାକୁ ନେଇ । ହେଲେ ପର ସକାଳକୁ ନାହିଁ ସେ କୁଟୀରରେ କେହି – ନାହିଁ ତାର ବୁଢୀ ମା’ କି ନାହିଁ ଚମ୍ପା ।
ଚଳନ୍ତି ଜୀବନର ଏହିପରି କେତେକ ସମ୍ବେଦନ ଶୀଳ ବର୍ଣ୍ଣନାରେ ସେ ଦର୍ଶାଇଛନ୍ତି ଯେ ଜୀବନରେ ଏପରି ଯନ୍ତ୍ରଣା ବୋଧ ଓ ଜୀବନବୋଧର ମଧ୍ୟରେ ଗଜୁରି ଉଠୁଥିବା ସ୍ବପ୍ନ ସବୁକୁ ସେ କରୁଥାନ୍ତି ଆହୁରି ଜୀବନ୍ତ । ଏହିପରି ଭାବରେ ତାଙ୍କର କୃତି ୧୯୪୮ ମସିହାରୁ ୧୯୮୨ ମସିହା ମଧ୍ୟରେ ପ୍ରାୟତଃ ୬୦ଟି ଗଳ୍ପ ହେବ । ପେସାରେ ଜଣେ ଆଇନଜୀବୀ ହୋଇଥିଲେ ମଧ୍ୟ ଗଳ୍ପ ଲିଖନ ପ୍ରତି ତାଙ୍କର ଅନଭ୍ୟସ୍ତ ଜୀବନ ଦିନେ ପାଲଟିଗଲା ମଣିଷ ପାଇଁ ସମ୍ଵେଦନର ସୃଜନୀ ଯେଉଁଥିରେ ସେ ପାଆନ୍ତି ସାର୍ଥକ ଆତ୍ମ ପ୍ରକାଶ ନିଜର ।
ତାଙ୍କର ଆଦ୍ୟ ଜୀବନ ଥିଲା କବିତା ଲିଖନର । ତାଙ୍କ ପିତା ବାଙ୍କନିଧି ପଟ୍ଟନାୟକଙ୍କ ବ୍ୟକ୍ତିତ୍ଵର ପ୍ରାଚୁର୍ଯ୍ୟ ଓ ପ୍ରଭାବ ସମ୍ୟକ୍ ଭାବରେ ପ୍ରତୀକିତ ହୁଏ । ଜଣେ ଆଇନଜୀବୀ ହେଇ ସୁଦ୍ଧା ସେ ନିଜେ କୁହନ୍ତି ଯେ ବୃତ୍ତିଗତ ଜୀବନ କେବଳ ମୋ ନିମନ୍ତେ ଅବସାଦକାରୀ । ହେଲେ ସେ କୁହନ୍ତି ଗୋଟିଏ ଶିଳ୍ପୀର ନିର୍ଦ୍ଦିଷ୍ଟ ଆଭିମୁଖ୍ୟ ଅପେକ୍ଷା ଗୋଟିଏ ଆତ୍ମିକ ଅଭିବ୍ୟକ୍ତି ରହିବା ଦରକାର । କାରଣ କାହାଣୀରେ ମାନବୀୟ ଭାବନା ଓ ସମ୍ଵେଦନ ନଥିଲେ ତାହା ଗଳ୍ପର ରୂପାୟନ ଧରେନାହିଁ । ‘ଥିମ୍’ ବା ଶୀର୍ଷକସ୍ଥ ଚେତନା ହିଁ ଏହାକୁ ଆହୁରି ମନଃସ୍ପର୍ଶୀ କରାଇଥାଏ ।
ଏହିପରି ପୁଣି ‘ଜୟରାଜ ଓ ନିହା’ ଓ ‘ମୃଗିଣୀ ସ୍ତୁତି’ ପରି ଗପ ଅସଙ୍କଳିତ ଥିଲା । ହେଲେ କଲିକତାରେ ସେ ଥିଲା ବେଳେ ପ୍ରକାଶ ପାଇଥିଲା ତାଙ୍କର ପ୍ରଖ୍ୟାତ ତଥା ପ୍ରଥମ ଗଳ୍ପ ସଙ୍କଳନ, ‘ଝଡ଼ର ଈଗଲ୍ ଓ ଧରଣୀର କୃଷ୍ଣସାର’ । ସେ ଏହାର ମୁଖବନ୍ଧରେ ଲେଖନ୍ତି, “ମନୁଷ୍ଯ ଏକ ଚିର ରହସ୍ଯମୟ ଶେଷହୀନ ଗ୍ରନ୍ଥ, ଯାହାକୁ ଆମେ ଓ ଆମର ପୂର୍ବପୁରୁଷ ଆଜି ପର୍ଯ୍ୟନ୍ତ ଅଧ୍ୟୟନ କରିସାରିଛେ ଓ ଆମର ପରବର୍ତ୍ତୀ ପୁରୁଷମାନଙ୍କ ପାଇଁ ତଥାପି ଏତେ ପ୍ରଚୁର ଅବଶିଷ୍ଟାଂଶ ଗଚ୍ଛିତ ରହିବ, ଯାହାକୁ ସେମାନଙ୍କର ଉତ୍ତରାଧିକାରୀ ମାନଙ୍କ ପାଇଁ ଛାଡିଯିବାକୁ ବାଧ୍ୟ ହେବେ ।”
