ଲେଖା: ଶୁଭ ରଞ୍ଜନ ପୃଷ୍ଟି
~ ଆମ ଲୋକସାହିତ୍ୟ ~
“ଆ ଜହ୍ନ ମାମୁଁ ଶରଦଶଶୀ
ମୋ କୁନା ହାତରେ ପଡ଼ ତୁ ଖସି . . “,
ମା’ର ପିଲାକୁ କୋଳରେ ଝୁଲେଇ ଜହ୍ନ ଦେଖେଇ ଖୋଇଦେବାର ଦୃଶ୍ୟ ! ଆହା ! ଏଥିରେ ମା’ର ମମତା ଯେତିକି ପରିଦୃଶ୍ୟ, ଜହ୍ନକୁ ନେଇ ତାର ଅତ୍ମୀୟତାର ନାନ୍ଦନିକତା ସେତିକି ପରିଭାସ୍ବ। ହଁ, ଏବକୁ ମା’ ହାତରେ ସେ ସମୟ ନାହିଁ କି ମା’ର ସେ ସ୍ପୃହା ବି ନାହିଁ ! କେତେ ବଦଳିଯାଇଛି ସମୟ ସତରେ ! ସମୟ ସହ ତାଳଦେଇ ଆମେ ହଜାଇ ଦେଇଛେ ଆମ ଜୀବନର ଅସଲ ମଧୁରତା !
ଆସ୍ତେ ଆସ୍ତେ ଓଡ଼ିଆଣୀ ମା’ମାନେ ଏମିତି ଶିଶୁ ମନଭୁଲାଣିଆ ନାନାବାୟା ଗୀତ ସବୁ ପାଶୋରି ଦେଲେଣି ! ଏସବୁର ସ୍ଥାନ ନେଇଛି ଆଜିର Nursery Rhyme ! ଯଦିଓ ଇଂରାଜୀରେ ଆକ୍ଷରିକ ଅର୍ଥରେ ଏ ପ୍ରକାର ଗୀତର ନାମ ଏୟା, କିନ୍ତୁ ଆଜିକାର କୋମଳମତି ଛୁଆଙ୍କ ତୁଣ୍ଡରୁ ଏସବୁ Rhyme ଶୁଣି ଶୁଣି ଅଭିଭାବକ ଓ ଶିକ୍ଷକ ଯେତେ ଆତ୍ମଶାନ୍ତି ଲଭୁଥାଇ ପାରନ୍ତି, କିନ୍ତୁ ସେ ବେଳର ମା’ କୋଳରେ ଶିଶୁଟିଏ ନାନାବାୟା ଗୀତ ଶୁଣୁଥିବା ଆଉ ଶିଶୁର ଦରୋଟି ଓଠର ସେ ହସର ଦୃଶ୍ୟର ମୋହରୁ ବଞ୍ଚିତ ଆଜିର ମା’ ! ଆଜିର ଦୁନିଆଁ !
ଅଥଚ ଆମେ କେବେ ନିଜକୁ ମୁକୁଳାଇ ପାରୁ ନ ଥିଲୁ ସେ ଦୃଶ୍ୟର ମୋହରୁ . . ! ଏବେ ବି ଆମେ ହଜିଯାଉ ପିଲାଦିନର ସେଇ ଅଭୁଲା ସ୍ମୃତିରେ . . ! ଅନ୍ତରଙ୍ଗ କଳିଙ୍ଗର ଏମତି କେହି ସଭ୍ୟ ନ ଥିବେ ଯିଏ ମା’ ଜେଜେମା, ଖୁଡ଼ି ଦେଠେଇ ଅବା ଆଈ ମାଉସୀ ଠାରୁ ଶୁଣି ନ ଥିବେ ଏମତି କିଛି ପଦ . .
