କବି ଗୁରୁପ୍ରସାଦ ମହାନ୍ତି

ଲେଖା: ଅମୃତେଶ ଖଟୁଆ
ଓଡ଼ିଆ ସାହିତ୍ୟର ସବୁଜ ଯୁଗ ପରିଯନ୍ତେ ଆସିଛି ଆଧୁନିକ ସାହିତ୍ୟର ଏକ ବିଶିଷ୍ଟ ଯୁଗ। କବି ସୌଭାଗ୍ୟ କୁମାର ମିଶ୍ର, କବି ଦୁର୍ଗାମାଧବ ମିଶ୍ର, କବି ଜ୍ଞାନୀନ୍ଦ୍ର ବର୍ମା, କବି ଗୁରୁପ୍ରସାଦ ମହାନ୍ତି, କବି ଜାନକୀବଲ୍ଲଭ ମହାନ୍ତି (ଭରଦ୍ଵାଜ), କବି ଶ୍ରୀନିବାସ ଉଦ୍ଗାତାଙ୍କ ଭଳି ସାଧକଙ୍କ ଆବିର୍ଭାବ ହୁଏ।
“ଚମ୍ପାଫୁଲ ହାତେ ଧରି ମନାସିଲା ଯାଦୁକରୀ ଥରେ
ପଥର ପାଲଟି ହେଲା ରଜାପୁଅ, ହାଡ଼ସବୁ ହେଲା ମୁକ୍ତାଫୁଲ
ରଜାଝିଅ ବେଣୀଫୁଲ ଖସିଗଲା ସୁଏ ସୁଏ ଭାସି
ଗୋଟିଏ ଫୁଲରେ ପୁଣି ହେଲା କୋଟି ମଣିଷର ମୂଲ।
ଚମ୍ପାଫୁଲ ମହକରେ ଏଡେ ସେ ଯେ ଦାରୁଣ କୁହୁକ
ରକ୍ତେ ଯାଏ ନିଆଁ ଲାଗି, ଛାତି ଆଉ ନିଃଶ୍ଵାସରେ ନିଆଁ
ଛାତି ଆଉ ନିଶ୍ଵାସରେ ନିଆଁ ସେ ଯେ
ଦେହେ ଦେହେ ବିଜୁଳି ଚମକ।
ବିଜୁଳି ଚମକ ସେ ଯେ ବଣ ନିଆଁ, ସବୁଯାଏ ଛିନ୍ନଭିନ୍ନ ହୋଇ
ପୃଥିବୀ ଛାତିରେ ଲୋଟି ପୋଡିଯାଏ ଜଳିଯାଏ ସବୁ
ମାଂସ ଫୁଟେ ଫୁଲ ହୋଇ ମନେ ପଡେ ରୋମାଞ୍ଚରେ ଶୋଇ।”
(“ଚମ୍ପାଫୁଲ” କବିତା)
ଦର୍ଶନ ଓ ବିଜ୍ଞାନ କ୍ଷେତ୍ରରେ ତଥ୍ୟ ଓ ବିଷୟର ଗୁରୁତ୍ଵ ଓ ବୈଚିତ୍ର୍ୟ କାଳେ କାଳେ ସ୍ଵୀକୃତ ହୋଇଛି, ଭବିଷ୍ୟତରେ ହେବ ମଧ୍ୟ। ହେଲେ, କବିତାର ସୌନ୍ଦର୍ଯ୍ୟବୋଧ ଓ ଅସ୍ଥିର ସରସତା କ୍ବଚିତ୍ ଏହାର ଗୌରବାବହକୁ କ୍ଷୁଣ୍ଣ କରିନି। ମୂଲ୍ୟବୋଧରେ କିନ୍ତୁ ହୁଏ ଘନ ଘନ ପରିବର୍ତ୍ତନ।
ବିଶିଷ୍ଟ ଦାର୍ଶନିକ ତଥା ସାହିତ୍ୟ ସମାଲୋଚକ Arthur Schopenhauer ନିଜ ପୁସ୍ତକ “On Authorship”ରେ ଉଲ୍ଲେଖ କରନ୍ତି ଯେ ଏହି ମନୋଭାବ କୌଣସି କାରୁକାର୍ଯ୍ୟମୟ ପାତ୍ରର ଗଠନସୁଷମା ଓ ରଙ୍ଗବୈଚିତ୍ର୍ୟକୁ ଉପେକ୍ଷା କରି ତାହାର ଉପାଦାନ ମୃତ୍ତିକା ପ୍ରତି ଆକୃଷ୍ଟ ହେବା ପରି ଏକ ନିର୍ବୋଧ ବ୍ୟାପାର।
ହେଲେ ଓଡ଼ିଆ ସାହିତ୍ୟରେ ଅତ୍ୟାଧୁନିକ ଯୁଗର ଆରମ୍ଭ ହେବାବେଳକୁ ଇଲିୟଟ୍, ସେଲିଙ୍କ ଭଳି ବିଶ୍ଵବିଦିତ ଦାର୍ଶନିକ କବିମାନଙ୍କ ଦର୍ଶନର ଉପପାଦ୍ଯ ଆଧୁନିକ ସାହିତ୍ୟରେ ପ୍ରଭାବ ପରିଲକ୍ଷିତ କରାଏ। କାବ୍ୟ ବିଚାର କ୍ଷେତ୍ରରେ ଆଙ୍ଗିକ ଅଥବା ଗଠନସୁଷମା ଅପେକ୍ଷା କାବ୍ୟରେ କବିର ତତ୍ତ୍ଵଦର୍ଶନ ସହ ତଦବହିତ କାବ୍ୟିକ ସାର୍ଥକତା ବିଶେଷ ଲୋଭନୀୟ ହୋଇ ଉଠେ। ଏହି କ୍ଷେତ୍ରରେ ବିଶେଷ ଗୌରବ ପାଇଥିଲେ କବି ଗୁରୁପ୍ରସାଦ ମହାନ୍ତି !
କାବ୍ୟର ଚମତ୍କାରିତା କ୍ଷେତ୍ରରେ ଏବଂ ସାଂସାରିକ ଜନଜୀବନ ବ୍ୟତିରେକ ଏକ ରମଣୀୟତା ଅଥବା ଲୋକୋତ୍ତର ଯେଉଁଠି ଆନନ୍ଦମୟ ଜ୍ଞାନ – ତାହା ଏକ ବିଶେଷ ବସ୍ତୁ ବା ବିଷୟ ଘେନି ଫୁଟି ଉଠେ। ଓଡ଼ିଆ ସାହିତ୍ୟର ସବୁଜ ଯୁଗ ପରିଯନ୍ତେ ଆସିଛି ଆଧୁନିକ ସାହିତ୍ୟର ଏକ ବିଶିଷ୍ଟ ଯୁଗ। କବି ସୌଭାଗ୍ୟ କୁମାର ମିଶ୍ର, କବି ଦୁର୍ଗାମାଧବ ମିଶ୍ର, କବି ଜ୍ଞାନୀନ୍ଦ୍ର ବର୍ମା, କବି ଗୁରୁପ୍ରସାଦ ମହାନ୍ତି, କବି ଜାନକୀବଲ୍ଲଭ ମହାନ୍ତି (ଭରଦ୍ଵାଜ), କବି ଶ୍ରୀନିବାସ ଉଦ୍ଗାତାଙ୍କ ଭଳି ସାଧକଙ୍କ ଆବିର୍ଭାବ ହୁଏ।
ବିଂଶ ଶତାବ୍ଦୀର ଷଷ୍ଠ ଦଶକରୁ ଆରମ୍ଭ ହେଇଥିବା କବିଙ୍କ ଲେଖନୀ ଅନେକଙ୍କୁ ବିସ୍ମିତ କରିଛି। ଅତି ଅଳ୍ପ କୃତୀତ୍ଵ ସତ୍ତ୍ଵେ ନିଜ ଉଚ୍ଚକୋଟୀର କାବ୍ଯକଳ୍ପ ଦ୍ଵାରା ଓଡ଼ିଆ ସାହିତ୍ୟରେ ଗୁରୁପ୍ରସାଦଙ୍କ ଭଳି କବିରୂପକ ଜଣେ କମନୀୟ ସର୍ଜନାକାରଙ୍କ ପଟାନ୍ତର ଦିଶେନି। ତାଙ୍କ ପାଖେ ‘ଚମ୍ପାଫୁଲ’ ହୁଏ ପ୍ରେମରେ ଏକ ଦେହାତୀତ ରୋମାଞ୍ଚ, ‘ଅକ୍ରୁର’ ଆଦିମ ପୁରୁଷ ପରମାତ୍ମାଙ୍କ ପ୍ରତୀକ ଭାବେ ଗ୍ରହଣ କରି ଆଜି ମଧ୍ୟ ସେହି ଚିରନ୍ତନ ଅନ୍ଵେଷଣ ଜାରି ରହିଛି। ସୃଷ୍ଟି ହୁଏ ଅନିୟମ୍ୟ ଜିଜ୍ଞାସା !
