ଲେଖା: ନିରଞ୍ଜନ ସାହୁ

ଇତିହାସର ଗର୍ଭଗହ୍ଵରରେ ପୋତି ହୋଇଯାଇଥିବା ଏକ ସମୟର କାହାଣୀ। କାହାଣୀ କିନ୍ତୁ କିମ୍ବଦନ୍ତୀ ନୁହେଁ ! ଏକ ସତ୍ୟତା ଉପରେ ପ୍ରତିଷ୍ଠିତ ଗୋଟିଏ ସମୟର କଥା ! ଐତିହାସିକ ମାନଙ୍କର ବ୍ୟବଚ୍ଛେଦ ଜନିତ ନିଃସୃତ ନୂତନ ତଥ୍ୟ ! କେତେ ବାସ୍ତବ କଥା ସତେ !

ଗୋଟିଏ ପରେ ଗୋଟିଏ ବ୍ୟବଚ୍ଛେଦ, ଗବେଷଣା, ପ୍ରତ୍ନତାତ୍ବିକ ଖନନ — ନୂଆ ନୂଆ ରୂପ ନେଉଛି, ବର୍ଷ, ମାସ, କାଳ, ଦଣ୍ଡ ନିର୍ଣ୍ଣୟ କରିବାରେ ! ତଥାପି ବିରାମ ହୋଇନାହିଁ ଗବେଷକର ଅନ୍ଵେଷଣ ! ସତ୍ୟ ଉଦଘାଟିତ କରିବାକୁ ଚାଲିଛି ସତତ ପ୍ରୟାସ ! ଆହୁରି ଖୋଜିବା ପାଇଁ ଅଦମ୍ୟ ଉତ୍ସାହ, ମନରେ ସ୍ଫୁର୍ତ୍ତି !

ଅତୀତର ଗୌରବମୟ ଗାଥା, ଐତିହ୍ୟକୁ ଭେଟି ଦେବାପାଇଁ ସମଗ୍ର ବିଶ୍ୱକୁ, ଦେଶକୁ, ଅଙ୍ଗୀକାରବଦ୍ଧ ଏହି ଐତିହାସିକ, ଗବେଷକ, ସାହିତ୍ୟିକ ଏବଂ ଦେଶମାତୃକାର ପୂଜକଗଣ !

ହଁ, ସମୟ କ୍ରମେ ସତ୍ୟ ଉଦଘାଟିତ ହୋଇଛି। ଅତୀତର ପୃଷ୍ଠଭୂମି ହୋଇଉଠିଛି ଆହୁରି ଗୈାରବାବହ – ବହୁ ବର୍ଷର ନୀରବତା ପରେ ଈଗଲର ଝଡ଼ ପରି ପକ୍ଷ ବିସ୍ତାର କରିଦେଇଛି ଅନ୍ଵେଷଣର ଫଳ !

ବର୍ଷ ବର୍ଷର ଶ୍ରମ ଯେ ଏକ ନୂତନ ଅଧ୍ୟାୟ ସୃଷ୍ଟି କରିବ କଳିଙ୍ଗ ଇତିହାସରେ ! ଭାରତବର୍ଷର ଇତିହାସରେ ସଂଲଗ୍ନ ହେବ ଏକ ନୂତନ ଫର୍ଦ୍ଦ ! ବିଶ୍ଵ ସ୍ତମ୍ଭିତ ହେବ ! ଉତ୍ତର ଦାୟାଦଗଣ ସଗର୍ବରେ ଶିର କରିବେ ଉନ୍ନତ, ଉନ୍ନତତର।

ଏ କାହାଣୀ, ଏ ଇତିହାସ ଖ୍ରୀଷ୍ଟପୂର୍ବ ୨୨୨ ମସିହାର, କିଏ ବା କହନ୍ତି ଖ୍ରୀଷ୍ଟପୂର୍ବ ୧୦୩ ମସିହାର ଅଥବା ଖ୍ରୀଷ୍ଟପୂର୍ବ ପ୍ରଥମ ଶତାଦ୍ଦୀର।