ଓକିଲାତି କରୁଥିଲା ବେଳେ ତାଙ୍କ ବାସସ୍ଥାନ ଥିଲା ପୁରୁଣା ଭୁବନେଶ୍ଵର ସ୍ଥିତ ରଥଦାଣ୍ଡ ରାସ୍ତାର ‘ବାଲିଘର’ । ଆଉ ସେଠାରେ ତାଙ୍କୁ ନିତ୍ଯ ସାକ୍ଷାତ୍ ପାଇଁ ଅନେକ ବିଶିଷ୍ଟ ବ୍ୟକ୍ତି ଆସନ୍ତି । ତାଙ୍କୁ ଉଚ୍ଚତାରୁ ମାପିବା ନା, ତାଙ୍କ ପେସାରୁ ? ସମାସ୍କନ୍ଧ ହେବାଠାରୁ ଊର୍ଦ୍ଧ୍ଵତର ଥିଲା ତାଙ୍କର ବ୍ୟକ୍ତିତ୍ଵ। ଆଉ ସେହି ଭଳି ଉଚ୍ଚତା ବାସ୍ତବିକ ଭାବେ ଖୁବ୍ କମ୍ ମିଳେ । ଜଣେ ନିରାଡମ୍ଵର ବ୍ୟକ୍ତିତ୍ବ – ସାଦା ଗଞ୍ଜିକୁ ଖଣ୍ଡିଏ ଲୁଙ୍ଗି ପିନ୍ଧି ଅତିଥିଙ୍କ ଅଭ୍ୟର୍ଥନା କରନ୍ତି । ଆଉ କଥା କଥାକେ ଟହଟହ ହସ ! ଯେପରି ଆଉ କହିବାର କଥା ସବୁ ହସରେ ହିଁ ପ୍ରତିପାଦିତ । ଇଏ ହେଉଛି ଅଖିଳ ମୋହନଙ୍କ ଗୋଟିଏ ବ୍ୟକ୍ତିତ୍ଵର ସାମ୍ମୁଖ୍ୟ ।
ଆବେଗଧର୍ମୀ ଭାବ, ବ୍ୟଞ୍ଜନାଧର୍ମୀ ଓ ମାର୍ମିକ ଭାଷା, ସ୍ବକୀୟ କଥାଶିଳ୍ପ ସହ ମନସ୍ତତ୍ତ୍ଵର ସୂକ୍ଷ୍ମତା ତାଙ୍କ ଗଳ୍ପକୁ କରିଛି ଆହୁରି ଅନନ୍ୟ । କହିବାକୁ ଗଲେ ଓଡିଆ ସାହିତ୍ଯରେ ଯେଉଁ ମାନବୀୟ ସମ୍ବେଦନର ମନସ୍ତତ୍ତ୍ଵକୁ ଆଧାରରେ ରଚନା ହୋଇଛି ଗଳ୍ପ, ସେଥିରେ ଅଖିଳ ମୋହନ ପଟ୍ଟନାୟକ ସର୍ବାଦୌ ପ୍ରଥମ । ଗୁଣାତ୍ମକ ଦୃଷ୍ଟିରୁ ସେ ଦେଇଛନ୍ତି ଓଡିଆ ଗଳ୍ପ ସାହିତ୍ଯକୁ ଅଜସ୍ରସ୍ରାବୀ ରସସ୍ନିଗ୍ଧ ଅନୁଭୂତି । ପରବର୍ତ୍ତୀ ପିଢି ପାଇଁ ସେ ଯାହା କହିଥିଲେ, ତାହାକୁ ସେ ଗଳ୍ପ ମାଧ୍ୟମରେ ଏକ ଆତ୍ମ ଆବିଷ୍କାର ଓ ଏହି ଆତ୍ମ ଆବିଷ୍କାର ଜନିତ ପ୍ରଶ୍ନ ଉଦ୍ରେକ କରିବାରେ ସାହିତ୍ୟ ସୃଷ୍ଟି କରିଛନ୍ତି ।
ଗଳ୍ପ ବହୁବର୍ଣ୍ଣା ଓ ବିଚିତ୍ର । କୌଣସି ଏକ ନିର୍ଦ୍ଦିଷ୍ଟ ମତଧାରା ବା ସୂତ୍ରରେ ଏହାକୁ ଗୁନ୍ଥିବା ସମ୍ଭବ ନୁହେଁ । କାରଣ ସ୍ଵୟଂ ଅଖିଳ ମୋହନଙ୍କ ଗଳ୍ପମାନଙ୍କୁ ତନଖି ପାରିଲେ ଆମେ ଜାଣିପାରିବା ଯେ କ୍ଷୁଦ୍ର ଗଳ୍ପ କେବଳ ଅବୋଲକରା ଶବ୍ଦ ବୈଚିତ୍ର୍ୟର ଚିତ୍ରଶାଳା ନୁହେଁ କି ପ୍ରକାଶଭଙ୍ଗୀର ଉଦ୍ଦାମତା – ବରଂ ଏହା ତ ଜୀବନର ପୂର୍ଣ୍ଣତାକୁ ପ୍ରକାଶ ନ କରି ନଗଣ୍ୟ କତିପୟ ମନେ ହେଉଥିବା ବାସ୍ତବିକ ଅନୁଭୂତିକୁ କରେ ଆହୁରି ରୋମାଞ୍ଚ କର ତଥା ଗଭୀର । ଗଳ୍ପର ଏକକତ୍ଵ ଏକ ସଂକ୍ଷିପ୍ତ ଅଥଚ ଆବେଗର ପ୍ରଗାଢ଼ ନିବେଦନକୁ କରେ ପାଠକର ହୃଦ୍ୟ , ବିଶେଷ କରି କରେ ଆହୁରି ମର୍ମସ୍ପର୍ଶୀ।