୧୯୨୪ ମସିହାରେ କଟକ ଜିଲ୍ଲାର ନାଗବାଲି ଠାରେ ଶ୍ରୀରାମ ମହାନ୍ତି ତଥା ମାତା କୃଷ୍ଣପ୍ରିୟା ଦେବୀଙ୍କ କୋଳମଣ୍ଡନ କରିଥିଲେ କବି ଗୁରୁପ୍ରସାଦ ମହାନ୍ତି। ସେ ପ୍ରଖ୍ଯାତ ଔପନ୍ୟାସିକ ଗୋପୀନାଥ ମହାନ୍ତିଙ୍କ ପୁତୁରା ଥିଲେ। ବାରିପଦା ହାଇସ୍କୁଲରେ ପଢୁଥିଲା ବେଳେ ପ୍ରଧାନଶିକ୍ଷକ ଦୈତ୍ୟାରି ବାରିକ ଏବଂ ଇଂରେଜୀ ଶିକ୍ଷକ ରାମକୃଷ୍ଣ ନନ୍ଦଙ୍କ ଦ୍ଵାରା ଅନୁପ୍ରେରିତ ହୋଇ ସାରସ୍ଵତ ସାଧନାର ଆରମ୍ଭ କରନ୍ତି। ତାଙ୍କ ସାରସ୍ଵତ ସାଧନା ବେଶ୍ ସ୍ଵଳ୍ପକାଳୀନ ହେଲେ ମଧ୍ଯ ଓଡ଼ିଆ ଆଧୁନିକ କାବ୍ୟରେ ଏକ ଯୁଗାନ୍ତକାରୀ ଅଧ୍ଯାୟ।
ରେଭେନ୍ସା ମହାବିଦ୍ୟାଳୟରେ ବି.ଏ. ପଢୁଥିବା ସମୟରେ କିଶୋରୀ ଚରଣ ଦାସଙ୍କ ସହ ଘନିଷ୍ଠ ମୈତ୍ରୀ ସ୍ଥାପନ ହୁଏ। ସେହି ଠାବେ ମଧ୍ଯ ନିଜ ସାରସ୍ଵତ ଶୈଳୀରେ ମୈତ୍ରୀ କିପରି ଏକୀଭୂତ ଓ ଏକାତ୍ମ କରିଛନ୍ତି ତାହା ରୋଚକ। ପ୍ରତ୍ୟହ କାବ୍ୟ ଆଦାନପ୍ରଦାନ ଫଳରେ ଦୁହିଁଙ୍କ ବନ୍ଧୁତ୍ଵ ବହୁତ ଦୃଢ ରହେ। ଏହା ପରେ ଉତ୍କଳ ବିଶ୍ଵବିଦ୍ୟାଳୟରେ ଏମ୍.ଏ. ଅଧ୍ୟୟନ ପରେ ଅଧ୍ଯାପନା ବୃତ୍ତିକୁ ଆପଣାଇଛନ୍ତି। ଆଉ ତାଙ୍କ ସର୍ଜନାକାର ଜୀବନ ଆରମ୍ଭ ହୁଏ ରେଭେନ୍ସା କଲେଜର ତାରୁଣ୍ୟରୁ।
୧୯୫୫ ମସିହାରେ ଭାନୁଜୀ ରାଓଙ୍କ ସହ ନିଜର ପ୍ରଥମ ଯୁଗ୍ମ କାବ୍ୟ ସଙ୍କଳନ ପ୍ରକାଶ କରେଇଥିଲେ, ଯାହାର ନାମ ଥିଲା “ନୂତନ କବିତା”। ଗୁରୁପ୍ରସାଦଙ୍କର ଏଥିରେ ସମୁଦାୟ ନଅଟି କବିତା ରହିଛି। ଏହା ପୂର୍ବରୁ “ରାଧାନାଥ ରାୟଭକ୍ତକବି ମଧୁସୂଦନ ରାଓ“ଙ୍କ ଯୁଗ୍ମ କାବ୍ୟଗ୍ରନ୍ଥ ଥିଲା “କବିତାବଳୀ”। ଗୁରୁପ୍ରସାଦଙ୍କ “ପ୍ରିୟ ବାନ୍ଧବୀ”, “ଗୋବର ଗଣେଶ”, “ଆଖିର କପୋତ ମୋର”, “ଚମ୍ପାଫୁଲ” , “ଚିଠି”, “ଅଳକା ସାନ୍ଯାଲ୍” “ନିହତ ଗୋଧୂଳି” ସ୍ଥାନ ପାଇଛି।
ଏକ ଅପାଂକ୍ତେୟ ବସ୍ତୁରେ ଗଠିତ ଏହି ଗଣେଶ ବିଗ୍ରହ, ନିଜକୁ ଯେତେ ବୁଦ୍ଧିଜୀବୀ ବୋଲି ଚିନ୍ତା କଲେ ମଧ୍ୟ ଯେ ଅନ୍ତଃସାରଶୂନ୍ୟ, ଅବାଞ୍ଛିତ ଗୋବର ପିଣ୍ଡୁଳା – ଏଥିରେ ପୁନଶ୍ଚ ପ୍ରତିଫଳିତ ଆଧୁନିକ ଜୀବନର ଅବଗୁଣ୍ଠନ ତଳେ ଲୁକ୍କାୟିତ ଅଭାବବୋଧ ଓ ନିଃସାରତା ସ୍ପଷ୍ଟ। ଏହି କବିତା ଇଂରାଜୀ କବି ଟି.ଏସ୍. ଏଲିଅଟ୍’ଙ୍କ ରଚିତ “The Love Song of J. Alfred Prufrock” କବିତାର ଆଦର୍ଶରେ ଗଢା। ହେଲେ ଏଲିଅଟଙ୍କ ସବୁ ଥାଇ କିଛି ନଥିବାର ନିଃସାରତା, କିନ୍ତୁ, ଗୁରୁପ୍ରସାଦଙ୍କ ହେଲା କିଛି ଥାଇ କିଛି ନ ଥିବାର –
“ଏ ଛାତି ଭିତରେ ମୋର ନିଃଶ୍ବାସରେ ଶ୍ଵାସ ପ୍ରଣାଳୀରେ
ମସ୍ତିଷ୍କ ଭିତରେ ମୋର ସବୁ ସୁଅ ସବୁ ଚେତନାରେ
ରହିଯାଏ ଅଭାବ ତଥାପି
ଝଡ଼ର ଓ ତୋଫାନର ବସନ୍ତରେ କୋଇଲି ଡାକର
ବିବର୍ଣ୍ଣ ବେଳାର ଢେଉ ଏ ମନରେ ଗୋଟିଏ ପ୍ରଶ୍ନର।”
(“ଗୋବର ଗଣେଶ”, ସଙ୍କଳନ – “ନୂତନ କବିତା”।)
To roll it towards some overwhelming question,
To say: “I am Lazarus, come from the dead,
Come back to tell you all, I shall tell you all”—
If one, settling a pillow by her head
Should say:
“That is not what I meant at all;
That is not it, at all.”
