ଲେଖା: ଦେବ ତ୍ରିପାଠୀ
ଗାଁ ମାଟିର ତୁଟାଇ ଶିରୀ ସହର ଚାହେଁ ଉଙ୍କି,
ବଗଡା ଭାତ ରୁଚୁନି ଆଉ ଅଲୋଡ଼ା ଆଜି ଢିଙ୍କି II
ଦିନକୁଦିନ ଯନ୍ତ୍ରସଭ୍ୟତା ଭିତରେ ପେଷି ହୋଇ ଯାଉଥିବା ମଣିଷ ହରାଇବସୁଛି ନିଜର କର୍ମଦକ୍ଷତା । ଏହି ସମାଜ ଆଧୁନିକତା ଛଳରେ ସହରୀସଭ୍ୟତା ସହ ନିଜକୁ ତଉଲି ଚାଲିବାର ଉଦ୍ୟମ କରିଛି । ଧରିତ୍ରୀ ହରାଇ ବସିଛି ତା’ର ସବୁଜ ଶିରୀ । ଲଙ୍ଗଳା ଗାଁ ଦାଣ୍ଡଟା ଆଜି ହତାଶବୋଧରେ ଶୂନ୍ୟ ଆକାଶକୁ ଚାହିଁ ହାଇ ମାରୁଛି । ଉତ୍କଳୀୟ ପରମ୍ପରା, ସଂସ୍କୃତିର ଚରମ ବିପର୍ଯ୍ୟୟ ଏ ଜାତିକୁ କ୍ରମଶଃ ଅଧୋପତନ ମୁଖୀ କରିପକାଉଛି । ବିଜ୍ଞାନ ନାମରେ ବର୍ବରତାକୁ ଜାବୁଡି ଧରି ଥିବା ମଣିଷ ବିଷ ସମୁଦ୍ରରେ ଅହରହ ଉବୁଟୁବୁ ହେଉଛି । ଭୁଲି ଯାଉଛି ନିଜର ନିଜସ୍ବତା ।
ସେଦିନର ‘କୁଟିଖାଅ, କାଟିପିନ୍ଧ’ ଉକ୍ତି ଆଜିର ଏ ମେସିନ ଯୁଗରେ ଅର୍ଥହୀନ ହୋଇ ପଡିଛି । ଅରଟରେ ସୂତାକାଟି ଲୁଗାବୁଣିବା ଆଉ ପରିଦୃଷ୍ଟ ହେଉନି କି ଖରା ମୁଣ୍ଡ ଉପରକୁ ଗଡ଼ିଲା ପରେ ବସାଘର ଚାଳକୁ ଲାଗିଥିବା ଢିଙ୍କିଶାଳରୁ ଶୁଭୁନି ତୁହାକୁ ତୁହା ଢିଙ୍କି ପାହାରର ଶବ୍ଦ । ସତରେ, ଆଧୁନିକତାର ରାକ୍ଷସ ଆମକୁ ଗୋଟାପଣରେ ଗ୍ରାସ କରିବାକୁ ବସିଛି । ନିଜର ବାହୁବଳ ଓ ଦକ୍ଷତା ଉପରେ ବିଶ୍ୱାସ ହରାଉଛି ଆଜିର ମଣିଷ ।
ସଭ୍ୟତାର କ୍ରମବିକାଶ ସହ ଯେତେବେଳେ ମଣିଷ ଧାନ ଚାଷ କରି ଶିଖିଲା, ଧାନରୁ ଚୋପା ଛଡାଇବାର ଆବଶ୍ୟକତା ଉପଲବ୍ଧି କରି ପଥର ଉପରେ ଧାନକୁ ରଖି ତାକୁ ଆଉ ଏକ ପଥରରେ ଘଷି ଘଷି ଚୋପାକୁ ବାହାର କଲା । ତେବେ ଅଧିକ ଧାନର ଚୋପାଛଡାଇବାର ଅସୁବିଧା ଦୂର କରିବାକୁ ଯାଇ ମଣିଷ ତିଆରି କଲା ଢିଙ୍କି ପରି ଏକ ସରଳ ତଥା ଅତ୍ୟନ୍ତ ଉପକାରୀ ଉପକରଣଟିଏ । ଶହ ଶହ ବର୍ଷ ଧରି ଢିଙ୍କି ବନିଯାଇଥିଲା ମଣିଷ ପରିବାରର ସଦସ୍ୟଟିଏ, ଓଡିଆ ପରିବାରରେ ଦିଅଁଙ୍କ ଆସନ ଲଭିଥିଲା ଢିଙ୍କି ।