ସେ ପୁଣି କୁହନ୍ତି, “ମନର ଦର୍ପଣକୁ ପରିଷ୍କାର ରଖିଲେ ଅନେକ ପ୍ରଶ୍ନ ଉଦ୍ରେକ ହୁଏ . . . . ଏଇ ଚିରନ୍ତନ ଜିଜ୍ଞାସା ବା ତାର ସମ୍ଭାବ୍ୟ ଉତ୍ତର ସମ୍ପର୍କରେ ଲୋକମାନଙ୍କ ସହ ଯୋଗାଯୋଗ ସ୍ଥାପନ କରିବାକୁ ଇଚ୍ଛା ହୁଏ । ତେଣୁ ଲେଖକ ଲେଖେ ଓ ମୁଁ ବି ଲେଖେ ।” ନିଜ ବକ୍ତବ୍ୟ କୌଣସି ବି କଥାଟିକୁ ବି ସେ ସବୁ ଦୃଷ୍ଟିରୁ ବିବେଚନା ନ କରି ବ୍ୟତୀତ କରୁନଥିଲେ। ତାଙ୍କ ରଚିତ ସେହିପରି ଗଳ୍ପ ସବୁ ହେଉଛି ‘ରୂପନାରାୟଣ ସାହା’, ‘ତାମ୍ର ବଳୟ’, ‘ରକ୍ତ କଇଁ’, ‘ଚନ୍ଦ୍ରର ଅଭିଶାପ’ । ଆଉ ମଣିଷ ମନର ଅନେକ ଗହନ ବିଭାବକୁ ସେ ଉନ୍ମୋଚିତ କରିଛନ୍ତି ଏହିଠାରେ ।
‘ତାମ୍ର ବଳୟ’ ସେମିତି ଏକ ଗଳ୍ପ । ଏହି ଗଳ୍ପ ମୁଖ୍ୟ ଚରିତ୍ର ନିଜେ କହୁଛନ୍ତି ଯେ ପାଟଣା ବିମାନବନ୍ଦରରେ ଥିବା ସମୟରେ ଜଣେ ଲଣ୍ଡିତ ମସ୍ତକ ପ୍ରୌଢ଼ ବ୍ୟକ୍ତି ତାଙ୍କୁ ଆଣି ଦେଇ ଥିଲେ ଏକ ତମ୍ବାପାତିଆ । ଆଉ ଏହା କୁଆଡେ ଥିଲା “ଆକ୍ସିଡେଣ୍ଟ୍ ପ୍ରୁଫ୍” । ହେଲେ ଏହି ଗଳ୍ପରେ ମୁଖ୍ୟ ଚରିତ୍ର ଯେତେବେଳେ ଯାଇ ଥିଲେ ଉଡାଜାହାଜରେ ତାଙ୍କ ସହ ବସିଥିବା ଭଦ୍ରବ୍ୟକ୍ତି ବହୁତ ଭୟାଳୁ ଥିଲେ ଯିବା ପାଇଁ । ଆଉ ସେ ଭଦ୍ରବ୍ୟକ୍ତି ଥିଲେ ବମ୍ଵେ ଓ ଅହମ୍ମଦାବାଦରେ ଥିବା କପା ମିଲ୍ ମାନଙ୍କର ଏକ ମାତ୍ର ଦାୟାଦ । ବହୁତ ସମ୍ଭ୍ରାନ୍ତ ଘରର ଥିଲେ ।
ହେଲେ ମାନବୀୟ ମନର ଆଶା ଆଶଙ୍କାର ଏକ ପରିଚୟ ମିଳିଥିଲା ଏହି ଭଦ୍ରବ୍ୟକ୍ତିଙ୍କ ଠାରୁ । ଯେମିତି ସେ ପ୍ରତି ଥର ଚାହୁଁଥିଲେ ଏକ ସହାୟତା । ସେ ଗଳ୍ପର ମୁଖ୍ୟ ଚରିତ୍ର ସହ କରିବାକୁ ଚାହୁଁଥିଲେ ଆତ୍ମୀୟତା । ଭଦ୍ରବ୍ୟକ୍ତିଙ୍କ ନା ମିଷ୍ଟର୍ ଆଡୁକିଆ । କାରଣ ସେ ଖାଲି ଭାବୁଥିଲେ ଯେପରି ଖସିପଡିବ ଏ ବିମାନ ଆଉ ମଣିଷର ଅନ୍ତିମ ପ୍ରହର ଖୁବ୍ ଶୀଘ୍ର ଉପଗତ ହେବ । ଆଉ ସେ ଏଠାରେ ସମ୍ଭାବନା ଅପେକ୍ଷା ପରିସ୍ଥିତି ଜନିତ ଦୁର୍ଘଟଣା ପ୍ରତି ଥିଲେ ତ୍ରସ୍ତ । ଆଉ ଏହା ହିଁ ଥିଲା ତାଙ୍କର “ଥିଓରି ଅଫ୍ ହାଜାର୍ଡସ୍” – ଯାହା ପାଇଁ ମନରେ ଯାବତୀୟ ଚିନ୍ତା ।
ହେଲେ ବିମାନର ଏକଦା କଲିକତା ଠାରେ ଅବତରଣ ପୂର୍ବରୁ ପ୍ରତିକୂଳ ପରିସ୍ଥିତି ସହ ସମ୍ମୁଖୀନ କରିବା ଓ ଗଳ୍ପର ମୁଖ୍ୟ ଚରିତ୍ର ନିଜେ ପିନ୍ଧିଥିବା ସେ ‘ଆକ୍ସିଡେଣ୍ଟ୍ ପ୍ରୁଫ୍’ ତମ୍ବାପାତିଆକୁ ଓହ୍ଲାଇ ମିଃ ଆଡୁକିଆଙ୍କ ମଣିବନ୍ଧରେ ବାନ୍ଧିବା ମଧ୍ୟରେ ଘଟିଲା ଗୋଟିଏ ଆଶ୍ଚର୍ଯ୍ୟ । ମଣିବନ୍ଧରେ ତାଙ୍କର ସେ ତମ୍ବାପାତିଆ ଟା ବାନ୍ଧୁ ବାନ୍ଧୁ ବିମାନଟି ସ୍ଥିର ହେଇଗଲା ଆଉ ଅପସରି ଯାଏ ପ୍ରତିକୂଳ ପରିସ୍ଥିତି ପ୍ରତି ଥିବା ସେ ଅସହାୟତା । ଯେମିତି ଗୋଟିଏ ଯନ୍ତ୍ରଣାବିଦ୍ଧ ଶିଶୁଟି କାନ୍ଦଣା ବନ୍ଦ କରି ପୁଣି ଥରେ ନିଜ ସେ ପ୍ରଶାନ୍ତିକୁ ଫେରିଯାଏ ।