(“The Love Song of J. Alfred Prufrock”)
କବିର ସଂଶୟାକୀର୍ଣ୍ଣ ମନର ସେହି ନିରର୍ଥକତା ଅସ୍ଥିମଜ୍ଜାଗତ ହେଲା କ୍ଷଣି ଜିଜ୍ଞାସା ମନର ପ୍ରତି ଗଳିକନ୍ଦିରେ ଯେପରି ଦାନା ବାନ୍ଧି ବସେ। ବ୍ୟକ୍ତି ମାନସିକତା ସହ ସମାଜର ବିରୋଧାଭାସ ଏଠାରେ ଏକ ସଫଳ ରୂପାୟନ ପାଇଛି। ସ୍ନିଗ୍ଧ ଅନୁଚିନ୍ତା ତଳେ ଜୈବିକ କ୍ଷୁଧାର ପରିତୃପ୍ତିକୁ ଭୀତ ଚକିତ କରୁଥିବା ସାମାଜିକ ଆଦର୍ଶ ହୁଏ ଏଠାରେ ଏକ Contrast! ମଣିଷର ଅନ୍ତର୍ଗତ ଅରାଜିପଣ ପ୍ରବୃତ୍ତି ନୈତିକତାକୁ ବାଦ୍ ଦେବା ପାଇଁ ମଧ୍ୟ ଆଗୁଁସାର ହେଇପାରେ –
“ମୁଁ ପଢିଛି ଉପନ୍ୟାସ, ମୁଁ ପଢିଛି ଇଂରାଜୀ ନାଟକ
ମୁଁ ଜାଣିଛି ଏ ରକ୍ତରେ ଶୋଇଥାଏ ଆଦିମ ଅସଭ୍ୟ
ମୁଁ ଜାଣିଛି ହଜିଥିବା ରୁମାଲରୁ ଛୁରୀ ଉଠେ ରକ୍ତମୁହାଁ ହୋଇ
ମୁଁ ଜାଣିଛି ବାଘ, ଭାଲୁ, ନଖ ଆଉ ଦାନ୍ତର ବିଚାର,”
ଯାହା ହେଉ, କବି ଗୁରୁପ୍ରସାଦ ମହାନ୍ତି ଉତ୍ତର-ଆଧୁନିକ ପିଢିର ଜଣେ ପ୍ରତିଷ୍ଠିତ କବି ଥିଲେ, ଏଥିରେ ଦ୍ଵିରୁକ୍ତି ହେବନି। କାବ୍ୟିକତାରେ ରୋମାଣ୍ଟିକ ବାସ୍ତବତାକୁ ଅବଲମ୍ବନ କରି ହୋଇଥିଲା ଗତିଶୀଳ। ବ୍ୟଞ୍ଜନା କରିଲା ମଧ୍ୟରେ ତାଙ୍କର ବିଦ୍ରୂପ ବା Irony ଆଦିର ଆଙ୍ଗିକ ବ୍ୟବହାର ଏକ ଚମତ୍କାରିତା ମଧ୍ୟ କାବ୍ୟର ଉପଜୀବ୍ୟକୁ ପ୍ରଦାନ କରେ। ଚିତ୍ରକଳ୍ପ ସହ ତାଙ୍କ କବିତାରେ ମାନବର ତ୍ରୁଟିଗ୍ରାହ୍ୟ ସହୃଦୟତା ବାସ୍ତବତା ପର୍ଯ୍ୟନ୍ତ ପ୍ରସାରିତ ହୋଇପାରି ବାସ୍ତବ ପ୍ରତି ତାଙ୍କର ଗ୍ରହଣୀୟତା ପ୍ରତିଭାତ ହୁଏ।
ଏହା ପରେ ବିଭିନ୍ନ ସରକାରୀ କଲେଜରେ ତାଙ୍କର ଅଧ୍ୟାପନା କରନ୍ତି। ଆଉ ତହିଁ ମଧ୍ୟରେ ଦୀର୍ଘ ଛ’ ଦଶନ୍ଧିର ସାରସ୍ଵତ ରସସମ୍ଵେଦୀ ଆବେଦନ ଓ ଭାରତୀୟ ଶୈଳୀକଳ୍ପକୁ ଏକ ସମନ୍ଵିତ ଭାବଧାରାରେ ଆଙ୍ଗିକ କରିବାରେ ସେ ଥିଲେ ଅଗ୍ରମାନ୍ୟ। ପ୍ରୟୋଗଗତ ନୂତନତା ଓ ଗୁଣାତ୍ମକ ଉତ୍କୃଷ୍ଟତା ସର୍ବାଦୌ ଚର୍ଚ୍ଚିତ ଓ ମାନ୍ୟତାପ୍ରାପ୍ତ।
ଶବ୍ଦର ସୁକୁମାର ପୁଞ୍ଜିରେ ସୁଶ୍ରୀ ଓ ସୁଠାମ କାବ୍ୟକଳା ଅନ୍ତର୍ଗତ ଭାବର ଖାଲି ଭାଷାର ଝୋଟିରେ ହୃଦୟର କାନ୍ଥକୁ ସୁନ୍ଦର କରି ସଜେଇ ଦିଏ। ସେହି ଝୋଟିର ବସ୍ତୁତଃ ସୌନ୍ଦର୍ଯ୍ୟ ସର୍ବଦା ଆତ୍ମିକ ହେଲେ ରୂପକଳ୍ପରେ ସର୍ଜନାକ୍ଷମ ଲେଖନୀକୁ କରେ ଆହୁରି କାନ୍ତିମୟ। ପ୍ରାକ୍-ସ୍ଵାଧୀନତା କାଳରେ ‘ସହକାର’, ‘ଉତ୍କଳ ସାହିତ୍ୟ’ ଇତ୍ୟାଦି ପତ୍ରିକାରେ ତାଙ୍କର ପ୍ରକାଶିତ କବିତାଗୁଡିକରେ ବିଶେଷତଃ ସବୁଜ ସାହିତ୍ୟର ପ୍ରଭାବ ସ୍ପଷ୍ଟ ପ୍ରତିଭାତ। ସେଥିପାଇଁ ତାଙ୍କ କାବ୍ଯର ବହିରାଗତ ଭାବନାର ଅନ୍ତର ତଳେ ଅନୁଭୂତିର ଏକାନ୍ତ ବାସ୍ତବତା ଝଟକେ।
ଆଧୁନିକ ଓଡ଼ିଆ କାବ୍ୟ ସାହିତ୍ୟ ଥିଲା ପ୍ରଥମତଃ ଏକ ପ୍ରୟୋଗବାଦୀ ଧାରା। ଯୁଦ୍ଧୋତ୍ତର ସମାଜର ଭଗ୍ନ ମେରୁଦଣ୍ଡ ପ୍ରତି ଦୃଷ୍ଟି ପଡେ। ତେଣୁ, କାବ୍ୟର ରୂପାୟନ ହୋଇଛି ଜୀବନର ବାସ୍ତବତା ସହ ଚଳନ୍ତି ସଭ୍ୟତାର ଉଭୟ ଆତ୍ମିକ ଓ ଆଙ୍ଗିକ ଦିଗକୁ ବେଶ୍ ନିଖୁଣ ଭାବରେ ଦର୍ଶାଇଛନ୍ତି। କବି ଗୁରୁପ୍ରସାଦଙ୍କ ପୂର୍ବୋକ୍ତ ଆଧୁନିକ କବିତା କ୍ଷେତ୍ରରେ ଯେତେ ମିଥ୍-ଧର୍ମୀ ସ୍ଵାଭାବିକ ଭାବେ ବ୍ଯବହୃତ ହୋଇଛି, ସେସବୁ ମୁଖ୍ୟତଃ ପ୍ରତୀକାତ୍ମକ ବା ଏକ ଚିତ୍ରକଳ୍ପ ସୃଷ୍ଟି କରିବା ପାଇଁ ଉଦ୍ଦିଷ୍ଟ। ହେଲେ, ମିଥ୍ ତଳେ ବାସ୍ତବତାକୁ ଦେଖିଛନ୍ତି ସେ “ଅକ୍ରୁର ଉବାଚ” କବିତାରେ –
“ତୁମେ ମୋର ଏ ଦେହର ଚିରନ୍ତନ
ଏ ଯାତ୍ରାର ଧୂସର କ୍ଲାନ୍ତିରୁ
ଆଜି କଣ ମୁକ୍ତି ଦେବ ସମୟ
ଓ ସମୟର ସଂଗ୍ରାମ ଓ ରକ୍ତପାତ ଠାରୁ ?