“ଦେ କମାର ଦେ ଦା’
କାଟେ ଘାସ,
ଖାଉ କାଳୀଗାଈ ଦେଉ ଦୁଧ,
ଖାଉ ମିରିଗ ଦେଉ ଶିଙ୍ଗ,
ଖୋଳେ ମାଟି,
ଗଢୁ କୁମ୍ଭାର କଳସ ଗୋଟି,
କାଢେ ପାଣି, ଧୁଏ ଥଣ୍ଟ,
ଧାଇଁ ଧାଇଁ ଖାଏ #କଲୁରୀବେଣ୍ଟ . . ” ।
କୁନିପିଲା ମାନେ କାନ୍ଦିଲେ କି ଅଝଟ ହେଲେ ସେମାନଙ୍କୁ ଚୁପ କରିବା କେବେହେଲେ କଷ୍ଟ ହେଉ ନ ଥିଲା ଓଡ଼ିଆଣୀ ମା’ ମାନଙ୍କୁ ! “ଧୋ ରେ ବାଇଆ ଧୋ, ଯେଉଁ କିଆରିରେ ଗହଳ ମଣ୍ଡିଆ ସେଇ କିଆରିରେ ଶୋ . . “ ବା “ଆ ରେ ଆରେ କୋକମିନା ତୁ” ପରି କେତେ ନାନାବାୟା ଗୀତ ଗାଇ ଗାଇ ମା’ମାନେ ପିଲାଙ୍କୁ ଶୁଆଇପକାନ୍ତି। ଅଲଗା ସମୟରେ ପିଲାକୁ ହସାଇବା, କୌତୁକ କରିବା ପାଇଁ ମା’ମାନେ ଏମିତି କେତେ ଗୀତ ଗାଇଥାନ୍ତି । ହାତୀ, ବେଙ୍ଗ, #ଟୁଉକୁମୁଷି, #କୋକମିନା, ମାଛ, #ବାଇଚଢେଇ, କାଳିଆ ବଳଦ ଇତ୍ୟାଦିଙ୍କ ନାମରେ କେତେ ଗୀତ ଜାଣୁଥିଲେ ଆମ ମା’ ମାଉସୀ, ଖୁଡ଼ି, ଦେଠେଇ, ଆଈ, ଜେଜେମା ମାନେ !
ଗୀତ ଶୁଣାଇବା ଫଳରେ ଶିଶୁ ଖୁସିହୁଏ, ଅଝଟ ଶିଶୁ ଶାନ୍ତ ହୁଏ ଓ କାନ୍ଦୁଥିବା ଶିଶୁର କାନ୍ଦ ବନ୍ଦ ହୋଇଯାଏ ! କେତେ ସରଳ ଏ ଗୀତଗୁଡ଼ିକ ! କେତେ ମନ ଭୂଲାଣିଆ ଏ ସବୁ ଗୀତର ଶବ୍ଦ ସଂଯୋଜନା ! ତେବେ ଶିଶୁଟି କଣ ବୁଝିପାରେ ଏ ସବୁ ଗୀତ ? ହୁଏତ ବୁଝିବାର ଆବଶ୍ୟକତା ପଡ଼େନା ! ମା’ର ମମତାରେ ସିକ୍ତ ଏ ଗୀତର ଶବ୍ଦମାନେ ହୋଇଥା’ନ୍ତି ମଧୁର ରସମୟ, ଲଳିତ ! ମା’ ସ୍ନେହ ଆଉ ସ୍ୱରର ଅମୃତମୟ ପ୍ରଭାବରେ ଶୋଇପଡ଼େ ଶିଶୁ !
‘‘ଆ ଜହ୍ନମାମୁଁ ସରଗଶଶୀ’’ ଗୀତ ଗାଇ ଅଝଟ ପିଲାର ଦୁଇ ହାତକୁ ଜହ୍ନ ଆଡ଼କୁ ବଢ଼ାଇଦେଲେ ଶିଶୁର ଅଝଟପଣିଆ ଦୂରେଇଯାଏ ! ପୁଣି ପିଲାଙ୍କୁ ହସାଇବା ପାଇଁ ମା’ ଟିଏ ବୋଲେ ”କାଳିଆ ବଳଦ ଗଲା ରେ’’ ଗୀତ ! ଛୁଆଙ୍କୁ ଖେଳାଇବା ପାଇଁ ସେଇ ମା’ ପୁଣି ବୋଲେ ‘‘ଟୁଉକୁମୂଷି’’ ଗୀତ ! ପୁଣି ଶିଶୁପୁଅ ପାଇଁ ଗୀତ ତ ଶିଶୁକନ୍ୟା ପାଇଁ ଗୀତ ! ଅଧିକ ଛୁଆ ଥିଲେ ସେମାନଙ୍କ ପାଇଁ ଅଲଗା ଗୀତ !