ଅବଧାରିତ ମୃତ୍ୟୁର କଳା ଛାଇ ଘେରି ରହିଥିବା ଏଇ ଅସହାୟ ମାନବ ପିତୁଳାଟି ତେଣୁ ଅନେକ ସମୟରେ ଚାହେଁ ପ୍ରବୋଧନା, ଆତ୍ମୀୟତା ଭରା ଜୀବନର ସେ ଆଶ୍ଵାସନା । — ଅଖିଳ ମୋହନଙ୍କ ସୃଷ୍ଟିର ଗୋଟିଏ ଅନ୍ୟତମ ଭିନ୍ନ ଅଥଚ ବହୁତ ରୋଚକ ବର୍ଣ୍ଣନା । ତଥାପି ସେ ସବୁ ମଣିଷ ଭିତରେ ଗୋଟିଏ କୌତୂହଳୀ ଶିଶୁଟି ଲୁଚି ରହିଛି ଏବଂ ସେ ଶିଶୁଟି ଏ ବିଶ୍ଵର ବିରାଟ ବହି ଉପରେ ବହୁ ବିଚିତ୍ର ମନୁଷ୍ୟ ମାନଙ୍କ ହୃତ୍ ସ୍ପନ୍ଦନ ଶୁଣିବାକୁ ଚାହେଁ – ଏ କଥା ହେଉଛି ‘ରୂପନାରାୟଣ ସାହା’ ର । ଅଖିଳ ମୋହନଙ୍କ ଗଳ୍ପର ଏକ ଆବେଗମୟ ଦିଗନ୍ତ।
ଏଥି ସହ ୧୯୭୯ ମସିହାରେ ତାଙ୍କର ପ୍ରକାଶ ପାଇଛି ବହୁଚର୍ଚ୍ଚିତ ଗଳ୍ପ ସଙ୍କଳନ “ଓ ଅନ୍ଧଗଳି” । ଏହା ପ୍ରଚ୍ଛଦରେ ସେ ନିଜେ ଲେଖିଛନ୍ତି, “କ୍ଷୁଦ୍ରଗଳ୍ପ ଏକ ଶାଣିତ ବର୍ଚ୍ଛାର ଫଳକ, ଯାହାର କ୍ଷେପଣରେ ପାଠକକୁ ବିଦ୍ଧ କରିବାକୁ ମାତ୍ର ଗୋଟିଏ ସୁଯୋଗ ମିଳେ ଏବଂ ତହିଁରେ ଲେଖକର କ୍ଷେପଣ ଶୈଳୀ ଅପେକ୍ଷା ବର୍ଚ୍ଛାର ବିଦ୍ଧ କରିବାର କ୍ଷମତା ଅଧିକ ଗୁରୁତ୍ବପୂର୍ଣ୍ଣ” । ସେ କୁହନ୍ତି ଯେ ଗଳ୍ପର ‘ଥିମ୍’ ବା ଶୀର୍ଷକ ଅନୁକୃତ ବିଷୟବସ୍ତୁ ଯଦି ଶକ୍ତିଶାଳୀ ହୁଏନି, ତେବେ ଯେତେ ଶବ୍ଦ ସମ୍ଭାର ଓ ଶୈଳୀଗତ ବୈଚିତ୍ର୍ୟ ଥିବ, ତା’ ଗଳ୍ପକୁ ଉଚ୍ଚକୋଟୀର କରିପାରେ ନାହିଁ ।
କଞ୍ଚାମାଟି ଉପରେ ସୌଧ ତୋଳି ବସିଲେ ତା ମୂଳଦୁଆ ଭୁଷୁଡି ପଡିବ। ଗତାନୁଗତିକ ଅଙ୍ଗୀକାର ଅପେକ୍ଷା ସେହି ଗଳ୍ପର ଭାବଭୂମିରେ ‘ହ୍ୟୁମାନ୍ ଏଲିମେଣ୍ଟ’ଟି ଥିଲେ ତାହା ହୁଏ ଗୋଟିଏ ଗଳ୍ପର କଳାଗତ ସାର୍ଥକତା – ଏହା ଅଖିଳ ମୋହନ ଅକ୍ଷରେ ଅକ୍ଷରେ ନିଜ ଗଳ୍ପରେ କହି ଆସିଛନ୍ତି । କାରଣ ସେ ନିଜେ ଜାଣନ୍ତି ଯେ ଆତ୍ମପ୍ରକାଶ କରିବାର ବିଗଳିତ ଇଚ୍ଛା ଓ ତାହା ହିଁ ଯେ ପ୍ରକୃତରେ ଗୋଟିଏ ଆତ୍ମାର ବକ୍ତବ୍ୟ – ଏହାର ଅବବୋଧ ହିଁ ଗଳ୍ପ ଲେଖିବାର ଆଦିମ ଉତ୍ସ । ଆଉ ଏହି ଉତ୍ସରୁ ନିର୍ଗତ ହୁଏ ପୁଣି ଯନ୍ତ୍ରଣାର ଜୀବନବୋଧରୁ ସେହି ସାର୍ଥକତା – ଏହି ସୃଷ୍ଟିର !
