ଲେଖା: ଶ୍ରୀକାନ୍ତ ସିଂହ
ପୁଣ୍ୟତୋୟା ପ୍ରାଚୀନଦୀ ଅବବାହିକାରେ ହାତଗଣତି କେତୋଟି ସୁକ୍ଷ୍ମ କାରୁକାର୍ଯ୍ୟସମ୍ପନ୍ନ ମନ୍ଦିର ନିର୍ମାଣ ହୋଇଛି ତନ୍ମଧ୍ୟରେ ଖୋର୍ଦ୍ଧା ଜିଲ୍ଲା ବାଲିପାଟଣା ବ୍ଲକ ଅନ୍ତର୍ଗତ ଗାରେଡ଼ିପାଞ୍ଚଣ ଗ୍ରାମର ଶ୍ରୀ ବୁଦ୍ଧନାଥ ମନ୍ଦିର ହେଉଛି ଅନ୍ୟତମ l ଏହି ମନ୍ଦିରଟି ଏକାଦଶ ଶତାବ୍ଦୀରେ ତତ୍କାଳୀନ ଗଙ୍ଗବଂଶୀ ଶାସକ ଚୋଡ଼ଗଙ୍ଗ ଦେବଙ୍କ ଦ୍ୱାରା ନିର୍ମାଣ କରାଯାଇଥିଲା ଯାହାକି ସୁକ୍ଷ୍ମ କାରୁକାର୍ଯ୍ୟ ପାଇଁ ସୁପ୍ରସିଦ୍ଧ l
କଳିଙ୍ଗ ସ୍ଥାପତ୍ୟ ଶୈଳୀରେ ନିର୍ମିତ ମନ୍ଦିର ଗୁଡ଼ିକ ପରି ଏହି ମନ୍ଦିରରେ ନାଟ ମଣ୍ଡପ, ଜଗମୋହନ ଓ ବିମାନ ରହିଛି l ମୁଖ୍ୟ ଦେଉଳ ବା ବିମାନଟି ରେଖଶୈଳୀରେ ନିର୍ମିତ ହୋଇଥିବାବେଳେ, ଜଗମୋହନଟି ପଞ୍ଚରଥ ପୀଢ଼ ଶୈଳୀରେ ନିର୍ମିତ l ନାଟମଣ୍ଡପ ଓ ଜଗମୋହନରେ ଅନେକ ସୁକ୍ଷ୍ମ କାରୁକାର୍ଯ୍ୟମାନ ଦୃଷ୍ଟି ଗୋଚର ହୁଏ l
ମନ୍ଦିରର ଏହି ସୁକ୍ଷ୍ମ କାରୁକାର୍ଯ୍ୟ ବିଶ୍ୱପ୍ରସିଦ୍ଧ କୋଣାର୍କ ସୂର୍ଯ୍ୟ ମନ୍ଦିରର ସୂଚୀମୁନ କାରୁକାର୍ଯ୍ୟ ସହ ତୁଳନୀୟ l ଜଗମୋହନଟିକୁ ଦେଖିଲେ ଅବିକଳ ଆଉ ଏକ କୋଣାର୍କ ପରି ଅନୁଭବ ହୁଏ l ବିଶେଷକରି ମୁଖଶାଳା ଓ ଜଗମୋହନର ସୁକ୍ଷ୍ମ କାରୁକାର୍ଯ୍ୟ କୋଣାର୍କ ମନ୍ଦିର କାରୁକାର୍ଯ୍ୟ ସହିତ ଅନେକ ସାମଞ୍ଜସ୍ୟ ଥିବା ଦୃଷ୍ଟିଗୋଚର ହୁଏ l ସମୟ ସ୍ରୋତରେ ଏଇ ବୁଦ୍ଧନାଥ ମନ୍ଦିର ଗାତ୍ରର କେତେକ ସୂକ୍ଷ୍ମ କାରୁକାର୍ଯ୍ୟ ନିଷ୍ପ୍ରଭ ଦିଶୁଥିଲେ ବି ଅନେକ ସୂକ୍ଷ୍ମ କାରୁକାର୍ଯ୍ୟ ଆଜି ବି ସୁସ୍ପଷ୍ଟ l
