ଲେଖା: ନିରଞ୍ଜନ ସାହୁ
ମହାଭାଗ ଆଜ୍ଞା,
ସାଷ୍ଟାଙ୍ଗ ଦଣ୍ଡବତ ପ୍ରଣାମ।
କୋଟିଏ ନୁହେଁ କେତେ କୋଟି। କାହାକୁ କେମିତି ଏମିତି ଭାବ ଲାଗିବ କେଜାଣି। ଆମ ମନକୁ ତ ଧସେଇ ପଶିଛି, ଏକୁ ଏଡେ଼ଇବାକୁ ଆମର ଜୁ ନାହିଁ। କେମିତି ଏମିତି ଏ ଭାବ ନ ଆସିବ ଯେ ? ରାଜବଂଶୀୟ, ଜମିଦାର ଘରର ପିଲା ଆପଣ। ପିତା, ଜମିଦାର ଇନ୍ଦ୍ରଜିତ ସାମନ୍ତସିଂହାରଙ୍କ ଐଶ୍ୱର୍ଯ୍ୟ ଓ ସମ୍ପତ୍ତି ସତ୍ତ୍ଵେ ବଂଶରକ୍ଷା ପାଇଁ କୁଳକୁ କୋଳକୁ ସନ୍ତାନଟିଏ ପ୍ରଭୁ ଦେଲେନି। ଟଙ୍କା ପଇସା କ’ଣ ହେବ ? ଗୋଟି ଗୋଟି କରି ଆଠ ପତ୍ନୀ ପିତା ଗ୍ରହଣ କଲେ। ଶେଷରେ ଜଣେ ସାଧୁଙ୍କ ପରାମର୍ଶରେ ପୁତ୍ର କାମନା କରି ଯଜ୍ଞ କଲେ। ସେଦିନ ରାତିରେ ରାଣୀ ତୁଳସୀଙ୍କୁ ପୁତ୍ର ସନ୍ତାନ ଜନ୍ମର ସ୍ଵପ୍ନାଦେଶ ହେଲା। ସତରେ ରାଣୀ ତୁଳସୀଙ୍କ ଗର୍ଭ ଆପଣ ମଣ୍ଡନ କଲେ, କୁଳରକ୍ଷା କଲେନି ତ ସାତପୁରୁଷ, ବୁନିଆଦିକୁ ଅମର କରିଦେଲେ। ଉଦ୍ଧାର କରିଦେଲେ। ଜମିଦାରୀ ରକ୍ଷଣା ବେକ୍ଷଣ, ପ୍ରତିପତ୍ତି ଜାହିରରେ ବୁନିଆଦିକୁ କୋଉ ବିଶ୍ଵ ଆଗରେ ଭଲ ପାଇ ପାରିଥାଆନ୍ତେ ?
ଆପଣ ବି ପିଲାବେଳୁ ଭିନ୍ନ ମନସ୍କ ଥିଲେ। ଜମିଦାରଙ୍କ ଏକମାତ୍ର ପୁଅ ଭାବେ ଭୋଗବିଳାସର ମହାସମୁଦ୍ରରେ ଆପଣ ବୁଡ଼ ମାରୁଥିଲେ ବି ମନ ସେଥିରେ ଲାଗୁ ନଥିଲା। ଦେଖୁନାହାନ୍ତି, ବୁଦ୍ଧ ବି ତ ରାଜାପୁଅ ଥିଲେ, ସୁନ୍ଦରୀ ସ୍ତ୍ରୀ ବିବାହ କରିଥିଲେ, କୋଳକୁ ପୁତ୍ର ସନ୍ତାନଟିଏ ବି ଆସିଥିଲା। କାହିଁ ତାଙ୍କ ମନ କୋଉ ରାଜଗାଦିକୁ ଧଇଲା । ସବୁ ଛାଡ଼ି ‘ଭିକ୍ଷୁ’ ରୂପ ହୋଇଗଲେ। ସତରେ ବି ଲେଖା ଯାଇଛି,
“ଯେ ଅଟେ ଜଗତଜନର ମନନୟନ ତାରା,
ଅପ୍ରକଟ ହୋଇ ରହିବା ପାଇଁ କାହିଁ ତା ଚାରା ?”