କ୍ଷୁଦ୍ରଗଳ୍ପ ବିଷୟରେ ଆଲୋଚନା କରିଲା ବେଳେ ଏହା ଦେଖିଲା ଭଳି ବିଷୟ ହେଉଛି ଯେ ଏହାର ଏକ ଐତିହ୍ୟ ଅନୁକ୍ରମ । ଓଡିଆ ସାହିତ୍ୟରେ କ୍ଷୁଦ୍ରଗଳ୍ପ ଏକ ପ୍ରତିରୂପ ଘେନି ଆଗକୁ ବଢେ ପ୍ରଥମେ ଓଡିଆ ମାଟିରେ ଅସ୍ମିତାର ନିର୍ମାଣ ପାଇଁ, ତତ୍ପରେ ପୁଣି ତଦାନୀନ୍ତନ ସମାଜର ପଟ୍ଟଭୂମିକୁ ନେଇ ଓ ସେତେବେଳ ସମାଜର ସାଂସ୍କୃତିକ ସଂରଚନାକୁ ଭିତ୍ତି କରି। ଆଉ ଅଖିଳ ମୋହନଙ୍କ କାବ୍ୟ ସହରୀ ଜୀବନ ପ୍ରତି ଥିଲେ ମଧ୍ୟ ତାଙ୍କ ରଚନାର ମାଟିମନସ୍କତା ଲିଭିଯାଇନି । ବିଶ୍ଵର ସ୍ଥିତି ଓ ମନସ୍ତତ୍ତ୍ବ ମଧ୍ୟରେ ମାଟିମନସ୍କତା ଏକ ଅଭିନବ ରୂପରେ ସବୁବେଳେ ପରି ପ୍ରକାଶ ପାଇଛି ।
ତାଙ୍କ ମାଟିମନସ୍କତାର ପରିଚୟ ଦିଏ ତାଙ୍କ ରଚିତ ଲୋକପ୍ରିୟ ଜୀବନୀ “ବାଘରାଣୀ ଖଇରୀ” । ୧୯୭୮ ମସିହାରୁ ତାଙ୍କର ସମ୍ପାଦିତ “ସମାବେଶ” ପତ୍ରିକା ମାଧ୍ୟମରେ ଏହା ଧାରାବାହିକ କ୍ରମରେ ପ୍ରକାଶ ପାଇ ଓଡିଆ ଜନଜୀବନୀର ଏପରି ଏକ ଅଭୂତପୂର୍ବ ଗାରିମା ସେତେବେଳେ ଚମକ ସୃଷ୍ଟି କରେ । ଖଇରୀକୁ ପାଳିଥିବା ସରୋଜ ରାୟ ଚୌଧୁରୀ ଓ ପାଳିକା ମାଆ ନୀହାର ନଳିନୀ ଦେବୀଙ୍କ ପ୍ରତ୍ୟକ୍ଷ ଅନୁଭୂତି ସବୁକୁ ସେ ଲିପିବଦ୍ଧ କରିଛନ୍ତି ନିଜର ଏହି କୃତି ମାଧ୍ୟମରେ । ପରବର୍ତ୍ତୀ ସମୟରେ ଶେଷ ଭାଗଟି ଅଖିଳ ମୋହନଙ୍କ ବିୟୋଗ ପରେ ବିଶିଷ୍ଟ ସାହିତ୍ୟିକ ଅସିତ ମହାନ୍ତି ସମ୍ପୂର୍ଣ୍ଣ କରିଥିଲେ ।
୧୯୮୧ ମସିହାରେ ‘ଓ ଅନ୍ଧଗଳି’ ପାଇଁ ଅଖିଳ ମୋହନ ପାଇଥିଲେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର । ଏହି ଆନୁଷ୍ଠାନିକ ସ୍ବୀକୃତି ଅପେକ୍ଷା ତାଙ୍କ ଗଳ୍ପକଳା ଓ କଥାକାର ରୂପେ ତାଙ୍କ ପରିଚିତିକୁ ଅଧିକତର ପ୍ରତିଷ୍ଠିତ କରିଥିଲା ଏହା । ଏହାର ପ୍ରଥମ ଗଳ୍ପ ‘ଡିମିରି ଫୁଲ’ ଠୁ ନେଇ ‘ଅନ୍ଧଗଳି’ ପର୍ଯ୍ୟନ୍ତ ସମଗ୍ର ଷୋହଳଟି ଗଳ୍ପର ସମାବେଶ । ନିୟତିର ନିଷ୍ଠୁର ଖେଳ ଓ ଜୀବନ ବୋଧ ମଧ୍ୟରେ ଅବଚେତନାର ସ୍ତର ଉଦଘାଟନ ଏହିଠାରେ ହିଁ ଘଟିଛି ଯାହାର ଉଜ୍ଜ୍ଵଳ ଦୃଷ୍ଟାନ୍ତ ହେଉଛି ‘ଡିମିରି ଫୁଲ’ ଓ ‘ଅନ୍ଧଗଳି ଗଳ୍ପ । ମାନବର ସମସ୍ୟା ଓ ବିବଶତା ସହ ଏକାତ୍ମ ହୋଇ ସେହି ଯନ୍ତ୍ରଣାବୋଧର ପ୍ରକୃତ ଅବବୋଧକୁ ସେ ଦେଇଛନ୍ତି ରୂପାୟନ।