ଏହା ଏକ ପ୍ରସିଦ୍ଧ ଶୈବପୀଠ ହୋଇଥିଲେ ମଧ୍ୟ ମନ୍ଦିର ଓ ଗ୍ରାମର ନାମକରଣରୁ ଏହା ସ୍ପଷ୍ଟ ଅନୁମେୟ ଯେ ଅତୀତରେ ଏଠାରେ ବୌଦ୍ଧତନ୍ତ୍ର ସାଧନାର ଖୁଵ ବେଶି ପ୍ରଭାବ ଥିଲା l ପ୍ରାୟ ସପ୍ତମ, ଅଷ୍ଟମ ଶତାବ୍ଦୀରୁ ପଞ୍ଚଦଶ ଶତାବ୍ଦୀ ମଧ୍ୟରେ ଓଡ଼ିଶାରେ ବୌଦ୍ଧ ଧର୍ମର ପ୍ରଚାର ଓ ପ୍ରସାର ଚରମ ଶିଖରରେ ପହଞ୍ଚିପାରିଥିଲା l
ରାଜ୍ୟର ବିଭିନ୍ନ ପ୍ରାନ୍ତରେ ବୌଦ୍ଧ ସଂସ୍କୃତି ଓ ସ୍ଥାପତ୍ୟର ବିକାଶ ଘଟିବା ସହିତ ଏହାର ତାନ୍ତ୍ରିକ ଉପାସନା ପଦ୍ଧତିର ଆଦର ଓ ବିକାଶ ମଧ୍ୟ ଘଟିଥିଲା, ଏଣୁ ମାଦଳା ପାଞ୍ଜିର ବର୍ଣ୍ଣନା ଅନୁସାରେ ଗାରେଡ଼ିପାଞ୍ଚଣର ଏହି ବୁଦ୍ଧନାଥ ମନ୍ଦିର ତତ୍କାଳୀନ ବୌଦ୍ଧତନ୍ତ୍ର ସାଧନାର ଏକ ପ୍ରମୁଖ ପୀଠ ଥିଲା l ବୌଦ୍ଧ, ଶୈବ ଓ ଶାକ୍ତ ଉପାସନାର ଏହା ଯେ ପ୍ରମୁଖ କେନ୍ଦ୍ର ଥିଲା ଏଥିରେ ଦ୍ବିମତ ନାହିଁ l
ବୁଦ୍ଧନାଥ ମନ୍ଦିର ଗର୍ଭଗୃହରେ ଥିବା ମୁଖ୍ୟ ଦେବତା ହେଉଛନ୍ତି ଅନ୍ତର୍ଭେଦି ଶିବଲିଙ୍ଗ l ପାତାଳଫୁଟା ଏହି ଶିବଲିଙ୍ଗଟି ଦୃଷ୍ଟି ଗୋଚର ହୁଏ ନାହିଁ କେବଳ ବୃତ୍ତାକାର ଯୋନିପୀଠ ହିଁ ଯାହା ଦୃଶ୍ୟମାନ ହୁଏ l ଏହି ଯୋନିପୀଠର ଅବସ୍ଥିତି ଓ ଶିବ ଲିଙ୍ଗର ଅଦୃଶ୍ୟମାନ ଅବସ୍ଥାକୁ ନେଇ ଏହା ଏକ ତନ୍ତ୍ରସାଧନାର ମୂର୍ତ୍ତି ରୂପ ବୋଲି ବିଶ୍ୱାସ କରାଯାଏ l