ତୁମେ ଯଦି ମୁକ୍ତି ଦିଅ ମତେ ଆଜି
ମୋ ଦେହର ପୁନର୍ବାର ଦ୍ଵିରୁକ୍ତି ଭିତରୁ ।
ସାରଥିର ସାର୍ଥକତା ହୁଏତ ଆଜିର
ଏହି ଯାତ୍ରାରେ ମୋ ତୁମର ସହିତ
ହୁଏତ ବା ସାର୍ଥକତା ତୁମର ହାତର ଶଙ୍ଖଚକ୍ର ଚିହ୍ନ ତଳେ
କିନ୍ତୁ ମୋର ବହୁ ଜନ୍ମ ଜନ୍ମାନ୍ତର କାମ କ୍ରୋଧ
ଲୋଭ ମୋହ ଜରାମୃତ୍ୟୁ ପର..”
ଦେହର ଅର୍ଗଳି ଡେଇଁ ଜୀବନବୋଧର ମୁକ୍ତି ଓ ସମୟର ଏ ଯୁଦ୍ଧୋତ୍ତର କ୍ଷେତ୍ରରେ ଗ୍ଳାନିଚୟରୁ ଦରକାର ବିରାମ। ଅନ୍ୟ ଏକ ପିପାସାରତ ମନ ଯେତେବେଳେ ଯୁଦ୍ଧୋତ୍ତର ଗ୍ଳାନି ଓ ସଂଘର୍ଷରୁ ବିରାମ ବାଞ୍ଛା କରେ, ସେତେବେଳେ ଏକ ଅନୁଭୂତି ମଧ୍ୟରେ ସଂଘଟିତ ପ୍ରଶ୍ନବାଚୀ ତା’ର ବିଷଣ୍ଣତାକୁ ଆହୁରି କରୁଥାଏ ଭାରାକ୍ରାନ୍ତ, କଣ ଏ ଧୂସରିତ କ୍ଳାନ୍ତି ଛଳରେ ଏ ଦୁନିଆର ଓ ସମୟର ସଂଗ୍ରାମରୁ ମୁକୁଳିପାରିବା ? କଣ ଦେହର ଯାତ୍ରା ପରେ ଏ ଗ୍ଳାନିକୁ ବିଧିର ନିଷ୍ଠୁରତା ନିହାତି ମାନିବା ଦରକାର ?
କାବ୍ଯ କବିତାର ଯେଉଁ ମିଥ୍-ଧର୍ମିତା ଏହି ବାସ୍ତବତା-ପ୍ରବୃତ୍ତ ସ୍ଵରୂପର ଆଗରେ କ୍ଷୀୟମାନ, ଆଉ ଉଦିତ ହୋଇଛି ଏକ ନୂତନ ସମୀକୃତ ଦୃଷ୍ଟିଭଙ୍ଗୀ। ବ୍ୟଞ୍ଜନାଧର୍ମୀ କାବ୍ୟ ଗୁରୁପ୍ରସାଦଙ୍କ କ୍ଷେତ୍ରରେ ଅପେକ୍ଷାକୃତ ଥିଲା ତୀବ୍ର। ଏହାର କାରଣ ବୋଧହୁଏ ଏଇଆ ଯେ ଗୁରୁପ୍ରସାଦ ତାଙ୍କର ପ୍ରାୟ ସମସ୍ତ କବିତାରେ ଏଲିଅଟଙ୍କ ଚେତନାକୁ ବିଧିବଦ୍ଧ ଭାବେ ପ୍ରତିଷ୍ଠା କରିବା ପାଇଁ ଚେଷ୍ଟା କରିଥିଲେ। ଗୁରୁପ୍ରସାଦଙ୍କ ଚିତ୍ରକଳ୍ପ ବ୍ୟବହାର ସେଥିପାଇଁ ଖୁବ୍ ସୀମିତ କୃତୀତ୍ଵ ପରିସର ମଧ୍ୟରେ ରହିଯାଏ। ଏଲିଅଟଙ୍କ ପ୍ରଭାବ ଥିଲା ତାଙ୍କ କାବ୍ୟରେ ସ୍ପଷ୍ଟ।
ତାଙ୍କ କାବ୍ୟରେ ସାଂସ୍କୃତିକ ସଙ୍କଟର ଚିତ୍ରଣ ମଧ୍ୟ ବିଶେଷ ଭାବରେ ଦେଖିବାକୁ ମିଳେ। ଅଧ୍ୟାତ୍ମ-ଅନ୍ଵେଷଣ ମଧ୍ୟରେ ଆଧୁନିକତାକୁ ଭାରତୀୟ କାବ୍ୟଶୈଳୀରେ ଏକ ରୂପାଙ୍ଗିକ ଅଧ୍ୟାୟ ସୃଷ୍ଟି କରି କବି ଗୁରୁପ୍ରସାଦ ମହାନ୍ତି ଆଜି ବି ଓଡ଼ିଆ ସାହିତ୍ୟରେ ଆଧୁନିକୋତ୍ତର ଉପପାଦ୍ଯ ପାଇଁ ମଧ୍ୟ ଅମ୍ଳାନ ଆଦର୍ଶ ଦେଇଛନ୍ତି। ଜୀବନର ଭିଡ଼ ଭିତରେ ଏକାତ୍ମ ଚିନ୍ତନ ସହ ଉତ୍ତରପିଢି ପର୍ଯ୍ୟନ୍ତ ଗୋଟିଏ ଧାରା ହୋଇ ଛୁଇଁଯାଇଛି। ତାଙ୍କର ‘ଚମ୍ପାଫୁଲ’ କବିତା ତହିଁରେ ଏକ ଦୃଷ୍ଟାନ୍ତ।
ଓଡ଼ିଶାର ମୌଳିକ “କାଞ୍ଚନବତୀ ଉପାଖ୍ୟାନ”ରେ କାଞ୍ଚନବତୀର କଞ୍ଚ ନେଇ ଗଛରେ କାଞ୍ଚନ ଫୁଲ ହୋଇ ଫୁଟିବା, ଚମାରୁଣୀ ଝିଅ ଗଳ୍ପରେ ରଜାଝିଅର କଇଁଫୁଲ ହୋଇ ଫୁଟିବା ଓ ପୁଣି ମା’କୁ ଦେଖି ସୁନାନାକୀ ଝିଅରେ ରୂପାନ୍ତରିତ ହେବାର ଦୃଷ୍ଟାନ୍ତ ତାଙ୍କ କାବ୍ଯର ଉପପାଦ୍ୟରୁ ସ୍ପଷ୍ଟ ଦିଶେ। ଏହି ‘ଚମ୍ପାଫୁଲ’ କବିତାରେ ଏହି ମିଥ୍-ଧର୍ମିତା ଅପେକ୍ଷା ଲୋକ-ସଂସ୍କୃତି ବିଶେଷ ଆବେଗର ସହ ଆଗତ ହୁଏ –