ଗୋଟିଏ ଗବେଷକର ମତ ଅନ୍ୟ ଗବେଷକ ସହ ସମାନ ନ ହୋଇପାରେ। ଗବେଷଣା ଜନିତ ବ୍ୟାପକତା, ସମୀକ୍ଷା ଏବଂ ବିଭିନ୍ନ ଦୃଷ୍ଟିକୋଣର ଆଧାର ହିଁ ଅତୀତର ଇତିହାସକୁ ନିର୍ଭୁଲ ଆଡ଼କୁ ଟାଣି ନିଏ।

ସମୟ ,କାଳ ନିର୍ଣ୍ଣୟରେ ସମାନତା ନ ଆସିଲେ ମଧ୍ୟ ଗବେଷଣା କରୁଥିବା ଐତିହାସିକଗଣ ଏକ ସିଦ୍ଧାନ୍ତ ରେ ଉପନୀତ ହୋଇଛନ୍ତି ଯେ, ଏହି ଐତିହାସିକ ରାଜନ୍ ଖ୍ରୀଷ୍ଟପୂର୍ବ ପ୍ରଥମ ଶତାଦ୍ଦୀ ପୂର୍ବର !

ଖ୍ରୀଷ୍ଟପୂର୍ବ ପ୍ରଥମ ଶତାଦ୍ଦୀରୁ ଉର୍ଦ୍ଧ୍ବ ଏକ ବିଶେଷ ଦିବସ। ସେହି ଦିବସର ଗୋଟିଏ ମୂହୁର୍ତ୍ତ କଳିଙ୍ଗ ଇତିହାସରେ ସର୍ବୋତ୍କୃଷ୍ଟ ଦଣ୍ଡ, ଶ୍ରେଷ୍ଠତମ ଲଗ୍ନ। ସବୁଦିନ ପରି କଳିଙ୍ଗ ସାମ୍ରାଜ୍ୟରେ ସେ ଦିନଟି ମଧ୍ୟ ଥିଲା ଶାନ୍ତ, ଶୀତଳ, ସ୍ନିଗ୍ଧ। ଦେଶର ଗ୍ରାମ, ନଗ୍ର,ଜନପଦ ସବୁଠାରେ ସୁନ୍ଦର ପ୍ରାକୃତିକ ପରିବେଶର ରାଜୁତି ଏବଂ କୃଷିକ୍ଷେତ୍ର, ବନାନୀ ସବୁଜିମା ଆଚ୍ଛାଦିତ। ଶାନ୍ତି, ମୈତ୍ରୀ, ବନ୍ଧୁତା, ସଂହତି ବିରାଜିତ ସବୁରି ହୃଦୟରେ, ନୃପତିଙ୍କ ଠାରୁ ସାଧାରଣ ପ୍ରଜା ପର୍ଯ୍ୟନ୍ତ। ବନସ୍ପତି ଶାନ୍ତ, ଜୀବନ ଚଳଚଞ୍ଚଳ। ସହୃଦୟତାର ସୁବର୍ଣ୍ଣ ଫାଶରେ ଆବଦ୍ଧ ନରନାରୀଗଣ।

ସେଦିନ ମଧ୍ୟ ଦିବସ ଅନ୍ତେ ଆକାଶରେ ବିଛୁରିତ ହେବାକୁ ଅପେକ୍ଷା ରଖିଥିଲେ ଅସ୍ତଗାମୀ ସୂର୍ଯ୍ୟଙ୍କର ରକ୍ତିମ ବର୍ଣ୍ଣଛଟା। ନୀଡ଼କୁ ଫେରି ଆସୁଥିବା ପକ୍ଷୀମାନଙ୍କର ସ୍ଵନରେ ଏକ ଅପୂର୍ବ ପରିବେଶ ଆଡ଼କୁ ଆଗେଇ ଆସୁଥିଲା ଅବନୀ! ଦୂରରୁ ଭାସି ଆସୁଥିଲା ଗୋଠ ଫେରନ୍ତା ଗୋମହିଷାଦି ପ୍ରାଣୀମାନଙ୍କର ଘଣ୍ଟି ଶବ୍ଦ ଅତି କ୍ଷୀଣରୁ କ୍ଷୀଣତର ହୋଇ। ଦିଗବଳୟ ହୋଇ ଉଠୁଥିଲା ଆହୁରି କମନୀୟ। ସନ୍ଧ୍ୟା ନଇଁ ଆସୁଥିଲା। ଅସ୍ତଗାମୀ ସୂର୍ଯ୍ୟଙ୍କର କମନୀୟ ବିଭା ସହ ଯେପରି ମିଶିମିଶି ଆସୁଥିଲା ସନ୍ଧ୍ୟାର ଅପୂର୍ବ କଳାଛିଟା ସହ ଉଦୀୟମାନ ଚନ୍ଦ୍ରର ସୌଖୀନ ଆଲୋକ!