ବୈଦିକ ସନାତନ ଧର୍ମରେ ତନ୍ତ୍ର ଉପାସନାର କୌଣସି ଵିଧିଵିଧାନ ନଥିଲା ମାତ୍ର ପରବର୍ତ୍ତୀ ସମୟରେ ଶୈବ ଓ ଶାକ୍ତ ପରମ୍ପରାରେ ରୁଦ୍ରଙ୍କୁ ପରମ ଭୈରବ ଓ ରୁଦ୍ରାଣୀଙ୍କୁ ପରମ ଭୈରବୀ ରୂପରେ ଉପାସନା କରାଗଲା ଏବଂ ଏହି ସମୟରେ ହିଁ ତାନ୍ତ୍ରିକ ଉପାସନା ପଦ୍ଧତିର ଆରମ୍ଭ ହୋଇଥିବା ମନେହୁଏ l ଗୌତମ ବୁଦ୍ଧଙ୍କ ବାଣୀ ହିଁ ବୌଦ୍ଧଧର୍ମର ମୁଖ୍ୟ ସାରାଂଶ ମାତ୍ର ତତ୍କାଳିନ ହିନ୍ଦୁ ଧର୍ମରେ ପ୍ରଚଳିତ ତନ୍ତ୍ର ପଦ୍ଧତିର ସଂସ୍ପର୍ଶରେ ଆସିବା ଫଳରେ ବୌଦ୍ଧ ଧର୍ମରେ ବି ତାନ୍ତ୍ରିକ ଉପାସନାର ଵିଧି ପ୍ରଚଳିତ ହୋଇଥିବା ଅନୁମେୟ l
ଏହି ମନ୍ଦିର ପରିସରରେ ଅନ୍ୟ ଏକ ଛୋଟିଆ ମନ୍ଦିରରେ ତନ୍ତ୍ର ଦେଵୀ ଷଡ଼ନୟନୀ ଅମୃତଲୋଚନୀ ବିରାଜିତ, ଏହି ମୂର୍ତ୍ତିଟି ବୁଦ୍ଧନାଥ ମନ୍ଦିର ନିର୍ମାଣର ବହୁ ପୂର୍ବରୁ ଏଠାରେ ପ୍ରତିଷ୍ଠିତ l କୁହାଯାଏ ସର୍ପ ଦଂଶିତ କୌଣସି ଲୋକକୁ ଯଦି ଏହି ମନ୍ଦିର ପରିସରକୁ ଆଣି ଝଡ଼ାଫୁଙ୍କା ଚିକିତ୍ସା କରାଯାଏ ତେବେ ତାହାର ମୃତ୍ୟୁ ହୋଇନଥାଏ l ଏହି ଝଡ଼ାଫୁଙ୍କାକୁ ଅନ୍ୟ ଭାଷାରେ ଗୁଣି ଗାରେଡ଼ି ମଧ୍ୟ କୁହାଯାଏ l ଅର୍ଥାତ ଏହି ଗାରେଡ଼ି ଶବ୍ଦ ହିଁ ଗ୍ରାମର ନାମ ଗାରେଡ଼ିପାଞ୍ଚାଣକୁ ଯଥାର୍ଥ ପ୍ରତିପାଦନ କରେ l
ମନ୍ଦିର ନାମକରଣ ସହିତ ବୁଦ୍ଧଙ୍କ ସମ୍ପର୍କ, ତନ୍ତ୍ର ଉପାସନା, ଗୁଣି ଗାରେଡ଼ି ଆଦି ବିଷୟବସ୍ତୁ ଯାହା ବି ଥାଉ ନା କାହିଁକି ଏହି ବୁଦ୍ଧନାଥ ମନ୍ଦିର ଯେ ଉତ୍କଳୀୟ ସ୍ଥାପତ୍ୟ କଳାର ଏକ ଶ୍ରେଷ୍ଠ କୀର୍ତ୍ତିରାଜି ଏଥିରେ ସନ୍ଦେହ ନାହିଁ l