‘ଡିମିରି ଫୁଲ’ ସର୍ବଜନ ବିଦିତ ଗୋଟିଏ ପ୍ରଥିତ ତଥା ବହୁପଠିତ ଗଳ୍ପ । ‘ଡିମିରି ଫଳର ଫୁଲ କେହି ଦେଖି ନଥିବାର କୁହାଯାଏ । ଏହା ଏକ ଅସ୍ତିତ୍ଵହୀନ ବୋଲି ସୃଷ୍ଟି ଜାଣେ । ହେଲେ ଏଠାରେ ଗାଳ୍ପିକ ଯେ ‘ଡିମିରି ଫୁଲ’କୁ ଦର୍ଶାଇଛନ୍ତି ଏକ ଅସ୍ତିତ୍ଵ, ଯାହା ବାହାର ପଟୁ ଅଦୃଶ୍ୟ, ଅବୋଲକରା ଅଥଚ ଅନ୍ତର ସହ ଏହାର ଏକ ସଂଗୋପନ ରହିଛି । ସେହି ଯନ୍ତ୍ରଣାବୋଧ ଜନିତ ସଂଘର୍ଷ ଓ ସମ୍ବେଦନାର ପ୍ରତୀକ ରୂପେ ଏଠାରେ ‘ଡିମିରି ଫୁଲ’ ସାର୍ଥକତା ବହନ କରେ, ଯାହା ଆଜି ପାଠକଙ୍କ ଆଖିଦୃଶିଆ । ଜୀବନର ବାହ୍ୟ ପ୍ରକାଶ ଅପେକ୍ଷା ନିଭୃତ ମନର ସମ୍ବେଦନା ମର୍ମସ୍ପର୍ଶୀ ରୂପରେ ବର୍ଣ୍ଣିତ ।
ଗଳ୍ପର ଚରିତ୍ର ଗୌହାଟୀ କଲେଜର ଅଶୋକ, ଅନ୍ୟ ଏକ ଝିଅ ମଞ୍ଜୁ, ମଞ୍ଜୁଙ୍କ ପିତା ଏବଂ ମାତା। ଏକଦା ବର୍ଷଣମୁଖର ରାତି ଦେଇ ଯାଉଥିବା ଅଶୋକ ଜଣଙ୍କ ଘର ବାରଣ୍ଡାରେ ଆଶ୍ରୟ ନେଇଥିବା ବେଳେ ତାଙ୍କୁ କେହି ଡାକିଛି, “ଆରେ ! ସଞ୍ଜୟ ତମେ” ବୋଲି । ଅଶୋକ ଅବୁଝା ରହିଗଲା । ଜଣେ ଭଦ୍ର ମହିଳା ତାଙ୍କୁ ଦେଖି ଏପରି ଏକ ଅଜ୍ଞାତ ନାମରେ ସମ୍ବୋଧନ କରିଲେ। ଆଉ ସେତେବେଳେ ଭଦ୍ରମହିଳାଙ୍କର ଉଦାର ଡାକକୁ ସିଏ ଭୁଲ ବୋଲି ମଧ୍ୟ ଦର୍ଶାଇ ପାରିବନି ଏଣୁ ନୀରବରେ ତାଙ୍କର ଉଦାରତାକୁ ଶୁଣୁଛନ୍ତି ।
ଆଉ ଆଳାପ ସଂଳାପ ମଧ୍ୟରେ ସେ ଭଦ୍ରମହିଳା କହିଛନ୍ତି ତାଙ୍କ ଝିଅ ମଞ୍ଜୁ ବିଷୟରେ । ତାଙ୍କ ଝିଅ ମଞ୍ଜୁ ଯାଇଥିଲା ବିଦେଶ ଆଉ ସେ ରିସର୍ଚ୍ଚ ପାଇଁ ବିଦେଶରେ ରହିଛି । ତାଙ୍କ ମାଆ, ଯିଏକି ସ୍ଵୟଂ ଏହି ଭଦ୍ରମହିଳା ଥିଲେ, ସିଏ ତାଙ୍କୁ ଏକ ଉପହାର ପଠେଇଥିଲେ । ଆଉ ଅଗତ୍ୟା, ଅଶୋକଙ୍କୁ ଛାଡି ଦେବା ପାଇଁ ନିଜେ କହି ଆସିଲେ । ହେଲେ ପରଦିନ ସକାଳେ ଜଣେ ଭଦ୍ର ବ୍ୟକ୍ତି ଆସିଥାଆନ୍ତି ଅଶୋକଙ୍କ ପାଖକୁ । ଜଣେ ପ୍ରୌଢ଼ ବ୍ୟକ୍ତି ଯିଏକି ଅତ୍ୟନ୍ତ ଦୁଃଖିତ ଥିଲେ । ଦେହରେ ଧୋତି ପଞ୍ଜାବି ।
ଭଦ୍ରବ୍ୟକ୍ତି ଆଉ କେହି ନଥିଲେ ବରଂ ସେହି ଭଦ୍ର ମହିଳାଙ୍କ ସ୍ଵାମୀ ଥିଲେ, ଯିଏ ଅଶୋକଙ୍କ ସହ ଭେଟ ହେଇ ଥିଲେ ଗତ ରାତିରେ । ସେହି ଭଦ୍ରବ୍ୟକ୍ତି ତାଙ୍କୁ ବିଶଦ ଭାବରେ ତାଙ୍କର ଦାରୁଣ ଦୁଃଖକୁ ପରିପ୍ରକାଶ କରିଥିଲେ । ସଞ୍ଜୟ ନାମକ ଏକ ପୁଅ ଝିଅ ମଞ୍ଜୁର ବିବାହ ମନସ୍ଥ ହୋଇଥାଏ ହେଲେ ଝିଅ ଏକ ରେଳ ଦୁର୍ଘଟଣାରେ ଚାଲିଯାଏ । କିନ୍ତୁ ମସ୍ତିଷ୍କ ବିକୃତି ପରେ ତାଙ୍କ ମାଆ ବା ସେ ଭଦ୍ର ମହିଳାଙ୍କୁ କୁହାଯାଇଛି ଯେ ଝିଅ ମଞ୍ଜୁ ରିସର୍ଚ୍ଚ ପାଇଁ ଆଉ ଆସିପାରୁନି ବିଦେଶରୁ । ଏହା କହିକି ଅଶ୍ରୁଳ ହୋଇ ନିଜର ନିବେଦନ ଜଣାଇଲେ ସେ ଭଦ୍ରବ୍ୟକ୍ତି ।