ଏ ଦୃଶ୍ୟରେ ଜନପଦ ସ୍ତବ୍ଧ ! ନଗର, ଗ୍ରାମ ପୁଲକିତ! ପଥଚାରୀ ବିହ୍ଵଳିତ !କୌଣସି ନିର୍ଦ୍ଦିଷ୍ଟ ଶୁଭ ଲଗ୍ନର, ସୁଲକ୍ଷଣର,ସୁ ସମୟର ଭାବନାରେ ହାସ୍ୟମୟୀ ହୋଇ ଉଠୁଥିଲା ସମଗ୍ର ଅବନୀ। କ୍ଷେତର ସବୁଜ ଶିରୀ କିନ୍ତୁ ଟିକେ ଟିକେ ଫିକା ହୋଇ ଆସୁଥିଲା ଆସନ୍ନ ସନ୍ଧ୍ୟାର ଜ୍ୟୋସ୍ନା ମିଶ୍ରିତ କ୍ଷୀଣ କାଳିମାରେ।

ସବୁଆଡ଼େ ନୀରବତାର ରାଜୁତି, କେବଳ ରାଜପ୍ରାସାଦକୁ ବାଦ୍ ଦେଲେ। ନୃପତିଙ୍କ ରାଜଦରବାରରେ ଆତଯାତ ପାରିଷଦ ବର୍ଗ, କେତେକ ମୁଷ୍ଟିମେୟ ପ୍ରଜା। ମୃଦୁ କୋଳାହଳ ସହ ରାଜପ୍ରାସାଦ ଚଳଚଞ୍ଚଳ।

ମହାରାଜା ଚେତରାଜ ସିଂହାସନରେ ଅବିଚଳିତ ଭଙ୍ଗୀରେ ଅତ୍ୟନ୍ତ ଚିନ୍ତାମଗ୍ନ। ମଝିରେ ମଝିରେ ମନ୍ତ୍ରୀ ଅବା ପାରିଷଦଙ୍କର ଆଗମନରେ ନୀରବତା ଭଗ୍ନ ହେଉଥିଲେ ମଧ୍ୟ, ମହାରାଜା ଚେତରାଜଙ୍କ ଭାବନାରେ କୌଣସି ବ୍ୟତିକ୍ରମର ସୂଚନା ହିଁ ନାହିଁ।
  
ମହାରାଣୀ ପଦ୍ମିନୀ ତ ଅନେକ ଦୂରରେ ! ଶ୍ରୀକ୍ଷେତ୍ରର ବେଳାଭୂମି ଅଶୋକବନରେ ହୁଏତ ଚାହିଁ ରହିଥିବେ ମହାରାଜାଙ୍କ ଆଗମନ !

ଅତ୍ୟନ୍ତ ନୀରବତା ମଧ୍ୟରେ ମଝିରେ ମଝିରେ ଉଠି ରାଜଦରବାରରୁ ଶୟନକକ୍ଷ, ଅଭ୍ୟର୍ଥନା ପ୍ରକୋଷ୍ଠ, ରାଣୀମହଲ ଭିତରେ ପଦଚାରଣ କରୁ କରୁ ଭାସି ଉଠୁଛି ଯେପରି ନରେନ୍ଦ୍ର ଚେତରାଜଙ୍କ ମନରେ ଅପରାଜିତା ମନ୍ତ୍ରରେ ଜୈନଦେବୀ ରାଜଲକ୍ଷ୍ମୀଙ୍କୁ ସନ୍ତୁଷ୍ଟ କରିବାର ସ୍ମୃତି, ଅଷ୍ଟବିଦ୍ୟା ସାଧନା, ଜୈନ ଦେବୀ ଅଜିତବଳାଙ୍କ ଠାରୁ ପ୍ରାପ୍ତ ସିଦ୍ଧିଲାଭ କଥା।

ପୁଣି ରାଜବୈଦ୍ୟଙ୍କ ନିର୍ଦ୍ଦେଶ କ୍ରମେ ଶ୍ରୀକ୍ଷେତ୍ରର ସମୁଦ୍ରକୂଳସ୍ଥ ଅଶୋକବନରେ ପ୍ରାସାଦ ନିର୍ମାଣ କରି ଦାରୁବ୍ରହ୍ମଙ୍କ କରୁଣା ଓ ଜୈନ ଅର୍ହତଗଣଙ୍କ ଆଶୀର୍ବାଦ ଭିକ୍ଷା !