ସମୟ ବଦଳିଛି, କର୍ମବିମୁଖ ମଣିଷ ଆଜି କଳକବଜା ପାଖରେ ନିଜକୁ ବନ୍ଧାପକାଇ ଦେଇଛି । ଢିଙ୍କି ବଦଳରେ ହଲରର ଚାଉଳ ଆଜି ଓଡିଆର ରନ୍ଧାଘରେ । ମାତ୍ର ଢିଙ୍କିକୁଟା ଚାଉଳର ଉପରର ବୋଳଅଂଶରେ ଭରପୁର ଥିବା ଧାତବଲବଣ ଓ ଭିଟାମିନ ହଲରର କଣ୍ଡା ଚାଉଳରେ ସ୍ବପ୍ନ । ଆଶ୍ଚର୍ଯ୍ୟ ଓ ଦୁଃଖର କଥା ଯେ ଓଡ଼ିଶାର ଗାଁ ଗଣ୍ଡାରୁ ଢିଙ୍କିକୁ ଅପସାରି ହଲର ବସାଯାଉଥିବା ବେଳେ, ଢିଙ୍କିକୁଟା ଅକାଣ୍ଡିଆ ଚାଉଳର ଆଦର ଜାପାନ, ଇଂଲଣ୍ଡ ପରି ଦେଶମାନଙ୍କରେ ବୃଦ୍ଧି ପାଇଚାଲିଛି ।
କେବଳ ଢିଙ୍କିକୁଟା ଚାଉଳ ନୁହେଁ, ଏହାର କାଣ୍ଡିଆକୁଣ୍ଡା ମଧ୍ୟ ଭିଟାମିନ ଯୁକ୍ତ । ଏହି କୁଣ୍ଡାର ଉପାଦେୟତା ଏବେ ବୈଜ୍ଞାନିକଙ୍କ ଦୃଷ୍ଟିଗୋଚର ହେଲା, କିନ୍ତୁ ବିଜ୍ଞାନୀ ଓଡ଼ିଆର ପଲ୍ଲୀରେ ଏହାର ବ୍ୟବହାର ରହିଛି କାଇଁ କେତେ କାଳରୁ । ଅରୁଆଧାନରୁ ସଂଗୃହୀତ କାଣ୍ଡିଆକୁଣ୍ଡାରେ କୁଣ୍ଡାପିଠା ତିଆରି ହୁଏ । ଘିଅରେ ଛଣାଯାଇଥିବା ଏ ପିଠା ମଧ୍ୟ ମାଣବସା ଗୁରୁବାରରେ ମହାଲକ୍ଷ୍ମୀଙ୍କ ପାଖରେ ଭୋଗ ଲଗାଯାଏ ।
ଆମ ଗାଁଗହଳିରେ ଏଇ କାଣ୍ଡିଆକୁଣ୍ଡା ଓ ଢିଙ୍କିକୁ ନେଇ ଢଗଢମାଳି ମଧ୍ୟ ଶୁଣାଯାଏ:
“କାଣ୍ଡିଆ କୁଣ୍ଡାକୁ ଝାଡିବ ଢିଙ୍କି ମୁଣ୍ଡରେ ବସି,
ବୁଢୀମାନେ ତାକୁ ଖାଇବେ, ହେବେ ଷୋଳବୟସୀ . . “
ଢିଙ୍କିକୁ ନେଇ ଆମ ଗାଁ ଗହଳିର କେତେ କେତେ ଅସିଆ କାଳର ମସିଆ କଥା !
ବେଳବୁଡି ଆସିଲା ବେଳକୁ ମଇଁଷି ଗୋଠରୁ ମଇଁଷିଆଳର ଗୀତ ଶୁଭୁଥିବ କାଇଁ କେତେ ଦୂରରୁ ! ବେହେରାପୁଅଟି ଗୀତ ଗାଉଥିବ –
“ଢିଙ୍କିରେ କୁଟଇ ଗୋଲମରିଚ ଲୋ
ପାଆରେ ମାପଇ ଘିଅ !
ଜାଣି ନାହୁଁ କି ରେ ବେହେରା ପୁଅ ମୁଁ,
ଡେଲାଙ୍ଗ କଚେରି ଝିଅ !”