“ଚମ୍ପାଫୁଲ ମହକରେ ବାଟ ଭୁଲି ସମୁଦ୍ରର ଢେଉ
ଆସିଥିଲା କୂଳ ଡେଇଁ ଶୁଖିଥିଲା ଭରାନଈ ଛାତି,
ପଥର ତରଳି ଥିଲା, ମଶାଣିର ଭୂତପ୍ରେତ ଛାଡି
ରଜବତୀ କନ୍ୟା ଲାଗି ଯୋଗୀ ଥିଲା ମଦନରେ ମାତି।”
ତାନ୍ତ୍ରିକ ସାଧନାରେ ବର୍ଣ୍ଣିତ ‘ଅଘଟନ-ଘଟନ-ପଟ୍ଟୀୟସୀ
‘ଚମ୍ପାଫୁଲ’ ଏକ ନିଷ୍ପ୍ରାଣ ପାଷାଣ ପ୍ରତିମାରୁ ଉଜ୍ଜୀବନ ପାଇଛି। ପ୍ରଣୟ-ମେଦୁର ଲଗ୍ନରେ ବ୍ୟକ୍ତିର ଚେତନା କୂଳ ଲଂଘିଛି। ଲୋକ-ସଂସ୍କୃତିର ଏହି ପୁଷ୍ପ ପରିସ୍ଫୁଟ ବିଭାବକୁ ଅବଦମିତ ଯୌବନର ଆବେଦନରେ ନିଖୁଣ ଭାବରେ ସେ ଚିତ୍ରିତ କରିଛନ୍ତି। ଆଉ ବିଶେଷ କରି ତାଙ୍କର ଏହି କାବ୍ଯର କାବ୍ୟିକ ସଫଳତା ତାଙ୍କ କାବ୍ୟର ରୂପକଳ୍ପକୁ ବିଶେଷ ଭାବରେ ଶ୍ରେୟ ପ୍ରଦାନ କରେ।
ସନେଟ୍ ଲେଖିବାରେ ମଧ୍ୟ କବି ଗୁରୁପ୍ରସାଦ ମହାନ୍ତି ଥିଲେ ବିଶେଷ ନିପୁଣ। ତାଙ୍କର ଏହି ‘ଚମ୍ପାଫୁଲ’ କବିତାଟି ‘ଅକ୍ଟୋଭ’ (ପ୍ରଥମ ଆଠ ଧାଡ଼ି) ଓ ‘ସିଷ୍ଟେଡ୍’ (ଶେଷ ଛଅ ଧାଡି) ଭାବରେ ଦୁଇଟି ଭାଗରେ ବିଭକ୍ତ। ପ୍ରାଚୀନ ସନେଟ୍ କୃତିମାନଙ୍କ ଅପେକ୍ଷା ଏଥିରେ କବିର ବୌଦ୍ଧିକ ବିଚାର ଭାବର ଛନ୍ଦୋଦ୍ଭବ ସହ ପରିଲକ୍ଷିତ ହୁଏ। ସନେଟର ଭାବଧାରା କାବ୍ୟିକ, କବିକୈନ୍ଦ୍ରିକ ମନସ୍ତତ୍ତ୍ଵକୁ ଲକ୍ଷ୍ୟ କରି ଗଢି ଉଠେ, ଯାହାକି ଏହାର ରୂପଶୈଳୀ ଅପେକ୍ଷା ବିଶେଷ ଆଦୃତ ହୁଏ, ଯାହାକୁ ଏଲିଅଟ୍ ମଧ୍ୟ ନିଜ କାବ୍ୟରେ ଗୁରୁତ୍ବାରୋପ କରନ୍ତି।
ତାଙ୍କର କାବ୍ୟ ସଙ୍କଳନ ସବୁ ଥିଲା ‘ଆଶ୍ଚର୍ଯ୍ୟ ଅଭିସାର’ (୧୯୮୮) ଏବଂ ‘ସମୁଦ୍ରସ୍ନାନ’ (୧୯୭୦) । ‘ଆଶ୍ଚର୍ଯ୍ୟ ଅଭିସାର’ ସମୁଦାୟ ଅଠତିରିଶଟି କାବ୍ଯରେ ପୁଷ୍ଟ। ‘ହରେକୃଷ୍ଣ ଦାସ’ (୧ମ ଓ ୨ୟ) ‘ସମୁଦ୍ରସ୍ନାନ’ରୁ ଆନୀତ ହୋଇ ଏଥିରେ ସଂଯୋଜିତ ହୋଇଅଛି। ସେ ଥିଲେ ଉଭୟ ମାଟି ଓ ଆକାଶର କବି। ତାଙ୍କ କାବ୍ୟ ଚରିତ୍ର ପୁରୁଷାକାରର ଆସକ୍ତି ଡେଇଁ ଯାଇ ଅସୀମ ଆବିଳତା ଓ ଅନୁରକ୍ତିର ଗାଥାଗାନ କରିଛି। ‘ଆଶ୍ଚର୍ଯ୍ୟ ଅଭିସାର’ ତାଙ୍କ ସାଧାରଣ ଚଳନ୍ତିର ଉଦଗ୍ର ଜୀବନକୁ ବର୍ଣ୍ଣନା କରିଥିଲେ ମଧ୍ୟ ସେଥିରେ ଫୁଟିଉଠିଥିବା ନିଟୋଳ ଆତ୍ମୀୟତା ହୃଦୟଗ୍ରାହୀ।
‘ଆଖିର କପୋତ ମୋର’ ତାଙ୍କର ସେହିପରି ଏକ କବିତା। ଜରାବ୍ୟାଧି ମୃତ୍ୟୁ କବଳିତ ରୂପ-ରସ-ଗନ୍ଧର ଏଇ ଚିରନ୍ତନୀ ପୃଥିବୀକୁ ତାଙ୍କର ଆକାଶ ଓ ଦିଗନ୍ତ-ସନ୍ଧାନୀ କାବ୍ୟପୁରୁଷ ଆଖିର କପୋତ ହୋଇ ଫେରି ଆସିଛି। କବିଙ୍କ ରୂପମୁଗ୍ଧ ଦୃଷ୍ଟିଭଙ୍ଗୀ କେତେକାଂଶରେ ଭଞ୍ଜ ଓ ରାଧାନାଥଙ୍କ ସମଗୋତ୍ରୀୟ ହୋଇଥିଲେ ହେଁ ତାଙ୍କ କାବ୍ୟ ରଚନାର ଉନ୍ମେଷ କାଳରେ ବିଘଟିତ ମନ ଓ ଆତ୍ମାର ଅନ୍ଵେଷଣ ହୋଇଛି ପରବର୍ତ୍ତୀ କାଳରେ – ‘ସମୁଦ୍ର ସ୍ନାନ’ ମଧ୍ୟରେ। ସ୍ଵତଃସ୍ଫୁର୍ତ୍ତ କବିତାର ଉଜାଣି ଏହି ‘ସମୁଦ୍ର ସ୍ନାନ’ !