ନରେନ୍ଦ୍ର ଚେତରାଜ ବ୍ୟସ୍ତ ଓ ବିବ୍ରତ ! ନାଁ, ଏହା କ୍ଷତ୍ରିୟ ଧର୍ମର ପରିପନ୍ଥୀ ନୁହେଁ ତ ? ତଥାପି ସେ ରକ୍ତ ମାଂସ ଧାରୀ ମଣିଷ। ଯେଉଁ ମଣିଷ ବି ଖୋଜେ ପିତୃତ୍ଵର ସନ୍ଧାନ। ସେ ମହା ଶକ୍ତିଶାଳୀ , ଗୌରବମୟ ଚେଦୀବଂଶର ଦାୟାଦ ହୋଇପାରନ୍ତି, ତଥାପି ସେ ମଣିଷ, ସୃଷ୍ଟିରେ ଅମୃତର ସନ୍ତାନ !

ସନ୍ଧ୍ୟା ଅନେକ ବେଳୁ ଅପସରି ଗଲାଣି। ଏବେ ରାତ୍ରିର ପ୍ରହର ପରେ ପ୍ରହରକୁ ହିଁ ଅପେକ୍ଷା କରିବାକୁ ହେବ। ପୂର୍ବ ଦିବସର ସ୍ଵତନ୍ତ୍ର ଅଶ୍ଵାରୋହୀ ଦୂତର ଉକ୍ତି ବାରମ୍ବାର ଧ୍ଵନିତ ହେଉଛି – “ମହାରାଜ ! ପାଟମହାଦେଇ ଆସନ୍ନ ପ୍ରସବା। ଆପଣଙ୍କ ଦର୍ଶନାର୍ଥେ ଅପେକ୍ଷା ରଖିଛନ୍ତି।” 
  
ରାତ୍ରିର ପ୍ରହର ସବୁ ଶେଷ ହୋଇ ଆସୁଛି। ଆକାଶରେ ପ୍ରଭାତୀ ତାରା ଉଇଁ ଆସି ସୂଚନା ଦେଉଛି ଏକ ନୂଆ ସକାଳର। ରାଜପ୍ରାସାଦ ଉପରେ ପକ୍ଷୀମାନଙ୍କ କାକଳି।ମନ୍ଦ ମନ୍ଦ ସମୀରଣର ସ୍ପର୍ଶ ଆହୁରି ରୋମାଞ୍ଚିତ, ପୁଲକିତ କରୁଛି ଧରାକୁ। ନିକଟସ୍ଥ ନଦୀର କୁଳୁକୁଳୁ ଶବ୍ଦ ସହ ଜୈନ ଭିକ୍ଷୁମାନଙ୍କର ସମୂହ ପ୍ରାର୍ଥନାର ସ୍ଵର ଧିରେଧିରେ ଯେମିତି ଘୋଷଣା କରୁଛି ଏକ ମଙ୍ଗଳମୟ ମୂହୁର୍ତ୍ତ ! ନଗ୍ରର ନିଦୁଆ ଆଖି ଯେମିତି ଦେଖିବାକୁ ବ୍ୟଗ୍ର ହୋଇଆସୁଛି ରାତ୍ରି ଓ ଦିବସ  ସଂଧିକ୍ଷଣର ଶୋଭା !