ଆମ ମା’ ମାଉସୀମାନେ କି ଜଣେ ଜଣେ କବି ଥିଲେ ? ନା ପିଢ଼ି ପରେ ପିଢ଼ି ଶୁଣି ଶୁଣି ମନେରଖି ଅବା ତୁଣ୍ଡରୁ ତୁଣ୍ଡକୁ ପ୍ରସାରିତ ଓ ପରିବ୍ୟାପ୍ତ ହେଉଥିଲା ଏ ସବୁ #ଲୋକଗୀତ ? ଆଉ ଅପାଠୋଈ ମା’ ଟିଏ ବି ତ ମନେ ରଖିପାରୁଥିଲା ଏ ସବୁ ଗୀତ ! ନିର୍ଭୁଲ ଭାବେ !
ଓଡ଼ିଆଣୀ ମା’ଟି ପାଇଁ ଆମ ଭାଷାରେ ଏମିତି ଅଛି ଅସୁମାରୀ ଅଲିଖିତ ନାନାବାୟା ଗୀତ ! ଆମ ଲୋକସାହିତ୍ୟ ଭଣ୍ଡାରର ଏକ ସ୍ବତନ୍ତ୍ର ଓ ଅମୂଲ୍ୟ ସମ୍ପଦ ସେସବୁ ! ଆମ ସାହିତ୍ୟର କୋମଳ ଓ କମନୀୟ ଦିଗ ! ଅତି ସାଧାରଣ ଲାଗୁଥିବା ଏଇ ପଦଗୁଡ଼ିକ କିନ୍ତୁ ଦିନେ ଥିଲା ଆମର ଉତ୍ତର ଦାୟାଦ ମାନଙ୍କର ପ୍ରଥମ ପାଠଶାଳା ! ଏହାରି ମାଧ୍ୟମରେ ପିଲାଟି ପରିଚିତ ହେଉଥିଲା ପରିବାର ସହିତ, ଦୁନିଆ ସହିତ ! ଅଜାଣତରେ ଶିଖି ଯାଉଥିଲା ଅନେକ କଥା !
ଆମ ମାଟିରେ ଥିଲେ କେଇ ଜଣ ଯୋଗଜନ୍ମା ସାଧକ, ସେହି କୁନିମୁନି ପିଲାଙ୍କ ପାଇଁ ସାଉଁଟି ସାଉଁଟି ରଖି ଦେଇଗଲେ କେତେ କେତେ ନାନାବାୟା ଗୀତସବୁକୁ ! ବିଶିଷ୍ଟ ସାହିତ୍ୟିକ #ଗୋପାଳଚନ୍ଦ୍ର_ପ୍ରହରାଜ ଆଉ #ପଲ୍ଲୀକବି #ନନ୍ଦକିଶୋର_ବଳ !
ଆଜିକା ବେପାରୀ ସଂସ୍କୃତି ଆଉ ଏକକ ପରିବାର ଅବା ନିଃସଙ୍ଗ ପରିବେଶ ପାଇଁ ଏ ସବୁ ମଧୁର ଗୀତ ସବୁ ଆଜି ଅଲୋଡ଼ା ହୋଇଯାଇଛି ସତ, ତେବେ ଓଡ଼ିଆ ଜାତି ଚିରଋଣୀ ରହିବ ଏଇ ମହାନ ସାଧକଦ୍ଵୟଙ୍କ ନିକଟରେ, ଆମ ଲୋକସାହିତ୍ୟ ପ୍ରତି ତାଙ୍କର ଅମୁଲ୍ୟ ଅବଦାନ ପାଇଁ ! !