‘ସମୁଦ୍ର ସ୍ନାନ’ କାବ୍ୟଗ୍ରନ୍ଥ ମାଧ୍ୟମରେ ତାଙ୍କର ଶବ୍ଦସମୂହର ଏକ ଅଦ୍ଭୁତ ଆବେଗପ୍ରବଣତା ପରିଲକ୍ଷିତ ହୁଏ। ଆଉ ତହିଁରୁ କବିଙ୍କ ଦୀର୍ଘକବିତା “କାଳପୁରୁଷ” ପ୍ରଧାନ। ଟି.ଏସ୍. ଏଲିଅଟଙ୍କ “The Waste Land and Other Poems” ରୁ ଅନୁପ୍ରାଣିତ, ତାହା ସର୍ବଜନବିଦିତ। ସ୍ଥିତିବାଦୀ ଧର୍ମର ନାନ୍ଦୀକାର ଟି.ଏସ୍. ଏଲିଅଟଙ୍କ କେତୋଟି ପ୍ରସଙ୍ଗକୁ ବାଦ୍ ଦେଇଥିଲେ ମଧ୍ୟ ସ୍ଵୀୟ ମୌଳିକତାକୁ ନିବେଦିତ କରିବାରେ ସଫଳ ହୋଇଛନ୍ତି। ପାଶ୍ଚାତ୍ୟର ସମଧର୍ମା ଅନୁଭୂତିମାନଙ୍କୁ ସେ ଓଡ଼ିଆ ଭାଷାର ମୌଳିକତା ସହ ସ୍ଵାତନ୍ତ୍ର୍ୟ ଦେବାରେ ପ୍ରମୁଖ ଭୂମିକାରେ ଉତ୍ତୀର୍ଣ୍ଣ ହୁଅନ୍ତି।
ଏହି କାବ୍ଯନାଟିକାରେ ସନ୍ନିବେଶିତ କାବ୍ୟପ୍ରତିଭା, ବର୍ଣ୍ଣନା-କୌଶଳ, ଶୈଳୀ ସୌନ୍ଦର୍ଯ୍ୟ, ଶବ୍ଦକଳା, ଚିତ୍ରାଙ୍କନ, ପ୍ରତୀକୀ ସହ ତାଙ୍କ ‘ଆଶ୍ଚର୍ଯ୍ୟ ଅଭିସାର’ ସହ ଦିଶିଛି ଏକ ଦୀର୍ଘ ବ୍ୟବଧାନ – କାବ୍ଯିକ ଶୈଳୀକଳ୍ପର। ହେଲେ , ଅନୁଭୂତି ନଥିଲେ ଏହି ଭାବଧାରା ସ୍ଵତଃସ୍ଫୁର୍ତ୍ତ ମଧ୍ୟ ହୋଇ ପାରି ନଥାନ୍ତା। ନୀତି, ନିୟମ, ବ୍ୟକ୍ତିତ୍ଵ, ଶାରିରୀକ , ମାନସିକ , ଏପରିକି ପ୍ରତ୍ୟେକ କ୍ଷେତ୍ରରେ ସେ ବାଟ ହୁଡିଲେ ତା’ର ଯେପରି ମୃତ୍ୟୁ ନିଶ୍ଚିତ। କିନ୍ତୁ ଏ ମୃତ୍ଯୁରେ ଜନ୍ମ ଅଛି, ଯେଉଁ ଜନ୍ମ ତା ଜୀବନକୁ କରିପାରିଥାଏ ସଂଜ୍ଞାବାନ୍ ଆଉ ଜୀବନ ପାଏ ଗୋଟିଏ ଗତି ଆଉ ମୁକ୍ତି :-
“ନିଶବ୍ଦ ସମୟ ଗତି, ନିର୍ଜନତା ନିଃସଙ୍ଗତା
କେଉଁ ପରିସମାପ୍ତିରେ ?…….
ନିରର୍ଥକ ମୋ ସତ୍ତାର କହ କେବେ ନିଃସଙ୍ଗ ମୃତ୍ୟୁରେ?”
(“ଲ୍ୟାଣ୍ଡ୍ ସ୍କେପ୍”)
“ମହାଶୟ, ଆଜି ତେଣୁ ଏ ମୃତ୍ୟୁରେ କୌତୁହଳ ନାହିଁ
ଆଶା ନାହିଁ ଇପ୍ସା ନାହିଁ ― ପୁଣି ଏଠି ଫେରି ଆସି
ଏ ରାସ୍ତାର ବାରଲାଇଟ୍ କାର୍ ବସ୍ ସ୍କୁଟର୍ ଭିତରେ
ଝଡା ପତ୍ର ଗୀତ ହୋଇ ବହୁତ ଦେହର, ବହୁ ସ୍ପନ୍ଦନରେ
ମିଶିଯିବା ନାହିଁ।
ଏ ମୃତ୍ୟୁ କେବଳ ଠିକ୍ ସହରର
ସବୁ ଫ୍ୟୁଜ୍ ଅକସ୍ମାତ୍ ପୋଡିଗଲା ପରି
ଏ ମୃତ୍ୟୁ ବା କାହା ପାଇଁ ଚାକିରିରୁ
ଅକସ୍ମାତ୍ ଛୁଟି ନେଲା ପରି।”
(“ମୃତ୍ୟୁ”)
ଆଧୁନିକ ଓଡ଼ିଆ କବିତାର ଦ୍ଵିତୀୟ ପର୍ଯ୍ୟାୟରେ ଇଂରାଜୀ କବି ଏଲିଅଟଙ୍କ ପରୋକ୍ଷ ଓ ପ୍ରତ୍ୟକ୍ଷ ପ୍ରଭାବ ଅନସ୍ଵୀକାର୍ଯ୍ୟ। ତେବେ ଏଲିଅଟଙ୍କ କବିତାରେ ମଣିଷ ଜୀବନର ଦୟନୀୟତା ପ୍ରତି ଯେଉଁ କଟାକ୍ଷ ପରୋକ୍ଷ ଭାବରେ ରହିଛି, ତାହା ଆଧୁନିକ କବିତାରେ ସଚ୍ଚି ରାଉତରାୟଙ୍କ କାବ୍ୟ ଅଥବା ଗୁରୁପ୍ରସାଦ ଇତ୍ୟାଦିଙ୍କ କାବ୍ୟରେ ନାହିଁ। ତେଣୁ ଶୈଳୀ ଓ ଭାଷା ଦୃଷ୍ଟିରୁ ଯେତେ ପରୀକ୍ଷାଧର୍ମୀ ହେଲେ ମଧ୍ୟ, ଏମାନେ ସକଳେ ମଣିଷ ଜୀବନକୁ ମୂଲ୍ୟବୋଧ ଦେଇଛନ୍ତି, ହା ହୁତାଶ ଭିତରେ ମଣିଷ ପ୍ରତି ତାଙ୍କର ଶ୍ରଦ୍ଧା ଓ ସମ୍ବେଦନ ରହିଛି। ବ୍ୟକ୍ତି ଓ ବିଶ୍ଵର ସମ୍ପର୍କ ବିଶେଷ କ୍ଷୁଣ୍ଣ ହୋଇନାହିଁ।
“କାଳପୁରୁଷ” ଆଧୁନିକ ଓଡ଼ିଆ ସାହିତ୍ୟରେ ସେହିପରି ଏକ ସର୍ଜନା, ଯେଉଁଥିରେ ଏଲିଅଟଙ୍କ ପ୍ରତ୍ୟକ୍ଷ ପ୍ରଭାବ ପରିଦୃଷ୍ଟ ହୁଏ। ଭାରତୀୟ ସଂସ୍କୃତିର ଅନେକ ପ୍ରତୀକୀକୁ ଏଲିଅଟଙ୍କ ଚିନ୍ତନର ସାହଚର୍ଯ୍ୟରେ ଓଡ଼ିଆ ପାଠକଙ୍କ ସମ୍ମୁଖରେ ପରିବେଷଣ କରିଛନ୍ତି। ଗୁରୁପ୍ରସାଦଙ୍କ କାବ୍ୟ ଭାବନାରେ ଅନ୍ତର୍ନିହିତ ଅସ୍ତିତ୍ବବାଦୀ ଭାବନାର ପର୍ଯ୍ୟବେସନ ହୋଇଛି ଏହି “କାଳପୁରୁଷ” କବିତାରେ। ଆଦର୍ଶ ଓ ବାସ୍ତବ ମଧ୍ୟରେ ଥିବା ପାର୍ଥକ୍ୟକୁ ହୃଦୟଙ୍ଗମ କରିବାରେ କବିତ୍ଵ କେତେ ସଫଳ, କବିତାର ଆଙ୍ଗିକରୁ ସ୍ପଷ୍ଟ ଲକ୍ଷ୍ୟଣୀୟ –
“ଏ ବର୍ଷାରେ ଆଶା ଅଛି, ଆଶୀର୍ବାଦ ଅଛି
ସ୍ଵାସ୍ଥ୍ୟ ନୀରୋଗ ବିଶ୍ରାମ