ରଜ ଆସେ ! ସଜବାସ ହୋଇ ଗାଁ ଦାଣ୍ଡରେ ଦୋଳିରେ ଗୀତ ଗା’ନ୍ତି ଝିଅମାନେ –
“ଢିଙ୍କିରେ କୁଟିଲି ଚଷୁ,
ବଡ଼ ଘର ବୋଲି ଦେଇଛ ନନା ହେ
ବଡ଼ ଖଣ୍ଡାଖାଇ ଶାଶୁ ।
ଢିଙ୍କିଶାଳ ଲେପୁଥିଲି,
କେ ଯାଇ କହିଲା, କାନ୍ତ ଆଇଲା ଲୋ
ହାତଧୋଇ ପାଣିଦେଲି !”
ବଡ଼ମ୍ବା ନରସିଂହପୁରର ଗାଁ ଗହଳିରେ ଢୁମ୍ପା ବାଜାରେ ଘୁଙ୍ଗୁର ବାନ୍ଧି ଗୀତ ଗା’ନ୍ତି –
“ଢିଙ୍କି ପେଟତଳେ ଗାତ ଜାଇଫୁଲ
ଢିଙ୍କି ପେଟତଳେ ଗାତ,
ଧରି ମୁହିଁ ସୁନାମୁଦିଆ ହାତ ମୋ,
ଟେକାପାଣି, ଟେକାଭାତ ।”
କଳାହାଣ୍ଡି ଅଞ୍ଚଳରେ ଘୁମୁରା ବି ଗୀତଟିଏ ଶୁଣିବାକୁ ମିଳେ –
“ଢିଙ୍କିରେ କୁଟିଲି ଜଉ
ବଜାଅ ଘୁମୁରା ନ ଖଣ୍ଡ ହେଉ କି ଛ ଖଣ୍ଡ ହେଉ,
ଘୁମୁରିଆ ଭଲ ଥାଉ ।”
ରଜ ଯାଇ ଆସେ ଖୁଦୁରୁକୁଣୀ । ସେ ବେଳରେ ପୂଜାପାଏ ଢ଼ିଙ୍କି ! ଲିପାପୋଛା ହୋଇଥିବା ଢିଙ୍କି ଉପରେ ବାଉଁଶ ବତାରେ ସୁନ୍ଦର ମଞ୍ଚା ବନ୍ଧାହୋଇ ସେ ମଞ୍ଚାରୁ କଦଳୀ ପାଟୁକାରେ ବିଭିନ୍ନ ଫୁଲସବୁ ଗୁନ୍ଥାଯାଇ ଢିଙ୍କିକୁ ଛୁଇଁ ଝୁଲୁଥାଏ । ପରେ ଢିଙ୍କିକୁ ପୂଜା କରନ୍ତି ଖୁଦୁରୁକୁଣୀ ଓଷା କରୁଥିବା ଝିଅମାନେ ।
ଇଏ ଆମ ଓଡ଼ିଆ ଘରର ଢିଙ୍କିର କଥା ।
ଓଡ଼ିଆ ଝିଅର ଜୀବନରେ ଢ଼ିଙ୍କିର ଯେ ଭୂମିକା କେତେ ! ଝିଅମାନଙ୍କ କେଶପ୍ରସାଧନ ଠାରୁ, ହସଖୁସି, ଟାହିଟାପରା,ଗପସପ ଓ କାନ୍ଦଣା ଅଭ୍ୟାସ ଏମିତି କେତେ କଥା ଘଟିଯାଏ । ସମୟ ଗଡିଯାଏ । ସବୁ ସ୍ମୃତିକୁ ଜାବୁଡି ଧରିଥିବା ସେଇ ଢିଙ୍କି ଆଉ ପରିବାରକୁ ପର କରି ଝିଅଯାଏ ଶାଶୁଘର ! ସେବେଳେ ଲୋଡାହୁଏ ଏଇ ଢିଙ୍କି !