ସୃଷ୍ଟିର ଏପରି ଏକ ନିଷ୍ଠୁରତା ଆଗରେ ନିଃସଙ୍ଗ ଅଥଚ ଭଗବାନଙ୍କ ଅଭିଶପ୍ତ ପିତୁଳା ପରି ଅସହାୟତାର ବିଦ୍ୟୋତନା କରୁଥିଲେ ମଞ୍ଜୁଶ୍ରୀର ପିତା – ଏହି ଭଦ୍ରବ୍ୟକ୍ତି । ଏହି ଅସହାୟତାକୁ ହେଲେ ଦୂରେଇ ପାରିଛି ଏକ ନିରପରାଧ ଭ୍ରମ, ଯେଉଁ ଭ୍ରମ କେବେ ଦେଇନି ଅପରାଧ, କରିନାହିଁ କେବେ ସୃଷ୍ଟିର ଛଳନା ପରି ଉପହାସ । ହେଲେ ନିରପରାଧ ମନର ଅବଚେତନା ଗ୍ରହଣ କରିପାରିବନି ଏପରି ନିଚ୍ଛକ ସତ୍ୟ, କାରଣ ଜୀବନ ବଞ୍ଚି ଯେଉଁ ଆନନ୍ଦ ପୋଷଣ ହୁଏ, ତାହା ଏହି ଭ୍ରମ ଦ୍ଵାରା ରହୁ ପଛେ ମଧୁର, ହେଲେ ଜୀବନ ବଞ୍ଚିବାର ଆଶା ଭାଙ୍ଗି ନ ଦେଉ ଏପରି ଏକ ଉପହସିତ ସତ୍ୟ !
ସେହିପରି ‘ରକ୍ତକଇଁ’, ‘ଜଉଘର’, ‘ଅନ୍ଧଗଳି’, ‘ଅକାଳ ବୋଧନ’, ‘ଗୋଟିଏ ଲଟେରି ଟିକେଟ୍’ ପରି ହୃଦୟସ୍ପର୍ଶୀ ଗଳ୍ପମାନଙ୍କ ସମାବେଶରେ ଆମେ ଦେଖିପାରିବା ଅଖିଳମୋହନ ସବୁବେଳେ ନିୟତିର କଠୋରତାରୁ ଊର୍ଦ୍ଧ୍ଵରେ ଜୀବନର ଏହିପରି ଅପ୍ରତ୍ୟାଶିତ ପ୍ରମୁଖତାକୁ ଦେଇଛନ୍ତି ଚିତ୍ରଣ । ଜୀବନବୋଧର ଏପରି ଏକ ଅଭିବ୍ୟଞ୍ଜନା ଓ ସହାନୁଭୂତି ପାଇଁ ତାଙ୍କ ରଚନାକୁ ତନଖିଲେ ସେଥିରେ ଜୀବନ ପରି ଏକ ପ୍ରତ୍ୟାଶା ତିରୋହିତ ଭାବନା ବି ଉଜ୍ଜୀବନ ପାଏ ।
ଆଉ ସେହିପରି ତାଙ୍କ ତରୁଣ ସମୟର ଏକ ସର୍ତ୍ତହୀନ ପ୍ରୀତିର ବାରଟି ଚିଠିର ସଙ୍କଳନ ‘ଅନାଗତ ଫାଲଗୁନ’ ଓଡିଆ ପାଠକ ମଧ୍ୟେ ଚାଞ୍ଚଲ୍ୟ ସୃଷ୍ଟି କରିଥିଲା । ଏଥିରେ ତାଙ୍କ ଚରିତ୍ର ‘ସୁଜାତା’ ଙ୍କୁ ଲେଖିଛନ୍ତି ଏହିପରି କେତେ ଚିଠି ଯାହାକୁ ସେ ଅଭିହିତ କରନ୍ତି ‘ଲେଖକଙ୍କ ସବୁଜ ତାରୁଣ୍ୟର ପ୍ରେମପତ୍ରର ସଙ୍କଳନ’। ଆଉ ସେହିପରି ତାଙ୍କର ଅନ୍ୟାନ୍ୟ ସଙ୍କଳନମାନଙ୍କ ମଧ୍ୟରେ ‘ଅନ୍ୟଦେଶ’, ‘ସୁନ୍ଦର ବନରେ ହତ୍ୟାର ବିଭୀଷିକା’, ‘ଶୈଶବର ଶବ’ ଓ ‘ନିର୍ଜନ ସଂଳାପ’ ଅନ୍ୟତମ । ଆଉ ତାଙ୍କ ଶେଷ ଜୀବନର ‘ଗଜ ଉଦ୍ଧାରଣ’ ଓ “ସ୍ପାର୍ଟାକସ୍’ ପରି ଗଳ୍ପରେ ପରିଶେଷରେ ଆଧ୍ୟାତ୍ମିକ ଜୀବନବୋଧ ସ୍ଥାନ ପାଇଛି ।