ସମସ୍ତ ନୀରବତାକୁ ଭଙ୍ଗ କରି ମହାରାଜାଙ୍କ କର୍ଣ୍ଣରେ ହଠାତ୍ ଧ୍ଵନିତ ହେଲା କୌଣସି ଏକ ପରିଚାରିକାର ସମ୍ଭ୍ରମଭରା ବାଣୀ –” ମହାରାଜ ! କୌଣସି ଏକ ଦୂତ ଛାମୁଙ୍କ ପ୍ରତୀକ୍ଷାରେ।”

ବିନିଦ୍ର ରଜନୀ ଟିଏ ପୁହେଇ ଦେଇଥିବା କଳିଙ୍ଗାଧିପତି ବ୍ୟସ୍ତ ହୋଇ ନିର୍ଦ୍ଦେଶ ଦେଲେ, ଦୂତଙ୍କୁ ତାଙ୍କ ନିକଟରେ ଉପସ୍ଥିତ କରାଇବା ପାଇଁ।

କଳିଙ୍ଗାଧିପତି ଚେଦୀବଂଶୀୟ ମହାରାଜ ଚେତରାଜ ସିଂହାସନରେ ଉପବିଷ୍ଟ ହୁଅନ୍ତେ ସହାସ୍ୟ ବଦନରେ ଦୂତ ପ୍ରକାଶିଲେ – “ମଣିମା ! ରାତ୍ରିର ଚତୁର୍ଥ ପ୍ରହରରେ ମହାରାଣୀ କଳିଙ୍ଗ ରାଜ୍ୟ ପାଇଁ ଉପହାର ଦେଇଛନ୍ତି ସୁନ୍ଦର ରାଜକୁମାର।”

ଦୂରରୁ ମାଙ୍ଗଳିକ ଶଙ୍ଖ ଧ୍ୱନି ନିର୍ଘୋଷ କରୁଥିଲା ଏକ ମଙ୍ଗଳମୟ ପ୍ରଭାତ। ପ୍ରସନ୍ନ ଚିତ୍ତରେ ସମ୍ରାଟ ଚେତରାଜ ଘୋଷଣା କଲେ – “କ୍ଷାର ଯୁକ୍ତ ସାଗର ବେଳାଭୂମି ପାର୍ଶ୍ଵସ୍ଥ ଅଶୋକ ବନର ପ୍ରାସାଦରେ ଧରାବତରଣ କରିଛନ୍ତି, କଳିଙ୍ଗର ଭାବୀ ସମ୍ରାଟ କ୍ଷାରବେଳ ।”

Aira Kharavela Kharabela Kalinga

© Niranjan Sahu

 

Spread the love
admin

Recent Posts

ନୟାଗଡ଼ର ମା’ ମଙ୍ଗଳା

~ ନୟାଗଡ଼ର ମା' ମଙ୍ଗଳା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶା ପ୍ରସିଦ୍ଧ କାକଟପୁର ଅଧିଷ୍ଠାତ୍ରୀ ଦେବୀ ମା'…

2 weeks ago

ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନ

ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ନୟାଗଡ଼ ପ୍ରଜାମଣ୍ଡଳ ଆନ୍ଦୋଳନର କଥା ଉଠିଲେ ସାଧାରଣତଃ ଆମ ମନରେ…

2 weeks ago

ନୟାଗଡ଼ର ମା’ ଦକ୍ଷିଣକାଳୀ

~ ନୟାଗଡ଼ର ମା' ଦକ୍ଷିଣକାଳୀ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ  କାହିଁ କେଉଁ ଆଦି ଅନାଦି କାଳରୁ ଏହି…

3 weeks ago

ରଳବଗଡ଼

~ ରଳବଗଡ଼ ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ନୟାଗଡ଼ ଇତିହାସର ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଯାହା ନୟାଗଡ଼ ଇତିହାସରେ…

3 weeks ago

ନୟାଗଡ଼ର ରାମଲୀଳା ପରମ୍ପରା

~ ନୟାଗଡ଼ର ରାମଲୀଳା ପରମ୍ପରା ~ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ଓଡ଼ିଶାର ମଠସଂସ୍କୃତି ଅନୁସାରେ ମଠମାନଙ୍କର ଆରାଧ୍ୟ ଦେବତା ସାଧାରଣତଃ…

3 weeks ago

ଖଣ୍ଡପଡ଼ା ଗଡ଼

ଖଣ୍ଡପଡ଼ା ଗଡ଼ ଉପସ୍ଥାପନା: ପ୍ରଶାନ୍ତ କୁମାର ଦାସ ତତ୍କାଳୀନ ରାଜାରାଜୁଡ଼ା ସମୟରେ ଓଡ଼ିଶାର ଗଡଜାତ ରାଜ୍ୟଗୁଡ଼ିକ ନିଜ ନିଜ ରାଜ୍ୟ…

3 weeks ago