ନିଘୋଡ଼ ଅନ୍ଧାର ତଳେ ଅଛି ବୁଢୀ ଅସୁରୁଣୀ
ଭୂତକଥା ବାଘକଥା ଅଛି, ବୁଢୀମାଆ
ଏ ବର୍ଷାର ଦେହ ତଳେ ଅଛି , ଅଛି ଧାନକ୍ଷେତ ଅଛି,
ଅଛି ଆମ୍ଵତୋଟା।”
ସେତେବେଳେ, ମାୟାଧର ମାନସିଂହ ଅନେକ ଆଧୁନିକ କାବ୍ୟର ତଥାକଥିତ ଗୁଣକୁ ଖୁବ୍ ସମାଲୋଚନା କରିବା ସହ ଆଡମ୍ଵରତା ଏବଂ ଅସାମାଜିକତାକୁ ଆରୋପ କରିଛନ୍ତି। ସେ ଲେଖିଲେ – “ଅଧ୍ଯାପକ ମହାନ୍ତିଙ୍କ ବିଦଗ୍ଧ ମତରେ ଜୀବନ ପ୍ରତି ଏହି ‘ନୂତନ’ ଦୃଷ୍ଟିକୋଣ, ବୋଧହୁଏ କେବଳ ଜାନ୍ତବ-ଯୌନ-କ୍ଷୁଧା ପ୍ରତି ଦୃଷ୍ଟିପାତ . . . . କିନ୍ତୁ, ଏହି ନକଲି ଏଲିଅଟ୍ ଓ ପାଉଣ୍ଡମାନଙ୍କର ଏସବୁ କବିତାରେ, ବାମପନ୍ଥୀମାନଙ୍କର ଭୂସ୍ବର୍ଗ ସ୍ବପ୍ନ ନାହିଁ . . . ଏସବୁ କବିତା କୌଣସି ଶ୍ରେଣୀର ହିଁ ନୁହନ୍ତି ଓ ଆଲୋଚନା ବାହାରର ଦ୍ରବ୍ୟ।”
ଏସବୁ ସମାଲୋଚନା ବ୍ୟତୀତ କବି ଗୁରୁପ୍ରସାଦ ମହାନ୍ତି “ନୂତନ-କବିତା”କୁ ଯଥେଷ୍ଟ ଦୃଷ୍ଟିପାତ କରି ଅନେକ ଦିଗରୁ ଅଭିନବ ରୂପେ ମଧ୍ୟ ଅଭିହିତ କରନ୍ତି। ଗୋଟିଏ ଦିଗରୁ ସେ ଆଧୁନିକ ଓଡ଼ିଆ କବିତା କ୍ଷେତ୍ରରେ ‘ନୂତନ କବିତା’ର ଗୁରୁତ୍ଵକୁ ସ୍ଵୀକୃତି ଦେଇଛନ୍ତି। ଏଲିଅଟଙ୍କ “unification of sensibility” ଓ “dissociation of sensibility” ମଧ୍ୟରେ ଯେତିକି ପ୍ରଭେଦ, ‘ନୂତନ କବିତା’ ଓ ଆଜିର ଓଡ଼ିଆ କବିତା ମଧ୍ୟରେ ଠିକ୍ ସେତିକି ପ୍ରଭେଦ। ଗୋଟିକୁ ଯଦି ପରିତ୍ଯାଗର କବିତା କୁହାଯିବ, ଅନ୍ୟଟି ସମନ୍ଵୟର କବିତା। ଏହି “ସମନ୍ଵୟକ୍ଷମ-ମାନସ” ‘ନୂତନ-କବିତା’ର ବଡ଼ କଥା।
ସମ୍ପ୍ରତି, ସମାଜର ଚଳନ୍ତି ସମୟ ସହ ହେଉଥିବା ଉଦଗ୍ର ଘଟଣାକ୍ରମ ତାଙ୍କ ଦ୍ଵାରା ନିଚ୍ଛକ ଯେ ଚିତ୍ରିତ, ତାହା ପାଠକ ଅନାୟାସରେ ଅନୁଗୃହୀତ କରିବେ। ଶବ୍ଦର ଛନ୍ଦ ମଧ୍ୟରେ ଭାବର ଆକର୍ଷଣୀୟ ଶୈଳୀ ତମାମ ପୃଥିବୀ ଓ ଆକାଶ ପର୍ଯ୍ୟନ୍ତ ଚାତୁର୍ଯ୍ୟ ଦିଶେ। ଏହି ଆହରଣଗତ ସମୀକରଣରେ ସେ ମାଟି ଓ ପରମ୍ପରାର ସ୍ପର୍ଶ ଏବଂ ବାସ୍ନା ଭରିଛନ୍ତି। ପ୍ରବୃତ୍ତିର ଭୀଷଣତା, ବିଷାଦବୋଧକୁ ପୀଡିତ ସମୟର ରୂପ, ସର୍ବୋପରି ପାଶ୍ଚାତ୍ୟ ଜଗତର ଛିନ୍ନମୂଳ ଅନିକେତ ମାନସିକତା ସହ ରୂପ ପାଇଛି। ଏହାର ଉଦାହରଣ ତାଙ୍କର “କାଳପୁରୁଷ” ଓ “ହରେକୃଷ୍ଣ ଦାସ”ରେ ବିଶେଷ ପରିଲକ୍ଷିତ ହୁଏ।
ଅନୁପ୍ରାସ-ପ୍ରବୃତ୍ତ ଶବ୍ଦ ସଂଯୋଜନା ତଥା ଦୃଶ୍ଯ ସମାବେଶରେ ପ୍ରତୀକଚୟନ ଓ ଗ୍ରାମ୍ୟ ଓଡିଶାର ମୂର୍ତ୍ତିମନ୍ତ ଅସ୍ତିତ୍ଵ ଶ୍ରୁତିସୁଭଗ ଓ ଆବେଗଧର୍ମୀ ହୋଇଛି। ତାଙ୍କର ସେହି ଚର୍ଚ୍ଚିତ କବିତାମାନଙ୍କ ମଧ୍ୟରେ “ହରେକୃଷ୍ଣ ଦାସ” ଓ “କାଳପୁରୁଷ” ତାତ୍କାଳିକ ଭାରତୀୟ ସାମାଜିକତାର ବାସ୍ତବତାକୁ ରୂପ ଦିଏ। କାଳବୋଧ, ପାପ-ସଚେତନତା ଓ ଅମଙ୍ଗଳ ମଧ୍ୟରେ କାବ୍ୟର ଉତ୍କୀର୍ଣ୍ଣ ବର୍ଣ୍ଣନା-ପାଟବ ପାଇଁ କାବ୍ୟର ଏକ ଅଭୀଷ୍ଟ-ସୁଭଗ ଚିନ୍ତନ ସତତ କ୍ରିୟାଶୀଳ। ପାଶ୍ଚାତ୍ୟର ସ୍ଥିତିବାଦୀ କାବ୍ୟାଦର୍ଶ ଓ ଭାରତୀୟତା ମଧ୍ୟରେ ଏକ ସଂଯୋଗ ତାଙ୍କ କାବ୍ଯର ଏକ ପ୍ରମୁଖ ଅନ୍ତଃସ୍ବର।
ଅନ୍ୟ ପକ୍ଷରେ, କାବ୍ୟର ପରମ୍ପରା ମଧ୍ୟରେ ସନେଟ୍ କାବ୍ୟ ସହ ଐତିହ୍ୟବୋଧ, ପ୍ରକୃତି ପ୍ରତି ଅନ୍ତରଙ୍ଗତା ଓ ଅଧ୍ଯାତ୍ମ ଅନ୍ଵେଷାର ସଙ୍ଗମ ପାଲଟେ ଏହି “ସମୁଦ୍ରସ୍ନାନ”। କାବ୍ୟର ଆଭିମୁଖ୍ୟ ଭିତରେ ସଦା ଅନନ୍ୟତା ରହୁଥିଲେ ମଧ୍ୟ ଭାବଗତ ଏକ ସାମଞ୍ଜସ୍ୟ ସଦା ବିଦ୍ୟମାନ। ‘ସିଢୁଆ’ , ‘ଛୁଟିର ଖରା’, ‘ଅଳକା ସାନ୍ଯାଲ’, ‘ଦେହର ନିର୍ଲଜ ଭୋକ’ ପ୍ରଭୃତି କେତୋଟି ପ୍ରଭାବଶାଳୀ କବିତା। ହରେକୃଷ୍ଣ ଦାସ – ଏକ ପୂର୍ବ ଚରିତ୍ର, ଯେତେବେଳେ ଜାଣି ହେଉନଥିଲା ତା’ର ଆଭିମୁଖ୍ଯ, କେବଳ ତଉଲା ଗଲା ନୀରବତା ଓ ପାପବୋଧର ନିଧଡକ ସରହଦ ଭିତରେ !