‘ଅନ୍ୟଦେଶ’ ହେଉଛି ଅଖିଳ ମୋହନଙ୍କ ଭ୍ରମଣ ବୃତ୍ତାନ୍ତ । ୧୯୭୩ ମସିହାରେ ‘ଇଣ୍ଡେ-ଫ୍ରେଞ୍ଚ ସୋସାଇଟି ଅଫ୍ ଫ୍ରେଣ୍ଡ୍ସ’ ପକ୍ଷରୁ ସେ ଲଣ୍ଡନ, ଫ୍ରାନ୍ସ, ସୁଇଜର ଲ୍ୟାଣ୍ଡ୍, ପଶ୍ଚିମ ଜର୍ମାନୀ, ପ୍ୟାରିସ୍ ଭଳି ଇଉରୋପୀୟ ସ୍ଥାନ ପର୍ଯ୍ୟଟନ କରିବାର ଅନୁଭୂତିର ସମୂହ ଏହି ‘ଅନ୍ୟ ଦେଶ’ ୧୯୭୫-୭୬ ମସିହାରେ ‘ନବରବି’ ପତ୍ରିକାରେ ଧାରାବାହିକ ପ୍ରକାଶ ପାଇଥିଲା । ପ୍ରତ୍ୟକ୍ଷ ଅନୁଭୂତି ଓ ଆହୃତ ତଥ୍ୟ ସବୁକୁ କଥାକାର ଭାବରେ ରସୋତ୍ତୀର୍ଣ୍ଣ କଳାଗତ ସ୍ପର୍ଶ ଦେଇଛନ୍ତି ଅଖିଳ ମୋହନ । ସେଠାରେ ସାମାଜିକ ଚାଲିଚଳଣି ଏବଂ ଏହିପରିକି ସେଠାକାର ଶିଳ୍ପୀଙ୍କର ଜୀବନ ସଂଗ୍ରାମ ଓ ସାଧନାର ମାର୍ମିକ ଚିତ୍ର ପ୍ରଦାନ କରିଥିଲେ ଅଖିଳ ମୋହନ ।
ଏହା ଛଡା, ୧୯୬୦ ମସିହାରେ ‘ଗୋଦାବରୀଶ ସାହିତ୍ୟ ସଂସଦ’ ସହ ସଂଶ୍ଳିଷ୍ଟ ରହି ଏହାର ମୁଖପତ୍ର ‘ମୂର୍ଚ୍ଛନା’ର ସମ୍ପାଦନା କରୁଥିଲେ । ୧୯୬୨ ମସିହା ଓଡିଆ ସାହିତ୍ୟରେ ଯୁବ ଆନ୍ଦୋଳନର ଉଦ୍ଗାତା ଭାବରୈ ଏବଂ ପରିଶେଷରେ ୧୯୬୪ ମସିହାରେ ଓଡିଆ ଯୁବଲେଖକ ସମ୍ମେଳନର ପ୍ରଥମ ସଭାପତି ଭାବରେ ମନୋନୀତ ହୋଇଥିଲେ। ଏହା ସହ ତାଙ୍କ ସାମଗ୍ରିକ ସଙ୍କଳନ ‘ଅଖିଳାୟନ’ ନାମରେ ୧୯୯୮ ମସିହାରେ ‘ଅଖିଳ ମୋହନ ଫାଉଣ୍ଡେସନ’ ପକ୍ଷରୁ ପ୍ରତିଷ୍ଠିତ ।
କେବଳ ଏତିକି ନୁହେଁ, ଜଣେ ଦକ୍ଷ ଅଭିନେତା ଓ ମଞ୍ଚ କଳାକାର ରୂପେ ସେ ପ୍ରଖ୍ୟାତ ମଧ୍ୟ ଥିଲେ । ୧୯୫୭ ମସିହାରେ ଖୋର୍ଦ୍ଧାରେ ଅନୁଷ୍ଠିତ ରଙ୍ଗମଞ୍ଚରେ ନିଜେ ଜଣେ ମଞ୍ଚ କଳାକାର ଭାବରେ ଉଭା ହୋଇଥିଲେ। ଆଉ ପ୍ରଖ୍ୟାତ ‘ଜନତା ରଙ୍ଗମଞ୍ଚ’ର ପୁନରୁଦ୍ଧାର କରିଥିଲେ ଅଖିଳ ମୋହନ। ତତ୍ ବ୍ୟତୀତ ଏକମାତ୍ର ଚଳଚ୍ଚିତ୍ର ‘ପରଝିଅ ଘର ଭାଙ୍ଗେନା’ରେ ସେ କନ୍ୟା ଇନ୍ଦୁ (ଅଭିନୟରେ ଶ୍ରାବଣୀ ରାୟ) ଙ୍କ ପିତା ଭାବରେ ଚମତ୍କାର ଭୂମିକା ନିର୍ବାହ କରିଥିଲେ ।
ହେଲେ ଏଇ ମହୀୟାନ ସାରସ୍ଵତ ପୁଙ୍ଗବ ୨୯ ନଭେମ୍ବର ୧୯୮୨ ମସିହାରେ କଟକ ଠାରେ ଶେଷ ନିଃଶ୍ବାସ ତ୍ୟାଗ କରିଥିଲେ। ଆଉ ତାଙ୍କର ଅବର୍ତ୍ତମାନରେ ପ୍ରକାଶିତ ହୋଇଥିଲା ତାଙ୍କର ଅନ୍ୟତହ ଗଳ୍ପ ସଙ୍କଳନ ‘ନଦୀର ନାମ ଗଣତନ୍ତ୍ର’ (୧୯୮୪) ଏବଂ ‘ପ୍ରଥମ ଓ ଶେଷ’ (୧୯୯୦) । ଆଉ ତାଙ୍କର ଏହି ଦୁଇ ସଙ୍କଳନରେ ମଧ୍ୟ ତାଙ୍କ ସେହି ଉଚ୍ଚମାନର ବ୍ୟକ୍ତିତ୍ଵ ଓ ପରିଭାଷା ସତତ ସବୁଜ ଓ ସତେଜ ରହି ଆସିଛି ।
Amritesh Khatua Akhila Mohan Pattanaik