ଆପଣ ବିବାହ କଲେ ଜମିଦାର କନ୍ୟା ସୁନ୍ଦରୀ ବିମଳା ଦେବୀଙ୍କୁ । ଆପଣଙ୍କ ଔରସରୁ ଦୁଇ ପୁତ୍ର ରାମକୃଷ୍ଣ ଓ ରଘୁନାଥ ଜନ୍ମ ନେଲେ। ହେଲେ ସଂସାର କୋଉ ଆପଣଙ୍କୁ ବାନ୍ଧି ରଖିଲା ? ନ ବର୍ଷ ବୟସରୁ ଜଣେ ବୈଷ୍ଣବ ସାଧୁଙ୍କୁ ପୂଜା କରି ତାଙ୍କ ଠାରୁ ରାଧାକୃଷ୍ଣ ମନ୍ତ୍ରପ୍ରାପ୍ତ ହେଇଥିଲେ। ସେହି ମନ୍ତ୍ର ଜପ ବେଳେ ସ୍ଵପ୍ନାଦିତ୍ୟ ହୋଇ ଶ୍ରୀମନ୍ଦିର ବେଢାରେ ଲକ୍ଷେଥର କୃଷ୍ଣ ନାମ ଜପ କରିଥିଲେ ଆପଣ। ମା ଲକ୍ଷ୍ମୀଙ୍କ ବେକରୁ ପିନ୍ଧାମାଳମାନ ଖସିପଡ଼ିଲା, ତାହା ତ ସେବକମାନଙ୍କୁ ତଟସ୍ଥ କରିଦେଲା। ଆପଣ ସିଦ୍ଧି ପ୍ରାପ୍ତ ହୋଇଛନ୍ତି, ଏକଥା ସଭିଙ୍କୁ ଗୋଚର ହୋଇଗଲା। ସେହି ମାଳାକୁ ବେକରେ ପକାଇ ଘରକୁ ଫେରିଲେ। ଜଣେ ସାଧୁଙ୍କ ଠାରୁ ମନ୍ତ୍ର ପାଇ, ତାକୁ ଜପୁ ଜପୁ ସମାଧିସ୍ଥ ହେଲେ ଓ ରାଧାକୃଷ୍ଣ ଦର୍ଶନ ଲାଭ କଲେ। ତାପରେ କବିତାର ଧାରା ପ୍ଲାବିତ କରିଦେଲା ଜନପ୍ରାଣକୁ, ମନକୁ।
ରସକଳା, ରସବତୀ, ସୁଲକ୍ଷଣା, ପ୍ରେମଚିନ୍ତାମଣି, ବିଦଗ୍ଧଚିନ୍ତାମଣି ରଚନା କରି ଆପଣ ଏ ଭାଷାକୁ, ସଂସ୍କୃତି ଓ ଭାବକୁ ବିଶ୍ଵବ୍ୟାପୀ ପ୍ରାଣମୟ କରିଦେଇଛନ୍ତି। ଆପଣ ଗୌଡୀୟ ବୈଷ୍ଣବ ହୋଇଥିବାରୁ ଲେଖାମାନ ମୂଖ୍ୟତଃ ରାଧାକୃଷ୍ଣ ପ୍ରେମ ଉପରେ ଆଧାରିତ। ବୃନ୍ଦାବନରେ ଶେଷଜୀବନ କଟାଇବା ପାଇଁ ଆପଣ ଘରୁ ସିନା ବାହାରିଗଲେ, ବାଟ ଆଗକୁ ସହିଲାନି। ଘରୁ ରାଧାକୃଷ୍ଣ ଯୁଗଳ ମୂର୍ତ୍ତି ମଗାଗଲା। ସେଇଠି ତାଙ୍କୁ ଦର୍ଶନ ପରେ ଆପଣ ବାହୁଡିଲେ ନିତ୍ୟ ସ୍ଥଳୀକୁ, ଆପଣଙ୍କ ପ୍ରଭୁ ରାଧାକୃଷ୍ଣଙ୍କ ପାଖୁ ।
୧୭୫୭ ମାଘ ସପ୍ତମୀ ଦିନ ଜନ୍ମ ହୋଇ ମାତ୍ର ସତାବନବର୍ଷ ବୟସରେ ରଜସଂକ୍ରାନ୍ତି ତିଥିରେ ପରଲୋକ ପ୍ରାପ୍ତି ହେଲେ ଆପଣ। ଝୁରି ହେଉଥିଲେ କୃଷ୍ଣଙ୍କୁ ରାଧାଙ୍କ ଭଳି, ସେଇଥିପାଇଁ ଲେଖିଥିଲେ ରାଧାଙ୍କ ନାଁରେ —
“ଧୀରେ ରାଧା କର ଧରି କହୁଛନ୍ତି ଦୂତୀକୁ,
ଜୀବନ ଯିବାରେ ଲଗାଇଛୁ ପ୍ରାଣ ମତିକୁ
ଦୂତୀ ଗୋ ପ୍ରାଣ ବନ୍ଧୁଙ୍କୁ କହ ଯାଇ ଏତିକି,
ଦୀକ୍ଷା ଧରିଛନ୍ତି ପରା ନାରୀମରା ନୀତିକୁ।”
Image: Amrita Samal & Social Media
© Niranjan Sahu
Spread the love
admin