ହେଲେ, କାବ୍ୟର ଉତ୍ତରାର୍ଦ୍ଧକୁ ହରେକୃଷ୍ଣ ଦାସଙ୍କ ସକଳ ଚେଷ୍ଟା ଯେ କେବଳ ଏଇ ଧନତାନ୍ତ୍ରିକ ବଣିକ ସଭ୍ୟତାରେ ଓ ଜ୍ଞାନୀ ବୁଦ୍ଧିଜୀବୀଙ୍କ ସମାଜରେ ଆତ୍ମପ୍ରତିଷ୍ଠା ଲାଭ କରିବା ଥିଲା, ତାହା ଖୁବ୍ ସ୍ପଷ୍ଟ ଜଣାପଡିଯାଏ। ଇତି ମଧ୍ୟରେ ତାଙ୍କର ସୂଚନାଧର୍ମୀ, ସଂକ୍ଷିପ୍ତ ତଥା ପ୍ରତ୍ୟହ ନୂତନ ଚିନ୍ତାଧାରାକୁ ଆବୋରି ଏକ ନବ ଗନ୍ଧାବହକୁ ବାରିତ କରିବାରେ ତାଙ୍କ ପ୍ରତିଷ୍ଠା ଓ ପରାକାଷ୍ଠା ସୁଦୂରପ୍ରସାରୀ ହୋଇଛି। ରୋମାଣ୍ଟିକ ସୁଲଭ ଶିଳ୍ପୀ ହେଲେ ସିନା ତାଙ୍କର ଭାବପ୍ରବଣ କଳାତ୍ମକତା ତଳେ ସର୍ଜନାର ପରିସ୍ଫୁଟନ ସଦା ଅପେକ୍ଷାକୃତ ଅଭିଭୂତ କରେ।
୧୯୭୩ ମସିହାରେ କବି ଗୁରୁପ୍ରସାଦ ମହାନ୍ତି ନିଜର ଅନବଦ୍ୟ ସୃଷ୍ଟି “ସମୁଦ୍ରସ୍ନାନ” ନିମନ୍ତେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପାଇବା ସହ ତାଙ୍କ ଦେହାବସାନ ପରେ ୨୦୦୫ ମସିହା ବେଳକୁ ତାଙ୍କର ସମସ୍ତ ସଙ୍କଳନର କବିତା “ଗୁରୁପ୍ରସାଦ କବିତା ସମଗ୍ର” ରୂପେ ଆତ୍ମପ୍ରକାଶ କରେ। ଯୁଗଯନ୍ତ୍ରଣାରେ ଗଳଦ୍-ଘର୍ମ ମଣିଷ ଓ ଅସହାୟତାକୁ ଅମୃତର ବାଟ ଫିଟାଇ ଛିନ୍ନମୂଳ ଜୀବନ ଦୃଷ୍ଟିରୁ ମୁକ୍ତ ହୋଇ ମାଟିର ରଙ୍ଗ, ବାସ୍ନା ଓ ସଂସ୍କୃତି ଅଭିମୁଖେ ତାଙ୍କର ଯାତ୍ରା ହୋଇ ଉଠେ ସମୃଦ୍ଧ ଓ ସୁଷମାଶାଳୀ। ବାସ୍ତବିକ ରୂପରେ ତାଙ୍କ କାବ୍ୟର ଅନ୍ତଃସାର ସର୍ବଦା ନିରିଖେଇଲେ ଏହାର କୌତୂହଳ ପାଠକଙ୍କୁ ଅଛପା ରହେନି।
ଭାଷାଗତ ବ୍ୟଞ୍ଜନା ଓ ଅନ୍ତରୀଣ ମାନସିକତା ଓ ଏହାର ଆଲୋଡନକୁ ସୌନ୍ଦର୍ଯ୍ୟ-ସମ୍ବେଦୀ କରିବାରେ ତାଙ୍କର ସଫଳତା ସର୍ବାଦୌ ଚର୍ଚ୍ଚିତ। ସର୍ବଦା ନିଜ କାବ୍ୟର ନଷ୍ଟାଲଜିଆ, ପାର୍ଥିବ ଆସକ୍ତି, ଅନିୟମ୍ୟ ଅବବୋଧରୁ ଉତ୍ତରିତ ସ୍ଥିତିକୁ ପରଖିବାର ତାଙ୍କ ପ୍ରୟାସ ସର୍ବଦା ଅଟଳ। ନିର୍ବେଦଗ୍ରସ୍ତ ମାନସିକତାକୁ ସବୁବେଳେ ପରିତୃପ୍ତିର ସହଜ-ସୁଭଗ ପଥର ଅମୃତ ଦେଇ ଗତିଶୀଳ କରେଇବାର ଇଚ୍ଛା ଓ ଜୀବନବୋଧ ପ୍ରତି ସଦା ଆଲୋକିତ ଅନୁରକ୍ତି ତାଙ୍କୁ ବିଷାଦବୋଧ ଅପେକ୍ଷା ଜୀବନବୋଧ ଦେଇଛି, ଦେଇଛି ପୁଣି ସାର୍ଥକତା। ଏହି ଗରୀୟାନ୍ କବି ଗୁରୁପ୍ରସାଦ ମହାନ୍ତି ୨୦୦୪ ମସିହା ଅଗଷ୍ଟ ୨୬ ତାରିଖରେ ଇହଲୀଳା ସମ୍ଵରଣ କରନ୍ତି।
© ଅମ୍ରିତେଶ ଖଟୁଆ
Spread the love

Leave a Reply

Your email address will not be published. Required fields are marked *