ମଙ୍ଗନ ଦିନର ଢ଼ିଙ୍କିମଙ୍ଗୁଳା ପରା ଥିଲା ଆମ ଓଡିଆର ପରମ୍ପରା ! ଢିଙ୍କିକୁ ଗାଧୁଆ ହୁଏ, ମୁଣ୍ଡରେ ହଳଦୀ, ସିନ୍ଦୁର ଓ ଗୋଟାଗୁଆ ଦିଆହୁଏ । ଧାନ କିଛି ଢିଙ୍କି ଭରାଣ୍ଡିରେ ଦେଇ ସାତମାଇପେ ଢିଙ୍କି ଲାଞ୍ଜରେ ଠିଆ ହୋଇ ଧାନକୁଟନ୍ତି । ଏ ବେଳରେ ବ୍ରାହ୍ମଣ ନାହକ ମନ୍ତ୍ର ପଢନ୍ତି । ଶୁଭଶଂଖ ବାଜେ, ହୁଳହୁଳି ପଡେ ।
ସେ କୁଟାଚାଉଳରୁ କିଛି ରୋଷେଇ ହୁଏ, ପିଠା ବି ହୁଏ । ଆଉ କିଛି ଚାଉଳ ରୋଷେଇଶାଳେ ରଖାଯାଏ ଅଷ୍ଟମଙ୍ଗଳା ଦିନ ପିଠାକରି ସାଇ ପଡ଼ିଶାରେ ବାଣ୍ଟିବା ପାଇଁ ।
ଓଡିଆଣୀ ଝିଅ ବାପଘରୁ ଶାଶୁଘରକୁ ଯିବ, ସଭିଙ୍କୁ ପର କରି, ସେବେଳରେ ଆଖିରୁ ଲୋତକ ନିଗାଡ଼ି ହୃଦୟ ଥରାଇ ଝିଅକଣ୍ଠରୁ ଶୁଭେ ବାହୁନା, ଢିଙ୍କି ଯେ ଜୀବନର ଅଙ୍ଗ, ତା’ ପାଇଁ ବି କାନ୍ଦଣା ବୋଲେ ଝିଅ –
“ଢିଙ୍କି ପେଟତଳେ କାଣ୍ଡିଆକୁଣ୍ଡା,
ବେଦୀରେ ବସିଛି ଚଟୁଆମୁଣ୍ଡା ।”
ଆମ ଓଡ଼ିଆ ଘରର ଢିଙ୍କି !
ଶହ ଶହ ବର୍ଷ ଧରି ସେଇ ଢିଙ୍କି ବନିଯାଇଥିଲା ମଣିଷ ପରିବାରର ସଦସ୍ୟଟିଏ ! ସେଇ ଢିଙ୍କି କରିଥିଲା ଓଡ଼ିଆ ଜନଜୀବନକୁ ପ୍ରାଣବନ୍ତ ସ୍ଫୂର୍ତ୍ତିମୟ ! ପାଲା ଦାସକାଠିଆ ଠାରୁ ଆରମ୍ଭ କରା ଯୋଗୀଭିକାରୀଙ୍କ ଗୀତରେ ମଧ୍ୟ ଥିଲା ଢିଙ୍କି ! କବିର ଶବ୍ଦରେ, ଶିଳ୍ପୀର କଳ୍ପନାରେ ଥିଲା ଢ଼ିଙ୍କି !
ଓଡିଆ ପରିବାରରେ ଦିଅଁଙ୍କ ଆସନ ଲଭିଥିଲା ଢିଙ୍କି ! ସଂସ୍କାରୀ ଓଡ଼ିଆ ପାଇଁ ଢିଙ୍କି ଥିଲା ନିରାକାର ବ୍ରହ୍ମ ! ଢିଙ୍କି ମୁଣ୍ଡ ମଝିରେ ସିନ୍ଦୁରବିନ୍ଦୁ ଏବଂ ଦୁଇପଟେ କଜଳଗାର ଟାଣିଦେଇ ଓଡ଼ିଆ ପୂଜୁଥିଲା ଢିଙ୍କିକୁ ! ଢିଙ୍କିର ମୁଣ୍ଡରେ ବ୍ରହ୍ମା, ଶରୀରରେ ବିଷ୍ଣୁ ଓ ଲାଞ୍ଜରେ ବିରାଜୁଥିଲେ ମହାଦେବ !
ଏବେ କାଇଁ ସେ ପ୍ରବଣତା ! ସତରେ ସମୟ ବଦଳିଯାଇଛି ! ସତରେ, ଆମେ ହରାଇବସିଛେ ସେ ଉଚ୍ଛଳ ଜୀବନକୁ !
ଚିତ୍ର ସୈାଜନ୍ୟ: Premananda Khandual
ଅଶେଷ ଧନ୍ୟବାଦ ଆପଣଙ୍କର ଏ ପ୍ରୟାସ ପାଇଁ l
ଅଶେଷ ଅଶେଷ ଧନ୍ୟବାଦ ଆଜ୍ଞା, ଆପଣମାନଙ୍କ ପରି ସୁଧୀବୃନ୍ଦଙ୍କ ସଦିଚ୍ଛା ଓ ସମର୍ଥନରେ ତ ପ୍ରେରିତ ହୋଇ ଚାଲିଛୁ ଆମେ ????