Recent Posts

ଓଗାଳ

~ ଗୋପାଳଙ୍କ ଓଗାଳ ~ ଲେଖା: ନିରଞ୍ଜନ ସାହୁ ଆଜି ପବିତ୍ର ଫଗୁଦଶମୀ। ପୁରପଲ୍ଲୀ ଉତ୍ସବ ମୁଖର। ନନ୍ଦସୁତ କହ୍ନାଇ…

3 weeks ago

ଜଳଖିଆ

~ ଜଳଖିଆ ~ ଲେଖା: ଡ. ଜୟଶ୍ରୀ ନନ୍ଦ ଯେଉଁ ସ୍ଥାନକୁ ସ୍ବୟଂ ବିଷ୍ଣୁ ଭୋଜନ ପାଇଁ ବାଛିଥିଲେ ସେ…

1 month ago

ଉଠ କଙ୍କାଳ

~ ଉଠ କଙ୍କାଳ ରଚନାର ପୃଷ୍ଠଭୂମି ~ ଉପସ୍ଥାପନା: ଦେଵ ତ୍ରିପାଠୀ "ଉଠ କଙ୍କାଳ, ଛିଡ଼ୁ ଶୃଙ୍ଖଳ, ଜାଗ ଦୁର୍ବଳ…

1 month ago

ହାତଖଣ୍ଡି ଗୌରାଙ୍ଗ ଦାସ

~ କୃଷକ ଆନ୍ଦୋଳନର ଅଧିନେତା ଗୌରାଙ୍ଗ ଦାସ ଓରଫ୍ ହାତଖଣ୍ଡି ଗୌରାଙ୍ଗ ଦାସ ~ ଲେଖା: ନିରଞ୍ଜନ ସାହୁ ଅନ୍ୟାୟ, ଅସତ୍ୟ ବିରୁଦ୍ଧରେ…

2 months ago

ଭକ୍ତକବି ମଧୁସୂଦନ ରାଓ

~ ଭକ୍ତକବି ମଧୁସୂଦନ ରାଓ ~ ଲେଖା: ଶୁଭ ରଞ୍ଜନ ପୃଷ୍ଟି ଆଜି ଯଦି ଆମେ ଓଡ଼ିଆ କହୁଛେ, ଓଡ଼ିଆ…

2 months ago

ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ

~ ସାହିତ୍ୟଭାସ୍କର ଡ. ମାୟାଧର ମାନସିଂହ: ଜଣେ ବିଚିତ୍ରବର୍ଣ୍ଣା ତୂଳୀକାର ~ ଲେଖା: ନିରଞ୍ଜନ ସାହୁ ଉନ୍ନବିଂଶ ଶତାବ୍ଦୀର ମଧ୍ୟ…

2 months ago